ଫୁଲବାଲି
ଫୁଲବାଲି
ମାୟାନଗରୀ ମୁମ୍ବାଇର ମାଟୁଙ୍ଗା ରେଳ ଷ୍ଟେସନ । ଭାରତର ଏଇ ଜନବହୁଳ ନଗରୀଟିକୁ ଅନେକ ଲୋକ ଅନେକ ସ୍ୱପ୍ନ ନେଇ ଆସନ୍ତି ।କାହାରି ପେଟ ଅପୋଷା ରହେନା ଏଠି ।ଅହରହ ଜୀବନ ସଂଗ୍ରାମ ଜାରି ରହିଥାଏ ନାନାମତେ। ଭାରତୀୟ ଅର୍ଥନୀତିର ମୂଳକେନ୍ଦ୍ର ଏଇ ନଗରୀଟି କିନ୍ତୁ ଟିକିଏ ବର୍ଷାରେ ବେହାଲ ହୁଏ। ଧନୀକ ସିନା ନିଜର ସୁବ୍ୟବସ୍ଥିତ ସୁରକ୍ଷା କରିପାରେ ହେଲେ ଦରିଦ୍ରତା ଭିତରେ ଜୀବନ ସଂଗ୍ରାମ କରୁଥିବା ମଣିଷଟିଏ ଅସରାଏ ବର୍ଷା ହୋଇଗଲେ ନର୍କ ଯନ୍ତ୍ରଣା ଭୋଗେ। ବସ୍ତିବାସିନ୍ଦା ସେଇ କାଦୁଅ ପାଣି ଭିତରେ ଖୋଜି ବୁଲନ୍ତି ଜୀବନର ରାହାଟିଏ, ସେଇ ପାଣି ଭିତରେ ନିଜର ସଂସାରକୁ ସଜାଡି ସାଇତି ରଖିବାକୁ ପ୍ରାଣପଣେ ଲାଗି ପଡନ୍ତି । ସେହିପରି ମା’ ଟିଏ କମଳାବାଈ। ମାଟୁଙ୍ଗା ରେଳ ଷ୍ଟେସନ ପାଖ ରୋଡ୍ ରେ ତା’ର ଉଠା ଫୁଲ ଦୋକାନ , ଟିକିଏ ପଛକୁ ଥିବା ବସ୍ତିରେ ଚାଳିଆ ଘରଟିଏ , ସେଇଠି ଦୁଇଟି ଝିଅଙ୍କୁ ନେଇ ତା’ର ସଂସାର।
ଅଗଷ୍ଟ ମାସର ଚାରି ଚାରିଖ, ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଆରମ୍ଭ ହୋଇଗଲା ମୌସୁମୀ ବର୍ଷା । କମଳାବାଈ ପ୍ରମାଦ ଗଣିଲା। ଆର ବର୍ଷ ଏଇଦିନେ ଏମିତି ଲଗାଣ ବର୍ଷାରେ ନର୍କ ଯନ୍ତ୍ରଣା ଭୋଗିବାକୁ ପଡିଥିଲା ତା’ ପରିବାର କୁ। ମା’ ଝିଅ ତିନିଜଣ ଯାକ ସେଇ ନର୍ଦ୍ଦମା ପାଣି ଭିତରେ ଭୋକ ଉପାସରେ ପଡି ରହିଥିଲେ ଦଶଦିନ କାଳ। ପାଣି ଛାଡିଲା ବେଳକୁ ଘରର ଆସବାବପତ୍ର ପଚିସଢି ଲୁଗାପଟା ଦି’ଖଣ୍ଡ ମଧ୍ୟ ମିଳିନଥିଲା ପିନ୍ଧିବାକୁ। ଏବର୍ଷ ଅଳ୍ପ ଅଳ୍ପ ବର୍ଷା ହୋଇ ଯାଇଥିଲା ଆଗରୁ । କମଳା ଭାବିଲା ଏବର୍ଷ ଆଉ ବୋଧହୁଏ ବେଶୀ ବର୍ଷା ହେବନାହିଁ କିନ୍ତୁ ତା’ର ଅନୁମାନକୁ ଭୁଲ ପ୍ରମାଣିତ କରି ଗଲା ଦୁଇ ଘଣ୍ଟା ଧରି ମୂଷଳଧାରା ରେ ବର୍ଷା ଢାଳୁଛି ଆକାଶ। ରାସ୍ତାରେ ପାଦେ ପାଦେ ପାଣିରୁ ବଳାଗଣ୍ଠିଏ ପାଣି ହେଲାଣି, ତଥାପି ବର୍ଷା ଥମୁନି। ଆଉ କିଛି ସମୟ ପରେ ହୁଏତ ଆଣ୍ଠୁଏ ରୁ ଅଣ୍ଟାଏ ପାଣି ହୋଇଯିବ, ତା’ପରେ?? ଗତ ବର୍ଷର କଥା ମନେ ପକାଇ ଶିହରି ଉଠିଲା କମଳା। ଭୋକ ଉପାସରେ ସଢି ପଢି କାନ୍ଦି ଉଠୁଥିବା ଦୁଇ ଝିଅଙ୍କର ମୁହଁ ଦେଖାଗଲା ତା’କୁ ।ସହାୟତାର ହାତ ବଢାଇଥିବା ଲୋକମାନଙ୍କର ଆଖିରେ ଥିବା ଜଳନ୍ତା ନିଆଁ ଦିଶୁଥିଲା କମଳାବାଈ କୁ। ଏ ଦୁନିଆଁରେ ବିନା ମତଲବରେ କେହି ସାହାଯ୍ୟ କରନ୍ତି ନାହିଁ । ସିଏ ଏବେ ଦୋକାନ ରେ ଘରେ ଦୁଇ ଦୁଇଟି ବଢିଲା ଝିଅ। କିଛି ବୁଦ୍ଧି ବାଟ ଦିଶୁନଥିଲା, ବିକଳ ଆକୁଳ ହୋଇ ସେ ମନେ ମନେ ଈଶ୍ବରଙ୍କୁ ପ୍ରାର୍ଥନା କରୁଥିଲା “ ହେ ପ୍ରଭୁ! ରକ୍ଷାକର “ ।
ଏଇ ସମୟରେ ହଠାତ୍ ତା’ର ମନେ ପଡିଗଲା, ଗତବର୍ଷ ମୁନିସିପାଲିଟି ବାଲା ଆସି ରାସ୍ତା ରେ ଥିବା ମ୍ୟାନ୍ ହୋଲର ଢାଙ୍କୁଣୀ ଖୋଲିଦେଲାରୁ ଘର ଭିତରୁ ପାଣି ସବୁ ବାହାରି ଯାଇଥିଲା , ସେ ଆଉ ଆଗପଛ ବିଚାର ନକରି ତା’ ଫୁଲଦୋକାନ ସାମନାରେ ଥିବା ମ୍ୟାନ୍ ହୋଲ୍ ର ଢାଙ୍କୁଣୀଟି ନିଜର ସମସ୍ତ ଶକ୍ତି ଲଗାଇ ଖୋଲି ଦେଲା । ଭସ୍ ଭସ୍ କରି ରାସ୍ତା ଉପରେ ପାଣି ସବୁ ପଶିବାକୁ ଲାଗିଲା ସେଥିରେ। କମଳା ଟିକିଏ ଆଶ୍ୱସ୍ତ ହେଲା, ହେଲେ ବର୍ଷା ଛାଡୁ ନଥାଏ । ଲୋକମାନେ ଅସ୍ତବ୍ଯସ୍ତ ହୋଇ ରାସ୍ତାରେ ଧାଉଁଥାନ୍ତି, କିଏ ପାଦରେ ତ କିଏ ଦୁଇ ଚକିଆ ଯାନରେ । ହଠାତ୍ ଜଣେ ସାଇକେଲ୍ ଆରୋହୀ ସେଇପଟ ଦେଇ ପାଶ୍ କଲା ବେଳକୁ ସେଇ ମ୍ୟାନ୍ ହୋଲ୍ କୁ ଝୁଣ୍ଟି ତଳେ ପଡିଗଲେ।କମଳା ତାଙ୍କୁ ଧରାଧରି କରି ଉଠେଇ ଦେଲା ଆଉ ମନରେ ଭାବିଲା ପୁଣି ଯଦି କେହି ଏଠାରେ ଝୁଣ୍ଟି ପଡିବେ? ପରିଣାମ କଥା ଚିନ୍ତାକରି ତା’ର ବିବେକ କହିଲା ନାହିଁ ଆଉ ସେଇ ଜାଗା ଛାଡି ଆସିବା ପାଇଁ । ସେଇଠି ଢୁ, ଢୁ ବର୍ଷାରେ ଭିଜି ଭିଜି ହାତରେ ଛତାଟିଏ ଧରି ରାସ୍ତା ଉପରେ ଠିଆ ହୋଇ ରହିଲା କମଳା ବାଈ , ଯିବା ଆସିବା ଲୋକଙ୍କୁ ସଚେତନ କରାଇଥିଲା ସେଠି ମ୍ୟାନ୍ ହୋଲ୍ ଅଛି ବୋଲି। ଦୀର୍ଘ ସାତ ଘଣ୍ଟା କାଳ ସେମିତି ସେଇଠି ଠିଆ ହୋଇ ରହିଥିଲା ବର୍ଷା ଛାଡିବା ଯାଏଁ । ତା’ ମନରେ ନଥିଲା ତା’ ଦୁଇ ଝିଅଙ୍କ ସୁରକ୍ଷା କି ସେମାନଙ୍କ ଭବିଷ୍ୟତ ପାଇଁ ଘରେ ସାଇତି ରଖିଥିବା ଦଶ ହଜାର ଟଙ୍କାର କଥା, ସେ ଖାଲି ଅନ୍ୟ ମଣିଷ ମାନଙ୍କୁ କେମିତି ବିପଦରୁ ରକ୍ଷା କରିବ ସେଇ ଚିନ୍ତା ଲାଗିଥିଲା ତା’କୁ ।
ଧୀରେ ଧୀରେ ବର୍ଷା କମିଗଲା, ରାସ୍ତା ରେ ବର୍ଷା ପାଣି ସଂପୂର୍ଣ୍ଣ ଛାଡିବା ପରେ କମଳାବାଈ ନିଜ ଘରକୁ ଫେରିବା ବେଳକୁ ଥଣ୍ଡାରେ ଛେତା ପଡି ଯାଇଥିଲା ତା’ର ସାରା ଶରୀର , ଦେହ ହାତ ଅବଶ୍ ହୋଇ ଆସୁଥିଲା କିନ୍ତୁ ତା’ ମନରେ ମୋଟେ ଦୁଃଖ ନଥିଲା, ସେଠାରେ ବିରାଜମାନ କରୁଥିଲା ଏକ ଅନିର୍ବଚନୀୟ ଆନନ୍ଦ, ଏକ ଗଭୀର ପ୍ରଶାନ୍ତି । ଲୋକ ମାନଙ୍କର କିଛି କାମରେ ଆସି ପାରିଥିବାର ସେ ଆନନ୍ଦ ଥିଲା ସ୍ୱର୍ଗୀୟ।କମଳାବାଈ ର ସେଇ ମଣିଷ ପଣିଆ ତା’ର ଅଜାଣତରେ କଏଦ୍ ହୋଇଥିଲା ଅନେକ କ୍ୟାମେରା ରେ। ସେଇ ଭିଡିଓ ଭାଇରାଲ୍ ହୋଇଥିଲା ସହର ସାରା । କମଳାବାଈ ର ଏଇ ମଣିଷ ପଣିଆ ଏବେ ଖୁବ୍ ପ୍ରଶଂସିତ ହେଉଛି ସୋସିଆଲ୍ ମିଡିଆରେ । ନଥିଲା ଘରର କମଳାବାଈ ର ଏଇ ମାନବଧର୍ମର ପ୍ରଶଂସା ସହିତ ଆର୍ଥିକ ସାହାଯ୍ୟ ମଧ୍ୟ କରୁଛନ୍ତି ଅନେକ ପ୍ରଶଂସକ, ଏଇ ଭିତରେ ସେ ପାଇ ସାରିଲାଣି ପ୍ରାୟ ଦେବ ଲକ୍ଷ ଟଙ୍କାର ସାହାଯ୍ୟ । ନିଜର ଏକ ଛୋଟ କାମ ତା’ର ଝିଅ ମାନଙ୍କର ଭବିଷ୍ୟତ ସୁରକ୍ଷିତ ହୋଇପାରିଛି, ସେଇଥିପାଇଁ ଖୁବ୍ ଖୁସି ଅଛି ଏବେ କମଳାବାଈ।।