ଫୁଲ
ଫୁଲ
ଲିନା ତା ବାପା ପ୍ରଶ୍ନ ଓ ମାଆ ଶୁଭ୍ରା ସହ ବମ୍ବେରେ ରୁହେ।ଏବେ କରୋନା ପାଇଁ ସେମାନେ ଗାଆଁକୁ ଲେଉଟି ଆସିଛନ୍ତି।ଘରେ ରହି ଅନ୍ଲାଇନ କାମ କରୁଛନ୍ତି।ଲିନା ମଧ୍ୟ ଅନ୍ଲାଇନରେ ନିଜ ପଢା କରେ ଆଉ ଫୁରସତ ମିଳିଲେ ପ୍ରାକୃତିକ କିଛି ଜିନିଷ ବିଷୟରେ ପଚାରି ବୁଝେ।କେବଳ ବୁଝେ ନାହିଁ ସେ ବାସ୍ତବତାରେ ସେ ଜିନିଷକୁ ପାଖରୁ ଦେଖି ଅନୁଭବ ବି ନିଏ।
ସେ ଆଗରୁ ଗଛ ବିଷୟରେ, ନଈ ବିଷୟରେ ଓ ପାହାଡ ବିଷୟରେ ସାମ୍ନାସାମ୍ନି ଭେଟହେଇ ଅନୁଭବ ନେଇ ସାରିଥିଲା।ଆଜି ସେ ଜେଜି ଠାରୁ ଫୁଲ ବିଷୟରେ କିଛି ଜାଣିବାକୁ ଚାହୁଥିଲା।
ଜେଜି ନାତୁଣୀ ମିଶି ତାଙ୍କ ବାଡି ବଗିଚାକୁ ଗଲେ।
ବଗିଚାରେ ନାନା ରକମର ସୁନ୍ଦର ସୁନ୍ଦର ଫୁଲ ଫୁଟିଥିଲା। ରଙ୍ଗ ବି ଭଳିକି ଭଳି ଥିଲା।ବଗିଚାଟି ଫୁଲଙ୍କ ପ୍ରାକୃତିକ ବାସନାରେ ମହମହ ବାସୁଥିଲା।ଅନେକ ମହୁମାଛି , ଭ୍ରମର , ପ୍ରଜାପତି ଏ ଫୁଲରୁ ସେ ଫୁଲକୁ ଚକ୍କର କାଟୁଥିଲେ,ମଧୁସଂଗ୍ରହ କରିବା ପାଇଁ।
ଜେଜିମା ଲିନାକୁ ପଚାରିଲେ ଆଛା ଲିନା କହିଲୁ।ପ୍ରକୃୃତିର ସବୁଠୁ ସୁନ୍ଦର, କୋମଳ ବାସ୍ନାମୟ ଓ ଆକର୍ଷକ ଜିନିଷଟି କଣ?
ଲିନା ଆଜି ଫୁଲ ବିଷୟରେ ଆଲୋଚନା ହେବ ବୋଲି ଆଗରୁ ଜାଣିଥିଲା ତେଣୁ ତୁରନ୍ତ ଉତ୍ତର ଦେଇଦେଲା ଫୁଲ ବୋଲି।
ଜେଜି କହିଲେ ଠିକ୍ କହିଲୁ।
ଫୁଲକୁ ସଭିଏଁ ଭଲ ପାଆନ୍ତି।ନୃଶଂସ ମଣିଷଟିଏର ମନ ଭିତରେ ମଧ୍ୟ ପୁଷ୍ପ ପ୍ରତି ଦୁର୍ବଳତା ଥାଏ।ଏମିତିକି ପଶୁ ପକ୍ଷୀ କୀଟ ପତଙ୍ଗ ବି ପୁଷ୍ପ ପ୍ରତି ଆକର୍ଷିତ ହେଇ ଆସନ୍ତି।
ଫୁଲ ହେଉଛି ସମ୍ଭାବନାର ଏକ ସଂକେତ।ଗଛରେ ଯେତେ ମାତ୍ରାରେ ଫୁଲ ଫୁଟିବ,ଆମେ ସେମିତି ଫଳ ହେବାର ଆଶାୟୀ ହେଇଥାଉ।ଅନେକ ଫୁଲ କେବଳ ଫଳ ହେବାପାଇଁ ଆମେ ଅପେକ୍ଷା କରୁ।ଯେମିତି ଫସଲ ମାନଙ୍କ ଫୁଲ।ଫଳଗଛ ମାନଙ୍କର ଫୁଲ।ଆମେ ସେମାନଙ୍କୁ ତୋଳି ନଷ୍ଟ କରୁନି।
ଆଛା ଆଉ ଏକ ପ୍ରଶ୍ନର ଉତ୍ତର ଦେ ଫୁଲ ମାନେ ଆମର କୋଉ କୋଉ କାମରେ ବ୍ୟବହାର ହୁଅନ୍ତି?
ଲିନା ଉତ୍ତର ରେ କହିଲା।ପ୍ରଥମେ ତ ଆମେ ଭଗବାନଙ୍କ ପୂଜାପାଇଁ ବ୍ୟବହାର କରୁ।ଦ୍ବିତୀୟରେ ବିବାହ,ବ୍ରତ,ସାହିତ୍ୟଉତ୍ସବ,କିଛିବି ପୂଜା,ପେଣ୍ଡାଲର ସାଜସଜ୍ଜାପାଇଁ ବ୍ୟବହାର କରୁ।
ତୃତୀୟରେ ବର କନ୍ୟା ପରସ୍ପରକୁ ଫୁଲହାର ବା ବରଣମାଳ ଦେଇ ବିବାହ କରନ୍ତି।
ଚତୁର୍ଥରେ, କୌଣସି ବି ଅତିଥି କି ନେତା ଆସିଲେ ଆମେ ଫୁଲମାଳ ବା ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରୁ।
ପଞ୍ଚମରେ କେହି ମରିଗଲେ ତା ଶବକୁ ମାନ୍ୟ ବା ସମ୍ମାନ ଦେବାପାଇଁ ଆମେ ଏହି ଫୁଲକୁ ଚଢାଉ।ଫୁଲ ଆମପାଇ,ଏକ ଶୁଦ୍ଧ ଓ ସବୁଠୁ ସୁନ୍ଦର ଉପହାର ପ୍ରକୃତି ତରଫରୁ।ବଡରୁ ବଡ ଧନୀ ବା ଜ୍ଞାନୀ ଲୋକ ଫୁଲଟେ ଉପହାର ପାଇ ଖୁସି ହେଇଯାନ୍ତି।
ଷଷ୍ଠରେ ,ଅନେକ ପ୍ରକାର ଫୁଲକୁ ଆମେ ତରକାରି ରୂପେ ବ୍ୟବହାର କରି ଖାଇଥାଉ। ଯେପରି କଖାରୁ ଫୁଲ ସଜନା ଫୁଲ ଅଗସ୍ତି ଫୁଲ,ଗିରେଲ ଫୁଲ।ନିମ୍ବ ଫୁଲ ,ଫୁଲ କୋବି ବ୍ରୋକୋଲି ଆଦି।
ସପ୍ତମରେ ,ବାସନା ଯୁକ୍ତ ,ଫୁଲଙ୍କୁ ସିଝାଇ ନାନା ପ୍ରକାର ସେଣ୍ଟ ବା ଅତର ତିଆରି ହୁଏ।ରଜନୀଗନ୍ଧା,ହିନା, ଯୁଇ, ଜାଇ ରାତିରାଣୀ କିଆ,ସ୍ବର୍ଣଚମ୍ପା ଏମିତି ଅନେକ ଫୁଲ ଏଥିପାଇଁ ବ୍ୟବହୃତ ହେଇଥାଏ।
ଅନେଆ ଫୁଲ ଦେହରୁ ରଙ୍ଗ ବି ବାହାରି ଥାଏ।
ଫୁଲ ଏକ ଉତ୍ତେଜକ ବା ରୋମାଣ୍ଟିକ ଜିନିଷ ରୂପେ କାମ କରେ।ପୁରାଣରେ ବର୍ଣ୍ଣିତ ଅଛି କାମଦେବଙ୍କ କାମଶରରେ ପଞ୍ଚପୁଷ୍ପ ଖଚିତ ହେଇ ଥାଏ।ଯାହାର ପ୍ରଭାବରେ ଜଣକର ରୋମାଣ୍ଟିକ ବା କାମ ଭାବ ଉତ୍ପର୍ଣ ହୁଏ।
ଶେଷରେ ଫୁଲକୁ ବଡ ଲୋକଙ୍କ ସ୍ବାଗତ ପାଇଁ ରାସ୍ତାରେ ବିଛେଇ ଦିଆଯାଏ।ତାକୁ ମାଡି ମାଡି ଅତିଥି ଆସନ୍ତି।ସେନା ମାନଙ୍କ ରାସ୍ତାରେ ମଧ୍ୟ ଫୁଲ ବିଛେଇ ଯୁଦ୍ଧ ଯାତ୍ରା ପାଇଁ ପଠାନ୍ତି।ଯିଏ ବୀରଗତିକୁ ପ୍ରାପ୍ତ ହୁଏ ତା ଉପରେ ବି ଫୁଲ ବର୍ଷା କରାଯାଏ।
ଅନେକ ଫୁଲ ଫଳ ଶସ୍ୟ ଦେବା ପାଇଁ ସୃଷ୍ଟି ହୁଅନ୍ତି।ଅନେକ ଫୁଲର ଔଷଧ ଗୁଣ ରହିଛି ନିମ୍ବ ମନ୍ଦାର ତୁଳସୀ ଆହୁରି କେତେ।
ଏବେ ଆସେ କେତେ ପ୍ରକାର ଫୁଲର ନାଆଁ ଜଣିବା।ଆମ ଜାଣିବାରେ ତ ପ୍ରାୟ ଗଛରେ ଫୁଲ ଫୁଟେ।ଏଇ କେତୋଟି ସୋ ଗଛରେ ଖାଲି ଫୁଲ ହୁଏ ନାହିଁ।
ଅନେକ ବଡବଡ ଗଛ ରହିଛି ଯା ର ଫୁଲ ବି ପୂଜାରେ ବ୍ୟବହାର ହୁଏ। ଯେମିତି ନାଗେଶ୍ବର,କଦମ୍ବ ସ୍ଵର୍ଣ୍ଣଚମ୍ପା,ଚମ୍ପାକଢି, କନିଅର,ଟଗର,ଏପରି ଅନେକ।ଅନେକ ବୁଦାଳିଆ ଗଛରେ ଫୁଲ ହୁଏ ଯେମିତି ମନ୍ଦାର, ସୁଗନ୍ଧରାଜ ସେଫାଳି, ଗୋଲାପ,କନିଅର ,କାଠଚମ୍ପା,ମଲ୍ଲୀ ଯୁଇ ରାତିରାଣୀ,ଜାଇ,ହେନା,ମାଳତି, କିଆ,ଅଶୋକ,ରଙ୍ଗଣୀ ଆଉ ଅନେକ ପ୍ରକାର।ଛୋଟ ଛୋଟ ଘାସ ଜାତୀୟ ବି ଥାଆନ୍ତି,ଯେମିତି ରଜନିଗନ୍ଧା,ବିଭିନ୍ନ ପ୍ରକାର ଲିଲିଫୁଲ,ଗେଣ୍ଡୁ।ଗୋଡିବାଣ।ହରଗୌରା,କେଦାର,
ସେବତୀ,କେତକୀ,କାମିନୀ, ବାରମାସି,ଟେବୁଲ ଗୋଲାପ ଟିଉଲିପ୍,ଅର୍ଚିଡ, ଆଉ କେତେ ପ୍ରକାର।
ଜଳ ଭିତରେ ଅନେକ ଜଳଜ ଫୁଲ ଫୁଟେ।ବିଶେଷଥଃ କଇଁ ନାନା ରଙ୍ଗରେ ମିଳିଥାଏ।
ସେମିତି ପଦ୍ମଫୁଲବି ବିଭିନ୍ଳ ରଙ୍ଗ ଓ କିସମର ମିଳେ।ଅଷ୍ଟଦଳ ଓ ହଜାର ଦଳପଦ୍ମ।ଯାହା ଦେବାଦେବୀଙ୍କ ଅତିପ୍ରିୟ ବୋଲି ପୁରାଣ କହିଛି।
ସବୁ ଶସ୍ୟଗଛରେ ଫୁଲ ହୁଏ ବୋଲି ଶସ୍ୟଦାନା ହୁଏ।ସେମିତି ଫଳ ଗଛରେ ବି ଫୁଲ ହେଲାପରେ ଫଳ ହୁଏ।ମହୁଲ ବି ଏକ ଫୁଲ।ଯାହାକୁ ସିଝାଇ ମଦ ବାହାରେ।
ଫୁଲମାନଙ୍କୁ ତ ଆମେ ଆମ ଦରକାର ଅନୁଯାୟୀ ବ୍ୟବହାର କରୁ ହେଲେ ସେ କଣ ଚାହେଁ କେବେ ଭାବୁନା।କବି ମାଖନଲାଲ ଚତୁର୍ବେଦୀଙ୍କ କବିତା ପୁଷ୍ପ କା ଅଭିଳାଷାରେ କହିଛନ୍ତି।
ଚାହୁଁନା କିସି ସୁରବାଲା କେ ଗହନୋ ମେଁ ଗୁଁଥା ଯାଉଁ
ଚାହୁଁ ନାଁ କିସି ମନ୍ଦିର ମେଁ ଚଢୁ, ପ୍ରେମିକା କୋ ଲଲଚାଉଁ। ମୁଝେ ତୋଡ ଲେନା ଓ ବନମାଲୀ ଉସ୍ ପଥ୍ପର୍ ଦେନା ଫେକ୍।
ମାତୃଭୂମିକୋ ଶିଶ୍ ଚଢାନେ ଜିସ୍ ପଥ୍ ଯାଏଁ ବୀର ଅନେକ।
ଏ କବିତାରେ ଫୁଲ ଚାହୁନି କୌଣସି ମନ୍ଦିରରେ ଭଗବାନଙ୍କ ମସ୍ତକରେ ଚଢିବା ପାଇଁ।କୋଣସି ପ୍ରେମୀର ଉପହାର ହେଇ ପ୍ରେମିକାକୁ ଆକର୍ଷିତ କରିବାକୁ ବି ତାର ଅଭିଳାଷା ନାହିଁ।କୋଣସି ଦେବ ବାଳା ଅପ୍ସରାର ଦେହର ଗହଣା ହେଇ ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ବି ତାର ଟିକିଏ ଆଗ୍ରହ ନାହିଁ।
ସେ କେବଳ ଏତିକି ଚାହେଁ ଜନ୍ମଭୂମିର ରକ୍ଷାପାଇଁ ଯେତେବେଳେ ବୀରମାନେ ଲଢିବାକୁ ଯିବେ ତାଙ୍କ ଯିବା ପଥରେ ତାକୁ ତୋଳି ସଜାଇଦେବ।ତାଉପରେ ଚାଲିଗଲା ବେଳେ ତାଙ୍କ ପାଦକୁ ଟିକିଏ ଆରାମ ମିଳିବ।ଏଠି ଫୁଲ କେତେ ମହତ୍ ଉଦ୍ଦଶ୍ୟ ରଖିଛି।ସେ ନିଜ ଜୀବନର ପ୍ରତି ବଦଳରେ ଦେଶ ହିତରେ ନିଜକୁ ସମର୍ପିତ କରିବାକୁ ଚାହୁଁଛି।ଭାରତର ବୀର ଯବାନ ମାନେ କଣ୍ଟା ଝଣ୍ଟା ଗରମ ବରଫରେ ଚାଲିକି ଗଲାବେଳେ ତାଙ୍କ ପାଦ ଖଣ୍ଡିଆ ହେଇ ଯାଏ ତାକୁ ଯଦି ରାସ୍ତାରେ ଭଗବାନ ବିଛେଇ ଦେବେ ତାହେଲେ ସୈନିକମାନଙ୍କ ପାଦରେ କଷ୍ଟ ହେବ ନାହିଁ ଓ ସେମାନେ ଅଧିକ ଶକ୍ତିରେ ଲଢି ପାରିବେ । ଭାରତ ମାଆର ଇଜ୍ଜତ ବଞ୍ଚାଇ ପାରିବେ।
ମୋ ମତରେ ତ ଫୁଲଟି ଗଛରେହିଁ ଫୁଟିରହି ନିଜ ସୌନ୍ଦର୍ଯ୍ୟ ବାଣ୍ଟିବାକୁ ବେଶି ପସନ୍ଦ କରୁଥିବ। ନିଜର ବଂଶବୃଦ୍ଧି କରିବାକୁ ଚାହୁଁଥିବ ଅନ୍ୟ ଫୁଲ ମାନଙ୍କ ପରି।ତେଣୁ ଦରକାରରୁ ଅଧିକ ଫୁଲ ତୋଳିବା ଭଲ ନୁହଁ। ପୂଜା ପାଇଁ ବା ଅନ୍ୟ କାମପାଇଁ କିଛି ତୋଳି ଗଛରେ ବି କିଛି ଛାଡିଦେବା କଥା।ଫୁଲ ହେଉଛି ଗଛମାନଙ୍କର ସନ୍ତାନ। ଆମର ସନ୍ତାନଙ୍କୁ ଯଦି ଜଣେ ସମୂଳେ ନଷ୍ଟ କରିଦେବ ଆମକୁ କଷ୍ଟ ହେବକି ନାହିଁ?
କିଛି ଫୁଲ ଛାଡିଦେଲେ ସେବି ମାତୃତ୍ୟର ସୁଖ ନେଇ ପାରିବ।ଫୁଲ ପବନରେ ଦୋଳି ଖେଲିଲା ବେଳେ ତା ମନରେ ସନ୍ତାନକୁ ଦେଖି ଖୁସି ଲାଗିବ।ପୁଣି ସେ ଫୁଲରୁ ଫଳଟେ ହେଲେ ତା ମଞ୍ଜିରୁ ନୂଆଁ ଗଛଟେ ହେବାର ସମ୍ଭାବନା ରହିବ ତାମନରେ।ଆଉ ପୁରା ଲାଣ୍ଡି କରିଦେଲେ ସେ ସନ୍ତାନହୀନର ଦୁଃଖ ଭୋଗୁଥିବ ନିଶ୍ଚୟ।
ଏବେ ଫୁଲ ଆମକୁ କଣ ଶିକ୍ଷା ଦିଏ ଜାଣିବା।
ଫୁଲ କାହାକୁ ପାତର ଅନ୍ତର କରେ ନାହିଁ।ସେ ମଣିଷ ହେଉ ମହୁମାଛି ହେଉ ବା ଭ୍ରମର କେହି ପ୍ରଜାପତି ହେଉ କାହାକୁ ମନା କରେ ନାହିଁ ତାର ରସ ନେବା ପାଇଁ,ବା ତା ସୌନ୍ଦର୍ଯ୍ୟରେ ମୋହିତ ହେବାପାଇଁ।ତାର ମିଠାରସ ନେଇ ମହୁ ତିଆରି ହୁଏ।ଏହା ଔଷଧ ରୁପେ ବ୍ୟବହାର ହୁଏ।କଫ ସିରପ୍ ମାନଙ୍କରେ ଏହା ରହିଥାଏ।କାଶ ପାଇଁ ଏହା ଭଲ କାମକରେ।ମେଦ କମାଇବା ପାଇଁ ବି କାମ ଦେଇଥାଏ।ପ୍ରାୟ ଭାଗ ଔଷଧରେ ମହୁ ଦରକାର ପଡିଥାଏ।
ଫୁଲ ଆମକୁ ତାପରି କୋମଳ ସୁଗନ୍ଧ ଯୁକ୍ତ ହେବାକୁ ପ୍ରେରଣା ଦିଏ।
ଯେଉଁ ଫୁଲ ରାତିରେ ଫୁଟେ ପ୍ରାୟତଃ ଧଳା ହେଇଥାଏ।କାରଣ ଚନ୍ଦ୍ରର ଶୁଭ୍ର ଜ୍ୟୋତ୍ସାର ରଙ୍ଗ ଆଣେ।ଆଉ ଦିନରେ ଯିଏ ଫୁଟେ ସେ ସୂର୍ଯ୍ୟଙ୍କ ସାତ ରଙ୍ଗରୁ କିଛି ଟାଣି ଆଣିଥାଏ।ଏଥିରୁ ଆମେ କଣ ଶିିଖିଲେ ଯେତେବେଳେ ଯାହା ମିଳିବ ସେଥିରେ ଚଳିବା କଥା ।
ଫୁଲଟିଏ ଝଡିବା ଆଗରୁ ନିଜର ବାସନା ବିତରି ଯାଏ।ତାପରେ ଝଡିଗଲେବି ତାର ଦୁଃଖ ନାହିଁ।
ପୁଣି ନୂତନ ଆଗ୍ରହ ନୂତନ ସ୍ପୃହା ନେଇ ସେ ଜାଗାରେ ଆଉ ଏକ ଫୁଲହେଇ କଅଁଳିଆସେ।ଆଭା ଏହାର ଏହି ଧୈର୍ଯ୍ୟ ଗୁଣ ଶିଖିବାର ଅଛି।କିଛି ଅଘଟଣ ଘଟିଲେ ଭାଙ୍ଗିପଡିବା ନାହିଁ।ପୁଣି ଥରେ ନୂତନ ଆଶାନେଇ ନିଜକୁ ସମ୍ଭାଳି ନେବା।ମରିବା ଆଗରୁ ଆମ ଭିତରେ ଯେତେେ ଭଲଗୁଣ ଅଛି ଫୁଲର ବାସ୍ନାପରି ବିତରି ଦେବା ଅନ୍ୟ ମାନଙ୍କ ପାଖରେ।ଫୁଲ ଯେମିତି ହସହସ ରହି ଅନ୍ୟ ମନରେ ସୁଖ ଦିଏ।ଆମେବି ଅନ୍ୟ ମୁହଁରେ ହସ ଫୁଟାଇବାରେ ଲାଗିରହିବା।
ଫୁଲର ଜୀବନ କ୍ଷଣସ୍ଥାୟୀ।ମାତ୍ର ଗୋଟିଏ ରାତିର ଜୀବନ ତଥାପି ସେ କେତେ ଦର୍ଶକଙ୍କୁ ନିଜର ରଙ୍ଗ ସୁବାସରେ ଆକର୍ଷିତ କରି ତା ହୃଦୟର ଦୁଃଖକୁ କାଢିନିଏ।ମଣିଷ ପାଇଁ ବି ସେ କଥାଟି ପ୍ରଯୁୁଯ୍ୟ
ଲମ୍ବା ଜୀବନର ଆବଶ୍ୟକତା ନାହିଁ।ଅଳ୍ପ ଦିନ ପଛେ ବଞ୍ଚ ଅନ୍ୟକୁ କଷ୍ଟ ଦିଅ ନାହିିଁ।ଯେତିକି ପାରିବ ଅନ୍ୟକୁ ସାହାଯ୍ୟ କର ସେଇ ଅଳ୍ପ ଦିନରେ।ସଭିଙ୍କୁ ଆପଣାର କର, ମିଠା ମିଠା କଥା କୁହ।ଦେଖିବ ତାଙ୍କ ହୃଦୟରେ ତୁମେ ସବୁଦିନ ପାଇଁ ଅମର ରହିବ। ଆସ ଏବେ ସଭିଏଁ ଫୁଲ ପରି ହେବା।
ଲିନା ଜେଜି ଠାରୁ ଏତେ କଥା ମନମୁଗ୍ଧ ହେଇ ଶୁଣୁଥିଲା।ସେ ଭାବୁଥିଲା ଏବେ ସାଙ୍ଗ ମାନଙ୍କ ସହ ଝଗଡା କରିବ ନାହିଁ।ସମସ୍ତଙ୍କ ସହ ମିଠା ମିଠା କଥାହେବ।
