Nityananda Sahu

Inspirational

4.4  

Nityananda Sahu

Inspirational

ଫୁଲ ଚନ୍ଦନ

ଫୁଲ ଚନ୍ଦନ

15 mins
387



ଷ୍ଟେସନାରୀ ଦୋକାନ ସମ୍ନାରେ ଅନେକ ଗହଳି । ରାତି ପାହିଲେ ସାବିତ୍ରୀ ଓଷା । ସହର ର ଗଳି କନ୍ଦିରୁ ବିବାହିତା ମହିଳା ମାନେ ଆସି ଓଷା ସାମଗ୍ରୀ କିଣିବାରେ ବ୍ୟସ୍ତ ଅଛନ୍ତି । ଦେହରେ ପିନ୍ଧିଥିବା ଛିଣ୍ଡା ଚିରା ପୋଷାକକୁ ଦେଖି ଚନ୍ଦନ (ଚନ୍ଦୁ)ଆଜି ଭୟ କରୁଛି ଦୋକାନ ଭିତରକୁ ଯିବା ପାଇଁ ! କିଛି ସ୍ତ୍ରୀ ଲୋକ ତାକୁ ଦେଖି ନାକ ଟେକିଲେଣି । ତଥାପି ଯିବାକୁ ପଡ଼ିବ। ତାର' ଫୁଲ ପାଇଁ । ସେ କାଲି ସଜ ହେବ , ପାଦରେ ଅଳତା, ହାତରେ ମେହେନ୍ଦୀ ଲଗେଇବ। କେତେ କ'ଣ କିଣା କିଣି କରିବାକୁ ପଡିବ। କାନ୍ଧରେ ପଡିଥିବା ବ୍ୟାଗ ରୁ ଅଣ୍ଡାଳି ପୁଟୁଳି ଟିଏ କାଢ଼ିଲା ଚନ୍ଦୁ। କଣ କରିବ? ଭିତରେ ଗହଳି ଥିବାର ଜଣାପଡୁଛି। କେହି କେହି ଦୋକାନ ଛାଡି ଯିବା ପାଇଁ ପାଟି କରୁଛନ୍ତି। ଆଉ କେତେ ଜଣ ମୁଣିରୁ ଟଙ୍କିକିଆ , ପାଞ୍ଚ ଟଙ୍କିଆ ତା ହାତର ଡାଲାକୁ ପକାଇ ଚାଲିଯିବାକୁ ତାଗିଦ କରୁଛନ୍ତି । ହେଲେ ସବୁ ଶୁଣି ସେ ସେମିତି ପଥର ହୋଇ ଠିଆ ହୋଇଛି। ଯେମିତି ହେଲେ ତାକୁ କିଣି ନେଇକି ଯିବା ପାଇଁ ହେବ । ବହୁତ କଷ୍ଟ କରି ସେ ଆସିଛି।

  କିଛି ବାବୁ, ଆଉ ବାବୁଆଣୀ ଦୋକାନୀକୁ ଦେଖାଇ କହିଲେଣି, ଏ ଅନ୍ଧକୁ ଏଠୁ ବିଦା କର । ଦେଖୁଛ ନା' ନାଇ କେମିତି ଦୂର୍ଗନ୍ଧ ତା' ଦେହରୁ ବାହାରୁଛି। ତୁମେ ଯଦି ଅନ୍ଧକୁ ବିଦା ନ କରିବ , ଆମେ ସବୁ ଏଠୁ ଚାଲିଯିବୁ । ଗରାଖ ମାନଙ୍କର ଏମିତି ଆକ୍ଷେପ ଶୁଣି ଦୋକାନୀ ବିରକ୍ତ ହୋଇ ବାହାରକୁ ଆସି କହିଲା .....ଆରେ ବାବୁ ମାନେ ତ ଯିଏ ଯାହା ଦେବାର ଥିଲା ଦେଲେ , ଆଉ କଣ ପାଇଁ ଏଠି ଠିଆ ହେଇଛୁ । ଯା' ଚାଲି ଯାଅ ଏଥର ? ...ଥରି ଥରି ଏଥର ଚନ୍ଦୁ କହିଲା , ମୋର କିଛି ଜିନିଷ କିଣିବାର ଅଛି । ତୁମେ ଦେଇ ଦେଲେ ମୁଁ ଚାଲିଯିବି ?


କଣ ତୁ ନେବୁ ?

ଦୋକାନୀର ପ୍ରଶ୍ନରେ ଏଥର ସାହାସ କରି ଚନ୍ଦୁ କହିଲା , ଅଳତା , ନଖ ପଲିସ, ମେହେନ୍ଦୀ , ଲିପଷ୍ଟିକ ,କୁକୁମ , ପାଉଁଡର , ଆଉ ଶଙ୍ଖା ,ସିନ୍ଦୁର । ଏତିକି ଦେଇ ଦେଲେ ମୁଁ ନେଇ ଚାଲିଯିବି। 


ହେଲେ ତୋର ଏ ସବୁ କଣ ହେବ ?

ମୋର କଣ ଦରକାର ହେବ, ତୁମେ ଜାଣି କଣ ପାଇବ ? ଏଇ ଟଙ୍କା ନିଅ ଆଉ କହିବା ମୁତାବକ ଜିନିଷ ଦିଅ । ତେଣେ ମୋର ବହୁତ କାମ ଅଛି !

ଗହଳି ଭିତରୁ କେହି ଜଣେ କହିଲା , ହଁ ହଁ ସେ ଶ....ଟା ର ବହୁତ କାମ ଅଛି । ତାର ଅଫିସ ଡେରି ହେଇ ଯାଉଛି ତ ? ତାକୁ ଆଗ ଦିଅ, ସେ ନେଇକି ଯାଉ । ଶ.... ଅନ୍ଧ କେଉଁଠିକାର । ଭିକ ମାଗିବା ଛଡା ତାର ଫୁଣି ଆଉ କେତେ କାମ ଅଛି କହିଲା ?

.....ଆଉ କେହି ଜଣେ ଭିଡ଼ ଭିତରୁ କଥା ଧରି କହିଲା , ଆରେ ଏ ଅନ୍ଧ ର ଫୁଣି ଏ ସବୁ କଣ ହେବ ,ପଚାର ପଚାର । କିଏ ଆଉ ଏ ଅନ୍ଧ ର ପସନ୍ଦ ହୋଇ ଗଲା କି ? ତା' କଥା ଶୁଣି ଅନ୍ୟ ମାନେ ହସି ଉଠିଲେ।


ଦୋକାନୀ ଜଣକ ଏଥର ଉପସ୍ଥିତ ଗରାଖକୁ ଜବାବ ଦେଲେ, ସେ ବିଚରା ସହିତ ଲାଗି ଆମକୁ ବା କଣ ମିଳିବ, ତାକୁ ତା' ଜିନିଷ ଦେଇ ବିଦା କରିଦେଲେ କଥା ସରିଲା। 

   ଡେରି ନ କରି ଗରାଖଙ୍କର ଭିଡକୁ ଦେଖି ଦୋକାନୀ ଚନ୍ଦୁ କହିବା ମୁତାବକ ସବୁ ସାମଗ୍ରୀ ଗୋଟେ ପଲିଥିନ ଜରିରେ ଭର୍ତ୍ତି କରି, ଅବଶିଷ୍ଟ ଟଙ୍କା ସହ ତା'ର ହାତକୁ ବଢ଼ାଇ ଦେଲା । ଚନ୍ଦୁ ତରତର ହୋଇ ସବୁ ଜିନିଷ କୁ ନେଇ ତାର କାନ୍ଧରେ ଝୁଲୁଥିବା ମୁଣି ବ୍ୟାଗରେ ପୁରାଇ ଦେଲା।

    ଏଥର ଏକା ମୁହଁରେ , ବାସ ଷ୍ଟାଣ୍ଡ ରାସ୍ତା କଡ଼ ଦେଇ ଲୁଗା ଦୋକାନ ଆଡେ ଚାଲିଲା । ମନେ ମନେ ଜପି ହେଉଥାଏ ....

      ସୁଖ ତୁ ନ ଦେଲୁ ନାହିଁ କାଳିଆ ସୁନା

       ହାତ ମୁଁ ପତେଇ ତତେ ମାଗିବି କିଆଁ

       ଲୁହ ମୋ ଓଠ ପିଇଲେ , ତତେ କି ଯାଏ

       ତୋ ନାମ ଜପିଲେ ପେଟ ଦାନା ମୋ ପାଏ ।।

       ମୋ ଦୁଃଖରୁ ତତେ କି ଆସେ ଯାଏଁ ....

        ମୋ ଦୁଃଖରୁ ତତେ କି ଆସେ ଯାଏଁ ....


ଏଥର ଧୀରେ ଧୀରେ ଲୁଗା ଦୋକାନ ପାହାଚ ଉପରକୁ ବାଡ଼ି ମାରି ଉଠିଲା ବେଳକୁ , ଦୋକାନ ରେ କାମ କରୁଥିବା କର୍ମଚାରୀ ଜଣକ ଦୌଡ଼ି ଆସି ଗାଳି କରିବାକୁ ଲାଗିଲା ....

     ରାସ୍ତା ଘାଟ ତତେ କିଛି ଜଣା ପଡୁନି କି ? କୁଆଡେ ପଶି ଆସୁଛୁ ।

ଯା , ଏଠୁ ପଳା ! ଯିବୁ ନା ଏଠୁ ଦେଖିବୁ ଏଇନା ? ବାବୁ ଦେଖିଲେ ରାଗିବେ।

-------- ବାବୁ , ବାବୁ ଟିକେ ଶୁଣ !

---------କଣ କହୁଛୁ , ଏଇ ନେ ପାଞ୍ଚ ଟଙ୍କା ଯା ଚାଲି ଯାଅ । ଆଜି ସାବିତ୍ରୀ ବଜାରରେ ଏତେ ଭିଡ଼ ଭିତରେ ,ତୁ ଆଉ ଦୋକାନରେ ପଶି ବେପାର ମାନ୍ଦା କରେନି। ଯା" ପଳା ଏଠୁ ?

--------ବାବୁ , ଏଇ ନିଅନ୍ତୁ ଟଙ୍କା । ଗୋଟେ ହଳଦିଆ ପାଟ ଶାଢ଼ୀ ଟେ ଦେବୁ । ଏତକ କହି ଦୋକାନୀ ହାତକୁ ଚନ୍ଦୁ ଟଙ୍କା ବଢ଼ାଇ ଦେବାରୁ , ଦୋକାନୀ ଏତେ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇ ଭାବିଲା , ଏ ଅନ୍ଧ ର ପାଟ ଶାଢ଼ୀ ଫୁଣି କଣ ହେବ । ଏତକ ଭାବି ମୁହେଁ ମୁହେଁ ମନା କରି ଦେଲା । ପାଟ ଶାଢ଼ୀ ସବୁ ସରି ଗଲାଣି । ତୁ ଏଥର ଯାଅ ।

---------ବାବୁ ଏ ଅନ୍ଧ ଉପରେ ଦୟାକର ! ବହୁତ କଷ୍ଟ ରେ ଆସିଛି। ଶାଢ଼ୀ ଦେଇ ଦେଲେ ମୁଁ ଚାଲିଯିବି । ଆପଣ କହିବେ ଯଦି ମୁଁ ଏଇ କଡ଼ରେ ଠିଆ ହୋଇଛି। ଭିତରକୁ ବି ଯିବି ନାହିଁ ! ଦୟାକରନ୍ତୁ ବାବୁ ।

କର୍ମଚାରୀ ଜଣଙ୍କ ଦୋକାନ ମାଲିକ କୁ କହିବାରୁ , ମାଲିକ କଣ ଭାବିଲା କେଜାଣି ଆସି ଦେଖେ ତ , ଚନ୍ଦୁ କୁ ଦେଖି ଚିହ୍ନି ପାରିଲା । କାହିଁକି ନା ଜଗନ୍ନାଥ ମନ୍ଦିରରେ ପ୍ରତି ସୋମବାର ଆଉ ଶନିବାର ଦିନ ଭଜନ ସନ୍ଧ୍ୟା ରେ ଚନ୍ଦୁ ଚମତ୍କାର ଗୀତ ପରିବେଷଣ କରି ସମସ୍ତଙ୍କୁ ମୁଗ୍ଧ କରି ଦିଏ । ଆଉ ଚନ୍ଦୁର କଣ୍ଠ ସ୍ୱର ର ଭଜନ ଦୋକାନୀର ଭାରି ପସନ୍ଦ। ସେଥିପାଇଁ ଭଜନ ପରିବେଷଣ ସରିଲା ପରେ ଚନ୍ଦୁର ହାତକୁ ପ୍ରତିଥର ଶହେ ଟଙ୍କା ଖଣ୍ଡେ ଗୁଞ୍ଜିଦେଇ ସାବାସୀ ଦେଇ ସବୁ ଦିନ ଆସନ୍ତି । ଏଥର ଦୋକାନୀ ଜଣଙ୍କ ଚନ୍ଦୁ ପାଖକୁ ଆସି ପଚାରିଲା , ଆରେ ଚନ୍ଦୁ, ତୋର ଶାଢ଼ୀ କଣ ହେବ ?

କିଏ ପଣ୍ଡା ବାବୁ କି , ଜୁଆର । ନାଇ , ମାନେ .....?

ଆରେ କଣ ଏତେ ନାଇ, ମାନେ ହେଉଛୁ । ସତ କଣ ମତେ କହିବୁ ନାହିଁ ?

ସେ କଥା କଣ କି ବାବୁ, ଫୁଲ ଆଉ ମୁଁ ମିଶି ସ୍ଥିର କରିଛୁ ଘର ସଂସାର କରିବୁ। ଆଉ କାଲି ସାବିତ୍ରୀ । ସେଥିପାଇଁ ଆମର ତ କେହି ନାହାନ୍ତି। ଦୁହେଁ ଭାବିଲୁ ଏତେ ବଡ଼ ଦିନରେ ଆମେ ଦୁହେଁ ବିହା ହୋଇଯିବୁ। ଆଉ ଆଜି ସେଥିପାଇଁ .....?

ଓଃ, କଥା ତା" ହେଲେ ଏମିତି । ଶାଢ଼ୀ ମୁଁ ଦେବି କିନ୍ତୁ...... ?

-------ଦୋକାନୀର କଥା ଅଧାରୁ ଧରି ନେଇ ଚନ୍ଦୁ କହିଲା ବାବୁ, ଟଙ୍କା କଣ ଊଣା ହେଲା କି । ଫୁଲ କାହାକୁ ପଚାରି ବୁଝିଥିଲା ଯେ ଶାଢ଼ୀ ଦୁଇ ହଜାର ରେ ହେଇଯିବ ।ଆଜି ଯାଏଁ ଯାହା ମାଗିବାରେ ମିଳିଥିଲା , ସବୁ ତାକ ମିଶେଇ ସର୍ବମୋଟ ଦୁଇ, ତିନି ହଜାର ହୋଇଗଲା। ମୁଁ ତ ମୂର୍ଖ ବାବୁ । ସେ କଣ ପାଠ ଦି ଅକ୍ଷର ଜାଣିଚି । ଯଦି ଗଣତି ରେ ଭୂଲ ହୋଇଥିବ ବାବୁ , ବାକି ଆଉ କେତେ ଟଙ୍କା ଦେବାକୁ ହେବ କୁହନ୍ତୁ , ମୁଁ କିଛି ଦିନ ଭିତରେ ଯୋଗାଡ଼ କରି ଆଣି ଦେଇ ଯିବି । ଭରଷା ରଖନ୍ତୁ।

--------ଆରେ ଚନ୍ଦୁ ଟଙ୍କା କଥା ଛାଡେ । ତୋ କଣ୍ଠରୁ ଭଜନ ଶୁଣିଲେ ମୋ ହୃଦୟକୁ ଶାନ୍ତି ମିଳେ । ସେଥିପାଇଁ ତୋ ବାହାଘରର ଭୋଜି ମୋ ତରଫରୁ ଉପହାର । ବୁଝିଲୁ ତ !

--------କିନ୍ତୁ ବାବୁ । ଆପଣ ଧନୀ ଘର ଲୋକ । ମୁଁ ଛାର ମାମୁଲି ଅନ୍ଧ ଟିଏ । ଆପଣ ବା କାହିଁକି ଭୋଜି ଦେବେ ? ଆମ ଦୁହିଁଙ୍କ ପାଖରେ ଅବଶିଷ୍ଟ ଯାହା ଅଛି ତାକୁ ନେଇ ଆମର ଭାଇ ମାନଙ୍କ ମଧ୍ୟରେ ଛୋଟ ହେଲେ ବି ଭଲ ଖାଇବା ପିଇବା କରି ପାରିବୁ ।

----------ଆରେ ତୁ ଏମିତି କାହିଁକି ଭାବୁଛୁ। ତୁ, ମତେ ବହୁତ ଭଲ ଲାଗୁ। ସେଥିପାଇଁ ମୁଁ କହିଲି ?

----------ନାଇଁ ବାବୁ ,ଲୋକେ ଦେଖିଲେ , ଆପଣଙ୍କ ର ବଦାନ୍ୟ ବଦଳରେ ଆମର ଅସହାୟତା ଉପରେ ହସିବେ। ଆପଣଙ୍କୁ ଘରେ ମଧ୍ୟ ନାନା କଥା ଶୁଣିବାକୁ ପଡିବ। ଆପଣ ମନ୍ଦିର ଆସି ଆମକୁ ଆଶୀର୍ବାଦ କରିଲେ , ସେତିକି ରେ ଆମେ ଖୁସି ହେବୁ ।

-------ତତେ ଆଉ ମୁଁ ବାଧ୍ୟ କରି ପାରିବି ନାହିଁ । ଠିକ ଅଛି ତେବେ , ଏଇଠି ଥା " ମୁଁ ଶାଢ଼ୀ ନେଇ ଆସୁଛି ।

 କିଛି ସମୟ ପରେ ଦୋକାନୀ ଶାଢ଼ୀ ସାୟା , ବ୍ଳାଉଜ ଆଣି ଚନ୍ଦୁର ହାତକୁ ବଢ଼ାଇ ଦେଲା । ଧନ୍ୟବାଦ କହି ଆଗକୁ କଣ ବଢିବ , ଦୋକାନୀ କହିଲା , ଆରେ ଚନ୍ଦୁ ଟିକେ ଶୁଣ ତ ? ତୋ ଫୁଲ ପାଇଁ ତୁ ଶାଢ଼ୀ ନେଲୁ ହେଲେ ତୋ ପାଇଁ ? ବାବୁ , ମୋର ବା କଣ ଦରକାର। ଗତକାଲି କିଛି ସ୍ୱଛା ସେବୀ ଲୋକେ ଆସି ନିଜର ପିନ୍ଧା ଡ୍ରେସ ସବୁ ପୁରୁଣା ହେଲା ପରେ ଦାନ କରୁଥିଲେ ,ସେଇଥିରୁ ଖଣ୍ଡେ ଭଲ ମିଳିଛି ବୋଲି ଫୁଲ କହୁଥିଲା , ତାକୁ ପିନ୍ଧି ଦେବି ।

  ଆଛା ତା' ହେଲେ ଏମିତି କଥା । ହଉ ଏଇ ନେ , ଧୋତି ଆଉ ଗାମୁଛା ଖଣ୍ଡେ । ବାହାଘରରେ ଆଉ କଣ କାହାର ପୁରୁଣା ଡ୍ରେସ ପିନ୍ଧିବୁ। ମୋ ତରଫରୁ ତୋ ପାଇଁ ଉପହାର । କିନ୍ତୁ ବାବୁ .....! ଆରେ ଆଉ କଣ ଫୁଣି କିନ୍ତୁ ? ଯା " ଫୁଲ, ତୋର ଫେରିବା ବାଟକୁ ଚାହିଁ ରହିଥିବ । ଭଗବାନ ତୁମର ମଙ୍ଗଳ କରନ୍ତୁ ।ହାତ ଟେକି ମୁଣ୍ଡିଆ ମାରି ଚନ୍ଦୁ ଆଗକୁ ବଢ଼ିଲା।

 

   ସମସ୍ତ ଜିନିଷ ନିଜର କାନ୍ଧ ବ୍ୟାଗରେ ଭର୍ତ୍ତି କରି ଚନ୍ଦୁ ଖୁସି ମନରେ ଫେରୁଥାଏ ତାର ବାସ ଷ୍ଟାଣ୍ଡ କୁ ଲାଗି ରହିଥିବା ଝୁମ୍ପୁଡି ଘର ଅଭିମୁଖେ। ହଠାତେ କୁଆଡୁ ଅଦିନ ବର୍ଷା ପବନ ମାଡି ଆସିଲା । ଚନ୍ଦୁ ବାଡ଼ି ବାଡେଇ ବାଡେଇ ଗୋଟେ ବ୍ୟାଙ୍କ ଏଟିଏମ ବାରଣ୍ଡା ଉପରକୁ ଉଠିଗଲା । ଭିତରକୁ ଯିବା ପାଇଁ ସିକ୍ୟୁରିଟ ଅନୁମତି ଦେଲା ନାହିଁ। ବାହାରେ ବହୁତ ଜୋରରେ ବର୍ଷା ପବନ ହେଉଥାଏ। ଏପଟରେ ଚନ୍ଦୁ ବ୍ୟସ୍ତ ହେଇ ଯାଉଥାଏ ଫୁଲ କଥା ଭାବି । ସେ ଗଲେ ଦୁହେଁ ଘରକୁ ଫେରିଥାନ୍ତେ। ବସ ଷ୍ଟାଣ୍ଡ ର ସେଡି ଘର ତଳେ ଫେରିବ ବାଟକୁ ତାର ଚାହିଁ ରହିଥିବ ଫୁଲ  । ଏପଟରେ ଭୀଷଣ ବର୍ଷା । ଥମିବାର ନାଁ ନେଉ ନାହିଁ । କଣ ଯେ କରିବି ?

     ପବନ ବର୍ଷା ଛାଡିବାର ନା ନେଉ ନ ଥାଏ । ଏହା ଭିତରେ ଚନ୍ଦୁ ଅତୀତକୁ ଫେରି ଯାଉଥାଏ । ଆଉ ତାର ମନେ ପଡୁଥାଏ , ଫୁଲ ପାଇଁ ଆଜି ସେ କେମିତି ଏକ ନୂଆଁ ଜୀବନ ପାଇଛି। ଆଜି ବାପା ବୋଉ ଯଦି ପାଖରେ ଥାନ୍ତେ , ତେବେ ନିଶ୍ଚିତ ତା'ର ବାହାଘର ହେବାର ଦେଖି ଖୁସି ହୋଇ ଥାନ୍ତେ।

 ବର୍ଷା ଛିଟା ର କେଇ ବୁନ୍ଦା ଦେହରେ ପଡିଲା ପରେ , ଚନ୍ଦୁ ଶିହରି ଉଠିଛି ଦେହ ଭିତରେ । ସେ ଦିନ ଏମିତି ଏକ ବର୍ଷା ରାତିରେ ସେ ଗାଁ ଛାଡି ବସ ଯୋଗେ ସହର ଚାଲି ଆସିଥିଲା । ଅନ୍ଧ ଛୁଆ ଜନ୍ମ କରି ବୋଉ କୁଆଡେ ବଡ଼ ଭୂଲ କରି ଦେଇଛି ବୋଲି ବାପା ତାର କୁହେ। ଆଉ ବୋଉ ଉପରେ ରାଗିକି ଅତ୍ୟାଚର କରେ । ଏ ସବୁ ଚନ୍ଦୁ ଶୁଣିପାରୁଥିଲା ସିନା କିନ୍ତୁ କିଛି କରି ପାରୁ ନ ଥିଲା। ସେତେବେଳେ ବା ବୟସ ତାର କେତେ ହେବ , ହେଇ କି କୋଡିଏ ବର୍ଷ ପାଖା ପାଖି ହେବ । ବାପା ଉପରେ ରାଗ ଆସୁଥିଲେ ବି କିଛି କରି ପାରୁ ନ ଥାଏ ସେ। ବାପା ତାର ରିକ୍ସା ଟାଣେ ଆଉ ବୋଉ ତାର ପର ଘର ବୁଲି ପାଇଟି କାମ କରେ। ରିକ୍ସା ଟାଣି ବାପା ତାର ଯେତେବେଳେ ଘରକୁ ସନ୍ଧ୍ୟାରେ ଫେରେ, ଟାଙ୍କେ ଦେଶୀ ପିଇ ଦେଇ ଆସି ବୋଉକୁ ତାର ପିଟେ।  ଆଉ କୁହେ ତିନିଟା ଛୁଆ ଜନ୍ମ କଲୁ ଯେ , ସେଥିରୁ ଦୁଇଟା ଝିଅ ଆଉ ଗୋଟେ ଅନ୍ଧ ପୁଅ। ମୋ ଭାଗ୍ୟ ହିଁ ଖରାପ । ତୋ ପରି ମାଇକିନା କୁ ବାହା ହୋଇ। ଟୋକାଟା ଅନ୍ଧ ନ ହୋଇଥିଲେ , ଆଜି ରୋଜଗାର କରିଥାନ୍ତା। ଏ ଘର ଚଳେଇ ଥାନ୍ତା। ଖଟି ଖଟି ମୋ ଅଣ୍ଟା ନଇଁ ଗଲାଣି । ଶଳା ଟୋକାକୁ ଦେଖ ପେଟେ ପେଟେ ଖାଇ କେମିତି ଚେହେରା କାଢି ବସିଛି। ଏତକ ଶୁଣିବା ସହ ସେ କେତେ ଥର ଗୋଇଠା ମଧ୍ୟ ବାପା ଠାରୁ ତାର ଖାଇଛି। ତଥାପି ଚନ୍ଦନ ଚୁପ ରୁହେ। ଭାଗ୍ୟକୁ ଆଦରି କାନ୍ଦେ।ଥରେ ବୋଉକୁ ତାର କହିଲା ସେ ଭିକ ମାଗିବ । ହେଲେ ତା ବୋଉ ର ଏକା ଜିଦ, ମୁଁ ଥାଉ ଥାଉ ତୋ ପେଟ କଣ ଭୋକିଲା ରହିଯିବ ଯେ ,ତୁ ଭିକ ମାଗିବୁ। ଆଉ ଦିନେ ଏମିତି କଥା କହିବୁ ନାହିଁ ମତେ। ଦଇବ ର ଯୋଗ ବଡ଼ ବିଚିତ୍ର। ଗାଁରେ ଗୋଟେ ମାତ୍ର ଚାଳ ଘରେ ସମସ୍ତେ ରୁହନ୍ତି। ବାପା ତାର ମଦ ପିଇ ଦେଇ ସେ ଦିନ ରିକ୍ସାରେ ଶୋଇ ଥାଏ। ଚନ୍ଦୁ , ଆଉ ତାର ଦୁଇ ଭଉଣୀ ସହ ଚନ୍ଦୁର ବୋଉ ସମସ୍ତେ ଘର ଭିତରେ ଶୋଇଥାନ୍ତି। ସେ ଦିନ ସନ୍ଧ୍ୟା ରେ ବାପା ବୋଉଙ୍କ ର ଝଗଡା ବହୁତ ହୋଇଥାଏ। ବୋଉ ରାଗିକି ବାପାଙ୍କୁ ବହୁତ ଗାଳି କରିବା ସହ ଘର ଭିତରକୁ ଆସିବାକୁ ଦେଇ ନ ଥାଏ। ଆଉ ବାପାଙ୍କର ମଦ ବୋତଲକୁ ଛଡେଇ ଆଣି ଘର ଭିତରେ ରଖି ଦେଇ ଥାଏ। ରାତିରେ ଚନ୍ଦୁକୁ ପରିସ୍ରା ଲାଗିବାରୁ , ସେ ଆଉ କାହାକୁ ନ ଡାକି ଅଣ୍ଡାଳି ଅଣ୍ଡାଳି ଯିବା ବାଟରେ ଲଣ୍ଠନ ଦେହରେ ତାର ଗୋଡ଼ ବାଜିଯିବାରୁ ଲଣ୍ଠନ ପଡିଯିବା ସହ ତା ପାଖକୁ ଲାଗିକି ଥିବା ମଦ ବୋତଲ ମଧ୍ୟ ପଡ଼ିଯାଏ। ଚନ୍ଦୁର ବୋଉ ଗଭୀର ନିଦରେ ଶୋଇ ଥାଏ । ସେ ଆଉ ଏ ସବୁ କିଛି ଜାଣି ପାରେ ନାହିଁ । ଚନ୍ଦୁର ବି କବାଟ ଖୋଲି ବାହାରକୁ ପଳେଇ ଆସେ। କିଛି ସମୟ ପରେ ସେ ଯେତେବେଳେ ଘର ଆଡ଼କୁ ଯିବା ପାଇଁ ବାହାରେ , ହଠାତ ନିଆଁ ଧାସରେ ଚନ୍ଦୁ ର ଦେହକୁ ଗରମ ଅନୁଭବ ହୁଏ । ଭୟରେ ଡରି ପାଟି କରେ , ଚନ୍ଦନର ପାଟି ଶୁଣି ତା ବାପା ସହ ସାହି ପଡିଶା ଉଠିକି ଆସି ଦେଖିଲା ବେଳକୁ ଘରେ ନିଆଁ ଲାଗି ତାର ବୋଉ ସହ ଦୁଇ ଭଉଣୀ ପୋଡି ଦଗ୍ଧ ହୋଇ ଯାଇଛନ୍ତି। ସମସ୍ତେ ଚେଷ୍ଟା କରି ବିଫଳ ହେଲେ।

  ସକାଳୁ ଚନ୍ଦୁକୁ ରାଗରେ ତା ବାପା ବହୁତ ବାଡେଇଲା । ମୋ ପରିବାର ର ସର୍ବନାଶ କରି , ଆହୁରି ମୋ ପୁଅ ବୋଲି କହୁଛୁ କହି ପିଟି ପିଟି ଘରୁ ବାପା ତାର ବିଦା କରିଦେଲା। ସେଇ ଦିନଠାରୁ ଚନ୍ଦୁ ଗାଁ ଛାଡି ସହର ପଳେଇ ଆସିଥିଲା। ବସ ରୁ ଓଲ୍ଲାଇ କୁଆଡେ ଯିବ ,କିଛି ଭାବି ପାରୁ ନ ଥାଏ। ଦେହ ବି ତାର ଭିଜି ଯାଇଥାଏ। ବସ ଷ୍ଟାଣ୍ଡ ନିକଟରେ ସେମିତି ଗୋଟେ ଖୁମ୍ବ କୁ ଆଉଜି ନିଜର ଭାଗ୍ୟକୁ ଦୋଷ ଦେଇ କାନ୍ଦୁଥାଏ। ଠିକ ଏହି ସମୟରେ ପଛରୁ କାହାର ଡାକରେ ସେ ଚମକି ପଡିଥିଲା।

 ଆରେ ତୋର କଣ ହୋଇଛି ? କାନ୍ଦୁଛୁ କାହିଁକି !

------କିଛି ନାହିଁ , ତୁମେ ମୋର କିଏ କି ? ଯେ ମୋର କଣ ହୋଇଛି କହିବି !

--------,ମୁଁ ଫୁଲ , ଅବଶ୍ୟ ତୋର କେହି ନୁହେଁ । ହେଲେ ତୁ ଚାହିଁଲେ ମତେ ବିଶ୍ୱାସ କରି ସବୁ କହି ପାରିବୁ ?

-------ଆରମ୍ଭ ରୁ ଶେଷ ଯାଏଁ , ଯାହା ସବୁ ଘଟିଥିଲା ଗୋଟି ଗୋଟି କରି ଚନ୍ଦୁ ବର୍ଣ୍ଣନା କରି ଫୁଲ କୁ କହିଲା।

ଫୁଲ ସବୁ ଶୁଣି ସାରି କହିଲା , ଆରେ ଏଇ କଥା ପାଇଁ ତୁ ଏତେ ଭାବୁଛୁ। ହଉ ତେବେ ମୋ ସହ ଆସେ ?

--------ହେଲେ ମୁଁ କୁଆଡେ ଯିବି । ମୁଁ ଗୋଟେ ଅନ୍ଧ । ତୁମେ କାହିଁକି ମୋ ପାଇଁ ହଇରାଣ ହେବ ।ମୁଁ ଏଠି ଠିକ ଅଛି ।

------- ଆରେ ପାଗଳ । ତୁ ଏଠି ଠିକ ହିଁ ନାହୁଁ। ଆସେ ମୋ ଘରକୁ। ମୋର ବି କେହି ନାହାନ୍ତି। ଏଇ ବସ ଷ୍ଟାଣ୍ଡ ପଛରେ ମୋର ଛୋଟ କୁଡିଆ ଘର । ମୁଁ ଜନ୍ମରୁ ଛୋଟୀ । ଏଇଠି ଆସି ଭିକ ମାଗି ଚଳେ। ଏବେ ତୁ ଆସିଲୁଣି , ଦୁହେଁ ମିଶି ଏଇଠି ଭିକ ମାଗିବା ଆଉ ଏକାଠି ରହିବା।

--------ହେଲେ ଲୋକେ କଣ କହିବେ ?

-------କଣ କହିବେ ଲୋକେ ?

---------ତୁମେ ଝିଅ ଆଉ ମୁଁ ପୁଅ। ଦୁନିଆଁ ତ କହିବ ନା !

--------ଆରେ କିଏ କୁଆଡେ କାହାକୁ ନେଇ ପଳେଇ ଯାଉଛନ୍ତି। ଏଇ ବାସ ଷ୍ଟାଣ୍ଡରେ ରହି ମୁଁ ସବୁ ଦେଖୁଚି। ଯିଏ ଯାହା କହିଲେ ମୁଁ ବୁଝିବି। ତୋର କିଛି ଆପତ୍ତି ଅଛି କି , ମୋ ସହ ରହିବାରେ ?

---------ଉପାୟ ନ ପାଇ ଶେଷରେ ଚନ୍ଦୁ ରାଜି ହେଲା। ସେଇ ଦିନଠାରୁ ଆଜି ପର୍ଯ୍ୟନ୍ତ ଦୁହେଁ ଏକାଠି ଆଠ ବର୍ଷ ହେଲା ରହି ଆସୁଛନ୍ତି। ଚନ୍ଦନର ବୟସ ଏବେ ଅଠେଇଶି ଆଉ ଫୁଲକୁ ପଚିଶ ବର୍ଷ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ କ୍ଷଣ ଟିଏ ପାଇଁ ହେଲେ ରହି ପାରନ୍ତି ନାହିଁ। ଚନ୍ଦୁକୁ ତା ଜୀବନ ଠାରୁ ଅଧିକ ଭଲ ପାଉଥିଲା ଫୁଲ। ଦୁହେଁ ଥିଲେ ପ୍ରେମର ଏକ ନିସ୍ୱର୍ଗ ଦୁନିଆଁ ରେ । ଯେଉଁଠି କେବଳ ଆତ୍ମା ଆଉ ଚେତନା ମଧ୍ୟରେ ଭଲ ପାଇବା ସମ୍ଭବ ଥିଲା। ବୟସ ବଢ଼ିବା ସହ ଧୀରେ ଧୀରେ ଚନ୍ଦୁର ଦେହର ଯୌବନ ରେ ଆକର୍ଷିତ ହୋଇ , ନିଜର ମନର କଥା ପ୍ରକାଶ କରେ ଫୁଲ । କିଛି ଦିନ ପାଇଁ ଚନ୍ଦୁ ଚୁପ ରହିଲା ପରେ ,ଶେଷ ରେ ସେ ଯାହା ପାଇଁ ଆଜି ଭଲରେ ଅଛି, ତା ଇଛାକୁ କଣ ସମ୍ମାନ ଦେବା ଉଚିତ ହେବ ନାହିଁ ! ଏମିତି ଭାବି ନିଜର ସମ୍ମତି ଜଣାଏ। ସବୁ ପ୍ରତୀକ୍ଷା ର ଅନ୍ତ ଘଟାଇ ଦୁହେଁ ଆସନ୍ତାକାଲି ବିବାହ କରିବେ ବୋଲି ନିଷ୍ପତି ନିଅନ୍ତି ।


ଏହା ଭିତରେ ଅନେକ ସମୟ ବିତି ଯାଇଥାଏ। ବାହାରେ ବର୍ଷା ମଧ୍ୟ କମିଯାଇଥାଏ। ଏଥର ଚନ୍ଦୁ ନିଜର ଆଶା ବାଡ଼ି ଆଉ ପୁଟୁଳି ସାଥିରେ ଧରି ବାହାରେ ଫୁଲ ପାଖକୁ। ବର୍ଷା ପାଣିରେ ରାସ୍ତା ଘାଟ କିଛି ଜଣା ପଡୁ ନ ଥାଏ। ବାଡ଼ିରେ ଠଉରେଇ ଆଗକୁ ବଢି ଚାଲିଥାଏ ଚନ୍ଦୁ। ବସ ଷ୍ଟାଣ୍ଡ ବାରଣ୍ଡା କୁ ଚଡି ଉପରକୁ ଯିବ କଣ ଚଟଣାରେ ଝୁଣ୍ଟି ତଳେ ପଡିଗଲା।

ଉଠି ପଡି ଭୟରେ କାହାକୁ ଝୁଣ୍ଟିଲା ଅଣ୍ଡାଳି ଅଣ୍ଡାଳି ନିଜର ବାଡ଼ି ଖୋଜିଲା ବେଳକୁ ,ଜଣେ ଯୁବତୀ ର ଦେହ ହାତରେ ବାଜିବାରୁ ଚମକି ପଡିଲା ଚନ୍ଦୁ । କିଏ ....କିଏ ? ଆରେ କିଛି କହୁନ କଣ ପାଇଁ । ମୁହଁରେ ହାତ ମାରି ଯେତେବେଳେ ଜାଣିଲା ଏ ଝିଅ ଫୁଲ। ଚନ୍ଦୁ ଭୟରେ ଥରି ଉଠିଲା। କୋଳକୁ ତାର ଭିଡି ନେଲା । ତୁମର କଣ ହୋଇଛି ଫୁଲ । କୁହ ଫୁଲ ....କୁହ !

   ବାରମ୍ବାର ହଲାପଟା କରିବାରୁ ଫୁଲର ଚେତା ଆସେ। ପାଖରେ ଚନ୍ଦୁକୁ ପାଇ ଦୁଃଖରେ କଇଁ କଇଁ ହୋଇ କାନ୍ଦେ ଫୁଲ। ମତେ ଛାଡି ଦିଅ ଚନ୍ଦୁ । ମୋର ଆଉ ବଞ୍ଚି ରହିବାର ଅଧିକାର ନାହିଁ। ତୁମେ...ମତେ ଛୁଅଁ ନାହିଁ। ଯାଅ" ପଳାଅ ଏଠୁ ?

-----ଏ କଣ କହୁଛୁ ତୁ ଫୁଲ। କଣ ହୋଇଛି ତୋର। ଆରେ ତୁ ତ ଜାଣୁ ମୁଁ ଅନ୍ଧ। କିଛି ଦେଖି ପାରେ ନାହିଁ । ତୋର କଣ ହୋଇଛି ନ କହିଲେ କେମିତି ଜାଣିବି। ମୁଁ ଜାଣିଛି ,ମୋର ଆସିବାରେ ଡେରି ହେଲା ବୋଲି, ତୁ ବ୍ୟସ୍ତ ହୋଇ ବୋଧ ହୁଏ ଅପେକ୍ଷା କରି ଥକିକି ଏଠି ଶୋଇ ପଡିଥିଲୁ। ଏଇ ଦେଖ , ତୋ ପାଇଁ ଶାଢ଼ୀ ,ଚୁଡ଼ି , ଅତର ସବୁ ଆଣିଛି । ମୋ ଫୁଲେଇ ଫୁଲ କାଲି ସକାଳେ ବଧୂ ହୋଇ ସଜେଇ ହେଲେ ଅପ୍ସରୀ ଙ୍କ ପରି ଦେଖା ଯିବ ।

   ଏତକ ଶୁଣିଛି ନା ନାଇ ଚନ୍ଦୁକୁ ଧକ୍କା ଦେଇ ଫୁଲ ଘୁଞ୍ଚି ଯାଏ କିଛି ଦୂର।

     ମଥା ପିଟି କଇଁ କଇଁ ହୋଇ କାନ୍ଦେ। ତୋର ଏ ଫୁଲ ବାସି ଫୁଲ ହୋଇଯାଇଛି ରେ ଚନ୍ଦୁ। ସେ ଆଉ କେଉଁ ଭଗବାନ ଙ୍କ ନିକଟରେ ପୂଜା ପାଇଁ ଲାଗିବ ନାହିଁ। ତୁ .....ତୁ ଏ ଫୁଲ କୁ ଭୁଲିଯା "? ହଁ ...ଭୂଲି ଯା "।

    ଏ କଣ କହୁଛୁ ତୁ ,ମୁଁ କିଛି ବୁଝି ପାରୁନି । ଆରେ ମୁଁ ଜାଣିଛି ତୁ ପାଠ ଶାଠ ଦି ଅକ୍ଷର ଜାଣିଛୁ। ମୁଁ ତ ଗଜ ମୂର୍ଖ। ଅଠର ଓଲା ବୋଲି ମତେ କହୁ। କଣ ହୋଇଛି ତୋର ମତେ ଟିକେ ବୁଝେଇ କହିଲେ ତ ଜାଣିବି ?


ଯଦି ତୁ ଶୁଣିବାକୁ ଚାହୁଁଛୁ ତେବେ ଶୁଣ, ବର୍ଷା ଆସିଲା ବେଳକୁ ତୁ ନ ଫେରିଥିବାରୁ ,ମୁଁ ବ୍ୟସ୍ତ ହୋଇ ତୋ ଫେରିବା ବାଟକୁ ଚାହିଁ ରହିଥାଏ। ଲୋକ ଗହଳି ବସ ଷ୍ଟାଣ୍ଡରୁ ଧୀରେ ଧୀରେ କମିବାକୁ ଲାଗିଲା। ତୁ ସେ ଯାଏଁ ଫେରି ଆସି ନ ଥାଉ। ବର୍ଷା ପବନ ଛିଟା ରେ ମୁଁ ଅଧାରୁ ଅଧିକ ଭିଜି ସାରିଥାଏ। ତଥାପି ତୋ ଫେରିବା ବାଟକୁ ଚାହିଁ ରହିଥାଏ। ବେଶି ବର୍ଷା ହେବାରୁ ମୁଁ ବରଣ୍ଡାରୁ ବାହାରି ଯାଇ ବସ ଭିତରେ ବସି ପଡ଼ିଲି। ହେଲେ କୁଆଡେ ଥିଲା ରଙ୍ଗା ଡ୍ରାଇଭର ରାକ୍ଷାସ ଙ୍କ ପରି ଧାଇଁ ଆସି ବସ ର ଗେଟ ବନ୍ଦ କରି ମୋ ସହ ଜବରଦସ୍ତି କରିବାକୁ ଲାଗିଲା। ମୁଁ ଯେତେ ପାଟି କରିଲେ ବି ସେ ବସ ଭିତରକୁ କେହି ଜଣେ ହେଲେ ବି ମତେ ଉଦ୍ଧାର କରିବାକୁ ଆସିଲେ ନାହିଁ। ମୋର ସର୍ବସ୍ବ ଲୁଟି ନେଇ ସେ କାମୁକ ବାରଣ୍ଡାରେ ମତେ ଫିଙ୍ଗି ଦେଇ ବସ ନେଇ କୁଆଡେ ଚାଲି ଗଲା। ଆଉ ମୁଁ ଅଚେତ ହୋଇ ପଡି ରହିଥିଲି।

 ଏ କଣ କହୁଛୁ ତୁ ଫୁଲ ? ଆଜି ସେ ରଙ୍ଗା ଡ୍ରାଭରକୁ ଛାଡ଼ିବି ନାହିଁ। ମୋ ବାଡ଼ିରେ ପିଟି ପିଟି ତାକୁ ଜୀବନରୁ ମାରି ଦେବି।

  ତୋ ମୁଣ୍ଡ କାମ କରୁଛି ନା ନାହିଁ । ମୋ ପାଇଁ କାହିଁକି ତୋ ଜୀବନକୁ ବିପଦ ମୁଖ କୁ ଠେଲି ଦେବୁ। 

ଆଜି ମୁଁ ଅପବିତ୍ର ଆଉ ଅଛୁଆଁ ହୋଇ ଯାଇଛି । ଯା" ସେ ନାଳରେ ଫିଙ୍ଗି ଦେଇ ଆସେ ସାଥିରେ ଆଣିଥିବା ସେଇ ଶଙ୍ଖା ଚୁଡ଼ି ଆଉ ସିନ୍ଦୁରକୁ । ଆଜି ମୁଁ କଳଙ୍କିନି । ଦୁନିଆଁ ରେ ଅପନିଦା ଶୁଣିବା ଆଗରୁ ମୋ ଜୀବନକୁ ମୁଁ ହାରି ଦେବି ।

  ସେମିତି ତୁ କହନା ଲୋ ଫୁଲ ? ତୋ ବିନା ମୋର ଏ ଦୁନିଆଁ ରେ ଆଉ ବା କିଏ ଅଛି କହ । ମାନୁଛି ତୋ ସହ କିଛି ଠିକ ହୋଇ ନାହିଁ। ସେ ରାକ୍ଷାସ କୁ ତା" ପାପର ଫଳ ଅବଶ୍ୟ ମିଳିବ । ତା" ବୋଲି ସମାଜକୁ ଡରି ତୁ ଆତ୍ମହତ୍ୟା କରିବୁ ବୋଲି ଭାବିବା ଠିକ ନୁହେଁ । ଆଜି ବି ମୁଁ ଜୀବିତ। କାହିଁକି ତୁ ଭାବୁଛୁ , ଏ ଚନ୍ଦୁ ତୋର ଅଗ୍ନି ପରୀକ୍ଷା ନେବ। ଆରେ ମୁଁ ଅନ୍ଧ । ଦୁନିଆଁ କଣ ଆଜି ଯାଏଁ ଦେଖି ନାହିଁ । ଆଉ ତୋ ଦେହର ସେ କ୍ଷତାକ୍ତ ଚିହ୍ନ ବା ମୁଁ କୁଆଡୁ ଦେଖିବି। ଆଜି ଯାଏ ତୁ କେମିତି ଦେଖା ଯାଉ ମୁଁ ଜାଣିନି । ହେଲେ ମୋ ଆଖିରେ ତୋ କୋମଳ ହୃଦୟ ଆଜି ବି ସତେଜ ଗୋଲାପ । ତୁ ମୋର ହୃଦୟର ରାଣୀ। ତୋ ବିନା ଏ ଚନ୍ଦନର ଜୀବନ ର ମାନେ ହିଁ କିଛି ନାହିଁ। ଏ କଳଙ୍କକୁ ମୁଁ ଆପଣେଇ ନେବି। ଆପଣେଇ ନେବି ତୋ ଦେହର ପ୍ରତିଟି ଚିହ୍ନ କୁ। କେବେ ବି ତତେ କହିବି ନାହିଁ ତୁ ଦିନେ ଥିଲୁ ଧର୍ଷିତା ବୋଲି। କେବଳ କହିବି ତୁ ମୋର ସେଇ ଫୁଲ , ଯିଏ ତାର ହୃଦୟରୁ ମତେ ଆପଣେଇ ମୋ ଦୁଃଖ ସମୟରେ ନିଜର କରିଥିଲା। ତୁ ମୋ ପାଇଁ ସତୀ ସାବିତ୍ରୀ।

ଥାଉ ଚନ୍ଦୁ ଥାଉ । ଜୀବନରେ କହିବା ଆଉ କରିବା ଭିତରେ ଅନେକ ତଫାତ । ତୁ କାହିଁକି ଚାହୁଁଛୁ ଏ ମଉଳା ବାସୀ ଫୁଲକୁ ଆଉ ଥରେ ତୋ ମଥାରେ ଧାରଣ କରିବାକୁ । ମୋ ଦେହର ଦୂର୍ଗନ୍ଧ ରେ ତୁ ବି ଥରି ଉଠିବୁ। ସେଥିପାଇଁ ମତେ ମୋ ବାଟରେ ଯିବାକୁ ଛାଡି ଦିଅ?

ନାଇଁ ଫୁଲ ନାଇଁ । ତୋ ଇଛା ବିରୁଦ୍ଧରେ ହୋଇଥିବା ପାପ ପାଇଁ କାହିଁକି ତୁ ତୋ ନିଜକୁ ଦୋଷ ଦେଉଛୁ। ମତେ ବିଶ୍ୱାସ କର ଫୁଲ। ଏ ଚନ୍ଦନ ତା ଦେହର ସବୁ ରକ୍ତ ନିଗାଡି ତୋ ମଥାରେ ସିନ୍ଦୁର କରି ଲଗାଇ ପାରିବ। ହେଲେ ଆଉ ଥରେ ପରିବାର ଲୋକଙ୍କୁ ହରେଇବା ପରି ତତେ ହରେଇ ପାରିବି ନାହିଁ ।ବୁଝିବାକୁ ଚେଷ୍ଟା କର ଫୁଲ । ତୁ ଏମିତି ଫୁଲ ମୋର , ତୁ ଥିଲେ ମୋ ଜୀବନ ହୋଇ ଉଠିବ ସରସ ସୁନ୍ଦର।

ଚନ୍ଦୁ.....! ହଁ ଫୁଲ .....? ମୋ ଆଖିର ଅଶ୍ରୁ ରେ ଆଜି ତୋ ଦେହ ପ୍ଲାବିତ। ଗଙ୍ଗାଙ୍କ ପରି ତୁ ସ୍ୱଚ୍ଛ ଆଉ ନିର୍ମଳ । ତୁଳସୀ ପରି ତୁ ହେବୁ ମୋ ପାଇଁ ପୂଜିତା । ତୋ ପରି ସାହସୀ ଝିଅ ଯଦି ଏମିତି ନିଷ୍ପତି ନିଏ , ତେବେ ଏ ଅନ୍ୟାୟର ସ୍ୱର ଆଉ କିଏ ବା କେମିତି ଉତ୍ତୋଳନ କରିବ। ସମାଜରେ ଏମିତି ଅନେକ ଝିଅ ପ୍ରତି ଦିନ ଜୀବନ ହରେଇ ବସୁଛନ୍ତି। ମୁଁ ବି ଚାହିଁବି ନାହିଁ ମୋ ଭଲ ପାଇବାକୁ ହରେଇବା ପାଇଁ । ଆସ ଫୁଲ , ଏ ଦୁଃଖକୁ ଭୂଲି ଆମେ ଗଢିବା ଆଉ ଏକ ସୁନ୍ଦର ଦୁନିଆଁ। ଯେଉଁଠି କେବଳ ତୁମେ ଆଉ ମୁଁ ଦୁହେଁ ଥିବା। ଚନ୍ଦୁ .....! ତୁମ ସିନା ଦୁନିଆଁକୁ ଦେଖି ପାର ନାହିଁ ଚନ୍ଦୁ କିନ୍ତୁ ତୁମ ହୃଦୟ ସତରେ ପବିତ୍ର ଆଉ ନିର୍ମଳ। ସତରେ ତୁମ ନାଁ ର ସୁବାଷ ରେ ଆଜି ମୋ ହୃଦୟକୁ ମହକିତ କରିଦେଲ । ଏ ଫୁଲ ର ଦେହର ଦୁର୍ଗମ କୁ ତୁମ ପ୍ରେମର ଚନ୍ଦନରେ ଧୋଇ ଦେଇ ଆଜି ତାକୁ ପବିତ୍ର କରିଦେଲ । ଦୁନିଆଁ ରେ ତୁମ ପରିକା ଯଦି ଜଣେ ଜଣେ ଯୁବକ ଏମିତି ଅବଳା ଦୁର୍ବଳା ଙ୍କୁ ଆପଣେଇ ନିଅନ୍ତେ। ଅନେକ ବାପା ମାଆ ମାନେ ଆଉ ନିଜର ସନ୍ତାନ ଙ୍କୁ ହରାନ୍ତେ ନାହିଁ ।

 ଦୁହେଁ ବାହୁ ବନ୍ଧନରେ ନିଜକୁ ହଜେଇ ଦେଇଛନ୍ତି। ସକାଳୁ ମନ୍ଦିରରେ ଦୁହେଁ ବାହା ହେଲା ପରେ ନିଷ୍ପତ୍ତି ନେଇଛନ୍ତି ସହର ଛାଡି ଆଉ କେଉଁ ଆଡେ ଚାଲିଯିବାକୁ ।ପ୍ରଥମ ସାବିତ୍ରୀ ଓଷା ରେ ଚନ୍ଦୁର ପାଦ ଛୁଇଁ ପ୍ରଣାମ କରେ ଆଉ କୁହେ , ସେ ଦିନ ସତ୍ୟବାନ ଙ୍କୁ ନିଜର ସତିତ୍ୱର ଶକ୍ତି ବଳରେ ସାବିତ୍ରୀ ଉଦ୍ଧାର କରି ଆଣିଥିଲେ। ହେଲେ ଆଜି ତୁମେ କିନ୍ତୁ ପ୍ରମାଣ କରି ଦେଲ , ଦେହ ଅପେକ୍ଷା ହୃଦୟର ଭାଷା ହିଁ ପ୍ରେମ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ମୋ ପାଇଁ ତୁମେ କିନ୍ତୁ ସତ୍ୟବାନ । ବସ ଧରି ଅନ୍ୟତ୍ର ଯିବା ପାଇଁ ବାହାରିଲା ବେଳକୁ , ଉକ୍ତ ବସ ର କଣ୍ଡକ୍ଟର କହୁଥାଏ ଡ୍ରାଇଭରକୁ, କାଲି ରାତିରେ ରଙ୍ଗା ଡ୍ରାଇଭର ମୃତ୍ୟୁ ବରଣ କରିଛି । କେଜାଣି କୁଆଡେ ସେ ଖାଲି ବସ ନେଇ ଯାଉଥିଲା , ଭୀଷଣ ବର୍ଷାରେ ରାସ୍ତାରେ ଗୋଟେ ଟ୍ରକ ସହିତ ସମ୍ନା ସାମ୍ନି ଧକ୍କା ଦେଇ ଦେବାରୁ ସ୍ପଷ୍ଟରେ ହିଁ ମୃତ୍ୟୁବରଣ କରିଛି। ଏ କଥା ଶୁଣି ଚନ୍ଦୁ କହୁଥାଏ ଫୁଲକୁ, ଶୁଣିଲୁ ତ ଫୁଲ ପାପୀ ତାର କଲା କର୍ମର ଫଳ ନିଶ୍ଚିତ ପାଇ ଥାଏ। ଉପର ଵାଲା ଉପରେ ଭରଷା ରଖେ । ସବୁ ଠିକ ହୋଇଯିବ। ଫୁଲ ମୁହଁ ଜାକି ଦେଇ ଚନ୍ଦୁର ଛାତିରେ କହୁଥାଏ, ତୁମ ପରି ସ୍ୱାମୀ ମତେ ସବୁ ଜନ୍ମରେ ମିଳୁଥାଉ ।


      

              


Rate this content
Log in

Similar oriya story from Inspirational