STORYMIRROR

Deepak Sarangi

Inspirational

3  

Deepak Sarangi

Inspirational

ଫନି

ଫନି

3 mins
336


ଫନି ବାତ୍ୟାର ପରଦିନ ଦଶ ବର୍ଷର ରିଙ୍କୁ ସମାଜ ଖବରକାଗଜର ସବୁ ପୃଷ୍ଠାକୁ ତନ୍ନତନ୍ନ କରି ଓଲଟାଇ ପଢି ଚାଲିଥିଲା ପ୍ରକୃତିର କରାଳ ରୂପକୁ । ୩ ମେ ୨୦୧୯ ଫନି ର ଧ୍ଵଂସଲୀଲା ସବୁକୁ ଫୋଟୋ ସହିତ ସ୍ଥାନ ଦେଇଥିଲା ଖବର କାଗଜ ସମାଜ । ଫୋଟୋ ସବୁକୁ ଦେଖିକି ସେ ଯେତିକି ଭୟଭୀତ ହେଉଥିଲା ସେତିକି ତାର ଉତ୍କଣ୍ଠା ବଢିବଢି ଚାଲିଥିଲା ତା ଜେଜେ ଙ୍କୁ ଏ ସବୁ ବିଷୟରେ ପଚାରି ବୁଝିବା ପାଇଁ । ଦୁଇ ଦିନ ହେବ ଘରେ ଲାଇନ ନାହିଁ , ଇନଭରଟର ରେ ଯେତିକି ଚାର୍ଜ ଥିଲା ସେ ବି ସରିଆସିଲାଣି,ପିଇବା ପାଇଁ ପାଣିର ବି ଘୋର ଅଭାବ । ବାପା ତା’ର ଭୁବନେଶ୍ଵରର ଖଣ୍ଡଗିରି ପଟେ ପାଞ୍ଚ ମହଲା ଉପରେ ବଡ କଷ୍ଟରେ ଫ୍ଲାଟ ଖଣ୍ଡେ କିଣିଥିଲେ ଦୁଇ ବର୍ଷ ତଳେ । କେବେ କୌଣସି ଅସୁବିଧା ହୋଇନି । କିନ୍ତୁ ଏ ବାତ୍ୟା ଯେ ଏମିତି ରୂପରେ ଆସିବ ତାହା ଥିଲା ସମସ୍ତଙ୍କର କଲ୍ପନାତୀତ । ଦଉଡି ଯାଇ ରିଙ୍କୁ ତା ଜେଜେଙ୍କ ପାଖରେ ପହଞ୍ଚିଲା । ପଚାରିଲା ଜେଜେ ଏ ବାତ୍ୟା କାହିଁକି ହୁଏ ?ଜେଜେ ତା’ର ଉତ୍କଣ୍ଠାର ଅନ୍ତ କରିବାକୁ ଯାଇ କହିଲେ “ତୁ ତ ଜାଣୁ ଆମ ରାଜ୍ୟ ଓଡିଶାର ପୂର୍ବ ପଟେ ବଙ୍ଗୋପସାଗର ଅଛି । ସମୁଦ୍ରର ମଝିରେ ଗୋଟେ ଅଂଶ ଯେତେବେଳେ ଅତ୍ୟଧିକ ଉତ୍ତପ୍ତ ହୋଇଯାଏ ସେତେବେଳେ ସମୁଦ୍ରର ପାଣି ବାଷ୍ପ ହୋଇ ଉପରକୁ ଉଠିଯାଏ ଏବଂ ଆକାଶର ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ତାହା ଜମା ହୋଇ ରହିଯାଏ ଏବଂ ସେଥିରେ ଅସଂଖ୍ୟ ଛୋଟ ଛୋଟ ବାଷ୍ପ କଣା ମାନ ରହି ଯାଆନ୍ତି । ସେହି କଣା ମାନଙ୍କୁ ଭରିବା ପାଇଁ ବାୟୁ ମଣ୍ଡଳରୁ ବାୟୁ ଆସି ସେହି ଜାଗାରେ ରହି ଯାଏ । ଯାହା ଫଳରେ ସେଇ ଜାଗାରେ ସମୁଦ୍ର ଉପରେ ଏକ ଚାପ ସୃଷ୍ଟି ହୁଏ । ଜଳୀୟ ବାଷ୍ପ ଓ ବାୟୁ ଦ୍ଵାରା ନିରବଚ୍ଛିନ୍ନ ଭାବରେ ଏହା ହେଉ ଥିବାରୁ ଧୀରେ ଧୀରେ ଏହା ସମୁଦ୍ର ଉପରେ ଘୂରି ବାକୁ ଲାଗେ । ଯାହାକି ପରବର୍ତୀ ସମୟରେ ସମୁଦ୍ରକୁ ଅଶାନ୍ତ କରିଥାଏ ଓ ବାତ୍ୟାର ରୂପ ନେଇଥାଏ” ।


ସବୁ ଶୁଣି ସାରିବା ପରେ ରିଙ୍କୁ ଆହୁରି ଆଶ୍ଚର୍ଯ୍ୟ ହୋଇ ଜେଜେଙ୍କୁ ପଚାରିଲା “ଜେଜେ ଏ ସମୁଦ୍ର ଉତ୍ତପ୍ତ ହୁଏ କାହିଁକି”? ଜେଜେ ଟିକେ ହସି ଉତ୍ତର ଦେଲେ “ଏ ସବୁ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ମଣିଷ ସମାଜ ହିଁ ଦାୟୀ । ଅବାଧ ଗଛ କଟା, ଜଙ୍ଗଲ କ୍ଷୟ, ବନ୍ୟ ପଶୁପକ୍ଷୀ ମାନଙ୍କର ହ୍ରାସ ପାଇବା,ଅତ୍ୟଧିକ କଳକାରଖାନାର ନିର୍ମାଣ,ଗାଡି ମଟରରୁ ବାହାରୁଥିବା ଧୂଆଁ ଇତ୍ୟାଦି ଯୋଗୁଁ ଏବେ ଆମ ପୃଥିବୀପୃଷ୍ଠ ଓ ସମୁଦ୍ର ଆଦିରେ ଉତ୍ତାପ ବଢିବାରେ ଲାଗିଛି । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ,,କାର୍ବନ ମନୋକ୍ସାଇଡ୍ ଆଦି ବିଷାକ୍ତ ଗ୍ୟାସର ପରିମାଣ ଦିନ କୁ ଦିନ ବୃଦ୍ଧି ପାଇବା ଫଳରେ ସବୁଜିମା ନଷ୍ଟ ହେବା ସହ ପ୍ରତିବର୍ଷ ଏହିପରି ସମୟ ଅସମୟରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ଦୁର୍ବିପାକ ଆଦି ଘଟି ଚାଲିଛି । 


ରିଙ୍କୁ ଏ ସବୁକୁ ମନ ଧ୍ୟାନ ଦେଇ ଶୁଣୁଥାଏ । ଟିକେ ରହି ଯାଇ ରିଙ୍କୁ ପୁଣି ପଚାରିଲା “ଆମେ କଣ ଏ ସବୁଥିରୁ କେବେ ବି ରକ୍ଷା ପାଇ ପାରିବା ନାହିଁ”? ଜେଜେ କହି ଉଠିଲେ “ହଁ କାହିଁକି ନୁହେଁ? ଆମେ ଚାହିଁଲେ ସବୁ ଅସମ୍ଭବ କୁ ସମ୍ଭବ କରିପାରିବା । ଆମେ ଯେତେ ପାରିବା ଆମର ପରିବେଶକୁ ସୁରକ୍ଷା କରିବାକୁ ଚେଷ୍ଟା କରିବା ଯେପରିକି ଚାରିଆଡେ ଗଛ ଲଗାଇବା,ପ୍ଲାଷ୍ଟିକ ଜରି ଭଳି ଜିନିଷ ଗୁଡିକର କମ ବ୍ୟବହାର କରିବା,ଅଳିଆ ଆବର୍ଜନାକୁ ଏଣେ ତେଣେ ପକାଇବା ନାହିଁ,ଆବଶ୍ୟକ ନ ହେଲେ ଅଯଥା ମଟରଗାଡିକୁ ବ୍ୟବହାର କରିବା ନାହିଁ ଇତ୍ୟାଦି ବହୁ ପରିବେଶ ସମ୍ପର୍କିତ ଭଲ କାମ ଆମେ ନିଜେ କରି ପାରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ବୁଝାଇ କରି କରାଇ ପାରିବା ।


ଏଥର ରିଙ୍କୁର ମନ ଟିକେ ହାଲକା ହୋଇଗଲା । ସେ କହିଲା “ହଁ ଜେଜେ ମୁଁ ଛୁଟି ସରିଲା ପରେ ଯେତେ ଗଛ ସବୁ ବାତ୍ୟା ରେ ଭାଙ୍ଗିଛି ତା’ର ଦୁଇ ଗୁଣା ଗଛ ମୁଁ ଓ ମୋର ସାଙ୍ଗ ମାନେ ମିଶି କି ଆମ ସ୍କୁଲ ଓ ତା’ର ଚାରି ପାଖ ଅଞ୍ଚଳ ରେ ଲଗେଇବୁ ଓ ଏଥର ବାପାଙ୍କୁ ମୁଁ କହିବି ମୋତେ ଗୋଟେ ସାଇକେଲ କିଣିଦେବା ପାଇଁ ଯାହା ଫଳରେ ମୁଁ ବାପାଙ୍କ ସହ ଆଉ ମୋଟର ସାଇକେଲରେ ନ ଯାଇ ମୁଁ ନିଜେ ସାଇକେଲ ଚଲେଇ ସ୍କୁଲକୁ ଯିବି । ଜେଜେ ତା’ର ଛୋଟିଆ ମୁଣ୍ଡରେ ଏତେ ସବୁ ବୁଦ୍ଧି ଜୁଟି ଆସୁଥିବା ଜାଣି ତା ମୁଣ୍ଡ ରେ ସ୍ନେହରେ ହାତ ବୁଲାଇ ଆଣିଲେ । ସେପଟୁ ରିଙ୍କୁର ମା ଡାକ ଛାଡୁଥିଲେ ଯେ ପାଣି କିଛି ସମୟ ପାଇଁ ଆସିଛି ସମସ୍ତେ ଆସି ଗାଧୋଇ ପଡ; କାରଣ ଆସନ୍ତା ଦୁଇ ଦିନ ପାଇଁ ଆଉ ଆମ କଲୋନୀ କି ପାଣି ଆସିବ କି ନାହିଁ ତା’ର ଠିକ୍ ଠିକଣା ନାହିଁ । ଲାଇନ୍ ଆସିଲେ ଯାଇଁ ଯାହା ପାଣିର ବ୍ୟବସ୍ଥା ହେବ ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational