ଫେସ୍ବୁକ୍ ପ୍ରେମ
ଫେସ୍ବୁକ୍ ପ୍ରେମ


-ଲିପ୍ସା..., ଲିପ୍ସା...
-ହଁ, ମମି । କ’ଣ ହେଲା ?
-କଲେଜ୍ ଯିବୁନି କି ?
ନିଦରୁ ଉଠି, ଧଡ୍ପଡ୍ ହୋଇ, ସେ ଘଂଟା ଦେଖିଲା । ଆଠଟା ବାଜିଲାଣି । ଓ...ଗଡ୍, ଅଧ ଘଂଟା ଭିତରେ ଯେମିତି ହେଲେ ରେଡି ହେବାକୁ ପଡିବ ତାକୁ । ନୋହିଲେ... । ଯଲ୍ଦି ଯଲ୍ଦି ନିତ୍ୟକର୍ମ ସାରି ବାହାରି ପଡିଲା କଲେଜ୍ । ସେଦିନ କଲେଜ୍ରେ ନୂଆ କରି ପାଦ ଦେଉ ଦେଉ ଅଳ୍ପ ସମୟ ମଧ୍ୟରେ ତା’ର ବେଷ୍ଟ୍ ଫ୍ରେଣ୍ଡ୍ ବନିଯାଇଥିଲା ମିନାକ୍ଷୀ । କମନ୍ ରୁମ୍ର ଗୋଟେ କୋଣରେ ଦୁହେଁ ଦୀର୍ଘ ସମୟ ଧରି ମନଖୋଲା ଗପ୍ସପ୍ରେ ମଜ୍ଜିଯାଇଥିବାବେଳେ, ମିନାକ୍ଷୀ ତା ବ୍ୟାଗ୍ ଭିତରୁ ଦାମୀ ଆନ୍ଡ୍ରଏଡ୍ ସେଟ୍ଟା ବାହାର କରି ଫେସ୍ବୁକ୍ ଦେଖିଲାବେଳେ ଲିପ୍ସା କହିଲା -
-କ’ଣ ଦେଖୁଛୁ ?
-ଫେସ୍ବୁକ୍ । ତୋ ମୋବାଇଲ୍ରେ ନାହିଁ କି ?
-ନା ।
ସେଦିନ ମିନାକ୍ଷୀଠାରୁ ଫେସ୍ବୁକ୍ ଦେଖି ମନେ ମନେ ଗୋଟେ ନୂଆ ଆନ୍ଡ୍ରଏଡ୍ ସେଟ୍ ଆଣିବାକୁ ଇଛା ହୋଇଥିଲା ତା’ର । ହେଲେ ସେ ତା ମମିକୁ କେମିତି କନ୍ଭିନ୍ସ୍ କରିବ, ସେହି କଥା ଭାବି ଭାବି ଅନ୍ୟମନସ୍କରେ କେତେବେଳେ ଘରେ ପହଂଚି ଯାଇଥିଲା, ନିଜେ ଜାଣିପାରିଲାନି ।
ସଂଧ୍ୟା ସମୟ । ଅଗଣାରେ ବସି ଶାନ୍ତା ଦେବୀ ଚା’ ପିଉଥିବାବେଳେ, ଲିପ୍ସା ହସ ହସ ମୁହଁରେ ତାଙ୍କ ପାଖରେ ବସି, ଗେହ୍ଲେଇ ହୋଇ, ମୁହଁକୁ ଟିକେ ଶୁଖେଇ, ଧିର ସ୍ୱରରେ କହିଲା – “ମମି ମମି, ମୋ’ର ଗୋଟେ ଆନ୍ଡ୍ରଏଡ୍ ସେଟ୍ ଦର୍କାର୍ । ଜାଣିଛନା, ମୁଁ ଆଜି ଦେଖିଲି ମୋ’ର ସାଙ୍ଗମାନେ ଏଇ ନୂଆ ଟାଇପ୍ର ମୋବାଇଲ୍ ୟୁଜ୍ କରୁଛନ୍ତି । ପ୍ଲିଜ୍, ମୋତେ ଗୋଟେ ଆଣିଦିଅନା । ମୋ ପାଖରେ ଥିବା ସେଟ୍ ଦେଖି ହସିଲେ ସେମାନେ । ମୋତେ ଭାରି ଲାଜ ଲାଗିଲା । କ’ଣ କହୁଛ ?” କିଛି ସମୟ ଭାବିବା ପରେ ସେ ସଙ୍ଗେ ସଙ୍ଗେ ଗୋଟେ ନୂଆ ‘ଫୋର୍-ଜି’ ସେଟ୍ ମଗାଇ ତା ହାତରେ ଦେଲେ ।
ତହିଁ ଆର ଦିନ ଖୁସି ହୋଇ କମନ୍ ରୁମ୍ର ଝର୍କା ପାଖରେ ବସି ନୂଆ ମୋବାଇଲ୍ରେ ଗପୁଥିଲା ଲିପ୍ସା । ତା ପ୍ରିୟ ସାଙ୍ଗ ମିନାକ୍ଷୀକୁ ଅପେକ୍ଷା କରି କରି ବୋର୍ ହେଉଥିଲା । କିଛି ସମୟ ପରେ ଝାଳ ଜୁଡୁବୁଡୁରେ ମିନାକ୍ଷୀ ପହଂଚିବା କ୍ଷଣି ସେ ଖୁସିରେ ତା ପାଖକୁ ଦୈାଡି ଆସି, ହସ ହସ ମୁହଁରେ କହିଲା –
-ଦେଖିଲୁ କେମିତି ହେଇଛି ?
-ବହୁତ ସୁନ୍ଦର । କେତେ ପଡିଲା ?
-ଦଶ ହଜାର ଟଙ୍କା ।
-ନେଟ୍ ଅଛି ତ ?
-ହଁ । ଏଥିରେ ଫେସ୍ବୁକ୍ଟା ଟିକେ ଡାଉନ୍ଲୋଡ୍ କରି ଦେ’ ।
-ଓକେ ।
ମିନାକ୍ଷୀ ଧନୀ ଘରର ଝିଅ । ଡାଡି ମମିଙ୍କ ଅଲିଅଳ କନ୍ୟା ସେ । ପିଲାଟିଦିନୁ ଯେତେବେଳେ ଯାହା ଚାହିଁଛି, ତାହା ପାଇଛି । ଦେଖିବାକୁ ଅତ୍ୟାଧୁନିକା ଓ ସୁନ୍ଦରୀ । ଷ୍ଟାଣ୍ଡାଡ୍ର୍ ଟେନ୍ରେ ଫାଷ୍ଟ୍ କ୍ଲାସ୍ ପାଇ କଲେଜ୍ରେ ନୂଆ ପାଦ ଦେଇଛି । ସେ ନୂଆ ହୋଇ ଆସିବାକୁ, ନୂଆ କଲେଜ୍, ନୂଆ ସାଙ୍ଗସାଥୀ, ନୂଆ ଯାଗା, ହଷ୍ଟେଲ୍ ଇତ୍ୟାଦି ସବୁ ତାକୁ ଯେମିତି ନୂଆ ନୂଆ ଲାଗୁଛି । ଲିପ୍ସା ହେଉଛି ତା’ର ସୁବୁଠୁ ଭଲ ଫ୍ରେଣ୍ଡ୍ । ତାକୁ ଘଡିଏ ନ ଦେଖିଲେ ସେ ରହିପାରେନି । ଖରାଦିନ ଛୁଟିରେ ଲିପ୍ସା ଗାଁ’କୁ ଗଲେ, ମିନାକ୍ଷା ତା ସହ ବୁଲିବାକୁ ଯାଏ । ଗାଁ’ର ଶାନ୍ତ ସରଳ ପରିବେଶରେ ସେ ନିଜକୁ ବେଶୀ ଖୁସି ଅନୁଭବ କରେ । ସକାଳୁ ସକାଳୁ କାଉ କୋଇଲିମାନଙ୍କ ଶବ୍ଦ, ଦକ୍ଷିଣ ଦିଗରୁ ବହିଆସୁଥିବା ସୁଲୁସୁଲିଆ ମଧୁର ପବନ, ଗାଈଗୋରୁମାନଙ୍କ ହମ୍ମା ରଡି, ବୁଲା କୁକୁରଙ୍କ ଭୋ ଭୋ ଶବ୍ଦ, ଚଷାଭାଇ କ୍ଷେତରେ ହଳ କରୁଥିବା ଇତ୍ୟାଦି ଦୃଶ୍ୟ ଦେଖିଲେ ମିନାକ୍ଷୀର ଗାଁ’ରୁ ଫେରିବାକୁ ଇଛା ହୁଏନି । ସେ ମନେ ମନେ ଭାବେ ଆମର ଏମିତିକା ଗାଁ’ଟିଏ ଥାଆନ୍ତା କି ? ମିନାକ୍ଷୀଙ୍କ ଘର ରାଜଧାନୀ ଭୂବନେଶ୍ୱରରେ, ଫରେଷ୍ଟ୍ ପାର୍କ ପାଖରେ । ତାଙ୍କର ଦୁଇ ଦୁଇଟା ବଡ ବଡ ଫ୍ଲାଟ୍ । ତଳ ମହଲାରେ ସେମାନେ ରହୁଥିଲାବେଳେ, ଅବଶିଷ୍ଟ ଭଡାକୁ ଦିଆହେଇଛି । ସେ ପ୍ରତିଦିନ ସକାଳେ, ସଂଧ୍ୟାରେ ଓ ରାତି ୧୧ଟାରୁ ୨ଟା ପର୍ଯ୍ୟନ୍ତ ଚାଟିଙ୍ଗ୍ ନକଲେ ଯେମିତି ତା ଭାତ ହଜମ୍ ହୁଏନି । ଚାଟିଙ୍ଗ୍ କରିବା, ଡ଼ିଡିଓ କଲ୍ କରିବା ଇତ୍ୟାଦି ତାର ନିତିଦିନିଆ ହବି ।
ମାନସ୍ ସହିତ ମିନାକ୍ଷୀର ଫେସ୍ବୁକ୍ରେ ଚାଟିଙ୍ଗ୍ ଏଇ କଛି ଦିନ ହେବ ଆରମ୍ଭ ହେଇଛି । ମାନସ୍ ତା ଲାଇଫ୍ରେ ଅନେକ ଝିଅଙ୍କ ସହ ସମ୍ପର୍କ ରଖିଛି,ଏକଥା କେହି ଜାଣନ୍ତିନି । ପ୍ରଥମେ ସେ ଝିଅମାନଙ୍କ ସହ ଚାଟିଙ୍ଗ୍ କରୁ କରୁ , ପରେ କୈାଶଳ କ୍ରମେ ସେମାନଙ୍କୁ ନିଜର ପ୍ରେମ ଜାଲରେ ଫସେଇ, ବିବାହର ପ୍ରଲୋଭନ ଦେଖାଇ, ନିଜକୁ ଧନୀ ଘରର ପୁଅ ଭାବେ ପରଚୟ ଦେଇ, ଶେଷରେ କୋମଳମତୀମାନଙ୍କୁ ହୋଟେଲ୍ ଡାକି, ସେମାନଙ୍କ ସହ ରାତି କଟାଇ, ଲାଇଫ୍ଟାକୁ ଫୁଲ୍ ଏନ୍ଜୟମେଂଟ୍ କରିବା ତା’ର ଅଭ୍ୟାସ ।
ମିନାକ୍ଷୀ ସେଦିନ ଚାଟିଙ୍ଗ୍ କରୁ କରୁ ମାନସ୍ର ପ୍ରେମ ଜାଲରେ ଫସିଯାଏ । ମାନସ୍କୁ ସେ କେବେ ଫେସ୍ ଟୁ ଫେସ୍ ଦେଖିନି । ଯେତିକି ଭିଡିଓ କଲ୍ ମାଧ୍ୟମରେ ଦେଖିଛି ଓ ମନଭରି କଥା ହେଇଛି । ସମୟ କ୍ରମେ ମିନାକ୍ଷୀ ମାନସ୍ର ଚାଟିଙ୍ଗ୍ ଓ ଭିଡିଓ କଲ୍ ଯାଦୁରେ ମତୁଆଲା ହୋଇ ତାକୁ ଭଲପାଇଛି ।
ଦିନେ ମାନସ୍, ମିନାକ୍ଷୀକୁ ପୁରୀର ଏକ ଫାଇଭ୍ ଷ୍ଟାର୍ ହୋଟେଲ୍କୁ ଆସିବାକୁ ଅୁନୁରୋଧ କରେ । ସେ ଅତି କଷ୍ଟରେ ଶେଷରେ ତା କଥାରେ ରାଜି ହୁଏ । ଏକ ନିର୍ଦ୍ଦିଷ୍ଟ ସମୟରେ ମିନାକ୍ଷୀ ହଷ୍ଟଲ୍ରେ ମିଛ କହି ପୁରୀରେ ପହଂଚେ । ମାନସ୍ ତାକୁ ଖୁସିରେ ରିସିଭ୍ କରି ହୋଟେଲ୍କୁ ନିଏ । ତିନି ଦିନ ଦୁହେଁ ଫୁଲ ଏନ୍ଜୟ କରିବା ପରେ, ମିନାକ୍ଷୀ ଆସି ହଷ୍ଟଲରେ ପହଂଚୁ ପହଂଚୁ ଲିପ୍ସା ତାକୁ ଦେଖି ଅଭିମାନରେ କହେ –
-ମୁଁ ସେତେବେଳୁ ଲକ୍ଷ୍ୟ କରୁଛି, ତୋ ଢଙ୍ଗରଙ୍ଗ ଯେମିତି ବଦଳିଲା ପରି ଲାଗୁଛି । ତୁ ତିନି ଦିନ ହେଲା କେଉଁଠିଥିଲୁ ?
-ଘରକୁ ଯାଇଥିଲି ।
-ମୋତେ କହିଲୁନି, ମୁଁ ତୋ ସହ ଯାଇଥା’ନ୍ତି ?
-ମୁଁ ଟିକେ ଟାୟାର୍ଡ୍ ଅଛି । ପ୍ଲିଜ୍ ପରେ କଥା ହେବା ।
-ଓକେ ।
ମିନାକ୍ଷୀର ଗାଲ ଓ ବେକ ତଳେ ଦିଶୁଥିବା ଆଂଚୁଡା ଦାଗରୁ ତାକୁ ବୁଝିବାକୁ ଆଉ କିଛି ଅଛପା ନଥିଲା । ସେ ମନେ ମନେ ଦୁଃଖ କଲା, ହେଲେ ମୁହଁ ଖୋଲି କିଛି ପଚାରିପାରିଲାନି ସେଦିନ ।
ଦିନ ପରେ ଦିନ ଗଡିଚାଲିଥାଏ । ଦିନେ ନିରୋଳାରେ ମିନାକ୍ଷୀ ଚାଟିଙ୍ଗ୍ରେ ବ୍ୟସ୍ତ ଥିଲାବେଳେ ଲିପ୍ସା କହିଲା –
-ମୋତେ କହିବୁନି, କାହା ସହ ଚାଟିଙ୍ଗ୍ କରୁଛୁ ?
-ମାନସ୍ ସହ । ସେ ମୋ ବୟଫ୍ରେଣ୍ଡ୍ । ଦେଖୁନୁ ?
-ନାଇଁ ଥାଉ । ଏବେ ନୁହେଁ । ମୁଁ ବାଥ୍ରୁମ୍ ଯାଉଛି ।
ଋବିବାର । ସକାଳୁ ସକାଳୁ ଲିପ୍ସା ଫେସ୍ବୁକ୍ ଖୋଲି ଦେଖେ ତ, ତା ପାଖକୁ ଗୋଟେ ଫ୍ରେଣ୍ଡ୍ ରିକ୍ୱେଷ୍ଟ୍ ଆସିଛି । ମାନସ୍ ବୋଲି ଜଣେ କେହି ତା ପାଖକୁ ପଠାଇଛି । ସେ କନ୍ଫର୍ମ୍ କରିବାରୁ ସଙ୍ଗେ ସଙ୍ଗେ ସେ ଭିଡିଓ ଫଟୋ କିଛି ତା ପାଖକୁ ପଠାଇ ଚାଟିଙ୍ଗ୍ ଆରମ୍ଭ କରିଦିଏ । ଧିରେ ଧିରେ ଚାଟିଙ୍ଗରୁ ଆରମ୍ଭ ହୁଏ ଲିପ୍ସା ଓ ମାନସ୍ ମଧ୍ୟରେ ପ୍ରେମ ।
ସମୟ କ୍ରମେ ମାନସ୍ ମିନାକ୍ଷୀ ସହ ସମ୍ପର୍କ ରଖିବା କମ୍ କରିଦିଏ । ବେଳେବେଳେ ତା ସହ ଚାଟିଙ୍ଗ୍ କରେନି ଆଭଏଡ୍ କରେ । ମିନାକ୍ଷୀ କିଛି ବୁଝି ପାରେନି । ମନେ ମନେ ମାନସ୍ ଉପରେ ଭିଷଣ ବିରକ୍ତ ହୁଏ । ତା ମନ କହେ ସେ ଆଉ କାହା ସହ ସମ୍ପର୍କ ରଖିନି ତ ? ବାରମ୍ବାର ଫୋନ୍ କଲେ ସେ ବିଜି ଅଛି କହି କାଟିଦିଏ । ବିଚାରୀ ମିନାକ୍ଷୀର ମାନସିକ ଅବସ୍ଥା ତଥା ତା ପ୍ରତି ସନ୍ଦେହ ଧିରେ ଧିରେ ବଢିଚାଲେ ।
ସେଦିନ ଲିପ୍ସା ମାନସ୍ ସହ ଚାଟିଙ୍ଗ୍ରେ ଥିଲାବେଳେ ମିନାକ୍ଷୀ ତା ପାଖରେ ବସି କେଉଁ ଏକ ସାଙ୍ଗ ସହ ଫୋନ୍ରେ କଥାହେଉଥାଏ । କଥାରେ ଅନ୍ୟମନସ୍କ ଥିବା ଭିତରେ ହଠାତ୍ ତା’ର ଦୃଷ୍ଟି ପଡେ ଲିପ୍ସାର ଚାଟିଙ୍ଗ୍ ଉପରେ । ସେ ଦେଖେ ତ ମାନସ୍ ଲିପ୍ସା ସହ ବି ବିଜି ରହୁଛି । ମିନାକ୍ଷୀ ନିଜକୁ ସମ୍ଭାଳି ନପାରି ରାଗରେ କହେ –
-ମୁଁ ଯାହାକୁ ଚାଟିଙ୍ଗ୍ କରୁଛି, ତୁ ତା ସହ ବି ଚାଟିଙ୍ଗ୍ରେ ରହୁଛୁ ?
-ମାନେ ? ତୁ କ’ଣ ଏଇ ମାନସ୍କୁ .... ?
-ହଁ, ଏଇ ।
-ସେ ମୋ ସହ ବି ... । ଦେଖ୍ , ମୋ ପାଖକୁ କେମିତି ମେସେଜ୍ କରିଛି ଏବେ ।
-ମୁଁ ତାକୁ ତୋ ବିଷୟରେ କହିଥିଲି ।
-ତା’ହେଲେ ସେ ଗୋଟେ ଠକ । ସେ ଆମ ଦୁହିଁଙ୍କୁ ବ୍ଲାକ୍ମେଲ୍ କରୁଛି ।
-ତୁ ସେମିତି କହିବୁନି । ମୁଁ ତାକୁ ବେଶୀ ଭଲ ପାଏ ।
ଏଇ କାରଣ ନେଇ ଦୁହିଁଙ୍କ ମଧ୍ୟରେ ଯୋର୍ସୋର୍ରେ ଝଗଡା ହୁଏ । ଲିପ୍ସା ତାକୁ ଯେତେ ବୁଝେଇବାକୁ ଚେଷ୍ଟା କଲେ ବି ସେ ବୁଝେନି । ଓଲଟି ଲିପ୍ସାକୁ ବେଶୀ କଟୁ କଥା କହେ । ଦୁଃଖରେ ଭାଙ୍ଗିପଡେ ଲିପ୍ସା । କ’ଣ କରିବ, କିଛି ମୁଣ୍ଡରେ ପଶେନି ତା’ର । କଲେଜ୍ ଛୁଟି ଥିବାରୁ ସେ ମିନାକ୍ଷୀ ଉପରେ ଭିଷଣ ରାଗ ତଥା ଅଭିମାନ କରି ଗାଁ’କୁ ଚାଲିଆସେ ।
ଲିପ୍ସା ଠାରୁ ସବୁ ଶୁଣି ମିନାକ୍ଷୀ ମୁଣ୍ଡକୁ ପିତ ଚଢିଯାଇଥିଲା । ସେ ମାନସ୍କୁ ଫୋନ୍ରେ ଅତି ଅସଭ୍ୟ ଭାଷାରେ ଗାଳିଗୁଲଚ୍ କରି, ଲିପ୍ସା ବିଷୟରେ ପଚାରିବାରୁ, ମାନସ୍ ଭୟ ମିଶ୍ରିତ ସ୍ୱରରେ କହିଲା –
-ଲିପ୍ସା କିଏ ମୁଁ ଜାଣିନି କି ଚିହ୍ନିନି ।
-ତମେ ମିଛ କହୁଛ । ତା ସହ ସବୁଦିନେ ଚାଟିଙ୍ଗ୍ରେ ରହୁଛ । ଅଥଚ ମୋତେ ...
-ନା ନା , ମୁଁ ଚାଟିଙ୍ଗ୍ କରିନି ।
-ୟୁ ଆର୍ ଏ ଚିଟ୍ । ଷ୍ଟପ୍ ଇଟ୍ ।
ସଙ୍ଗେ ସଙ୍ଗେ ମିନାକ୍ଷୀ, ଲିପ୍ସାକୁ କହିଥିବା କଟୁ ମନ୍ତବ୍ୟ ପାଇଁ ନିଜେ ଅନୁତାପ କରିବା ସହ ତାକୁ ଫୋନ୍ରେ ଅନୁନୟ ବିନୟ ହୋଇ କହିଲା - ଆଇ ଆମ୍ ସରି ଲିପ୍ସା । ପ୍ଲିଜ୍ , କମ୍ ବ୍ୟାକ୍ ।