STORYMIRROR

Lopamudra Parida

Inspirational

3  

Lopamudra Parida

Inspirational

ଫେରସ୍ତ ସାଗର

ଫେରସ୍ତ ସାଗର

2 mins
183


ଏକ

****


ମୁଁ ଆଗରୁ ଭାବୁଥିଲି, ମତେ କେହି କାହିଁକି ବୁଝିପାରନ୍ତିନି । କେହି ବି ବୁଝିପାରନ୍ତିନି ।


ଏବେ ଏବେ ବୁଝଛି, ମତେ କୋଉ ମୁଁ ନିଜେ ବୁଝି ପାରିଛି ଯେ ଆଉ କିଏ ବୁଝିବ? ନିଜକୁ ବୁଝିବା ଏତେ କଷ୍ଟ ଯେ ଅନ୍ୟକୁ ବୁଝିବାର ବାହାନାରେ ଆମେ ଘୁରି ବୁଲୁ ସାରା ଜୀବନ ।

ଦୁଇ

*******


_ମା, ମା ଆମେ ଗୋଟେ ଘର ବନେଇବା ଏଇଠି? କହି ଦୌଡିଗଲା ସାଗର ।

_ ହଁ ଖୋଳ ବାଲି ଢେର୍ ସାରା ବାଲି କଂକଡା ପରି, ଗଦାଏ ହେଲେ ନା ହବ ।

ଏତିକ କହି ସାରି ଆଖି ତୋଳି ଦେଖନ୍ତି ସାଗରବାଳା ତ ସାଗର ତାର କୂଳରେ ଲହରୀ ସାଙ୍ଗେ ଖେଳୁଛି ଗୋଡାଗୋଡି । କହୁଛି 'ଛୁଁ ଛୁଁ ମତେ ଛୁଇଁ କି ଦେଖା ।' ପବନ ପବନରେ ଉଡି ଯାଉଛି ତାର ହସ ଖିଲ୍ ଖିଲ୍ । କଅଁଳ ଆଙ୍ଗୁଳିରେ ନୂଆ ନୂଆ ଶିଖିଥିବା ବଙ୍କା ବଙ୍କା ଅକ୍ଷରକୁ ସଯତ୍ନେ ସଳଖେଇ ଲେଖିବାର ଚେଷ୍ଟାରେ ଓଦାବାଲିର ସିଲଟରେ ଲେଖୁଛି " ରାମ " " ଶ୍ରୀରାମ " ପୁଣି ତା ନିଜ ନାଁ ' ସାଗର ' । ଆହୁରି ପଛକୁ, ଆହୁରି ପଛକୁ ....... ଲହରୀକୁ ଚ୍ୟାଲେଞ୍ଜ ଦେଇ ,' ଦେଖି ଲିଭେଇ ଦେଖା, ଲିଭେଇ ଦେଖା ' । ପୁଣି ଖିଲ୍ ଖିଲ୍ ହସ ବୁଣିଯାଏ ବାଲିର ପ୍ରତି ରେଣୁରେ ତାକୁ ଚିକ୍ ମିକ୍ କରି ....ଘୋ ଘୋ ଉର୍ମି .... ଶୁଣିଛି ସେ ସମୁଦ୍ର ଆସେ ତାର ଆରାଧ୍ୟଙ୍କ ନାଁର ସ୍ପର୍ଶ ଟିକକ ପାଇବା ପାଇଁ ...... ମୁକ୍ତି ପାଇଁ ......


ଆଚ୍ଛା ସମୁଦ୍ରର ବନ୍ଧନଟା କଣ ଯେ ? କଣ ଲୁଣିପଣ?


ଏତେ ବିଶାଳ ଜଳରାଶିରେ ଭରା, ହେଲେ ମେଣ୍ଟାଇ ପାରେନା ଆଞ୍ଜୁଳାଏ ଜଳ ଦେଇ ତୃଷାର୍ତ୍ତର ତୃଷ୍ଣା ।


ଟିକେ ଅନ୍ୟମନସ୍କା ସାଗରବାଳା, ନୀଳଗର୍ଭା ଆଇନାରେ ନୀଳବର୍ଣ୍ଣା ଆକାଶର ମୁହଁ ଦେଖା ଅଭିସାରକୁ ବିମୁଗ୍ଧ ଭାବ ନେଇ ହଜିଯାଉଥିବା ବେଳେ, ଶୁଭିଲା ଅତର୍କିତ, " ବୁଡିଗଲା, ବୁଡିଗଲା"ର ଶବ୍ଦ ।


ସରିଗଲା ସବୁ, ଗୋଡାଗୋଡି ଖେଳୁ ଖେଳୁ ଲୁଚାଲୁଚି ଖେଳିସାରିଥିଲା ଅଲିଅଳି କୁସୁମଟି ତାଙ୍କ କୋଳରୁ । ଖସି ସାରିଥିଲା ହାତ ।


**********


ଗ୍ରେ ହେୟାର, ଚଷମା ଲଗା ଆଖିରେ ପହଞ୍ଚି ସାରିଥିଲେ ସାଗରବାଳା । ପ୍ରତିଦିନ କିନ୍ତୁ ଆସୁଥିଲେ ଜିତିବାକୁ ଲୁଚାଲୁଚି ଖେଳରେ ସାଗର ସହ ନୀରବରେ ।


ଗଢୁଥିଲେ ମନ୍ଦିର, ଘର ପ୍ରତିଥର ବାଲୁକାର ନିର୍ଦ୍ଦୟ ବକ୍ଷରେ, ଯେତେ ଲୁହ ଢାଳି ଚକଟିଲେ କି ବାଲି ମୁଠା ହୁଏନା .... ଓଲଟା ବିଦାରି ପକାଏ ଚେତନା ।


ଦେଖିବା ଲୋକେ କହୁଥିଲେ, 'ଆହା,ତିରିଶ ବର୍ଷରୁ ଖରା, ବର୍ଷା, ଶୀତ, କାକର ସବୁ ସହି ସବୁ ଦିନ କଣ ନବାକୁ ଆସନ୍ତି ଏ ? ସମୁଦ୍ରର କି ହୃଦୟ ଅଛି? ସେ କି ଫେରାଏ ହରିଲା ସଂପଦକୁ ପୁଣି ଥରେ? "


ସମୁଦ୍ର କୂଳରେ ସାଗର ପାଇଁ ବାଲିଘରଟେ ତୋଳିବା ପାଇଁ ବାଲିରେ ଗାତ ଖୋଳୁଥିବା ବେଳେ ତାଙ୍କ ହାତରେ ବାଜିଲା କିଛି ଶକ୍ତ ଜିନିଷ । ସବୁ ଦିନେ ସେ ଗଭୀର କରି ଖୋଳନ୍ତି ବାଲିର ତଳିପା ଯାଏ, କାଳେ ସାଗର ଭିତରୁ ହାତ ଟେକିବ ଆଉ କହିବ, ଧରନା ମାଆ .... ଆଉ ଟିକେ ଉପରକୁ ଟାଣ ତ .... ବାହାରି ଆସେ ମୁଁ । ଅଣନିଃଶ୍ୱାସୀ ହେଲିଣି ତିରିଶ ବର୍ଷରୁ ଏ ବାଲି ତଳେ । ଆଉ ଖେଳିବାକୁ ଇଚ୍ଛା ନାହିଁ । ଚାଲ ନା ଘରକୁ ଫେରିଯିବା, ଭାରି ଭୋକ ।" 


ଟାଣିଆଣିଲେ ସେ, ହାତରେ ବସିଥିଲା କୁନି ଗୁରୁଣ୍ଡି ଗୋପାଳର ପିତ୍ତଳ ମୂର୍ତ୍ତିଟିଏ .... ତା ହାତ ଲଡୁରେ ଛନ୍ଦା ଥିଲା ସାଗର ବେକର ହନୁମାନ ଲକେଟଟି ରଙ୍ଗ ଛାଡି, ଜଙ୍କ ଧରି । ବହିଯାଉଥିଲା ଲୁହ ପୁଅ ଫେରିବାର ଖୁସିରେ ।


କେଡେ ଉଚ୍ଛୁର କଲୁରେ ଧନ .......


ସେଦିନୁ ଆଉ କେହି ଦେଖିନି ତାଙ୍କୁ ସମୁଦ୍ର କୂଳରେ ।


******************************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational