Lokanath Rath

Tragedy Inspirational

3.9  

Lokanath Rath

Tragedy Inspirational

ଫେରିବାଲା

ଫେରିବାଲା

4 mins
175


ସୁଦାମ ଆଜିକୁ ତିରିଶ ବର୍ଷ ହେବ ସହରର ଗଳିକନ୍ଦିରେ ବୁଲି ବୁଲି ତା ଠେଲା ଗାଡ଼ିରେ ବିଭିନ୍ନ ଘର କରନା ଜିନିଷ ବିକି ଆସୁଛି l ତା ହେତୁ ହେବ ଦିନ ଠାରୁ ସେ ନିଜେ ପ୍ରଥମେ ମୂଳ ଲାଗି ନିଜ ପେଟ ପୋଷୁଥିଲା l ପିଲାଦିନୁ ସେ ପିତା ମାତାଙ୍କୁ ହରାଇଥିଲା l ହେଲେ କେବେ ସେ ପେଟ ପାଇଁ ଭିକ ମାଗି ନାହିଁ l ନିଜେ ଖଟି କରି ନିଜ ପେଟ ପୋସିଛିlଧୀରେ ଧୀରେ କିଛି ଅର୍ଥ ସଞ୍ଚୟ କରି ସେ ଏହି ବୁଲି ବୁଲି ବିକିବାର ବ୍ୟବସାୟ ଆରମ୍ଭ କଲା l ବୟସ ଏବେ ୫୫ ପାଖ ପାଖି l ନିଜ ପେଟ ପୋଷିବାରେ ଏତେ ବ୍ୟସ୍ତ ରହିଲା ଯେ ସଂସାର ଗଢିବାକୁ ସମୟ ହେଲା ନାହିଁ କି ସମ୍ବଳ ବି ହେଲା ନାହିଁ l ନିଜ ପିତା ମାତା ରହୁଥିବା ବସ୍ତିର ଛୋଟିଆ ଘରେ ସେ ଏକ ରହୁଛି l ତାକୁ ଗଳିର ଲୋକେ ଭିନ୍ନ ଭିନ୍ନ ନାଁରେ ଡାକନ୍ତି l କେହି ଡାକେ ଫେରିବାଲା, କେହି ଡାକେ ଫେରିବାଲା ମଉସା ଆଉ ବହୁତ କାମ ଲୋକ ଖାଲି ମଉସା ବୋଲି ଡାକନ୍ତି l ମଉସା ଡାକ ଶୁଣି ସେ ବହୁତ ଖୁସି ହୋଇଯାଏ, ଲାଗେ ଯେମିତି ସେମାନେ ତାର ଅତି ନିଜର ଲୋକ l ତା ଭିତରେ ବି ସେ ବାକିରେ କିଛି ଦେଇ ଯାଏ ଓ ପର ବାରିରେ ଆସି ପଇସା ନେଇଯାଏ l ତା ଗ୍ରାହକମାନଙ୍କ କିଛି ନିର୍ଦ୍ଦିଷ୍ଟ ଜିନିଷର ଦରକାର ଥିଲେ ବଜାରରୁ ଯୋଗାଡ଼ କରି ଆଣି ଦେଇଯାଏ l ସେଥିରେ ସେ ଆତ୍ମସନ୍ତୁଷ୍ଟି ଲାଭ କରେ l ତା ପାଖରୁ କିଣିଲେ ଲୋକେ ବଜ଼ାର ଦାମ ଠାରୁ ଟିକେ ଶସ୍ତାରେ ପାଆନ୍ତି ଓ ଭଲ ଜିନିଷ ପାଆନ୍ତି l ଅତି କାମ ଲାଭରେ ସେ ବିକ୍ରି କରିଦିଏ l ବ୍ୟବସାୟ କଲେ ବି ସେ ସବୁବେଳେ ତା ଗରାଖଙ୍କ ସୁବିଧା ଓ ଚାହିଦାକୁ ସବୁ ବେଳେ ଧ୍ୟାନ ଦେଇଥାଏ l ତା ଭିତରେ ବି କେହି କେହି ତାକୁ ସନ୍ଦେହ କରନ୍ତି, କାଳେ ଠକାମିରେ ପଡିବେନି ତ ! ଅନ୍ୟ ବଡ ଦୋକାନୀଙ୍କ ପରି ସେ ସେମାଙ୍କୁ ଜିନିଷ ବ୍ୟବହାରର ଭରସା ବି ଦେଇଥାଏ l ବର୍ଷା ଖରା ଶୀତ ସବୁ ଦିନ ସେ କିନ୍ତୁ ନିଜ ଗରାଖଙ୍କ ସୁବିଧା ଅସୁବିଧା ପ୍ରତି ଧ୍ୟାନ ଦେଇ ଥାଏ l ଖାଲି ସେତିକି ନୁହେଁ ତାର ଆସିବା ସମୟ ପୁରାପୁରି ଘଣ୍ଟା କଣ୍ଟା ପରି ଠିକ ରହେ l କେହି କେହି ତାର ଆସିବା ସମୟକୁ ଦେଖି ସମୟ ଜାଣି ନିଅନ୍ତି l ଗଳିର କିଛି ଟୋକା ପିଲାମାନେ ତାକୁ ଟାହି ଟାପରା କରି ଘଣ୍ଟା ମଉସା ବୋଲି ବି କୁହନ୍ତି l ସେ ସବୁ ପ୍ରତି ସୁଦାମ କେବେ ଦୃଷ୍ଟି ଦିଏ ନାହିଁ l ଯାହା ହେଲେବି ସେମାନେ ବି ଦିନେ ତାର ଗରାଖ ହେବେ l ତା ଭିତରେ ବି ସୁଦାମ କିଛି ସମ୍ପର୍କର ଡୋରି ବାନ୍ଧି ଦେଇଛି l କାହାକୁ ଝିଅ ତ କାହାକୁ ଭଉଣୀ କରି ଦେଇଛି l କେବଳ ସେମାନଙ୍କୁ ସେ ଟିକେ ଅଧିକ ସୁବିଧା ବି ଦିଏ l ସେମାନେ ବି ତାକୁ ପାଣି ବା ଚାହା ଦେଇଥାନ୍ତି l ନିଜେ ନିଜର ସଂସାର କରିନଥିଲେ ବି କିଛି ଲୋକଙ୍କୁ ନିଜର କରିପାରିଛି ସେ ନିଜର ବ୍ୟବହାର ଓ ସମ୍ପର୍କର ଡୋରିରେ ବାନ୍ଧି l ଯଦି ଗୋଟିଏ ବାରିରେ ତା ଦେହ ପା ଖରାପ ହେଲେ ଆସିନପାରେ, ତେବେ ଆର ପାରିରେ ତାକୁ କୈଫିୟତ ଦେବାକୁ ହୁଏ l ସେତେବେଳେ ତାକୁ ଲାଗେ ଯେମିତି ତାର ନିଜର ଲୋକେ ତାକୁ ପଚାରୁଛନ୍ତି l ତାର ହସ ହସ ମୁହଁକୁ ଦେଖି ଲୋକେ କହନ୍ତି, ''ମଉସା ତୁମେ ସବୁ ବେଳେ ଏମିତି ଖୁସିବାସିଆ ହୋଇ କେମିତି ରହୁଛ ?'' ଏହାର ଉତ୍ତରରେ ସୁଦାମ ହସି ହସି କହେ, ''ଆରେ ମାଆ ମୁଁ ଦୁଃଖ କାହା ପାଇଁ କରିବି ? ଆଉ ଦୁଃଖ କଲେ ମୋତେ କଣ ମିଳିବ ? ପ୍ରଭୁଙ୍କ କୃପାରୁ ତୁମମାନଙ୍କ ସହିତ ଦେଖା ହେଇଗଲେ ମୋ ମନ ପୁରୀ ଯାଏ l ତୁମେ ସବୁ ଖୁସିରେ ଥିଲେ ମୁଁ ବହୁତ ଖୁସି ହୁଏ l ''ସୁଦାମ ତାର ସବୁ ଗରାଖଙ୍କୁ ଡାକ ଦେଇ ଡାକେ, କାହାର ନବାର ହେଲେ କେହି ନିଏ, ନହେଲେ ଦିପଦ କଥା ହେଇ ସେ ଆଗକୁ ବଢେ l ଖାଲି ସେତିକି ନୁହେଁ, ପର୍ବପର୍ବାଣିରେ ସେ କରିଥିବା ଝିଅ ଓ ଭଉଣୀଙ୍କୁ ତା ସକ୍ଷମ ଅନୁସାରେ ଭେଟି ବି ଦେଇଥାଏ l ସେମାନେ ଯେତେ ମନାକଲେ ବି ନିଜ ରାଣ ଦେଇ ବୁଝାଇ ଦିଏ l ସେମାନେ ବି ସୁଦାମକୁ ନିଜର ଭାବି ପିଠା ପଣା କଲେ ଖାଇବାକୁ ଦେଇଥାନ୍ତି l ତାର ଏହି ଗରାଖଙ୍କ କିଛି ଭୋଜି ଭାତ ହେଲେ ସେ ନିମନ୍ତ୍ରଣ ବି ପାଇଥାଏ ଓ ଆସି ସେଥିରେ ସାମିଲ ହୁଏ l କହିବାକୁ ଗଲେ ତାର ନିଜର ବୋଲି କେହି ନାହିଁ, କିନ୍ତୁ ବହୁତ ଲୋକଙ୍କୁ ସେ ନିଜର କରି ନେଇଛି l ସୁଦାମ କିନ୍ତୁ ତା ବ୍ୟବସାୟରେ କେବେ ଅବହେଳା କରେ ନାହିଁ l କହେ, ''ଏ ପର ମାଆ ଲକ୍ଷ୍ମୀ ସାଆନ୍ତାଣୀ l ମୋର ଭାତ ହାଣ୍ଡି l'' ସୁଦାମ ଓ ତାର ଗରାଖଙ୍କ ଭିତରେ ଗୋଟିଏ ଅଲଗା ସମ୍ପର୍କ l 

ହଠାତ କିଛି ପାଳି ସୁଦାମ ଆଉ ତା ଗାଡି ଧରି ଆସି ପାରିଲା ନାହିଁ l ସେ ବହୁତ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସା ହେଉଥାଏ l ତା ମନ କିନ୍ତୁ ଭାରି ବ୍ୟସ୍ତ ଯେ ତା ଗରାଖ ବଡ଼ ହଇରାଣ ହେଉଥିବେ l ଏଣେ ସେ ଝିଅ କରିଥିବା ରେବତୀ ଓ ସୁଷମା ବି ମନେମନେ ତାକୁ ଖୋଜୁଥାନ୍ତି l ତା ଗରାଖ ଭଉଣୀ ସୁକାନ୍ତି ବି ବଡ ବ୍ୟସ୍ତ ହେଉଥାଏ l ସେମାନେ ବସ୍ତିରେ ପହଞ୍ଚି ତା ଖବର ନେଲେ ଓ ଜାଣିଲେ ଯେ ସେ ହସ୍ପିଟାଲରେ ଅଛି l ସେମାନେ ଶୀଘ୍ର ହସ୍ପିଟାଲ ଗଲେ ଓ ଡାକ୍ତରଙ୍କ ଠାରୁ ସବୁ ବୁଝିଲେ l ଏବେ ସୁଦାମକୁ ଭଲ ହେବାକୁ ଆଉ କିଛି ଦିନ ଲାଗିବ l ସେମାନେ ସୁଦାମ ପାଖକୁ ଗଲେ, ଅଭିମାନରେ କହିଲେ, ''ଆମକୁ ତୁମେ ପରା କରିଦେଲ l ଟିକେ ଖବର ଦେଲନି l ଏବେ ତୁମେ ପୁରା ଠିକ ହେବ ଯାଏ ଏଇଠି ରହିବ l ଆମେ ସବୁ ଆସିବୁ l ଆମେ ପରା ସବୁ ଅଛୁ, କିଛି ହେବ ନାହିଁ l ''

ଏତକ ଶୁଣି ସୁଦାମ ଆଖିରୁ ଲୁହ ଗଡ଼ିଗଲା l ତା ଆଖିରୁ ଲୁହ ପୋଛି ଦେଇ ରେବତୀ ଓ ସୁଷମା କହିଲେ, ''କାନ୍ଦୁଛ କାହିଁକି ମଉସା ?ତୁମ ହସ ପରା ଆମ ପାଇଁ ଲକ୍ଷେ ଟଙ୍କା!'' ସୁକାନ୍ତି କହିଲା,''ଭାଇ ଟିକେ ହସି ଦିଅ l ଆମେ ପରା ସବୁ ଅଛୁ l ''ସୁଦାମ କହିଲା, ''ନାଇଁରେ,ଏଇଟା ମୋର ଖୁସିର କାନ୍ଦ l ମୋ ଭଳିଆ ଫେରିବାଲା ପାଇଁ ତୁମକୁ ଏଇଠି ଦେଖି ଓ ତୁମ ସ୍ନେହ ପାଇଁ ମୁଁ ଅଧେ ଠିକ ହେଇଗଲିଣି l ଏବେ ବୁଝିଲି ପ୍ରଭୁ ମୋତେ ଫେରିବାଲା କାହିଁକି କଲେ ?ତୁମମାନଙ୍କର ଏତେ ସ୍ନେହ ପାଇବାକୁ ମୋର ଥିଲା ବୋଲି l ଏବେ ତୁମେ ସବୁ ଘରକୁ ଯାଆ l ମୁ ଶୀଘ୍ର ଠିକ୍ ହେଇ ଆସିବି l ''ସେମାନେ ସବୁ ନିଜ ନିଜ ଘରକୁ ଗଲେ l ସୁଦାମ ଖୁସିରେ ହାତ ଯୋଡି ତାର ପୂଜ୍ୟ ଭଗବାନଙ୍କୁ ନମସ୍କାର କରି କୃତଜ୍ଞତା ଜଣାଉଥାଏ l ସେ ଖାଲି ଫେରିବାଲା ନୁହେଁ, ତାର ବି ଗୋଟିଏ ଏବେ ବଡ ପରିବାର ହୋଇଯାଇଛି l lll



Rate this content
Log in

Similar oriya story from Tragedy