Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Jyotiranjan Sahu

Tragedy Inspirational


3  

Jyotiranjan Sahu

Tragedy Inspirational


ଫାଇଟ୍ ( ମୁଁ ଆଉ ମୋ ସହ )

ଫାଇଟ୍ ( ମୁଁ ଆଉ ମୋ ସହ )

5 mins 260 5 mins 260


ଆଜି ପୁରା ଦରଖଳି ଗାଁର ସବୁଆଡେ ଚର୍ଚ୍ଚା । ଚର୍ଚ୍ଚାର କାରଣଟା କଣ ଜାଣନ୍ତି ? କାରଣଟା ହେଉଛି ଆଜି ସେହି ଗାଁର ସମସ୍ତଙ୍କର ଅତି ଆପଣାର ଗପୁ ଭାଇ ମନୋନୀତ ହୋଇଛନ୍ତି ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାପାଇଁ । ସାଙ୍ଗମାନେ ସତେଅବା ପାଗଳ ହୋଇଯାଇଛନ୍ତି ଏଖବର ଶୁଣିବାପରେ । ଗପୁ ଭାଇର ପରିବାର ଲୋକ ଏପର୍ଯ୍ୟନ୍ତ ବିଶ୍ବାସ କରିପାରୁନାହାନ୍ତି ତାଙ୍କର ଗପୁ ଆଜି ସାହିତ୍ୟ ଏକାଡେମୀ ପୁରସ୍କାରର ବିଜେତା । ନିଜେ ଗପୁ ମଧ୍ୟ ବିଶ୍ବାସ କରିପାରୁନଥାଏ ନିଜ କାନଉପରେ । କିଛି ସମୟର ଅନ୍ତରାଳରେ ଘରେ ଲାଗିଗଲା ସାମ୍ବାଦିକଙ୍କର ଗହଳି । ଗାଁ ଶେଷଆଡକୁ ସେହି ନୁଆଁଣିଆ ଦୁଇ ବଖରା ଟାଇଲଘରେ ଲୁଚିରହିଥିବା ସେହି ପ୍ରତିଭାକୁ ଦେଖିବାପାଇଁ ସାମ୍ବାଦିକମାନେ ବ୍ୟଗ୍ର । ସର୍ବାଗ୍ରେ ନିଜନିଜର ଟିଭି ଚ୍ଯାନେଲ୍ ରେ ଖବର ପ୍ରସାରଣ କରିବା ପାଇଁ ସବୁ ସାମ୍ବାଦିକ ପୂର୍ଣ୍ଣ ପ୍ରସ୍ତୁତ । ଚାରିପ୍ରାଣୀ ପାଇଁ ନିଅଣ୍ଟ ଘରଟା ଏତେ ଜନଗହଳିକୁ କେମିତି ନିଜ ଭିତରେ ସାଉଁଟିପାରିଥାଆନ୍ତା ! ବୋଧହୁଏ ସେହିକାରଣରୁ ସାମ୍ବାଦିକମାନେ ସେହି ପ୍ରତିଭାର ସାକ୍ଷାତକାର ନେବାପାଇଁ ଘରବାହାରେ ଅପେକ୍ଷାରତ । ବାହାରେ ଚତୁର୍ଦିଗରେ ଗୁଞରିତ ହେଉଥାଏ' ଗପୁ ଭାଇ ଗପୁ ଭାଇ 'ର ଧ୍ବନି । କିଛିସମୟପରେ ଘରଭିତରୁ ବାହାରିଲେ ଜଣେ ବ୍ୟୋୟଜ୍ୟେଷ୍ଠ ବ୍ୟକ୍ତି । ସେ ନିଜର ପରିଚୟ ଦେଇ କହିଲେ " ଆପଣ ସମସ୍ତଙ୍କୁ ମୋର ବିନମ୍ର ପ୍ରଣାମ । ମୁଁ ଗପୁର ବାପା । ତାର ଶରୀର ଅସୁସ୍ଥ । ସେଥିପାଇଁ ସିଏ ଏଠାରେ ଉପସ୍ଥିତ ହେବାକୁ ଅନିଚ୍ଛୁକ । ତା'ତରଫରୁ ମୁଁ ଆପଣମାନଙ୍କ ପାଖରେ କ୍ଷମାପ୍ରାର୍ଥନା କରୁଛି " । ବାହାରେ ଉପସ୍ଥିତ ସମସ୍ତ ସାମ୍ବାଦିକ ନିଜନିଜ ଭିତରେ କଥାବାର୍ତ୍ତାହୋଇ ଚାଲିଗଲେ । ଏହିସମସ୍ତ କଥୋପକଥନକୁ ରୁମ୍ ଭିତରେଥାଇ ଗପୁ ଶୁଣୁଥିଲା । କିନ୍ତୁ ସେଥିଲା ନୀରବ ଆଉ ନିର୍ବିକାର । ତେବେ ସମସ୍ତଙ୍କର ଅପେକ୍ଷା କିନ୍ତୁ ସେହିଦିନଟିକୁ ଯେଉଁଦିନ ଗପୁ ପୁରସ୍କାର ଗ୍ରହଣ କରିବ । 


       ସମୟ ଗଡିଚାଲିଲା ଆଉ ସମୟସହ ତାଳଦେଇ ବଢିଚାଲିଥିଲା ସଭିଙ୍କର ଉତ୍କଣ୍ଠା । ସେଦିନଟା ଆସିଉପନୀତ ହେଲା । ଉପସ୍ଥିତ ଅତିଥି ଆଉ ବିଶିଷ୍ଟବ୍ୟକ୍ତି ମାନଙ୍କଗହଣରେ ଜଣେପରେ ଜଣେ ପୁରସ୍କାରରେ ସମ୍ମାନିତ ହେଉଥାଆନ୍ତି । ଶେଷରେ ଆସିଲା ସେହି ବହୁ ପ୍ରତିକ୍ଷୀତ ସମୟ । ସମ୍ମାନରସହ ଡକାଗଲା ଗପୁର ନାମ । କରତାଳିରେ କମ୍ପିଉଠିଲା ସେଠାକାର ପରିବେଶ । ସମସ୍ତେ ଅପେକ୍ଷାରତ ଦେଖିବାକୁ କିଏସେହି ଅନାମଧେୟ ବ୍ୟକ୍ତି ଯାହାର ଲେଖନୀ ମୁନରେ ଭରିରହିଛି ଶତସିଂହର ଶକ୍ତି । ସମସ୍ତଙ୍କ ଅପେକ୍ଷାର ଅନ୍ତଘଟାଇ ମଞ୍ଚ ଉପରକୁ ଆସୁଥିଲା ଗପୁ । ହେଲେ ଏକଣ! ଲେଖନୀ ମୁନରେ ଶତସିଂହର ବଳ ରଖୁଥିବା ଲେଖକଟା ହ୍ବିଲ ଚେୟାରରେ । ସମସ୍ତେ ଆଶ୍ଚର୍ଯ୍ୟ । ଆଜ୍ଞା ହଁ ! ଆମ ଗପୁଟା ଦିବ୍ୟାଙ୍ଗ । ତା'ର ଡାହାଣ ହାତ ଆଉ ଡାହାଣ ଗୋଡ ନାହିଁ । କଥା କହିବାକୁ ଅସମର୍ଥ । ମୁଣ୍ଡ ଖପୁରୀର ଅର୍ଦ୍ଧେକ ଭାଗ ହୋଇଛି ପ୍ଲାଷ୍ଟିକ୍ ସର୍ଜରୀ । ସେହି ହ୍ବିଲ ଚେୟାରରେ ଗପୁ ଯାଇ ପହଞ୍ଚିଲା ପୁରସ୍କାର ଗ୍ରହଣ କରିବାପାଇଁ ମୁଖ୍ୟ ଅତିଥିଙ୍କ ପାଖରୁ । ସମସ୍ତେ ନିରୁତ୍ତର ନୀରବ ଗପୁ ମୁହଁରୁ କିଛି ଶୁଣିବା ପାଇଁ । ହ୍ବିଲ ଚେୟାର ପଛରେ ଛିଡାହୋଇଥିବା ଗପୁର ବାପାଙ୍କ ଆଖିରୁ ବହିଚାଲିଥାଏ ଧାରଧାର ଲୁହ । ଗପୁର ଇଚ୍ଛା ଥିଲା ମଞ୍ଚ ପର୍ଯ୍ୟନ୍ତ ହ୍ବିଲଚେୟାରେ କେବଳ ତାର ବାପା ହିଁ ତାକୁ ନେବେ । ଧୀରେଧୀରେ ଗପୁର ବାପା ପକେଟରୁ ବାହାରକଲେ ଲେଖାହୋଇଥିବା କାଗଜର ଫର୍ଦଟିଏ । ଚାଲିଚାଲି ଗଲେ ପୋଡିୟମ୍ ପର୍ଯ୍ୟନ୍ତ । ଥରଥର ଗଳାରେ କହିଲେ " ଏଠାରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନେ । ଆଜି ମୋପୁଅ ମୋତେ ଦେଇଥିବା ଉପହାର ସତରେ ମୋପାଇଁ ଅମୁଲ୍ୟ । ଜଣେ ବାପ ପାଇଁ ଏହାଠାରୁ ଅଧିକ ଗର୍ବର ବିଷୟ ଆଉ କଣ ହୋଇପାରେ ଯେତେବେଳେ ସେ ପରିଚିତ ହୁଏ ନିଜ ପୁତ୍ରର ପରିଚୟରେ । ଆଜି ଏଠାରେ ମୋ ପୁଅର କିଛି ଧାଡିର ବକ୍ତବ୍ୟ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି " । ତେବେ ତାଙ୍କର ଶତତ ପ୍ରୟାସ ବିଫଳ ହେଉଥାଏ ଅଶ୍ରୁରୂପି ଅନ୍ତରର ଭାବାବେଗକୁ ପ୍ରତିହତ କରିବା ପାଇଁ । ସେପଟେ ତାଙ୍କ ବକ୍ତବ୍ୟକୁ ଅନ୍ୟଜଣେ ବ୍ୟକ୍ତିବିଶେଷ ସମସ୍ତଙ୍କ ସମ୍ମୁଖରେ ସଭିଙ୍କ ଉଦ୍ଦେଶ୍ୟରେ ହିନ୍ଦୀରେ ରୂପାନ୍ତରଣ କରୁଥାନ୍ତି । ସମସ୍ତଙ୍କ ଉଦ୍ଦେଶ୍ୟରେ ଗପୁ ଲେଖିଥିବା ସେହି କାଗଜଟିକୁ ପଢିବାକୁ ଆରମ୍ଭ କଲେ ଗପୁର ବାପା । ସେଥିରେ ଲେଖାଥିଲା " ଏଠାରେ ଉପସ୍ଥିତ ସମସ୍ତ ସମ୍ମାନାସ୍ପଦ ବ୍ୟକ୍ତିଗଣ ! ମୋତେ ଆପଣ ଯେପରି ଦେଖୁଛନ୍ତି ମୁଁ ଠିକ୍ ସେହିପରି । ଯଦି କିଛି ଜାଣିପାରୁନଥିବେ ତେବେ ସେଇଟା ହେଉଛି ମୁଁ କଥା କହିବାକୁ ମଧ୍ୟ ଅସମର୍ଥ । ବୋଧହୁଏ ଭଗବାନକଙ୍କର ଏହାହିଁ ଇଚ୍ଛାଥିଲା । ପଞ୍ଚମ ଶ୍ରେଣୀରେ ଦିନେ ଘରୁ ସ୍କୁଲ ଗଲାବେଳେ ହଠାତ୍ ରାସ୍ତାରେ ଟ୍ରକଟିଏ ଭାରସାମ୍ୟ ହରାଇ ମୋ ଉପରେ ଚଢିଗଲା । ଆଉ ସେହିଦିନଠାରୁ ହସ ଖେଳର ଦୁନିଆଁଟା ମୋପାଇଁ ହଠାତ୍ ଅବୁଝା ଅଜଣା ହୋଇପଡିଲା । କୋମଳ ମନର ସେହି ରଙ୍ଗୀନ ଦୁନିଆଁଟା ହଠାତ୍ କେମିତି ମୋପାଇଁ ଗୋଟିଏ ବେରଙ୍ଗ ନନ୍ଦନକାନନରେ ରୂପାନ୍ତରିତ ହୋଇପଡିଲା । ଅବୁଝା ମନଟାକୁ ମୋର ବହୁତ ବୁଝାଇବାକୁ ଚେଷ୍ଟାକରୁଥିଲି । ବାପା ବୋଉର ମିଥ୍ୟା ଆଶ୍ବାସନାକୁ ଯେତେଥର ଭରସିବାକୁ ଚେଷ୍ଟାକରୁଥିଲି ସେତେଥର ତାଙ୍କର ଗୋପନ କ୍ରନ୍ଦନଟା ବାରମ୍ବାର ମୋତେ ଭାଙ୍ଗିପଡିବାକୁ ବିବଶ କରିଦେଉଥିଲା । ଛୋଟପିଲାଟିଏ ଥିଲିମୁଁ । କେତେଅବା ବୁଝୁଥିଲି ! ହେଲେ ଏତିକି ନିଶ୍ଚୟ ବୁଝିପାରୁଥିଲି ଏଦୁନିଆଁରେ ଆଉ କେହି ଥାଉ ନଥାଉ ମୋ ବାପାତ ଅଛନ୍ତି ମୋ ବୋଉତ ଅଛି । ମୋର ଆଉ କେହି ଦରକାର ନାହିଁ । ଜୀବନର ଯନ୍ତ୍ରଣାଟା ଯେବେଯେବେ ମୋତେ ଭୟଭୀତ କରିବାକୁ ଚେଷ୍ଟାକରୁଥିଲା , ସେବେସେବେ ମୁଁ ନିଜକୁ ଲୁଚାଇଦେଉଥିଲି ମୋ ବୋଉର ପଣତତଳେ । ଦୁଃଖ ଯନ୍ତ୍ରଣା ଆଉ ମୋଭିତରେ ଗୋଟିଏ ଅଭେଦ୍ୟ କବଚ ପାଲଟିଯାଇଥାଏ ମୋ ବୋଉର ପଣତଟା । ଦଶ ବର୍ଷର ପିଲାଟିଏ ଆଉଥରେ ଜୀବନକୁ ଜିଇଁବାକୁ ଚେଷ୍ଟାକରୁଥିଲା ତା ବୋଉର ପଣତ ଆଢୁଆଳରେ । ହେଲେ ଆଉଥରେ ଏଦୁନିଆଁକୁ ସମ୍ମୁଖୀନ ହେବାର ସାହସ ତାର ଆଉ ନଥିଲା । କେମିତି ସମ୍ମୁଖୀନ କରାଇଥାନ୍ତି ନିଜକୁ ଏ ଦୁନିଆଁ ସହ ।ଦିନକୁଦିନ ଖୁବ୍ ଅସହାୟ ମନେକରୁଥିଲି ମୁଁ ଯେତେବେଳେ ମନେପଡିଯାଉଥିଲା ମୋର ସୁନେଲୀ ଅତୀତ , ଯେତେବେଳେ ଦେଖୁଥିଲି ମୋର ସାଙ୍ଗମାନଙ୍କୁ । ପ୍ରତିକ୍ଷଣେ ମୁଁ ପାଉଥିଲି ମାନସିକ ନିର୍ଯ୍ୟାତନା । ଜୀବନର ପ୍ରତିଟି କ୍ଷଣ ମୋତେ ମୃତ୍ୟୁ ର ଅନୁଭବ ଆଣିଦେଉଥିଲା । ବୋଝପରି ଲାଗୁଥିଲା ମୋତେ ମୋଜୀବନ । ଅନେକଥର ଆତ୍ମହତ୍ୟାର ବୃଥା ପ୍ରୟାସ ବି କଲି । ମୋର ଏଭଳି ପଦକ୍ଷେପ ଖୁବ୍ କଷ୍ଟ ଦେଉଥିଲା ମୋ ବାପା ବୋଉଙ୍କୁ । 


       ସେଦିନ କଣ ହେଲା କେଜାଣି ବାପା ମୋତେ ଧରି ଖୁବ୍ କାନ୍ଦିଲେ । ମୋ ମନ ବୁଝାଇବାକୁ ନେଇଗଲେ ଘର ବାହାରକୁ । ବହୁତ ଦିନପରେ ସମାଜକୁ ଅତିନିକଟରୁ ଦେଖୁଥାଏ ମୁଁ ମୋର ଏହି ହ୍ବିଲ ଚେୟାର ଉପରୁ । ଚାହୁଁଥାଏ ନୀଳ ଆକାଶକୁ ଅନୁଭବ କରୁଥାଏ ଦେହକୁ ସ୍ପର୍ଶକରିଚାଲିଯାଉଥିବା ଶୀତଳ ପବନକୁ । ମନେମନେ ଭାବୁଥାଏ ଆରେ! ଆଗରୁତ କେବେ ଦେଖୁନଥିଲି ଏଆକାଶଟା ଏତେ ସୁନ୍ଦର ବୋଲି ; ଆଗରୁତ କେବେ ଅନୁଭବ କରିନଥିଲି ପବନର ସ୍ପର୍ଶଟା ଏତେ ମଧୁରବୋଲି ; ହେଲେ ଆଜି କାହିଁକି ମୁଁ ବୁଝିପାରୁଛି ତାର ସ୍ପର୍ଶରେ କଥାକହୁଥିବା ମୋଶରୀରର ଟାଙ୍କୁରା ଲୋମକୂପର ଭାଷା । ଠିକ୍ ଏତିକିବେଳେ 'ମାଛ ନେବ ମାଛ ' କହି ଦ୍ରୁତଗତିରେ ସାଇକେଲ ମାଡି ଆସୁଥାଏ ମାଛ ବିକାଳିଟିଏ । ହଠାତ୍ ମୁଁ ଏକଲୟରେ ଚାହିଁରହିଲି ତା ଗୋଡକୁ । ଦେଖିଲି ତାର ସମ୍ପୂର୍ଣ୍ଣ ଗୋଟିଏ ଗୋଡ କାଠରେ ତିଆରି । ସେଥିରେ ଖଞାଯାଇଛି କିଛି ନୋଟବୋଲ୍ଟ ପୁଣି ହୋଇଛି ଅସଂଖ୍ୟ ମରାମତି । ବୋଧହୁଏ ଦାରିଦ୍ର୍ୟକୁ ଉପହାସ କରିବାର ସୁଯୋଗନଦେଇ ନିଜେନିଜେ ତିଆରି କରିଥିଲା ସେହି କୃତ୍ରିମ ଗୋଡଟା । ମନଟା ମୋର କହିଉଠିଲା ତାମାନେ କଣ ସିଏବି ମୋଭଳି... ... ...। ଗୋଡ ନଥାଇ ମଧ୍ୟ ଲୋକଟିର ଉତ୍ସାହ ମୋମନରେ ସତେଅବା ଖେଳାଇଦେଉଥିଲା ଆଶାର ଏକ ନୂତନ ଆଲୋକ । ସତେକି ସେହି ଲୋକଟି ମୋତେ ଶିଖାଇଦେଇଥିଲା ଜୀବନ ଜିଇଁବାର ଏକ ନିଆରା କୌଶଳ । ତାର ସେହି କାଠ ଗୋଡଟି ଭିତରେ ମୁଁ ଖୋଜୁଥାଏ ନିଜ ଜୀବନର ପୂର୍ଣ୍ଣତାକୁ । ଦେଖୁଥାଏ ଅପୂର୍ଣ୍ଣତା ଭିତରେ ତାର ମାନସିକ ପୂର୍ଣ୍ଣତାକୁ । ମୋତେ ଦେଖି ଲୋକଟି ମୋ ପାଖକୁ ଆସି କହିଲା ' ବୁଝିଲୁ ପୁଅ ! ହାରିବୁନି । ଜମାରୁ ହାରିବୁନି । ମୋଭଳି ଲଢ୍ । ଜୀବନକୁ ଦେଖାଇଦେ ଆମକୁବି ବଞ୍ଚି ଆସେ । ଜୀବନକୁ ଯେତେ ଡରିବୁ ସିଏ ତୋତେ ସେତେ ବେଶି ଡରେଇବ । ଦେଖ୍ ମୋତେ ' । ଏତିକି କହି ସିଏ ବିଜୁଳି ବେଗରେ ସାଇକେଲ୍ ଛୁଟାଇ 'ମାଛ ନେବ ମାଛ' ଡାକ ମାରିମାରି ଚାଲିଗଲା । ମୁଁ ତାର ଯିବା ବାଟକୁ ଚାହିଁଥାଏ । ସେହିଦିନ ସେହି ମାଛ ବାଲାର କାଠ ଗୋଡଟା ମୋତେ ଦେଖାଇଦେଲା ଜୀବନର ଏକ ନୂତନ ଦିଗ । ଶିଖାଇଦେଲା ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଅପରାଜୟ ଭାବେ ସଂଘର୍ଷ କରିବାକୁ । ସେହିଦିନଠାରୁ ମୁଁ ଚେଷ୍ଟାକଲି ବାମ ହାତରେ ଲେଖିବା ପାଇଁ । ଚେଷ୍ଟା କଲି ଜୀବନର ଅନୁଭୂତିକୁ ଶବ୍ଦର କିଆରିରେ ବୁଣିଦେବାପାଇଁ । ଆଉ ସେଦିନର ସେହି ଛୋଟିଆ ଚେଷ୍ଟାର ସମ୍ପୂର୍ଣ୍ଣ ରୂପଟା ହେଉଛି 'ଫାଇଟ୍' । ଆଜ୍ଞା ହଁ ! ଯେଉଁ ଫାଇଟ୍ ପାଇଁ ଆଜି ମୁଁ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ; ଯେଉଁ ଫାଇଟ୍ ମୁଁ ଅହରହ କରିଚାଲିଛି ମୁଁ ଆଉ ମୋ ସହ । ଆଉ ଶେଷରେ ମୋର ଏହି ପୁସ୍ତକ ଫାଇଟ୍ କୁ ଭଲପାଇଥିବାରୁ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ " । ସେତେବେଳକୁ ସେଠାରେ ଉପସ୍ଥିତ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ଥାନରେ ଛିଡାହୋଇ ଗପୁ ଉଦ୍ଦେଶ୍ୟରେ କରତାଳି ଦେବାରେ ବ୍ୟସ୍ତ ଥିଲେ । ଆଉ ସେହି କରତାଳିର ଶବ୍ଦଟା ଗପୁର ଦୀର୍ଘ ଦିନର ଶୂନ୍ୟ ହୃଦୟରେ ଆଣିଦେଉଥିଲା ପୂର୍ଣ୍ଣତା ॥


                      


Rate this content
Log in

More oriya story from Jyotiranjan Sahu

Similar oriya story from Tragedy