ପେଟରା
ପେଟରା
ଆମ ଜେଜ ଚାରି ଭାଇ, ବାପା ଭରିଆ ପାଞ୍ଚ ଭାଇ, ଆମେ ହେଲୁ ଆମ ବାପାଙ୍କର ପୁଅ ସବୁ ତିନିଭାଇ, ତହିଁରେ ସବୁଠୁ ବଡ ଆମ୍ଭେ .. ... ନାମ : ଦେବନ ।
ବୁଝାପଡୁଛି ତ କେତେ ଲୋକ ଗୋଟେ ଖଞ୍ଜାରେ, ତଳ ଖଞ୍ଜା, ଉପର ଖଞ୍ଜା, ମଝି ଖଞ୍ଜା, ନୂଆ ଖଞ୍ଜା, ପଛ ଖଞ୍ଜା ଭିତରେ ଖଞ୍ଜା ଖଞ୍ଜି ହେଇ ଥାକ ମରା ହେଇଯାଉ ଆମେ ସବୁ । ଯେଝା ଯେଝା କାମ ଆପେ ଭାଗ ବାଣ୍ଟି କରିନିଅନ୍ତି, କାହାକୁ କହିବାକୁ ହୁଏନା । ଯିଏ ଯୋଉଥିରେ ପାରିବାର ସେ ବାହିନବ ସେତକ ଛାଁ ବଳେ ପଶି । ଯୋଉମାନେ ନିପାରିଆ ସେମାନେ ଯୋଗାଣିଆ, ସହଯୋଗୀଆ କାମକୁ ଆରେଇବେ । ହୀନମାନ୍ୟତା, ଠେଲାପେଲା ନାହିଁ । କିଏ କଣ ଆଣେ, କାହା ପିଲା କାହାଠି ଖାଆନ୍ତି କେହି ହିସାବ ମାଗେନି । ଭିତର ଟୁଂ ଟାଂ ବି ଶୁଭେନି । ଏମନ୍ତ କେମନ୍ତ ବୋଲି ତାରକା ହୁଅନ୍ତି ଦେଖଣାହାରୀଏ । ବଡ ଖଞ୍ଜା ମଝିରେ ଗୋଟେ ତିନିଫୁଟିଆ ଓସାର ଗଳି ପରି ଥାଏ, ଯାହାର ତଳଟି ଗୋଟିଏ କୋଡିଏ ହାତ ଲମ୍ବ ପଥରରେ ତିଆରି । ସେ ପଥର କାଳେ ଇନ୍ଦ୍ରଦ୍ୟୁମ୍ନ ରଜା ବଡଦେଉଳ ତୋଳେଇଲା ଜେଜଙ୍କ ଜେଜ ଇନାମୀରେ ପାଇଥିଲେ .... ପ୍ରଭୁଭକ୍ତି ଓ ଦେଶପ୍ରୀତିରେ ସନ୍ତୁଷ୍ଟ ହୋଇ ରାଜା କାଳେ ଶିରିପା ବାନ୍ଧି ସସମ୍ମାନେ କେତେ ମାଲପା ସହ ଏ ଖଣ୍ଡିକ ଦେଇ କହିଥିଲେ ଏଇଟି ରାଜଶିଳା .... ଯେଣେ ରହିବ ଅଖଣ୍ଡ କରି ରଖିବ ବୁନିଆଦି ପରମ୍ପରା । ବାସ୍ ସେଦିନୁ ସିଏ ଯୋଡିରଖିଛି ରାଜଆଜ୍ଞା ପାଳି । ତିଳେ ଅମାନ୍ୟ ନାହିଁ, ହେଲେ ସେ ମାଲପା ତକ ?
ଏଇ ଖଣ୍ଡିକିଆ ପଥର ତଳେ କି ଆଉ ...... ? ଚାରି ଆଠ ପୀଢିରୁ ପ୍ରଶ୍ନ ବୁଲୁଛି । ଆଗେ ଆଗେ ତ କିଛି ଅଭାବ ନଥିଲା, ସେ କଥାକୁ ବି ଖୋଜାଖାତିରି ମାନେ ଭ୍ରୂକ୍ଷେପ ନଥିଲା .... ଏବେ ଏବେ ଟିକେ କଥାଟା ବଢିଲାମିତି ଲାଗୁଛି ।
ପିଲାଦିନେ ମୋ ଅକ୍ଷର ସୁନ୍ଦର ଆଉ ବାପା ଆମର ହେଡପଣ୍ଡିତ ବୋଲି ମୋର ଟିକେ ବେଶୀକି ଖାତିରି । ସେଇ ନିୟମ ଅନୁସାରେ ଜେଜ ମତେ ଖରାବେଳିଆ ଖଳାବାରିଠି ନାକଚଣାଆମ୍ବ ଗଛ ମୂଳେ ଡକେଇ ହସ୍ତାକ୍ଷର ଲେଖାନ୍ତି ନିୟମ କରି । ଅନୁଜ ତକ ବି ପିଛେ ପିଛେ ଚକା ପାରି ବସି ପଚିଶିକ ପଣିକିଆ ଘୋଷନ୍ତି । ମାନସାଙ୍କ ପଚରା ଚକ୍ରରେ ବ୍ରହ୍ମଚାପୁଡା ବସି ମେଞ୍ଚେ ଚଢେଇ ମୁଣ୍ଡ ଭିତରୁ ଉଡିଆସି କାନ ଭାଁ ଭାଁ କରନ୍ତି । ଦିନା କେତେ ଅନ୍ତେ ଦିନେ ଜେଜ ମତେ କହିଲେ,
_ ଆରେ ବାପା ଦେବନ ଲେଖିବୁଟି ।
ସାଙ୍ଗେ ସାଙ୍ଗେ ଖାତା କଲମ ସଜିଲ କରି ଅଣ୍ଟା ସଳଖି ବସିଗଲି । ଜେଜେ ଡାକିଲେ ....
" ବଂଶଲତିକା " କୋଉ ପରଜେଜଙ୍କଠୁ ଆରମ୍ଭ ହେଇ ମୋ ସବା ସାନ ଭଉଣୀ ସାରିଆଠି ସରିଲା ।
_ ଏଇଟା କଣ ହୁଏ ? ମୋ ପ୍ରଶ୍ନର କିଛି ଜବାବ ଫେରିଲାନି । ଜେଜ କୋଉ ଅନନ୍ତ ଚିନ୍ତାରେ ଆହୁରି ଅନନ୍ତ ଆକାଶର ଗୋହିରୀରେ ହଜିଥିଲେ ।
ସଂଜକୁ ଦିଅଁ ଘରେ ' କି ସୁନ୍ଦର ଆହା, କି ଆନନ୍ଦମୟ ' ଗାଇ ସାରିଲା ପରେ ଏକ ବାଉଁଶ ପେଟେରା ଦେଇ କହିଲେ
_ ଏଇଟି ଏକ ମହାନ୍ ସମ୍ପତ୍ତିରେ ବାପ, ସମ୍ଭାଳି ଥିବୁ । ତୋ ହାତରେ ଧରୋହର ଥାପିଲି । ଏବେ ମୋ ଥାକରେ ଥାଉ, ଛୋଟ ପିଲା ଏଇନା ତୁ । କହି ତାଙ୍କ କାଠ ଆଲମାରୀର ସଭା ଉପର ଥାକରେ ଥୋଇଦେଇ କୁଞ୍ଚିକାଠି ପଡିଲା ଆଉ ଝୁଲିଲା ଜେଜଙ୍କ ପଇତାରେ ।
_ ତା ' ଭିତରେ କଣ ଅଛ ଜେଜେ? ପ୍ରଶ୍ନ, ପ୍ରଶ୍ନ, ପ୍ରଶ୍ନ ।
ଯେମିତି ବିନା ପ୍ରଶ୍ନରେ ସୃଷ୍ଟି ସମ୍ଭବର ସମ୍ଭାବନା ବି ନାହିଁ ।
ଏଇ ଜୀଗିଷା ଇ ତ ଜୀଆଁଇ ରଖେ ଆଜି, କାଲି ଆଉ ଆସୁଥିବା କାଲିକୁ ।
ପୁଣି ଦିଅଁଙ୍କ ଆଖି ଭିତର ଗହଳିରେ ହଜିଗଲେ ।
ସଭାସାନ ସାରିଆ, ବାହା ତୋଳା ପରେ ବି ଯେବେ ଆସେ, ଶାଶୁ ଘର ଫେରନ୍ତା ବେଳେ
'କାନ୍ଦୁଥା ଯାହା ପାଉଛୁ ବାନ୍ଧୁଥା ' କରୁ କରୁ ପେଟେରା ଥାକକୁ ଚାହିଁ ବାହୁନେ, 'ହା 'ମୋରି ଜେଜ, କି ପାତରଅନ୍ତର କଲ ହେ । । ହା' ମୋରି ଜେଜ' ।
ଜେଜେ କୋଉ କାଳୁ ସେ ଆକାଶ ଗୋହିରୀରେ ତାରା ହେଇ ହଜିଲେଣି କିନ୍ତୁ ମୁଁ ଦିନେ କାହାକୁ ହାତ ମରେଇ ଦେଇଛି ନା ଆଗେ । ଯୋଉଠି ଥିଲା ସେଇଠି ।
****************
ନଈରେ ପାଣି ବଢିଲେ ପଙ୍କ ବୁଟ୍ ହେଇଯାଏ ତ ସେପାରିରୁ ଜେଜ, ଜେଜ ଡାକ ଦେଲେ 'ହ, ହ ଆସୁଛି । ଧୈର୍ଯ୍ୟ ଧର । '
କାନ୍ଧରେ ବସେଇ ପଙ୍କୁ ଉଦ୍ଧାରନ୍ତି ଜେଜ ମାନେ, ତାଙ୍କ ଅନୁଭବର ଠେଙ୍ଗଣୀ ଭାରି ଦମ୍ଭିଲା । କେତେ କଣକୁ ଆଡେଇ ଟଳେଇ ପାରେଟି ।
ସେଦିନ ସେମିତି ଜେଜଙ୍କ କାନ୍ଧରେ ଜୁଆଳି ପରି ଝୁଲା କରି ଆସୁ ଆସୁ ଗୋଟା ହନୁମତିଆ ବୁଦ୍ଧିରେ କଇଁଚି କୋଳି ବୁଦାକୁ ମୁଠାଏ ତୋଳି ଧରିବାକୁ ହୁଙ୍କିପଡିଲି କି ପାଦ ଖସନ୍ତେ ଜେଜନାତି ଦିହେଁ ପଙ୍କ ଲଟପଟ ବାବନା ଭୁତ । ସେଇ ଦୁର୍ଯ୍ୟୋଗକୁ ଜେଜଙ୍କ ପଇତାରୁ କେମନ୍ତ ମୁକୁଳିଗଲା ସାତ ଗଣ୍ଠି ଦିଆ ପେଟେରା କୋଲପର ଚାବି କାଠିଟି । ଭାଗବତ ଟୁଙ୍ଗିରେ ଜେଜଙ୍କ କୋଳରେ ପଡି ପଇତାରେ ଖେଳୁ ଖେଳୁ ମୁଁ ଆବିଷ୍କାର କଲି ଆଉ ଚମକି ଉଠି କହିଲି,
_ ଜେଜେ,ଚାବି?
ଥରୁଟେ ପଇତାକୁ ପିଠି ଆଡୁ ପେଟ ଆଡକୁ ଦି ଘେରା ତଳଉପର କରିଦେଇ ନିର୍ବିକାର ଜେଜ ଠାରିଲେ, 'ମନ ଦେଇ ଶୁଣୁ ଭାଗବତ କଥା,କୃକଲାସ ଉପାଖ୍ୟାନ । '
ଘରଫେରନ୍ତା ବାଟରେ ପୁଣି ପଚାରିଲି, 'ଜେଜ ଚାବି ତ ହଜିଗଲା, ଏଇନା ପେଟେରା ...... ' ।
ଜେଜ କହିଲେ,' ହୁସ୍, ବାଟ ଦେଖିକି ଚାଲ । ତୁ ଜେଜ ହେଲେ ଯିଏ ଦେବନ ହବ ତାକୁ ଦେଇଦବୁ ଗଲା । '
ସରଳ ମନ ମୋର ପାଶୋରି ଗଲା ସହଜେ ।
*************
ଏବେ ଷାଠିଏ ପୁରି ଏକଷଠି ଚାଲିଲା ।
ଏବେ ଆଉ ସେ ଖଞ୍ଜା ଘର ନାହିଁ, ହାଣ୍ଡିକୁଣ୍ଡି ସବୁ ଭିନ୍ନେ । ସେଥିରେ ପୁଣି ଏତେ ନିଅଣ୍ଟିଆ ସବୁ ଯେ ପାଣି ବୋହୁନି କାଳେ । ମନ ଫଟା ଫଟି କେବେଠୁ । ଆଞ୍ଜୁଳି ଆଞ୍ଜୁଳି ଲୁହରେ କି ଲହୁରେ ପାତଳ ପାତାଳ ।
ସେଇ ତିନି ଫୁଟିଆ କୋଡିଏ ହାତ ଲମ୍ବ ପ୍ରସ୍ତରଟି ସ୍ଥିର, ନିଦାପଥର । ଆବଶ୍ୟ ମଳିଛିଆ ଧରିଗଲାଣି ଏକୁଟିଆ ପଡି ପଡି ..... ମୋ ଆଖିରେ ବି ପରଳ ପଡି କାଟରିକ । ଭୁଲା ରୋଗଟା ବି ଜୋର ଧରିଲାଣି । କାନ ଶୁଭିଲାଟା ବି ଅଳପେଇଲାଣି ।
କାଲି ମୋ ଠୁ ଛ' ବରଷରେ ସାନ ମୋ ସାନ ଭାଇ ଆଉ ସଭାସାନ ସାରିଆ ଗାଆଁରୁ ଫୋନ୍ କରି ପଚାରିଲେ,
'କାଇଁ ଏ ପାଚିଲା କାଳେ ଲୋଭେ ବୁଡିଲ? ଆଉ କେତେ ଦିନ ? ସଞ୍ଚିଲା ଧନ ପରା ଖଣ୍ଟ ଖାଏ, ଖୋଲୁନ ତାକୁ ! ଆଉ କଣ କିଛି ଅଛି? ନା ସବୁ ରୁଣ୍ଡେଇ ପୁଣ୍ଡେଇ ଘେନିଛ?ଧରମ ସହିବନି । ଏଇନା ବି ବେଳ ଅଛି........ ।
ଆହୁରି କଣ କଣ । ସାଧାରଣ ସଣ୍ଠଣା ତକ ବି ସ୍ୱାହା ହେଇସାରିଛି ତେବେ, ଶବ୍ଦ କହୁଛି ।
ଏବେ ମୁଁ ଜେଜ ହେଇ ସାରିଥିଲି ।
ହେଲେ ଦେବନ?
ଆଉ ଚାବି?
କଣ କହୁଛନ୍ତି ଏମାନେ?
