Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ପ୍ରିୟଦର୍ଶିନୀ ମହାନ୍ତି

Tragedy


3  

ପ୍ରିୟଦର୍ଶିନୀ ମହାନ୍ତି

Tragedy


ପେଇଂ ଗେଷ୍ଟ

ପେଇଂ ଗେଷ୍ଟ

4 mins 217 4 mins 217


   ପାଣିଜାହାଜରେ ଯାତ୍ରା କରୁଥିବା ଅଭିଷେକ କ'ଣ ଜାଣିଥିଲା ତା' ଜୀବନର ଜାହାଜ ଏଇ ଅଥଳ ସାଗରରେ ଲୀନ ହୋଇଯିବ ବୋଲି!!ଦୁଭାଗ୍ୟବଶତଃ ଜାହାଜଟି କେଉଁ ଏକ ବିରାଟକାୟ ଜଳଚର ପ୍ରାଣୀ ଦେହରେ ପିଟି ହୋଇ ଭାରସାମ୍ୟ ହରାଇଲା।ପାଇଲଟ ମଧ୍ୟ କୌଣସି ମତେ ନିୟନ୍ତ୍ରଣ କରିପାରିଲାନି ଜାହାଜକୁ। ପ୍ରାଣବିକଳରେ ଇତଃସ୍ତତ ଯାତ୍ରୀମାନେ ଧାଉଁଥାନ୍ତି।ଚିତ୍କାର କରୁଥାନ୍ତି ବଞ୍ଚାଅ, ବଞ୍ଚାଅ। କିଛି ଭାବିବା ପୂର୍ବରୁ ଗହଳ ଚହଳ ବନ୍ଦ ହୋଇ ଶୂନ୍ ହୋଇଗଲା ସବୁ। ଏକ ଶକ୍ତ ଧକ୍କାରେ ଭୂମିକମ୍ପ ପରି କମ୍ପନ ହେବା ସହ ବିରାଟକାୟ ଶବ୍ଦ କରି ବୁଡିଗଲା ଜାହାଜଟି।ସେଇ ଜାହାଜର ଯାତ୍ରୀ ଥିଲା ଅଭିଷେକ।


   ସୁଦୂର ଅଷ୍ଟ୍ରେଲିଆରେ ଚାକିରୀ ପାଇବାର ଖିସିରେ ସେ ଯାଉଥିଲା ତା' ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ କରିବାକୁ। ପ୍ରଥମଥର ଜାହାଜରେ ଯାତ୍ରା କରୁଥିବାରୁ ଉତ୍କଣ୍ଠିତ ମଧ୍ୟ ଥିଲା।ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଭଗବାନଙ୍କ ଦୟାରୁ ଭଲ ଚାକିରୀଟିଏ ମିଳିଗଲା।କିନ୍ତୁ ଏମିତି ତା' ଜୀବନର ପରିସମାପ୍ତି ଘଟିବ ବୋଲି ସେ କ'ଣ ଜାଣିଥିଲା।ସ୍ବପ୍ନ ଗୁଡିକ ନିମିଷକେ ଧୋଇଗଲା।।ବଣ ପାହାଡ଼ ଘେରା ସହର ଠାରୁ ବହୁତ ଦୂରରେ ତା ଘର। ବୃଦ୍ଧ ମାଆ ବାପାକୁ ନେଇ ତା' ପରିବାର।


   କିଛି ଘଣ୍ଟା ପରେ ଖବର ଆସି ପହଂଚିଗଲା ଅଭିଷେକର ବାପା , ମାଆଙ୍କ ପାଖେ।ନିୟତି ବି କେଡେ ଅବିବେକି କେଡେ ନିଷ୍ଠୁର ସତେ!ବାପା, ମାଆ ଥାଉ ଥାଉ ସନ୍ତାନର ମୃତ୍ୟୁ ଅତି ଦୁଃଖଦ ଘଟଣା। ଦୁଃଖର ପାହାଡ଼ ଯେପରି ତାଙ୍କ ଉପରେ ଲଦି ହୋଇଗଲା।ଖୁବ ଅବିଶ୍ୱାସନୀୟ କଥା। ସହଜରେ ଗ୍ରହଣ କରିପାରୁନଥିଲେ ଏ କଥାକୁ ତା ବାପା, ମାଆ।ପଡୋଶୀ ଆସି ସମବେଦନା ଦେଲେ।ଏବେ ବୃଦ୍ଧ ବାପା ମାଆ ଏକଲା। ଜୀବନର ଶେଷ ସମୟରେ ସେ ବେସାହାରା।କିନ୍ତୁ ମାଆ ମନ ମାନିବାକୁ ଅପ୍ରସ୍ତୁତ। ମାଆଙ୍କ ଯଥେଷ୍ଟ ବିଶ୍ୱାସ ପୁଅ ତାଙ୍କର ବଞ୍ଚିଛି ଏବଂ ଦିନେ ନା ଦିନେ ନିଶ୍ଚୟ ଆସିବ।


   କ୍ଷୀଣ ଦେହରେ କାମ କରି ପେଟ ପୋଷିବାକୁ ସେମାନେ ଅକ୍ଷମ।ତେଣୁ ସେମାନେ ନିଷ୍ପତି ଦେଲେ ଘରକୁ ଭଡା ଦେବେ ଏବଂ ସେହି ପଇସାରେ ଗୁଜୁରାଣ କରିବେ।କିନ୍ତୁ ପରେ ଭାବିଲେ ଯେ ଘରଟି ଭଡା ଦେଇଦେଲେ ସେମାନେ ରହିବେ ବା କେଉଁଠି।ଏଇ ଘରଟା ହିଁ ତାଙ୍କ ସମ୍ବଳ।ତେଣୁ ସେ ନିଷ୍ପତି ନେଲେ ଘରଟିକୁ ଭଡା ନ ଦେଇ ପେଇଂ ଗେଷ୍ଟ ହିସାବରେ ଘର ଦେବେ।


  ଘର ବାହାରେ ବୃଦ୍ଧ ଦମ୍ପତି ହୋଡିଂ ଲାଗେଇଦେଲେ "ଓନଲ୍ଲୀ ଫର୍ ପେଇଂ ଗେଷ୍ଟ"।

ତା' ପରେ ଘରକୁ ଅନେକ ଗେଷ୍ଟ ଆସନ୍ତି।ନିର୍ଦ୍ଧାରିତ ଦିନ ଯାଏଁ ରୁହନ୍ତି ଓ ଉଚିତ ପାଉଣା ଦେଇ ବାହୁଡ଼ିଯାନ୍ତି।

  

 ସମୟର ଗତି ସହ ସମଗତି ଦେଇ ବୟସ ବି ଗଡିଚାଲିଥାଏ।ଦେହର ଦମ୍ଭ, ବଳ କମି କମି ଗଲାଣି। ମନର ଦମ୍ଭ କିନ୍ତୁ ମଜବୁତ ଥାଏ ଯେ ପୁଅ ନିଶ୍ଚୟ ଆସିବ। 

 

  ଥରେ ଅଧ ରାତିରେ କବାଟରେ ମୃଦୁ ଆଘାତ ଶୁଣି ବୃଦ୍ଧ ଦମ୍ପତି ଉଠିଲେ।କବାଟ ଖୋଲି ଦେଖିଲେ ଜଣେ ସୁସ୍ଥ, ସବଳ, ସୁନ୍ଦର ଯୁବକ ଦଣ୍ଡାୟମାନ ତାଙ୍କ ସମ୍ମୁଖରେ।ମୁହଁ କିନ୍ତୁ ସ୍ପଷ୍ଟ ଦିଶୁନଥାଏ।ଆଗନ୍ତୁକ ଜଣଙ୍କ କହିଲେ,"ମୁଁ ପେଇଂ ଗେଷ୍ଟ ହିସାବରେ ରହିବାକୁ ଆସିଛି।ଘର ମିଳିପାରିବକି?"ବୃଦ୍ଧାଟି କହିଲେ ,"ଠିକ ଅଛି ଭିତରକୁ ଆସ"।ଲାଇଟ୍ ମାରିବା ପରେ ବୃଦ୍ଧ ବ୍ୟକ୍ତିଟି ଯୁବକର ବ୍ୟାଗ ନେଇ କୋଠରୀକୁ ଗଲେ।ବୃଦ୍ଧାଟି ଆଲୁଅରେ ଭଲ ଭାବେ ଦେଖିଲା ଯୁବକଟିର ମୁଖକୁ । ଦେଖି ଭାବିଲା ତା' ପୁଅ ମଧ୍ୟ ଠିକ୍ ଏହି ପରି। ବୃଦ୍ଧାଟିକୁ ସେଇ ଆଗନ୍ତୁକ ଯୁବକଟି ଖୁବ ନିଜର ଲାଗିଲା। ରାତି ଅନେକ ହୋଇଗଲାଣି ଯେ ଯାହା କୋଠରୀରେ ଶୋଇଗଲେ।ବୃଦ୍ଧାଟି କିନ୍ତୁ ଚାହୁଁଥିଲେ ଯୁବକ ସହ ଦୁଇ ପଦ କଥା ହେବାକୁ।ଅନେକ ଆସି ରହିଛନ୍ତି କିନ୍ତୁ ଯୁବକ ଜଣଙ୍କ ଆଗମନ ବୃଦ୍ଧା ମନକୁ ଖୁବ ଖୁସି ଦେଇଥିଲା।


  ସକାଳ ହେଲା। ବୃଦ୍ଧ ଦମ୍ପତି ଓ ଯୁବକ ଜଣକ ମିଶି ସକାଳ ଜଳଖିଆ ଖାଇବାକୁ ବସିଲେ। ବୃଦ୍ଧଟି ପଚାରିଲା,"ପୁଅ ତୁମ ନାମ କଣ?ଆଉ କେଉଁ କାମ ପାଇଁ ଏ ଜାଗାକୁ ଆସିଛ?" ଯୁବକଟି ଉତ୍ତର ଦେଲା," ମୋ ନାଁ ବିକାଶ। ଆଉ ମୁଁ ଅଷ୍ଟ୍ରେଲିଆରେ ଚାକିରୀ କରେ।କିଛି କାମରେ ଅଳ୍ପ ଦିନ ପାଇଁ ଏଠାକୁ ଆସିଛି।" ବୃଦ୍ଧାଟି ଆଶ୍ଚର୍ଯ୍ୟ ହୋଇଗଲା।ଆଉ ମନେ ମନେ ଭାବିଲା ମୋ ପୁଅ ମଧ୍ୟ ଅଷ୍ଟ୍ରେଲିଆ ଯିବା ବାଟରେ ହିଁ ଏମିତି ଦୁର୍ଘଟଣା ଘଟିଥିଲା ବୋଲି ଖବର ଆସିଥିଲା। ତେବେ ଏ କ'ଣ ମୋ ପୁଅ! ନା !ନା ! ପୁଅ ହୋଇନପାରେ।ପୁଅ ହୋଇଥିଲେ ନିଶ୍ଚୟ ଚିନ୍ହିପାରିଥାନ୍ତା।


  ତେବେ ବୃଦ୍ଧ ଦମ୍ପତି ବିକାଶକୁ(ଯୁବକ) ନିଜ ପୁଅ ପରି ଭଲ ପାଇବସିଲେ। ବିକାଶ ବିଳମ୍ବିତ ରାତିରେ ଘରକୁ ଆସିଲେ ବୃଦ୍ଧା ଜଣଙ୍କ ଚାହିଁ ରହିଥାନ୍ତି। ବଳେଇ କରି ଖାଇବାକୁ ଦିଅନ୍ତି।ପୁଅର ମୃତ୍ୟୁ ପରେ ମନରେ ଛାଇଯାଇଥିବା ଦୁଃଖର କଳାବାଦଲ ଧୀରେ ଧୀରେ ଉଭେଇବାକୁ ଲାଗିଲାଣି ଉଭୟଙ୍କ ମନରେ।ପ୍ରତ୍ୟେକ ଦିନ ବୃଦ୍ଧାଟି ବିକାଶର ମନ ପସନ୍ଦ ଖାଇବା ତିଆରି କରନ୍ତି। ବିକାଶ ମଧ୍ୟ ଆବଶ୍ୟକୀୟ ଜିନିଷ ଆଣିଦିଏ ଘର ପାଇଁ। ଖୁବ ଗୋଟେ ମାଆ ପୁଅର ସମ୍ପର୍କ ଗଢି ଉଠିଲାଣି ଉଭୟଙ୍କ ମଧ୍ୟରେ। ବିକାଶ ମଧ୍ୟ ବାପ, ମାଆ ଛେଉଣ୍ଡ। ସେଥିପାଇଁ ଖୁବ ଶୀଘ୍ର ସେ ବୃଦ୍ଧ ଦମ୍ପତିଙ୍କୁ ପ୍ରିୟ ହୋଇପାରିଲା।


  ଥରେ ବିକାଶ କାମରେ ବାହାରିଯିବା ପରେ ବୃଦ୍ଧା ଟି ତା' କୋଠରୀକୁ ଯାଇଥିଲା। ହଠାତ ତାଙ୍କ ନଜର ପଡିଲା ଟେବୁଲ ଉପରେ ପଡିଥିବା ଏକ ଲକେଟ ଉପରେ।ନାଲି ସୂତାରେ ଲାଗିଥିଲା ଗୋଲାକାର ଲକେଟ। ବୃଦ୍ଧାଟି କାଳବିଳମ୍ବ ନ କରି ଲକେଟଟିକୁ ଖୋଲିଲା। ଖୋଲିବା ପରେ ଆଶ୍ଚର୍ଯ୍ୟ ହୋଇଗଲା। ଏ ଲକେଟ ଭିତରେ ଉଭୟ ବୃଦ୍ଧ ଦମ୍ପତିଙ୍କର ଫଟୋ। ବୃଦ୍ଧାଟି ଆନନ୍ଦରେ ଗଦଗଦ ହୋଇଗଲା। ଏ ତ ସେଇ ଲକେଟ ଯୋଉ ଲକେଟ ତାଙ୍କ ପୁଅ ସବୁବେଳେ ବେକରେ ପିନ୍ଧେ। ଖବରଟି ନିଜ ସ୍ୱାମୀକୁ ଜଣେଇଲା। ଉଭୟ ବର୍ତ୍ତମାନ ନିଶ୍ଚିତ ଯେ ୟେ ନିଶ୍ଚୟ ତାଙ୍କ ପୁଅ। ହେଲେ ପୁଅ କାହିଁ ଚିନ୍ହିପରିଲାନି ବାପା , ମାଆ ଙ୍କୁ,ଆଉ ନାମରେ, ମୁହଁ ରେ ଏତେ ପରିବର୍ତ୍ତନ?


  ଏ ପ୍ରଶ୍ନର ଉତ୍ତର କେବଳ ବିକାଶ ହିଁ ଦେଇ ପାରିବ।ବିକାଶର ଅପେକ୍ଷାରେ ରହିଲେ ଉଭୟ।ବିକାଶ ରାତ୍ରିରେ ଫେରିବା ଦେଖି ବୃଦ୍ଧା ନିଜକୁ ସମ୍ଭାଳି ନ ପାରି କୁଣ୍ଢେଇ ଧରି କାନ୍ଦି କହିଲେ," ମୋ ପୁଅ ଅଭିଷେକ ତୁ। କୁଆଡେ ଥିଲୁ ଆଜି ଯାଏ।କେତେ ଝୁରିଛି ଏ ଆଖି ତତେ ଦେଖିବାକୁ।ମୋ ସାତ ଜନ୍ମର ତପସ୍ୟା ତୁ। ମୋ ଆଖିର ଲଉଡ଼ି। ମୋ ଜୀବନର ପୁଞ୍ଜି। କୁଆଡେ ଏକା କରି ଯାଇଥିଲୁ!" ବୃଦ୍ଧଟି ଲକେଟ ଦେଖେଇ କହିଲା ,"ଦେଖ ଏ ଲକେଟକୁ।ଏ ଲକେଟ ହିଁ ତୋର ପରିଚୟ ଦେଲା" ଉଭୟଙ୍କ କଥା ଶୁଣି ବିକାଶ ହାତବାକ ହୋଇଗଲା।



  ବିକାଶ ମନେ ପକେଇଲା ସେ ଦିନର କଥା। ଯେଉଁ ଦିନ ସମୁଦ୍ର କୂଳକୁ ଭାସି ଆସିଥିଲା ଏକ କ୍ଷତ ବିକ୍ଷତ ଯୁବକ। ତା' ଲକେଟଟି କାଢି ପିନ୍ଧାଇଦେଇଥିଲା ବିକାଶ ଗଳାରେ। କିଛି କହିବା ପୂର୍ବରୁ ଚେତା ଶୂନ୍ୟ ହୋଇଯାଇଥିଲା ଯୁବକଟି। ତା' ପରେ ବିକାଶ ନେଇଯାଇଥିଲା ଡାକ୍ତରଖାନା କିନ୍ତୁ ସେ ଯୁବକଟିକୁ ବଞ୍ଚାଇ ପାରିନଥିଲା।ତେବେ ଏଇ କ'ଣ ତା'ର ବାପା, ମାଆ।!ଭଗବାନଙ୍କର ଏ କି ସଂଯୋଗ।


   ଉଭୟଙ୍କ ଖୁସି ଦେଖି ବିକାଶ ଚାହୁଁନଥିଲା ସତ କହି ପୁଣି ଥରେ ଅସହାୟ କରିଦେବାକୁ। ଉଭୟଙ୍କୁ ସେ ମଧ୍ୟ ବାପା, ମାଆ ପରି ଦେଖେ। ବହୁତ କାନ୍ଦିଛନ୍ତି ଉଭୟ ପୁଅ କୁ ହରେଇବା ପରେ।ତା'ର ରହଣି ଭିତରେ ସେ ଦେଖିଛି ଉଭୟଙ୍କ ପୁତ୍ର ଜନିତ ଶୋକକୁ। ତେଣୁ ସେ ନିଷ୍ପତ୍ତି ନେଲା ବାକି ଜୀବନ ଅଭିଷେକ ହୋଇ ବିତେଇଦେବାକୁ। ସେତେବେଳ ପର୍ଯ୍ୟନ୍ତ ବୃଦ୍ଧାଟି ବିକାଶକୁ ଜାବୁଡି ଧରି କାନ୍ଦି କାନ୍ଦି ଖୁବ ଗେଲ କରୁଥାଏ। ବିକାଶର ମଧ୍ୟ ଅଜାଣତରେ ଦୁଇ ବୁନ୍ଦା ଲୁହ ଆସିଯାଇଥାଏ।ସେ ବୃଦ୍ଧା ଆଖିରୁ ଲୁହ ପୋଛି କିଛି ମନେ ପଡ଼ିଲା ପରି କହିଲା," ହଁ, ହଁ ମୋର ମନେପଡ଼ିଲା ସବୁ। ଜାହାଜ ଦୁର୍ଘଟଣା ପରେ ମୋର ଚେହେରା ବିକୃତ ହୋଇସାରିଥିଲା ଆଉ ସ୍ମରଣ ଶକ୍ତି ମଧ୍ୟ ଚାଲି ଯାଇଥିଲା। ସର୍ଜରି କରି ମୁହଁ ପରିବର୍ତ୍ତନ କରାଗଲା।ଏବେ ମୋର କିଛି କିଛି ମନେ ପଡୁଛି।" ଏମିତି ମିଛ କଥା କହୁଥିବାରୁ ଖରାପ ଲାଗୁଥିଲେ ମଧ୍ୟ ବୃଦ୍ଧ ଦମ୍ପତିଙ୍କ ଆଖିରେ ଓ ଓଠରେ ଖୁସି ଦେଖି ସେ ଯାହା କରୁଛି ଠିକ୍ କରୁଛି ବୋଲି ଭାବୁଥିଲା। ଏଥିପାଇଁ ତାକୁ ଭଗବାନ ଯେଉଁ ଦଣ୍ଡ ଦେବେ ସେ ମୁଣ୍ଡପାତି ସହିବାକୁ ପ୍ରସ୍ତୁତ।


  ବୃଦ୍ଧ ଦମ୍ପତି ବିକାଶ ଓରଫ ଅଭିଷେକକୁ ପାଇ ବହୁତ ଖୁସି।ପେଇଂ ଗେଷ୍ଟ ହୋଇ ଆସିଥିବା ବିକାଶ ଆଜି ତାଙ୍କ ପୁଅ ଅଭିଷେକ।ଅଭିଷେକ ମଧ୍ୟ ଉଭୟ ବାପା, ମାଆଙ୍କ ସ୍ନେହ ଆଦର ପାଇ ନିଜକୁ ଧନ୍ୟ ମନେକଲା।




   


Rate this content
Log in

More oriya story from ପ୍ରିୟଦର୍ଶିନୀ ମହାନ୍ତି

Similar oriya story from Tragedy