STORYMIRROR

Kanan Bala Nayak

Inspirational

3  

Kanan Bala Nayak

Inspirational

ପାଉଣା

ପାଉଣା

4 mins
67



ଅରୁଣ ବାବୁ ନିଜ ଅଫିସ୍ ର ଫାଇଲ୍ କାମରେ ବୁଡି ରହିଥିବା ବେଳେ ଅଫିସ୍ ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସୁଦାମ ତାଙ୍କ ରୁମ୍ ଭିତରକୁ ପଶି ଆସି ତଳକୁ ମୁଣ୍ଡ କରି ଛିଡ଼ା ହେଲା। ଅରୁଣ ବାବୁ ଫାଇଲ୍ ଉପରୁ ମୁଣ୍ଡ ଉଠାଇ ସୁଦାମ ଆଡ଼କୁ ଅନାଇ କହିଲେ କଣ କିଛି କହିବୁ? ସୁଦାମ କହିଲା ସାର୍ ମୋତେ ଗୋଟେ ସାହାଯ୍ୟ କରି ପାରିବେ? ଅରୁଣ ବାବୁ କହିଲେ କି ସାହାଯ୍ୟ?ସୁଦାମ କହିଲା ସାର୍ ଆପଣ ଆଜି ଘରକୁ ଯିବେ ନା? ମୋର ଗୋଟେ ପ୍ୟାକେଟ ଟିକେ ନେଇ ଯିବେ?ଅଧା ରାସ୍ତା ରୁ ମୋ ପୁଅ ଆସି ତାକୁ ଆପଣଙ୍କ ପାଖରୁ ନେଇଯିବ। ଅନେକ ଦିନ ହେଲା ଘରକୁ ଯାଇନି। ଦୀର୍ଘ ପାଞ୍ଚ ମାସ ରୁ ଉର୍ଦ୍ଧ୍ବ ହେଲାଣି ମୋ ସ୍ତ୍ରୀ ପିଲା ଛୁଆ ଙ୍କ ମୁହଁ ଦେଖିନି। ଭାବିଥିଲି ରାକ୍ଷୀ ପୂର୍ଣ୍ଣିମା ରେ ଯେମିତି ହେଲେ ଘରକୁ ଯିବି‌। ହେଲେ ଏଇ କରୋନା ବେମାରୀ ଟା ଏବେ ଏତେ ମାତ୍ରାରେ ବଢ଼ି ଚାଲିଛି ଯେ ମୁଁ ଆଉ ଘରକୁ ଯିବାଟା ଉଚିତ୍ ମନେ କରୁନି। 


   ଆପଣ ତ ଆପଣଙ୍କ ଗାଡ଼ି ନେଇ ଘରକୁ ଯିବେ।ଖାଲି ମୋ ଉପରେ ଏତିକି ଦୟା କରିବେ। ମୋ ପ୍ୟାକେଟ୍‌ ଟା ଟିକେ ମୋ ପୁଅ ହାତ କୁ ବଢାଇ ଦେବେ।ପ୍ରତ୍ୟେକ ବର୍ଷ ରାକ୍ଷୀ ପୂର୍ଣ୍ଣିମା ରେ ମୋ ଭଉଣୀ ମୋତେ ରାକ୍ଷୀ ବାନ୍ଧିବା ପାଇଁ ଆମ ଘରକୁ ଆସେ। ମୋ ହାତରେ ରାକ୍ଷୀ ବାନ୍ଧି ଦେଇ ତା ପାଉଣା ପାଇଁ ଅଡି ବସେ।ପାଉଣା ପାଇଲା ପରେ ତା ମୁହଁଟା ଖୁସି ରେ ନାଚି ଉଠେ।ତା ମୁହଁର ସେ ଖୁସି ଦେଖଲେ ମୋ ମନଟା ମଧ୍ୟ ଆନନ୍ଦ ରେ ଭରିଯାଏ। ଗୋଟିଏ ବୋଲି ଭଉଣୀ। ସାର୍ ଦୁନିଆ ର ସବୁ ଭଉଣୀ ବର୍ଷ ସାରା ଏଇ ଦିନ ଟିକୁ ଅପେକ୍ଷା କରି ଥାଆନ୍ତି। କେବେ ରାକ୍ଷୀ ପୂର୍ଣ୍ଣିମା ଆସିବ ଓ ସେମାନେ ତାଙ୍କ ଭାଇ ଙ୍କ ହାତରେ ରାକ୍ଷୀ ବାନ୍ଧି ସାରା ଜୀବନ ସୁରକ୍ଷା ର ନିର୍ଭର ପ୍ରତିଶ୍ରୁତି ଟେ ପାଇବେ। ରାକ୍ଷୀ ଭାଇ ସହ ଭଉଣୀ ର ସମ୍ପର୍କ କୁ ସୁଦୃଢ କରୁଥିବା ପର୍ବଟିଏ। ହେଲେ ଏ ଯେଉଁ କରୋନା ବେମାରୀଟା ଆସିଲା ସେ ତ ମଣିଷ ଠାରୁ ମଣି କୁ ଦୂରେଇ ଦେଉଛି। ନିଜ ଠାରୁ ନିଜ କୁ ମଧ୍ୟ ଦୂରେଇ ଦେଲାଣି। ଆଉ ସେ ଭାଇ ଭଉଣୀ ଙ୍କ ସ୍ନେହ ମମତାର ବନ୍ଧନ ର ମୂଲ୍ୟ କେତେ ବୁଝିବ କେମିତି? 


    ସାର୍ ଏ ବର୍ଷ ମୋ ଭଉଣୀ ମୋ ହାତ ରେ ରାକ୍ଷୀ ବାନ୍ଧି ପାରିବ ନାହିଁ ବୋଲି ଡାକରେ ରାକ୍ଷୀ ପଠାଇ ଦେଇଛି। ତା ପାଇଁ ଉପହାର ସ୍ବରୂପ ପାଉଁଜି ହଳେ କିଣି ଥିଲି । ଭାବିଥିଲି ନିଜ ହାତରେ ପିନ୍ଧାଇ ଦେବି। ହେଲେ‌ ବସ୍ ମଟର ତ କିଛି ଚାଲୁନି। ଗାଡ଼ି କରି ଗଲେ ବହୁତ ଟଙ୍କା ଖର୍ଚ୍ଚ ହେବ। ତେଣୁ ଆପଣ ଯଦି ଟିକେ ଦୟା କରନ୍ତେ,ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ମୁଁ ମୋ ଭଉଣୀ କୁ ତା ରାକ୍ଷୀ ର ପାଉଣା ଟା ଦେଇ ପାରନ୍ତି।ଅରୁଣ ବାବୁ କହିଲେ ଏଇଟା ଗୋଟେ କଥା। ମୁଁ ତ ସେଇ ରାସ୍ତା ଦେଇ ଯିବି।ତୁ ତୁମ ଘରକୁ ଜଣାଇ ଦେ ସେ ଆସି ମୋ ଠାରୁ ତାଙ୍କ ଜିନିଷ ନେଇ ଯିବେ।ତା ପରେ ଅରୁଣ ବାବୁ ସୁଦାମ ଠାରୁ ପାଉଁଜି ପ୍ୟାକେଟ ଟିକୁ ନେଇ ନିଜ ହ୍ୟାଣ୍ଡ ବ୍ଯାଗରେ ରଖିବା ସମୟରେ ତାଙ୍କର ମନେ ପଡ଼ିଲା ଦୀର୍ଘ ତିରିଶି ବର୍ଷ ରୁ ଉର୍ଦ୍ଧ ହେଲାଣି ତାଙ୍କ ଭଉଣୀ ମଧ୍ୟ ପ୍ରତ୍ୟେକ ରାକ୍ଷୀ ପୂର୍ଣ୍ଣିମା ରେ ତାଙ୍କ ହାତରେ ରାକ୍ଷୀ ବାନ୍ଧି ତାର ପାଉଣା ସ୍ବରୂପ ପାଉଁଜି ହଳେ ଦାବି କରି ଆସୁଛି। ହେଲେ ତିରିଶ ବର୍ଷ ହେଲାଣି କୌଣସି ନା କୌଣସି କାରଣରୁ ସେ ତାକୁ ତା ପାଉଣା ରୁ ବଞ୍ଚିତ କରି ଆସୁଛନ୍ତି। 


   ଯେତେବେଳେ ସେ ଚାକିରୀ କରି ନଥିଲେ ସେତେବେଳେ କହୁଥିଲେ, ମୁଁ ଚାକିରୀ କଲେ ତୋତେ ଦାମିକା ପାଉଁଜି ଯୋଡେ ଆଣି ଦେବି। ହେଲେ ଚାକିରୀ କରିଵାର ଦୀର୍ଘ ପଚିଶ ବର୍ଷ ରୁ ଉର୍ଦ୍ଧ ସମୟ ବିତି ଯାଇଥିଲେ ମଧ୍ୟ ତାଙ୍କ ଭଉଣୀ କୁ ତାଙ୍କ ମନ ପସନ୍ଦର ପାଉଁଜି ଯୋଡେ ଦେଇ ପାରି ନାହାଁନ୍ତି। ସୁଦାମ ସାମାନ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟେ ହୋଇ ପ୍ରତ୍ୟେକ ବର୍ଷ ତା ଭଉଣୀ କୁ ତା ରାକ୍ଷୀ ର ପାଉଣା ଦେଇ, ତା ମୁହଁର ଖୁସି କୁ ଦେଖି ନିଜେ ଆନନ୍ଦିତ ହେଉଛି । ଅଥଚ ସେ ଏତେ ବଡ଼ ଚାକିରୀ କରି ମଧ୍ୟ ତିରିଶ ବର୍ଷ ହେଲାଣି ନିଜ ଭଉଣୀ କୁ ଠକାଇ ଚାଲିଛନ୍ତି। କିଛି ବର୍ଷ ତଳେ ତାଙ୍କ ସ୍ତ୍ରୀ ଙ୍କ ପାଇଁ ଗହଣା କିଣିବା ପାଇଁ ଗହଣା ଦୋକାନ କୁ ଯାଇଥିବା ସମୟରେ ତାଙ୍କ ଭଉଣୀ ଙ୍କ ପାଇଁ ପାଉଁଜି ହଳେ ଦେଖୁଥିବା ସମୟରେ ତାଙ୍କ ସ୍ତ୍ରୀ କହିଲେ ଅପା ତ ବୁଢୀ ହେଲେଣି। ଏଇ ବୟସରେ ପୁଣି ପାଉଁଜି ପିନ୍ଧିବେ? ସେଇଠାରୁ ପାଉଁଜି କିଣା ବନ୍ଦ ହୋଇ ଯାଇଥିଲା। ଏମିତି ପ୍ରତ୍ୟେକ ବର୍ଷ କୌଣସି ନାଁ କୌଣସି କାରଣରୁ ସେ ତାଙ୍କ ଭଉଣୀ ଙ୍କ ପାଇଁ ପାଉଁଜି ହଳେ କିଣି ପାରୁ ନଥିଲେ।ବୋଧ ହୁଏ ତାଙ୍କ ଭିତରେ ମଧ୍ୟ ସେତିକି ଆଗ୍ରହ ନଥିଲା। 


   ହେଲେ ଆଜି ସୁଦାମ ର କଥା ଶୁଣି ଓ ତା ଭଉଣୀ ପାଇଁ ତାର ଉପହାର ପଠାଇବା ଦେଖି, ତାଙ୍କ ହୃଦୟ ଭିତରଟା ଯେମିତି କୋରି ହୋଇଗଲା।ମାଆ ଗଲା ପରେ ଯେଉଁ ଭଉଣୀ ତାଙ୍କୁ ମାଆର ଅଭାବ କ'ଣ ଜାଣିବାକୁ ଦେଇ ନଥିଲା, ସେଇ ଭଉଣୀ କୁ ସେ ସାମାନ୍ୟ ପାଉଁଜି ଯୋଡେ ଦେଇ ପାରୁ ନାହାଁନ୍ତି। ସତରେ ସେ ସିନା ଜଣେ ବଡ଼ ଅଫିସର ହୋଇଛନ୍ତି।ହେଲେ ଭଲ ଭାଇଟିଏ ହୋଇ ପାରି ନାହାଁନ୍ତି। ସୁଦାମ ର ଭଉଣୀ ର ବୟସ ତ ତାଙ୍କ ଭଉଣୀ ଠାରୁ ବେଶୀ ହେବ । ସେ ତ‌ ପୁଣି ତାଙ୍କ ପାଇଁ ପାଉଁଜି ପଠାଇ ପାରୁଛି। ହେଲେ ଅରୁଣ ବାବୁ ସାମାନ୍ୟ ପାଉଁଜି ଯୋଡେ ଦେବା ପାଇଁ ତାଙ୍କ ଭଉଣୀ ର ବୟସ ହିସାବ କରୁଛନ୍ତି। ମନେ ମନେ ନିଜ ର ଚିନ୍ତା ଧାରା କୁ ନେଇ ସେ ଲଜ୍ଜା ଅନୁଭବ କଲେ ଓ ସ୍ଥିର କଲେ ଯେମିତି ବି ହେଉ ଏଥର ରାକ୍ଷୀ ପୂର୍ଣ୍ଣିମା ରେ ସେ ତାଙ୍କ ଭଉଣୀ କୁ ତା ପାଉଣା ଦେବେ। 


    ସେଇ କଥା ଚିନ୍ତା କରି ସେ ସହର ର ସବୁ ଠାରୁ ଭଲ ଗହଣା ଦୋକାନ କୁ ଯାଇ ଦାମି ପାଉଁଜି ହଳେ କିଣିଲେ ଓ ରାକ୍ଷୀ ପୂର୍ଣ୍ଣିମା ଦିନ ତାକୁ ନେଇ ଭଉଣୀ ଘର ଅଭିମୁଖେ ବାହାରି ପଡିଲେ। ଖୁସି ମନରେ ନାନୀ ନାନୀ ଡାକି ଘର ଭିତରକୁ ପଶିଗଲେ। ତାଙ୍କ ପାଟି ଶୁଣି ଘର ଭିତରୁ ତାଙ୍କ ଭଣଜା କାନ୍ଦି କାନ୍ଦି ବାହାରି ଆସି କହିଲା, ମାମୁଁ ମୁଁ ଆପଣଙ୍କ ପାଖକୁ ହିଁ ଫୋନ୍ ଲଗାଇବାକୁ ଯାଉଥିଲି। ଗତ କିଛି ଦିନ ହେଲା ମାଆ କୁ ଜ୍ବର,ଥଣ୍ଡା ଓ କାଶ ଲାଗି ରହିଥିଲା। ଆମେ ଭାବିଥିଲୁ ସାମନ୍ୟ ଥଣ୍ଡା ଜ୍ବର ହୋଇ ଥିବ। ତେଣୁ ଆପଣଙ୍କ ପାଖକୁ କିଛି ଖବର ଦେଇ ନଥିଲୁ। ତିନି ଚାରି ଦିନ ଧରି ଜ୍ବର ନ ଛାଡ଼ିବାରୁ ଡକ୍ଟର ଙ୍କ ପରାମର୍ଶ କ୍ରମେ ତାର କରୋନା ଟେଷ୍ଟ କରା‌ ଯାଇଥିଲା।ଗତ କାଲି ତାର ରିପୋର୍ଟ ପଜିଟିଭ୍ ବୋଲି ଆସିଥିଲା। ତେଣୁ କିଛି ସରକାରୀ କର୍ମଚାରୀ ଆସି ମାଆକୁ କୋଭିଡ୍ ହସ୍ପିଟାଲ କୁ ନେଇ ଯାଇଥିଲେ। ହେଲେ ଏଇ କିଛି ସମୟ ତଳେ ଖବର ଆସିଲା, ସେ ମୃତ୍ୟୁ ର ଭୁତାଣୁ ମାଆ କୁ ଆମ ସମସ୍ତଙ୍କ ଠାରୁ ବହୁତ ଦୂର‌କୁ ନେଇ ଯାଇଛି।ମାଆ ଆଉ ନାହିଁ ମାମୁଁ। ‌


   ଭଣଜା ର କଥା ଶୁଣି ଅରୁଣ ବାବୁଙ୍କ ହାତରୁ ପାଉଁଜି ପ୍ୟାକେଟ ଟା ତଳକୁ ଖସି ପଡ଼ିଥିଲା ଓ ସେ କାନ୍ଦି କାନ୍ଦି କହିଲେ ହେ ପ୍ରଭୁ ତୁମେ ୟେ କଣ କଲ? ରାକ୍ଷୀ ପୂର୍ଣ୍ଣିମା ଟା ରେ ମୋ ଭଉଣୀ କୁ ମୋ‌ ଠାରୁ ଦୂରେଇ ଦେଲ । ଏ ହତଭାଗା ଭାଇ ଟିକୁ ତା ଭଉଣୀ କୁ ପାଉଣା ଟେ ଦେବାର ସୁଯୋଗ ଟେ ମଧ୍ୟ ଦେଲନି।


Rate this content
Log in

Similar oriya story from Inspirational