ପାକିସ୍ତାନରେ ଶକ୍ତିପୀଠ ହିଙ୍ଗଲାଜ ମାତା
ପାକିସ୍ତାନରେ ଶକ୍ତିପୀଠ ହିଙ୍ଗଲାଜ ମାତା
ପାକିସ୍ତାନରେ ଜାଗ୍ରତ ଶକ୍ତିପୀଠ
ହିଙ୍ଗଲାଜ ମାତା
=============
ଆମ ଦେଶବିଭାଜନ ପୂର୍ବରୁ ପାକିସ୍ତାନରେ ଅନେକ ହିନ୍ଦୁ ଧର୍ମପୀଠ ଥିଲା l ଆର୍ଯ୍ୟ ସିନ୍ଧୁ ସଭ୍ୟତାର ଆଦି ପୀଠ ହୋଇ ଥିବା ହେତୁ, ବୈଦିକ କାଳରୁ ପାକିସ୍ତାନରେ, ବହୁ ଆର୍ଯ୍ୟ ସନାତନ ସଂସ୍କୃତିର ଉପାସନା ପୀଠମାନ ଗଢ଼ି ଉଠିଥିଲା l ବହୁ ବର୍ଷ ଧରି ବିଧର୍ମୀଙ୍କ ଆକ୍ରମଣରେ ଏଗୁଡିକ ଧ୍ବଂସ ପ୍ରାପ୍ତ ହୋଇଛି l ଯାହା କିଛି ଅବଶେଷ ରହିଥିଲା ପାକିସ୍ତାନ ଇସ୍ଲାମିକ ରାଷ୍ଟ୍ର ହେବା ପରେ, ସେଗୁଡ଼ିକର ମଧ୍ୟ ଧୀରେ ଧୀରେ ବିଲୁପ୍ତି ହୋଇଛି ଓ ହେଉଛି l କିନ୍ତୁ ଅତି ଆଶ୍ଚର୍ଯ୍ୟ ଭାବେ ମାଆ ଶକ୍ତିମୟୀଙ୍କ ଅପାରମହିମା ଅଲୌକିକତାରୁ ଏବେ ପାକିସ୍ତାନରେ ବଞ୍ଚି ରହିଛି ଗୋଟିଏ ଶକ୍ତିପୀଠ ଯେଉଁଠାରେ ଏ ଯାବତ ପୂଜା ଅର୍ଚ୍ଚନା, ଉପାସନା ଆଦି ଉଭୟ ହିନ୍ଦୁ ତଥା ମୁସଲମାନ ଶ୍ରଦ୍ଧାଳୁମାନଙ୍କ ସହଯୋଗରେ ଜାରି ରହିଛି l କୁହାଯାଏ ଏଠାରେ ପୂଜକ ମାନେ ମୁସଲମାନ ସମ୍ପ୍ରଦାୟର ବୋଲି l ପୂଜକମାନଙ୍କୁ ଏଠି ଛଡ଼ିଦାର କୁହା ଯାଏ l ଏହି ଉପାସନା ପୀଠଟି ହେଉଛି ହିଙ୍ଗଲାଜ ଶକ୍ତିପୀଠ ଯାହା କି ପୁରାଣ ବର୍ଣ୍ଣିତ ଏକାବନ ଶକ୍ତିପୀଠ ମଧ୍ୟରୁ ଗୋଟିଏ l ଏହା, ପୂର୍ବେ ହିଙ୍ଗୁଳାପୀଠ ଭାବେ ଖ୍ୟାତ ଥିଲା l ସ୍ଥାନୀୟ ଭାଷାରେ ଏହା ହିଙ୍ଗଲାଜ ହୋଇଛି l ପୁରାଣ ବର୍ଣ୍ଣିତ ୫୧ ଶକ୍ତି ପୀଠଙ୍କ ମଧ୍ୟରୁ ଭାରତ ବାହାରେ ନଅଗୋଟି ଶକ୍ତିପୀଠ ଅଛି l ତନ୍ମଧ୍ୟରୁ ପାକିସ୍ତାନରେ ଏହି ହିଙ୍ଗଲାଜ, ପୂର୍ବନାମ ହିଙ୍ଗୁଳା ହେଇଛି ଏକମାତ୍ର ଶକ୍ତି ପୀଠ l
ହିଙ୍ଗଲାଜ ଭବାନୀ ଶକ୍ତିପୀଠ ପାକିସ୍ତାନର ବେଲୁଚିସ୍ଥାନ ପ୍ରଦେଶରେ ଅବସ୍ଥିତ l ମନ୍ଦିରଟି ଏଠାରେ ୨ ହଜାର ବର୍ଷର ବୋଲି ଐତିହାସିକ ମାନେ ମତ ଦିଅନ୍ତି l ବହୁତ ବୌଦ୍ଧ ଭିକ୍ଷୁମାନଙ୍କ ରଚନାରେ ଏ ପୀଠ ବିଷୟରେ ଉଲ୍ଲେଖ ଥିବାର ଦେଖାଯାଏ l ଏକ ହିନ୍ଦୁମନ୍ଦିର ହୋଇଥିଲେ ବି ମୁସଲମାନ ଭାଇମାନେ ଏହାକୁ ବହୁତ ଶ୍ରଦ୍ଧା ଓ ସମ୍ମାନ କରନ୍ତି l ପୂଜା ପାଇଁ ମାଆଙ୍କୁ ଲାଲ ଚଦର ଅତର ଓ ଶିରିଣି ଲାଗିକରିଥାନ୍ତି l ଏଠାରେ ବହୁ ଅଲୌକିକ ଘଟଣା ମାନ ଘଟୁଥିବା ଆଲୋଚନା ହୁଏ l ଏହା ପାକିସ୍ତାନୀ ହିନ୍ଦୁ ଏବଂ ସିନ୍ଧିମାନଙ୍କର ଏକ ବହୁ ଆଦରର ତୀର୍ଥ ସ୍ଥଳୀ l ପାକିସ୍ତାନୀ ଶ୍ରଦ୍ଧାଳୁ ମାନେ ଏହାକୁ ନାନୀକି ମନ୍ଦିର ବା ନାନୀକି ହଜ ବୋଲି କହିଥାନ୍ତି l ମହାଭାରତ ବର୍ଣ୍ଣିତ ସିନ୍ଧୁରାଜ ଜୟଦ୍ରଥ ମାତାଙ୍କ ଏହି ମନ୍ଦିର ନିର୍ମାଣ କରିଥିବା ପୌରାଣିକ କିମ୍ବଦନ୍ତୀ ରହିଛି l ମନ୍ଦିରଟି ହିଙ୍ଗଲାଜ ପର୍ବତ ଶୃଙ୍ଖଳାର ଏକ ଅନ୍ଧାରିଆ ଗୁମ୍ଫା ଭିତରେ ଅବସ୍ଥିତ l ଗ୍ରୀକ୍ ବୀର ଆଲେକ୍ଜାଣ୍ଡାରଙ୍କ ଭାରତ ଆକ୍ରମଣ କାଳରେ ଏହି ପର୍ବତମାଳା ନିକଟରେ ଥିବା ବାଲିକୋର୍ଟ ଦୁର୍ଗର ରାଜା ବଳରାମଙ୍କ ସହ ଯୁଦ୍ଧ କରିଥିଲେ l ମନ୍ଦିରରେ ପୂର୍ବ କାଳରେ ବହୁ ଧନରତ୍ନ ଗଛିତଥିଲା l ଏଣୁ ମହମ୍ମଦବିନ କାସିମ ଓ ମହମ୍ମଦ ଗଜନି ଏ ମନ୍ଦିରକୁ ବହୁବାର ଲୁଣ୍ଠନ କରିଥିଲେ l ଉଜ୍ଜୟିନୀର ମହାରାଜ ବିକ୍ରମାଦିତ୍ୟ ଏଠାରେ ଥିବା ମା' ଭବାନୀଙ୍କୁ ଦର୍ଶନ କରିବାକୁ ଯାଉଥିଲେ ବୋଲି ପ୍ରବାଦ ରହିଛି l ମୋଗଲ ଦରବାରରୁ ପାରିଷଦ ତୋଡର ମଲ୍ଲ ଓ ବିହାରୀ ମଲ୍ଲ , ରାଜା ଭିଜ ସିଂହ, ରାଜା ମାଧୋସିଂହ ମଧ୍ୟ ଏହି ତୀର୍ଥ ଭ୍ରମଣ କରିଥିଲେ ବୋଲି ଇତିହାସରୁ ଜ୍ଞାତ ହୋଇଥାଏ l
ପୌରାଣିକ ବର୍ଣ୍ଣନାଅନୁଯାୟୀ ଦଶ ମହାବିଦ୍ୟାଙ୍କ ମଧ୍ୟରୁ ମାଆ ଧୂମାବତୀ ହେଉଛନ୍ତି ଧୂମ୍ରବର୍ଣ୍ଣା, ହିଙ୍ଗୁଳା l ମା' ଧୂମାବତୀ ଏଠାରେ ହିଙ୍ଗୁଳା ବା ହିଙ୍ଗଲାଜ ମାତା ରୂପେ, ଅବସ୍ଥାନ କରୁଛନ୍ତି l ଏଠାରେ ଦେବୀଙ୍କୁ ପୂର୍ବକାଳରେ ଆଦିମ ଅଧିବାସୀମାନେ ପୂଜା କରୁଥିଲେ l ହିଙ୍ଗଲାଜ ଶବ୍ଦ ବେଲୁଚିସ୍ଥାନରେ
ପ୍ରଚଳିତ ସ୍ଥାନୀୟ ମୁଣ୍ଡାରି ଭାଷାରୁ ଉଦ୍ଭବ ବୋଲି ଗବେଷକ ମାନେ ମତ ଦିଅନ୍ତି l ପୁରାଣର ବର୍ଣ୍ଣନା ଅନୁସାରେ, ଏଠାରେ ସତୀଙ୍କର ବ୍ରହ୍ମରନ୍ଦ୍ର (ଶିର) ପଡିଥିଲା l ଏଠାରେ ଭୈରବୀଙ୍କ ନାମ କୋଟ୍ଟରି
ଏବଂ ଭୈରବଙ୍କ ନାମ ଭୀମ ଲୋଚନ l ଦେବୀ ମନ୍ତ୍ରର ଏହି ଶ୍ଳୋକରୁ ଏହା ଜଣା ପଡ଼ିଥାଏ :-
ବ୍ରହ୍ମରନ୍ଦ୍ରମ୍ ହିଙ୍ଗୁଳାୟାମ୍
ଭୈରବ ଭୀମ ଲୋଚନଃ l
କୋର୍ଚରି ସା ମହାମାୟା
ତ୍ରିଗୁଣା ଯା ଦିଗମ୍ବରୀ ll
ହିନ୍ଦୁ ଓ ସିନ୍ଧି ମାନେ ଏଠାରେ ମାତାଙ୍କୁ ଭବାନୀ ବୋଲି ପୂଜା କରୁଥିଲା ବେଳେ ମୁସଲମାନ ମାନେ ହିଙ୍ଗଲାଜ ମାତାଜୀ ବୋଲି କହନ୍ତି l ଏହି ପାହାଡ଼ ତଳେ ହିଙ୍ଗୋଲ୍ ନଦୀ ବହି ଯାଇଛି l ପାହାଡର ଏହି ଗୁମ୍ଫା କରାଚୀରୁ ପ୍ରାୟ ୧୭୦ କିଲୋମିଟର ଦୂରରେ ହିଙ୍ଗଲାଜ ପର୍ବତମାଳାର ଅବସ୍ଥିତ l
ଏଠାକୁ ପଥ ବହୁତ ଦୁର୍ଗମ l ଯାତ୍ରା କଷ୍ଟଦାୟୀ l ଏଠାକୁ ଯାତ୍ରାକଲେ ବୈଷ୍ନୋଦେବୀ ଯାତ୍ରା ପରି ଲାଗେ l କରାଚୀରୁ କ୍ୱେଟା ପର୍ଯ୍ୟନ୍ତ ରାଜପଥ ଓ ତାପରେ ସଂକୀର୍ଣ୍ଣ ପଥ l ପଶ୍ଚିମ ଆଡୁ ଆସିଲେ ଅଘୋରୀ ନଦୀ ପାର ହେବାକୁ ପଡ଼େ l ସେଠାରୁ ଯାଇ ଆଶାପୂରା ଠାରେ ପହଞ୍ଚି ପାହାଡ଼ କଡ଼େକଡ଼େ ଏଠାକୁ ଯାଇହୁଏ l ଏଠିକା ପାହାଡ଼ ମାନଙ୍କରେ ଆହୁରି କେତେକ ହିନ୍ଦୁ ଦେବା ଦେବୀଙ୍କ ମନ୍ଦିର ମଧ୍ୟ ଦେଖିବାକୁ ମିଳିଥାଏ l
କିମ୍ବଦନ୍ତୀ :-
ଏଠାରେ ପୂର୍ବକାଳରେ ତାତାର ମାଙ୍ଗେଲୀୟ ବଂଶର ଲୋକମାନେ ବାସ କରୁଥିଲେ l ସେମାନଙ୍କ ରାଜା ଥିଲେ ବଛତର l ତାଙ୍କର ଦୁଇ ପୁଅ ଥିଲେ ହିଙ୍ଗୋଳ ଏବଂ ସୁନ୍ଦର l ସେମାନେ ଭାରି ସାହସୀ ଓ ନିଷ୍ଠୁରସ୍ୱଭାବର ଥିଲେ ଏବଂ ବହୁ ବିଳାସୀ ଜୀବନ ଯାପନ କରୁଥିଲେ l ତାଙ୍କ ରାଜ୍ୟ ସୀମା ଚୀନକୁ ଲାଗିଥିଲା l ପଡୋଶୀ ଚୀନଦେଶର ରାଜା ଶିବଭକ୍ତ ଥିଲେ l ଥରେ ସୁନ୍ଦର ଏ ପଡୋଶୀ ରାଜ୍ୟ ଆକ୍ରମଣ କରି ବହୁ ପ୍ରଜାଙ୍କୁ ହତ୍ୟା କଲେ ଓ ସମସ୍ତ ଧନସମ୍ପତ୍ତି ଲୁଣ୍ଠନ କଲେ l ପୁଣି ଦେୟବାବଦକୁ ଏହାପରେ ଆହୁରି ଅର୍ଥ ଦାବି କଲେ l ସୁନ୍ଦରର ଅତ୍ୟାଚାରରୁ ରକ୍ଷା ପାଇଁ ପ୍ରଜାଗଣ ଓ ରାଜା ଭଗବାନ୍ ଶଙ୍କରଙ୍କୁ ପ୍ରାର୍ଥନା କଲେ l ଶିବ ପ୍ରସନ୍ନ ହେଲେ l ଶିବ ଗଣେଶଙ୍କୁ ଆଜ୍ଞା ଦେବାରୁ ସେ ତିନି ଦିନ ମଧ୍ୟରେ ସୁନ୍ଦରକୁ ହତ୍ୟା କଲେ l ହିଙ୍ଗୋଲ ପ୍ରତିଶୋଧ ପରାୟଣ ହୋଇ ଭାଇ ମୃତ୍ୟୁର ପ୍ରତିଶୋଧ ନେବାକୁ ଘୋର ତପକଲା ଏବଂ ବ୍ରହ୍ମାଙ୍କ ଠାରୁ ବରପ୍ରାପ୍ତ ହେଲା ଯେ ତାକୁ ଏ ତ୍ରିଭୁବନରେ କେହି ବଧ କରିପାରିବେ ନାହିଁ l ମାତ୍ର ତା ମୃତ୍ୟୁ ଏପରି ଏକ ସ୍ଥାନରେ ହେବ ଯେଉଁଠାକୁ ସୂର୍ଯ୍ୟାଲୋକ ପ୍ରବେଶ କରୁ ନ ଥିବ l ବରପାଇ, ବଳୀୟାନ ଗର୍ବୀ ହିଙ୍ଗୋଲ ଅନେକ ରାଜାଙ୍କୁ ଜୟ କରି ରାଜତ୍ୱ କରିବାକୁ ଲାଗିଲା l ନିଜର ନାମ ଦେଲା ହିଙ୍ଗୋଲ ଦେବ l ହିଙ୍ଗଲର ଅତ୍ୟାଚାରରେ ପ୍ରଜାଗଣ ଅତିଷ୍ଟହୋଇ ଗୋଟିଏ ମହାଯଜ୍ଞ ଆୟୋଜନ କଲେ l ଯଜ୍ଞରେ ସନ୍ତୁଷ୍ଟ ହୋଇ ଦେବୀ ଆବିର୍ଭୁତ ହେଲେ ଓ ହିଙ୍ଗଲକୁ ବଧ କରିବାର ପ୍ରତିଶୃତି ଦେଲେ l ହିଙ୍ଗୋଲ ଦେବୀଙ୍କ ଭୟରେ ଯାଇ ଏହି ପର୍ବତ ଗୁମ୍ଫା ଭିତରେ ଲୁଚିକି ରହିଲା l ସେଠାକୁ ସୂର୍ଯ୍ୟଙ୍କ କିରଣ ପ୍ରବେଶ କରି ପାରୁନଥିଲା l ଦେବୀ ଗୁମ୍ଫା ଭିତରେ ଏକ କରାଳ ମୂର୍ତ୍ତି ଧରି ପ୍ରବେଶ କଲେ ଏବଂ ତ୍ରିଶୁଳ ଘାତରେ ହିଙ୍ଗୋଲକୁ ହତ୍ୟା କଲେ l ତା'ର ମୃତ୍ୟୁ ବେଳେ ହିଙ୍ଗୋଲ ଦେବୀଙ୍କୁ ପ୍ରାର୍ଥନାକଲା,ଏତିକି କୃପା କରନ୍ତୁ ! ଆପଣ ଏହିଠାରେ ଅବସ୍ଥାନ କରନ୍ତୁ ଓ ଏହା ହିଙ୍ଗୋଲ ତୀର୍ଥ ଭାବେ ଖ୍ୟାତ ହେଉ l ଏହି ପରି ମାଆ ସେଠାରେ ଆବିର୍ଭୁତା ହୋଇ ହିଙ୍ଗୋଲ ବା ହିଙ୍ଗଲାଜ ମାତା ନାମରେ ଆସ୍ଥାନ କରିଛନ୍ତି l ସେହି କ୍ଷେତ୍ରଟି ହିଙ୍ଗୋଲ ତୀର୍ଥ ନାମରେ ପ୍ରସିଦ୍ଧି ଲାଭ କରିଛି l
ରାଜସ୍ଥାନ, ଯଇସଲମରରେ ତାନୋତ ମାତାଙ୍କ ମନ୍ଦିର ଅଛି l ତାନୋତ ମାତାଙ୍କୁ, ହିଙ୍ଗଲାଜ ମାତାଙ୍କ ଅବତାର ବୋଲି କୁହା ଯାଏ l ୧୯୬୫ ମସିହାର ଭାରତ -ପାକିସ୍ଥାନ ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ଏଠାରେ ପ୍ରବଳ ଗୋଳାବାରି କରି ପ୍ରାୟ ତିନିହଜାର ବୋମା ଫିଙ୍ଗିଥିଲେ l କିନ୍ତୁ ଆଶ୍ଚର୍ଯ୍ୟ ଜନକ ଭାବେ ଏଠାରେ କିଛି କ୍ଷୟ କ୍ଷତି ହୋଇ ନ ଥିଲା l ୧୯୭୧ ଭାରତ - ପାକିସ୍ତାନ ଯୁଦ୍ଧରେ ଏଠାରୁ କିଛି ଦୂର ରଙ୍ଗେଲୱାଲା ଠାରେ ଭାରତ ପାକିସ୍ତାନ ବାହିନୀ ଭିତରେ ପ୍ରବଳ ଟ୍ୟାଙ୍କ ଯୁଦ୍ଧ ହୋଇ ଥିଲା l ଦେବୀଙ୍କ ଅପାର କୃପାରୁ ଦୂର୍ଦର୍ଷ ପାକିସ୍ତାନୀ ଟ୍ୟାଙ୍କ ବାହିନୀ, ଶୋଚନୀୟ ଭାବେ ପରାଜିତ ହୋଇଥିଲା l ଏହାର ସ୍ମାରକୀ ସ୍ୱରୂପ ତାନୋତ ମାତା ମନ୍ଦିର ପ୍ରାଙ୍ଗଣରେ ବିଜୟ ସ୍ତମ୍ଭ ସ୍ଥାପିତ ହୋଇଛି l ବ୍ୟବହୃତ ଓ ପରିତ୍ୟକ୍ତ ଯୁଦ୍ଧ ସାମଗ୍ରୀ ସବୁକୁ ସଂଗ୍ରହ କରି ଏଠାରେ ଗୋଟିଏ ସେନା ସଂଗ୍ରହାଳୟ ସ୍ଥାପନ କରା ଯାଇଛି l ଏଠାରେ କାର୍ଯ୍ୟରତ ଥିବା ବି.ଏସ. ଏଫ. ଜବାନ ମାନେ ଏହି ମାତାଙ୍କୁ ହିଙ୍ଗୋଲ ମାତାଙ୍କ ଅବତାର ଭାବେ ଖୁବ୍ ମାନ୍ୟକରନ୍ତି l ଯବାନମାନେ ବିଭିନ୍ନ ସମୟରେ ମାଆଙ୍କର ସମସ୍ତ ଯାନିଯାତ୍ରା ପାଳନ କରି ପୂଜାର୍ଚ୍ଚନା କରିଥାନ୍ତି l
ପାକିସ୍ତାନର ରାଜନୈତିକ ମହଲରେ ମଧ୍ୟ ଏହି ପ୍ରାଚୀନ ହିଙ୍ଗୋଲ ତୀର୍ଥକୁ ବହୁ ମାନ୍ୟତା ଦିଆ ଯାଇଛି l ହିଙ୍ଗୋଲ ନଦୀ ଉପରେ ଏକ ବିଶାଳ ନଦୀ ବନ୍ଧ ଯୋଜନାର କଳ୍ପନା କିଛି ଦିନ ତଳେ କରା ଯାଇଥିଲା l କିନ୍ତୁ ତୀର୍ଥ ଓ ପରିବେଶ ନଷ୍ଟ ହେବ ବୋଲି ଏହା ବିରୁଦ୍ଧରେ ପ୍ରବଳ ଜନ ତଥା ରାଜନୈତିକ ଅସନ୍ତୋଷ ପ୍ରକାଶ ହେବାରୁ ପାକିସ୍ତାନ ସରକାର ଏହାକୁ ସ୍ଥଗିତ ରଖିବା ପାଇଁ ବାଧ୍ୟ ହୋଇ ଥିଲେ l ହିଙ୍ଗୋଲ ତୀର୍ଥରେ କେଉଁ କାଳରୁ ଅଖଣ୍ଡ ଦୀପ ଜଳୁଛି ଓ ମାଆଙ୍କ କୃପାରୁ ଏହା ଜଳୁ ଥିବ ମଧ୍ୟ l ହିଙ୍ଗୋଲ ମାତାଙ୍କର ମାହାତ୍ମ୍ୟ ଅପାର l ମାଆଙ୍କ ଦୁର୍ଲ୍ଲଭ ଦର୍ଶନ ନିମନ୍ତେ ଆଜି ମଧ୍ୟ ଏଠାକୁ ଭକ୍ତ ବ୍ୟାକୁଳ ହୋଇ ଧାଇଁ ଥାଏ l 🙏🙏🙏
ଅର୍ଜୁନୀ
------------
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧
