The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Shiba Charan Mahapatra

Tragedy

4  

Shiba Charan Mahapatra

Tragedy

ପାଗଳ ନୀଳମଣି

ପାଗଳ ନୀଳମଣି

5 mins
468



            

            ସେଦିନ ଚାତକିନୀ ମାଟିର ସମସ୍ତ ଆଶା ଅଭିଳାଷକୁ ପୂରଣ କରିବାକୁ ଯାଇ ଆକାଶର ବର୍ଷା ମେଘବଉଦର ପାଲିଙ୍କି ଚଢି ଛମ୍ ଛମ୍ ପାଉଁଜି ଶବ୍ ରେ ଧିରେ ଧିରେ ଓହ୍ଲାଇ ଆସୁଥିଲା ଧରଣୀର ତୃଷାର୍ତ୍ତ ଓଠ ଆଡକୁ  । ମାଟି ଆଉ ବର୍ଷାର ମିଳନ ପର୍ବରେ ସମଗ୍ର ପୁର ପଲ୍ଲୀ ସହର ନଗର ଆନନ୍ଦ ଉଲ୍ଲାସରେ ଉତ୍ସବ ମୁଖର ହୋଇ ଉଠିଥିଲା । ମାଟି ଅନ୍ତସତ୍ତ୍ୱା ହେବା ପରେ ପୃଥ୍ବୀର ଉତ୍ତାପ ଧୀରେ ଧୀରେ ଅପସରି ଯାଉଥିଲା ହେଲେ ଦାଣ୍ଡ ଅଗଣାରେ ଝୁଲୁଥିବା ଝୁଲା ଚେୟାରରେ ବସି ରହିଥିବା ନୀଳମଣି ମହାପାତ୍ରଙ୍କ ଛାତି ଭିତର ପୃଥିବୀଟା ନିଦାଘର ଡହଡହ ତପ୍ତ ବାଲିରାଶିକୁ ଜାବୁଡି ଧରି ଅପଲକ ନୟନରେ ଚାହିଁଥିଲା ତାଙ୍କ ଅଗଣା ସାମ୍ନାରେ ଥିବା ଆମ୍ବ ତୋଟା ମାଳର ଝୁଲନ୍ତା ଦୋଳି ଗୁଡିକୁ । ହୃଦୟ ଭିତରର ଅସରନ୍ତି କୋହ ସବୁ କେତେବେଳେ ଫୁଟି ଟକମକ ହୋଇ ଆଖି କୋଣରେ ଆଗ୍ନେୟଗିରି ସୃଷ୍ଟି କରି ସାରିଥିଲେଣି ସେ ଜାଣନ୍ତି ନାହିଁ । ସେଇ ବାଟ ଦେଇ ଯାଉଥିବା ଦାମ ମହାନ୍ତିଙ୍କର ନଜର ତାଙ୍କ ଉପରେ ପଡିଯିବାରୁ ସେ ପାଖକୁ ଆସି କହିଲେ, -"ନୀଳ ଭାଇ ,କଣ ହେଇଛି ..ତୁମେ ଏମିତି କାନ୍ଦୁଛ?"

ତା ପ୍ରଶ୍ନ ରେ ପ୍ରକୃତିସ୍ଥ ହୋଇ ନୀଳମଣି ହସି ହସି କହିଲା, -"ଆରେ ନା.. ନା .. ,ସେମିତି କିଛି ହେଇନି ମ.. ଖାଲି ଟିକିଏ ପୁଅ ବୋହୂ ଆଉ ସେ ନାତି- ନାତୁଣୀମାନଙ୍କ କଥା ମନେ ପଡିଗଲା ତ.. ଆଖିରେ ଟିକିଏ ଲୁହ ଜକେଇ ଆସିଲା.. ହଉ ଛାଡ ସେ କଥା..ତୁ କୁଆଡେ ବାହାରିଲୁ ?"

,-''କୁଆଡେ ଆଉ ଯିବି ଭାଇ? ତପନଟା ଏସନ ଭଲ ନମ୍ବର ରଖି କଲେଜ ପାସ୍ କରିଛି , ସେ ଆହୁରି ପଢିବାକୁ ଚାହୁଁଛି ତେଣୁ ଏବେ ରଜ ସରୁ ସରୁ ହାତରେ ଏଇ ଘାନା ଆଉ ଛଣି ନେଇ ପଥର ପିଟିବାକୁ ଯାଉଛି । ଦି ପଇସା ରୋଜଗାର କରି ଆଣିଲେ ସିନା ସିଏ ପାଠ ପଢି ବଡ ମଣିଷ ହେବ , ଆଉ ଆମ ପରିବାରର ଦୁଃଖ ଯିବ..।"

ଅବଶୋଶର ଗ୍ଳାନି ଆପେ ଆପେ ଉଇଁ ଆସିଥିଲା ନୀଳମଣି ଙ୍କର ସଫେଦ୍ ଚେହେରା ଉପରେ । ସେ କହି ଉଠିଲେ,-"ହଁ ରେ ଦାମ ,ଏଇ ପିଲାମାନେ ହିଁ ତ ଆମ ଜୀବନର ଶେଷ ସମ୍ପତ୍ତି ।ଦେଖୁନୁ ଆମ ରୋହିତ ଆଉ ରୋହନ ଦୁହେଁ କେମିତି ପାଠ ପଢି ବିଦେଶ ରେ ଯାଇ ବଡ ଚାକିରୀ କରୁଛନ୍ତି ..ଏବେ ମାସକୁ ମାସ ପଇସା ପଠେଇ ଦେଉଛନ୍ତି .. ରବିବାର ଦିନ ମୋବାଇଲ ଫୋନରେ ଭିଡିଓ କଲ କରି ସମସ୍ତଙ୍କୁ ଦେଖି ନିଏ .. ମୋ ନାତି ନାତୁଣୀ ସବୁ ଇଂରେଜ ପିଲା ପରି ଇଂରାଜୀରେ କେତେ କଥାବାର୍ତ୍ତା କରୁଛନ୍ତି ... ବହୁତ ଭଲ ଲାଗେରେ ଭାଇ.. ଯାହା ହେଉ ପିଲା ଦୁଇଟା କୁଳରେ ଲାଗି ଗଲେ ।ସେ ଜମାନାରେ ମୋ ପାଖରେ ଏ ବ୍ୟାଙ୍କ ଚାକିରୀ ଖଣ୍ଡିକ ଥିଲା ବୋଲି ସିନା ମୁଁ ଏସବୁ କରି ପାରିଲି । ତୋ ଭାଉଜର ମାଷ୍ଟରାଣୀ ଚାକିରୀରେ ଘର ଚାଲୁଥିଲା ବେଳେ ମୋ ଦରମାରେ ଦୁଇ ପୁଅ ଆରାମ ରେ ବଡ କଲେଜ ରେ ପାଠ ପଢିଗଲେ । ଯାହା ହେଉ ସେମାନେ ଆଜି ବହୁତ ଭଲ ରେ ଅଛନ୍ତି .. ଆଉ ସବୁ ପରେ ମୁଁ ଆଜି ବହୁତ ଖୁସି ରେ ଦାମ .."

-"ହଁ ,ନୀଳ ଭାଇ ,ସେ ସମୟରେ ତୁମେ ଦୁଇ ଦୁଇ ଜଣ ଚାକିରୀ କରିଥିଲ ବୋଲି ସିନା ଛୁଆ ଦୁଇଟିକୁ ଭଲ ମଣିଷ କରି ପାରିଥିଲ .. ଆଉ ଆଜିକାଲି ଦୁନିଆ ରେ ଗୋଟିଏ ଛୁଆକୁ ବି ପାଠ ପଢେଇବା ବହୁତ କଷ୍ଟ ହେଲେ ଭାଇ ତୁମେ ଆଜି କଣ ପାଇଁ କାନ୍ଦୁଥିଲ ମୋତେ କହିଲନି ତ "

ଦାମର ଜିଦ୍ ଆଗରେ ନିଜର ଅନିଚ୍ଛା ସତ୍ତ୍ବେ ମନ ତଳେ ଲୁଚି ରହିଥିବା ସମସ୍ତ ଅସରନ୍ତି ଲୁହପେଡିର କାରଣକୁ ସେ ତା ପାଖରେ ଉନ୍ମୁକ୍ତ କରିଦେଲେ ।

,-"କଣ କହିବିରେ ଦାମ ? ପରିବର୍ତ୍ତିତ ସମାଜରେ ବୟସର ଅପରାହ୍ନ କୁ ଜାବୁଡି ଧରି ଅଙ୍କ କଷି ବସୁଛି ଯେ ମୁଁ ବିଗତ ଜୀବନ ରେ କେତେ ପାଇଲି ଆଉ କେତେ ହରାଇଲି ... 

ଆଉ ଜାଣିଛୁ ,ବ୍ୟାଙ୍କ ଆକାଉଣ୍ଟେଣ୍ଟ୍ ହୋଇ ମଧ୍ୟ ଜୀବନ ର ମାନସାଙ୍କ ମୋର ସବୁଥର ଭୁଲ୍ ହେଇଯାଏ । ସେ ଦୂର ପାହାଡ ଟା ସତରେ ବାହାରୁ ଏତେ ସୁନ୍ଦର ନା ତା ଭିତର ଟା ବି ସୁନ୍ଦର ଅଛି ?? ବହୁତ ଥର ଏଇ ଝୁଲଣା ଚୌକି ଉପରେ ବସି ଅନୁମାନ ଲଗେଇଛି ହେଲେ କେବେବି ପରିତୃପ୍ତି ର ନିଶ୍ୱାଃସ ମୁଁ ଖୋଜି ପାଇ ପାରିନି ତା ଦେହରୁ । ତୋ ଭାଉଜ ଆର ପାରିକୁ ଚାଲିଯିବା ପରେ ପରିଣତ ବୟସରେ ଆଉ ଏଇ ଭିଟା ମାଟିରେ ପଡି ରହିବିନି ବୋଲି ଭାବି ବଡପୁଅ ପାଖକୁ ଆମେରିକା ଚାଲି ଗଲି ହେଲେ ମୁଁ ସେଇଠି ଘର ଭିତରଟାରେ ବସି ବସି ଅଣନିଶ୍ବାସୀ ହୋଇଗଲି । ରୁଟିନ ବନ୍ଧା ଜୀବନ ରେ ରାତି ପାହିଲେ ପୁଅ ବୋହୂ ଅଫିସ ଚାଲିଗଲେ , ନାତି-ନାତୁଣୀଙ୍କ ସହିତ ଖେଳିବା ତ ଦୂରର କଥା ତାଙ୍କ ସହିତ ଭଲ ରେ କଥାବାର୍ତ୍ତା ହେବାକୁ ମଧ୍ୟ ତାଙ୍କ ପାଖରେ ସମୟ ନାହିଁ । ମୁଁ ଦିନ ପନ୍ଦର ଟା ସେଇଠି ରହି ପାରିଲିନି । ସାନ ପୁଅ ନୌ-ବାହିନୀର କ୍ୟାପଟେନ , ସେ ଥରେ ଲେଖାଏଁ ଜାହାଜ ନେଇ ଗଲେ ପାଞ୍ଚ-ଛଅ ମାସ ରେ ଭାଇଯାଗ୍ ଫେରୁଛି । ସେଇଠି ବୋହୂ ଏକା ନାତି ଟୋକାକୁ ନେଇ ରହୁଛି । ତାଙ୍କ ପାଖକୁ ଯିବାକୁ ମୋ ମନ କାଇଁ ବଳୁନି । 

ଆଉ ଜାଣିଛୁ ଦାମ ? ଥରେ ସାନ ପୁଅକୁ କହିଲି ବାପାରେ ତମେ ସବୁ ଏଇ ରଜ, ମକର , ପର୍ବ ପର୍ବାଣୀରେ ଟିକିଏ ଘରକୁ ଆସନ୍ତନି ମୋତେ ଟିକେ ଭଲ ଲାଗନ୍ତା.. ମୋ କଥା ଶୁଣି ସେ କଣ କହିଲା ଜାଣିଛ?

ସେ କହିଲା -"ବାପା..ଗାଁ ରେ କଣ ସେ ପର୍ବ ପର୍ବାଣୀ ଆଉ ଅଛି..!? ଏମିତି ବି ବିଗତ ଅତୀତରେ ଆପଣଙ୍କ ସହିତ ମିଠା ସ୍ମୃତି କିଛି ନାହିଁ ଯାହାକୁ ନେଇ ଆମେ ଗାଁ ରେ ଖୁସି ମଜା କରି ସମୟ କଟେଇ ପାରିବୁ । ଛୋଟ ବେଳୁ ଘରର ଚାକରାଣୀ ପାଖରେ ବଢିଲୁ .. , ଟିକିଏ ବଡ ହେଲା ପରେ ହଷ୍ଟେଲ ରେ ବାଲ୍ୟ ଜୀବନର ସବୁ ଚପଳାମୀ ସାରି ଦେଲୁ... ବଡମଣିଷ ହେଲା ପରେ ସେ ଗାଁ କୁ ଆଉ ଯିବାକୁ ଇଚ୍ଛା ହେଉନି ବାପା.. ଆପଣ ଖରାପ ଭାବିବେନି ,ଯେଉଁଟା ପ୍ରାକ୍ଟିକାଲ ମୁଁ ସେଇଟା ହିଁ କହୁଛି । ଠିକ୍ ଅଛି ଆପଣ କହୁଛନ୍ତି ଯଦି ତେବେ ସନିର ସ୍କୁଲ ଛୁଟି ହେଲେ ଆମେ ସବୁ ଯାଇ ଗାଁ ରୁ ବୁଲିଆସିବୁ ହେଲା , ରହୁଛି ।".. 


ବାସ୍ ସବୁକିଛି ଶେଷ୍ ...


        ମୁଁ ଠିକ୍ ରେ ଜାଣିଛି ଯେବେ ସନିର ସ୍କୁଲ ଛୁଟି ହେବ ସେତେବେଳେ ରୋହନର ଛୁଟି ନଥିବ ,ଆଉ ଯେବେ ରୋହନର ଛୁଟି ଥିବ ସେତେବେଳେ ସନିର ସ୍କୁଲ ଚାଲିଥିବ ।

     ବହୁତ ଇଛା ହେଉଥିଲା କି ତାକୁ କୋଳରେ ବସେଇ କହନ୍ତି ନାଇଁରେ ଧନ .,, ତୋର ସବୁ ଧାରଣା ଭୁଲ । ଏଇ ଗାଁ ରେ ସବୁ ଅଛି .. ଏଇ ଦେଖୁନୁ ପାହାଡ, ଝରଣା, ଜଙ୍ଗଲ, ଭଙ୍ଗା ଲଣ୍ଠନର ମିଞ୍ଜି ମିଞ୍ଜି ଆଲୁଅ , ଭାଗବତ ଟୁଙ୍ଗୀର ବେଦ ଉଚ୍ଚାରଣ , ଗାଁ ମୁଣ୍ଡ ଶିବ ମନ୍ଦିରର ଘଣ୍ଟ ଘଣ୍ଟା ଶଙ୍ଖ ଧ୍ୱନୀ ଏବେବି ମୋତେ ଶୁଭା ଯାଉଛି , ମାଟି ସଡକର କେଁ କଟର ଶଗଡ ଗାଡି , କେନ୍ଦରା ବେହେଲାର କରୁଣ ରାଗିଣୀ, ନଇ କୂଳରୁ ଭାସି ଆସୁଥିବା ନାଉରୀ ପିଲାର ମାଝି'ରେ ଗୀତ ସାଙ୍ଗକୁ ସଞ୍ଜ ଫେରନ୍ତା ଗଉଡ ଟୋକାର ବଇଁଶୀ ସ୍ୱନ ... ସବୁକିଛି ଯେମିତିକୁ ସେମିତି ଜୀବନ୍ତ ଅଛି ହେଲେ ମୁଁ ହିଁ ତୁମମାନଙ୍କ ପାଖରୁ ସେ ସମୟର ସୁଖ , ସେ ଖୁସିରୁ ବଞ୍ଚିତ କରି ରଖିଦେଲି । 

 

           ସେତେବେଳେ ଯଦି ରଜ ଦୋଳି ସାଥିରେ ମୋ କାନ୍ଧର ଘୋଡା-ହାତୀରେ ତାଙ୍କୁ ବସିବାର ସୁଯୋଗ ଦେଇ ଥାଆନ୍ତି , ତା ମା ' ତାର ମମତା ବୋଳା ପଣତ କାନିରେ ତାଙ୍କ ଦେହର ଧୂଳି ଝାଡି ଦେଇଥାଆନ୍ତା ତେବେ ଆମେ ବି ତାଙ୍କ ଖୁସିକୁ ଆକାଶ ଛୁଆଁ ଉଡାଣ ଦେଇ ପାରିଥାଆନ୍ତୁ । ସେମିତି ହେଇଥିଲେ ହୁଏତ ଏ ବୃଦ୍ଧ ବୟସରେ ପୂର୍ବ ସ୍ମୃତିର ରେଶମୀ ଗାଲିଚା ଏଯାଏଁ ଚକମକ ହୋଇ ମହମହ ବାସ ବିଚ୍ଛୁରିତ କରି ତାଙ୍କୁ ଆଉଥରେ ସେ ପ୍ରେମରେ ପକେଇବାକୁ ଟାଣି ଆଣି ଥାଆନ୍ତା । ହେଲେ ଦୁନିଆରେ ଦୁଇଟି ମାଟି କଣ୍ଢେଇକୁ ଯତ୍ନରେ ସାଇତି ସମାଜରେ ମୃଣାଳ ମୂରତି ସିନା ତିଆରି କରିଦେଲି ହେଲେ ତା ଭିତରେ ଆତ୍ମା ରୂପକ ଯେଉଁ ସଂସ୍କାର ସ୍ଥାପନା କରିବାର ଥିଲା ମୁଁ ତାକୁ ସ୍ଥାପିତ କରିବାକୁ ଭୁଲିଗଲି , ଯାହାର ଫଳ ସ୍ୱରୂପ ସେ ମୂର୍ତ୍ତି ସଂସ୍କୃତି ପରମ୍ପରା ଠାରୁ ବିମୁଖ ହୋଇ ପାଶ୍ଚାତ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଲା । ତଥାପି ମୁଁ ପରିତ୍ୟକ୍ତ ଅନ୍ତେବାସୀ ହୋଇ ଖୁବ୍ ଖୁସିରେ ରହିବାର ଅଭିନୟ କରି ଚାଲିଛି ରେ ଦାମ.. ସେମାନେ ଭଲରେ ରୁହନ୍ତୁ ବାସ୍.. ଏବେ ଖାଲି ତାଙ୍କ ଫେରିବା ବାଟକୁ ପ୍ରତୀକ୍ଷା "

ଏତକ କହି ଦୀର୍ଘଶ୍ୱାସଟିଏ ଛାଡିଥିଲେ ନୀଳମଣି ବାବୁ

  -"ଓହୋଃ ...ଜୀବନରୁ ବହୁତ ବଡ ବୋଝଟିଏ ଏବେ ହାଲୁକା ହେଇଗଲା" ଆଖିର ଲୁହ ପୋଛୁ ପୋଛୁ ସେ ପୁଣି ଚାହିଁଥିଲେ ସେ ଆମ୍ବ ଗଛରେ ଝୁଲୁଥିବା ଦୋଳିଟିକୁ । ଏବେ କିନ୍ତୁ କିଛି ଛୁଆ ତାକୁ ଆକାଶ ଛୁଆଁ ଯାଏଁ ଉଡେଇ ଚାଲିଛନ୍ତି ଆରେ ଏ ..ଏ ..ଗଲା ଗଲା ପଡିଗଲା ତ ଆଉ ଚୌକି ଉପରୁ ହଠାତ୍ ଉଠି ପଡିଥିଲେ ନୀଳମଣି ବାବୁ ।

 -"ଆରେ ଦାମ ଗଲ ଗଲ ତାଙ୍କୁ ଉଠେଇ ଧର.. ଦେଖ ତ କାହାର କିଛି ହେଇନି ତ?"

ହେଲେ ତାଙ୍କ ପାଖରେ ତ କେହି ନଥିଲେ , ଆରେ ସେ ଆମ୍ବ ଗଛର ଦୋଳିଟା କୁଆଡେ ଗଲା? ଆଉ ସେ ଛୋଟ ପିଲା ଗୁଡିକ ? ସେମାନେ କୁଆଡେ ଗଲେ ? 

ନୀଳମଣି ବାବୁ ପୁନର୍ବାର ଲଥ୍ କିନା ବସିପଡିଲେ ସେ ଝୁଲନ୍ତା ଚୌକି ଉପରେ ।

ତେବେ କଣ ଗାଁ ଲୋକମାନେ ଯାହା ଫୁସୁର ଫାସର ହେଉଛନ୍ତି ସେସବୁ ସତ ?

    

ମୁଁ ପାଗଳ ନୀଳମଣି..!!



Rate this content
Log in

More oriya story from Shiba Charan Mahapatra

Similar oriya story from Tragedy