Nityananda Nandi

Tragedy

2.9  

Nityananda Nandi

Tragedy

ପାଗଳ ବୁଢ଼ା

ପାଗଳ ବୁଢ଼ା

4 mins
507


ଏଗାରଟା ବାଜିବାକୁ ଆଉ ପାଞ୍ଚ ମିନିଟ ବାକି । 

ଶୀତ ରାତିରେ ଲାଷ୍ଟ ବସ ଧରି ଆସିବା ଏକ ନିଆରା ଅନୁଭବ ସନାତନ ବାବୁଙ୍କ ପାଇଁ। ବସ ଭିତରେ ଆଉ ଭିଡ ନାହିଁ। ବିନାୟକପୁର ଷ୍ଟପେଜରେ ଓଲ୍ହେଇଲେ ସନାତନ ବାବୁ। ଜଣେ ସହକର୍ମୀଙ୍କ ଜନ୍ମ ଦିନରେ ଯୋଗ ଦେବା ପାଇଁ ସୁଦୂର କଟକରୁ ଆସିଛନ୍ତି ସେ। ପ୍ରଥମେ ରେଳ ଗାଡ଼ିରେ ଦୁଇ ଶହ ମାଇଲ ଓ ତା ପରେ ପଚାଶ କି. ମି ବସ ଧରି ପହଞ୍ଚିବା ଏତେ ସହଜ ନ ଥିଲା ତାଙ୍କ ପାଇଁ। ପୁଣି ନୂଆ ଜାଗା, ଆଗରୁ କେବେ ଆସି ନାହାନ୍ତି। ସରପ୍ରାଇଜ୍ ଦେବେ ବୋଲି ଫୋନ ବି କରି ନାହାନ୍ତି ସାଙ୍ଗ ରମେଶ ବାବୁଙ୍କୁ। ନଚେତ, କେହିଜଣେ ନିଶ୍ଚୟ ବସ ପାଖକୁ ଆସିଥାନ୍ତା ତାଙ୍କୁ ପାଛୋଟି ନେବା ପାଇଁ।  


ପାହାଡକୁ ଛୁଇଁ ଯାଇଥିବା ସରୁ ରାସ୍ତାରେ ଦୁଇ ମାଇଲ ଚାଲିବାକୁ ପଡ଼ିବ। ନା ରିକ୍ସା, ନା ଅଟୋ। କିଛି ଜାଣି ନାହାନ୍ତି ସେ ରାସ୍ତା ବାବଦରେ। ଜିପିଏସ ଅନ୍ କଲେ। ମୋବାଇଲ୍ ଫ୍ଲାସ ଲାଇଟ୍ ଦେଇ ଚାଲିଲେ ଗାଆଁ ଅଭିମୁଖେ। ବସ ଷ୍ଟପକୁ ଲାଗି କୁଡିଆ ଘରଟିଏ। ଏତେ ରାତିରେ ଜଞ୍ଜିରା ଗାଆଁକୁ କେହି ଜଣେ ଯାଉଥିବାର ଦେଖି କୁଡ଼ିଆରୁ ଜଣେ ବୁଢ଼ା ଲଣ୍ଠନ ଧରି ବାହାରକୁ ବାହାରି ଆସିଲା। ଚାଲିଲା ସେ ସନାତନ ବାବୁଙ୍କ ସହିତ। 

କଳା ମଚମଚ ବିକୃତ ଚେହେରା ଦେଖି ସନାତନ ବାବୁ ଡରି ଯାଇଥିଲେ। ମୁଁ ଜଞ୍ଜିରା ବନ୍ଧ ଯାଏ ଯିବି, ଡରୁଛ କି ? କାହିଁକି କେଜାଣି ସମସ୍ତେ ମୋତେ ଦେଖି ଡରି ଯାଆନ୍ତି, ମୁଁ ବି ବୁଝି ପାରେନି !!ସନାତନ ବାବୁ ଚୁପ ରହିଲେ । ବୁଢ଼ା ଅନର୍ଗଳ ଗପି ଚାଲିଥିଲା। ନା କିଛି ପରିଚୟ, ନା କିଛି ସଂପର୍କ। ବୁଢାକୁ, ଲୋକ ଜଣେ ଦରକାର ଖାଲି ଗପିବା ପାଇଁ ବୋଧ ହୁଏ।

 

ମୋର ପୁଅଟିଏ ଥିଲା, ରାଜ କୁମାର ପରି ଦେଖିବାକୁ, ଦିନେ ରାତିରେ ଏଇ ରାସ୍ତା ଦେଇ ଆସୁଥିଲା ତା ମାମୁଁ ଘରୁ...ଏମିତି ଅନେକ କଥା।


ସନାତନ ବାବୁ ବିରକ୍ତି ପ୍ରକାଶ କଲେ। ଚୁପ୍ ରହିବା ପାଇଁ ଇଙ୍ଗିତ କଲେ। ଭାବିଲେ, ଆଜି କାଲି ଲୋକ ମାନଙ୍କୁ ବିଶ୍ୱାସ କରିବା ବି କାଠିକର ପାଠ। ବାହାନା କରି କିଛି ମାଗିବ ପ୍ରାୟ। ତା ନ ହେଲେ ଏତେ ରାତିରେ କିଏ କାହିଁକି ଜଣଙ୍କୁ ଅନୁସରଣ କରିବ !! ଯେମିତି ହେଉ ଖସିବାକୁ ହେବ ତା କବଳରୁ।


ନିଜ ଗତିକୁ ବଢେଇ ଦେଲେ ସନାତନ ବାବୁ। ଚାଲିଲେ ବୁଢ଼ାର ଆଗେ ଆଗେ । ବୁଢ଼ା ଚୁପ ହୋଇଗଲା, ସାହାସ କଲାନି ଆଉ କିଛି ଗପିବା ପାଇଁ। ଲଣ୍ଠନ ଓ ବାଡି ଟିଏ ଧରି ଚାଲୁଥିଲା କିନ୍ତୁ ସନାତନ ବାବୁଙ୍କ ପଛେ ପଛେ । ବୁଢ଼ାକୁ ଚୁପ୍ କରିଦେଲେ ସିନା, କିନ୍ତୁ ମନ ଭିତରେ ଭାରି ଭୟ ଥିଲା, ବୁଢ଼ା କିଛି କ୍ଷତି କରିବନି ତ !! ଗାଆଁରେ ଗୁଣି ଗାରେଡ଼ି କୁ ଭାରି ଭୟ ସନାତନ ବାବୁଙ୍କର। ପୁଣି ଏତେ ରାତି, ନିର୍ଜନ ରାସ୍ତା।ଏହା ଭିତରେ ଦୁଇ ମାଇଲ ଚାଲି ସାରିଥିଲେ ସେମାନେ। ସନାତନ ବାବୁ ପଛକୁ ଅନେଇଲେ, ବୁଢ଼ା ଫେରି ଯାଉଛି ପଛକୁ। ବୁଢ଼ା କିନ୍ତୁ କାହିଁକି ଆସିଥିଲା ତାଙ୍କ ସହିତ, ରହସ୍ୟ କଣ, ପୋଖରୀ ବନ୍ଧରେ କି କାମ ଥିଲା ବୁଢ଼ାର। କିଛି ନ ବୁଝି ପାରି ବୋକାଙ୍କ ପରି ଅନେଇଥିଲେ ବୁଢ଼ା ଆଡ଼କୁ।  ସନାତନ ବାବୁଙ୍କ ମନ ଭିତରେ ଅନେକ ପ୍ରଶ୍ନ ଛାଡ଼ି ଯାଇ ଚୁପ ଚାପ ଫେରିଗଲା ସେ ତା ରାସ୍ତାରେ। କିଛି ନ କହି ଫେରିଗଲା !


ବିଚିତ୍ର ଏ ଦୁନିଆ, ଭିନ୍ନ ଭିନ୍ନ ରଙ୍ଗ, ଭିନ୍ନ ଭିନ୍ନ ମାନସିକତାର ଲୋକ, ସେଇଥିପାଇଁ ପୃଥିବୀଟା ଏତେ ସୁନ୍ଦର ଲାଗେ ବୋଧ ହୁଏ। କିଛି ଲୋକଙ୍କ ମନ କଥା ବୁଝି ହୁଏନି, ଆଉ କିଛି ଲୋକ ଙ୍କୁ ପଢ଼ିବା ସମ୍ଭବ ହୁଏନି। 

କେତେ ନିରୁପାୟ ଲାଗୁଥିଲା ବୁଢ଼ାଟି। ମୁଁ ଗାଳି ଦେଲି, କିଛି ଫରକ ପଡିଲାନି। ନିଜ ଇଚ୍ଛାରେ ପଛେ ପଛେ ଆସିଲା। ଫେରିଗଲା ବି ନିଜ ଇଚ୍ଛାରେ। ପାଗଳ ବୁଢ଼ା !!!


 ଗାଆଁ ପୋଖରୀ ହୁଡ଼ାରେ ସାଙ୍ଗ ଘର, ଜିପିଏସ କୁ ଆଧାର କରି ରମେଶ ବାବୁଙ୍କ ଘରେ ପହଞ୍ଚିଲେ ସନାତନ ବାବୁ। ରମେଶ ବାବୁ ଖୁସିରେ କୁଣ୍ଢେଇ ପକେଇଲେ ସନାତନ ବାବୁଙ୍କୁ। ବିଶ୍ଵାସର ବାହାରେ ଥିଲା, ଅଚାନକ ଏତେ ରାତିରେ ସେ ତାଙ୍କ ଘରକୁ ଆସିବେ ବୋଲି... 

 ଆଶ୍ଚର୍ଯ୍ୟ ହୋଇ ପଚାରିଲେ ଆପଣ ଏଇ ପାହାଡ ପାଖ ହୋଇ ଦୁଇ ମାଇଲ ରାସ୍ତା ଆସିଲେ କେମିତି !! ରାତି ନଅଟା ପରେ ଚୋର , ଦୂର୍ବୁର୍ତ୍ତ ମାନଙ୍କ ଭୟ। କାହାକୁ ବି ସେମାନେ ଛାଡନ୍ତିନି। ଟଙ୍କା ପଇସା ସବୁ କିଛି ଲୋଟି ନିଅନ୍ତି। ହେ ଭଗବାନ ! କେମିତି ଆସିଲେ ଆପଣ !!! ଫୋନ କରିପାରି ଥାଆନ୍ତେ....

 ଆପଣଙ୍କ ସାଥିରେ ପାଗଳ ବୁଢ଼ାଟିଏ ଆସିଥିଲା କି ?

-ହଁ

ବହୁତ ଲମ୍ବା ଇତିହାସ ଅଛି ସାର। ଅନେକ ବର୍ଷ ତଳେ, ତା ପୁଅକୁ ଦୂର୍ବୁର୍ତ୍ତ ମାନେ ହତ୍ୟା କରିଦେଇଥିଲେ ଏଇ ରାସ୍ତାରେ। ପାଞ୍ଚ ଦିନ ପରେ ବାହା ଘର ହୋଇଥାଆନ୍ତା ପୁଅର। ସ୍ୱପ୍ନର ସଂସାରଟିଏ ଭୁଶୁଡ଼ି ଗଲା । ସେଇ ଦିନଠୁ ସେ ପାଗଳ ହୋଇ ଯାଇଛି, ବୁଢ଼ୀ ଶଯ୍ୟାଶାୟୀ, କେହି ଜଣେ ଏକା ଆସୁଥିଲେ ଲଣ୍ଠନ ଆଉ ଠେଙ୍ଗାଟିଏ ଧରି ବାହାରି ଆସେ, ଭୀମ ପରି ଛିଡ଼ା ହୋଇରହେ ଦାଣ୍ଡ ରାସ୍ତାରେ। ଗାଆଁ ପାଖ ପର୍ଯ୍ୟନ୍ତ ଯାଇ ଛାଡ଼ି ଦେଇଆସେ, ସେ ଯିଏ ହେଉ ପଛକେ। ସମସ୍ତଙ୍କୁ ତା ପୁଅ କଥା କହେ। ଦୁଇ ଟୋପା ଲୁହ ଝରାଏ, ଭାବେ, ଆଉ କାହା ଜୀବନରେ ସେ ଘଟଣା ଆଉଥରେ ନ ଘଟୁ, ଯାହା ତା ପୁଅ ସାଥିରେ ଘଟି ଯାଇଛି ! ବୁଢ଼ା ହାତରେ ଠେଙ୍ଗା ଥିଲେ କେହି ତା ପାଖ ବି ମାଡ଼ନ୍ତିନି...


ସନାତନ ବାବୁଙ୍କ ଆଖିରେ ଲୁହ ଜକି ଆସିଲା, 

ବୁଢ଼ା କେତେ ଖୁସି ହୋଇ ଥାଆନ୍ତା ଯଦି ମୁଁ ତା ମୁହଁ ରୁ ତା ପୁଅ କଥା ଶୁଣିଥାନ୍ତି। କିଛି ଜିଦ ବି କଲାନି। କେତେ ଭୁଲ ମୁଁ କରିଛି ସେ ବୁଢାକୁ ଗାଳି କରିକି !! ମଣିଷ ପଣିଆକୁ ଚିହ୍ନିବା ର ସତ ସାହାସ ଆମ ପରି ସହରୀ ବାବୁଙ୍କ ପାଖରେ କଣ ଥାଏ। ଗାଳି ଖାଇବା ପରେ ବି କିଛି ପ୍ରତିକ୍ରିୟା ନ ଥିଲା ବୁଢ଼ାର। ଧୈର୍ଯ୍ୟର ସୀମା ଥାଏ, କିନ୍ତୁ ଏତେ ଧୈର୍ଯ୍ୟ ! ଚାହିଁ ଥିଲେ ଅଭିମାନ କରି ଅଧା ରାସ୍ତାରୁ ଫେରି ଯାଇ ପାରିଥାଆନ୍ତା ସେ। କିନ୍ତୁ ଗାଆଁ ପୋଖରୀ ବନ୍ଧ ପର୍ଯ୍ୟନ୍ତ ମୋ ସାଥିରେ ଆସି ମୋତେ ସୁରକ୍ଷା ପ୍ରଦାନ କରି ଫେରିଗଲା । ସାହାଯ୍ୟ ଏକ ନିଃସ୍ଵାର୍ଥପର ମାନସିକତା ବୋଧ ହୁଏ। ନିହାତି ଅନ୍ଧ ଭାବରେ ସାହାଯ୍ୟର ହାତ ଲମ୍ବିଯାଏ ହୃଦୟ ଭିତରୁ। ଚୁପ ଚାପ କିଛି ନ କହି ଗାଆଁ ମୁଣ୍ଡ ପର୍ଯ୍ୟନ୍ତ ଆସି ମୋତେ ଛାଡ଼ି ଫେରିଗଲା, ବୁଝି ବି ପାରିଲିନି, ନା ବୁଝିବାକୁ ଚେଷ୍ଟା କଲି। ଏମିତି ଦରଦୀ ହୃଦୟକୁ ସମସ୍ତେ କଣ ବୁଝି ପାରନ୍ତି !! ରକ୍ତ ମାଂସରେ ଗଢା ମଣିଷର ପରିଚୟ ଖାଲି ବେଶ ଭୂଷାରୁ ହୁଏନି, ହୃଦୟର ରଙ୍ଗ ହିଁ ତାର ପ୍ରକୃତ ପରିଚୟ। ସହରର କଂକ୍ରିଟ ଜଙ୍ଗଲ ଭିତରେ କାଁ ଭାଁ ଏମିତି ହୃଦୟ ଟିଏ ମିଳେ !କେତେ ସରଳ, କେତେ ନିଷ୍କପଟ ଥିଲା ସେ। ସେ ଥିଲା ମାେ ଚଲା ପଥରେ ସାଥୀ।

ଫେରିବା ଦିନ ମୁଁ ମୋ ପାପର ପ୍ରାୟଶ୍ଚିତ କରିବି, କୋଳରେ ଲଗେଇବି ବୁଢାକୁ। କଲିଜା କୁ ପଥର କରି କହିବି ମଉସା ! କୁହ ତମ ପୁଅ କଥା, ଶୁଣିବି....


ପୁଣି ଥରେ ଅନେଇଲେ ସେଇ ପାଦ ଚଲା ରାସ୍ତା ଆଡେ। ବୁଢ଼ା ଘରେ ପହଞ୍ଚି ନି। ଏବେ ବି ମିଞ୍ଜି ମିଞ୍ଜି ଜଳୁଥିଲା ଲଣ୍ଠନ ର ଆଲୁଅ, ଅସ୍ପଷ୍ଟ ହୋଇ ଆସୁଥିଲା ଧୀରେ ଧୀରେ, ମାନବିକତାର ନୂଆ ମାଇଲ ଖୁଣ୍ଟ ଟିଏ ଗଢି ଉଠୁଥିଲା ସନାତନ ବାବୁଙ୍କ ଜୀବନରେ ବାକି ଥିବା ଅବଶିଷ୍ଟ କିଛି ରାସ୍ତା ଉପରେ। କେତେ ସତସାହାସ ଦରକାର ଏତେ ନିଃସ୍ଵାର୍ଥପର ହୋଇ ସାହାଯ୍ୟର ହାତ ବଢେ଼ଇବା, ଲୋକେ କିନ୍ତୁ ତା ନାଁ ରଖିଛନ୍ତି ପାଗଳ ବୁଢ଼ା....., ମୋ ପାଇଁ କିନ୍ତୁ ସେ ଭଗବାନ, ପିତୃତୁଲ୍ୟ...।



Rate this content
Log in

Similar oriya story from Tragedy