Sucharita Sena

Comedy

4  

Sucharita Sena

Comedy

ଓଃ.... କି ସମୟ!

ଓଃ.... କି ସମୟ!

6 mins
378


ମାଧପୁର ହାଟଟି ବହୁତ ବଡ, ସପ୍ତାହରେ ଦୁଇ ଥର ଲାଗେ | ରବିବାର ଓ ଗୁରୁବାର | ବିଭିନ୍ନ ରକମର ଜିନିଷ ମିଳେ ବୋଲି ଆଖ ପାଖର ଲୋକ ଧାଇଁ ଆସନ୍ତି | ଯେହେତୁ ଗ୍ରାମୀଣ ଅଂଚଳ ଗାଆଁ ଗହଳିର ଲୋକ ମାନଙ୍କୁ ବେଶୀ ଦେଖିବାକୁ ମିଳେ |

ଆଜି ରବିବାର ହାଟ ରେ ଛାତି ଫଟାଫଟି ଲୋକ |ଆମିଷ ବାରି ରେ ଟିକେ ଆମିଷ ନଖାଇଲେ କଣ ମନ ବିଝିବ | ସେଥିପାଇଁ ବିଭିନ୍ନ ପ୍ରକାର ମାଛକୁ ବେପାରୀ ସଜେଇ ରଖିଛନ୍ତି | ସମସ୍ତେ କିଣା ବିକାରେ ବ୍ୟସ୍ତ | ହାଟ ଭୋରୁ ଆରମ୍ଭ ହୋଇ ଏଗାରଟା ସୁଦ୍ଧା ସମାପ୍ତ ହୋଇଯାଏ | ଧୀରେ ଧୀରେ ସମୟ ଗଡି ଚାଲିଲା | ଏଗାରଟା ପାର ହୋଇ ଘଡି କଣ୍ଟା ବାର ଆଡକୁ ବଢ଼ିବାରେ ଲାଗିଛି |

ସନାତା ହାତ ଘଣ୍ଟାକୁ ଦେଖିଲା ଓ ନିଜକୁ କହିଲା "ବେପାର ସରିଲା, ଆଉ କେହି ଆସିବେନି ଚାଲ ଏଥର ପାଲ ଭାଙ୍ଗେ ଯିବା "|

ଅନ୍ୟ ବ୍ୟପାରୀ ମାନେ ନିଜର ଯାଗାକୁ ସଫା କରିବାରେ ଲାଗିଥାନ୍ତି | ସମସ୍ତେ ଘରମୁହାଁ ହେବାକୁ ତୟାର |

ସନା, ନିଜର ଖାଲିଥିବା ପରିବା ଝୁଡ଼ିକୁ ଝାଡ଼ି ତାଉପରେ ତାଉପରେ ରଖୁଥାଏ | ଚାରି...ପାଞ୍ଚ ହାତ ଛାଡି ଗୋଟେ ବ୍ୟାଗ ଥୁଅ ହେବାର ଦେଖିଲା ସନା | ସେ ଏପଟ ସେପଟ ଚାହିଁଲା କାହା ବ୍ୟାଗ? | କେଉଁ ଲୋକ ଏଠାରେ ରଖି କୁଆଡେ ଯାଇଛିନା କଣ? |

ସନା ପାଖରେ ବସିଥିବା "ଟୁକୁନା" ପରିବାବିକାଳିକୁ ପଚାରିଲା......

"ଟୁକୁନା ଭାଇ , ଏ ବ୍ୟାଗ ତୁମର? "|

ଟୁକୁନା କହିଲା ....... " ନାଇଁତ , ମୁଁ ଏ ବ୍ୟାଗ କୁ କେତେବେଳୁ ଦେଖୁଛି | ମୁଁ ଭାବିଲି ତୋର ହୋଇଥିବ | କିଏ ଛାଡିଗଲା ? "|

ଏପରି ପାଖରେ ଥିବା ସମସ୍ତ ବ୍ୟପାରୀଙ୍କୁ ସନା ପଚାରିଗଲା କିନ୍ତୁ ବ୍ୟାଗଟି ଉପରେ କେହି ମାଲିକାନା ହକ ଜାହିରି କଲେନି |

କେହି କେହି ଲୋକ ଆସି ପାଖରୁ ବ୍ୟାଗ କୁ ଦେଖି ଚାଲି ଯାଉଥାନ୍ତି | ସନା ଭାବିଲା ଖୋଲିକି ଦେଖେ କଣ ଅଛି | ସନା ବ୍ୟାଗ ପାଖକୁ ହାତ ନେବା ବେଳକୁ ପଛରୁ "ଯୋଗିଆ " ରଡି ଛାଡିଲା...... " ରହିଯା ସନା ଭାଇ, ମରିଯିବୁ " |

ସନା ଚମକି ପଡ଼ି ସେଠାରୁ ଘୁଞ୍ଚି ଆସିଲା,

"ମରିଯିବି ".......|

ଛାତିରେ ଥୁ ଥୁ କି ମେଂଚାଏ ଛିପ ପକାଇ ଦେଇ କହିଲା...... " କି ପିଲାଟାରେ ତୁ ଡରେଇ ଦେଲୁ !!!| ମୋ ଛାତି କଣ ହେଇଗଲା, କଣ ପାଇଁ ମରିବି କିରେ ? ମୁଁ ଦେଖୁଥିଲି ବ୍ୟାଗ ରେ କଣ ଅଛି | ମୁଁ କଣ ଚୋର " |

ଯୋଗିଆ କହିଲା .......... " ସନା ଭାଇ ରେଡ଼ିଓ ଓ ଟିଭି ରେ ଖବର ଶୁଣୁନ କି ଦେଖୁନ ବୋଧେ | ଏଇପରା ଦୁଇ ସପ୍ତାହ ତଳେ ସହରରେ ବୋମା ଫୁଟିଥିଲା, ଅନେକ ଲୋକ ମରିଛନ୍ତି | ଆହୁରି କେତେ ଖଣ୍ଡିଆ ଖାବରା ହୋଇ ଡାକ୍ତରଖାନା ରେ ପଡିଛନ୍ତି " |

ସନା କହିଲା ......... "ତୁ କହୁଛୁ ଏ ବ୍ୟାଗ ଭିତରେ ବୋମା ଅଛି, ହେ ମା କୁତାମଚଣ୍ଡୀ ତୁ ବଂଚେଇ ଦେଲୁ" | ଏତିକି କହି ଠାକୁରାଣୀଙ୍କ ଉଦ୍ଦେଶ୍ୟ ରେ ହାତ ଯୋଡ଼ିଲା ସନା |

ଯୋଗିଆ କହିଲା ....... " ମୁଁ କହୁନି ସନାଭାଇ ବ୍ୟାଗ କହୁଛି, ଦେଖୁନ ଏଟା କଣ ପରିବା ବ୍ୟାଗ ଭଳି ଲାଗୁଛି ?" |

ସନା......... "ହଁ ହଁ, ତୁ ଠିକୀ କହିଛୁ, ମୋ ସ୍ତ୍ରୀ ତା ବାପୋ ଘରକୁ ଗଲେ, ଏମିତି ଗୋଟେ ବ୍ୟାଗରେ ଶାଢ଼ୀ ଆଉ ଛୁଆଙ୍କ ପାଇଁ କପଡାପତର ନିଏ "|

ଯୋଗିଆ........" ହଁ ........ ହଁ , ଏ ହାଟକୁ ଯିଏବି ଆସିବ ସେ ପରିବା ବ୍ୟାଗ ନେଇଁ ଆସିବ, ଏପରି ଜିନିଷ ବୁହା ବ୍ୟାଗ କିଏ କାଇଁ ଆଣିବ | ଯଦିବି ଆଣିଲା ଏପରି ଆଢୁଆଳ ରେ ରଖି କୁଆଡେ ଚାଲିଗଲା ???? ଯୋଗିଆଟା ପାଠ ଦୁଇ ଅକ୍ଷର ପଢିଛି | ଦେଶ ଦୁନିଆର ଖବର ରଖେ | ତାର ବୁଦ୍ଧିଵି ଭାରି | ସନା ଭାବୁ ଭାବୁ ପଚାରିଲା "ଏବେ କଣ କରିବା ଯୋଗିଆ " ?

ଯୋଗିଆ ବଡ ଜୋରେ ପାଟିକରି ସମସ୍ତଙ୍କୁ ଗୋଟେ ଯାଗା କରି, ପୋଲିସ କୁ ଖବର ଦେଲା |

ମାଧପୁର ଥାନା ରୁ ଅଧଘଣ୍ଟା ପରେ ଦୁଇଟି କନେଷ୍ଟବଳ ଆସି ପହଁଚିଲେ | ସେମାନେ ଦେଖିବାକୁ ଆସିଥିଲେ ଖବର ଟି ସତ କି ମିଛ | ବ୍ୟାଗ କୁ ଦେଖି ଡ଼ରିକି ପାଖକୁ ଆସିଲେ ନାହିଁ | ସେମାନେ ଫୋନ କରି ଅଫିସ କୁ ଜଣାଇଲେ ଯେ ସତରେ ଗୋଟେ ବଡ କ୍ୟାରୀବ୍ୟାଗ ପଡ଼ି ରହିଛି | ତା ଅଧଘଣ୍ଟା ପରେ ଚାରି... ପାଞ୍ଚ ପୋଲିସ ଆସି ପହଂଚି ଗଲେ | ହେଲେ କଣ ବା କରିବେ, ବ୍ୟାଗ ଭିତରେ ବୋମା ଅଛିକି ନାହିଁ ଜାଣିବେ ବା କିପରି ? ସହରରୁ ବୋମାନିଷ୍କ୍ରୟ ଟିମ୍ ଆସିବାକୁ ଅତି କମ୍ ରେ ତିନି ଘଣ୍ଟା ସମୟ ଲାଗିପାରେ | ଉପସ୍ଥିତ ପୋଲିସ ଅଫିସର ନିଜ ଭିତରେ କଥା ହେଉଥାନ୍ତି " ଚାକିରୀ କଲୁ ବୋଲି କଣ ବାପୋ ଅଜା ଦେଇଥିବା ଜୀବନକୁ ବାଜି ଲଗାଇଦେବୁ ନା କଣ ? ବୋମା ବ୍ୟାଗ ରେ ଅଛି ଜାଣି ମଧ୍ୟ ଆମେ ଆସି ଠିଆ ହେଇଛେ ସେଟା କ'ଣ ବଡ କଥା ନୁହେଁ "|

ଲୋକମାନେ ନିଜ ନିଜ ଭିତରେ ଟୁପୁରୁ ଟାପୁରୁ ହେଉଥାନ୍ତି | ବ୍ୟାଗ ଠାରୁ ଅନେକ ଦୂରରେ ସମସ୍ତେ | ଯୋଗିଆ ଜ୍ଞାନୀ ଭଳି କହୁଥାଏ...... " ବୋମା ଫୁଟିବା ସମୟ ହେଲେ ଟୁଁ....ଟୁଁ ଶବ୍ଦ ନିଶ୍ଚୟ ହେବ, ଆମେ ସମସ୍ତେ ସେତିକି ବେଳେ ଦୌଡ଼ି ଯାଇ ଏ ପାଖରେ ଥିବା ଅଳସି ନଇଁ କୁ ଡେଇଁ ପଡିବା | ହଁ ସମସ୍ତେ ମନେ ରଖ କିଛି ସମୟ ପାଣିରେ ବୁଡି ରହିବା " |

ସମସ୍ତେ ହଁ.. ହଁ କହୁଥାନ୍ତି | ଗନ୍ଧିଆ ଜେଜ ଟା ବୁଢା ହୋଇଗଲାଣି ସେ ଆଗରୁ ଯାଇ ନଇଁ ରେ ବୁଡୁଥାଉ, କାଳେ ଦୌଡ଼ା ଦୌଡିରେ ପଡିଯିବ | ଗନ୍ଧିଆ ଜେଜ ଗାମୁଛା ଟା ସଜାଡି କାନ୍ଧରେ ପକାଇ ଉଠି ଠିଆହେଲା |

ଜଣେ ପୋଲିସ ବାବୁ ପଚାରିଲେ....... " ମଉସା କୁଆଡେ ଯାଉଛ? , ଆଉ ଟିକେ ବସ | ବ୍ୟାଗ ରୁ ବୋମା ବାହାରିଲେ, କିଏ ଆଣିଥିଲା / କାହାର/ ଏଠାକୁ କିମିତି ଆସିଲା /ଜାଣିବା ପାଇଁ ଏପରି ଅନେକ ପ୍ରଶ୍ନ ଉପସ୍ଥିତ ଥିବା ସମସ୍ତ ଲୋକଙ୍କୁ ପଚରା ଯିବ, ତୁମେ ଯାଇ ପାରିବ ନାହିଁ |

ଗନ୍ଧିଆଜେଜ ଆକୁଳିଆ ନଜର ରେ ଯୋଗିଆ କୁ ଚାହିଁଲା | ଯୋଗିଆ ବଡ ପାଟିରେ କହିଲା....... "ସାର୍ ଜେଜର ଦେହ ଟା ଝିମି ଝିମି ହୋଇ ଯାଉଛି, ସେ କୁଆଡେ ଯିବନି ଏ ଦେଖୁ ନାହାନ୍ତି ଦଶ ହାତ ଛାଡି ଯେଉଁ ଅଳସି ନଇଁ ଦେଖୁଛନ୍ତି ସେଇଟି ସେ ବୁଡ଼ ପକାଇବ | ସେ କୁଆଡେ ଯିବନି " |

ଗନ୍ଧିଆଜେଜ ସୁନା ପିଲାଟି ପରି ମୁଣ୍ଡ ହଲାଇ ଆଗକୁ ଚାଲିଲା, ଦେଖୁ ଦେଖୁ ଗନ୍ଧିଆ ଜେଜ ର ଖାଲି ମୁଣ୍ଡ ପାଣିରେ ଭାସିଲା ଭଳି ଦେଖା ଯାଉଥାଏ |

ଇନ୍ସ୍ପେକଟର ନିଜ ଘଣ୍ଟାକୁ ବ୍ୟସ୍ତ ହୋଇ ଦେଖୁଥାନ୍ତି, ସମସ୍ତଙ୍କୁ ଲାଗୁଥାଏ ଏ ସମୟଟା ରହି ରହି ଚାଲୁଛି | କହାଯାଏ ଅପେକ୍ଷା କରିବା ସବୁଠୁ ବଡ କଷ୍ଟ | ଏହା ମଧ୍ୟ ସତ ଖୁସିର ସମୟ କୁଆଡେ ଯାଏ ଜଣା ପଡ଼େନି କିନ୍ତୁ ଦୁଃଖବେଳ ଲାଗେ ସମୟ ସ୍ଥିର ହୋଇ ଯାଇଛି | ହାଟକୁ ଲାଗିଥିବା ପାଖା ଗାଁ ଗୁଡିକର ଲୋକଙ୍କୁ ଖାଲି କରାଗଲା |

ସନା ପଚାରିଲା......... "ଯୋଗିଆ, ଏହା ଭିତରେ କେତେଗୁଡ଼େ ସମୟ ଗଲାଣି କଇଁ ବୋମା ଫୁଟୁନି ? "|

ଯୋଗିଆ ଏଥରବି ସର୍ବଜ୍ଞାନୀ ପରି ଉତ୍ତର ଦେଲା......

" ସନା ଭାଇ, ସବୁ ବୋମା କଣ ମନକୁ ଫୁଟେ | ଦେଖ ଏ ବୋମା ଏମିତି ଖଞ୍ଜା ହୋଇଥିବ ବ୍ୟାଗ ଚେନ ଖୋଲୁ ଖୋଲୁ ଫୁଟିବ | ଯେପରି ତୁମେ ଖୋଲିବାକୁ ଯାଇଥିଲ , ଖୋଲି ଥିଲେ ସବୁ ଯାଇଥାନ୍ତା "|

ଯୋଗିଆ କଥାରେ ସନା ଆଖି ଏତେ ବଡ ବଡ ହୋଇଗଲା |

ଦୀର୍ଘ ତିନି ଘଣ୍ଟା ର ଲମ୍ବା ଅପେକ୍ଷା ପରେ | ସହରରୁ ଆସି ବୋମା ନିଷ୍କ୍ରୟ ଦଳ ପହଂଚି ସାରିଥିଲେ | ମୋଟା ମୋଟା ଡ୍ରେସ ମୁହଁ ଠାରୁ ଗୋଡ ପର୍ଯନ୍ତ ପିନ୍ଧି ବାହାରି ଆସିଲେ | ଯୋଗିଆ ଓ ସନା ସହ ଥିବା ବ୍ୟପାରୀ ଓ ଉପସ୍ଥିତ ଲୋକ ମାନେ ଆଁ କରି ଚାହିଁ ରହିଥାନ୍ତି | ବ୍ୟାଗର ଚାରିପାଖରେ ମେସିନ ଲଗାଇ ଦେଖିଲେ, ବୋମା ଥିବାର କୌଣସି ସୂଚନା ଜଣାଗଲା ନାହିଁ | ଏଥର ବ୍ୟାଗ ଟିକୁ ଉଠାଇ ଅଣାଗଲା, ବହୁତ ଓଜନ ଥିଲା ସେଟା | ଚେନ ଖୋଲିଲା ପରେ ବ୍ୟାଗ ରୁ କିଛି କପଡା ଓ ତାତଳେ ପଥରର ବଡ଼ ଚକି ଟିଏ ବାହାରିଲା | ସମସ୍ତେ ଚାହିଁଥାନ୍ତି | ଯୋଗିଆ ମନଟି ମଉଳି ଗଲା, ତାକୁ ଲାଗିଲା ପୋଲିସ ନେଇଁ ହାଜତରେ ପୁରାଇ, ମନଇଚ୍ଛା ଛେଚିବ ଆଜି ମତେ |

ସନା ଓ ଯୋଗିଆ ଡ଼ରିକି ବସିଥାନ୍ତା | ବଡ ପୋଲିସ ବାବୁ ସେ ଦୁଇ ଜଣକୁ ପାଖକୁ ଡାକିଲେ | ସନା, ଯୋଗିଆ ଙ୍କ ତଣ୍ଟି ଶୁଖି ଯାଉଥାଏ | ଇନ୍ସ୍ପେକଟର ଦୁଇ ଜଣକ ପିଠି ଥାପୁଡ଼ାଇ କହୁଥିଲେ " ବୋମା ନଥିଲା ଏହା ଆମ ସ୍ୱଭାଗ୍ୟ ଥିଲା, କିନ୍ତୁ ଜଣେ ଭଲ ନାଗରିକ ହିସାବରେ ଯେଉଁ କର୍ତ୍ତବ୍ୟ ରହିଛି ତୁମେ ତାହା ପାଳନ କରିଛ | ଆମେ ତୁମ ମାନଙ୍କ ଉପରେ ଗର୍ବିତ, ତୁମେ ମାନେ ଏଥର ଘରକୁ ଯାଇ ପାର | କିଏ ହୁଏତ ଭୁଲରେ ଏ ବ୍ୟାଗ ଛାଡି ଯାଇଛି | ଆମେ ଏହାକୁ ଥାନାକୁ ନେଇଯାଉଛୁ କିଏ ଯଦି ଆସି ଖୋଜେ ତାକୁ ଥାନାକୁ ପଠାଇ ଦେବ |

ନିଜନିଜ ଜିନିଷକୁ ସଜାଡି ବାହାରିଲେ ସମସ୍ତେ l ଯୋଗିଆ ର ଗନ୍ଧିଆଜେଜ କଥା ମନେପଡିଲା, ସେ ଜୋରରେ ଗନ୍ଧିଆଜେଜ କୁ ଡାକ ଦେଲା | ଥରି ଥରି ଗନ୍ଧିଆ ଜେଜ ଆସି ପହଂଚି ପଚାରିଲା..

.

"ବଉଁ ଟା କଣ ଫୁସୁରୀ ଗଲାନା କଣ?

କଇଁ ମୋ କାନକୁ ଶୁଣା ଗଲାନି ?"|

ସମସ୍ତେ ହୋ ହୋ ହୋଇ ହସୁଥିଲେ |


Rate this content
Log in

Similar oriya story from Comedy