ପ୍ରଜ୍ଞା ପାରମିତା

Drama Tragedy

3  

ପ୍ରଜ୍ଞା ପାରମିତା

Drama Tragedy

ନୂଆ ଜାମା

ନୂଆ ଜାମା

5 mins
166



ଦୀର୍ଘ କେଇ ଘଣ୍ଟାର ଅପେକ୍ଷା ସତ୍ତ୍ୱେ ଲଣ୍ଡ୍ରି ବାଲାର ଦେଖା ନଥିଲା । ଖୁବ୍ ବ୍ୟସ୍ତ ବିବ୍ରତ ଜଣା ପଡୁଥିଲା ଅରୂପା । ରାତି ପାହିଲେ ଗଣେଶ ଚତୁର୍ଥୀ । ବାବୁଙ୍କ ଘରେ ଅନେକ କାମ । ପ୍ରାୟତଃ ସବୁକାମ ସରିବା ଉପରେ , ଖାଲି ଯାହା ଅପେକ୍ଷା ଏ ଲଣ୍ଡ୍ରି ବାଲାକୁ । ବାବୁଆଣୀ କହିଛନ୍ତି କାମତକ ନସରିବା ଯାଏଁ ସେ ହଲି ପାରିବ ନାହିଁ । କାଲି ସକାଳେ ପୂଜା ହେବ , ଗଣପତି ବାବାଙ୍କର । କାହିଁରେ କେତେ କୁଣିଆ ମୈତ୍ରଙ୍କ ଭିଡ ଜମିବ। ସେମାନଙ୍କ ଖାଇବା ପିଇବାର ସବୁ ଦାୟିତ୍ୱ ଏବେ ତା ଉପରେ । 

  ମନଟା କିନ୍ତୁ ଖାଲି ଗୋଳାଇ ଘାଣ୍ଟି ହେଉଛି । ଉଚ୍ଚାଟିଆ ଲାଗୁଛି ତାକୁ । ବେଳ ରତରତ ହୋଇ ସନ୍ଧ୍ୟା ଭିତରେ ଘରେ ପହଞ୍ଚିବାକୁ ପଡିବ । ନହେଲେ କଥାଟା ଅନ୍ୟ ପ୍ରକାର ହେବ । ଜଳଜଳ ହୋଇ ଆଖି ଆଗରେ ଭାସି ଆସିଲା ଦୁଇଟି ଚିତ୍ର । ପ୍ରଥମତଃ ତାର କୁନି ଝିଅ ସୁନିର । ଯିଏ ଏବେ କାନ୍ଦୁଥିବ , ଭୟରେ କିମ୍ବା ଭୋକରେ । ଅପେକ୍ଷା କରିଥିବ ତାର ନୂଆ ଜାମାକୁ । ଯାହା ଆଣିଦେବାକୁ ସେ କଥା ଦେଇ ଆସିଛି ।

 ଦ୍ବିତୀୟ ରେ ତା ଗିରସ୍ତ । ସିଏତ ଏବେ ଭୋଳଥିବ, ମଦର ମାଦକତାରେ । ରାସ୍ତା ଦରାଣ୍ଡୁଥିବ ବୁଢା ସାହିର କୁଦା ଉପରେ ନହେଲେ , ଖୁଣ୍ଟିଆ ସାହିର ଝଙ୍କାଳିଆ ବୁଦା ପାଖରେ । ଟଳମଳ ହେଉଥିବ ତାର ଅଣାୟତ୍ତ ପାଦ ଯୋଡ଼ିକ । ଘରେ ପହଞ୍ଚିବା କ୍ଷଣି ଆରମ୍ଭ କରିଦେବ ମହାଭାରତ ଯୁଦ୍ଧ । ମନରେ ତାର ବହଳ ବହଳ ସନ୍ଦେହ । କେତେବେଳେ ତା ନାଆଁକୁ ନେଇ ବଡ ବାବୁଙ୍କ ସହ ଯୋଡ଼େ ତ କେତେବେଳେ ଭଗିଆ ସହ ।

 ଭଗିଆ ମ ! ଯାହାର ସ୍ତ୍ରୀ ଜୀବନ ହାରି ଦେଇଥିଲା ଗଲାସନ । କେବଳ ଏଇ ଘରଭଙ୍ଗା ନିଶାପାଣି ଯୋଗୁଁ । ସିଏ ସିନା ଥୁ' କରି ରତ୍ନାକରରୁ ବାଲ୍ମିକି ସାଜିଲା । ହେଲେ ଏ ଅଲାଜୁକ ରଇଜଳାର କଣ ଲାଜ ଅଛି ନା ସରମ । ଆମ ମାଆ, ଝୁଅର ମୁଣ୍ଡ ଖାଇଲେ ଯାଇଁ ଚେତା ପଶିବ ତା ମୁଣ୍ଡରେ । ନାକ ସୁଁ ସୁଁ କରି ମୁହଁରେ କାନି ଭରିଦେଲା ଅରୂପା ।   

  ଏବେ ଆଉ ବାଧୁନି ତାକୁ , କଷ୍ଟ ବି ଲାଗୁନି । ଦୀର୍ଘ ଆଠବର୍ଷ କାଳ ସହି ସହି ଦେହସୁହା ହୋଇଗଲାଣି ତାର । କେତେ ଆଉ କାଟିବ ଯେ । ବଧିରା ହୋଇ ବିଣ୍ଡି ଧରି ସାରିଲାଣି ଦେହ ହାତ ।

ଖାଲି ଯାହା ଛୁଆଟିର ମୁହଁକୁ ଚାହିଁ ବଞ୍ଚିବା ରହିବା କଥା । 

  ଜୀବନରେ ଥରୁଟିଏ କିନ୍ତୁ ସାହସ କରିଥିଲା ସେ, ପ୍ରତିବାଦ କରିବାକୁ । ସେଦିନ ବୋଧହୁଏ ତାର ପ୍ରଥମ ଓ ଶେଷ ପ୍ରଚେଷ୍ଟା ଥିଲା । କାନମୁଣ୍ଡାରୁ ବହୁଥିବା ଧାରଧାର ରକ୍ତ ତାକୁ ତୁନି ହେବାକୁ ବାଧ୍ୟ କରିଥିଲା । ଡାକ୍ତରଙ୍କ ପରାମର୍ଶରେ ଔଷଧ ଓ ସାଲାଇନ ଯାହା ତାକୁ ଫେରାଇ ଆଣିଥିଲା ଯମ ପାଖରୁ । ନଚେତ୍ ଭଗିଆର ସ୍ତ୍ରୀ ସହ ଭେଟହେବା ସୁନିଶ୍ଚିତ ଥିଲା ।


  ଛୁଆଟି ପାଇଁ ବେଳେବେଳେ ମନଦୁଃଖ କରେ ଅରୂପା । ଖୁବ୍ ଶାନ୍ତ , ସରଳ , ସୁଧାର ଛୁଆଟିଏ ତାର । ସାତବର୍ଷ ବୟସରେ ବି ବେଶ୍ କିଛି ବୁଝିବାକୁ କ୍ଷମତା ରଖେ ସେ । କେବେହେଲେ କିଛି ଜିଦ୍ କରେନି । ଯାହା ଥାଏ ଯେତିକି ବି ଥାଏ ସେତିକିରେ ଖୁସି ହୋଇଯାଏ ,ବିନା କିଛି ପ୍ରତିବାଦରେ । ହେଲେ ମା' ମନ ତ ସହଜରେ ହଜମ କରିପାରେନି ଏସବୁକୁ ! ବହୁତ କଷ୍ଟ ପାଏ ଅରୂପା । ସହିବାର ଇଏ କଣ ଗୋଟାଏ ବୟସ । ହସିବା ଖେଳିବା ସମୟରେ ଝିଅ ତାର ଅଭାବ ବୋଧକୁ ଅନୁଭବ କରେ । ତୁନି ହୋଇ ମନମାରି ବଞ୍ଚେ । ଛାତି ଫାଟିଯାଏ ଏସବୁକୁ ଦେଖିଲେ । ବହେ ଲେଖା ଗାଳିକରେ ତା ପୋଡା କପାଳକୁ ।  

 ମା' ... ମା' ... ! 

ବାହାରେ କାହାର ଡାକ ଶୁଭିଲା । ଖୁସି ହୋଇଗଲା ଅରୂପା । ବୋଧହୁଏଲଣ୍ଡ୍ରି ବାଲା । ଯେବେ ବି କିଛି ପୂଜା ପର୍ବାଣୀ ହୁଏ ବାବୁଆଣୀ ଏମିତି ଲଣ୍ଡ୍ରି ବାଲାକୁ ଡକାଇ ନୂଆ ନୂଆ ପିନ୍ଧା ଲୁଗା ସବୁ ସଫେଇ ନିମନ୍ତେ ପଠାନ୍ତି । ପିନ୍ଧିବା ପାଇଁ ନୁହେଁ, ଦାନ ପାଇଁ । ତା ଝିଅକୁ ମଧ୍ୟ ଦେବାପାଇଁ ଭୁଲନ୍ତିନି ।

 ସାନ ମା'ର ପିନ୍ଧା ଜାମା ଖୁବ୍ ଭଲ ମାନେ ତାକୁ । ତାଙ୍କ ବୟସ ତା ଝିଅର ବୟସ ଠାରୁ ଟିକେ ଅଧିକ । ପାଦ ଉପରକୁ ଘୁଷୁରିଲେ ମଧ୍ୟ ଝିଅ ବେସ୍ ଖୁସି ହୋଇଯାଏ, ପିନ୍ଧିଲାବେଳେ ।

  ତରବରିଆ ଭାବେ ଦଉଡିଗଲା ଦରଜା ପାଖକୁ । ଖୁସିରେ ସାଉଁଟି ଆଣିଲା ସବୁତକ କପଡା । ବହୁତ ଖୁସି ଥିଲା ସେ । ଡେରି ହେଲେ ହେଉ ପଛେ , ତାକୁ ଆଉ ଜାମା କିଣିବାକୁ ପଡିବନି । କାଲି ସାନ ମା'ର ଜାମା ପିନ୍ଧି ଝିଅ ତାର ପରୀ ଭଳି ଦିଶିବ । 

  ଆଲୋ ଅରୁ । ଲୁଗାତକ ବାହାର ଡ୍ରୟାରରେ ରଖିଦେବୁ । କାଲି ବସ୍ତିରେ ବଣ୍ଟା ହେବ କହି ଟିଭି ଆଗରେ ରିମୋଟ୍ ଧରି ବସି ପଡ଼ିଲେ ବାବୁଆଣୀ । 

ଖୁବ୍ ଭଲ ମଣିଷଟିଏ ସେ । ମନବୁଝି ପେଟପୁରା ଖାଇବା ଅଜାଡ଼ି ଦିଅନ୍ତି ତା ଥାଳିରେ । ଆଉ କିଛି ବଳକା ଖାଦ୍ୟକୁ ମଧ୍ୟ ବାଧ୍ୟ କରନ୍ତି ନେବାପାଇଁ ଘରକୁ । ରାତିଓଳା ରୋଷେଇର ଝିନଝଟ ନଥାଏ ତାର । ଝିନଝଟ୍ କଣ ଯେ ଧୈର୍ଯ୍ୟ ନଥାଏ କହିଲେ ଚଳେ । ଦିନ ଯାକର ଖଟଣି ପରେ ବହୁତ କ୍ଳାନ୍ତ ଅନୁଭବ କରେ ସେ । ଘରେ ପହଞ୍ଚୁ ପହଞ୍ଚୁ ସଂନ୍ଧ୍ୟା ପାଞ୍ଚଟା । ଗଣ୍ଡେ ଖାଇଦେଲେ ଖଟିଆ ହିଁ ସାହାରା ଯାହା । ହେଲେ ସବୁବେଳେ ଏ ସୁଖ ତା ଭାଗ୍ୟରେ ନଥାଏ । 

  ବେଳେବେଳେ ରାତି ଅନିଦ୍ରା ହେବାକୁ ପଡ଼େ ତାକୁ । ଖାଲିଯାହା ଚାରିଆଡ଼େ ଖୋଜିବାକୁ ପଡ଼େ ସେ ରଇଜଳା ମଦୁଆ ମାତାଲ ଗେରସ୍ତକୁ । ଲଣ୍ଠନ ଟିଏ ଧରି ଅଣ୍ଡାଳି ବୁଲେ ବାରଦୁଆର ଶୁଣ୍ଡିପିଣ୍ଢା । କେତେବେଳେ ପୋଖରୀ ହୁଡ଼ାରେ ତ କେତେବେଳେ କିଆବୁଦା ମୂଳରେ । ପୁଣି କେତେବେଳେ ଗିରସ୍ତର ଗୋଇଠା ବିଧାରେ ଲହୁଲୁହାଣ ହୋଇ ପାହିଯାଏ ରାତି । ଆଖି ଯୋଉ ଖୋଲାକୁ ସେଇ ଖୋଲା ।   

  ଏମିତି ଦହଗଞ୍ଜ ଭରା ଜୀବନ ଭାରି କଷ୍ଟଦିଏ ତାକୁ । ବାବୁଆଣୀ ନଥିଲେ ସେ ଓ ତା ଝିଅର ଅବସ୍ଥା କଣ ଯେ ହୁଅନ୍ତା ଭାବିଲେ ଦୁଃଖ ଲାଗେ ।  

  ଲୁଗାସବୁ ସାଇତିବା ବେଳେ ତାର ଆଖି ପଡିଲା ସାନ ମା'ଙ୍କ ଗୋଲାପି ଡ୍ରେସ୍ ଉପରେ । ଖୁସି ହୋଇଗଲା ସେ । ସବୁଠାରୁ ଅଲଗା କରି ରଖିଦେଲା ଉପର ଡ୍ରୟରରେ । ଗଲାବେଳେ ବାବୁଆଣୀ ନିଶ୍ଚୟ ଯାଚିକରି ଦେବେ ଏଇଟିକୁ । ମଣିଷ ମନ ତ ! ସବୁବେଳେ ଆଶା ବାନ୍ଧେ । ଇଛାକରେ ପାଇବାକୁ ଇଛିତ ଜିନିଷ । ହେଲେ ସବୁଇଛା କଣ ପୂରଣ ହୁଏ ! 

  ସଂଧ୍ୟା ହେବାକୁ ଆଉମାତ୍ର ଘଡିଏ ବାକି । ରୋଷେଇ ଘରର ସମସ୍ତ ଟୁକୁରା ମୁକୁରା କାମ ସାରି ଅରୂପା ଉଭା ହେଲା ବାବୁଆଣୀଙ୍କ ପାଖରେ । 

ମା' ... !

 କାମତକ ସରିଲା । କାଲି ସଅଳ ସଅଳ ଝିଅକୁ ଧରି ଚାଲି ଆସିବି ଯେ ଆଉକିଛି ହଇରାଣ ହରକତ ହେବାକୁ ପଡ଼ିବନି । ଏବେ ମୁଁ ଘରକୁ ଯାଉଛି । ଝିଅ ତେଣେ ଭୋକରେ ଥିବ । ବହୁତ ଖୋଜୁଥିବ ମୋତେ । 

" ହଁ ଯାଆ ! "

  ଗୋଟିଏ ସଂକ୍ଷିପ୍ତ ଉତ୍ତର ମିଳିଲା ଆର ପାଖରୁ । ମନଟା ଯେମିତି ମଉଳିଗଲା। ଏମିତି ଏକ ରୁକ୍ଷ ଉତ୍ତର କେବେବି ଆଶା କରିନଥିଲା ଅରୂପା । ଭାବୁଥିଲା ସକାଳେ ବଳିଥିବା ଖାଦ୍ୟରୁ କିଛିଟା ନେଇ ଯାଆନ୍ତା ଝିଅ ପାଇଁ । ହେଲେ ବାବୁଆଣୀଙ୍କ ବିନା ନିର୍ଦ୍ଦେଶରେ କେମିତି ବା ହାତ ଲଗାଇ ପାରିବ ସେଥିରେ । ଆଉ ସେ ଜାମା ! ତାକୁ ମଧ୍ୟ ନେବା ଉଚିତ୍ ହେବନି , ଯେଉଁଯାଏଁ ସେ ନକହିଛନ୍ତି।

ମା' ...

ମୁଁ ଏଥର ଯାଉଛି ! ଆଉଥରେ ଶୁଣାଇବା ପରି ଜୋରରେ କହିଲା ଅରୂପା । ବାବୁଆଣୀ କିନ୍ତୁ କିଛି ନଶୁଣିବା ପରି ଟେଲିଭିଜନ୍ ଆଗରୁ ଉଠି ଚାଲିଗଲେ ଘର ଭିତରକୁ । 

  ଛାତି ଭିତରେ କୋଉଠି ଗୋଟେ ଯନ୍ତ୍ରଣା ହେଲା । ଏଯାଏଁ ହାଲିଆ ଲାଗୁ ନଥିବା ଦେହଟା ଅଚାନକ ବ୍ୟସ୍ତ ବିବ୍ରତ ହେବାକୁ ଲାଗିଲା । କାନ୍ଦ କାନ୍ଦ ଲାଗିଲା ତାକୁ । ବାବୁଆଣୀ କିଛି ଦେଲେନି ବୋଲି ନୁହେଁ । କାନ୍ଦ ଲାଗିଲା ତାକୁ ଚାହିଁ ବସିଥିବା ତାର ଛୁଆଟି ପାଇଁ । ଘରେ ପହଞ୍ଚିବା କ୍ଷଣି ସେ କୁଣ୍ଢାଇ ଧରି କେତେକଣ ପଚାରି ବସିବ। ଅଣ୍ଡାଳି ପକାଇବ ତା ହାତରେ ଥିବା କନା ବ୍ୟାଗଟିକୁ । କି ଉତ୍ତର ଦେବ ସେ । ଏମିତି ଭାବୁ ଭାବୁ ଗେଟ୍ ପାଖରେ ପହଞ୍ଚି ସାରିଥିଲା ଅରୂପା ।    

  ଉଦାସୀନତା ଝରି ପଡୁଥିଲା ଆଖିରେ । ଥରି ଯାଉଥିଲା ଓଠ । କିଛି ସମୟ ଛିଡା ହେଲା ପରେ ପୁଣିଥରେ ବୁଲି ଚାହିଁଲା ଘର ଭିତରକୁ । ମାତ୍ର କାହାକୁ ପାଇଲାନି । ଲୁଗା କାନିର କିଛିକାଂଶ ଏବେ ହୋଇ ସାରିଥିଲା ଆର୍ଦ୍ର । ଆଖିର ଲୁହ ଓ ଛାତିର କୋହ ବୋଲ ମାନିବାକୁ ନାରାଜ ଥିଲେ ଯେମିତି । ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥିଲା ସେ । ଆହୁରି ଚେଷ୍ଟା କରୁଥିଲା ହସିବାକୁ । ଯେମିତି ହସି ପାରିବ ଝିଅ ଆଗରେ ।

 ପଛରୁ ଡାକ ଶୁଭିଲା । ଏ ଅରୁ ଶୁଣିଯା ! ପଛକୁ ବୁଲିବା ବେଳକୁ ବାବୁଆଣୀ ଧରାଇଦେଲେ ଯୋଡିଏ ବ୍ୟାଗ୍ ।ଏଇ ନେ ! ତୁମ ରାତି ଖାଇବା । ଆଉ ଏଥିରେ ଝିଅ ପାଇଁ ଆଣିଥିବା ନୂଆ ଜାମାରୁ ହଳେ । ବ୍ୟସ୍ତତା ଭିତରେ ଦେବାପାଇଁ ଭୁଲି ଯାଇଥିଲି । ମନଊଣା କରିବୁନି , ତୋ ପାଇଁ ଶାଢୀଟିଏ ରଖିଛି ଏଥିରେ ।  

  କୃତଜ୍ଞତାରେ ନଇଁଗଲା ଅରୂପା । ଆଖିରେ ଶୁଖି ଆସିଥିବା ଲୁହ ପୁଣିଥରେ ଜକେଇବା ଆରମ୍ଭ କଲା ।

  ଫେରି ଯାଉଥିଲେ ବାବୁଆଣୀ । ଫେରି ଆସୁଥିଲା ହଜିଯାଇଥିବା ଓଠର ହସ ।


             


Rate this content
Log in

More oriya story from ପ୍ରଜ୍ଞା ପାରମିତା

Similar oriya story from Drama