STORYMIRROR

prajna paramita

Others

3  

prajna paramita

Others

ପ୍ରାୟଶ୍ଚିତ ..

ପ୍ରାୟଶ୍ଚିତ ..

3 mins
7.1K


ମିତା, ସଂସାରର ଭିଡ଼ ଭିତରେ ହୋଇ ଯାଇଛି ଏକା । ଅଜଣା ଏକ ଭୁଲ୍ ପାଇଁ ମିଳିଛି ଏକ ଅସହନୀୟ ଦଣ୍ଡ ।

ଦିନ ଥିଲା, ସେ ଥିଲା ଅତ୍ୟନ୍ତ ଲାଜକୁଳୀ।ଘରର ଏରୁଣ୍ଡି ବନ୍ଧ ବାହାର ଦୁନିଆ ବିଷୟରେ ସେ ଥିଲା ସଂପୂର୍ଣ୍ଣ ଅଜ୍ଞ । ପାଠ ପଢ଼ା ସରୁସରୁ ବିବାହ ବନ୍ଧନରେ ହୋଇଥିଲା ସେ ଆବଦ୍ଧ। କିଏ ବା ପଚାରେ ତା ଇଛା କୁ !!!

କିଏ ବା ବୁଝେ ତାର ଭାବନା କୁ !!!

କର୍ତ୍ତବ୍ୟର ବେଡିରେ ପାଦ ଦୁଇଟାକୁ ବାନ୍ଧି ପକାଇଲେ ଘରଲୋକ । ଜୀବନକୁ ବୁଝିବା ବଦଳରେ , ଜୀବନର କଷଟି ପଥରରେ କଷି ହୋଇ ଚାଲିଲା ସେ ..

ମିତା, ଭିତରର କୋମଳ ମତି ନାରୀଟି ହୋଇ ଉଠୁଥିଲା ବ୍ୟଗ୍ର, ମୁକ୍ତାକାଶ ତଳର ମୁକ୍ତ ବିହଙ୍ଗଟି ପରି ଡେଣା ଝାଡି ଉଡିବାକୁ ଚାହିଁ ରହୁଥିଲା ସେ ..

ମନ ଚାହୁଁଥିଲା, ମନର ମଣିଷ ଟେ ପାଇବାକୁ। ଯାହାକୁ ସିଏ କରି ପାରିବ ଅତି ନିଜର, ଯିଏ ବୁଝି ପାରିବ ତାର ହୃଦୟର କଥା, ଯିଏ ଶୁଣି ପାରିବ ତା ଧମନୀର ଗତି ..

ବିବାହ କରିଛି ସତ, ହେଲେ ଏ ବିବାହରେ ନା ଅଛି ଆପଣା ପଣ ,ନା ଅଛି ଆନ୍ତରିକତା ।। ଯାହା ଅଛି ଖାଲି ସମାଜର ମିଥ୍ୟା ସୀକୃତି ।

ବାପା, ମାଆ ଝିଅ ଟିଏ ବୋଲି ହାତ ଟେକି ଯଥାଶୀଘ୍ର ବିଦା କରିଦେଲେ ପର ଘରକୁ ।କିଛି ଉପାୟ ନପାଇ ମଥାପାତି ସହି ଯାଇଛି ମିତା।

ଶାଶୁ ଘରେ ଅନେକ ଗଞ୍ଜଣା, ଅନେକ କଟକଣା, ଏବଂ ରୋକଟୋକ ମଧ୍ୟରେ ମିତା ହୋଇ ଯାଇଥିଲା ଅଣନିଶ୍ୱାସୀ।ମନେ ମନେ ଖୋଜି ବୁଲୁଥିଲା ମନର ମଣିଷଟିଏ । ଯାହା ସହ ଆଙ୍କିଥାନ୍ତା ସ୍ୱପ୍ନର ମହଲ, ଖେଳିଥାନ୍ତା ଫଗୁଣର ହୋରୀ , ଆଉ ଭିଜି ଥାନ୍ତା ପ୍ରେମର କୁହୁଡିରେ ।।

ଅବିଳମ୍ବେ ଆସିଗଲା ସେ ଅପେକ୍ଷାର ମୂହୁର୍ତ୍ତ ..

ହଠାତ୍ ଦିନେ ଭେଟ ହେଲା ବାବୁ । ସେ ପୁଣି ସୋସିଆଲ ମିଡିଆ ରେ ।

ଅବଶ୍ୟ କେହି କାହାର ନଥିଲେ ପରିଚିତ , କିନ୍ତୁ କିଛି କ୍ଷଣ ବାର୍ତ୍ତାଳପ ପରେ ହୋଇ ଯାଇଥିଲେ ନିକଟରୁ ଅତି ନିକଟ ..

କିଛିଦିନ ପରେ ଅଚାନକ ଭେଟ ହୋଇଥିଲା ଦୁହିଁଙ୍କର। ଯେଉଁଠି ପ୍ରଥମ ଦେଖାରେ ବାବୁ ମନକିଣି ନେଇଥିଲା ମିତାର ..

ବାବୁଥିଲା ଅତ୍ୟନ୍ତ ଶାନ୍ତ, ସରଳ,ଏବଂ ପରୋପକାରୀ ପିଲାଟିଏ। ବୋଧହୁଏ ବାବୁର ଏହିଗୁଣ ମିତାର ହୃଦୟରେ ରୋପି ଦେଇଥିଲା ପ୍ରେମର ବୀଜ ।।

ପ୍ରଥମ ଦେଖାରେ ହିଁ ମିତା ନିଜର ଆତ୍ମା ରେ ବସାଇ ସାରିଥିଲା ବାବୁ କୁ । ପ୍ରତ୍ୟକଟି ମୂହୁର୍ତ୍ତ , ପ୍ରତ୍ୟକଟି କ୍ଷଣରେ ମିତାର ଆଖିରେ ନାଚି ଉଠୁଥିଲା ବାବୁର ଚେହେରା ..

ସେବେଠୁ ମିତା ଜୀବନରେ ଆସିଥିଲା ଏକ ଭିନ୍ନ ମୋଡ଼ ।।

ରଙ୍ଗୀନ ଲାଗିଥିଲା ଦୁନିଆ, ଇନ୍ଦ୍ରଧନୁର ସାତରଙ୍ଗ ଖେଳି ଯାଇଥିଲା ମିତା ଚେହେରାରେ । କୋଇଲିର ମିଠା ସ୍ୱରରେ ତାର କାନ ହେଉଥିଲା ଚଳଚଞ୍ଚଳ ..

ଭିନ୍ନ ଏକ ଦୁନିଆରେ ହଜି ସାରିଥିଲା ମିତା । ସେ ଜାଣିଥିଲା ମନର ମଣିଷ ମିଳିଯିବା ପରେ ଏମିତି ହିଁ ହୁଏ ..

ହେଲେ ସମୟ କେବେ କାହାର ନୁହେଁ, ସମୟ ବଦଳିବା ସହ ବଦଳିଯାଏ ମଣିଷ ।। ସମୟ ବଦଳିଲା, ବଦଳିଗଲା ମଧ୍ୟ ବାବୁ ।

ବାବୁର ଏହିପରି ସ୍ୱଭାବରେ ଭାଙ୍ଗିପଡିଲା ମିତା । ନିଜକୁ ସମ୍ଭାଳି ନପାରି ପାଗେଳି ପରି ହେବାକୁ ଲାଗିଲା ମିତା , ଅସୁସ୍ଥ ହେବାକୁ ଲାଗିଲା ତା ଶରୀର । ପଦୁଟିଏ କଥା ପାଇଁ ବିନତି କଲା, ଗୋଡ଼ ହାତ ଧରି ନେହେରୁ ମଧ୍ୟ ହେଲା । କିନ୍ତୁ ନିଜ ଜିଦରେ ଅଟଳ ଥିଲା ବାବୁ । ବୋଧହୁଏ ମନଭରି ଯାଇଥିଲା ତାର, ବୋଧ ହୁଏ ଖୋଜୁଥିଲା ଅନ୍ୟ ଏକ ସୁନ୍ଦରୀ ତରୁଣୀ ..

ହେଲେ ନାରୀ ମନ ବଡ଼ ଦୁର୍ବଳ। ସହଜରେ ଭାଙ୍ଗିଯାଇ ଟୁକୁଡା ଟୁକୁଡା ହେବା ସ୍ୱଭାବିକ ।।

କେମିତି ବା ସହିଥାନ୍ତା ମିତା?? ଯାହାପାଇଁ ଦିନେ ଜୀବନ ଦେବାକୁ ପଛାଉ ନଥିଲା ମିତା, ଆଜି ସେ ତାର ଉପେକ୍ଷାରେ ଜର୍ଜରିତ..

ମିତାର ଏପରି ଅବସ୍ଥାରେ ସହଯୋଗ ର ହାତ ବଢାଇଥିଲା ମିତାର ବାନ୍ଧବି ଅନୁ .. ମାନସିକ ଯନ୍ତ୍ରଣା ରୁ ଉଦ୍ଧାରିବା ପାଇଁ ଅନୁ ପରକ୍ଷୀ ସାରିଥିଲା ମିତାର ଯନ୍ତ୍ରଣା ..

ମିତା ମଧ୍ୟ ଭାବନାର ବଶବର୍ତ୍ତୀ ହୋଇ ମନର ଯନ୍ତ୍ରଣା ଲାଘବ ନିମନ୍ତେ ପରଷି ଦେଇଥିଲା ଅବ୍ୟକ୍ତ ଭାବନାକୁ ..

ହେଲେ ସେ କଣ ଜାଣିଥିଲା ,ତାର ଅବ୍ୟକ୍ତ ଭାବନା ର ଲାଘବ ହିଁ ,ଗଢି ତୋଳିବ ତା ପାଇଁ ଯନ୍ତ୍ରଣାର ନଅର..

ବାବୁ କୌଣସି ମତେ ଶୁଣି ସାରିଥିଲା ଅନୁ ଠାରୁ ମିତାର ଅଭିଯୋଗ, ଏବଂ ଅନେକ ନିଷ୍ଠୁର ଓ ଅସହ୍ୟ ବାକ୍ୟରେ କରିଥିଲା ମିତା କୁ ମର୍ମାହତ..

ହେଲେ ମିତାର ଅବା ଦୋଷ କ'ଣ ??

ପରିବେଶ ଆଉ ପରିସ୍ଥିତି ବାଧ୍ୟକରେ ମଣିଷକୁ କିଛି ଭୁଲ୍ କରିବାକୁ ।। ମିତା ମଧ୍ୟ ଜଣେ ମଣିଷ , ସେ ମଧ୍ୟ ପରିସ୍ଥିତିର ଦାସ..

ଆଜି ସେ ଦଣ୍ଡିତ..

ଆଜି ସେ ମର୍ମାହତ..

ତଥାପି ଖୋଜି ଚାଲିଛି , କେଉଁଠି ଅଛି ଭୁଲର ପ୍ରାୟଶ୍ଚିତ ..

ପ୍ରଜ୍ଞା ପାରମିତା ପଣ୍ଡା

ମାହାଙ୍ଗା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍