Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Kulamani Sarangi

Tragedy

3  

Kulamani Sarangi

Tragedy

ନୂଆ ଜାମା

ନୂଆ ଜାମା

5 mins
491



ନାତି 'ବବଲୁ' ସହିତ ମାସେ ସମୟ କେମିତି ଆନନ୍ଦରେ କଟିଯାଇଥିଲା ଜାଣି ପାରୁନଥିଲେ ଲୋକନାଥ ବାବୁ। କର୍ମ କ୍ଷେତ୍ରରୁ ଅବସର ପ୍ରାପ୍ତିର ନିଦାଘ ଖରାରେ ବବଲୁର ସାନ୍ନିଧ୍ୟ ତାଙ୍କ ପାଇଁ ବର ଗଛ ତଳର ନିଗଣ୍ଡ ଛାଇ ଭଳି ଲାଗୁଥିଲା। ପୁଅ ଅଖିଳେଶ ମାସେ ପାଇଁ ଗୁରୁଗ୍ରାମକୁ ଟ୍ରେନିଂ ଯିବା ପୂର୍ବରୁ ବୋହୂ ଓ ନାତିଙ୍କୁ ଗାଁରେ ଛାଡି ଦେଇ ଯାଇଥିଲା। ବୁଢ଼ାବୁଢ଼ୀଙ୍କ ଆନନ୍ଦ କହିଲେ ନସରେ।ବୁଢୀ ନାତି ସ୍ନେହରେ ଏମିତି ପାଗଳ ହେଇଗଲେ ଯେ ଡାଇବେଟିସ ଔଷଧ ସମୟରେ ଖାଇବାରେ ହେଳା କରି ସୁଗାର୍ ୩୦୦କୁ ବଢ଼େଇ ଦେଲେ।ଶାଶୁଙ୍କ ସ୍ନେହ ପାଇ ବୋହୂ ଅତ୍ୟନ୍ତ ଖୁସି ହୋଇଯାଇଥିଲେ। 


ଜେଜେବାପା-ମାଆଙ୍କ ସ୍ନେହରେ ଭିଜି ଯାଇଥିଲା ନାତିର କଅଁଳ ମନ। ଶିଶିର ସିକ୍ତ ଫୁଲ ଭଳି ହସି ଉଠୁଥିଲା ବବଲୁ ।ବିଦେଶରେ ଥିବା ପୁଅ ବୋହୂ ଓ ନାତି ନାତୁଣୀ ନିଜ ନିଜ ଗାଁରେ ଏଭଳି ସାମୟିକ ସମୟ ବିତାଇବା କେତେ ଆବଶ୍ୟକ ଓ ସୁଖ ଦାୟକ ତାହା ବିଦାୟ କାଳୀନ ଆବେଗର ଲୁହ ଏବଂ କୋହରୁ ସହଜରେ ମାପି ପାରୁଥିଲେ ଲୋକନାଥ ବାବୁ।


ବୋହୂକୁ କୁଣ୍ଢେଇ ଧରି ଶାଶୁ କାନ୍ଦୁଥିଲେ।ନାତିକୁ ବାରମ୍ବାର ବୋକ ଦେଇ ପଣନ୍ତ କାନିରେ ମୁଁହ ପୋଛି ଦେଉଥିଲେ ଜେଜେମା।ବସ୍ ଷ୍ଟାଣ୍ଡରେ ବିଦାୟ କାଳୀନ ଦୃଶ୍ୟ ତ ଆହୁରି କରୁଣମୟ।ବସରେ ଝରକା ପାଖରେ ବବଲୁ ହାତ ବାହାର କରି ଜେଜେମାଙ୍କ ହାତକୁ ଧରିଥାଏ।କୋହ ସମ୍ଭାଳି ବୋହୂ କହୁଥାଏ,ବାବା...ମାମା କାହିଁକି ଏଠି ଅଛ....ଚାଲିଆସ ଭୁବନେଶ୍ୱର।

ଭାରି କଣ୍ଠରେ ଲୋକନାଥ ବାବୁ କହିଥିଲେ... କେମିତି ଏତେ ଜଞ୍ଜାଳ ଛାଡି ଯିବି ଲୋ ମା?ତୋ ବାବା'ର ଏବେ ତ ଗୋଡହାତ ଚଳୁଚି... ଗୋଡହାତ ପଡିଗଲେ ବଳେ ତୋ ସେବା ପାଇଁ ତୋ ପାଖରେ ପହଞ୍ଚି ଯିବୁ ଆମେ ବୁଢ଼ାବୁଢ଼ୀ।


ଗତ କିଛିଦିନ ହେଲା ଔଷଧ ଦୋକାନ ବନ୍ଦ ଥିଲା।ନାତି ଯିବାପରେ ଆଜି ଖୋଲୁଛନ୍ତି।ଶିକ୍ଷକତାରୁ ଅବସର ପ୍ରାପ୍ତି ପରେ ଏହି ଆୟୁର୍ବେଦିକ ଔଷଧ ଦୋକାନଟି ତାଙ୍କର ସମୟ ଅତିବାହିତ କରିବାର ଏକ ବଡ଼ ଅବଲମ୍ବନ।ସକାଳୁ ବିଲବାଡ଼ି କାମ ତଦାରଖ ପରେ ଦୋକାନ ଦଶଟା ବେଳକୁ ଖୋଲନ୍ତି।ଔଷଧ ବିକ୍ରି ହେଉ କି ନହେଉ, କିଛି ସାଙ୍ଗସାଥୀ ଯୁଟିଅଯାଆନ୍ତି ସେମାନଙ୍କ ମେଳରେ ଗପସପ ଜମିଯାଏ।


ସେଦିନ ଦୋକାନ ଖୋଲି ବାହାରକୁ ଚାହିଁଛନ୍ତି ଲୋକନାଥ ବାବୁ,ଦେଖିଲେ ଆଠ ନଅ ବର୍ଷର ପିଲାଟିଏ ଦୋକାନ ମୁହଁରେ ଠିଆ ହେଇଚି।ସାବନା ବର୍ଣ୍ଣର ଚମ ଧୁଡୁଧୁଡିଆ ପିଲାଟିଏ।ଅଧା କହରା ବାଳ ଫୁରୁଫୁରୁ ଉଡୁଚି ଜନ୍ମରୁ ତେଲ ବାଜିନି ବୋଧହୁଏ ମୁଣ୍ଡରେ । ପିଚାରେ ବୋତାମ ନଥିବା ପ୍ୟାଣ୍ଟଟି କନାଧଡିରେ ବନ୍ଧା ହେଇଚି।କଳା କୋଚଟ ଗଞ୍ଜିର ଅସଂଖ୍ୟ କଣା ଭିତରୁ କଙ୍କାଳର ପିଞ୍ଜରା ଗଣି ହେଇଯାଉଚି।ପିଲାଟିକୁ ଦେଖି ମନରେ ଅସୀମ ଦୟା ଆସିଲା ଲୋକନାଥ ବାବୁଙ୍କର ।ପଚାରିଲେ...କଣ କହୁଚୁ ବାବା?


ପିଲାଟି କହିଲା,ବଡ଼ ଭୋକ ବାବୁ...କିଛି ଦିଅ ଖାଇବି।

ପିଲାଟିର ଆଖିଭିତରେ ପେଟର ନିଆଁକୁ ଦେଖିପା୍ରୁଥିଲେ ଲୋକନାଥ।ପାଖରେ ଥିବା ଗଦାଧର ଗୁଡିଆ ଦୋକାନୀକୁ ବରା- ଗୁଗୁନି ଗୋଟିଏ ପ୍ଳେଟ୍ ଦେବାପାଇଁ କହିଲେ ଲୋକନାଥ।


ଖାଇ ସାରିବା ପରେ କୃତଜ୍ଞତା ପୂର୍ଣ୍ଣ ଆଖିରେ ଚାହିଁଲା ପିଲାଟି।କହିଲା ବାବୁ ତମ ଦୋକାନ ଘର ଓଳେଇ ଦେବି?ଭାରି ମଇଳା ହେଇଚି। ଲୋକନାଥ କହିଲେ, ନାଁ ରେ ବାବୁ ଥାଉ ତତେ କାମ କରେଇଲେ ମତେ ବାଳ ଶ୍ରମିକ ଆଇନ ଅନୁଯାୟୀ ଦଣ୍ଡ ଭୋଗିବାକୁ ପଡ଼ିବ।


ହସିଲା ପିଲାଟି।କହିଲା, ଯୋଉମାନେ ଏ ଆଇନି କରିଚନ୍ତି, ସେମାନେ ପିଲାଙ୍କ ପେଟ ପାଇଁ କିଛି ବେବସ୍ତା କାହିଁକି କରିନାହାଁନ୍ତି । ଭୁବନେଶ୍ଵରରେ ହୋଟେଲରେ ବାସନ ମାଜୁଥିଲି ବାବୁ....ଦିନେ ପୁଲିସି ଆସି ବାଡେଇଲା କହିଲା, ଯା ଶଳା,ତୁ ଛୋଟପିଲା ତୁ କାମ କଲେ ତୋ ମାଲିକ ବନ୍ଧାହବ।


ଛୋଟ ପିଲାଟିର ବଡ଼ବଡ଼ିଆ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ ଲୋକନାଥ। ପଚାରିଲେ ତୋ ନାଁ କଣ କିରେ,ଘର କୋଉଠି, ମୁଁ ତ କାଇଁ ତତେ ଆଗରୁ ଏଠି ଦେଖିନି କୋଉଠି ର‌ହୁଚୁ?


ଏତେଗୁଡିଏ ପ୍ରଶ୍ନର ଉତ୍ତର ପିଲାଟି ତରତରରେ ଏକା ନିଃଶ୍ବାସରେ ଦେଇଦେଲା...ମୋ ନାଁ 'ବୁଲା' । ଭୁବନେଶ୍ୱରରେ ନୂଆପଲ୍ଲୀ ବସ୍ତିଭିତରେ ଆମ ଘର। ମତେ 'ରାଣ୍ଡିପିଲା ବୁଲା'ବୋଲି ଡାକନ୍ତି । ବାପା ଥାଇ ବି ମୁଁ ଛେଉଣ୍ଡ। ମୋ ମା'କୁ ବି 'ଚମ୍ପୀ ରାଣ୍ଡୀ' ବୋଲି ସେଠି ସମସ୍ତେ ଡାକନ୍ତି। ଚାରି ବର୍ଷ ହେଲା ବାପା କୁଆଡେ଼ ଯାଇଚି, ଆମେ ଜାଣିନୁ।'ବାଙ୍କା' କଣ୍ଟ୍ରାକ୍ଟର ଡାକିବାରୁ ଦି'ଦିନହେଲା ଭୁବନେଶ୍ୱରରୁ ଆମେ ଏଠିକି ଆସିଚୁ।ମା ସିମେଣ୍ଟ କାମକୁ ଯାଇଚି। ଗାଁ ମୁଣ୍ଡ ଗଛମୂଳେ ପତ୍ର କୁଡିଆରେ ରହୁଚୁ ଆମେ।"


ଏକାବେଳେକେ ଏତେଗୁଡାଏ କଥା କହିଦେଇ ବୁଲା ଲୋକନାଥ ବାବୁଙ୍କ ମୁହଁକୁ ଚାହିଁଲା। କରୁଣ କାହାଣୀ ଶୁଣି ଲୋକନାଥଙ୍କ ଆଖି ଜକେଇ ଆସିଲା।ଦେହଟି ସିନା କଙ୍କାଳ ସାର୍... ମୁହଁ ଟି ଡଉଲ ଡାଉଲ ନାତି ବବଲୁ ଭଳି।ଏକା ବୟସର ହବ।


ବୁଲା ଯୋର୍ କରି ଦୋକାନ ଘରଟି ଓଳେଇଦେଲା।କହିଲା,ମା କହିଚି କା‌ହାଠୁ ଭିକ ମାଗି ଖାଇବୁନି କିଏ ଖାଇବାକୁ ଦେଲେ ତା'ର କାମ କରିଦବୁ।ତମେ ବେସ୍ତ ହ'ନି ବାବୁ,ଏଠି କୋଉ ପୁଲିସି ଆସି ତମକୁ ହଇରାଣ କରିବନି ମୁଁ ତମ ଦୋକାନ ସବୁଦିନ ଓଳେଇ ଦେବି।


ପିଲାଟିର କଥାରେ ମନ ଭରିଗଲା ଲୋକନାଥଙ୍କର।ଅନ୍ତର ଭିତର ବାତ୍ସଲ୍ୟ ମମତାରେ ଆଦ୍ର ହୋଇଗଲା।ମୁଣ୍ଡରେ ହାତ ବୁଲେଇ କହିଲେ, ବାବୁରେ କାଲି ସକାଳେ ଆସିବୁ।ତୋ ବୟସର ମୋର ଗୋଟିଏ ନାତି ଅଛି ତାର କିଛି ପ୍ୟାଣ୍ଟ୍ ସାର୍ଟ ଅଛି ତୋ ପାଇଁ ଆଣିବି।ଭାଇର ଡ୍ରେସ୍ ପିନ୍ଧିବୁନା ?


ପିଲାଟି ଖୁସି ହୋଇ କହିଲା... ହଁ ପିନ୍ଧିବି ବାବୁ,ଆଣିବ ଭାଇ ସାଙ୍ଗେ ଦେଖା କରିପାରିବି ବାବୁ ?ମୋ ପାଖେରେ ଗୋଟେ ଫିରିକି ଖେଳନା ଅଛି, ଖଣ୍ଡଗିରି ଯାତରାରୁ କିଣିଥିଲି।ଭାଇକି ଦେବି।

ପିଲାଟିର ସରଳତାରେ ମନ ଭିଜିଗଲା ଲୋକନାଥଙ୍କର।କହିଲେ... ନାଁ ରେ ବାବୁ ଭାଇ ଭୁବନେଶ୍ୱର ଚାଲିଗଲାଣି।


ପରଦିନ ଶୀଘ୍ର ଯାଇ ଦୋକାନ ଓଳେଇ ଦେଇଥିଲେ ଲୋକନାଥ ବାବୁ ପିଲାଟାକୁ କିଛି କାମ କରାଇବା ପାଇଁ ତାଙ୍କର ଇଚ୍ଛା ହେଲାନାହିଁ।


ବବଲୁର ପୁରୁଣା ପ୍ୟାଣ୍ଟ୍ ସାର୍ଟ ପାଇ ବହୁତ୍ ଖୁସି ହେଲା ବୁଲା। ଦୋକାନ ପଛପଟକୁ ଯାଇ ପିନ୍ଧିଥିବା ଜାମା ବଦଳେଇ,ନୂଆ ପିନ୍ଧି ହସି ହସି ଲୋକନାଥ ବାବୁଙ୍କ ସାମ୍ନାକୁ ଆସି ବୁଲା କହିଲା,ମତେ ଭଲ ମାନୁଚି ନା?


ଲୋକନାଥ କହିଲେ....ଝକାସ୍ !

ଖୁସି ହେଇ ବୁଲା କହିଲା,ଏବେ ମୁଁ ତମକୁ ଜେଜେ ଡାକି ପାରିବି ?

ଖୁସିର ଲୁହ ଝରି ଗଲା ଲୋକନାଥଙ୍କ ଆଖିରୁ । ହଁ ତୁ ମତେ ଜେଜେ ହିଁ ଡାକିବୁ ଜେଜେ ଖୁସିରେ ଯାହା ଖାଇବାକୁ ଦେବେ ଖାଇବୁ ନା?


ତା'ପରଠାରୁ ସବୁଦିନ ସକାଳେ ଏହି ଛୋଟ ସାଙ୍ଗଟି ପହଞ୍ଚି ଯାଏ ଏବଂ ବରା-ଗୁଗୁନି ଖାଇବା ପରେ ଗପ ଜମିଯାଏ ଦି'ଜଣଙ୍କର। ଦୋକାନ ଭିତରେ ଥାକ ଝାଡି ଔଷଧ ପତ୍ର ସାଇତା ସାଇତି କରିଦିଏ ବୁଲା। ଏ ଭିତରେ ବୁଲାକୁ ନେଇ ସ୍ତ୍ରୀଙ୍କ ସହିତ ଚିହ୍ନା ପରିଚୟ କରେଇ ଦେଇଛନ୍ତି ଲୋକନାଥ ବାବୁ।ପିଲାଟି ଉପରେ ସବୁ ସ୍ନେହ ଅଜାଡ଼ି ଦେଇଛନ୍ତି ବୁଢୀ।ବୁଲା ମାଆ ଆସି ପାରିଶ୍ରମିକ ପାଇ ବୁଢୀଙ୍କୁ ଘର କାମରେ କିଛି କିଛି ସାହାଯ୍ୟ କରେ।


ଦିନେ ବୁଲା ଲୋକନାଥଙ୍କ କାନରେ କହିଲା....ଜାଣିଚ ନା ଜେଜେ ଏଠି ମତେ କେହି 'ରାଣ୍ଡୀପିଲା ବୁଲା' ବୋଲି ଡାକୁ ନାହାଁନ୍ତି ତମେ କାହାକୁ କହିବନିଟି । ତମ ଛଡା ମୋର ସେ ନାଁ ଟା କେ‌ହି ଜାଣି ନାହାଁନ୍ତି। ଜାଣିଚ ନା ଜେଜେ ମତେ କହିଲେ ଯେତେ ଖରାପେ ନାଗେନି ମୋ ମାଆକୁ 'ଚମ୍ପୀରାଣ୍ଡୀ'ବୋଲି କହିଲେ ମତେ ଭାରି ରାଗ ନାଗେ ।

 

ବଡ଼ କରୁଣ ଦୃଷ୍ଟିରେ ସେଦିନ ବୁଲାକୁ ଚାହିଁଲେ ଲୋକନାଥ।


ହୋଲିଖେଳର ପୂର୍ବଦିନ ଭୁବନେଶ୍ୱରକୁ କୌଣସି କାମରେ ବାହାରିଲେ ଲୋକନାଥ ବାବୁ।ଗଲାବେଳେ ବୁଲାକୁ କହିଗଲେ ମୁଁ କାଲି ଆସିବି....ଭୁବନେଶ୍ୱରରୁ ମୁଁ ତୋ ପାଇଁ ନୂଆ ଜାମା ଆଣିଥିବି।


ବୁଲା ଖୁସି ହୋଇ କହିଲା,ତା'ହେଲେ କାଲି ତମେ ଆସିଲେ ଆମେ ହୋଲି ଖେଳିବା। ଗାଧେଇ ସାରି ମୁଁ ଉପର ବେଳାକୁ ନୂଆ ଜାମା ପିନ୍ଧିବି।


ଲୋକନାଥ ବାବୁ ଭୁବନେଶ୍ୱରରେ ଶୀଘ୍ର କାମସାରି ହୋଲି ଦିନ ବାରଟା ବେଳକୁ ଗାଁ ରେ ପ‌ଞ୍ଚିଲେ।‌ହାତରେ ବିଭିନ୍ନ ରଙ୍ଗର ପୁଡିଆ,ବୁଲା ପାଇଁ ନୂଆ ଡ୍ରେସ୍ର ପ୍ୟାକେଟ ଆଜି ଜେଜେ ନାତି ଖୁବ୍ ରଙ୍ଗ ଖେଳିବେ।ଗାଧୁଆ ପାଧୁଆ ସାରି ବୁଲା ନୂଆ ଡ୍ରେସ୍ ପିନ୍ଧି ବୁଲା ଆଗରେ ଠିଆହୋଇ ପଚାରିବ ଜେଜେ..ମତେ ମାନୁଚି ନା ଡ୍ରେସ୍ ?


ଗାଁ ମୁଣ୍ଡରେ ବସ୍ ରୁ ଓହ୍ଲାଇ ଲୋକନାଥ ପୋଖରୀ କୁଳରେ ଦେଖିଲେ ପ୍ରବଳ ଭିଡ଼।ଗହଳି ଠେଲିପେଲି ଆଗକୁ ଯାଇ ଦେଖିଲେ ଗୋଟିଏ ଗାମୁଛା ଘୋଡା ହେଇଚି ପିଲାଟିର ଶବ ଉପରେ।ପାଖରେ ବସି ମୁଣ୍ଡକୋଡି ଚମ୍ପୀ କାନ୍ଦୁଚି....ମତେ ଏକା ଛାଡ଼ି କୁଆଡେ ଗଲୁରେ ବୁଲା.....ତୋ ବିନା କେମିତି ବଞ୍ଚିବିରେ ଧନ ।

ହାତରୁ ଡ୍ରେସ୍ର ପ୍ୟାକେଟ ଓ ରଙ୍ଗ ପୁଡିଆ ଖସି ପଡ଼ିଲା ଲୋକନାଥଙ୍କର।ଶୁଣିଲେ ଲୋକନାଥ ବାବୁ ପିଲାଙ୍କ ସାଙ୍ଗରେ ରଙ୍ଗ ଖେଳୁଥିଲା, କହୁଥିଲା ଶୀଘ୍ର ଗାଧେଇଲେ ନୂଆ ଜାମା ପିନ୍ଧିବ । କେଡେ ବେଗି ପୋଖରୀରେ ପଶିଲା କିଏ ଜାଣିଛି କଣ ହେଲା ପଥର ଶିଉଳୀରେ ଗୋଡ଼ ଖସି ଯାଇଥିବ...।


ଲୋକନାଥ ବାବୁଙ୍କ ଆଖିର ଲୁହ ମନା ମାନୁନଥିଲା । ମତେ ଠକିଦେଲୁ ବୁଲା....ସାଙ୍ଗ ହୋଇ ହୋଲି ଖେଳିବାକୁ କହିଥିଲୁ ପରା ।


Rate this content
Log in

More oriya story from Kulamani Sarangi

Similar oriya story from Tragedy