ନୂଆ ଏକ ରାହାର ପଥଚାରୀ
ନୂଆ ଏକ ରାହାର ପଥଚାରୀ




ଆଖିର କୋଣଅନୁକୋଣରେ ଭରିଯାଇଥିବା ଲୁହ ସବୁ ଝରିଯାଇ ଶୁଷ୍କ ହୋଇସାରିଲାଣି । ବୋଧ ହୁଏ ଆଉ ସେ ଆଖିରେ ଲୁହ ନାହିଁ । ରାତ୍ରିର ଅନ୍ଧକାର ବି ଶେଷ ହୋଇଆସିଲାଣି । ଖୋଲା ଆଖିପତା ଆଜି ତାହାର ଭାବନାକୁ ଖୋଲିଦେଇଛି । ନିଜର ଅଲରା କେଶକୁ ହାତରେ ସାମାନ୍ୟ ସଜାଡି ଦେଲା କେତକୀ । ପ୍ରଶସ୍ତ,ସୁସଜ୍ଜିତ କୋଠା ଘରଟିରେ ଏଣେତେଣେ ଅଲୋଡା ପରି ପଡିଥିବା ନିଜ ଅନ୍ତଃବସ୍ତ୍ରକୁ ସାଉଁଟି ନିଜ ଦେହର ଲଜ୍ଜ୍ୟାକୁ ଘୋଡାଇ ଦେଲା । ସାତସିଆଁ ପାଞ୍ଚ ହାତର ଲୁଗାଟିକୁ ଦେହରେ ଗୁଡେ଼ଇ ପକାଇଲା । ଶକ୍ତ ଲୁହା କବାଟ ଡେଇଁ ଖୋଲା ଆକାଶ ତଳେ ଆସି ଦୀର୍ଘଶ୍ଵାସ ପକାଇଲା । ଆଉ ତା' ପରେ ସକାଳର ସୂର୍ଯ୍ୟ କିରଣରେ ରାତ୍ରିର ଯନ୍ତ୍ରଣା ଓ ଅନ୍ଧକାର ଧୀରେ ଧୀରେ ଅସ୍ପଷ୍ଟ ହୋଇ ଆସୁଥିଲା । ସେ ଚାଲିଥିଲା ଏକମୁହଁ ହୋଇ
ସେଇ ରାସ୍ତାରେ ଯେଉଁ ରାସ୍ତାରେ ଆଉ ତା' ଘର ଦେଇ ଫେରିବନି । ଛାଡ଼ ହୋ ସେ ସଂସ୍କୃତି ପରମ୍ପରା କଥା ,ଯାହା ନିଜ ଘର ଝିଅ ବୋହୂଙ୍କୁ ସୁରକ୍ଷା ଦେଇପାରେନି । ସେ ଭୁଲିସାରିଥିଲା ସିନ୍ଦୂରର ମାହାତ୍ମ୍ୟ,ଲକ୍ଷ୍ମୀ ପୁରାଣର ଗାଥା,ଆଇମାଆର ରାଜାରାଣୀ କଥା । ତା ପାଖରେ ଦୁଇଟି କାମ ବାକିଥିଲା । ପ୍ରଥମଟି ଲଣ୍ଡା ହେବା ଓ ଦ୍ୱିତୀୟଟି କରାଟେ ଶିଖିବା । ମନରେ ଟିକିଏ ବି ଦ୍ଵିଧା ନଥିଲା । ଆତ୍ମୀୟଜନଙ୍କୁ ଜନଙ୍କ ମୃତ୍ୟୁରେ ଲଣ୍ଡା ହେବା ସେ ଦେଖିଛି । ଅବଶ୍ୟ ସେ ଝିଅଟିଏ । ତଥାପି ସେ ତ କାଲି ରାତ୍ରିରୁ ଅନୁଭବ କରିସାରିଛି ଯେ ତା ସ୍ବାମୀ ମରିସାରିଛି ତା ପାଇଁ । ଆଉ ବାକି କରାଟେ ନିଜକୁ ଶକ୍ତ କରିବା ପାଇଁ,ନିଜକୁ ସୁରକ୍ଷିତ କରିବା ପାଇଁ କରାଟେ ନିଶ୍ଚୟ ଶିଖିବ ସେ । ପାଦ ଅଟକୁନଥିଲା ତାହାର । ମନରେ ଉଙ୍କିମାରୁଥିଲା ଅତୀତର ଗୋଟି ଗୋଟି ଘଟଣା ।
ଚାଷୀ କୂଳରେ ଜନ୍ମ ତାହାର । ଆମର ସମାଜ ଏବଂ ପରମ୍ପରା ଏମିତି ଯେ ପୁଅଟିଏ ପାଇଁ ବାପାମାଆ ଅପେକ୍ଷା କରି କରି ପରିବାର ନିୟନ୍ତ୍ରଣ କଥା ଭୁଲିଯାନ୍ତି । କେତକୀ ସେହି ପରି ନ୍ୟୁନ ମାନସିକତାରୁ ଜନ୍ମ ନେଇଥିବା ଝିଅଟିଏ । ବାପା ବୋଉଙ୍କ ପଞ୍ଚମ ଝିଅ । ନା ଭଲ ଖାଦ୍ୟ ମିଳିଛି ନା ଭଲ ଖଣ୍ଡେ ପିନ୍ଧିବାର ସୁଯୋଗ ମିଳିଛି । ତଥାପି ଓଡ଼ିଆ ଘର ଝିଅ ସେ । ଆମ ସଂସ୍କୃତି ନିଆରା । ନାରୀଟିଏ ଦୁଃଖକଷ୍ଟ ସବୁ ହସି ହସି ସହିଯାଏ । କାହାକୁ ବା କହିବ । ଭାଗ୍ୟ ଭଗବାନଙ୍କୁ ଦୋଷ ଦେଇ ଜୀଇଁବାକୁ ପଡେ ଏଠାରେ । ନିପଟ ମଫସଲ ସେଥିରେ ପୁଣି ଉତ୍କଟ ଦାରିଦ୍ର୍ୟତା ପାଠ କଥା ପଚାରେ କିଏ । ଏଠି ସ୍ୱପ୍ନ ଦେଖିବା ମନା । କେବଳ ଯନ୍ତ୍ରଚାଳିତ କଣ୍ଢେଇଟିଏ ପରି ବଞ୍ଚିବା ସାର । କେବେ ବି ପ୍ରତିପାଦ କରିନି କେତକୀ । ଯାହା ପାଇଛି ହସି ହସି ସହିଛି । ପରଘରେ ବାସନ ମାଜିବା ଠାରୁ ବିବାହ ଭୋଜିରେ କାମ କରି ଟଙ୍କା ସହ ଦୁଇମୁଠା ଖାଇବା ମିଳିବା ତା ପାଇଁ ପରମତୃପ୍ତି । ଗାଁ ଗଣ୍ଡାର କଥା । ଏଠି ଝିଅଟିଏ ବଢିବା ବୟସ ହୋଇଗଲେ ହୋଇଯାଏ ବୋଝ । ଲୋଡ଼ା ପଡେ ଶାଶୂଘର । କେତକୀର ଉପର ଭଉଣୀମାନେ ବି ସେଇ ଅବସ୍ଥା । ସମାଜ ଡରରେ ଝିଅ ବୋଝ ଉଠାଇବା ପାଇଁ ବାପା ତାହାର ଦେଖିନାହାନ୍ତି ଯୋଗ୍ୟତା କି ଘର । ବଡ଼ ଭଉଣୀ ମାଆର ଯାହା ସବୁ ଜିନିଷଧରି ଶାଶୂଘର ଯାଇଥିଲା । ହଁ ଶାଶୁ ତାହାର ସାକ୍ଷାତ କାଳୀ । ଅନେକ ଦୁଃଖ କଷ୍ଟ ସହିଛି କିନ୍ତୁ ବାପାଙ୍କର ଅକ୍ଷମତା ପାଇଁ ଧାଇଁ ଆସିନି ବରଂ ଝିଅ ଜନମ ସହିବାକୁ ହେବ । ଏକଥା ଚିନ୍ତା କରି ପଡିରହିଛି । ଅବଶ୍ୟ ଦ୍ୱିତୀୟ ଭଉଣୀ ଭଲ ଘର ପାଇଛି । ଫଟା ପାହୁଲାଟିଏ ନେଇନି ସେ । ଗୋଟିଏ ଚାଉଳ ରେ ଗଢ଼ା ବୋଲି ଖୁସି ଖୁସି ବିନା ଦର କଷାକଷି
ରେ ବିଦା ହୋଇଯାଇଥିଲା । ତିନି ନମ୍ବର ଭଉଣୀ କଥା କଣ କହିବି । ବୁଢା ବର ସେଥିରେ ପୁଣି ପ୍ରଥମ ସ୍ତ୍ରୀ କୁ ହରାଇ ତିନି ତିନିଟା ଛୁଆର ମାଆ ହୋଇ ପ୍ରତିବାଦ କରିନି । ଆମ ସମାଜ ନାରୀର ନୀରବତାକୁ ସଂସ୍କାର ବୋଲି ମନେ କରେ । ଆମ ସଂସ୍କୃତି ନାରୀ ସ୍ୱାଧୀନତାକୁ ସଙ୍କୁଚିତ କରି ପରମ୍ପରାର ଆଖ୍ୟା ଦିଏ । ବିଚିତ୍ର ଆମର ସମାଜ ।
ଯେଉଁଦିନ କେତକୀର ବାହାଘର ଜଣେ ଅକର୍ମା,ମଦ୍ୟପ ସହ ସ୍ଥିର କରାଗଲା ସେତେବେଳେ ତା'ର ବୟସ ୧୫ ବର୍ଷ।ନୂଆ ନୂଆ ଋତୁମତୀ । ଗରିବ ହେଲେ ବି ମନରେ ନୂଆ ନୂଆ ସ୍ୱପ୍ନ ଉଙ୍କିମାରୁଥାଏ । ଅଚାନକ ଏମିତି ବାହାଘର । ଗରିବ ବୋଲି କଣ ତା'ସ୍ୱପ୍ନର କୌଣସି ମୂଲ୍ୟ ନାହିଁ । ଚାରିଦିନ ଯାଏଁ କେତକୀର ଆଖିରୁ ଲୁହ ଶୁଖିନି । ଖାଇବା ତ ଦୂରର କଥା । କିନ୍ତୁ ମଣିଷ ବି ପରିସ୍ଥିତିର ଦାସ । ଆଖିଖୋଲି ସ୍ୱପ୍ନ ଦେଖିହୁଏ କିନ୍ତୁ ସତ କରିବା କଷ୍ଟକର ବ୍ୟାପାର । ନିଜ ଅନିଚ୍ଛା ସତ୍ତ୍ୱେ ସାଜିଥିଲା ବଧୂ । ବାପଘରର ଅଭାବ ଠାରୁ ଶାଶୂଘରର ଅଭାବ ବଳିଯାଉଥିଲା । ଯାହା କେତୋଟି ଜିନିଷ ସ୍ମୃତି ରୂପେ ବାପଘରୁ ନେଇଥିଲା ସେସବୁ ସ୍ୱାମୀର କିଛି ଦିନର ମଦ ଆବଶ୍ୟକତାକୁ ପୂରଣ କରୁ କରୁ ସ୍ମୃତି କେବଳ ଛାତି ଭିତରେ କୋହ ହୋଇ ଜମାଟ ବାନ୍ଧୁଥିଲା କେତକୀ । ବୃଦ୍ଧ ଶାଶୂ ଶ୍ୱଶୁରଙ୍କର ସେବା ସହ ବାଧ୍ୟତାମୂଳକ ଦିନ ମଜୁରିଆ ସାଜି ଖୁସି ଥିଲା ତଥାପି କେତକୀ । କିନ୍ତୁ ଆଜି ତା ହସଖୁସିରେ ନିଆଁ ଲାଗିଯାଇଛି ।
ନିର୍ବାଚନ ବିଗୁଲ ବାଜିବା ଦିନରୁ ନୂଆ ସ୍ୱପ୍ନ ଦେଖିଚି ସ୍ୱାମୀ କୁଶିଆ । ସ୍ଥାନୀୟ ନେତାଙ୍କ ତୋଷାମଦ କରି ଦୁଇ ପଇସା ସହ ପେଟେ ମଦ ମିଳିଯାଉଛି । ଏତେଦିନଧରି ରାତିରେ ନିଜ ଦେହର ଆବଶ୍ୟକତାକୁ ପୂରଣ କରିବା ପାଇଁ ଲୋଡ଼ା ପଡୁଥିବା କେତକୀ ଦିନରେ ଅଚିହ୍ନା ହୋଇଯାଉଥିବା କୁଶିଆ ପାଇଁ ଏଣିକି କେତକୀ ସ୍ତ୍ରୀର ମାନ୍ୟତା ପାଇପାରିଥିଲା । ସେଇ ଖୁସିରେ କେତକୀର ପାଦ ତଳେ ଲାଗୁନଥିଲା । ନାରୀଟିଏ କଣ ଚାହେଁ ଯେ ଜୀବନରେ । ତା ସ୍ୱାମୀଠାରୁ ଢ଼େରସାରା ଭଲପାଇବା ଆଉ ଟିକେ ସମ୍ମାନ । ସେତକ ତା ପାଇଁ ସ୍ଵର୍ଗସୁଖ ଠାରୁ ବି ମୂଲ୍ୟବାନ । ନୂଆ ଲୁଗା ଖଣ୍ଡେ ଭାଗ୍ୟରେ ଜୁଟୁଛି ଗଣ୍ଡେ ଖାଇବାକୁ ମିଳୁଛି ସେ ଖୁସି ହେବନି ବା କେମିତି ।
ଗତକାଲି କାମରୁ ଫେରି ଦୁଇମୁଠା ଖାଇସାରି ଟିକେ ଗଡ଼ିଲା ବେଳକୁ କୁଶିଆ ଡାକ ଛାଡିଲା । ଆଲୋ ଏ କେତ !ଜଲ୍ଦି ଜଲ୍ଦି ନୂଆ ଲୁଗା ପିନ୍ଧି ବାହାରି ଆସେ । ଆମର ନେତାବାବୁଙ୍କୁ ଦେଖା କରିବାକୁ ସହରର ବଡ଼ ନେତାବାବୁ ଆସିଛନ୍ତି । ତାଙ୍କ ପାଇଁ ରୋଷେଇ ଗଣ୍ଡେ କରିଦେବୁ । ତାଙ୍କ ଦେଖାଶୁଣା କରି ସକାଳୁ ଫେରିଆସିବା । ଇଛା ନଥିଲେ ବି ସ୍ୱାମୀର ଖୁସି ପାଇଁ କେତ ବାହାରିଲା ।
ମାଉଁସ କସା କରି ଭାତ ଗଣ୍ଡେ ଡାଲିଟିକେ କରିଦେଇ ଅନେଇ ବସିଛି ଦୁଇଜଣ ବାବୁ ଆସି ଖାଇବେ । କୁଶିଆ ବାହାରେ ବସି ମଦନିଶାରେ ମସଗୁଲ । ଗାଡି ଶବ୍ଦରେ କେତ ଟିକେ ନିଜକୁ ସଜାଡି ନେଲା । ମୁଣ୍ଡରେ ଓଢଣୀ ଟାଣି ବାବୁ ମାନଙ୍କୁ ଜୁହାର ହେଲା । ବାବୁ ସୋଫା ଉପରେ ବସୁ ବସୁ କୁଶିଆକୁ ପାଖ ଗାଁ ରେ ଟଙ୍କା ବାଣ୍ଟିବା ପାଇଁ ପଠାଇଦେଲେ । ମନରେ ଶଙ୍କା ଥିଲେ ବି କେତ କିଛି କହିପାରିଲା ନାହିଁ । ବାବୁମାନେ ଖାଇସାରି ବିଶ୍ରାମ ନେଲେ । କେତ ନ ଖାଇ କୁଶିଆକୁ ଚାହିଁ ରହିଥାଏ । ବାବୁ ବୋଧହୁଏ କେତର ମନ ପଢ଼ିନେଲେ । ଠିକା ଠିକା ଜଣାଇଦେଲେ କୁଶିଆ ଆଜି ରାତିରେ ଫେରିବ ନାହିଁ । ତୁ ଖାଇନେ । ଛାତିରେ ଛନକା ପଶିଗଲା କେତର । କିଛି ନ କହି ନ ଖାଇ ବସି ରହିଲା ଗୋଟିଏ କୋଣରେ । ବାବୁ ଙ୍କ ଗୁପ୍ତମନ୍ତ୍ରଣା ଚାଲିଥାଏ । ବହୁତ ସମୟ ବୋଧ ହୁଏ ଅଧରାତି । କେତର ଆଖି ସାମାନ୍ୟ ପଡିଯାଇଥାଏ । ହଟାତ୍ ଅନୁଭବ କଲା କିଏ ଯେମିତି ତା ଛାତିକୁ ଛୁଇଁଦେଲା । ଦାଉଁକିନା ହୋଇ ଆଖି ଖୋଲିଲା କେତ । ଏ କଣ ସହରର ବଡ଼ ନେତାବାବୁ । କେତର ହୃଦୟସ୍ପନ୍ଦନ ଦ୍ୱିଗୁଣ ବଢିଗଲା । ବାବୁ କିନ୍ତୁ ଛାଡିବା ଲୋକ ନୁହେଁ କେତ କିଛି ବୁଝିବା କହିବା ଆଗରୁ ରାକ୍ଷସ ପରି ଝାଂପ ମାରିଚାଲିଲେ । ବାଘ ପଞ୍ଝାରୁ ନିଜକୁ ରକ୍ଷା କରିପାରିଲା ନାହିଁ କେତ । କାକୁତି ମିନତୀ ହେଲେ ବି ପଶୁ କଣ ମଣିଷର ଭାଷା ବୁଝିପାରେ । ବରଂ ଧମକ ଦେଲେ ପାଟି ନ କରିବା ପାଇଁ । କାରଣ ଏଥିପାଇଁ ତା ସ୍ବାମୀ ଅଜସ୍ର ଟଙ୍କା ନେଇଛି ତାଙ୍କଠାରୁ । କେତର ପାଦତଳୁ ମାଟି ଖସିଗଲା।ସେ ନିଜକୁ ଦୁର୍ବଳ ମନେ କରୁଥିଲା । ବିଶ୍ୱାସର ରକ୍ତ ଶିଥିଳ ହୋଇଯାଉଥିଲା । ମାତ୍ର ସେ ଦାନବ ଖୋଲି ଚାଲିଥିଲା ତା ଦେହର ଆବରଣ । ଲୁଟିଚାଲିଥିଲା ତା ଯୌବନକୁ । ମେଣ୍ଟାଇଚାଲୁଥିଲା ତା ଦେହର ଭୋକ । ସେ ଦାନବ ସିନା ଆତ୍ମତୃପ୍ତି ଅନୁଭବ କରୁଥିଲା ଘୃଣା ଆଉ ଧୋକାରେ ଜଳିଯାଉଥିଲା କେତ । ମନର ଆଶ ପୂରଣ ପରେ ଧୋବଧାଉଳିଆ
ସାଜି ବାବୁ ଚାଲିଯାଇଥିଲେ ସହର । ମାତ୍ର ପଥର ପରି ସମ୍ଭ୍ରାନ୍ତ କୋଠରୀ ମଧ୍ୟରେ ପଡିରହିଥିଲା କେତର ଉନ୍ମୁକ୍ତ ଶରୀରଟି ।
ମଣିଷ ବିପଦରେ ପଡି ନୂଆ ବାଟ ଖୋଜେ । ନିଜ ମନର ସାହସ କୁ ଅନୁଭବ କରେ ,ନିଜ ବୁଦ୍ଧି ,କୌଶଳକୁ ଚିହ୍ନିପାରେ । କେତ ସାରା ରାତି ନିଜକୁ ନିଜେ ଅନୁଶୀଳନ କରି ନିଜ ଭିତରର ଅସ୍ତିତ୍ୱକୁ ପରଖି ସାରିଥିଲା ।ନିଜ ଭିତରର ଶକ୍ତି ,ନିଜ ମନର ଦୃଢତାକୁ ଅନୁଭବ କରିପାରିଥିଲା । ରାତ୍ରିର ଅନ୍ଧାର ହିଁ ଦିନର ଆଲୋକ ପାଇଁ ନୂଆ ବାଟ ଦେଖାଇଥାଏ । ତା ପାଇଁ ତା ସ୍ବାମୀ ମରିସାରିଥିଲା କେଇ ଘଣ୍ଟା ପୂର୍ବରୁ । କିନ୍ତୁ ପାଇସାରିଥିଲା ନିଜ ଜୀବନର ନୂଆ ରାହା ,ନୂଆ ସମ୍ଭାବନା ଆଉ ନୂଆ ଦିଗ । ନା ନା ସେ ଆଉ ସହିବନି ଏ ଅନ୍ୟାୟ । ନିଜ ପରିଚୟ ନିଜେ ଗଢ଼ିବ ସେ । କେତକୀ ତା ବାସ୍ନାରେ ମହକାଇ ଦେବ ଦୁନିଆକୁ ,ନିଜ ଭିତରର ଆତ୍ମସତ୍ତା କୁ ପ୍ରତିପାଦନ କରିବ ସେ । ବଦଳାଇଦେବ ସମାଜର ମାନସିକତା । ଅସହାୟ ପରି ସହିବନି ସେ ଅତ୍ୟାଚାର । କେତକୀର ସଂକଳ୍ପକୁ ସମର୍ଥନ କରୁଥିଲା ସକାଳର ସୂର୍ଯ୍ୟାଲୋକ । ବାଟ ଦେଖାଉଥିଲା ସୁଲୁସୁଲିଆ ଥଣ୍ଡା ପବନ । ସାହସ ଭରୁଥିଲାଗତ କାଲିର ସ୍ମୃତି । ସେ ପ୍ରସ୍ତୁତ କରିସାରିଥିଲା ନିଜକୁ ନୂଆ ଏକ ରାହାର ପଥଚାରୀ ।
ଚାଲୁଚାଲୁ ହଟାତ ନଜରରେ ପଡିଲା ଏକ ସେଲୁନ୍ । ଅଣ୍ଟାରେ ବାନ୍ଧିଥିବା ନିଜ କଷ୍ଟ ଅର୍ଜିତ କିଛି ଟଙ୍କା ବାହାର କରି ଚାଲିଲା ପୁରୁଷ ବହୁଳ ସେଲୁନ୍ ଭିତରକୁ ।
#ଗାଳ୍ପିକା ଚିନ୍ମୟୀ ବାରିକଙ୍କ ଗଳ୍ପ ଅଂଶକୁ ନେଇ ମୁଁ ମୋ ଭାବନାକୁ ଗଳ୍ପର ରୂପ ଦେବାକୁ ଚେଷ୍ଟା କରିଛି । କାରଣ ଏହି ଅଂଶରେ ଗୋଟିଏ ଭଙ୍ଗା ହୃଦୟର ଅନ୍ତଃସ୍ୱର ଅନୁଭବ କରିପାରିଲି ।