ନୂଆ ବର୍ଷର ଅନୁଭୂତି
ନୂଆ ବର୍ଷର ଅନୁଭୂତି
ଦିନ ଯାଇ ରାତି ୧୦ ହେଲାଣି, କିନ୍ତୁ ତୁ ମତେ ୱିସ୍ ଜଣାଇନୁ। ଵୋଧହୁଏ ଭାରି ବଡଲୋକ ହେଇଗଲୁଣି, ଆଉ ତୋର ଅଧିକ ଗର୍ଵ ହୋଇ ଗଲାଣି, ସେଇଥିପାଇଁ ତୋ ଛୋଟ ଦିନର ସାଙ୍ଗ କୁ ୱିସ୍ କରିବାକୁ ଭୁଲି ଗଲୁ।
ଜ୍ୟୋତି ଠାରୁ ଏମିତି କଥା ଶୁଣି ଟିକିଏ ହସିଦେଲି, କହିଲି ବଡଲୋକ ହେଇନାହିଁ । କିନ୍ତୁ ସମୟ ମୋତେ ଟିକିଏ ବଡ କରି ଦେଇଛି। ଆଉ କଣ ଆମେ ସେଇ ଛୋଟ ପିଲା ହେଇକି ଅଛୁ? ଯେମିତି ପରିସ୍ଥିତି ଚାଲିଛି, ଏ ଵିଷୟ ରେ ଭାଵିଵାକୁ ସମୟ କେଉଁଠି? ମୁଁ ତୋ ସହ ଏତେଦିନ ଧରି କଥା ହୋଇ ନଥିଲି ସେଇଥିପାଇଁ କ୍ଷମା ମାଗୁଛି, କିନ୍ତୁ ଆଜି ଦିନରେ ୱିସ୍ ଟା କଣ ଏତେ ଜରୁରୀ ?
ତୁ ତୋ ଚିନ୍ତାଧାରା ରଖ, ପୁରା ଵୋରିନ୍ଗ ହୋଇ ଗଲୁଣି। ହଉ ସମୟ ହେଲେ ଘର ଆଡକୁ କେଵେ ଆସିଵୁ। ରଖୁଛି।
ଜ୍ୟୋତି ସହ କଥା ହେଲା ପରେ ପୁରୁଣା କ୍ୟାଲେଣ୍ଡର କୁ ଡସ୍ଟଵିନ ରେ ପକାଇ ନୂଆ କ୍ୟାଲେଣ୍ଡର ଟି ସେହି ସ୍ଥାନରେ ଲଗାଇଦେଲି। ଟିକିଏ ହସି ଦେଲି ଆଉ ଭାବିଲି କାଲି ଆଉ ଆଜି ଭିତରେ ଫରକ କଣ, ସଵୁ ଦିନ ସମାନ। ଘର ଦାଇତ୍ଵ ଭିତରେ ବନ୍ଧା ଏ ଜୀବନ। ଜୀଵନରେ ସ୍ୱତନ୍ତ୍ର ଦିନ ଵୋଲି କିଛି ନାହିଁ।
ଛୋଟ ଵେଳର ସେଇ ନିୟୁୟିର ପୋଷ୍ଟ କାର୍ଡ ବଣ୍ଟନ ,ସ୍କୁଲ କଲେଜ ରେ ଡିଜାଇନ୍ ଵାଲା କାର୍ଡ଼ ବଣ୍ଟନ ଯେତିକି ଖୁସି ଦେଉଥିଲା, ଆଜି କାଲିର ମେସେଜ ସେ ଆନନ୍ଦ ଦେଇ ପାରୁନାହିଁ। ସତ କହିବାକୁ ଗଲେ ମୋ ମୋବାଇଲ୍ ରେ ଆଜି ଅନେକ ମେସେଜ ସେମିତି ରହିଛି, ଯାହା ମୁଁ ଏ ପର୍ଯ୍ୟନ୍ତ ଖୋଲି ମଧ୍ୟ ନାହିଁ। ଵୋଧହୁଏ ଆଜିବି ମୁଁ ୨୦୨୨ ରେ ସେ ପୁରୁଣା ଦିନ ର ପୋଷ୍ଟ କାର୍ଡ଼ କୁ ଖୋଜୁଛି, ଯେଉଁଠି ମୋ ସାଙ୍ଗ ମାନଙ୍କ ହାତଲେଖା ଦୁଇଧାଡି କବିତା ଥିଲା।
ଵୋଧହୁଏ ଆଜିବି ମୁଁ ସେଇ ପିକନିକ ଵସ୍ କୁ ଅପେକ୍ଷା କରିଛି ଯେଉଁ ବସ ରେ ମୁଁ ମୋ ପ୍ରିୟଜନ ମାନଙ୍କ ସହିତ ବଣଭୋଜି କରିବାକୁ ଯାଉଥିଲି।
ସେଦିନ ର ଉତ୍ସାହିତ ମନ ଆଗରେ ଆଜିର ମନ ଟା କାହିଁକି ପାଣିଫୋଟକା ପରି ଲାଗୁଛି। ତଥାପି ଦଶଦିନ ପୁର୍ବରୁ କହିଥିଲି ପରିଵାର ସହିତ ମିଶି କୌଣସି ଏକ ଦର୍ଶନୀୟ ସ୍ଥାନ କୁ ଵୁଲିଯିଵା, କିନ୍ତୁ ସମସ୍ତ ଙ୍କ ଵ୍ୟସ୍ତ ବହୁଳ ଜୀବନ ଭିତରେ ମୋ ଇଛା ର କୌଣସି ମୂଲ୍ୟ ନଥିଲା। ନିଜକୁ ଵୁଝାଇ ନେଲି ଆଉ ହଜିଗଲି ନିତି ଦିନିଆ କର୍ମ ଜଞ୍ଜାଳ ଭିତରେ।
ତଥାପି ସମୟ ଵାହାର କରି ପୁଅ ସହିତ ମିଶି ଏକ ହାତ ତିଆରି କାର୍ଡ ଵନାଇଲି। ପୁଅ କୁ କହିଲି ତୋ ସାଙ୍ଗ ପାଇଁ ଏଥିରେ ଦୁଇଧାଡି ଲେଖିଦେ। ଆଉ ସେ ତାର ଇଂରାଜୀ ଭାଷାରେ କିଛି ଲେଖିଦେଲା। ଆଉ ସେଇ ଦୁଇ ଧାଡ଼ି ଇଂରାଜୀ ଭାଷାରେ ମତେ ମୋ ପିଲାଦିନ ର ଦୁଇଧାଡି ଦିଶୁଥିଲା।
ଗୋଲାପ ଗଛ ରେ ଵହୁତ କଣ୍ଟା
ଵନ୍ଧୁ ମନେପଡ ତମେ ଘଣ୍ଟା କୁ ଘଣ୍ଟା।
ମତେ ଦେଖି ପୁଅ କହିଲା ମାମା କଣ ଭାବୁଛ, ମୁଁ କହିଲି କିଛି ନୁହେଁ, ଯା ତୋ ସାଙ୍ଗ କୁ ଏଇ କାର୍ଡ଼ ଟି ଦେଇ ଆସିବୁ। ଆଉ ସେ ପାଖ ପଡ଼ୋଶୀ ଘରେ ଥିବା ତା ଵନ୍ଧୁ କୁ ଦେଇ ଆସିଲା। ଆସିଲା ଵେଳେ ହାତରେ ତା ତରଫରୁ ମିଳିଥିବା ଏକ କାର୍ଡ଼ ଧରିଥାଏ। ମତେ ଦେଖି ଖୁସି ଲାଗିଲା। କିଛି କ୍ଷଣ ପାଇଁ ଚେଷ୍ଟା କରୁଥିଲି ପିଲାଦିନ କୁ ବଞ୍ଚିଵା ପାଇଁ। ଆଉ ସେତିକିବେଳେ ଶଶୁର ଡାକ ପକାଇଲେ ଚାହା ପାଇଁ। ସମସ୍ତ ଙ୍କୁ ଚାହା ଦେଲା ପରେ ଗୁମସୁମ ହୋଇ ଵସିଗଲି। ହଜଵ୍ୟାନ୍ଡ କହିଲେ ଡିନର୍ ଵନାଇଵନି, ବାହାରୁ ନେଇ ଆସିବା।
ଆଉ ମୁଁ କହିଲି ଠିକ୍ ଅଛି। ଆଉ ପୁଅ କୁ ପାଠ ପଢାଇବାକୁ ଚାଲି ଆସିଲି। ପାଠପଢା ଖିଆ ପିଆ ଭିତରେ ସମୟ ସରିଗଲା। ଆଉ ସେତିକିବେଳେ ମୋବାଇଲ ଧରିବାକୁ ଵସିଛି, ଜ୍ୟୋତି ର ଅଭିମାନ ଭରା ଫୋନ କଲ। ତା ସହିତ ଫୋନ ରେ କଥାହୋଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିବା ସାଙ୍ଗ ମାନଙ୍କ ଆଜି ର ଫଟୋ ସଵୁ ଦେଖୁଥିଲି। ଭିନ୍ନ ଭିନ୍ନ ସ୍ଥାନ ଵୁଲି ଯାଇଥିଲେ ସେମାନେ।
ମନର ଉଦାସୀନ ମନୋଭାବକୁ ଦେଖି ହଜଵ୍ୟାନ୍ଡ କହିଲେ, ଆମେଵି ଯିବା ସମୟ ଆଉ ସୁଵିଧା ଦେଖି। ଏବେ କୋରୋନା ସ୍ଥିତି ଭଲ ନାହିଁ। ଆଉ ମୁଁ ଵି କହିଲି ଠିକ୍ ଅଛି, ନୂତନ ବର୍ଷ ତ କେବଳ ଏକ ଵଦଳା ଯାଇଥିବା କ୍ୟାଲେଣ୍ଡର, ଖୁସି ସାଉଁଟିବା ପାଇଁ କୌଣସି ଦିନ ର ଅପେକ୍ଷା କରିବାକୁ ପଡେ ନାହିଁ, ଇଛା ଥିଲେ ସ୍ୱତନ୍ତ୍ର ଦିନ ଵି ଆସିଯାଏ ।
