STORYMIRROR

Banabihari Mishra

Tragedy

3  

Banabihari Mishra

Tragedy

ନୂଆ ବରଷ

ନୂଆ ବରଷ

2 mins
742


--- ନୂଆବରଷ?

--- ସେଇଟା କ'ଣ?

--- କ'ଣଟା ନୂଆ ହେବ ଯେ?

--- କ'ଣ ମୋ ବାସି ପଖାଳ କଂସା ପାଖରେ ତୁଉଣ ଟିକେ ଠାଆ ହେଇପାରିବ?

ଯଦି ସେତକ ହେଇ ନ ପାରିବ ତେବେ ସେ ନୂଆ ବରଷରେ ମୋର ଯାଏ କେତେ ଆସେ କେତେ?

ଏମିତି କେତେ ପ୍ରଶ୍ନ ମାଗୁଣି ପଚାରି ଚାଲିଥିଲା। ହେଲେ କୌଣସି ଉତ୍ତର ପାଉନଥିଲା। ତା ମୁଣ୍ଡରେ ଚିନ୍ତା ଆଉ ଚିନ୍ତା। ଆଖି ଆଗରେ ତା ସ୍ତ୍ରୀର ଚିରା ଶାଢ଼ୀରେ ଅଧଲଙ୍ଗଳା ହାଡୁଆ ଦିହ, ଶୁଖିଲା ପଡ଼ିଥିବା ଥନରୁ ଅପପୁଷ୍ଟିର ଶୀକାର ହେଇଥିବା ଲଙ୍ଗଳା ଛୁଆଟା ଚଁ ଚଁ କରି ପବନ ଶୋଷୁଥିବାର ଦୃଶ୍ୟ ଆଉ ଛାଉଣୀ ହେଇନଥିବା ଚାଳରୁ ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର, ଗୋଟି ଗୋଟି ହୋଇ ଭାସି ଯାଉଥିଲା। କିଂକର୍ତ୍ତବ୍ୟ ମାଗୁଣି ଭାବି ଭାବି କିଛି କୂଳକିନାରା ପାଉନଥିଲା।

ଆଜିକାଲି ସରକାର କୁଆଡେ ସମସ୍ତଙ୍କୁ ରୋଜଗାର ଯୋଗେଇ ଦୋଉଛନ୍ତି। ସବୁ ଖାଲି କାଗଜ କଲମରେ। ବାହାଦୂରୀ ନେବାକୁ ହେଉ କି ଲୋକଙ୍କୁ ଭୁଆଁ ବୁଲେଇବାକୁ ହେଉ, କୁଆଡେ ଖବରକାଗଜରେ ପୃଷ୍ଠା ଭରି ଯାଉଛି। ଗରିବଗୁରୁବାଙ୍କ ପାଇଁ ଏସା କଲୁ ତେସା କଲୁ। ଏତେ ଲୋକଙ୍କୁ ରୋଜଗାର ଦେଲୁ। ସବୁ ମିଛ। ଖାଲି ବାହାସ୍ଫୋଟ। କୋଉଠି ହେଲେ ବି ମାଗୁଣି ଖୋଜି ପାଉନଥିଲା ନୂତନତ୍ବର ଟିକିଏ ବି ଚିହ୍ନ।

ଆଗରୁ ଘରର ସବୁ ବିକି ସାରିଥିଲା ଘର ଚଳେଇବା ପାଇଁ। ଏବେ ଆଉ କିଛି ନାହିଁ। ଭୋକରେ ପେଟ ଯାଇ ପିଠିରେ ଲାଗିଲାଣି। ଅତି କଷ୍ଟରେ ପାଦ ଘୋଷାରି ଘୋଷାରି ମାଗୁଣି ଆଗକୁ ଆଗକୁ ବଢ଼ୁଥିଲା।

ଆଗରେ ମାଇକି ବାଜୁଥିଲା। ଆଖି ଝଲସା ଆଲୁଅ । ପାଖରେ ପହଞ୍ଚି ମାଗୁଣି ଦେଖୁଥିଲା ସେଇ ଭାଲୁଆ କୁକୁରଗୁଡା ଗୁଙ୍ଗାରି ଗୁଙ୍ଗାରି ଗାଉଁ ଗାଉଁ କରି ଫିଙ୍ଗି ଦିଆଯାଇଥିବା ଅଇଁଠା ପତରରୁ ବଳି ପଡ଼ିଥିବା ମାଉଁସ ଖାଇଯାଉଥିଲେ। ମାଗୁଣି ନିଜକୁ ସେଇ ବୁଲା କୁକୁରଙ୍କ ଠାରୁ ମଧ୍ୟ ହୀନ ମନେ କରୁଥିଲା। ତଥାପି ସାହସ କରି ଭିତରକୁ ପଶିଲା। କାଳେ କିଛି ମିଳିଯିବ?

ପଶୁ ପଶୁ ହେଇରେ ହେଇରେ ଶୁଣି ଟିକିଏ ଥମିଗଲା ମାଗୁଣି। ପୁଣି ସାହସ ଜୁଟେଇ ଆଗକୁ ପାଦ ବଢ଼େଇଲା। ଭିତରେ ମଦ ମାଉଁସର ସୁଅ। ମାଗୁଣି ମାଗିଲା କିଛି ଖାଇବା ପାଇଁ। ଉତ୍ତରରେ ମିଳିଥିଲା କିଛି ଧକ୍କା ଆଉ ଚାପୁଡ଼ା।

ମାଗୁଣି କିଛି ଦୂର ଯାଇ ପୁଣି ଫେରିଆସିଲା। ବୁଭୁକ୍ଷିତଃ କିଂ ନ କରୋତି ପାପମ୍। ସାମିଆନା କପଡା ଫାଡ଼ି ମାଗୁଣି ରୋଷେଇଶାଳରେ ଚୁପଚାପ୍ ପଶିଲା। ଫଟା ମଇଳା ଗାମୁଛାରେ ମନଭରି ସୁଆଦିଆ ବାସ୍ନା ଖାଦ୍ୟ ବାନ୍ଧିଲା। ପୁଣି ସେଇ ଫଟା ସାମିଆନା ଦେଇ ବାହାରକୁ ଆସିଲା। ଗୋଟିଏ ନିଃଶ୍ୱାସରେ ଡଗ ଡଗ ହେଇ ଘରେ ପହଞ୍ଚିଲା। କୋଉଠି ଥିଲା ତା'ର ଏତେ ବଳ? ଭୋକରେ ଆଉଟୁପାଉଟୁ ହେଇ ମା' ଛୁଆ ଶୋଇପଡିଥିଲେ। ମାଗୁଣି ଦିଜଣଙ୍କୁ ନିଦରୁ ଉଠେଇଲା। ସ୍ତ୍ରୀ ତା'ର ଆଶ୍ଚର୍ଯ୍ୟ ହେଇ ପତରରେ ବାଢୁ ବାଢୁ ପଚାରୁଥିଲା,"ବଢିଆ ବାସନା ହେଇଚି। ସୁଆଦିଆ ମଧ୍ୟ ହେଇଯିବ। କୋଉଠୁ ଆଇଁଲ?" ମାଗୁଣି ଭାବୁଥିଲା କ'ଣ ଉତ୍ତର ଦେବ? ମାଗୁଣିର ସ୍ତ୍ରୀ ଭାବୁଥିଲା ଏଥରର ନୂଆ ବର୍ଷ ସତରେ ତା ପାଇଁ ନୂଆ। ଜୀବନରେ କେବେ ପରଦରବକୁ ଆଖି ଦୋଉନଥିବା କି କାହାରି ଆଗରେ ହାତ ପତେଇବାକୁ କୁଣ୍ଠିତ ମାଗୁଣି ଆଜି ପେଟ ଦାୟରେ ସେତକ ବି କରିବାକୁ ପଛେଇଲାନି। ତଥାପି ତା ବିବେକ ତାକୁ ଛାଟେ ବି ମାରିନି। ମାଗୁଣି ବେଶ୍ କିଛିଦିନ ପରେ ପେଟ ପୁରେଇ ସୁଆଦିଆ ଆକଣ୍ଠ ଭୋଜନ କରୁ କରୁ ଭାବୁଥିଲା ସତରେ ନୂଆ ବରଷର ନୂଆ ସକାଳରେ ପୁରୁଣା ବୁଢ଼ା ସୂର୍ଯ୍ୟଟା ତା ପାଇଁ ନିଶ୍ଚୟ ଅନେକ ସପନ ଆଣି ଆସିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy