ନିୟତି
ନିୟତି
*ନିୟତି*
( କ୍ଷୁଦ୍ର ଗଳ୍ପ)
ସବୁ ବର୍ଷ ବନ୍ଧୁ ମିଳନ ରେ ଦିନେଶ ଆସନ୍ତି। ସବୁବେଳେ କହନ୍ତି ପୁଅ ପାଖରେ ଆମେରିକା ରେ ଅଛନ୍ତି ବୋଲି। ବର୍ଷରେ ଥରେ ଓଡ଼ିଶା ଆସନ୍ତି ,ସେ ବି ସେହି ଶିତ ଦିନେ ବନ୍ଧୁ ମିଳନ ରେ।
ସମସ୍ତେ ଜାଣନ୍ତି ଦିନେଶ ବନ୍ଧୁ ବତ୍ସଳ ଆଉ ତାଙ୍କ ସହପାଠିନୀ ରେଣୁକା ପ୍ରତି ତାଙ୍କର ଅନୁରାଗ ଥିଲା ହେଲେ କଲେଜ ରେ ପଢିବା ବେଳେ ସେ ସମୟ ର ସାମାଜିକ ଦୂରତା କୁ ଆଖି ଆଗରେ ରଖି ତାଙ୍କ ମନ ବ୍ୟକ୍ତ କରି ପାରିନଥିଲେ।
ଯେତେବେଳେ ବନ୍ଧୁ ମିଳନ ର ପ୍ରସ୍ତାବ ଦିଆ ଯାଏ,ସମସ୍ତେ ଭାବନ୍ତି କେତେ ବନ୍ଧୁପ୍ରିୟ ଏ ଦିନେଶ,ଗୋଟେ ବର୍ଷ ବି ସେ ମିସ୍ କରୁନି। ପ୍ରତ୍ୟେକ ବର୍ଷ ସୁଦୂର ଆମେରିକା ରୁ ଆସୁଛି ସମସ୍ତଙ୍କ ପାଖକୁ। ଆଉ ଭାରତ ରେ କି ଓଡ଼ିଶା ରେ ଥାଇ ମଧ୍ୟ ସବୁ ବନ୍ଧୁ ମିଳନକୁ ଆସୁ ନାହାନ୍ତି।
ଗ୍ରୁପ୍ ରେ ସେ ଆଗ ଲେଖିବ, 'ମୁଁ ତ ନିଶ୍ଚୟ ଜଏନ କରିବି'। ଅନେକ ଈର୍ଷା କରି କହନ୍ତି, ଆରେ ସେ ରେଣୁ କୁ ଦେଖିବାକୁ ଆସେ ନା। ତାର ଆତ୍ମା ନହେଲେ ଭୂତ ହୋଇ ଆଡେ ସାଡେ ବୁଲିବ। ମୁକ୍ତି ମିଳିବ ନାହିଁ। ଏବେ ଷାଠିଏରୁ ଅଧିକ ହୋଇ ଗଲା ସମସ୍ତଙ୍କୁ । ଆଉ କିଏ କେତେ ଦିନ! ସେଥିପାଇଁ ଟିକେ ଦେଖି ଦେଇ ଆତ୍ମ ତୃପ୍ତି ଲାଭ କରିବାକୁ ଆସୁଛି ମ। ହେଲେ ରେଣୁ ଆଜିଯାଏ ବନ୍ଧୁ ମିଳନ କୁ ଆସିପରେନି।
କେବଳ ଗ୍ରୁପ୍ ରେ ଚାଟ୍ କରେ।
ରେଣୁ ନିଜେ ଡାକ୍ତର ଥିଲା, ବ୍ରେଷ୍ଟ୍ କ୍ୟାନ୍ସର ହେବାର ୫ବର୍ଷ ପୂରି ଯାଇଛି। ନିଜକୁ ସୋନାଲି ବେନ୍ଦ୍ରେ, ୟୁବରାଜ ସିଂହ ଙ୍କ ମିଶାଲ ଦେଇ ରୋଗ ସହିତ ଯୁଦ୍ଧ କରି ହସି ହସି କହେ, "ଆରେ ଆମେ ସବୁ ଫାଇଟର। ଡରିବା ଆମ ଜାତକରେ ନାହିଁ।
ଗ୍ରୁପ୍ ରେ ଅନ୍ୟ ମାନଙ୍କୁ ପ୍ରେରଣା ଆଉ ଉତ୍ସାହିତ ମଧ୍ୟ କରେ। ସରକାରୀ ଡାକ୍ତର ସେ, ଅବସର ପରେ ଦୁଇ ବର୍ଷ ହେବ ରେଣୁ ଆଉ ରୋଗୀ ଦେଖା କାମ କରିପାରୁନି। ଟିକେ ବିଶ୍ରାମ ନେବାର ଇଚ୍ଛାରେ ସେ କ୍ଲିନିକ୍ ବି ଯାଉନି। ଘରେ ପୁଅ ବୋହୂ ନାତି ସବୁ। ନାତି ତାର ଅତି ପ୍ରିୟ। ସେକେଣ୍ଡ କ୍ଲାସ ରେ ପଢେ। ଜେଜେ ମାଆ ବିନା ତାକୁ ନିଦ ଆସେନି ଖାଇବା ଭଲ ଲାଗେନାହିଁ। ରେଣୁ କୁ ଅନେକ ଦିନରୁ ଦେହରେ ଜର ପରି ଲାଗେ। ପୁଣି ଟିକେ କଣ ମେଡ଼ିସିନ ଖାଇ କମିଯାଏ। ରେଗୁଲାର ଚେକ୍ଅପରୁ ପୁଣି ଜଣା ପଡିଛି,ଆଉ ଥରେ କ୍ୟାନ୍ସର ଲେଉଟି ଯାଇଛି। ପୁଅ ରିପୋର୍ଟ ଜାଣିବା ପରେ ହତୋତ୍ସାହ ହୋଇ ପଡ଼ିଲା।
ସ୍ତ୍ରୀ ତାର କହିଲା,-" ମମି କେମୋ ନେବେ, ତା ଛଡା ଅନେକ ସେବା ଶୁଶ୍ରୁଷା ଦରକାର। ଆମ ଦି ଜଣଙ୍କୁ ଆଉ ସମୟ କାହିଁ। ବାହାର ଲୋକ ରଖିଲେ ସେ କଣ କରିବେ ତାର ଗ୍ୟାରେଣ୍ଟି ନାହିଁ। ତାଙ୍କୁ କ୍ୟାନ୍ସର ସେଲ୍ଟାର ହୋମ ରେ କିଛ ଦିନ ରଖି ପ୍ରେମ ଦାନ ଜରାଶ୍ରମ ରେ ପଇସା ଦେଇ ସବୁ ଦିନ ପାଇଁ ରଖି ଦେବା। ମଝିରେ ମଝିରେ ଆମେ ଯାଇ ଦେଖି ଆସିବା। ନ ହେଲେ ଆମ ଭିତରୁ କାହାକୁ କାମ ଛାଡ଼ିବାକୁ ପଡ଼ିବ।
କିଛଦିନ ପରେ ରେଣୁର କେମୋଥେରାପି ପରେ ପରେ ପୁଅ ବୋହୂ ପ୍ରେମ ଦାନ ଜରାଶ୍ରମ ରେ ଛାଡି ଦେଇ ଆସିଲେ,କହିଲେ ଗୋଟେ ମାସ ପରେ ଆମେ ଆସି ନେଇ ଯିବୁ। କାରଣ ଏଠାରେ ସ୍ପେସିଆଲ ଡ଼କ୍ଟର ଆସିବେ ତୁମର ପୋଷ୍ଟ କ୍ୟାନ୍ସର ଟ୍ରିଟମେଣ୍ଟ ପାଇଁ। ତୁମେ ରୁହ। ଆମେ ସବୁଦିନ ଆସିବୁ,ତୁମେ ବ୍ୟସ୍ତ ହେବ ନାହିଁ।"
ରେଣୁ ଖୁସିରେ ଗୋଟେ ମାସ ରହି ଗଲା, ଅନ୍ତେବାସୀ ମାନେ ବହୁତ୍ ଥିଲେ,ହେଲେ ପାଖ ରୁମ୍ ହେମଲତା ପଟ୍ଟନାୟକ ଙ୍କ ଛଡା ଆଉ କାହା ସହିତ ଦେଖା ହୋଇନି ତାର ଏ ପର୍ଯ୍ୟନ୍ତ। ସେ ନିଜେ ଆସି ତାଙ୍କ କରୁଣ କାହାଣୀ କୁହନ୍ତି। କାନ୍ଦନ୍ତି। ପୁଅ ତୀର୍ଥ ନାମରେ ମିଛ କହି କିପରି ଜରାଶ୍ରମ ରେ ଛାଡି ଦେଇ ଗଲା। ନାତୁଣୀ କଥା କହି ବହୁତ୍ କାନ୍ଦନ୍ତି। ରେଣୁ ତାଙ୍କୁ ବହୁତ୍ ବୁଝାଏ -- କହେ,ସେମାନେ ଆସିବେ ଆଉ ତୁମ କୁ ନେଇ ଯିବେ ଘରକୁ। ବ୍ୟସ୍ତ ହୁଅ ନାହିଁ! " ଏମିତି ଅନେକ ଦିନରୁ ଅପେକ୍ଷା କରି କରି ସେ ଏବେ ନିରାଶ ହୋଇ କେବଳ ମୃତ୍ତ୍ୟୁ କୁ ଅପେକ୍ଷା କରିଛନ୍ତି ଯେମିତି।
ଏବେ ରେଣୁ ଟିକେ ଭଲ ହୋଇ ଆସିଲାଣି। ସକାଳୁ ଉଠି ଆଶ୍ରମ ର ସେ କାକର ଭିଜା ଘାସ ର ଗାଲିଚା ରେ ଚାଲୁ ଚାଲୁ କେତେ ପକ୍ଷୀ ଙ୍କର କିଚିରି ମିଚିରି ଶବ୍ଦ ତାକୁ ବିମୋହିତ କରେ। ଆଶ୍ରମ ର ଛୋଟ ରାଧା କୃଷ୍ଣ ମନ୍ଦିର ବେଢ଼ା ରେ ବସି ସେ ନିଜ ପୁଅ ବୋହୂ ନାତିଙ୍କର ଶୁଭ କାମନା କରେ। ଫୋନ ରେ ପୁଅ ସହିତ କଥା ହୁଏ। ଆଜି ବହୁତ୍ ମନେ ପଡୁଥାଏ ନାତି କଥା। ଫୋନ ଲଗାଇଲା ରେଣୁ,--" ଆରେ ବାବୁ, ଆଉ ଆଠ ଦିନ ରହିଲା ମୋ ନାତି ର ଜନ୍ମ ଦିନ,ସେ ତ ମୋ ବିନା କେକ ବି କାଟିବ ନାହିଁ। ତୁ ଆଜି ଆସି ମୋତେ ନେଇ ଯା ଘରକୁ। ମୋ ନାତି କେତେ ଖୋଜୁଥିବ ମୋତେ ! "
-- ନାହିଁ ମାଆ, ଡ଼କ୍ଟର ତୋତେ ମନା କରିଛନ୍ତି ଘରକୁ ଆସିବାକୁ , ସେଇଠି ତୋର ଟାଇମ ରେ ଚେକ୍ ଅପ୍ ହେବ। ଘରେ ଆମେ ରହି ପାରୁନୁ,କିଏ ଦେଖିବ ତୋତେ କହିଲୁ। ଜନ୍ମ ଦିନ କୁ ଆମେ ଆସିବୁ। ତୁ ବ୍ୟସ୍ତ ହୁଅନା। ସେଇଠି ଶିଲୁ ( ନାତି) କେକ କାଟିବ! " ତୋ ଦେହ ଆଗ ଠିକ୍ ହେଉ ତୁ ଆସିବୁ।
-- ମୁଁ ନିଜେ ପରା ଡ଼କ୍ଟର,ମୁଁ ମୋ ରିପୋର୍ଟ ରୁ ଜାଣୁଛି। ଏବେ ମୁଁ ଘରେ ରହି ଚିକିତ୍ସିତ ହୋଇ ପାରିବି। ରିପୋର୍ଟ ବି ଭଲ ଆସିଛି। ଆଉ ଅସୁବିଧା କଣ?? ପଇସା ତ ମୋ ଆକାଉଣ୍ଟ ରୁ ବାହାର କରି ମୋର ମେଡ଼ିସିନ୍ ତୁ ନେଇ ଆସିବୁ। ତିନି ମାସ ରେ ଥରେ ଚେକ୍ ଅପ୍ ପାଇଁ ମୁଁ ଆସିବି । ଜରାଶ୍ରମରେ ରହି ଲାଭ କଣ??"
ପଛରୁ ବୋହୂ ର କଥା ଶୁଣା ଯାଉଥିଲା। - ଦେଖ ଏବେ ଦେହ ଭଲ ନାହିଁ ବୋଲି ତାଙ୍କୁ ଆମେ ହସ୍ପିଟାଲ୍ ରୁ ସିଧା ଜରାଶ୍ରମ ନେଇ ପାରିଲେ। ପୁଣି ଥରେ ଘରକୁ ଆସିଲେ,ବୋଉ ଆଉ ଯିବେନି। ତାଙ୍କୁ ଯାଇ ଆଉ ଆଣ ନାହିଁ। ଆମେ କାମକୁ ଗଲେ କିଏ ଦେଖିବ ତାଙ୍କୁ। ବାହାର ଲୋକଙ୍କୁ ତାଙ୍କ ସେବା ପାଇଁ ରଖିବା ଅପେକ୍ଷା ବୃଦ୍ଧାଶ୍ରମରେ ରହିବା ଭଲ।
ରେଣୁ ଆଶ୍ଚର୍ଯ୍ୟ ହୋଇ ଗଲା,ସେ କେବେ ସ୍ବପ୍ନ ରେ ଭାବି ନଥିଲା ଯେ ପୁଅ ବୋହୂଙ୍କ ମନରେ ଏକଥା ଅଛି ବୋଲି। ପାଦତଳୁ ମାଟି ଅତଡ଼ା ଖସିବା ପରି ଅନୁଭବ ହେଲା ତାର। ମନ୍ଦିର ଭିତରୁ ପ୍ରାତଃ ଆଳତୀ ର ଶବ୍ଦ ଯେପରି ଧୀରେ ଧୀରେ ନିଶବ୍ଦ ହୋଇଗଲା। ସକାଳ ର ସୁନେଲି କିରଣ ଧୀରେ ଧୀରେ ରାତ୍ରି ର ଅନ୍ଧକାର ପ୍ରାୟ ଲାଗିଲା। ରେଣୁ କେତେବେଳେ ସେ ଘାସ ର ଗାଲିଚାରେ ପଡ଼ିଯାଇଛି ସେ ଜାଣିନି। ନିଜକୁ ସେ ଅସଂଜତ ଅବସ୍ଥାରେ ତାର ବେଡ୍ ଉପରେ ଦେଖୁଛି । ବସ୍ତ୍ର ଓଦା, ଶାଢ଼ୀ ଅସ୍ତ ବ୍ୟସ୍ତ ଅବସ୍ଥା ରେ। ସାମନା ରେ ଜଣେ ଶ୍ୱେତ କେଶ ଧାରି ବଳିଷ୍ଠ ବୟସ୍କ ଲୋକ ବସିଛନ୍ତି।
ରେଣୁ ବିସ୍ମିତ ହୋଇ ପଚାରିଲା,ମୋର ବୋଧେ ବ୍ଲାକ୍ଆଉଟ୍ ହୋଇ ଗଲା?? ମୁଁ ସକାଳୁ ମନ୍ଦିର ପାଖକୁ ଯାଇଥିଲି। ଏବେ ଏବେ କେମୋ ସରିଛି ତ ସେଥିପାଇଁ କମଜୋରୀ ଅଛି ଟିକେ। ସଙ୍କୋଚରେ ଉଠିବାକୁ ଚେଷ୍ଟା କରୁଥିଲା ରେଣୁ।
ତୁମେ ଶୋଇ ରୁହ। ଉଠ ନାହିଁ ଏବେ। ଟିକେ ରେଷ୍ଟ ନିଅ। ଡ଼କ୍ଟରଙ୍କୁ ମୁଁ ଫୋନ କରି ସାରିଲିଣି। ସେ ଆସୁଥିବେ। ମୁଁ ବସିଛି ତୁମ ପାଖରେ। ତୁମେ ବେଡ୍ ରେ ଶୋଇ ରୁହ ଟିକେ ".-- କହିଲେ ସେ ବୟସ୍କ ବ୍ୟକ୍ତି ଜଣକ।
ରେଣୁ କୁ ତାଙ୍କ ସ୍ୱର ବହୁତ୍ ପରିଚିତ ପରି ଲାଗିଲା ଯେମିତି। ପୁଣି କିଛି ନ କହି ମୁହଁ ବୁଲାଇ ଶୋଇ ପଡ଼ିଲା। ହେଲେ ଭିତରେ ଭିତରେ ବୋହୂର କଥା ପ୍ରତିଧ୍ୱନି ହେଉଥିଲା ଯେପରି। ଦେହ ତାର ଥରି ଉଠୁ ଥିଲା। ନିଜ ହାତରେ ଗଢ଼ି ଥିବା ଘର ତାର କେତେ ଦୂରରେ। ନିଜର ପୁଅ ନାତି ସବୁ କୋଉଠି। ସେ ଆଜି ସବୁ ହଜାଇ ନିଶ୍ଵ ପାଲଟି ଯାଇଛି।
ଡ୍ରାଇଭର ଯେତେ ଉତ୍ତମ ହେଲେ ଯଦି ଗାଡ଼ି ଦଦରା ହୁଏ,ତେବେ ସେ ଲାଚାର ହୋଇଯାଏ। ସେମିତି ଶରୀର ଯଦି ରୋଗାକ୍ରାନ୍ତ ହେଲା, ଆତ୍ମା ବି ଲାଚାର। ଚାହିଁଲେ ବି କିଛି କରି ହୁଏନି। ସହର ର ଆଜି ନାମୀ ଗ୍ରାମୀ ପୁରସ୍କାର ବିଜେତା ଡାକ୍ତର ଆଜି ବୃଦ୍ଧାଶ୍ରମ ରେ!! ରେଣୁ ନିଜ ଲୁହ କୁ ଅଟକାଇ ପାରି ନଥିଲା। ହେଲେ ପାଖରେ ବସିଥିବା ବୃଦ୍ଧ ଜଣକ ତାକୁ ବାରମ୍ବାର ସାନ୍ତ୍ୱନା ଦେଇ ଚାଲିଥାନ୍ତି।
ଫୋନ ପାଇ ଡାକ୍ତର ଆସିଲେ,କିଛି ଔଷଧ ଖାଇବାକୁ ଦେଇ ରେଣୁ କୁ କିଛି ଚିନ୍ତା ନ କରି ମନୋବଳ ଦୃଢ଼ ରଖିବାକୁ କହି ଚାଲିଗଲେ। ସେଦିନ ଶୋଇ ଶୋଇ ଉଠିଲା ପରେ ବି ରେଣୁ ଦୂର୍ବଳ ଅନୁଭବ କରୁଥିଲା। ତାପରଦିନ ସକାଳୁ ଉଠି ପୁଣି ବଗିଚାରେ ଚାଲି ଚାଲି ଯାଇ ମନ୍ଦିର ରେ ପୁଣି ପହଞ୍ଚିଗଲା। ପହଞ୍ଚିବା ପୂର୍ବରୁ ଦେଖିଲା ସେଇ ବୟସ୍କ ବ୍ୟକ୍ତି ଜଣଙ୍କ ଘଣ୍ଟି ବଜାଇ ପ୍ରଣାମ କରୁଛନ୍ତି। ରେଣୁ ଅତି ଆଗ୍ରହ ର ସହ ତାଙ୍କ ପାଖକୁ ଯାଇ ଧନ୍ୟବାଦ୍ ଜଣାଇଲା। କହିଲା," ଯେମିତି କୋଉଠି ଆପଣଙ୍କୁ ଦେଖିଛି -- ସେମିତି ମୋତେ ଲାଗୁଛି" ଯାହା ହେଉ ଆପଣ କାଲି ମୋତେ ବହୁତ୍ ସାହାଯ୍ୟ କରିଛନ୍ତି। ସେଥିପାଇଁ ମୁଁ କୃତଜ୍ଞ।
-- ମାନବିକତା ତ ସମସ୍ତଙ୍କ ପାଖରେ ଅଛି। ଆଉ ଏଇଠି ସବୁ ଗୋଟିଏ ନାଆ ର ଯାତ୍ରୀ।ଜଣେ ସହ ଯାତ୍ରୀଙ୍କର କିଛି ଅସୁବିଧା ହେଲେ ତାଙ୍କୁ ସାହାଯ୍ୟ କରିବା କଥା ନା। ମୁଁ ତ ଡାକ୍ତର ନୁହେଁ ତୁମ ପରି। କିନ୍ତୁ ମୁଁ ମଧ୍ୟ ତୁମ ପରି ନିଜ ଜୀବନ ସଙ୍ଗିନୀଙ୍କୁ ହରାଇ ନିଜ ପେନସନ ସାହାରା ରେ ଆସି ବୃଦ୍ଧାଶ୍ରମ ରେ ରହିଛି। ତୁମେ ଏବେ ଆସିଛ ମୁଁ କିଛି ବର୍ଷ ଆଗରୁ ଆସିଛି। ମୁଁ ବି
କଲେଜ୍ ରେ ପଢୁଥିବା ବେଳେ ଗୋଟେ ଗୋଲାପ କଢ଼ ଦେବି ବୋଲି ଭାବି ଭାବି ମୋ ପସନ୍ଦ ର ଝିଅ କୁ କିଛି ନ କହି ପାରି ବିବାହ କରି ଘର ସଂସାର କରି ,ସବୁ ତ୍ୟାଗ ପରିବାର ପାଇଁ କରି ଆଜି ପରିବାର ମୋତେ ତ୍ୟାଗ କରି ଏହିଠାରେ ମୋର ଠିକଣା କରାଇ ଦେଇଛି।
-- ରେଣୁ ଟିକେ ଚୁପ୍ ରହି ପଚାରିଲା,ଆପଣ ଲରେନ୍ସ କଲେଜ ରେ ପଢ଼ୁଥିଲେ କି??
-- ହଁ
-- କୋଉ ବର୍ଷ ଆଉ କି ସବଜେକ୍ଟ ଥିଲା।
-- ୧୯୮୦ ପିସିବି
-- ମୁଁ ବି ପଢ଼ୁ ଥିଲି!
-- ମୁଁ ଜାଣିଛି। ତୁମେ ମେଡିକାଲ୍ ଆଉ ମୁଁ ଇଞ୍ଜିନିୟରିଂ। ତୁମେ ରେଣୁକା ପାତ୍ର
-- ଆପଣ କିଏ ?? ମୋତେ ମୋ ସାଙ୍ଗ ଦିନେଶ ପରି ଦେଖା ଯାଉଛନ୍ତି। ହେଲେ ସେ ତ ଆମେରିକା ରେ।
-- ମୁଁ ଦିନେଶ,କିନ୍ତୁ ମୁଁ ଆମେରିକା ରେ ରୁହେ ନାହିଁ। ପୁଅ ବୋହୂ ସମସ୍ତେ ଆମେରିକା ରେ। ସେ କିଛି ସମ୍ପର୍କ ବି ରଖି ନାହାନ୍ତି। ଲୋକ ଲାଜ ପାଇଁ ମୁଁ ସମସ୍ତଙ୍କୁ କୁହେ ଆମେରିକା ରେ ଅଛି ବୋଲି।
ରେଣୁ ଆଶ୍ଚର୍ଯ୍ୟ ହୋଇ ଗଲା,କହିଲା ଗ୍ରୁପ୍ ପୁର୍ନମିଳନ ରେ ତୁମେ ସବୁବେଳେ ଆସୁଛ। ମୋର ଶାରୀରିକ ଅସୁସ୍ଥତା ହେତୁ ମୁଁ ଆସି ପାରେନି। ଫଟୋ ରେ ତୁମେ ସୁଟ୍ ବୁଟ୍ ରେ ଥାଅ। ବଡ଼ ଅଫିସର ପରି ଦେଖାଯାଅ। ଏବେ ମୁଁ ତୁମକୁ ଚିହ୍ନି ପାରିଲିନି। ତୁମେ ମୋତେ ଅତି ନିଜର ପରି 'ତୁମେ ' ବୋଲି ସମ୍ବୋଧନ କରୁଥିଲ , ମୋ ବେଡ ପାଖରେ କାଲି ପୁରା ବସିଥିବାବେଳେ ମୁଁ ଭାବୁଥିଲି କେତେ ନିଜର ପରି।
ଦିନେଶ କହିଲେ,ତୁମେ ଠିକ୍ ବୁଝିଛ। ତୁମେ ଆସିବା ଦିନ ତୁମକୁ ତୁମ ପରିବାର କୁ ମୁଁ ଦେଖିଛି। ପୁଅ ତୁମକୁ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛି। ସେ କଥା ବି ମୁଁ ରେଜିଷ୍ଟର ରୁ ଚେକ୍ କରି ଦେଖିଛି। ତୁମେ କଥା ହେଲା ପରେ ବେହୋସ ହୋଇ ଯାଇଥିଲ,ମୁଁ ବଗିଚା ରେ ବସି ଦେଖୁଥିଲି,ମୁଁ ତୁମକୁ ଉଠାଇ ରୁମ୍ କୁ ଆଣିଲି। ତୁମେ ନାତି କୁ ଝୁରୁଛ। ମୁଁ ତାକୁ ଆଣି ତୁମ ସହିତ ମିଶାଇ ଦେବି। ବ୍ୟସ୍ତ ହୁଅ ନାହିଁ।
-- ମୁଁ ବି ବିଶ୍ୱାସ କରି ପାରୁନି ତୁମକୁ ମୁଁ ଏଇଠି ଦେଖିବି ବୋଲି। ଦୁଃଖରେ କିଛି କହି ପାରୁ ନଥିଲା ରେଣୁ।
-ମୁଁ ବି ବହୁତ୍ ଖୁସି ତୁମକୁ ଏଇଠି ଦେଖି। ହେଲେ ଦୁଃଖ ଲାଗିଲା ଯେ ମାଆ ବାପା ଟିକେ ଅକାମୀ ହେଲେ ପିଲାଙ୍କ ବୋଝ ହୋଇ ଯାଉଛନ୍ତି ଆଜି କାଲି!!
ସକାଳୁ ସକାଳୁ ସେଦିନ ରେଣୁ ମନ୍ଦିର ପାଖକୁ ଗଲେ,ଘଣ୍ଟି ବଜାଇ ନାତିର ଜନ୍ମ ଦିନ ପାଇଁ ଈଶ୍ୱର ଙ୍କୁ ପ୍ରାର୍ଥନା କରୁ କରୁ ପଛରୁ କିଏ କୁଣ୍ଢାଇ ପକାଇଲା, ମା, ମା... ମୁଁ ଆସିଗଲି।
ବୁଲି ପଡ଼ି ଦେଖିଲା ନାତିକୁ,କୁଣ୍ଢାଇ ପକାଇଲା,ପଛରେ ଦିନେଶ କେକ ଧରି ଠିଆ ହୋଇ କହୁଛନ୍ତି , ଚାଲ,ତୁମ ରୁମ୍ ରେ କାଟିବା!!. ଆଖିରେ ଲୁହ ଆଉ ଧନ୍ୟବାଦ୍ ଦେବାକୁ କଣ୍ଠ ବାଷ୍ପ ରୁଦ୍ଧ। କଣ ଆଉ କହିବ ରେଣୁ!!! ରୁମ୍ କୁ ଯାଇ କେକ କାଟି ନାତି କୁ ଗେଲ୍ହା କରି ବିଦାୟ ଦେଲା।
-- ଦିନେଶ କହିଲେ," ସ୍କୁଲ୍ ରୁ ପର୍ମିସନ୍ ନେଇ ଆଣିଲି। ସେମିତି ବି ଡ଼କ୍ଟର ରେଣୁ କୁ କିଏ ନ ଜାଣିଛି ଯେ?? କହି ହସିଦେଲେ।
ରେଣୁ ର ପୁଅ ବୋହୂଙ୍କର ଡର ଥିଲା,ଜେଜେ ମାଆ ନଥିଲେ ପୁଅ କେକ କାଟିବନି। ସେଥିପାଇଁ ବାଧ୍ୟ ହୋଇ କହିଲେ,ଜେଜେ ମାଆ ତ ହସ୍ପିଟାଲ୍ ରେ। ସେ କେମିତି ଆସିବେ?? ତୁ ଏଥର କେକ କାଟିଦେ ।
-- ମୁଁ ତ କାଟି ସାରିଛି। ପୁଅ କହିଲା
-- କେବେ??
-- ଆଜି ସକାଳେ, ମା ସହିତ। ତୁମେ ଯୋଉ ହସ୍ପିଟାଲ୍ ରେ ତାକୁ ଛାଡ଼ି ଦେଇ ଆସିଛ,ସେଇଠି ଯାଇ ଜନ୍ମ ଦିନ ପାଳନ କରି ଆସିଲି। ଆଉ ଘରେ କରିବି ନାହିଁ। ସବୁ ବର୍ଷ ମା ସହିତ ପାଳନ କରିବି।ତୁମେ ଯାଅ ସବୁ!!
ମାଆ ବାପା ଦୁହେଁ ହତବାକ୍ ହୋଇ ଦେଖୁଥିଲେ ପୁଅକୁ।
ନାତି କୁ ଦେଖିବା ପରେ ରେଣୁ ଯେପରି ନବ ଯୌବନ ପାଇ ଯାଇଥିଲା। ପର ଦିନ ସକାଳୁ ମନ୍ଦିର ଯାଇ ତୁରନ୍ତ ବଗିଚା ରେ ଥିବା ଚେୟାର ରେ ଆସି ବସି ପଡ଼ିଲା- ଦିନେଶ ଆସିବା ଆଗରୁ। ହାତରେ ଗୋଟେ ଗୋଲାପ କଢ଼। ଦେହରେ ଲାଲ ରଙ୍ଗ ର ଶାଢ଼ୀ।
ଦିନେଶ ଆସିଲେ।
-- ରେଣୁ କହିଲା, "ପଢ଼ିଲା ବେଳେ ମୁଁ ତୁମ ମନ କୁ ପଢି ଥିଲି,ହେଲେ ସମାଜ ର ଶିକୁଳି ରେ ବନ୍ଧା ମୋର ମନ ନିସହାୟ ଆଉ ଭୟଭୀତ ଥିଲା। ଆଜି ସମୟ ବଦଳିଛି। ନିସଂଗତା ଆଉ ନୈରାଶ୍ୟ ମୟ ଜୀବନ କୁ ଶୋଭିତ କରିବାକୁ ଈଶ୍ୱର ମୋତେ ପୁଣିଥରେ ମୌକା ଦେଇଛନ୍ତି। ଆଉ ହାତଛଡା କରିବା ନାହିଁ। ତୁମେ ଯେଉଁ ସମ୍ବନ୍ଧ ମୋ ସହିତ ରଖିବାକୁ ଚାହୁଁଛ, ତୁମେ ରଖ। ହାତରେ ଥିବା ଗୋଲାପ କଢ଼ଟିକୁ ଦିନେଶ ହାତରେ ବଢ଼ାଇ ଦେଇ ,କହିଲା --" ଏଇ ତୁମ ଚିର ଇପ୍ସିତ କଢ଼ ଟିକୁ ନିଅ ଆଉ ଯେଉଁଠି ସଜାଇବାକୁ ଚାହିଁ ଥିଲ,ସେଇଠି ସଜାଇ ଦିଅ!!"
-- ଦୀନେଶ ରେଣୁ ର ହାତରେ କଢ଼ ଟି କୁ ଦେଇ କହିଲେ,ଏଇ ରାଧା କୃଷ୍ଣଙ୍କ ନିକଟରେ ଆଉ କଣ ମିଛ କହିବି। ଯେମିତି ନିଷ୍ପାପ, ଶାଶ୍ୱତ ପ୍ରେମର ପୂଜାରୀ ଟିଏ ଥିଲି ଆଉ ସେମିତି ରହିବି ବୋଲି ବୋଧ ହୁଏ ତୁମକୁ ଈଶ୍ୱର ଏଇଠିକୁ ପଠାଇଛନ୍ତି।
-
© ଅଳକା ମହାନ୍ତି
alkamohanty@gmail.com.
