Shanti Mishra

Tragedy

3  

Shanti Mishra

Tragedy

ନିଉୟର୍କର ନର୍କ

ନିଉୟର୍କର ନର୍କ

5 mins
506



ପୃଥିବୀରେ ଅନେକ ସମସ୍ୟା ଆସିଛି ଆଉ ଯାଇଛି l କେହି ଚିରକାଳ ଯାଏ ଏଠି ଅଟକି ରହି ଯାଇ ନାହାଁନ୍ତି l କେତେ ଝଡ ଝଞ୍ଜା ସୁନାମୀ, ଭୂକମ୍ପ, ଏପିଡେମିକ, ପାନଡେମିକ ଆସିଛନ୍ତି ବର୍ଷେ ହଉ କି ଛ ମାସ କି ଛ ବର୍ଷ ହଉ ପୃଥିବୀରେ ରହି ଧୀରେ ଧୀରେ ତାଙ୍କ ପ୍ରକୋପ କ୍ଷୀଣ କରି ସେଇ ପୃଥିବୀରେ ବିଲୟ ହୋଇ ଯାଇଛନ୍ତି l କିନ୍ତୁ ସେ ମହା ପ୍ରଳୟଙ୍କରୀ ମହାମାରୀ ସମସ୍ୟା ଟି ଦୂରେଇ ଯାଇ ସମ୍ପୂର୍ଣ ରୁପେ ବିଲୁପ୍ତ ହେବା ପୂର୍ବରୁ ଯୋଉ ଧ୍ଵଂସ ବିଧ୍ଵସ୍ତ କ୍ଷୟ କ୍ଷତି ଘଟେଇ ଦେଇ ଯାଏ ! ତାର କଣ! ତାର ହିସାବ କିଏ ଦବ l

ସେହିପରି ଏହି ଦୁର୍ଦ୍ଧର୍ଷ କରୋନା ବି ଦିନେ ହୁଏତ ଚାଲିଯିବ l କିନ୍ତୁ ଯିବା ପୂର୍ବରୁ କାହାର ବାପା ତ କାହାର ମା ତା କାହାର ପୁଅ କି ଝିଅ, ଭାଇ ଭଉଣୀ ବଂଧୁ ବାନ୍ଧବ ସାଙ୍ଗ ସାଥୀଙ୍କୁ ନିଶ୍ଚେ ନେଇ ଚାଲିଯିବ, ତାର ଭରଣା କିଏ କରିବ ! ସେ କ୍ଷତକୁ କିଏ ଶୁଖେଇବ ! ସେ ଶୂନ୍ୟତାକୁ କିଏ ପୂରଣ କରିବ ! ଏହାର ଉତ୍ତର କିଏ ଦବ !

ଏହାର ଉତ୍ତର କାହାରି ପାଖରେ ନାହିଁ l “ଅମରେଶ”ଙ୍କ ପାଖରେ ବି ନାହିଁ l ଆଜିକୁ ଆଠ ଦିନ ଆଠ ରାତି ହୋଇ ଗଲାଣି ନା ସେ ଶୋଇ ପାରୁଛନ୍ତି ନା ଖାଇ ପାରୁଛନ୍ତି l ନା ବଞ୍ଚି ପାରୁଛନ୍ତି ନା ମରି ପାରୁଛନ୍ତି l ବୋଉର ମୁଁହ ତାଙ୍କ ଚତୁଃପାର୍ଶ୍ଵରେ l ପୁଅର ଡାକ ତାଙ୍କ କର୍ଣ୍ଣପଟରେ ଅହରହ ପ୍ରତିଧ୍ଵନିତ l

ହସ୍ପିଟାଲ ଶଯ୍ୟ।ରେ ପଡି ପଡି କେତେ ଅସହାୟ ଭାବରେ ବୋଉ ଚାଲିଗଲା l ହସ୍ପିଟାଲରୁ କେବଳ ଖବର ଆସିଥିଲା ମିସେସ ପାତ୍ର ଚାଲିଗଲେ ବୋଲି l ସେ ଯାଇ ପାରି ନଥିଲେ, ନା ପ୍ରଥମ ଦେଖା କରିବାକୁ ନା ଶେଷ ଦେଖା କରିବାକୁ l

ବୋଉ ଯେତେବେଳେ ସକାଳୁ ସେଦିନ ଉଠିଲା ତାକୁ ଜ୍ୱର, ଥଣ୍ଡା କାଶ ମୁଣ୍ଡବୁଲା ସାଙ୍ଗକୁ ନିଶ୍ଵାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ଦୁର୍ବଳତା ବୋଧ ସେମାନେ ଜାଣି ପାରିଲେ ଏହା କିଛି ଭଲ ଲକ୍ଷଣ ନୁହେଁ l ଲକଡାଉନ ଯୋଗୁ ସେ ବୋଉକୁ ହସ୍ପିଟାଲ ନିଜେ ନେଇଯିବା ଟା ଠିକ ନମଣି ଅମ୍ବୁଲାନ୍ସ ଡକେଇଲେ l ସେତେବେଳକୁ ତାଙ୍କ ସ୍ତ୍ରୀ ଶୀଲା ଡରିଯାଇ ଦୁଇ ଯାଆଁଳା ପିଲାଙ୍କୁ ଧରି ତଳ ଘରକୁ ଚାଲିଯାଇ ଗୋଟାଏ ପ୍ରକୋଷ୍ଠ ଭିତରେ କବାଟ ବନ୍ଦ କରି ଦେଇ ରହିଲା l

ବୋଉର ଶୋଇବା ଘର ଉପର ମହଲାରେ l ଯଥା ସମୟରେ ଆମ୍ବୁଲାନ୍ସ ଆସି ବୋଉକୁ ନେଇଗଲେ ପାରାମେଡିକ ଷ୍ଠାଫ ମାନେ କହିଗଲେ କୋଭିଡ଼୧୯ କରୋନା ଲକ୍ଷଣ ପରି ଲାଗୁଛି l ସେମାନେ ଭେଣ୍ଟିଲେଟର ଲଗେଇ ବୋଉକୁ ହସ୍ପିଟାଲ ନେଇଗଲେ l ଏପରି ପରିସ୍ଥିତିରେ ସେମାନେ ବୋଉକୁ ହସ୍ପିଟାଲ ପଠେଇବାକୁ ବାଧ୍ୟ ଥିଲେ l ପାରାମେଡିକ ବାଲା ସଫା ମନା କରିଦେଲେ ବୋଉ ପାଖକୁ କେହି ନ ଆସିବାକୁ l ତାକୁ ନେଇଗଲା ପରେ ତା ଶୋଇବା ଘରକୁ ସ୍ପ୍ରେ କରି ଡିଶନ୍ଫେକ୍ଟ|ଣ୍ଟ କରିବାକୁ କହି ଦେଇଗଲେ l

ବୋଉର ହସ୍ପିଟାଲରେ ସବୁ ପରୀକ୍ଷା ନିରୀକ୍ଷା ସରିବା ପରେ ଡାକ୍ତର କରୋନା ପଜିଟିଭ କହିଲା ପରେ ଅମରେଶଙ୍କର ନା ଖିଆ ନା ପିଆ l ବୋଉ ବୋଧେ ସେଦିନ ମଲର ଲୋକ ଗହଳିର ଭିଡ଼ରୁ ଏଇ ଭାଇରସରେ କାହା ଠାରୁ ସଂକ୍ରମିତ ହୋଇ ଯାଇଥାଇଥିଲା କି କଣ l

ବୋଉ ଦୁଇ ବର୍ଷ ତଳେ ଅମେରେଶ ଆଉ ଶୀଲା ଙ୍କର ଦୁଇ ଯାଆଁଳା ଶିଶୁ ମାନଙ୍କର ଦେଖା ରଖା କରିବାକୁ ଆସିଥିଲା l ଶୀଲା ଓ ଅମରେଶ ଦୁଇଜଣ ଏକ କମ୍ପାନୀରେ କାମ କରୁଥିଲେ l ବୋଉଠୁ ଆଉ ବିଶ୍ଵସ୍ଥନନୀୟ ଲୋକ ତାଙ୍କ ପାଇଁ ମିଳିବା ଏତେ ସହଜ ନୁହେଁ l ଓଡ଼ିଶାରେ ବୋଉ ଏକା ରହୁଥିଲା ତାକୁ ପଚାରିଲା ମାତ୍ରେ ଆସିବାକୁ ହଁ କରିଦେଲା l ଏକମାତ୍ର ପୁଅ ପାଖେ ରହି ବୋଉ ତାର ଶେଷ ନିଶ୍ଵାସ ତ୍ୟାଗ କରିବା, ତାର ଏକ ବଡ଼ ସ୍ଵପ୍ନ ଥିଲା l

ହାଇସ୍କୁଲ ଶେଷ ପର୍ଯ୍ୟନ୍ତ ବୋଉ ଓ ସେ ଏକାଠି ରହୁଥିଲେ l ବାପା ସ୍କୁଲ ଶେଷ ହବାର ଦୁଇ ବର୍ଷ ପୂର୍ବରୁ ଚାଲି ଯାଇଥିଲେ l କଲେଜ ଆରମ୍ଭ ପରଠୁ ଉଚ୍ଚଶିକ୍ଷା ଆମେରିକାରେ ସେଟଲ ପର୍ଯ୍ୟନ୍ତ ସେ ବୋଉ ସହିତ ସେପରି କ୍ରମାଗତ ଭାବରେ ରହି ସମୟ କଟେଇବାର ସୁଯୋଗ କେବେ ପାଇନଥିଲେ l ଯଦିଓ କେବେ ଛୁଟିରେ ଘରକୁ ଆସନ୍ତି ତେବେ ସବୁବେଳେ ପଢାପଢି ବା ଅନ୍ୟ କାମରେ ବ୍ୟସ୍ତ ରୁହନ୍ତି l ବୋଉ ସହିତ ମିଳାମିଶା ବା ବିଶେଷ କଥାବାର୍ତ୍ତା ହେବାକୁ ସମୟ ନଥାଏ l

ତାଙ୍କୁ ପ୍ରଥମ ଥର ବୋଉ ଆସିଗଲା ପରେ ଆମେରିକାର ନିଯୁୟର୍କ ସହରକୁ, ବୋଉ ସହିତ ମିଳିମିଶି ରହିବାର ଏକାଠି ସମୟ ବିତେଇବାର ଓ ମନଖୋଲି କଥାବାର୍ତ୍ତା ହେବାର ସୁଯୋଗ ମିଳିଗଲା l ଗତ ଦୁଇ ବର୍ଷ ବୋଉ ଓ ତାଙ୍କ ଜୀବନରେ ଏକ ସୁବର୍ଣ୍ଣ ଯୁଗ ବିତିଗଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ l ବୋଉ ଦୁଇ ନାତି ନାତୁଣୀଙ୍କ ସହିତ ବେଶ ଆନନ୍ଦରେ ତାର ଦିନ ଅତିବାହିତ କରୁଥିଲା l ବୋଉ ଧୀରେ ଧୀରେ ଆମେରିକାର ନୀତି ନିୟମ କାଇଦା କଟକଣା ଶିଖି ଯାଉଥିଲା l ଥରେ ଓଡ଼ିଶା ଯାଇ ଘର ଦ୍ଵାର ସମ୍ପତି ବାଡି ବିକ୍ରି କରି ଫେରି ଆସି ନାତି ନାତୁଣୀଙ୍କ ପାଖେ ରହିବାର ଇଚ୍ଛା ପ୍ରକଟ କଲାପରେ ଅମରେଶ ଓ ଶୀଲା ଖୁସିରେ ରାଜି ହୋଇ ଯାଇଥିଲେ l ତାର ଯିବାର ସମସ୍ତ ବନ୍ଦୋବ୍ୟସ୍ଥ ଆରମ୍ଭ କରି ଦେଲେ l କେତେଦିନ ଲାଗିବ ସେଠାକାର ସବୁ ସୁବ୍ୟବସ୍ଥା କରି ଫେରି ଆସିବାକୁ କିଛି ଜଣା ବି ନଥିଲା lବୋଉର ପିଲା ମାନଙ୍କ ପ୍ରତି ଲୋଭ ବଢି ଚାଲିଥିଲା l

ଚାହୁଁ ଚାହୁଁ ରହୁ ରହୁ ଦୁଇ ବର୍ଷ ହୋଇଗଲା l ପିଲାମାନେ ଏବେ ଟିକେ ବଡ ହୋଇଗଲା ପରେ ତାଙ୍କୁ ଡେ କେୟାରରେ ଛାଡିଲେ କିଛି ବିଶେଷ ଅସୁବିଧା ହେବ ନାହିଁ ବୋଲି ସେମାନେ ଭାବିଲେ l ବୋଉ ଏତେଦିନ ହେବ ଘର ଗୋଟେ ଲୋକ ଜିମା ଛାଡି ଆସିଥିବାରୁ ଟିକେ ବ୍ୟସ୍ତ l ତେଣୁ ଆସନ୍ତା ମାସର ପ୍ରଥମ ସପ୍ତାହରେ ଭାରତକୁ ଫେରିବାର ବ୍ୟବସ୍ଥା କରାହେଲା l

ଠିକ ଲକଡାଉନ ଘୋଷଣା ହେବାର ପୂର୍ବ ଦିନ ସେମାନେ ମଲକୁ ସପିଙ୍ଗ ପାଇଁ ଯାଇଥିଲେ l ବୋଉ ପାଇଁ କିଛି ମନଲାଖି ଜିନିଷ କିଣିଦେବା ପାଇଁ l ତାପର ଦିନ ହିଁ ଲକଡାଉନ ଘୋଷଣା ହୋଇ ସବୁ ବନ୍ଦ ହୋଇଗଲା ଏପରିକି ବୋଉର ଓଡିଶା ଯିବା ବି ବାତିଲ l ଏ କ'ଣ ! ଏ କି ଅଘଟଣ ! ଏରୋପ୍ଳେନ ସବୁ ବନ୍ଦ l ରାସ୍ତାଘାଟ, ଦୋକାନ ବଜାର ସବୁ ବନ୍ଦ l ଅଫିସ ବନ୍ଦ l ଏକ କୋକୁଆ ଭୟ ଚାରିଆଡେ ଖେଳିଗଲା l ଟିଭି ମିଡିଆରେ ଯେତେ ସବୁ ଦୁଃସମ୍ବାଦ ଶୁଣି ଶୁଣି ମନ ଅସ୍ଥିର ହେଉଥିଲେ ବି ସମସ୍ତଙ୍କ ଆଖି ସେଇ ଟିଭି ଉପରେ l

ହସ୍ପିଟାଲ ବେଡ଼ରେ ପଡି ପଡି ବୋଉ ଦୁଇଦିନ ତଳେ ଚାଲିଗଲା l କରୋନା ଓ ଲକଡାଉନ୍ ଯୋଗୁ ସମସ୍ତଙ୍କ ସ୍ଵାସ୍ଥ୍ୟର ସୁରକ୍ଷାକୁ ଆଖି ଆଗରେ ରଖି ଅମରେଶଙ୍କୁ ହସ୍ପିଟାଲ ଯିବାକୁ ଦିଆଗଲା ନାହିଁ l ଡାକ୍ତରଖାନାର କର୍ତ୍ତୃପକ୍ଷ ପୁରା ମନ କରିଦେଲେ l ବୋଉ ଏକା ଏକା ଶେଷ ନିଶ୍ଵାସ ତ୍ୟାଗ କଲା l ଆହୁରି ଅନେକ କୁଢ କୁଢ ଶବ ଭିତରେ ତା ଶବବି ମିଶିଗଲା, ଲୁଚିଗଲା l ତାର ଜାତି ଧର୍ମର ରୀତିନୀତି ରେ ଶେଷକୃତ୍ୟର ବିନା ସମ୍ପର୍ଣ୍ଣରେ ତାର ଶବକୁ ପୋତି ଦିଆଗଲା l କିନ୍ତୁ କୋଉଠି କେମିତି ଅମରେଶଙ୍କୁ କିଛି ଜଣା ନାହିଁ l

ପୁଅ ପାଖରେ ରହି ଶେଷ ନିଶ୍ଵାସ ଏପରି ତ୍ୟାଗ କରିବ ବୋଲି ସେ ସ୍ଵପ୍ନରେ କେବେ ଭାବି ନଥିବ l ବିନା ମୁଖାଗ୍ନି, ବିନା ଗଙ୍ଗାଜଳ ପୁଅ ହାତରୁ ତୁଣ୍ଡରେ ନପାଇ ସେ ଚାଲିଗଲା l ଛାତି ଫାଟିବ ଫାଟିବ ହୋଇ ଫାଟି ପାରିଲାନି ଅମରେଶଙ୍କର l ରହିଗଲା l ଦୁଇ ପିଲାଙ୍କ ମୁଁହରେ କେବଳ ବୋଉ ଦିଶୁଥିଲା l ଅମରେଶ ହୁଏତ ଏ କରୋନା ପ୍ରକୋପରୁ ରକ୍ଷା ପାଇ ବଞ୍ଚିଯିବେ l କିନ୍ତୁ କେମିତି ! ବୋଉର ସ୍ମୃତି କ'ଣ ତାଙ୍କୁ ବଞ୍ଚିବାକୁ ଦେବ ! ବୋଉକୁ ଏପରି ଅସହାୟ ଭାବେ ମରିବାକୁ ଦେଲା ପରେ, ସେ କ'ଣ ଶାନ୍ତିରେ ରହିପାରିବେ !

ବୋଉ ପୁଅ ପାଖରେ ରହି ସ୍ଵର୍ଗ ସୁଖ ଭୋଗିବା ଆଶାରେ ଏଠିକି ଆସିଥିଲା କିନ୍ତୁ ନର୍କ ଯନ୍ତ୍ରଣା ଭୋଗ କରିକି ଗଲା l ସ୍ତବ୍ଧ ଚକିତ ସେ ସେଇ ଅଦୃଶ୍ୟ ମହାଶକ୍ତିର ବିଚାର ପାଖରେ l

ଭୂସ୍ଵର୍ଗ ବୋଲାଉଥିବା ବୈକୁଣ୍ଠପୁରୀ ନିଉୟର୍କ ଆଜି ନର୍କର ଘେରରେ l ଅର୍ହନିଶୀ କୋଳାହଳରେ ଭରା, ଯାହାର କେବେ ରାତି ହୁଏନା, ଏବେ ଚାରି ଆଡ ଖାଲି ଖାଁ ଖାଁ l ଅମରେଶ ସେଇ ଶୂନ୍ୟତା ଭିତରେ ମିଶିଯିବେ ନା ଚିତ୍କାର କରି କାନ୍ଦିବେ, କିଛି ବୁଝି ପାରୁ ନଥିଲେ l


Rate this content
Log in

Similar oriya story from Tragedy