~~~ ନିଷ୍ପତ୍ତି~~~
~~~ ନିଷ୍ପତ୍ତି~~~


ଜଳନ୍ତା ସିଗାରେଟ୍ ଭଳି ଜଳି ଚାଲିଥିଲା ସୈାମ୍ୟାର ଜୀବନଟା l ଆଉ ସିଗାରେଟ୍ର ଧୂଆଁ ଭଳି ତା'ର ସମସ୍ତ ହସ ଖୁସିକୁ ବାଷ୍ପୀଭୂତ କରି ଚାଲିଥିଲା ଶୋଭନ୍ l ସତରେ ସେ ଯେମିତି ରକ୍ତ ମାଂସ ଧାରୀ ମଣିଷ ଟେ ନୁହଁ ବରଂ ପାଳିତ ପଶୁଟିଏ l ଯିଏକି ଶୋଭନ୍ର ଇଛାରେ ଉଠ୍ ବସ୍ ହେବ,ତା ଇଚ୍ଛାରେ ହସିବ, ଆଉ ତା ଇଚ୍ଛାରେ କାନ୍ଦିବ l ଆଉ ଯେଉଁ ଦିନ ଯଦି ନିଜର କୋୖଣସି ଇଚ୍ଛାକୁ ଶୋଭନ୍ ଆଗରେ ପ୍ରକାଶ କରେ, ତେବେ ଶୋଭନ୍ ତାକୁ ଏମିତି ଖିଙ୍କାରୀ ହୁଏ, ସତେ ଯେମିତି ତାର ସମସ୍ତ ଇଚ୍ଛା ଶୋଭନ୍ର ଦାସ l ସୈାମ୍ୟା ଭାବେ ସେ ଯଦି ସେଦିନ ମାଆ ଓ ମାମୁଁଙ୍କ କଥାରେ ରାଜି ହୋଇ ନିଜର ନିଷ୍ପତ୍ତି ବଦଳାଇ ନ ଥାଆନ୍ତା, ତେବେ ତାକୁ ହୁଏତ ଏମିତି ଦିନ ଦେଖିବାକୁ ପଡି ନଥାନ୍ତା l ତାର ଅନେକ ସାଙ୍ଗ ତ ପୁଣି ବାହା ନ ହୋଇ ଏକୁଟିଆ ଅଛନ୍ତି l ଆଉ ସେମାନେ ସମସ୍ତେ ତା ଠାରୁ ଭଲରେ ଅଛନ୍ତି l କିଛି ନ ହେଲେ ନିଜ ପସନ୍ଦର ଜୀବନ ତ ବଞ୍ଚୁଛନ୍ତି l
ବାପା ଚାଲିଯିବା ପରେ ଚାରୋଟି ପିଲାଙ୍କୁ କେମିତି ମଣିଷ କରିବେ ସେଇ ଚିନ୍ତାରେ ସବୁବେଳେ ଘାରି ହେଉଥିଲେ ସୈାମ୍ୟାର ମାଆ l ସୈାମ୍ୟା ଯେତେବେଳେ ଚଉଦ ବର୍ଷର ହୋଇଥିଲା, ସେତେବେଳେ ଏକ ଦୂରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୋଇଥିଲେ ତା ବାପା l ଅନେକ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବାରେ ସଫଳ ହୋଇ ନଥିଲେ ଡକ୍ଟର ତଥା ସୈାମ୍ୟାର ମାଆ ଓ ବନ୍ଧୁ ବାନ୍ଧବ l ସେ ସମୟର ରକ୍ଷଣଶୀଳ ମନୋବୃତ୍ତି ଯୋଗୁଁ ସୈାମ୍ୟାର ମାଆ ମଧ୍ୟ ତୃତୀୟ ଶ୍ରେଣୀରୁ ଡୋରି ବାନ୍ଧି ଥିଲେ l ତେଣୁ ତା ବାପା ସରକାରୀ ଚାକିରୀଟିଏ କରିଥିଲେ ମଧ୍ୟ ତା ମାଆ ତାଙ୍କ ଚାକିରୀଟି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ନଥିଲେ l ବ୍ରାହ୍ମଣ ପରିବାରର ବୋହୂ ସେ l ସ୍ୱାମୀ ବଞ୍ଚିଥିଲା ବେଳେ କେବେ ଘରୁ ଗୋଡ଼ କାଢି ନଥିଲେ l ସ୍ଵାମୀ ମଲା ପରେ ଗୋଡ଼ କାଢିବେ କେମିତି? ହେଲେ ଗୋଡ଼ ନ କାଢିଲେ ଘର ଚାଲିବ କେମିତି? ତାଙ୍କ ପିଲା ମନେ ଖାଇବେ କଣ ପିନ୍ଧିବେ କଣ?ତା ଉପରେ ପୁଣି ପିଲାମାନଙ୍କୁ ନେଇ ସ୍ୱାମୀ ଦେଖିଥିବା ସ୍ୱପ୍ନ ପୁରଣ ହେବ କେମିତି?
ସୈାମ୍ୟାର ବାପା ରୋଗ ଶଯ୍ୟାରେ ପଡ଼ିଥିବା ସମୟରେ ତା ମାଆଙ୍କୁ ଦିନେ କହିଥିଲେ ମୋ ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ କେତେ ସ୍ୱପ୍ନ ଦେଖିଥିଲି l ଭଗବାନ୍ ସିନା ଆମକୁ ପୁଅଟିଏ ଦେଇ ନାହାଁନ୍ତି,ହେଲେ ଚାରି ଝିଅଙ୍କୁ ଯଦି ପାଠ ଶାଠ ପଢ଼ାଇ ଯୋଗ୍ୟ କରି ପାରି ଥାଆନ୍ତି,ତେବେ ସେମାନେ ମଧ୍ୟ ସଵୁ କଥାରେ ପୁଅଙ୍କ ଠାରୁ ଆଗକୁ ଆଗେଇ ଯିବାରେ ସମର୍ଥ ହୁଅନ୍ତେ l ହେଲେ ମଣିଷର ସବୁ ଇଚ୍ଛା କଣ ପୂର୍ଣ୍ଣ ହୁଏ l ଦେଖୁନ ଭଗବାନ ମୋତେ କେମିତି ରୋଗରେ ଶଯ୍ୟାଶାୟୀ କରିଦେଲେ l ମୋତେ ଲାଗୁନି ମୁଁ ଆଉ ବେଶୀ ଦିନ ବଞ୍ଚିବି ବୋଲି l ତେଣୁ ପିଲାମାନଙ୍କର ସବୁ ଦାୟିତ୍ୱ ତୁମେ ନେବ l ତାଙ୍କୁ ପାଠ ଶାଠ ପଢ଼ାଇ ଭଲ ମଣିଷ କରିବ l ଆଉ ତାର କିଛି ଦିନ ପରେ ସୈାମ୍ୟାର ବାପା ଇହଧ୍ୟାମ ତ୍ୟାଗ କରିଥିଲେ l ସ୍ୱାମୀଙ୍କ ସ୍ୱପ୍ନ ପୂରଣ ପାଇଁ ଦିନେ ହେଲେ ଘରୁ ପାଦ କାଢୁ ନଥିବା ସୈାମ୍ୟାର ମାଆ ଘରୁ ଗୋଡ଼ କାଢିଲେ l ନିଜର ସ୍ୱଳ୍ପ ଜମିବାଡ଼ି କଥା ବୁଝିବା ସହ ସିଲାଇ ମେସିନଟିଏ ମଧ୍ୟ ପକାଇଲେ l
ତାଙ୍କ ପିଲା ମାନେ ମଧ୍ୟ ବାପା ଯିବା ପରେ ଅଳି ଅଝଟ କରିବା ବନ୍ଦ କରିଦେଲେ l ସୈାମ୍ୟା ସମସ୍ତଙ୍କ ଭିତରେ ବଡ଼ ହୋଇଥିବା ଯୋଗୁଁ ନିଜର ପାଠ ପଢ଼ା ସହ ତା ସାନ ଭଉଣୀ ମାନେ କେମିତି ଠିକ୍ ରାସ୍ତାରେ ଚାଲିବେ ଓ ବାପାଙ୍କ ସ୍ୱପ୍ନକୁ ସାକାର କରିବେ ସେଥିପ୍ରତି ଦୃଷ୍ଟି ଦେଉଥିଲା l ମାଆଙ୍କୁ ଘରର ପ୍ରତ୍ୟେକ କାମରେ ସାହାଯ୍ୟ କରୁଥିଲା l ସ୍କୁଲ୍ର ଅନ୍ୟ ପିଲା ମାନେ ଟିଉସନ୍ ହେଉଥିବା ବେଳେ ସୈାମ୍ୟା ଓ ତା ଭଉଣୀମାନେ ନିଜେ ନିଜେ ଘରେ ପାଠ ପଢୁଥିଲେ l ତା ମାଆ ତ ଚାରି ଭଉଣୀଙ୍କୁ ଭଲ ଖାଦ୍ୟ ଟିକେ କିମ୍ବା ନୂଆ ଡ୍ରେସ୍ ଟେ ଦେଇ ପାରୁ ନଥିଲେ, ଆଉ ଟିଉସନ୍ କେମିତି ଦେଇ ଥାଆନ୍ତେ?ତଥାପି ନିଜ ନିଜ ଉଦ୍ୟମରେ ସମସ୍ତେ ଭଲ ନମ୍ବର ରଖୁଥିଲେ l ସୈାମ୍ୟା ମଧ୍ୟ ଭଲ ନମ୍ବର ରଖି ମାଟ୍ରିକ ପାସ କଲା l ତା ପରେ ଗାଁର ଛୋଟ ଛୋଟ ପିଲାଙ୍କୁ ଟିଉସନ୍ କରି ନିଜର କଲେଜ ପଢ଼ା ଖର୍ଚ୍ଚ ଉଠାଇଲା ଏବଂ ପାଖ କଲେଜରୁ ଗ୍ରାଜୁଏସନ୍ ପାସ୍ କଲା l
ଅରକ୍ଷିତକୁ ଦଇବ ସାହା ଭଳି ଗ୍ରାଜୁଏସନ୍ କମ୍ପ୍ଳିଟ୍ କରି ସାରିବା ପରେ ସୈାମ୍ୟା ଭଲ ଚାକିରିଟିଏ ମଧ୍ୟ ପାଇଲା l ତା ପରେ ତା ମାଆ ତା ବିବାହ ପାଇଁ ବ୍ୟସ୍ତ ହୋଇପଡିଲେ l ତାଙ୍କ ବନ୍ଧୁ ବାନ୍ଧବମାନେ ମଧ୍ୟ ତା ପାଇଁ ପ୍ରସ୍ତାବ ଆଣିବାକୁ ଲାଗିଲେ l ହେଲେ ସୈାମ୍ୟାର ଏକ ମାତ୍ର ଜିଦି ସେ ଵିବାହ କରିବ ନାହିଁ l ତା ଭଉଣୀମାନଙ୍କୁ ମଣିଷ କରିବ l ତା ମାଆ ତାକୁ ଦିନେ କହିଲେ ତୁ ସିନା ବାହା ହେବୁନି ବୋଲି ଜିଦି ଧରିଛୁ l ହେଲେ ସେଥିପାଇଁ ମୋତେ କେତେ ଲୋକଙ୍କ ଠାରୁ କେତେ କଥା ଶୁଣିବା ପାଇଁ ପଡ଼ୁଛି ଜାଣୁ l ଲୋକେ କହୁଛନ୍ତି ମୁଁ କୁଆଡେ ତୋ ଟଙ୍କା ଉପରେ ନଜର ରଖିଛି ବୋଲି, ତୋ ବାହାଘର ଉପରେ ଗୁରୁତ୍ବ ଦେଉନି l ସୈାମ୍ୟା କହିଲା ମାଆ ତୁ କେଉଁ ଲୋକଙ୍କ କଥା କହୁଛୁ?ଯେଉଁମାନେ ଏତେ କଥା କହୁଛନ୍ତି କାହିଁ,ବାପା ଗଲା ପରେ ସେମାନେ ଦିନେ ତ ଆମ ଭଲ ମନ୍ଦ ପଚାରି ନାହାଁନ୍ତି?ତୋର ସେମାନଙ୍କ କଥା ଶୁଣିବା ଦରକାର ନାହିଁ l
ସୈାମ୍ୟାର ମାଆ ତାର ବିବାହ ନ କରିବାର ନିଷ୍ପତ୍ତିକୁ ଗ୍ରହଣ କରି ନଥିଲେ l ସେ ବିବାହ ପାଇଁ ତା ଉପରେ ସବୁବେଳେ ଚାପ ପକାଇଲେ l ସେଇ ସମୟରେ ସୈାମ୍ୟାର ମାମୁଁ ତା ପାଇଁ ଶୋଭନ୍ର ପ୍ରସ୍ତାବ ନେଇ ଆସିଲେ ଓ କହିଲେ ମାଆରେ ତୁ ସିନା ତୋ ମାଆ ଓ ଭଉଣୀମାନଙ୍କ କଥା ବୁଝିବୁ ବୋଲି ବାହା ହେବାକୁ ରାଜି ହେଉନୁ l ହେଲେ ଏ ପିଲା ଓ ତା ପରିବାରର ତୋର ଏସବୁ ଦାୟିତ୍ୱ ବୁଝିବାରେ କିଛି ଆପତ୍ତି ନାହିଁ l ସେ ମଧ୍ୟ ସେ ସବୁରେ ତୋତେ ସହଯୋଗ କରିବ ବୋଲି କହୁଛି l ଭଲ ଚାକିରୀଟିଏ ମଧ୍ୟ କରିଛି l ତୁ ଏ ପ୍ରସ୍ତାବରେ ରାଜି ହୋଇ ଯାଆ l ତୋ ତଳେ ପୁଣି ତିନି ଭଉଣୀ ଅଛନ୍ତି l ତୁ ବାହା ନହେଲେ ଭବିଷ୍ୟତରେ ତାଙ୍କ ବିଵାହ ପାଇଁ ଅସୁବିଧା ହୋଇପାରେ l ସୈାମ୍ୟା ଭାବିଲା ସତରେ ଝିଅ ଜୀବନଟା ବି ବଡ଼ ବିଚିତ୍ର l ଯେତେ ବଡ଼ ଚାକିରୀ କଲେ ମଧ୍ୟ ତା ଜୀବନଟା ସବୁବେଳେ ଅନ୍ୟର କଥା ଉପରେ ନିର୍ଭର କରେ l ତା ଜୀବନର ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାକୁ ଗୋଟେ କଥା ସବୁ ବେଳେ ଆଖି ଆଗରେ ରଖିବାକୁ ପଡେ l ତୁ ଏମିତି କଲେ ଲୋକେ କଣ କହିବେ? ସତରେ ତା ଜୀବନର ଡୋରିଟା ଯେମିତି ଲୋକଙ୍କ ହାତରେ ବନ୍ଧା l
ନିଜର ଅନିଚ୍ଛା ସତ୍ତ୍ବେ ମାଆ ଓ ମାମୁଁଙ୍କ ନିଷ୍ପତ୍ତିକୁ ମାନି ଶୋଭନ୍ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ସେଦିନ ରାଜି ହୋଇ ଯାଇଥିଲା ସୈାମ୍ୟା l ମୁଣ୍ଡରେ ନାଲି ଓଢଣୀ ଓ ପାଦରେ ପାଉଁଜି ପିନ୍ଧି ଶାଶୁ ଘରେ ପାଦ ଦେଇଥିଲା ସୈାମ୍ୟା l ଶାଶୁ ଘରେ ପାଦ ଦେବା ପରେ ସମସ୍ତଙ୍କୁ ନିଜର କରିବାର ଚେଷ୍ଟା କରିଥିଲା l ପ୍ରଥମ କିଛି ମାସ ସବୁ କିଛି ଠିକ୍ ଠାକ୍ ଚାଲିଥିଲା l କିନ୍ତୁ କିଛି ମାସ ପରେ ଶୋଭନ୍ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କଲା l ସୈାମ୍ୟାର ପ୍ରତ୍ୟେକ କଥାରେ ଖୁଣ ବାହାର କରିବା ଆରମ୍ଭ କଲା l ତା ରୂପକୁ ନେଇ ମଧ୍ୟ ନାନା କଟୁ ମନ୍ତବ୍ୟ ଦେଲା l ସୈାମ୍ୟାର ଚିନ୍ତାଧାରା ପୁରୁଣା ,ସେ ଆଧୁନିକ ନୁହେଁ l ତା ସାଙ୍ଗମାନଙ୍କ ସ୍ତ୍ରୀମାନଙ୍କ ପରି ଆଧୁନିକ ବେଶ ପୋଷାକ ପିନ୍ଧି ପାରୁନି କି ପାର୍ଟି ଫନ୍କସନ ଆଟେଣ୍ଡ କରିବାକୁ ପସନ୍ଦ କରୁନି l ତେଣୁ ଶୋଭନ୍କୁ କୁଆଡେ ତା ସାଙ୍ଗମାନଙ୍କ ଆଗରେ ଲଜ୍ଜିତ ହେବାକୁ ପଡୁଛି l ଯଦିଓ ସୈାମ୍ୟା ତା ସାଙ୍ଗମାନଙ୍କ ସ୍ତ୍ରୀମାନଙ୍କ ଠାରୁ ଅଧିକ ପାଠ ପଢିଥିଲା,ଭଲ ଚାକିରୀଟିଏ କରିଥିଲା ଓ ଯଥେଷ୍ଟ ଅଧିକ ସଂସ୍କାରୀ ମଧ୍ୟ ଥିଲା l ଶୋଭନ୍ ପାଇଁ କିନ୍ତୁ ଏତିକି ଯଥେଷ୍ଟ ନଥିଲା ସୈାମ୍ୟାକୁ ନିଜର ସ୍ତ୍ରୀ ଭାବେ ପରିଚୟ ଦେବା ପାଇଁ l
ତାକୁ ଗୋଟିଏ ଆଧୁନିକ ସ୍ତ୍ରୀ ଦରକାର ଥିଲା l ଯାହାକୁ ନେଇ ସେ ରାତି ଅଧ ପର୍ଯ୍ୟନ୍ତ ପାର୍ଟି ଫନ୍କସନ୍ ଆଟେଣ୍ଡ କରି ପାରାନ୍ତା l ସୈାମ୍ୟା କିନ୍ତୁ ଶାଶୁ, ଶ୍ବଶୁର,ଦିଅର,ମାଆ ଓ ଭଉଣୀମାନଙ୍କ ଦାୟିତ୍ୱ ଓ ନିଜ ଚାକିରୀକୁ ନେଇ ଏମିତି ବ୍ୟସ୍ତ ରହୁଥିଲା ଯେ ଏ ସବୁ ପ୍ରତି ତାର ଆଗ୍ରହ ନ ଥିଲା କି ସମୟ ନଥିଲା l ଯେଉଁ ଶୋଭନ୍ ବିବାହ ପୂର୍ବରୁ ସୈାମ୍ୟାର ସବୁ ଦାୟିତ୍ୱକୁ ନିଜର ଭାବି ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା ସେ ସବୁଥିରେ ସହଯୋଗ କରିବା ତ ଦୂରର କଥା,ସୈାମ୍ୟା ଉପରେ ମଧ୍ୟ ବାରମ୍ବାର ଚାପ ପକାଇଲା ସେ ଯେମିତି ତା ମାଆ ଓ ଭଉଣୀମାନଙ୍କ କଥା ନଵୁଝେ l ସୈାମ୍ୟା ଯଦି କେବେ କିଛି କହେ ତେବେ ଶୋଭନ୍ କହେ ବାହାଘର ପୂର୍ବରୁ ସମସ୍ତେ ସେମିତି କହନ୍ତି l ଆଉ ପ୍ରତିଶ୍ରୁତି ତ ଭାଙ୍ଗିବା ପାଇଁ ହିଁ ଦିଆ ଯାଇଥାଏ l ଏଇ କଥାକୁ ନେଇ ସୈାମ୍ୟା ଓ ଶୋଭନଙ୍କ ଭିତରେ ପ୍ରାୟ ସବୁବେଳେ ଗଣ୍ଡଗୋଳ ଲାଗି ରହୁଥିଲା l ସୈାମ୍ୟା ଯଦି ଏ ସବୁ ବିଷୟରେ ଶାଶୁ ଶ୍ୱଶୁରଙ୍କ ଆଗରେ କିଛି କହେ ତେବେ ଶୋଭନ୍ ତାକୁ ଏମିତି କଥା କହେ ଯେ ,ତା ଆଖିରୁ ଲୁହ ନୁହେଁ ଲହୁ ଝରେ l
ଶୋଭନ୍ କହେ ତୁମ ମାଆ କଣ ତୁମକୁ ଏଇ ସଂସ୍କାର ଦେଇଛନ୍ତି l ସ୍ୱାମୀର କଥାକୁ କେମିତି ସମ୍ମାନ ଦିଆଯାଏ ଶିଖାଇ ନାହାଁନ୍ତି l ସୈାମ୍ୟା କହେ ମୋ ମାଆ ମୋତେ ସ୍ୱାମୀର କଥାକୁ କେମିତି ସମ୍ମାନ ଦିଆଯାଏ ଶିଖାଇଛନ୍ତି କିନ୍ତୁ ଅନ୍ୟାୟକୁ ପ୍ରଶ୍ରୟ ଦେବା ଶିଖାଇ ନାହାଁନ୍ତି l ଉଭୟଙ୍କ ଭିତରେ ସୃଷ୍ଟି ହେଉଥିବା ଗଣ୍ଡଗୋଳ ଦିନକୁ ଦିନ ଉଗ୍ର ରୂପ ଧାରଣ କଲା l କାରଣ ଶୋଭନ୍ ପ୍ରାୟ ସବୁଦିନ ଅଫିସ୍ ପରେ ସାଙ୍ଗ ସାଥିମାନଙ୍କ ସହ ପାର୍ଟି ଫନ୍କସନ୍ ଆଟେଣ୍ଡ କରି ଘରକୁ ଫେରୁଥିଲା ଓ ମଦ ନିଶାରେ ଚୁର ହୋଇ ସୈାମ୍ୟାକୁ ଅନେକ କଥା କହେ ଓ ହାତ ମଧ୍ୟ ଉଠାଏ l ସୈାମ୍ୟା କିନ୍ତୁ ଏ ସବୁ ବିଷୟରେ ନିଜ ମାଆ ଓ ଭଉଣୀମାନଙ୍କୁ କିଛି ଜାଣିବାକୁ ଦେଉ ନଥାଏ l କାରଣ ବାପା ଗଲା ପରେ ମାଆର ଦୁଃଖ କଣ କମ୍ ଯେ ସେ ତା ଦୁଃଖ କଥା କହି ତାଙ୍କୁ ଅଧିକ କଷ୍ଟ ଦେବ l ଆଉ ଭଉଣୀ ମାନେ ତ ଛୋଟ l ତେଣୁ ନିଜ ସଂସାରକୁ ବଞ୍ଚିଇବା ପାଇଁ ସେ ଆଖିର ଲୁହକୁ ଓଠରେ ପିଇ ସ୍ୱାମୀର ସବୁ ଅତ୍ୟାଚାରକୁ ସହି ଯାଉଥିଲା l
ତାର ବିଶ୍ଵାସ ଥିଲା ଶୋଭନ୍ ଦିନେ ନା ଦିନେ ବଦଳି ଯିବ l ହେଲେ ତାର ସମସ୍ତ ଇଚ୍ଛା ଇଚ୍ଛାରେ ରହିଗଲା l କଥାରେ ଅଛି ପରା ସଂଘର୍ଷ କରୁଥିବା ଲୋକର ସଂଘର୍ଷର ଶେଷ ନାହିଁ l ଶୋଭନ୍ର ସବୁ ଅତ୍ୟାଚାର ସେ ଦିନ ସୀମା ଟପି ଯାଇଥିଲା ଯେଉଁ ଦିନ ନିଜର ରୋଗାକ୍ରାନ୍ତ ମାଆକୁ ଦେଖିବାକୁ ଯାଇଥିଲା ବୋଲି ଶୋଭନ୍ ତାକୁ ପଶୁ ପରି ବାଡେଇ ଥିଲା ଓ ବାପ ଘରକୁ ନ ଯିବା ପାଇଁ ତାଗିଦ୍ କରିଥିଲା l ଆଉ ତାଙ୍କ ପାଇଁ ଯେମିତି ଟଙ୍କାଟେ ବି ଖର୍ଚ୍ଚ ନକରେ ସେଥିପାଇଁ ତାଗିଦ୍ କରିଥିଲା l ଆଉ ତା ଶାଶୁ ଶ୍ୱଶୁର ସବୁ ଦେଖି ଚୁପ୍ ଥିଲେ l ସୈାମ୍ୟା ଭାବିଲା ନିଜ ବିଷୟରେ ସବୁ ଜଣାଇ ତ ସେ ଶୋଭନ୍କୁ ବିବାହ କରିଥିଲା l ସାରା ଜୀବନ ତା ଦୁଃଖ,ସୁଖ, ଅଭାବ ଅସୁବିଧାର ସାଥି ହେବ ବୋଲି କହିଥିବାରୁ, ସେ ନିଜର ବିବାହ ନ କରିବାର ନିଷ୍ପତ୍ତିକୁ ବଦଳାଇ ତାକୁ ବିବାହ କରିଥିଲା l ତେବେ ତା ଦୁଃଖ ସୁଖରେ ସାଥି ହୋଇ ରହିବା ପରିବର୍ତ୍ତେ ସେ ଯଦି ତାର ସମସ୍ତ ଖୁସିକୁ ପାଦରେ ଦଳି ଦେବାକୁ ପଛାଉ ନାହିଁ,ତେବେ ସେ କାହିଁକି ତା ପାଖରେ ସବୁ ଦିନ ପଡି ରହିବ l ଏଇ ଲୋକେ କଣ କହିବେ ବୋଲି?
ସେ ବି ଜଣେ ଜୀବିତ ମଣିଷ ତା'ର ବି ହସ ଖୁସି ଅଛି l ସର୍ବୋପରି ଜୀବନ ବଞ୍ଚିବାର ଅଧିକାର ଅଛି l ଶୋଭନ୍ ପରି ଗୋଟେ ଅମଣିଷ ଯିଏ ତାକୁ ସ୍ତ୍ରୀର ସମ୍ମାନ ଦେବା ତ ଦୂରର କଥା, ଦେଇଥିବା ସବୁ ପ୍ରତିଶ୍ରୁତିକୁ ଭାଙ୍ଗି ତାକୁ ଅତ୍ୟାଚାର କରୁଛି ,ତା ପାଇଁ ସେ ନିଜ ଜୀବନକୁ ଜଳାଞ୍ଜଳି ଦେଵ କାହିଁକି? ଲୋକେ,ସମାଜ ଯାହା କହିଲେ କହିବେ l ସେ କିନ୍ତୁ ଆଉ ଅତ୍ୟାଚାରିତ ହେବନାହିଁ l କାହିଁ ଶୋଭନ୍ ଯେତେବେଳେ ତାକୁ ଅତ୍ୟାଚାର କରୁଛି ,ଏ ସମାଜରୁ କେହି ଜଣେ ହେଲେ ତ ତା ପାଇଁ ବାହାରୁ ନାହାଁନ୍ତି l ତେବେ ସେ ସମାଜ ଓ ଲୋକେ କଣ କହିବେ ସେଇ ଭୟରେ ନିଜର ତଥା ନିଜ ମାଆ ଓ ଭଉଣୀମାନଙ୍କ ଜୀବନକୁ ଅନ୍ଧାର ଗର୍ଭକୁ କାହିଁକି ଠେଲି ଦେବ l ସେ ହାରି ଯିବନି ସେ ଲଢିବ l ତେଣୁ ନିଷ୍ପତ୍ତି ନେଲା ସେ ସେଇ ଭଳି ସଂସ୍କାରର ବେଢିକୁ ଦୂରକୁ ଫିଙ୍ଗି ଦେବ ଯେଉଁ ସଂସ୍କାର ତା ଠାରୁ ତା ମଣିଷ ହେବାର ଅଧିକାରକୁ ଛଡ଼ାଇ ନେଉଛି l ଆଉ ନିଜର ସମସ୍ତ ଜିନିଷ ପତ୍ର ସଜାଡ଼ିବା ପାଇଁ ଲାଗିଲା l