STORYMIRROR

Kumar Mrutyunjay

Tragedy Others

3  

Kumar Mrutyunjay

Tragedy Others

ନିଷ୍ପତି

ନିଷ୍ପତି

1 min
241

ବାବୁ!ରୋଟି ପଟେ ଦିଅ,ବାବୁ!ତିନିଦିନ ହେଲାଣି ଖାଇନି,ମୋ ମାଆକୁ ଭୀଷଣ ଜର,ସେ କାମକୁ ଯାଇପାରୁନି! "ଆରେ!ମୁଁ ତ କହୁଛି ପଇସା ଦେ ଖାଇବା ନେ!କିଏ ମନା କଲା" ଢ଼ାବା ମାଲିକ ବୀରେନ୍ଦ୍ର କହିଲା । "ମୋ ପାଖରେ ପଇସା ନାହିଁ ବାବୁ,ଯାହାଥିଲା ମାଆ ଉସୁଦରେ ସରିଯାଇଛି,ମାଆ ଦେହ ବହୁତ ଖରାପ,ଦୟା କର,କିଛି ଟିକେ ଖାଇଲେ ସିନା ଉସୁଦ କାମ ଦବ" । କଇଁ କଇଁ ହେଇ କାନ୍ଦୁ କାନ୍ଦୁ ଛିନ୍ନ ମଳିନ ଫ୍ରକ ପିନ୍ଧିଥିବା ଅନୂଢ଼ା କିଶୋରୀ ଟି କହୁଥାଏ,ହାତ ଦୁଇଟିକୁ କେତେବେଳେ ଯୋଡୁଥାଏ ତ କେତେବେଳେ ମାଗୁଥାଏ । ହେ,ଯା, ଚାଲି ଆସିଛି ମାଗିବାକୁ,ମିଛ ସତ ଯୋଡି,ଏଠି ଗୋଟେ ଧନ୍ଦା ଲଗେଇଛି,ମୁଁ କଣ ଅନ୍ନଛତ୍ର ଖୋଲିଛି ଏଠି!!ଯା ଯା । ମୁଁ ସେତେବେଳେ ଖାଉଥାଏ ଭିତରେ ଟେବୁଲରେ,ମୋ ସାମ୍ନାରେ ଖାଉଥିବା ଦୁଇଜଣ ଉତ୍ତମ ଚେହେରା ଥିବା ଭଦ୍ରଲୋକ ଥଟା ବିଦ୍ରୁପ କରୁଥାନ୍ତି,ଏପରି ଶେଷରେ ମାଗିବାକୁ ଆସିଥିବା ଝିଅ ଟିର ଚରିତ୍ର ସଂହାର କରିବାକୁ ପଛାଉନଥାନ୍ତି । ଏପଟେ ମୁଁ ତାର କରୁଣ ଆର୍ତ୍ତ ମାଗୁଣିକୁ ବି ସହି ପାରୁନଥାଏ!ଭାବିଥିଲି,ଢ଼ାବା ମାଲିକ ଦେଇଦେବ କିନ୍ତୁ ସେ ଯେପରି ନଛୋଡ ।ଶେଷରେ ନିଜେ ଦେବାକୁ ମନସ୍ଥ କରି ଅଧାଖିଆ ହୋଇ ଉଠିଲା ବେଳକୁ ଢ଼ାବା ରେ କାମ କରୁଥିବା ଗୋଟେ ପିଲା ନିଜ ଘରୁ ଆଣିଥିବା ଖାଇବା ଟିଫିନ ରୁ କାଢି ପଲିଥିନ ରେ ଭର୍ତ୍ତି କରି ତାକୁ ଦେଉଛି । ଆଉ ଝିଅଟି ତା ହାତରୁ ନେଇ ଶୁଖିଲା ଚେହେରାରେ ଦୀର୍ଘ ଦିନରୁ ଜଡି ଯାଇଥିବା ହସକୁ ପୁନଃ ଫୁଟେଇ ଏକ ନିଶ୍ୱାସ ରେ ଧାଇଁ ଗଲା । ଢ଼ାବା ମାଲିକ ତାତ୍ସଲ୍ୟ ହସ ହସି କହିଲା,ମୋତେ ନଅଣ୍ଟେ ନା ମୁଁ ନେଇକି ସାହି ରେ ବାଣ୍ଟେ!ହୁଁ । ଆଉ ସେ ଢ଼ାବା ପିଲା ଟି ଏଇ ତାତ୍ସଲ୍ୟ ହସକୁ କାଟି ଦେଇ ମଧୁର ହସ ଟେ ହସି ଆସି ଗିଲାସେ ପାଣି ପି ଦେଇ ପୁଣି ଅଇଁଠା ବାସନ ମାଜିବାକୁ ଚାଲିଗଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy