ନିଷିଦ୍ଧ ସ୍ୱପ୍ନ
ନିଷିଦ୍ଧ ସ୍ୱପ୍ନ


ଭରିଯାଇଛି ଏକ ଭିନ୍ନ ମାନସିକତା ତା' ଭିତରେ କାଳିଠୁ । ଯେବେ ସେଇ ୟଙ୍ଗ ଡାକ୍ତର ଜଣକ ବଡ଼ ବ୍ୟତିବ୍ୟସ୍ତ ସ୍ୱରରେ ଜଣେଇଲେ । ମ୍ୟାମ୍ ଆପଣ ଏବେ ବହୁତ ଅସୁସ୍ଥ । ହାର୍ଟ ପ୍ରବ୍ଲେମ ଟା ସହଜରେ ସଠିକ କରିହେବନି । ବ୍ଳକେଜ ଅଛି ତିନିଟା , ତେଣୁ ଅପରେସନ୍ ନିହାତି ଜରୁରୀ। ସେ ଟିକେ ଭୟ ଭିତରେ ରହୁଛି । ବେଜାଏ ହାର୍ଟ ଡିଜିଜ ସଂକ୍ରାନ୍ତିୟ ତଥ୍ୟ ଖୋଜି ଖୋଜି ନୟାନ୍ତ ହେଲାଣି ସେ । ପୂରା ଗୁଗୁଲ ଖେଦି ସାରିଲାଣି ସେ । କେମିତି ଅସୁସ୍ଥ ହୃଦୟଟିକୁ ସଜାଡିବ ସେଇ ଚିନ୍ତା ଘାରିଛି ତାକୁ ।
ସକାଳୁ ଉଠୁ ଉଠୁ ପ୍ରଥମେ ଦେଖିଲା ସେ , ବଞ୍ଚିଛି ତ ? ଆଇନା ଆଗରେ ଠିଆ ହେଇ ନିଜର ଜୀବିତ ସ୍ଥିତିକୁ ପରଖି ନେଲା ସେ ଭଲ ଭାବରେ , ମୁହଁରେ ବିଭିନ୍ନ ଭାବ ଭଙ୍ଗୀ କଲା । ଆଖିଗୁଡିକୁ ଛୋଟ ବଡ଼ କଲା , ଓଠକୁ ଆଡେ ସାଡେ ବୁଲେଇଲା , କାନ କୁ ହଲେଇକି ଦେଖିଲା ଆଉ ଶେଷରେ ଦୁଇ ତିନିଥର କୁଦା ମାରିଲା । ଧଇଁ ସଇଁ ଲାଗୁଛି କି ଚେକ କଲା । ନା' ଠିକ ଅଛି । ହାର୍ଟ ଟା ଅସୁସ୍ଥ ଯେ କିନ୍ତୁ ତଥାପି ଚାଲୁଛି । ଏବେ ତାକୁ ପରବର୍ତ୍ତୀ ପର୍ଯ୍ୟାୟର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବାକୁ ହେବ ।
ଅପରେସନ ପାଇଁ ଖର୍ଚ୍ଚ ସାତ ଲକ୍ଷରୁ ଆଠ ଲକ୍ଷ । ନିଜ ସଞ୍ଚିତ ଧନ ବିଷୟରେ ସେ ଜାଣେ । ଅତି ବେଶୀରେ ଦୁଇ ରୁ ତିନି ଲକ୍ଷ ଖଣ୍ଡେ ଅଛି । ୟାଙ୍କ କଥା ନକହିଲେ ଭଲ । ସ୍ତ୍ରୀ ରୋଜଗାର ରେ ଅୟସ କରିବା ୟାଙ୍କ ପ୍ରକୃତି ।
ଦେଇଛନ୍ତି ଗୋଟେ ଛୁଆ କୋଳରେ ବାସ୍ ତଭିନ୍ନ ଆଉ ଅନ୍ୟ କିଛି ଦେଇଥିବାର ନଜିର ନାହିଁ । ଛୁଆଟି ମଧ୍ୟ ପାପା ଙ୍କ ବିଷୟରେ ବେଶ ଜାଣେ । ମମି ବ୍ୟତୀତ ଆଉ କେହି ଏଘରେ ତା' କଥା ପୂରଣ କରନ୍ତି ନାହିଁ ।
ପାପା କେବଳ ଭାଷଣ ଦିଅନ୍ତି । ବଡ଼ ବଡ଼ ସ୍ଲୋଗାନ ବି ଦିଅନ୍ତି ଆଉ ଅସରନ୍ତି ଗପ ଗପନ୍ତି । କିନ୍ତୁ କୌଣସି ଦାୟୀତ୍ୱ ନିଅନ୍ତି ନାହିଁ ସେ । ଆରମ୍ଭରୁ ଏମିତି ବେପରୁଆ ଜୀବନ । ବୁଲିବା , ଖାଇବା , ମଉଜ କରିବା ବ୍ୟତୀତ ଆଉ କିଛି ଆସେନି । ଏବେ କେମିତି ବୁଝିବେ ଯେ ସ୍ତ୍ରୀ ଟା ଅସୁସ୍ଥ ? ହୁଏତ ସାରା ଜୀବନ ପାଇଁ ଅସୁସ୍ଥ ହେଇକି ରହିବ ।
ହସ୍ପିଟାଲ କେବେ ଯାଇନାହାନ୍ତି କେହି ତା' ଘରେ । ମାନେ ଛୋଟ ମୋଟ ଜ୍ୱର , ଝାଡା , ଛଡା ଆଉ କିଛି ସମସ୍ୟା ନାହିଁ । ଏଡ଼େ ବଡ଼ ଅପରେସନ୍ କରିବା ହୁଏତ ପ୍ରଥମ ।
କିନ୍ତୁ ଆଉ କିଛି ଉପାୟ ବି ତ ନାହିଁ । ଦୁଇଥର ସେ ବେହୋସ ହେଇକି ପଡ଼ିଲାଣି । ଅଫିସର ସଭିଏଁ ଜାଣିଲେଣି । ସେଦିନ ବି ପ୍ରବଳ ଯନ୍ତ୍ରଣା ହେଲାରୁ ଅଫିସରୁ ହିଁ ସେ ଡାକ୍ତର ଙ୍କ ପାଖକୁ ଯାଇଥିଲା ।
ଏବେ କ'ଣ କରାଯିବ । ୟାଙ୍କ କଥା ତ ସବୁବେଳେ ଅଲଗା । ମନେ ପଡ଼ିଲା ପୁଅ ଜନ୍ମ କଥା । ରାତି ତିନି ଟା ରେ ହସ୍ପିଟାଲରେ ପହଞ୍ଚି ଥିଲା ସେ । ପ୍ରବଳ ଯନ୍ତ୍ରଣା ଥିଲା କିନ୍ତୁ ଡାକ୍ତର ଜଣେଇଲେ ନର୍ମାଲ ଡେଲିଭେରୀ ହେବ । ସବୁ ଠିକ ଅଛି । କିନ୍ତୁ ପ୍ରଥମ ଡେଲିଭେରୀ ଯେହେତୁ ସମୟ ଲାଗିବ । ଅତି କମ୍ ରେ ଚାରି ଘଣ୍ଟା ବା ଅଧିକ ।
ସେ ଜୀବନ ସହ ସଂଘର୍ଷ କରୁଥିବା ମୁହୂର୍ତ୍ତରେ ଏ ଘରକୁ ଫେରିଗଲେ । ଫ୍ରେସ ହେବାକୁ । ଲାଷ୍ଟ ମୋମେଣ୍ଟ ରେ ଡାକ୍ତର କହିଲେ , '' ନା' ଅପରେସନ କରିବାକୁ ପଡିବ , ଏବେ ଟିକେ କଂପ୍ଲିକେସନ୍ ହେଇଛି।"
ସେ ଖୋଜିଲା , କୁଆଡେ ଗଲେ ମିଷ୍ଟ୍ର । ଅପରେସନ୍ ପାଇଁ ସ୍ୱାମୀଙ୍କ ଦସ୍ତଖତ ଲୋଡ଼ା । କିନ୍ତୁ ସେ ନଥିଲେ । ସେ ନିଜେ ଦସ୍ତଖତ କରି ଅପରେସନ ଥିଏଟର କୁ ଯାଇଥିଲା । ମନେ ଅଛି ସେଇ ଅତୀତର ଘଟଣା ।
ସେତେବେଳେ ଯୁବତୀ ଥିଲା ସେ । ଜୋସ ଥିଲା । ତେଣୁ ପାରୁଥିଲା । କିନ୍ତୁ ଏବେ ??........
ସେ ବୟସର ସାୟାହ୍ନ ରେ , ଥକି ସାରିଲାଣି
ଆଉ ପାରୁନାହିଁ । ହାର୍ଟ ଅପରେସନ୍ ଏକୁଟିଆ କରିବା ସହଜ ନୁହେଁ । ୟାଙ୍କ ଉପରେ ନିର୍ଭର କରିବାକୁ ହେବ । ହୁଏତ ଆଉ କେବେ ସେ ଆଗ ଭଳି କର୍ମଠ ହେଇପାରିବ ନାହିଁ । କେମିତି ବିତିବ ବାକି ଜୀବନ କେଜାଣି ??..........
ଲାଗୁଥିଲା ଦେହଘଷା ଜୀବନରେ ଆଉ ମୋହ ବୋଲି ନାହିଁ କିଛି । ସେ ହୁଏତ ଏବେ ଅଚଳ ହେଇଯିବ ଆଉ ପଡିରହିବ ଘରର କେଉଁ ଏକ ଅବ୍ୟବହୃତ କୋଣରେ । ଆହୁରି ଭୟ ଲାଗୁଥିଲା । ନିଷିଦ୍ଧ ହେଇଯାଉଥିଲା ଆଗତ ଜୀବନର ସ୍ୱପ୍ନ ସବୁ ।
ମମି ର ରିପୋର୍ଟ ତକ ଧରି ବେଶ ଗଭୀର ଭାବେ ଡାକ୍ତରଙ୍କ ସହ ଆଲୋଚନା କରୁଛି ପୁଅ । ପାପା ବ୍ୟସ୍ତ ଅଛନ୍ତି ଅପରେସନ୍ ଡେଟ୍ ପାଇଁ । ସମସ୍ତ ବନ୍ଦୋବସ୍ତ କରୁଛନ୍ତି ଧର୍ଯ୍ୟ ସହକାରେ । ସେ ଦେଖୁଚି ବସିକି ନୀରବରେ ଏଇ ଉପକ୍ରମ ।
ମିଷ୍ଟ୍ର ସବୁ ବନ୍ଦୋବସ୍ତ କରି ପାଖକୁ ଆସିଲେ ଆଉ ବେଶ ଆତ୍ମୀୟତା ସହ କହିଲେ , '' ତୁମେ ଜମା ବ୍ୟସ୍ତ ହୁଅନା ଆମେ ଅଛୁ ତୁମ ପାଖରେ ସବୁବେଳେ ।''
ଲାଗୁଥିଲା ସ୍ୱପ୍ନ ଦେଖା ମୁହୂର୍ତ୍ତ ତକ ଆହୁରି ବାକି ଅଛି ।