ନିଷିଦ୍ଧ ଇଲାକା
ନିଷିଦ୍ଧ ଇଲାକା
"ତୁମେ ସବୁ ବେଳେ ଏମିତି ଦୁଷ୍ଟାମୀ କର, ମିଠା କଥା କହି ମୋତେ ଭୁଲେଇ ଦିଅ ଆଉ ପରେ ଭୁଲି ଯାଅ, " ସ୍ନେହଲତା ଲାଜେଇକି କହିଲା I ବହୁତ ଖୁସି ଥିଲା ସେଦିନ ସ୍ନେହଲତା I କାହିଁକି ବା ନ ହେବ? ପ୍ରଥମ ଥର ପାଇଁ ମରୁଡି ଆଉ ବନ୍ୟା, ଅଦିନିଆ ବର୍ଷା ଆଉ ବାତ୍ୟା ସବୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟାୟରୁ ମୁକୁଳି ଭଲ ଫସଲ ହୋଇଛି, ସକାଳ ଠାରୁ ଅମଳ ଆରମ୍ଭ ହେବ I ଚଷା ପରିବାରର ଜୀବନ କ୍ଷେତର ସମୃଦ୍ଧି ଉପରେ ହିଁ ତିଷ୍ଠି ଥାଏ I ବିବାହର ପ୍ରଥମ ଦୁଇ ବର୍ଷରେ ସାଧାରଣ ଅମଳ ହୋଇଥିଲା I ଘର ପରିବାରର ଦାୟିତ୍ଵ ନେଉ ନେଉ ଆଉ ଚାଷ ପାଇଁ ସାମଗ୍ରୀ କିଣୁ କିଣୁ ବଳକା କିଛି ରହି ନଥିଲା I ତେଣୁ ଇଚ୍ଛା କରି ମଧ୍ୟ ଦିଗାମ୍ବର ସ୍ନେହଲତା ପାଇଁ ହଳେ ପାଉଁଜି କିଣି ପାରିନଥିଲା I "ଏଥର ନ ହେଲେ ଆଉ କେବେ କିଣିବନି," ସ୍ନେହଲତା କହିଥିଲା I "କାହିଁକି ?" କୌତୁହଳରେ ପଚାରିଲା ଦିଗାମ୍ବର I "ପରିବାରରେ ସଦସ୍ୟ ସଂଖ୍ୟ ବଢିବା ମୋର ଆଉ ନା ପାଉଁଜି ପିନ୍ଧିବାକୁ ସମୟ ଥିବ ନା ଗଜରା ସଜେଇବାକୁ," ସ୍ନେହଲତା କହିଲା I ମୁଁହରେ ତାହାର ଭରି ଯାଇଥିଲା ଏକ ଅପୂର୍ବ ଲାଳିମା I "ସତରେ? ଆଉ କେହି ଜାଣିଲେଣି କି?" ଦିଗାମ୍ବର ପ୍ରଶ୍ନ କଲା I ଲାଜେଇକି କହିଲା ସ୍ନେହଲତା," ନା ଖାଲି ଡାକ୍ତର ଦିଦି ଜାଣିଛନ୍ତି, ସକାଳେ ଦେହ ଖରାପ ଲାଗିବାରୁ ଯାଇଥିଲି," ସ୍ନେହଲତା କହିଲା I ହସିଦେଲା ଦିଗାମ୍ବର ପୁଣି କହିଲା, "ନା ଏଥର ସତ କହୁଛି, ତୁମ ପାଇଁ ନିଶ୍ଚୟ ତୁମ ପସନ୍ଦର ସେହି ପାଉଁଜି ହଳକ ଆଣିଦେଵି I ଆଉ ଯେତେ ଯାହା ତୁମର ଦରକାର ସବୁର ତାଲିକାଟିଏ କରିଦିଅ, ସବୁ ଆସିଯିବ I ହୁଏତ ସେଥି ପାଇଁ ଏ ବର୍ଷ ଏତେ ଭଲ ଫସଲ ହେଇଛି!"
କଥା କହୁ କହୁ ଅଟକିଗଲା ଦିଗାମ୍ବର I କିଛି ଶବ୍ଦରେ ଚମକି ଉଠିଥିଲେ ଦୁହେଁ I ବୋଧ ହୁଏ ବନ୍ଧୁକରୁ ଗୁଳି ଚାଲିଥିବା ଶବ୍ଦ
କିନ୍ତୁ ରାତିରେ ବାହାରକୁ ବାହାରିବା ଲାଗି ସାହସ ହେଲାନି I କିଛି ଅପଘଟଣ କୁ ନେଇ ସଂଶୟ ଭରିଗଲା ଦିଗାମ୍ବରର ମନରେ ଆଉ ସଙ୍କୁଚିତ ହୋଇଗଲା ତାହାର ଭ୍ରୂଲତା ଦୁଇଟି I "କଣ ହେଲା", ଚିନ୍ତିତ କଣ୍ଠରେ ପଚାରିଲା ସ୍ନେହଲତା I "କିଛି ନାହିଁ, ଏଇଟା ତ ଏବେ ଅଭ୍ୟାସ ହେଇଗଲାଣି, ପୁଲିସ ଆଉ ସନ୍ତ୍ରାସବାଦୀଙ୍କର ଗୁଳି ଚାଳନା I ମଣିଷ କଣ କରି ପାରିବ? ନିଜ ଭିଟା ମାଟିକୁ ଛାଡି କେଉଁଠି ଆଶ୍ରା ଖୋଜିବ," ଦିଗାମ୍ବର କହିଲା I
ତାହାର ମୁଣ୍ଡକୁ ଆଉଁସି ଦେଲା ସ୍ନେହଲତା I " ମୁଁ ପରା ତୁମ ସାଥିରେ ଅଛି, ସୁଖରେ, ଦୁଃଖରେ ," ସ୍ନେହଲତା କହିଲା I ମୁଣ୍ଡ ଟୁଙ୍ଗାରି ଦେଲା ଦିଗାମ୍ବର I ରାତି ପୁଣି ନିରବି ଯାଇଥିଲା କିନ୍ତୁ ଦିଗାମ୍ବରକୁ ଘାରିବାକୁ ଲାଗିଥିଲା ଗୋଟିଏ ଅଜଣା ଆତଙ୍କ I
ଭୋରୁ ଭୋରୁ କବାଟରେ ଶବ୍ଦ ଶୁଣି ବାହାରିଗଲା ଦିଗାମ୍ବର I ପାଖ ଘରର ସରୋଜ ବାହାରେ ଠିଆ ହେଇଥାଏ I
"କିରେ କଣ ହେଲା? ଏତେ ସକାଳୁ କାହିଁକି ଏମିତି ଚିନ୍ତିତ ଦିଶୁଛୁ?"ଦିଗାମ୍ବର ପଚାରିଲା I
"ଭାଇ କାଲି ରାତିରେ ପୁଲିସ ଆଉ କିଛି ଅସାମାଜିକ ବ୍ୟକ୍ତିଙ୍କ ମଧ୍ୟରେ ଗୁଳି ବିନିମୟ ହେଇଛି, ଜଣେ ଆତତାୟୀ ମୃତ ବୋଲି ଜଣା ପଡିଛି I ଅନ୍ୟମାନେ ଖସି ପଳେଇଛନ୍ତି କିନ୍ତୁ ଗଲା ବେଳେ ବହୁତ ଗୁଡ଼ାଏ ଲ୍ୟାଣ୍ଡ ମାଇନ ବିଛେଇ ଦେଇଛନ୍ତି ଚାରି ଆଡେ I ତୁମର, ଆମର ଆଉ କେତେଜଣଙ୍କର କ୍ଷେତରେ ମଧ୍ୟ I ଏବେ ଏବେ ଖବର ଆସିଛି ସମଗ୍ର ଅଂଚଳକୁ ନିଷିଦ୍ଧ ଇଲାକା ବୋଲି ଘୋଷଣା କରା ଯାଇଛି I ଯେ ଯାଏଁ ସବୁ ସ୍ଥାନରୁ ଲ୍ୟାଣ୍ଡମାଇନ ଖୋଜା ହୋଇ ସମ୍ପୂର୍ଣ୍ଣ ସୁରକ୍ଷିତ କରା ଯାଇନି, କେହି ଗାଆଁ ସୀମାରୁ ବାହାରକୁ ଯାଇ ପାରିବେନି I ବାହାର ଲୋକଙ୍କୁ ଗାଆଁକୁ ଆସିବାକୁ ମନା I ତେଣୁ ଆମର ପୂର୍ବରୁ ରୁ ଯେଉଁ ଆଲୋଚନା ହେଇଥିଲା ସେଇଟା ଆଉ କାର୍ଯ୍ୟକାରୀ ହେଇ ପାରିବନି I ଫସଲ ଅମଳକୁ ସ୍ଥଗିତ କରିବାକୁ ପଡ଼ିବ I ମୁଁ ମଧ୍ୟ କଣ କରିବି ବୁଝି ପାରୁନି, ମୋର ବି ଫସଲ ଦୁଇ ଦିନରେ କଟା ହେବାର ଥିଲା," ବିଶାଦରେ ଭରା ସ୍ଵରରେ କହିଲା ସରୋଜ ଆଉ ଫେରିଗଲା ତାହାର ଘରକୁ I
ଦିଗାମ୍ବର ସ୍ଥାଣୁ ପାଲଟିଗଲା ସବୁ ଘଟଣା ଶୁଣି ! ରାତି ସାର ଦେଖିଥିବା ସ୍ଵପ୍ନ ଯେମିତି ଦୁଃସ୍ଵପ୍ନ ପାଲଟି ଯାଇଥିଲା ସକାଳୁ I ତାହାର ଜୀବନର, ଘର ସଂସାରର ମୂଳଦୁଆ କ୍ଷେତ କ୍ଷଣକରେ ପାଲଟି ଯାଇଥିଲା ତାହା ଲାଗି ବର୍ଜିତ ଏକ ନିଷିଦ୍ଧ ଇଲାକା !
