Sambit Srikumar

Tragedy Classics Inspirational

4.7  

Sambit Srikumar

Tragedy Classics Inspirational

ନିର୍ଯ୍ୟାତିତ ପୁରୁଷର ଅନ୍ତର୍ଦାହ

ନିର୍ଯ୍ୟାତିତ ପୁରୁଷର ଅନ୍ତର୍ଦାହ

8 mins
422


"ନିର୍ଯାତନା ଲିଙ୍ଗଭେଦ ଦେଖେ ନାହିଁ! କେବଳ ନାରୀଟିଏ ନିର୍ଯାତନା ଭୋଗ କରେ ନାହିଁ, ପୁରୁଷଟିଏ ବି ଆମ ସମାଜରେ ନିର୍ଯ୍ୟାତିତ ହୁଏ। ପୁରୁଷଟିଏ ବି ତ ମଣିଷ, ତା'ର ବି ଭାବାବେଗ ଅଛି, ତାକୁ ମଧ୍ଯ କଷ୍ଟ ହୁଏ। ଛାତିରେ ଥିବା ପୁଞ୍ଜିଭୂତ କୋହ କେବେ କେବେ ଲୁହର ରୂପ ନେଇ ବାହାରକୁ ଆସିଯାଏ। ନାରୀ ପୁରୁଷ ମଧ୍ଯରେ କେବଳ ଫରକ ଏତିକି ଯେ, ନାରୀର ଦୁଃଖ କଷ୍ଟ ଯାତନା ସଭିଙ୍କ ଦୃଷ୍ଟିଗୋଚର ହୁଏ, ତା' ପାଇଁ ସଭିଏଁ ମୁଖର ହୁଅନ୍ତି କିନ୍ତୁ ପୁରୁଷଟିର ଯନ୍ତ୍ରଣା ଜର୍ଜରିତ ଲୁହ କାହାରିକୁ ଦେଖାଯାଏ ନାହିଁ କି ତା' ଲୁହକୁ ସିଏ ଆଉ କାହାକୁ ଦେଖିବାକୁ ଦିଏ ନାହିଁ। ସେ ନିଜ ଲୁହ ନିଜେ ପିଇ ପିଇ ନୀଳକଣ୍ଠ ପାଲଟିଯାଏ।"

ଉପରୋକ୍ତ ଅନୁଚ୍ଛେଦଟି କୌଣସି ଉପନ୍ୟାସର କଥାବସ୍ତୁ ନୁହେଁ କିମ୍ବା ଯାତ୍ରା ନାଟକର ସଂଳାପ ନୁହେଁ କି ଟେଲିଭିଜନ୍ ପରଦାରେ ପ୍ରସାରିତ ଧାରାବାହିକର ପୃଷ୍ଠଭୂମି ନୁହେଁ କି ସମାଜଶାସ୍ତ୍ରୀଙ୍କ ଗବେଷଣାତ୍ମକ ନିବନ୍ଧର କିୟଦଂଶ ନୁହେଁ। ବରଂ ଆର୍ଯ୍ୟଦତ୍ତ ବାବୁଙ୍କ ଅନ୍ତରର ମର୍ମଭେଦୀ କଥା ଇଏ। ହଁ, ଏମିତି ବି କୁହାଯାଇପାରେ ଅଙ୍ଗେ ନିଭାଇଥିବା କାହାଣୀ। ସିଏ ଯେ, କାହାଣୀର ନାୟକ ଏହି ବିଷୟରେ ସିଏ ନିଜେ ବି ସନ୍ଦିହାନ! କେଜାଣି କାହିଁକି ବନ୍ଧୁମାନଙ୍କ ମହଲରେ ମାସିକ ସୁରାପାନ ଆସରରେ ବସିଥିବା ବେଳେ ତାଙ୍କ ତୁଣ୍ଡରୁ ଏମିତି କଥା ସବୁ ଆପେ ଆପେ ବାହାରି ଆସେ। ସାଧାରଣତଃ ବେଶ୍ ଗମ୍ଭୀର ରହୁଥିବା ଆର୍ଯ୍ୟଦତ୍ତ ବାବୁ ଏଇ ମୌକାରେ ଅନର୍ଗଳ ଦର୍ଶନ ତତ୍ତ୍ବ ଭାଷନ୍ତି, ପୁରୁଣା ହିନ୍ଦୀ ଓ ଓଡ଼ିଆ ଗୀତକୁ ଆପଣା ଢଙ୍ଗରେ ଗାଆନ୍ତି।

ପୋଖତ ନିଶାଡି ବନ୍ଧୁମାନଙ୍କ ମୁଖରୁ କୌଣସି କଥା ବାହାରୁନଥିଲେ ମଧ୍ଯ ମର୍ମେ ମର୍ମେ ସଭିଏଁ ଅନୁଭବ କରନ୍ତି ଯେ, "ବିବାହିତ ପୁରୁଷର ସ୍ବାଧୀନତା ଅନେକାଂଶରେ ସଙ୍କୁଚିତ, ଶାରୀରିକ ଭାବେ ନହେଲେ ବି ସଭିଏଁ ଅଳ୍ପ ବହୁତ ମାନସିକ ଓ ଭାବନାତ୍ମକ ରୂପେ କେଉଁଠି ନା କେଉଁଠି ଧର୍ମପତ୍ନୀଙ୍କ ଦ୍ବାରା ନିର୍ଯ୍ୟାତିତ!" ନିଲଠା ମୁହଁରେ ସେମାନେ ଯେତେ ଟାଣପଣ ଦେଖାଇ ହେଉଥିଲେ ବି ସେମାନଙ୍କ ହୃଦୟ ବିଦୀର୍ଣ୍ଣ ହୋଇଯାଏ, ଆର୍ଯ୍ୟଦତ୍ତ ବାବୁଙ୍କ ଅକାଟ୍ଯ ସତ୍ଯ କଥା ଶୁଣି। ଅଜାଗା କ୍ଷତ କାହାକୁ ଦେଖାଇ ହୁଏନି କି ଅକୁହା କଥା କାହା ଆଗରେ କହି ହୁଏନି!

ଗୋଟିଏ କିମ୍ବା ଦୁଇଟି ପେଗ୍ ପିଇବା ପରେ ବେଶ୍ ଉଦାସ ଜଣାପଡନ୍ତି ଆର୍ଯ୍ୟଦତ୍ତ ବାବୁ। ଉଦର ଭିତରେ ଗୋଳେଇ ଘାଣ୍ଟି ହେଉଥିବା କଥା ଗୁଡ଼ିକ ବାହାକୁ ବାହାରି ଆସିବା ପରେ ନିଜକୁ ଖୁବ୍ ହାଲୁକା ମନେ କରନ୍ତି। ଯେପର୍ଯ୍ୟନ୍ତ ଉଦରସ୍ଥ କଥାକୁ ଉଦଗାରି ନାହାଁନ୍ତି ସେବେ ଯାଏଁ ତାଙ୍କୁ ମଦିରା ଆସରର ମଜ୍ଜା ଆସେ ନାହିଁ। ବନ୍ଧୁମାନେ ଯଦିଓ ତାଙ୍କୁ ଏଥିପାଇଁ ପରିହାସ କରନ୍ତି ତଥାପି ଏଥିପ୍ରତି ତାଙ୍କର ନିଘା ନଥାଏ। ମନ ହାଲୁକା ହୋଇଯିବା ପରେ ମଥାକୁ ନିଶା ଚଢ଼ିବା ସହିତ ତାଙ୍କୁ ଚଉଦ ଭୁବନ ଦିଶାବା ପରି ଲାଗେ। ଅମରାବତୀର ନନ୍ଦନବନରେ ଅପସରାଙ୍କ ସହିତ କାଦମ୍ବରୀ ରସପାନ କରି ଆମୋଦିତ ହେବା ପରି ଅନୁଭବ ହୁଏ। କ୍ଷଣିକ ପାଇଁ ହେଉ ପଛକେ ଜୀବନର ସବୁତକ ସୁଖ ଶାନ୍ତି ସେ ଏଇ ବନ୍ଧୁମାନଙ୍କ ଆସରରେ ହିଁ ଲଭନ୍ତି।

ସ୍କୁଲ କଲେଜରେ ପଢୁଥିବା ବେଳେ ତାଙ୍କର କୌଣସି ବଦଭ୍ଯାସ ନଥିଲା। ନିଶା ଠାରୁ ସେ ଥିଲେ ବହୁ ଦୂରରେ। କିନ୍ତୁ ଏଇ ଗତ କିଛି ବର୍ଷ ହେଲା ସେ ଆରମ୍ଭ କରିଥିବା ଏଇ ନୂଆ ଅଭ୍ୟାସ ତାଙ୍କୁ ବେଶ୍ ଶାନ୍ତି ଦେଉଛି। ଧୂଳି ଧୂସରିତ ଏଇ ପୃଥିବୀ ପୃଷ୍ଠରେ ଅମରାବତୀର ପ୍ରଶାନ୍ତି ଲାଭ କରୁଛନ୍ତି ସେ ମଦିରାର ନିବିଡ଼ ସାନିଧ୍ୟରେ। ବାଲ୍ୟବନ୍ଧୁମାନେ ବି ବିସ୍ମିତ ଯେ, ମଦ୍ୟପାନର ଧାର ଧରୁନଥିବା ଶାନ୍ତ ସୁଧାର ମଣିଷଟା କେମିତି ଏମିତି ମଦିରା ପ୍ରେମୀ ପାଲଟିଗଲା ବୋଲି। ବିବାହ ପରବର୍ତ୍ତୀ ଗୃହସ୍ଥ ଜୀବନରେ ମାନସିକ ଅଶାନ୍ତି ଏବଂ ଶାଶୁମାଆଙ୍କ ଅନଧିକାର ହସ୍ତକ୍ଷେପ ଜନିତ ସୃଷ୍ଟି ଦାମ୍ପତ୍ୟ ବିଶୃଙ୍ଖଳା ଯୋଗୁ ଏମିତି ହେଉଥିବା ଅନେକ ଆଲୋଚନା କରନ୍ତି। ତାଙ୍କ କଥାକୁ ନେଇ ନାନାଦି ଥଟ୍ଟାମଜା କରି ଆନନ୍ଦ ନିଅନ୍ତି। କିନ୍ତୁ ଆର୍ଯ୍ୟଦତ୍ତ ବାବୁ ଠିକ୍ ଭାବେ ବୁଝିଥାନ୍ତି ଯେ, କଣ ପାଇଁ ସେ ମଦ୍ୟପାନ କରନ୍ତି। ଗୁଣୁଗୁଣୁ ହୋଇ ଗାଆନ୍ତି, "ମୁଝେ ପିନେ କା ସୌକ୍ ନହିଁ, ପିତା ହୁଁ ଗମ୍ ଭୁଲାନେ କୋ ଗୋଟିଏ ବିତ୍ତଶାଳୀ ଯୌଥ ପରିବାରରେ ଆର୍ଯ୍ୟଦତ୍ତ ବାବୁଙ୍କର ଜନ୍ମ। ପରିବାରର ସତର ଭାଇଭଉଣୀଙ୍କ ମଧ୍ୟରେ ସିଏ ସର୍ବକନିଷ୍ଠ। ଏଣୁ ବାଳୁତ କାଳରୁ ଅତି ଗେଲବସରରେ ବଢିଥିଲେ ସେ। ଦୁଃଖ କଷ୍ଟ କଣ ବୋଲି ଅନୁଭବ କରିବା ତ ଦୂରର କଥା ତାହାର ଶବ୍ଦାର୍ଥ ମଧ୍ୟ ସେ ଜାଣିନଥିଲେ। ସବୁବେଳେ ଫୁଲା ଫାଙ୍କିଆ ଜୀବନ। ଆଜନ୍ମରୁ ତାରୁଣ୍ୟରେ ପାଦ ଥାପିବା ଯାଏଁ ପରିବାରର କୌଣସି ବି ଦାୟିତ୍ବ ଗ୍ରହଣ କରିବାକୁ ସଦାସର୍ବଦା ବିମୁଖ। ତାଙ୍କର ଏପରି ଦାୟିତ୍ବହୀନତା ଓ ଖାମଖିଆଲି ମନୋଭାବ ଯୋଗୁଁ ପରିବାରର ସଭିଏଁ ଚିନ୍ତିତ ଥିଲେ। ଅପରପକ୍ଷରେ ପରିବାରର ମୁଖ୍ଯ ବଡ଼ ବାପାଙ୍କର ଅତି ପ୍ରିୟ ଥିବାରୁ "କାନ୍ଧରେ ମୃଦଙ୍ଗ ପଡ଼ିଲେ ଆପେ ବଜେଇବା ଶିଖିଯିବ" ନ୍ଯାୟରେ ସିଏ ସବୁବେଳେ ଆର୍ଯ୍ୟଦତ୍ତ ବାବୁଙ୍କ ପକ୍ଷ ସମର୍ଥନ କରି ବିତଣ୍ଡା ଯୁକ୍ତି କରୁଥିଲେ। ଏଥିରୁ ତାଙ୍କୁ ନିଜର ମନମୁଖୀ କାର୍ଯ୍ଯ କରିବା ପାଇଁ ପ୍ରୋତ୍ସାହନ ମିଳୁଥିଲା।

ସ୍ବଭାବରେ ସର୍ବଦା ଖୁସ୍ ମିଜାଜ୍ ଫୁଲା ଫାଙ୍କିଆ ଦାୟିତ୍ବହୀନ ହୋଇଥିଲେ ମଧ୍ୟ ଆର୍ଯ୍ୟଦତ୍ତ ବାବୁ ପାଠପଢ଼ାରେ ଆଦୌ ହେଳା କରିନାହାନ୍ତି। ଗୁରୁ ଓ ଗୁରୁଜନଙ୍କ ପ୍ରତି ଅଗାଧ ଭକ୍ତି ତାଙ୍କ ଅନ୍ତରରେ ଭରି ରହିଥିଲା। କେବେ ବି ସେମାନଙ୍କର ବିରାଗଭାଜନ ହୋଇନାହାନ୍ତି। ପରିବାରରୁ ମିଳିଥିବା ଅଖଣ୍ଡ ସ୍ବାଧୀନତା ଓ ଅମାପ ଭଲପାଇବାର ଦୁରୂପଯୋଗ କରିନାହାନ୍ତି। ବରଂ ନିଜକୁ ମଣିଷ ପରି ମଣିଷଟିଏ କରି ଗଢି ତୋଳିଛନ୍ତି। ବଡ଼ ଭାଇ ଭଉଣୀମାନେ ଚାକିରୀ କରିବାକୁ ବାହରକୁ ବାହାରିଯିବା ପରେ ଘରେ ଏକା ପଡିଯାଇଥିଲେ ସେ। ଏହି ସମୟରେ ସେ ଅନୁଭବ କରିଥିଲେ ପିଲାମାନେ ଦୂରେଇ ଯିବା ହେତୁ ବଡ଼ବାପା ଓ ବାପାଙ୍କ ମନରେ ସୃଷ୍ଟି ହୋଇଥିବା ଦ୍ବିଧା ଓ କ୍ଷୋଭକୁ। ଏଥିପାଇଁ ସ୍ଵଳ୍ପ ବେତନରେ ସେଇ ସହରରେ ଚାକିରୀ କଲେ। ଉଦ୍ଧେଶ୍ୟ ଥିଲା ଗୁରୁଜନଙ୍କ ପାଖରେ ରହିବା, ସୁବିଧା ଅସୁବିଧାରେ ସେମାନଙ୍କର ସେବାରେ ନିଜକୁ ନିୟୋଜିତ କରିବା।

କାଳ କ୍ରମେ ଆର୍ଯ୍ୟଦତ୍ତ ବାବୁଙ୍କର ବିବାହ ଅନୁଷ୍ଠିତ ହେଲା ନାମକରା ନାରୀନେତ୍ରୀ ଓ ବାଗ୍ମୀ ହିସାବରେ ସୁଖ୍ଯାତି ଅର୍ଜନ କରିଥିବା ଶ୍ରୀମତୀ ଯଶୋବନ୍ତୀ ଦେବୀଙ୍କ ଏକମାତ୍ର ଅଲିଅଳି କନ୍ଯା ଜାହ୍ନବୀଙ୍କ ସହିତ। ନାରୀ ସୁରକ୍ଷା ଏବଂ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି। ଗାଁରୁ ସହର ଯେଉଁଠି ବି ନାରୀ ଅଧିକାରର ହନନ ହୁଏ ସେଠି ପ୍ରଥମେ ପହଞ୍ଚି ସେ ନିଜର ଶାଣିତ ସ୍ବର ଉତ୍ତୋଳନ କରନ୍ତି। ନିର୍ଯ୍ୟାତିତାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ ଉପସ୍ଥାପନ କରନ୍ତି। ମହିଳାଙ୍କୁ ସଂଗଠିତ କରି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସନ୍ତି। ଜନଜୀବନ ଅସ୍ତବ୍ୟସ୍ତ କରିଦେଇ ପ୍ରଶାସନ ଉପରେ ଚାପ ପ୍ରୟୋଗ କରନ୍ତି ଅପରାଧୀକୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରିବା ପାଇଁ। ରାଜ୍ୟ ଓ ଦେଶର ସମସ୍ତ ରାଜନୈତିକ ଦଳର ନେତାଙ୍କ ସହିତ ତାଙ୍କର ଅତ୍ୟନ୍ତ ମଧୁର ସମ୍ପର୍କ ସଦାସର୍ବଦା ରହିଥାଏ। ସଭାସମିତି ଓ ଟିଭି ଚ୍ୟାନେଲ ବିତର୍କରେ ଅନେକ ସମୟରେ ତାଙ୍କୁ ମଧ୍ୟ ଦେଖିବାକୁ ମିଳିଥାଏ।

ନିଜର ଜନୈକ ବନ୍ଧୁଙ୍କ ବିବାହୋତ୍ସବରେ ଆର୍ଯ୍ୟଦତ୍ତ ବାବୁ ପହିଲିବାର ଭେଟିଥିଲେ ଜାହ୍ନବୀ ଦେବୀଙ୍କୁ। ଆଧୁନିକ ରୂପଚର୍ଯ୍ଯା ଓ ପରିମାର୍ଜିତ ପରିପାଟୀରେ ବେଶ୍ ଆକର୍ଷଣୀୟ ମନେ ହେଉଥିଲେ ସେ। ସେଇ ପହିଲି ଭେଟରୁ ତାଙ୍କୁ ମନ ଦେଇଥିଲେ। କିଛିଦିନର ମିଳାମିଶା ପରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ନିଷ୍ପତ୍ତି ନେଲେ। ପୂର୍ବରୁ ବାପାମାଆ ତାଲିକାଭୁକ୍ତ କରିଥିବା ପ୍ରସ୍ତାବ ଗୁଡିକୁ ବିନମ୍ରତାର ସହିତ ପ୍ରତ୍ଯାଖ୍ଯାନ କରିଥିଲେ। ପରିବାରର ସମସ୍ତ ସଦସ୍ଯଙ୍କୁ ରାଜି କରାଇ ବେଶ୍ ଆଡମ୍ବର ସହକାରେ ବିବାହ କରିଥିଲେ। ଶାଶୁମାଆ ଯେହେତୁ ନାରୀନେତ୍ରୀ ଯୌତୁକ ନେବା କି ଦେବାର ଆଦୌ ପ୍ରଶ୍ନ ଉଠିନଥିଲା। ବରଂ ବିବାହର ସମସ୍ତ ଖର୍ଚ୍ଚ ଆର୍ଯ୍ୟଦତ୍ତ ବାବୁଙ୍କ ପରିବାର ବହନ କରିଥିଲେ।

ବିବାହ ପରବର୍ତ୍ତୀ କିଛିଟା ମାସ ବେଶ୍ ହସଖୁସିରେ କଟିଗଲା। ଗୋଟିଏ ମଧୁର ସ୍ବପ୍ନ ବିତିଯିବା ପରେ ପାଣ୍ଡୁର ବାସ୍ତବତା ସହିତ ଏବେ ସାମ୍ନା ସାମ୍ନି ହେବାର ବେଳ। ସମୟ ବିତିବା ସହିତ ଧିରେ ଧିରେ ଜାହ୍ନବୀଙ୍କ ପ୍ରକୃତ ସ୍ୱରୂପ ପ୍ରକାଶ ପାଇବାରେ ଲାଗିଲା। ପୂର୍ବରୁ ବଡ଼ ଭାଇଭଉଣୀମାନଙ୍କର ବିବାହ କାର୍ଯ୍ୟ ସମାପନ ହୋଇସାରିଥିଲା। ପରିବାରର ଅଧିକାଂଶ ସଦସ୍ୟ ବୃତ୍ତିଗତ କାରଣରୁ ଘରଠାରୁ ଦୂର ବିଭିନ୍ନ ସ୍ଥାନରେ ବସବାସ କରୁଥିଲେ। ଘରେ କହିଲେ ବାପାମାଆ, ବଡ଼ବାପା ବଡ଼ମାଆଙ୍କ ସହିତ ସପତ୍ନୀକ ଆର୍ଯ୍ୟଦତ୍ତ ବାବୁ। ଘରର ଅନ୍ୟ କାମ କରିବାକୁ ଦୁଇ ଚାରି ଜଣ ଚାକର ବି ଥାଆନ୍ତି।

କିନ୍ତୁ ତାଙ୍କ ପରିବାରର ନିୟମ ଅନୁସାରେ ପରିବାରର ସଦସ୍ୟ ହିଁ ରୋଷେଇ ଘରେ ରୋଷେଇ କରିବେ। ଚାକରବାକର ଥିଲେ ମଧ୍ୟ ସେମାନଙ୍କର ସେଠିକୁ ପ୍ରବେଶ ନିଷେଧ। ବାହା ହୋଇ ଆସିବା ପରେ ଜାହ୍ନବୀ ଦେବୀ ରୋଷେଇ କରିବାକୁ ମୂଳରୁ ଅମଙ୍ଗ, ଏପରିକି କେତେବେଳେ କେମିତି ଚାହା ବା କଫି ବନାଇବାକୁ ବି ଅନିଚ୍ଛୁକ। କୁଟା ଖଣ୍ଡିକ ଦିଖଣ୍ଡ କରିବା ପାଇଁ ତାଙ୍କ ପାଖରେ ଫୁରୁସତ୍ ନଥାଏ। ନିଜର ବାନ୍ଧବୀମାନଙ୍କ ସହିତ ପାର୍ଟି କରିବା ଓ ସପିଂ କରିବାକୁ ତାଙ୍କୁ ସମୟ ନିଅଣ୍ଟ ପଡେ। ଘର କାମ ବା କିଏ କରିବ?

ଶାଶୁ ଶ୍ବଶୁରଙ୍କ ସେବା କରିବା, ସେମାନଙ୍କ କଥାମାନି ଚଳିବା, ଓଷା ବ୍ରତ ପାଳନ କରିବା କାଳେ ମରହଟ୍ଟିଆ କଥା, ଅପାଠୋଈ ମୁର୍ଖ ସ୍ତ୍ରୀଲୋକଙ୍କ କାମ। ତାଙ୍କ ଯୁକ୍ତିରେ ଘରେ ଗଣ୍ଡା ଗଣ୍ଡା ଚାକର ଚାକରାଣୀ ଥାଉ ଥାଉ ସେ କାହିଁକି ଏସବୁ କାମ କରିବେ? ତାଙ୍କର କିଛି କିଛି କଥା ବି ବେଶ୍ ଯୁକ୍ତିଯୁକ୍ତ ବୋଲି ଆର୍ଯ୍ୟଦତ୍ତ ବାବୁଙ୍କର ମନେହୁଏ। କିନ୍ତୁ ଗୁରୁଜନଙ୍କୁ ପସନ୍ଦ ହୁଏ ନାହିଁ ସାନବୋହୂର ହାବଭାବ, ଚାଲିଚଳଣି ଓ ଆଚାର ବ୍ଯବହାର। ପତ୍ନୀଙ୍କ ଏପରି ମନୋଭାବ ହେତୁ ପରିବାରରେ ସନ୍ତୁଳନ ରକ୍ଷା କରିବା ପାଇଁ ତାଙ୍କୁ ହିଁ ରୋଷେଇର ଗୁରୁଦାୟିତ୍ବ ବହନ କରିବାକୁ ପଡେ, ମାଆ କିମ୍ବା ବଡମାଆଙ୍କ ଅନୁପସ୍ଥିତିରେ ଅବା ଦେହ ଖରାପ ଥିବା ସମୟରେ।

ଶାଶୁ ବୋହୂଙ୍କ ମଧ୍ୟରେ ଖିଟ୍ ଖିଟ୍ ହେବା ତ ସବୁଘରର କାହାଣୀ, କାହା ଘରେ ଟିକେ କମ୍ ତ କାହା ଘରେ ଘମାଘୋଟ ମହାଭାରତ। ଯଦି ଶାଶୁ ପୁରୁଣାକାଳିଆ ରୁଢ଼ିବାଦୀ ଆଉ ବୋହୂ ଉଗ୍ରାଧୁନିକ ହେଲେ ତ କଥା ସରିଗଲା! ଠିକ୍ ଏମିତି ଥିଲେ ଜାହ୍ନବୀ ଓ ତାଙ୍କର ଶାଶୁ। ଜାହ୍ନବୀ ଦେବୀଙ୍କର ଶାଶୁ ଶ୍ବଶୁରଙ୍କ ପ୍ରତି ତିଳେ ମାତ୍ର ସମ୍ମାନ ନଥିଲା। ଶାଶୁଘରର ରୀତିନୀତି ପ୍ରଥା ପରମ୍ପରାକୁ ସେ ମାନିବାକୁ ପ୍ରସ୍ତୁତ ନଥିଲେ। ଏଗୁଡ଼ିକ ସବୁ ରକ୍ଷଣଶୀଳ ସମାଜର ଅନ୍ଧବିଶ୍ବାସ ବୋଲି ଥିଲା ତାଙ୍କର ବଦ୍ଧମୂଳ ଧାରଣା। ନିଜେ ଉଚ୍ଚଶିକ୍ଷିତା ହୋଇ ଏପରି ଅନ୍ଧବିଶ୍ୱାସକୁ ସେ ଗ୍ରହଣ କରିପାରୁ ନଥିଲେ।

ଶାଶୁ କେବେ କିଛି କହିଲେ କାଳ ବିଳମ୍ବ ନ କରି ମୁହେଁ ମୁହେଁ ନେଉଟ ଜବାବ ଦିଅନ୍ତି। ଅଯଥାରେ ଯୁକ୍ତିତର୍କ କରି ବାପଘରକୁ ମନ ଇଛା ପଳାଇ ଯାଆନ୍ତି। ମାଆ ଯଶୋବନ୍ତୀ ଦେବୀଙ୍କୁ ଶାଶୁ ଶ୍ବଶୁରଙ୍କ ବିରୋଧରେ ଲଗେଇ ଜୁଟେଇ କୁହନ୍ତି। ମାଆ ବି ଝିଅ କଥାକୁ ଅକ୍ଷରେ ଅକ୍ଷରେ ସତ ବୋଲି ମଣି ଜ୍ବାଇଁଙ୍କ ଠାରୁ କୈଫିୟତ୍ ତଲବ କରନ୍ତି। ଟିକିଏ ଟିକିଏ କଥାରେ ଜ୍ବାଇଁଙ୍କୁ କୋର୍ଟ କଚେରୀ ଥାନା ପୋଲିସର ଭୟ ଦେଖାନ୍ତି ଶାଶୁମାଆ। ତାଙ୍କର ଝିଅ ଯୌତୁକ ନିର୍ଯାତନା ଦେବା ଜନିତ ଘରୋଇ ହିଂସାର ଶିକାର ହେଉଛି ବୋଲି ଅଭିଯୋଗ ବାଢନ୍ତି। ୪୯୮ ଧାରାରେ କେସ୍ ଠୁଙ୍କି ପରିବାରର ସମସ୍ତ ସଦସ୍ୟମାନଙ୍କୁ ଜେଲ୍ ପଠାଇବାକୁ ମସୁଧା କରନ୍ତି। ମିଡିଆବାଲାଙ୍କୁ ଡ଼ାକି ତାଙ୍କ ପରିବାରକୁ ବଦନାମ କରିବା ପାଇଁ ଧମକ ଦିଅନ୍ତି।

ବିଚରା ଆର୍ଯ୍ୟଦତ୍ତ ବାବୁ ନା ମାଆର ହେବେ ନା ଭାର୍ଯ୍ୟାର? ଆପଣା ହସ୍ତେ ଜିହ୍ୱା ଛେଦି, କେ ଅଛି ତା'ର ପ୍ରତିବାଦୀ? ଅନନ୍ୟୋପାୟ ହୋଇ ମଥାପାତି ବାଧ୍ଯ ଛାତ୍ରଟିଏ ପରି ଶାଶୁମାଆ ଓ ସ୍ତ୍ରୀଙ୍କର ଯାବତୀୟ କଟୁ କଥା ଶୁଣନ୍ତି। କିଛି ଏକାନରେ ପୁରାଇ ସେକାନରେ ବାହାର କରି ଦିଅନ୍ତି। ଆଉ କିଛି ତାଙ୍କର କାନ ପରଦାକୁ ଭେଦି ପାରେ ନାହିଁ। ପରିଶେଷରେ ଗୃହସ୍ଥ ଧର୍ମ ପରି ପାଳନ ପୂର୍ବକ ଦୁହିଁଙ୍କୁ କ୍ଷମା ଯାଚନା କରି ପତ୍ନୀଙ୍କୁ ଘରକୁ ଫେରାଇ ଆଣି ନିଜର ପାରିବାରିକ ଜୀବନକୁ ସମ୍ଭାଳି ନିଅନ୍ତି। କଥାରେ ନାହିଁ, "ସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି!"

ଏମିତି କିଛି ବର୍ଷ ଅଭିମାନ ଓ ମାନଭଞ୍ଜନ ମଧ୍ଯରେ ଗଡିଚାଲିଲା ଦୁହିଁଙ୍କର ସଂସାରର ରଥଚକ। ଇତିମଧ୍ୟରେ ଦୁହେଁ ମାତାପିତା ହେବାର ଗୌରବ ଅର୍ଜନ କରିସାରିଥାନ୍ତି। ଅବଶ୍ୟ ଏଥିପାଇଁ ଆର୍ଯ୍ୟଦତ୍ତ ବାବୁଙ୍କୁ କଠିଣ ପରିଶ୍ରମ କରିବାକୁ ପଡ଼ିଛି। ମାତୃତ୍ୱ ଲାଭ କରି ନିଜର ସୁଗଠିତ ସୌନ୍ଦର୍ଯ୍ୟକୁ ଭୂଲୁଣ୍ଠିତ ହେବାକୁ ଆଦୌ ଚାହୁଁନଥିଲେ ଜାହ୍ନବୀ ଦେବୀ। ବହୁତ ବୁଝାଇବା ପରେ ଗୋଟିଏ ସର୍ତ୍ତରେ ମାଆ ହେବାକୁ ସେ ରାଜି ହେଲେ। ପିଲାର ଦେଖାଶୁଣା ଜନିତ ଯାବତୀୟ କାର୍ଯ୍ୟ ଆର୍ଯ୍ୟଦତ୍ତ ବାବୁ ହିଁ କରିବେ। ସେ ପୂର୍ବବତ୍ ନିଜର ସ୍ବାଧୀନତାକୁ ଉପଭୋଗ କରିବେ। ଏଥିରେ ତିଳେ ମାତ୍ର ବ୍ଯତିକ୍ରମ ଆଦୌ ଗ୍ରହଣୀୟ ନୁହେଁ।

ଶଶିକଳା ପରି ସୁନ୍ଦର ପୁତ୍ର ସନ୍ତାନଟିଏ ଜାହ୍ନବୀ ଦେବୀଙ୍କ କୋଳ ମଣ୍ଡନ କରି ପୃଥିବୀକୁ ଆସିଥାଏ ଆପଣାର ଲୀଳା ଖେଳା କରିବାକୁ। ସର୍ତ୍ତ ମୁତାବକ ପିଲାଟିର ଜନ୍ମ ପରେ ଏହି ପରେ ତା' ଲାଳନପାଳନର ସମସ୍ତ ଦାୟିତ୍ଵ ପଡିଲା ଆର୍ଯ୍ୟଦତ୍ତ ବାବୁଙ୍କ ଉପରେ। ତାଙ୍କର ମାତାପିତା ବାର୍ଦ୍ଧକ୍ୟରେ ଉପନୀତ, ନିଜ କାମ ନିଜେ କରିବାକୁ ଅସମର୍ଥ, ତା' ଉପରେ ପୁଣି ରୋଗ ବଇରାଗ କଥା ଅଲଗା। ନାତି କଥା ବୁଝିବାକୁ ଲୋକବାକ ରଖିବାକୁ ବାଧ୍ଯ। କିନ୍ତୁ ପର ଲୋକଙ୍କ ହାତରେ ପିଲାଟିକୁ ଛାଡ଼ି ନିଶ୍ଚିନ୍ତରେ ରହି ପାରନ୍ତି ନାହିଁ ଆର୍ଯ୍ୟଦତ୍ତ ବାବୁ। ସଦାସର୍ବଦା ମନ ତାଙ୍କର ପୁଅ ପାଖରେ ହିଁ ଥାଏ। କଣ ଖାଇଲା? କଣ ପିନ୍ଧିଲା? ଶୋଇଲା କି ନାହିଁ? କନ୍ଦାକଟା କରୁଛି କି? ଏମିତି ଅସୁମାରି ଚିନ୍ତାରେ ଅହର୍ନିଶି ଘାରି ହୋଇ ରହୁଥିଲେ ସେ ନିଜର ଏକମାତ୍ର ପୁତ୍ରକୁ ମଣିଷ କରିବାକୁ।

ଏବେ ସବୁବେଳେ ଖାଲି କାମ, କାମ ଆଉ କାମ। ଘରକାମ ସରିଲା ତ ଅଫିସ୍ କାମ। ଅଫିସ୍.ରୁ ଫେରିଲେ ପୁଣି ଘରକାମ। ପୁଅର ଦେଖାଶୁଣା ସହିତ ବୃଦ୍ଧ ମାତାପିତାଙ୍କର ସେବା ଶୁଶ୍ରୂଷା ମଧ୍ଯରେ ଆର୍ଯ୍ୟଦତ୍ତ ବାବୁ ଜାଣି ପାରନ୍ତି ନାହିଁ କେତେ ବେଳେ ଦିନ ସରି ରାତି ହୁଏ ଆଉ ରାତି ସରି ଦିନ ହୁଏ ବୋଲି। ଯେବେ ଭାଇଭଉଣୀ, ପୁତୁରାଝିଆରୀ, ଭଣଜାଭାଣିଜୀ କି ଅନ୍ୟ ବନ୍ଧୁବାନ୍ଧବ କେହି ଘରକୁ ଦିନେ ଅଧେ ପାଇଁ ବୁଲିବାକୁ ଆସନ୍ତି, ସେମାନଙ୍କ ହାନିଲାଭ ଚର୍ଚ୍ଚା କରିବା ବୋଝ ଉପରେ ନଳିତା ବିଡା ହୋଇଯାଏ। ଏକା ଏକା ଏତେ ବଡ଼ ସଂସାରର ବୋଝ ବୋହି ବୋହି କୁରୁମି କଇଁଛ ପରି ହୋଇଯାଇଥିଲେ ସେ। ଜୀବନ ଜୀଇଁବାର ସ୍ବାଦ କଣ ଭୁଲି ଯାଇଥିଲେ ।

ଦିନକୁଦିନ ବଢୁଥିବା ଚାକିରୀର ମାତ୍ରାଧିକ କାର୍ଯ୍ୟଚାପ ଓ ବିଶୃଙ୍ଖଳିତ ପାରିବାରିକ ଜୀବନରେ ସନ୍ତୁଳନ ରକ୍ଷା କରି କରି ଆର୍ଯ୍ୟଦତ୍ତ ବାବୁଙ୍କ ବ୍ଯକ୍ତିଗତ ଜୀବନ ଦୁର୍ବିସହ ହୋଇପଡ଼େ। ଯଦିଓ ଧନସମ୍ପତ୍ତି ମାନସମ୍ମାନରେ କିଛି ବି ଅଭାବ ନଥାଏ ପତ୍ନୀ ଜାହ୍ନବୀଙ୍କ ବେପରୁଆ ଏବଂ ଅପରିଣାମଦର୍ଶୀ ମନୋଭାବ ହେତୁ ସେ ମାନସିକ ଭାବେ ବହୁତ କଷ୍ଟ ପାଆନ୍ତି। ଛାତିରେ ଛାତିଏ କୋହକୁ ଚାପିରଖି ପୁଅ ମୁହଁକୁ ଚାହିଁ ବାଟ ଚାଲନ୍ତି। ନା ମୁହଁ ଖୋଲି ନିଜ କଷ୍ଟ କାହାକୁ କହି ପାରନ୍ତି ନା ପତ୍ନୀ ତାହା ବୁଝନ୍ତି। ମାତୃତୁଲ୍ଯା ଶାଶୁ ଆଇନକାନୁନର ଧମକ ଦେଇ ସଦାସର୍ବଦା ବ୍ଲାକମେଲ୍ କରନ୍ତି।ବୃଦ୍ଧ ପିତାମାତାଙ୍କ ଅସହାୟ ମୁହଁକୁ ଦେଖି ସବୁକିଛି ଭୁଲିବାର ଅପଚେଷ୍ଟା କରନ୍ତି। ପରିବାରର ବଦନାମ ଓ ଲୋକଲଜ୍ଜାର ଡରରେ ସବୁ ମାନ ଅପମାନର ଗରଳକୁ ଆତ୍ମସ୍ଥ କରିଦିଅନ୍ତି। ଚିମିନୀ ଭାଟି ପରି ଭିତରେ ଭିତରେ ସଦାସର୍ବଦା ଜଳି ଜଳି ସିଏ ମୁହଁରେ ସ୍ମିତହାସ୍ୟ ରେଖା ଫୁଟାଇ ଅନ୍ୟମାନଙ୍କ ସୁଖ ପାଇଁ ଜୀବନ ଜୀଅଁନ୍ତି।

ବ୍ଯସ୍ତବିବ୍ରତ ବିକ୍ଷିପ୍ତ ଜୀବନରେ ଟିକିଏ ନିରୁତା ପ୍ରଶାନ୍ତି ପାଇବା ପାଇଁ ସେ ଚାତକ ପରି ଅପେକ୍ଷା କରି ଚାହିଁଥାନ୍ତି ମାସିକ ବାଲ୍ୟବନ୍ଧୁ ମିଳନକୁ, ଯେଉଁଠି ସେ ମଦିରା ପିଆଲା ଧରି ଖୋଲା ମନରେ ଗାଇପାରନ୍ତି ବେସୁରା ଅଥଚ ବେଦରଦୀ ଗୀତ...

"କିଛି ଲୁହ ପୋଛା ହୁଏ ପଣତକାନିରେ,

କିଛି ଲୁହ ପିଇ ଯାଏ ଓଠ

ତୁ ଏମିତିକା ଲୁହଟିଏ ମୋ ଆଖି କୋଣରେ

ଯେତେ ଝରିଲେ ବି ହୁଏନାହିଁ ଶେଷ

ତୁ ଏମିତିକା କୋହଟି ମୋ ଛାତି ଭିତରେ

ନପାରଇ କହି ମୁହିଁ ଦୁନିଆର କାହାରି ଆଗରେ

ତୁ ଏମିତିକା ଦାଗଟିଏ ମୋ ମନ କାଗଜରେ

ଲିଭାଇ ଲିଭାଇ ହୋଇ ଯାଇଛି ମୁଁ ନିଃସ୍ବ !

ତୁ ଏମିତିକା ଝଡ଼ଟିଏ ମୋ ହୃଦୟ ସାଗରେ

ଯିଏ ଡୁବାଇ ଦେଇଛି ମୋ ସପନର ପୋତ

ତୁ ଏମିତିକା ସାଥିଟିଏ ମୋ ଚଲାପଥରେ

ଯାହା ଲାଗି ହରାଇଛି ମୁହିଁ ଜୀବନର ସବୁତକ ସୁଖ !"

ଏତେ ବଡ଼ ଦୁନିଆଁରେ କେବଳ ସେଇ ବାଲ୍ୟବନ୍ଧୁଙ୍କ ମେଳରେ ହିଁ ନିଜକୁ ଟିକେ ସ୍ବାଧିନ ବୋଲି ମନେ କରନ୍ତି ଆର୍ଯ୍ୟଦତ୍ତ ବାବୁଙ୍କ ପରି ନିର୍ଯ୍ୟାତିତ ପୁରୁଷଗଣ। କାହାକୁ କହିବା ଏଠି? କିଏ ଅବା ଏଠି ଶୁଣିବ? ସାମାଜିକ ଓ ନ୍ଯାୟିକ ବ୍ୟବସ୍ଥା ଏମିତି ଯେ, ସବୁଠିଁ ନିରୀହ ପୁରୁଷଟିଏ ହେବ ହାସ୍ୟାସ୍ପଦ। ଏଇ ତ ସ୍ବାଧୀନ ଭାରତ, ଯେଉଁଠି ବିବାହିତ ପୁରୁଷ ଚିରକାଳ ନିର୍ଯ୍ୟାତିତ। ତାହାର ସ୍ବର ସଦା ଅବଦମିତ, ନ୍ଯାୟ ବିଡ଼ମ୍ବିତ, ତଥାପି ସେ ପୁରୁଷର ପରିଚୟ ନେଇ ରହିଛି ଜୀବିତ!


Rate this content
Log in

Similar oriya story from Tragedy