ନିର୍ଜନ ସନ୍ଧ୍ୟାର ଦେବଦୁତ
ନିର୍ଜନ ସନ୍ଧ୍ୟାର ଦେବଦୁତ
“ଡେ ଲାଇଟ୍ ସେଭିଂଗସ୍’’ ର ଶେଷ ଦିନ ଗତ କାଲି ଶନିବାର ରାତି ଦୁଇଟା ପର୍ଯ୍ୟନ୍ତ ଥିଲା । ଶନିବାର ରାତି ଦୁଇଟାରେ ସମସ୍ତେ ସମୟ ପରିବର୍ତ୍ତନ କରନ୍ତି । ରବିବାର ଠାରୁ ନୁଆ ସମୟରେ କାମ କାର୍ଯ୍ୟ ପୁଣି ରୀତିମତ ଭାବେ ଆରମ୍ଭ ହୁଏ । ଆମେରିକାର ଅଧିକାଂଶ ସ୍ଟେଟ୍ ଏଇ ନିୟମକୁ ପାଳନ କରନ୍ତି । ଅଧିକାଂଶ ସ୍ଟେଟ୍ ଗୁଡିକ ଚାରିରୁ ପାଞ୍ଚ ମାସ ଯାଏ ବରଫାବୃତ ହୋଇ ରହିବାରୁ ଲୋକ ମାନଙ୍କୁ ବାହାରେ ଯାଇ ଖେଳା ଖେଳି କରିବା ବା ଅନ୍ୟାନ୍ୟ ବାହ୍ୟ ମନୋରଂଜନ କାମ କରିବା ସହଜ ହୁଏ ନାହିଁ ।
ତେଣୁ ବସନ୍ତ ଋତୁ ବା ଖରା ଦିନ ଆସିଗଲେ ଲୋକମାନେ ଯେପରି ଦିବାଲୋକ ଅଧିକ ପାଇବେ ବାହାରେ ରହି କିଛି କାମ କରିବାକୁ, ସେଥିପାଇଁ ଘଣ୍ଟେ ସମୟ ଆଗ ପଛ କରି ରାତି ଓ ଦିନର ସମୟରେ ପରିବର୍ତ୍ତନ କରି ଦିଆଯାଏ । ଯଥା ସକାଳ ଛ କୁ ସାତ କରିଦିଆଯାଏ । ଯାହାଫଳରେ କି ସନ୍ଧ୍ୟା ଛଅରେ, ସନ୍ଧ୍ୟା ସାତ ହୋଇଥାଏ । ଲୋକ ମାନଙ୍କୁ ଘଣ୍ଟେ ଅଧିକ ଦିବାଲୋକ ମିଳେ ସ୍କୁଲ୍ ବା ଅଫିସରୁ ଆସି ବାହାରେ ପରିବାର ବନ୍ଧୁ ବର୍ଗଙ୍କ ସହିତ ସମୟ ବିତେଇବକୁ ।
ମାର୍ଚ୍ଚ ମାସର ଦ୍ବିତୀୟ ରବିବାର ଦିନରୁ ନଭେମ୍ବର ପ୍ରଥମ ରବିବାର ଯାଏ ସମୟକୁ ଏପରି ଭାବେ ପରିବର୍ତ୍ତନ କରି ରଖା ଯାଏ । ଏମିତିରେ ବି ଜୁନ ଜୁଲାଇ ଅଗଷ୍ଟର ଖରା ଦିନରେ ରାତିର ସମୟ କମ୍ ଓ ଦିନର ସମୟ ଅଧିକ ଥାଏ ତା ଉପରେ ପୁଣି ଦିନ ସମୟ ସଂଚୟର ନିୟମ ଯୋଗୁ ରାତି ହଉ ହଉ ପ୍ରାୟ ନଟା ବାଜିଯାଏ । ଲୋକମାନେ ବେଶ୍ ପିକନିକ୍, ବୋଟିଗଂ ହାଇକିଗଂ, କ୍ୟାମ୍ପିଗଂ, ଫିସିଗଂ ପ୍ରଭୃତି କରି ମଜ୍ଜା ନିଅନ୍ତି । ଲୋକମାନେ ସମୟର ବେଶ୍ ସଦୁପଯୋଗ କରନ୍ତି । ନଭେମ୍ବରରୁ ମାର୍ଚ୍ଚ ଯାଏ ପ୍ରବଳ ଶୀତ, ବରଫ ଯୋଗୁ ଘର ଭିତରେ ବେଶୀ ସମୟ ରହିବାକୁ ପଡେ । ନିହାତି କାମ ପଡିଲେ ବାହାରକୁ ଯାଆନ୍ତି । ସ୍କୁଲ୍, ଅଫିସ୍ କୁ ତ ଯିବାକୁ ବାଧ୍ୟ । ତାପରେ ଆସି ଘର ଭିତରେ ।
ସେଦିନ ଡେ ଲାଇଟ୍ ସଂଚୟ ସମୟ ସରୁଥିବରୁ ସମୟ ପରିବର୍ତ୍ତନ କରି ଦିଆଗଲା । ସକାଳ ସାତକୁ ପୁଣି ଛଅ କରି ଦିଆଗଲା । ସୋମବାର ସକାଳୁ ଉଠି ଅଫିସ୍ ଯିବାକୁ ହେବ । ନଭେମ୍ବରର ଶୀତ ସକାଳୁ ଘଣ୍ଟେ ଅଧିକ ମିଳିଗଲା ଶୋଇବାକୁ । ରେଜେଇ ଭିତରୁ ଏମିତି ବାହାରରିବାକୁ ଇଛା ହେଉ ନଥାଏ । ଘଣ୍ଟେ ଅଧିକ ମିଳିଛି ବୋଲି ଶୋଉ ଶୋଉ ଶୋଇଗଲି । ସେଦିନ ସଂଧ୍ୟାରେ ସ୍ନୋ ପଡିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେଣୁ କାମକୁ ଯିବାକୁ ଇଛା ହେଉ ନଥାଏ । ଉଠିଲା ବେଳକୁ ଡେରି ହୋଇଗଲା ।
ଉଠି ଶୀଘ୍ର ନିତ୍ୟକର୍ମ ସାରି ବାହାରିଲା ବେଳକୁ ଟିକେ ଡେରି ହୋଇଗଲା । ଖାଇବାକୁ ବି ବେଳ ହେଲା ନାହିଁ । ସ୍ୟାଣ୍ଡ୍ଉଇଚ ଟେ କଫି କପେ ଧରି ବାହାରିଗଲି । ଗାଡିରେ ଖାଇ ଖାଇ ଡ୍ରାଇଭିଂଗ କରି କରି ଯିବି ବୋଲି । କାମକୁ ଯିବାକୁ ଡେରି ହୋଇଗଲେ ସେପରି କରେ । ଅନେକ ଥର ଆଗରୁ ସେପରି କରିଛି । ତେଣୁ କିଛି ଆଗ ପଛ ନଭାବି ଖାଇବା ଧରି ଗାଡି ଷ୍ଟାଟ୍ କଲି । କିଛି ବାଟ ଯାଇଛି କି ନାହିଁ ଏକ ଅଶ୍ବାଭାବିକ ଶବ୍ଦ ଶୁଭିଲା । ଏପରି ଶବ୍ଦ ଆଗରୁ କେବେ ଶୁଣି ନଥିଲି । ଶବ୍ଦ ଟା ଗାଡିରୁ ଆସୁଛି । କିନ୍ତୁ ଏଇଟା କି ଶବ୍ଦ ହୋଇପାରେ । ଦୀର୍ଘ କୋଡିଏ ବର୍ଷରୁ ଉର୍ଦ୍ଧ ହୋଇଗଲାଣି ଗାଡି ଚଲେଇବାର । ଏପରି ଶବ୍ଦ କେବେ ଶୁଣି ନଥିଲି ।
ଚାରି ଆଡେ ଆଖି ବୁଲେଇ ଆଣିଲି । ଗାଡି ବାହର ଭିତର କିନ୍ତୁ ସେପରି କିଛି ସନ୍ଦେହ ଜନକ ଘଟଣା ଆଖିରେ ପଡିଲାନି । ଥରେ ଆଗରୁ ଗାଡି ଚକାରେ ଗୋଟେ ଛୋଟ ଜରି ବ୍ୟାଗ୍ ଲାଗି ଚିପକି ଯାଇ ଗାଡି ଚଲେଇଲାବେଳେ ଏକ ଅସ୍ବାଭାବିକ ଶବ୍ଦ କରୁଥିଲା ମନେ ଅଛି । ସେହିପରି କିଛି ହୋଇଥାଇ ପାରେ ଭାବି ଗାଡି ଚଳେଇବାରେ ମନ ଦେଲି ।
ଟିକେ ଡର ଟିକେ ଅଶ୍ବସ୍ତି ଭିତରେ ଗାଡି ଚଳେଇବା ଜାରି ରଖିଲି । କାରଣ କାମକୁ ଯିବାକୁ ଡେରି ହୋଇ ଗଲାଣି । ଆମେରିକାରେ ସମୟ ମାନେ ସମୟ । ଠିକ ସମୟରେ ସମସ୍ତେ କାମକୁ ଯାଆନ୍ତି । ଗୋଟେ ମିନିଟ୍ ଡେରି ବି କେହି ପସନ୍ଦ କରନ୍ତିନି । ଭାବିଲି ଏ ବିଷୟରେ ଅଫିସ୍ ରେ କାମ କରୁଥିବା ସାଂଗ ସାଥୀ ମାନଙ୍କୁ ପଚାରିବି କେହି ଯଦି ଜାଣିଥିବ କିଛି । ଆମେରିକାର ଅଧିକାଂଶ ଲୋକ ଗାଡି ମରାମତି ବିଷୟରେ ଉଣା ଅଧିକେ ଜାଣି ଥାନ୍ତି । କାରଣ ସେମାନଙ୍କୁ ସବୁଦିନ ବହୁ ମାଇଲ୍ ମାଇଲ୍ ରାସ୍ତା ଗାଡିରେ ବସି ଇଆଡ଼େ ସିଆଡ଼େ ଯିବାକୁ ହୁଏ ଓ ଯିବାକୁ ଭଲ ପାଆନ୍ତି ମଧ୍ୟ ।
ସେ ବିଷୟରେ ବିଶେଷ ଆଉ ନଭାବି ଖାଇବାରେ ମନ ଦେଲି । ଗୋଟେ ହାତରେ ଗାଡି ଚଳେଇ ଖାଉ ଥାଏ ତେଣୁ ରାସ୍ତା ଉପରେ ତିକ୍ଷଣ ଦୃଷ୍ଟି ଦେବାକୁ ହେବ । ଅଧ ଘଣ୍ଟାର ରାସ୍ତା, ମୋ ହାତରେ ମାତ୍ର କୋଡିଏ ମିନିଟ୍ ସମୟ ଅଛି । ତେଣୁ ସ୍ପିଡ୍ ଲିମିଟରୁ ଟିକେ ଅଧିକ ସ୍ପିଡରେ ଯାଉ ଥାଏ । ପୋଲିସ୍ ଡର ବି ଥାଏ । ପୋଲିସ୍ ଆସି ଫାଇନ୍ ଟିକେଟ୍ ନଦେଉ ।
ଯେମିତି ସେମିତି ହେଉ କାମରେ ଆସି ପହଞ୍ଚି ଗଲି । ଫେରିଲା ବେଳ କଥା ଦେଖା ଅଛି । କିନ୍ତୁ ସେଦିନ କାମ ଏତେ ଥିଲା ଯେ ଗାଡି କଥା ପୁରା ଭୁଲିଯାଇ କାମରେ ଲାଗିଗଲି । ସନ୍ଧ୍ୟା ଛ ରେ ଘରକୁ ଫେରିଲି ତରତର ହୋଇ । ସାତ ଟାରେ ସ୍ନୋ ପଡିବ ବୋଲି ସୂଚନା ଥିଲା । ତେଣୁ ଶୀଘ୍ର କିପରି ଘରକୁ ଫେରିବି ସେ କଥା ମନରେ ଥାଏ । ସ୍ନୋ ପଡିଲା ବେଳେ ରାସ୍ତା ଘାଟ ସଙ୍ଗେ ସଙ୍ଗେସଫା କରା ଯାଇ ପାରେନା । ରାସ୍ତା ଟିକେ ଖସଡା ହୋଇଯାଏ । ସେତେବେଳେ ଗାଡି ଚଳେଇବା ଟିକେ ବିପଦ ଜନକ । ବହୁତ ସାବଧାନତାର ସହିତ ଆସ୍ତେ ଆସ୍ତେ ଗାଡି ଚଲେଇବକୁ ହୁଏ । ନଚେତ୍ ଗାଡି ରାସ୍ତା ତଳକୁ ଖସି ବା ଅନ୍ୟାନ୍ୟ ଦୁର୍ଘଟଣାର ସମ୍ମୁଖିନ ହେବାର ସମ୍ଭାବନା ଥାଏ ।
ତେଣୁ କୋଉ ଆଡକୁ ଧ୍ୟାନ ନଦେଇ ଶୀଘ୍ର ଆସି ଗାଡି ସ୍ଟାର୍ଟ କରିଦେଲି । ଶୀତ ଦିନର ସନ୍ଧ୍ୟା ଟା ଖୁବ୍ ଶୀଘ୍ର ଆସିଯାଏ । ସେତେବେଳକୁ ମୁହଁ ଅନ୍ଧାର ହୋଇ ଗଲାଣି । ହଠାତ୍ ଦେଖିଲି ମୋ ବାମ ପଟ ଉଇଣ୍ଡ୍ ସିଲ୍ଡ ଉଆଇପର୍ ରେ (windshie।d wiper) ଗୋଟେ କାଗଜ । ଭୁଲ୍ ପାରକିଂଗ୍ କରିଥିଲେ ପୋଲିସ୍ ଏପରି ଟିକେଟ୍ ରଖିଦେଇ ଯାଇଥାନ୍ତି । କିନ୍ତୁ ସେପରି ଭୁଲ୍ ହେବାର ମୋର ସମ୍ଭାବନା ନାହିଁ । କାରଣ ପୁରା ଅଫିସ୍ ପାରକିଂଗ୍ ଜାଗାରେ ଗାଡି ରଖିଛି । ତେଣୁ ତାହା ନିଶ୍ଚୟ ଟିକେଟ୍ ହୋଇ ନପାରେ । ବେଳେ ବେଳେ ଖ୍ରୀଷ୍ଟ ମାସ ପାଖେଇ ଆସିଲା ବେଳେ ବିଭିନ୍ନ୍ କମ୍ପାନୀ ତାଙ୍କ ଜିନିଷର ବିଜ୍ଞାପନ କାଗଜ ଏମିତି ସବୁ ରଖିଦେଇଯାଆନ୍ତି । ସେ ଯାହା ବି ହେଉ କାଗଜ ଟା କାଢିବାକୁ ହେବ । ଗାଡି ଚଲେଇବାରେ ଅସୁବିଧା ହେବ ତାହା ବି ଇଲିଗାଲ୍ ।
ତେଣୁ ଗାଡିରୁ ବାହାରି ଆସି ଦେଖିଲି ସାଧାରଣ କାଗଜ ସେଥିରେ କିଛି ଲେଖା ହୋଇଛି । କଣ ହୋଇପାରେ । ଗାଡି ଭିତରକୁ ଆଣି ଆଲୁଅ ଜଳେଇ ପଢିଲି ଲେଖା ହୋଇଚି ଇଂଲିଶ୍ ରେ ତୁମ ଗାଡିର ଡାହାଣ ପଟ ପଛ ଚକର ପବନ ବାହାରି ଯାଇଛି । ଦିନଟି ଶୁଭ ହେଉ । (have a good day) ।
ଓ ! ସେଇ ବୋଧେ ସକାଳେ ପବନ ବାହାରି ଯିବାର ଶବ୍ଦ ହଉଥିଲା । ଗାଡି ବନ୍ଦ କରି ଯାଇ ଦେଖିଲି ସତ ।
ନୋଟ୍ ଟି ଲେଖିଥିବା ଲୋକଙ୍କୁ ମନେ ମନେ ବହୁତ ବହୁତ ଧନ୍ୟବାଦ ଦେଲି । କୋଉ ମହାତ୍ମା ସେ ଥିଲେ ! ଦେଖି ନଦେଖିଲା ପରି ସେ ବି ଚାଲି ଯାଇ ପାରିଥାନ୍ତେ ଅନ୍ୟ ମାନଙ୍କ ପରି । ଦୁଇ ଲାଇନ୍ ଲେଖି ମତେ ଅବଗତ କରେଇ ଦେଇଥିବାର ତାଙ୍କ ମୁଲ୍ୟବାନ ସମୟ ପାଇଁ, ଅଦୃଶ୍ୟ ଦେବତାଙ୍କ ପାଖେ ତାଙ୍କ ଦୀର୍ଘାୟୁ ଜୀବନର କାମନା କଲି ।
କିନ୍ତୁ ଏବେ ! ଏବେ ଆଉ କଣ ? ଘରକୁ କେମିତି ଯିବି ?
ସ୍ବାମୀଙ୍କୁ କଲ୍ କଲି । ସେ କହିଲେ ସେ ଏକ ଜରୁରୀ ମିଟିଂଗ ରେ ଅଛନ୍ତି ତେଣୁ ‘’ଟ୍ରିପଲ ଏ’’ କୁ ଡାକ ବା ‘ଟ୍ୟାକ୍ସି’ ଡାକି ଘରକୁ ଫେର । କାଲି ସକାଳୁ ଦେଖିବା । କଣ କରିବି ଭାବୁଥାଏ । ଟ୍ୟାକ୍ସିରେ ଗଲେ ପୁଣି କାଲି ସକାଳେ ଟ୍ୟାକ୍ସି ଧରି ଆସିବକୁ ପଡିବ ନଚେତ୍ ସ୍ବାମୀଙ୍କୁ ଖୋସାମନ୍ତ କରିବାକୁ ପଡିବ ସକାଳୁ ଆଣି ଛାଡି ଦେଇ ଯିବାକୁ । ସକାଳୁ ଅଫିସ୍ ଯିବା ପୂର୍ବରୁ ସେ କେବେ ଭଲ ମୁଡରେ ନଥାନ୍ତି । ନିଶ୍ଚୟ ପେଁ ପେଁ ହେବେ । ଦିନ ଯାକ ମୁଡ଼ ଖରାପ ହୋଇରହିବ । ଭଲ ହେବ “ଟ୍ରିପଲ ଏ “କୁ ଡାକିବା ।
“ଟ୍ରିପଲ ଏ’’ ଏକ ସଂସ୍ଥା ଯୋଉଥିରେ ମେମ୍ବର ହେବାକୁ ପଡେ ଟଙ୍କାଦେଇ । ରାସ୍ତା ଘାଟରେ ଗାଡିରେ କିଛି ସମସ୍ୟା ଦେଖାଦେଲେ ଫୋନ୍ କଲେ ସେମାନେ ଆସି ସାହାଯ୍ୟ କରନ୍ତି । ଯଦି ଛୋଟ ଧରଣର କିଛି ସମସ୍ୟା ଥାଏ ସେମାନେ ଠିକ୍ କରିଦିଅନ୍ତି ଯଦି ବଡ ଧରଣର ସମସ୍ୟା ଥାଏ ସେମାନେ ଫିକସ୍ କରିନପାରିବେ ତେବେ ଟୋ କରି ନେଇଯିବେ ଗରାଜକୁ ।
ଆଜି ଯଦି ସେମାନଙ୍କୁ ନଡାକିବି ତେବେ କାଲି ତାଙ୍କୁ ନିଶ୍ଚୟ ଡାକିବାକୁ ପଡିବ । ଯାହା ସମୟ ସେମାନେ ନେଲେ ନେବେ ତେଣୁ ତାଙ୍କୁ ଡାକିବାର ମନସ୍ଥ କଲି । ମୋବାଇଲ୍ ଫୋନ୍ ବାହର କରି ଗାଡି ବାହାରକୁ ଆସି ତାଙ୍କ ନମ୍ବର ଖୋଜୁ ଖୋଜୁ ଗୋଟେ ଗାଡି ଆସି ମୋ ପାଖରେ ପାର୍କ କଲା ସେଥିରୁ ଦୁଇ ଜଣ ଯୁବକ ବୟସ ତିରିଶ୍ ପଇଂତିରିଶ୍ ଭିତରେ ହେବ ଗାଡିରୁ ବାହାରି ମୋ ଆଡକୁ ଅଗ୍ରସର ହେଲେ । ଟିକେ ଡର ମାଡିଲା । ମୋ ଆଡକୁ କାହିଁ କି ? ସେତେବେଳେ ପାରକିଂଗ୍ ଲଟ୍ ରେ କେହି ନଥିଲେ । ମୁଁ ଏକାକୀ, କାଗଜ ଖଣ୍ଡକ ଧରିକି ସେତେବେଳୁ ଅନ୍ୟ ମନସ୍କ ଭାବେ ଗାଡି ବାହାରେ ଠିଆ ହୋଇଛି ।
ସେମାନେ ବୋଧେ ମୋ ଅସ୍ଥିର ଭାବ ଲକ୍ଷ କରିଛନ୍ତି । କିଛି ଅଘଟଣର ଆଶଂକା କରି ବହୁତ ଭଦ୍ର ଭାବରେ ଆସି ପଚାରିଲେ କିଛି ସମସ୍ୟା ଅଛି କି ? ଆମେ ସାହାଯ୍ୟ କିଛି କରି ପାରିବୁ କି ? ସେମାନଙ୍କ କଥା ଶୁଣି ବହୁତ ଖୁସି ଲାଗିଲା । ସେମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିଥିବରୁ ନିଜ ଉପରେ ରାଗ ମାଡିଲା ।
ସାହାଯ୍ୟ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କୁ ପୂଜା ନକରି ସନ୍ଦେହ କରିବା ଠିକ ନୁହେଁ । ସମସ୍ତଙ୍କୁ ସନ୍ଦେହ ପ୍ରଥମେ କରିବା ଏକ ପୁରୁଣା ଅଭ୍ୟାସ ମୋର । ଯେତେ ଆଧୁନିକ ସମାଜର ପ୍ରାଚୁର୍ଯ୍ୟ ଭିତରେ ରହିଲେ ବି ପ୍ରଥମେ ମୁଁ ଜଣେ ନାରୀ । ଦୁର୍ବଳତା, ଅବଳତା, ଅସହାୟତା ମୋ ଭିତରେ ଏପରି ଘର କରି ରହିଛନ୍ତି ଯେ ଆଧୁନିକତାର ମୁଖା ତଳେ ବି ସେମାନେ ପୁରା ସ୍ପଷ୍ଟ ଭାବରେ ବେଳେ ବେଳେ ଦିଶି ଯାଆନ୍ତି । ସେମାନଙ୍କୁ ଚକ ଖରାପ କହିବାରୁ ସେମାନେ ସଙ୍ଗେ ସଙ୍ଗେ ତାଙ୍କ ଗାଡିରୁ ଏକ ବକ୍ସ୍ ବାହର କରି ଆଣି ପଚାରିଲେ ଗାଡିରେ ସ୍ପେୟାର ଚକ ଅଛି କି ନାହିଁ ବୋଲି । ହଁ କଲି । ସବୁବେଳେ ଗାଡିରେ ଗୋଟେ ଅଧିକା ଚକ ମହଜୁଦ୍ ଥାଏ । ସେମାନେ ସଙ୍ଗେ ସଙ୍ଗେ କାମରେ ଲାଗିଗଲେ ସମୟ ନଷ୍ଟ ନକରି ।
କୃତଜ୍ଞତା ଭଗବାନ୍ ଙ୍କୁ ଜଣେଇବିକି ତାଙ୍କ ପ୍ରେରିତ ଏ ସାହାଯ୍ୟକାରୀଙ୍କୁ ଧନ୍ୟବାଦ ଜଣେଇବି ଜାଣି ପାରିଲିନି । ପର୍ସ୍ ଖୋଲିଲି କିଛି ଟଙ୍କା କାଢି ମୋର କୃତଜ୍ଞତା ଜଣେଇ ବାର ଫଳ ସ୍ବରୂପ କିଛି ଆର୍ଥିକ ପୁରଷ୍କାର ସେମାନଙ୍କୁ ଦେବି କିନ୍ତୁ ପର୍ସ୍ ରେ ପାଞ୍ଚ ଡଲାର ଓ କିଛି ରେଜା ବ୍ୟତୀତ ଆଉ କିଛି ନାହିଁ । ଏତେ ପରିଶ୍ରମ ଆଉ ଏ ଅଯାଚିତ ସାହାଯ୍ୟର ମୂଲ୍ୟ ତ କେବେ ପାଞ୍ଚ ଡଲାର ହୋଇ ନପାରେ । ସଂକୁଚିତ ହୋଇଗଲି । କେମିତି ପାଞ୍ଚ ଟା ଡଲାର ଯାଚିବି କଣ ଭାବିବେ ସେମାନେ ।
ଅଫିସ୍ କୁ ଗଲାବେଳେ ମୁଁ ବିଶେଷ କ୍ୟାସ୍ ନେଇକରି ଯାଏ ନାହିଁ । ମାତ୍ର ଏତିକି ପ୍ରାୟତ ରଖିଥାଏ । କ୍ରେଡିଟ କାର୍ଡ଼ ଦିଟା ରଖିଥାଏ । କାର୍ଡ଼ ଦ୍ବାରା ଦବା ତ ଏମାନଙ୍କୁ ସମ୍ଭବ ନୁହେଁ । ମୋର ଅପାରଗତା ଓ ଅସହାୟତା ବିଷୟରେ ସେମାନଙ୍କୁ ଜଣେଇଲି । ସେମାନେ ଚକ ଫିକ୍ସ କରି ସାରିଲା ପରେ । ସେମାନେ ହସିଲେ କହିଲେ ମ୍ୟାଡାମ୍ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣ ଅନ୍ୟ କାହାକୁ ତାଙ୍କ ଦରକାର ବେଳେ ଏମିତି ସାହାଯ୍ୟ କରିଦେବେ ତେବେ ଆମେ ଆମ ପାଉଣା ପାଇଯିବୁ । ଜଣଙ୍କ ପକ୍ଷେ ଏ ସାହାଯ୍ୟ ସହାନୁଭୁତିର ମୂଲ୍ୟାଙ୍କନ କରିବା ସହଜ ନୁହେଁ । ତଥାପି ନିଜକୁ ଦୋଷମୁକ୍ତ କରିବାକୁ ଚାହୁଁଥିଲି । ତେଣୁ ସେମାନଙ୍କ ଠିକଣା ମାଗିଲି ପରେ ଚେକ୍ ପଠେଇ ଦେବି ବୋଲି କହିଲି । ସେମାନେ ହସିଲେ ଓ ମତେ ଧନ୍ୟବାଦ ଦେଇ ଚାଲିଗଲେ ,ଏମାନଙ୍କୁ ମୁଁ କଣ ଧନ୍ୟବାଦ କହିବି । ମୁଁ ଶବ୍ଦହୀନ ହୋଇଗଲି । ସେମାନଙ୍କ ମୃଦୁ ହସ କହୁଥିଲା ସାହାଯ୍ୟ କରି ତାର ପ୍ରାପ୍ୟ ନେଲେ ତାକୁ ସାହାଯ୍ୟ କୁହା ଯାଏନା ।
ଦୁଇ ଦିନ ପୂର୍ବରୁ ଜଣେ ଆମେରିକାନ ସାଂଗ ସଂଗେ ଚର୍ଚ୍ଚକୁ ଯାଇଥିଲି କିଛି ସଂଗୀତ ପ୍ରୋଗ୍ରାମ୍ ଦେଖିବାକୁ । ସେଠାରେ ଯୀଶୁଙ୍କର ବହୁତ ପ୍ରକାର ଛବି ଥିଲା ଓ ତାଙ୍କ ଜୀବନୀ ବିଷୟରେ ଲେଖାଥିଲା । ପଢିଲି କିନ୍ତୁ ମନରେ ଅନେକ ପ୍ରକାର ପ୍ରଶ୍ନ ଉଠୁଥାଏ । ତାଙ୍କ ଅସ୍ତିତ୍ବକୁ ନେଇ । ଅନ୍ୟ ପାଇଁ ଏପରି ଦୟନୀୟ ଭାବେ ମୃତ୍ୟୁ ବରଣ କରିବା କଣ ଏତେ ସହଜ ! ଏହା କଣ ସତ୍ୟ !
ହଁ ସତ୍ୟ । ଆଜି ଆଖିରେ ଦେଖିଲି । ସେମାନେ ଗୋଟେ ବଡ ଶିକ୍ଷା ମତେ ଦେଇଗଲେ ଅନ୍ୟ ମାନଙ୍କ ବିପଦରେ ଯେତିକି ନିଜ ଦ୍ବାରା ସମ୍ଭବ, ଯେତିକି ନିଜର ଅକ୍ତିଆର ଭିତରେ ଥିବ ଅନ୍ୟକୁ କେବେ ସାହାଯ୍ୟ କରିବାକୁ ପଶ୍ଚାଦପଦ ହେବ ନାହିଁ । ସମସ୍ତେ ଏ ସଂସାରରେ କେତେବେଳେ କେମିତି ଅସୁବିଧାରେ ପଡିଯାନ୍ତି । ସମସ୍ତେ ଇଶ୍ବରଙ୍କ ସନ୍ତାନ ତେଣୁ ସମସ୍ତେ ଆତ୍ମିୟ । କେହି ପର ନୁହଁନ୍ତି ।
ମୋ ଠାରୁ ସେ ପିଲା ଦି ଜଣ ବୟସରେ ସାନ ଥିଲେ ସତ କିନ୍ତୁ ଏତେ ବଡ ମୂଲ୍ୟବାନ କଥାଟାଏ କହି ଦେଇ ଗଲେ ଆଜି ବି ଭାବିଲେ ଆଶ୍ଚଯ୍ୟ ଲାଗେ । ଏପରି କଥା ପଢିଥିଲି ଶୁଣିଥିଲି ଅନେକ, ଆଜି କିନ୍ତୁ ଆଖିରେ ଦେଖିଲି । ମତେ ଲାଗିଲା ଆଜି ସତରେ ଭଗବାନ୍ ଆସିଥିଲେ ମୋର ସନ୍ଦେହ ମୋଚନ ପାଇଁ । ଆଉ କହିଗଲେ ହଁ ତାହା ସଂପୂର୍ଣ୍ଣ ସତ୍ୟ । ସେହି ଦୟା, କରୁଣା, ସହାନୁଭୁତି ଯୋଗୁ ଏ ସଂସାର ଏ ପର୍ଯ୍ୟନ୍ତ ତିଷ୍ଠି ରହିଛି ।
ଆପଣା ପର ନଭାବି ସେଇଦିନଠାରୁ ଯେତିକି ମୋ ଦ୍ବାରା ସମ୍ଭବ ଯେତିକି ମୋର ଶକ୍ତି ଅନ୍ୟକୁ ସାହାଯ୍ୟ କରିବାକୁ ପଛାଇନି । ସେହି ହେବ ବୋଧେ ମୋର ଋଣ ସୁଝା ।