STORYMIRROR

sumita behera

Tragedy

3  

sumita behera

Tragedy

ନିର୍ବାଣ

ନିର୍ବାଣ

3 mins
1.0K


ସୁମିତା ବେହେରା

ପର୍ଣ୍ଣ କୁଟୀରରେ ଧ୍ୟାନରତା ରୂପଶ୍ରୀ।ଲୋକାଳୟ ଠାରୁ ଦୂରରେ।ଯେବେଠୁ ତୁ ସଂଘର ଶରଣାପନ୍ନ ହୋଇଛି ଘର ଛାଡି ଏ ନିକାଞ୍ଜନ ସ୍ଥାନରେ ନିର୍ବାଣ ପ୍ରାପ୍ତି ହେତୁ ସାଧନାରତା। ମାତା ପିତା କାହାରି ବାରଣ ମାନିନି।ଅପରନ୍ତୁ ବହୁ ଅନୁରୋଧ କରି ସେମାନଙ୍କ ଠାରୁ ଆଜ୍ଞା ନେଇଛି ଏ ସନ୍ୟାସିନୀର ଜୀବନ ବଞ୍ଚିବାକୁ।ଏବେ ଘର ପରିବାର ଠାରୁ ଅନେକ ଦୂରରେ।

ତଥାଗତ କୁହନ୍ତି "କାମନାର ବିନାଶରେ ଦୁଃଖର ବିନାଶ"।କାମନାର ବିନାଶ ପାଇଁ କଠୋର ସାଧନା ଆବଶ୍ୟକ।ସେ କରିବ କଠୋର ସାଧନା। ।ତାକୁ ନିର୍ବାଣ ଅବଶ୍ୟ ମିଳିବ।ପିଲାଦିନୁ ସେ ବୁଦ୍ଧଙ୍କର ଅନୁଗତା।ସେଥିପାଇଁ ତ ସମସ୍ତ ଐଶ୍ୱର୍ଯ୍ୟକୁ ପାଦରେ ଠେଲି ଚାଲି ଆସିଛି।ବିବାହ ତା ପାଇଁ କେବେବି ଏକ କାମ୍ୟ ବସ୍ତୁ ନ ଥିଲା।କହିବାକୁ ଗଲେ ସଂସାର ପ୍ରତି ଏକ ବିତୃଷ୍ଣା ଭାବ ତା'ର ପିଲାଦିନୁ ରହି ଆସିଛି।

କିନ୍ତୁ ଏ କି ବ୍ୟତିକ୍ରମ।ଭିକ୍ଷା ପାଇଁ ସେ ପାର୍ଶ୍ୱବର୍ତୀ ଗ୍ରାମକୁ ଯାଇଥିଲା।ସେଠି ସେ ସୌମ୍ୟଦର୍ଶନ ଯୁବକଟିକୁ ଦେଖି କିଛି କ୍ଷଣ ପାଇଁ ତା କଠୋର ମନ ବିଚଳିତ ହୋଇ ଯାଇଥିଲା।

ସେ ଖୁବ ଶୀଘ୍ର ତା ପର୍ଣ୍ଣ କୁଟୀରକୁ ଫେରି ଆସିଥିଲା।ପ୍ରାୟଶ୍ଚିତ ତ ତାକୁ କରିବାକୁ ହେବ।ଏକ ସନ୍ୟାସିନୀକୁ ଏପରି ଆଚରଣ ଶୋଭା ପାଏନି।ନିଜ ମନକୁ ନିଜେ ଦୃଢ଼ କରି ଧ୍ୟାନରେ ବସିଲା।ଅନେକ ଚେଷ୍ଟା କରି ମଧ୍ୟ ନିଜ ମନକୁ ଆୟତ୍ତ କରି ପାରିଲାନି।ରହି ରହି ସେ ସୌମ୍ୟଦର୍ଶୀ ଯୁବକର ପଦ୍ମ ପଳାଶ ନେତ୍ର ଆଖି ଆଗରେ ଭାସି ଆସୁଛି।ଏକ ଗୋଡ଼ରେ ଠିଆ ହୋଇ ଧ୍ୟାନ ଲଗାଇବାକୁ ଚାହିଁଲା।କିଛି ମାତ୍ରାରେ ସଫଳ ହେଲା।ଧୀରେ ଧୀରେ ମନକୁ ଏକାଗ୍ର କରିବାକୁ ପ୍ରୟାସ କଲା।କିଛି ଦିନ ବିତିଗଲା।ଭିକ୍ଷା କରିବାକୁ ଗ୍ରାମକୁ ଯିବାକୁ ତ ହେବ।ମନେ ମନେ ସ୍ଥିର କଲା ଆଉ ସେ ଯୁବକର ଗ୍ରାମକୁ ଯିବନି।ଅନ୍ୟ ଏକ ଗ୍ରାମକୁ ଯିବ ଭିକ୍ଷା ପାଇଁ ।ମୁଖରେ"ବୁଦ୍ଧମ ଶରଣମ ଗଛମି।ଧର୍ମମ ଶରଣମ ଗଛମି।ସଂଘମ ଶରଣମ ଗଛମି।ଅନ୍ୟମନସ୍କ ହୋଇ ଚାଲୁ ଚାଲୁ କେତେବେଳେ ଯେ ରୂପଶ୍ରୀ ସେ ଅଜଣା ଯୁବକର ଦ୍ୱାରଦେଶରେ ଉପନୀତ ସେ ନିଜେ ଜାଣି ପାରିନି।ସାମ୍ନାରେ ସେହି ଯୁବକ।ଚାରି ଚକ୍ଷୁର ମିଳନ।ସଙ୍କୁଚିତ ହେଲା ରୂପଶ୍ରୀ।ତାକୁ ଫେରିଯିବାକୁ ହେବ ତା ଲକ୍ଷ୍ୟସ୍ଥଳକୁ।ସେ ପଥଭ୍ରଷ୍ଟ ହୋଇ ନ ପରେ।ଭିକ୍ଷା ନ ନେଇ ଫେରି ଆସୁଥିଲା ସେ

ପଛରୁ କାହାର କୋମଳ ସ୍ୱର" ରହିଯାଅ ଭିକ୍ଷୁଣୀ!ଭିକ୍ଷା ରହିଗଲା ଯେ "? ପଛକୁ ଫେରି ଚାହିଁଲା ସେ।ସେହି ଯୁବକ।କିଛି ଉତ୍ତର ନ ଦେଇ ଏକ ପ୍ରକାର ଦୌଡି ଦୌଡ଼ି ଫେରି ଆସିଲା ନିଜ କୁଟୀରକୁ।ସେ ଜାଣିନି ତା ଅଜାଣତରେ ଦୁଇଟି ଚକ୍ଷୁ ତା'ର ଅନୁଗମନ କରୁଛି।

ନା ।କୌଣସି ପ୍ରକାରେ ସେ ନିଜ ମନକୁ ଆୟତ୍ତ କରି ପାରୁନି। ସେ କୁହୁକ ଭରା କଣ୍ଠ କାନରେ ବାରମ୍ବାର ବାଜୁଛି।ଶରୀରରେ ଏକ ଅଦ୍ଭୁତ ଶିହରଣ। ଆଗରୁ କେବେ ଏପରି ଅନୁଭବ ହୋଇନି ତ।ନା ନା ସେ ଏପରି ହବାକୁ ଦେବନି।ତାକୁ ଆହୁରି କଠୋର ସାଧନା କରିବାକୁ ପଡିବ।ନିର୍ବାଣର ଏତେ ନିକଟକୁ ଆସି ସେ ପଥଭ୍ରଷ୍ଟ ହୋଇ ପାରିବନି।ସାଧନାରେ ରତ ରହିଲା ରୂପସୀ।କିଛି ଦିନ ବିତି ଗଲା।ଭିକ୍ଷା ପାଇଁ ସେ ଅନ୍ୟ ଏକ ଗ୍ରାମକୁ ଗଲା ଏଥର।ଧୀରେ ଧୀରେ ସାଧନାରେ ମନ ନିବେଶ କଲା।ଆଉ ତା ମନ ଚହଲିବର ପ୍ରଶ୍ନ ଉଠୁନି।

କୁଟୀର ଦରଜାରେ ମୃଦୁ ଆଘାତ। ଭାବିଲା କୌଣସି ଭିକ୍ଷୁଣୀ ହେଇପାରେ।ଏ କଣ ଦେଖୁଚି ସେ! ସମ୍ମୁଖରେ ସେହି ଯୁବକ।"ଆପଣଙ୍କର ଏଠାରେ କି କାର୍ଯ୍ୟ?"କଠୋର ଭାବେ ପଚାରିଲା ରୂପଶ୍ରୀ । ଧୀର ଅଥଚ ଗମ୍ଭୀର କଣ୍ଠରେ ଉତ୍ତର ଦେଲେ "ମୋର ପ୍ରୟୋଜନ ତ କେବଳ ତୁମେ ।ଯେବେଠୁ ତୁମକୁ ଦେଖିଛି ଆଉ କିଛି ଦେଖିବାକୁ ଇଛା କରିନି।"।

"କିନ୍ତୁ ମୁଁ ଯେ ସନ୍ୟାସିନୀ" ।

"ଜାଣେ ତୁମେ ସନ୍ୟାସିନୀ।ତଥାପି ତୁମକୁ ପାଇବାର ଆଶା "।

"ଏପରି ଆଶା କରିବା ତୁମର ପାପ ଯୁବକ"

"ପାପ କଣ ପୁଣ୍ୟ କଣ ମୁଁ ଜାଣେନା।ଏତିକି ଜାଣେ ତୁମେ ନାରୀ ଓ ମୁଁ ପୁରୁଷ।

"କିନ୍ତୁ ଆମର ମାର୍ଗ ଯେ ବିପରୀତ।ତୁମେ ଗୃହସ୍ଥ ଓ ମୁଁ ସନ୍ୟାସିନୀ।ଫେରିଯାଅ ଯୁବକ।"

"ଆଜି ତ ଫେରି ଯାଉଛି ମୁଁ ପୁଣି ଆସିବି"। ଏତିକି କହି ଏକମୁହାଁ ହୋଇ ଯୁବକ ଫେରିଗଲା।ଏତେ କଠୋର ସାଧନା ପରେ ନିଜକୁ ସ୍ଥିର କରି ପାରିଥିଲା ରୂପସୀ। ପରନ୍ତୁ ପୁଣି ଇଏ କଣ ହେଇଗଲା।

ଆଉ ଧ୍ୟାନରେ ମନୋନିବେଶ କରି ହଉନି।ସେ ଯୁବକର କଥା ହିଁ ଶୁଣା ଯାଉଛି।ପୁଣି ଆସିବ କହି ଯାଇଛି ସେ।ରୂପସୀ ମନରେ ଏକ ଅଦ୍ଭୁତ ପୁଲକ ଆସିଲା କିଛି କ୍ଷଣ ପାଇଁ।

ଗଭୀର ଚିନ୍ତା ପରେ ମଧ୍ୟ କିଛି ନିଷ୍କର୍ଷ ରେ ପହଂଚି ପାରିଲାନି।ସ୍ଥିର କଲା ଏ ସ୍ଥାନ ଛାଡ଼ିଦେଵ। ନାରୀ ମାନଙ୍କ ପାଇଁ ଅଲଗା ଥିବା ସଙ୍ଘକୁ ଚାଲିଯିବ। ହଁ ଆଗାମୀ ପୂର୍ଣ୍ଣମୀ ବାସି ଯିବାକୁ ସ୍ଥିର କଲା।

ପୂର୍ଣ୍ଣମୀ ସନ୍ଧ୍ୟା।ସକାଳ ହେବା ପୂର୍ବରୁ ତାକୁ ସ୍ଥାନ ତ୍ୟାଗ କରିବାକୁ ହେବ।ଯଦି ସେ ଅବୁଝା ଯୁବକ ଆସିଯାଏ।ସବୁ ପୁଣି ବ୍ୟତିକମ ଘଟିବ।ଭୂମି ଶଯ୍ୟାରେ ଶୋଇଛି ରୂପଶ୍ରୀ।ଆକାଶରେ ଚାନ୍ଦ ଦିଶୁଛି। ମୃଦୁ ମୃଦୁ ମଳୟ ବୋହୁଛି।ରୂପଶ୍ରୀ ମନରେ ଏକ ଅଦ୍ଭୁତ ପୁଲକ । ଧୀରେ ଧୀରେ ମନରୁ ଦେହକୁ ସଂଚରି ଆସୁଛି।ଏବେ ସେ ବିଭୋର।ତାକୁ ସବୁ କିଛି ନୂଆ ନୂଆ ଲାଗୁଛି।ଆଜି ରାତିଟା ତ।ଯାହା ଭାବନା ଆସୁଛି ଆସୁ।କାଲିଠାରୁ ପୁଣି ସାଧନାରେ ରହିବ।

କାହାର ମୃଦୁ ସ୍ପର୍ଶ ଅନୁଭବ କଲା ସେ। ଚକ୍ଷୁ ମୁଦି ହୋଇ ଯାଉଛି।ଆଃ ଏପରି ତ ସେ କେବେ ଅନୁଭବ କରିନି।ଶରୀରରେ ଏକ ବେପଥୁ ଖେଳିଗଲା। ହାଲ୍କା ଭାବେ ଆଖି ଖୋଲି ତା ଇପ୍ସିତକୁ ସାମ୍ନାରେ ପାଇଲା।ନା ଆଜି ସେ ରୋକିବନି ନିଜକୁ। ନିଜକୁ ତିଳ ତିଳ କରି ଆଉ ଶେଷ କରି ପାରିବନି ସେ।ଲୋଡ଼ା ନାହିଁ ତା'ର ତଥାକଥିତ ନିର୍ବାଣ।ଏଇ ଗୋଟିଏ ହିଁ ତ ଜୀବନ।ନ ହଉ ତା'ର ଦୁଃଖର ବିନାଶ। ଶରୀର ଅଛି ମାନେ ତା ଭିତରେ ହୃଦୟଟିଏ ବି ଅଛି। କାମନାର ବିନାଶ କିପରି ସମ୍ଭବ????

ନିର୍ବାଣର ପରିଭାଷା ଆଜି ରୂପଶ୍ରୀ ପାଇଁ ଭିନ୍ନ।


Rate this content
Log in

Similar oriya story from Tragedy