ନିରବ ଯନ୍ତ୍ରଣା
ନିରବ ଯନ୍ତ୍ରଣା
ଜାନକୀଙ୍କ ମନ ଖୁସିରେ ଉଛୁଳି ପଡୁଥିଲା । ଝିଅ ଚୁମୁକୀ ତା' ଶାଶୁ ଘରୁ ଆସିଛି କୋଳରେ ତାର ବର୍ଷକର ଛୁଆଟିଏ । ନିଷ୍ପାପ ମୁହଁରେ ତାର ସେ ହସ ଟିକକ କେତେ ଆନନ୍ଦ ଦେଉଛି ମନକୁ । ଏ କାଖରୁ ସେ କାଖକୁ ନେଇ ଖୁସି ହେଉଛନ୍ତି ସମସ୍ତେ । ଚୁମୁକୀକୁ ଦେଖିଲେ ଲାଗୁଛି କାଲିର ସେ ଅନୁଢା କନ୍ୟା, ଆଜି ଗୋଟିଏ ପରିପୂର୍ଣ୍ଣମୟ ଜୀବନକୁ ଛୁଇଁଛି । ସବୁ ପାଇଛି ସେ, ସ୍ନେହମୟୀ ଶାଶୁ, ବିଚାରବନ୍ତ ଶଶୁର, ବହୁତ ଖିଆଲ ରଖୁଥିବା ସ୍ୱାମୀ, ଭାଇଭଉଣୀ ଭଳି ଭଲପାଉଥିବା ଦିଅର,ନଣନ୍ଦ, ଏ ସମସ୍ତଙ୍କ ସ୍ନେହରେ ବାନ୍ଧି ହୋଇଯାଇଛି ଚୁମୁକୀ । ଭଗବାନ କୋଳରେ ରାଜକୁମାର ପରି ପୁଅଟିଏ ଦେଇଛନ୍ତି । ସବୁ ପୂର୍ଣ୍ଣତା ମଧ୍ୟରେ କେଉଁ ଶୂନ୍ୟତା ତାକୁ ବ୍ୟସ୍ତ କରୁଛି?ମୁହଁରେ ହସୁଥିଲେ ସରସତା ନ ଥାଏ ସେ ହସରେ । କିଛି ଗୋଟିଏ ଅଭାବ ବୋଧରେ ମନ ସଦାସର୍ବଦା କୁହୁଳି ଉଠୁଛି, ସାନ୍ତ୍ବନା ଦେଇ ପାରୁନି ସେ । ମନ ତ କାହା ଆୟତ୍ତରେ ନ ଥାଏ ।
ଅତୀତର ଘୋଡ଼ାଇ ହୋଇଥିବା ସେଇ ସ୍ମୃତି ପାଖରେ ସେ ସବୁବେଳେ ପହଞ୍ଚି ଯାଏ । ଚୁମୁକୀ ସେଇ ମନର ଉଦ୍ଧତ ପଣିଆ ଯୋଗୁଁ ଅସହ୍ୟ କଷ୍ଟ ପାଉଛି ।
ସ୍କୁଲ ପଢ଼ିବା ବେଳର କଥା । ଗୋପାଳ ବାବୁଙ୍କର ଗାଁରେ ବହୁତ ଖାତିର ଥାଏ । ସେ ଅଞ୍ଚଳର ଧନୀ ଓ ପାରିବାର ଲୋକ ସେ । ରାଜନୀତିରେ ତାଙ୍କର ବେଶ୍ ଦଖଲ ଅଛି । ମନ୍ତ୍ରୀ ମହଲରେ ସେ ଭଲ ଜଣା ଶୁଣା । ତାଙ୍କରି ପୁଅ ଅନୁରାଗ ଭାରି ଖୁସି ବାସିଆ ପିଲା, ଚୁମୁକୀକୁ ସେ ବହୁତ ଭଲପାଏ । ଏକା କ୍ଲାସରେ ପଢୁଥାନ୍ତି । ଟିକିଏ ସମୟ ମିଳିଲେ ପାଠ ବିଷୟରେ ଆଲୋଚନା କରନ୍ତି । କେଉଁଠି କେଉଁଟା ବୁଝି ନ ହେଲେ ଉଭୟେ ଆଲୋଚନା କରନ୍ତି । ଚୁମୁକୀ କ୍ଲାସରେ ସମସ୍ତଙ୍କଠୁ ଭଲ ଛାତ୍ରୀ, ଭଲପଢେ ଓ ପ୍ରଥମ ହୁଏ । ସେଥିପାଇଁ ସମସ୍ତଙ୍କର ତା' ପ୍ରତି ଆକର୍ଷଣ ଥାଏ । ଶିକ୍ଷକ ମାନେ ମଧ୍ୟ ତାକୁ ଭଲପାନ୍ତି । କିନ୍ତୁ ଅନୁରାଗର ଭଲପାଇବାରେ ଅଲଗା ଅନୁଭବ କରେ ଚୁମୁକୀ । ପ୍ଲସ୍ ଟୁ ସରିବା ପରେ ବାପାଙ୍କ ଉଦ୍ୟମରେ ମେଡ଼ିକାଲ ପଢ଼ିବା ପାଇଁ ଚାଲି ଗଲା ଅନୁରାଗ । ଡାକ୍ତରଟିଏ ହେବା ପାଇଁ ଇଚ୍ଛା ଥିଲା ବାପାଙ୍କର । ଯିବା ପୂର୍ବରୁ ଚିଠି ଟିଏ ଲେଖିଲା ଚୁମୁକୀକୁ !
" ତୁ ମୋର ପ୍ରଥମ ଅନୁଭବ ଓ ସ୍ନେହ ଉତ୍ସ । ମୋ ଜୀବନରେ ପ୍ରଥମ ଓ ଶେଷ କେବଳ ତୁ । ମୋ ହୃଦୟରେ ତୋ ପାଇଁ ଯେଉଁ ସ୍ଥାନ ରହିଛି ସେ ଅମୂଲ୍ୟ । ସେ ସ୍ଥାନକୁ ଆଉ କେହି ଛୁଇଁ ପାରିବେ ନାହିଁ । ସମୟ ଆସିଲେ ଏ ଚିଠିର ସତ୍ୟତା ବୁଝିବୁ । ତା' ପରେ ଅନେକ ଥର ତା ସହିତ ଦେଖା ବି ହୋଇଛି, କଥା ବି ହୋଇଛନ୍ତି । ଅନୁରାଗ ଥରେ ଚୁମୁକୀର ଦେହ ଖରାପ ଯୋଗୁଁ ତା ସହିତ ଦେଖା ହୋଇ ନ ପାରିବାରୁ ଅନୁରାଗ ଯିବା ଗୋଟିଏ ଦିନ ଡେରି କରିଲା । ଦେଖା ହେବାରେ କହିଲା ଚୁମୁକୀ ତୁ ମୋର ଉତ୍ସାହର ଉତ୍ସ ତୋ ସହିତ ଦେଖା ହୋଇ ନ ଗଲେ ମୁଁ ଆଉ ଥରେ ଦେଖାହେବା ପର୍ଯ୍ୟନ୍ତ ପ୍ରେରଣା ପାଇବି କେଉଁ ଠୁ?ଗୋଟିଏ କିରାଣୀ ଘରର ଝିଅ ଚୁମୁକୀ । କନୁରାଗ ଚନ୍ଦ୍ର ହେଲେ ସେ ବାମନ ! କିପରି ଏ କଥା ଭାବିବ ଓ ବିଶ୍ୱାସ କରିବ । ସମାଜ ତଥା ଅନୁରାଗର ବାପା କ'ଣ ଏ ଦୁହିଁଙ୍କର ମନର ଆବେଗକୁ ଓ ଭଲ ପାଇବାକୁ ସମ୍ମାନ ଦେବେ? ପଢାପଢି ଓ ପରୀକ୍ଷା ପ୍ରସ୍ତୁତି ପାଇଁ ଯେବେ ଅନୁରାଗର ଗ୍ରାମକୁ ଆସିବା ବେଶୀ ଦିନ ଡେରି ହୁଏ । ତେବେ ଚୁମୁକୀର ଦୁର୍ବଳ ଆଶା ମଉଳି ଯାଇ ଶୁଖିବାକୁ ଲାଗେ । ପୁଣି ଅନୁରାଗ ସହିତ ଦେଖା ହେଲେ ସେ ମାଉଳା ଆଶାର ବୃକ୍ଷଟା ଫଳ ପୁଷ୍ପରେ ମଣ୍ଡିତ ହୋଇଯାଏ । ଚୁମୁକୀ ମନର ପବିତ୍ରତା, କୋମଳ ଓ ଉଜ୍ଜ୍ବଳ ହୃଦୟକୁ ଚିହ୍ନି ପାରିଥିଲା ଅନୁରାଗ । ସେ କେତେ ଝିଅକୁ ଦେଖିଛି, ଚୁମୁକୀ ପରି ଦ୍ବିତୀୟ ଝିଅ ଦେଖିନି । ଅନୁରାଗର ଜନ୍ମ ଦିନରେ ଗୋଟିଏ କଲମ ଉପହାର ଦେଇଥିଲା ଚୁମୁକୀ । ସେ ଗୋଟିକ ସେ ସାଇତି ରଖିଛି ତାର ସ୍ନେହର ସନ୍ତକ ଭାବରେ । ୟା' ଭିତରେ ଚୁମୁକୀ ବି.ଏସ୍.ସି ପାସ୍ କରି ସାରିଲା । ବାପାଙ୍କର ଆର୍ଥୀକ ସ୍ୱ
ଚ୍ଛଳ ନ ଥିବାରୁ ଅଧିକ ପଢିପାରିଲାନି । ଘର କାମରେ ମା'ଙ୍କୁ ସାହାଯ୍ୟ କରେ, ସାନ ଭାଇ ଭଉଣୀଙ୍କ ପାଠପଢା ଦେଖୁଥିଲା । ଏମିତି ଗୋଟିଏ ଦିନ ନ ଥିଲା ଯେଉଁ ଦିନ ଅନୁରାଗକୁ ମନେ ପକାଉ ନଥିଲା ଚୁମୁକୀ । ଯେତିକି ମନେ ପକାଉଥିଲା ସେତିକି ନିରାଶ ହେଉଥିଲା । ବାପାଙ୍କର ସାଙ୍ଗ ଥରେ କୌଣସି କାମରେ ତାଙ୍କ ଘରକୁ ଆସିଥିଲେ । ପଚାରିଲେ, ଆରେ କରୁଣା ତୋ ଝିଅଟି ଗୋଟିଏ କଣ୍ଢେଇ ପରଗ ସୁନ୍ଦର କେଉଁଠି ବରପାତ୍ର ଠିକ କଲୁଣି? କରୁଣାକର କହିଲେ ଖାଲି ସୁନ୍ଦର ଦେଖି କିଏ ରାଜି ହେବ? ବିଶେଷ ଦେଇ ନେଇ ପାରିବାର କ୍ଷମତା ତ ମୋର ନାହିଁ । ଶ୍ୟାମ ବାବୁ ପ୍ରସ୍ତାବ ଟିଏ ଦେଲେ, ତାଙ୍କ ଶଢୁର ପୁଅ ଓ.ଏ.ଏସ୍,ଶୁଭକାନ୍ତ ରଥ କିଛି ଯୌତୁକ ଦେବା ଦରକାର ନାହିଁ । ସୁନ୍ଦର ଶିକ୍ଷିତା ଝିଅଟିଏ ତାଙ୍କର ଦରକାର । ସବୁଠିକ୍ ହୋଇ ଗଲା । ସେମାନେ ଦେଖି ଖୁସିରେ ରାଜି ହୋଇଗଲେ । କିନ୍ତୁ ଚୁମୁକୀ ମନରେ ଖୁସି ନ ଥାଏ । ଛେଳି ପାଣି କି ଟଣା ହୋଇ ଗଲାପରି ସେ ଟାଣି ହୋଇ ଯାଉଥାଏ । ଅନିଚ୍ଛା ସତ୍ତ୍ୱେ ଶୁଭକାନ୍ତ ସହିତ ଚୁମୁକୀର ବିବାହ ସମ୍ପୂର୍ଣ୍ଣ ହେଲା । ମନରୁ ଭୁଲି ପାରୁ ନ ଥାଏ ଅନୁରାଗ ଚିଠିର ସେ କେଇପଦ କଥାକୁ । ଭିତରେ କୁହୁଳି କୁହୁଳି ଜଳୁଛି ସେ, ନିର୍ବାପିତ ହେଉନି ସେ କୋହାଗ୍ନି । କିପରି ଏ ନିରବ ଯନ୍ତ୍ରଣାରୁ ମୁକ୍ତି ପାଇବ । ଏ ମଧ୍ୟରେ ଅନୁରାଗ ଗାଇନିକ୍ ରେ ସ୍ପେସିଆଲାଇଜେସନ କରି ଯୋଗ ଦେଇଛି ଏକ ନାମକରା ହସ୍ପିଟାଲରେ । ଶୁଣି ପାରିଛି ଚୁମୁକୀର ବିବାହ ହେବା କଥା । ମନରେ ଅଶେଷ କଷ୍ଟ ନେଇ ବଞ୍ଚିଛି ଅନୁରାଗ । ମନରେ ଭାବୁଛି ଏହି ପରି ଅପୂର୍ଣ୍ଣ ଜୀବନ ନେଇ ବଞ୍ଚିବି ! ହୃଦୟରେ ଚୁମୁକୀର ସ୍ମୃତିକୁ ପାଥେୟ କରି । କିନ୍ତୁ ତା ସହିତ ଯୋଗାଯୋଗ କରିବି ନାହିଁ । କାଳେ ତା ଦାମ୍ପତ୍ୟ ସୁଖରେ ଆଘାତ ଲାଗିବ । କିନ୍ତୁ ଗୋଟିଏ ମୂହୁର୍ତ୍ତ ଚୁମୁକୀକୁ ଭୁଲି ନାହିଁ କି ମନରୁ କାଢ଼ି ନାହିଁ । ନିରବ ଭାବରେ ଆନ୍ଦୋଳିତ ହେଉଥିବା ମନ ଓ ଦେହ ବେଶୀ ଦିନ ସୁସ୍ଥ ରହିପାରିଲା ନାହିଁ । ଚୁମୁକୀ ଭୟଙ୍କର ଭାବରେ ଅସୁସ୍ଥ ହୋଇ ପଡ଼ିଲା । ଶୁଭକାନ୍ତ ବାବୁ ବ୍ୟସ୍ତ ହୋଇପଡିଲେ । କେତେ ଜାଗାରେ ଗାଇନିକ୍ ଡାକ୍ତର ଦେଖାଇ କିଛି ଫଳ ମିଳିଲା ନାହିଁ । ଚୁମୁକୀ ଭାବୁଥାଏ ଥରଟିଏ ଅନୁରାଗଙ୍କ ସହିତ ଦେଖା ହୁଅନ୍ତାନି। ମନରେ ଏ ଗ୍ଳାନିକୁ ସାଇତି ରଖିଥିବାରୁ ମୁଁ ଶାନ୍ତିରେ ମରି ପାରୁନି । ତାଙ୍କ ନିକଟରେ ମୋର ଗ୍ଳାନି ଭରା ପାତ୍ରକୁ ଅଜାଡି ଦେଇ ଶାନ୍ତିରେ ଆଖି ବୁଜନ୍ତି । କଥାରେ ଅଛି "ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ।" ଅନୁରାଗ ଭଲ ଡାକ୍ତର ଶୁଣି ଶୁଭକାନ୍ତ ଚୁମୁକୀକୁ ନେଇ ସେଠାକୁ ଗଲେ । କିଛି ସମୟ ପରେ ଅନୁରାଗ ଆସିଲେ । ପ୍ରଥମ ପେସେଣ୍ଟ ସେଦିନର ଚୁମୁକୀ ରଥ, ଶୁଭକାନ୍ତ ରଥଙ୍କ ସ୍ତ୍ରୀ । ଚମକି ପଡିଲେ ଅନୁରାଗ ! ଭାବିଲେ ମୋ ଆଦରର ଚୁମୁକୀ ଆଜି ଅସୁସ୍ଥ । ଆଜି ମୁଁ ତାକୁ ଆଖି ପୁରେଇ ଦେଖି ପାରିବି । ଅନୁରାଗକୁ ଦେଖି ଚୁମୁକୀ ଆଶ୍ଚର୍ଯ୍ୟ ହୋଇ ଖଟିଆରେ ଶୋଇ ନିର୍ନିମେଷ ନୟନରେ ଚାହିଁ ରହି ଲୁହ ଗଡାଇ ଚାଲି ଥାଏ । ସବୁ ପ୍ରକାର ପରୀକ୍ଷା କରିସାରି ଜାଣି ପାରିଲେ ନାହିଁ କେଉଁଥି ପାଇଁ ଏତେ ବଡ ଅସୁସ୍ଥତା । ଚୁମୁକୀ ଅନୁରାଗଙ୍କ ହାତ ଦୁଇଟି ଧରିପକାଇ କୋହ ଉଠାଇ, ମୋତେ କ୍ଷମା କରଗଦେବ ଅନୁରାଗ । ଆଶା, ମୋ ନିରବ ଯନ୍ତ୍ରଣାକୁ ବୁଝି ପାରିବ... କହି ସବୁଦିନ ପାଇଁ ଆଖି ବୁଜିଲା ଚୁମୁକୀ । କେଇଧାର ଲୁହରେ ଅନୁରାଗ ଧୋଇ ଦେଉଥିଲେ ସେ ଯନ୍ତ୍ରଣାକୁ । ତାଙ୍କ ଦୁଇ ଜଣଙ୍କର ସେ ସ୍ୱର୍ଗୀୟ , ଅମୂଲ୍ୟ ଆନ୍ତରିକତା ଓ ନିର୍ମଳ ପ୍ରେମରେ ଆଭାସ ହେଉଥିଲା ସେ କୋଠରୀଟି । ପ୍ରେମୀ ଯୁଗଳଙ୍କର ପ୍ରତିଶୋଧ ପରାୟଣତା, ସ୍ନେହ ଓ ପ୍ରେମର ଉତ୍ସକୁ ମାରିଦିଏ । ତାହା ଆବିଳତା ଭରା ପ୍ରେମ, ଯାହା ସମାଜକୁ କଷ୍ଟ ଦିଏ । ଭୟ ସଞ୍ଚାର କରେ । ପ୍ରେମର ମହତ୍ତ୍ୱ ନଷ୍ଟ କରିଦିଏ । ଚୁମୁକୀ ଓ ଅନୁରାଗଙ୍କ ପ୍ରେମ ଆଦର୍ଶଣୀୟ ଥିଲା ।