ନିମ୍ନଗାମୀ
ନିମ୍ନଗାମୀ
ସନ୍ଧ୍ୟା ନଇଁ ନଇଁ ଆସୁଥିଲା |ପାହାଡ଼ମଥାରୁ ସୂର୍ଯ୍ୟ ନିମ୍ନଗାମୀ ହେଲେଣି |ଆକାଶରେ ନିଡ଼ଫେରା ପକ୍ଷୀ ମାନଙ୍କର ରୋଷଣୀ |ଘରପାଖ ପଡିଆରେ ବୁଲୁଥିଲେ ନବମାଷ୍ଟ୍ରେ |ବୁଢା ହୋଇଗଲେଣି, ଏଇ ଗାଁ ସ୍କୁଲରେ ଚାକିରୀ କରି ଅବସର ନେଇଥିଲେ ପ୍ରାୟ ଆଜିକୁ କୋଡିଏ ବର୍ଷ ହେବଣି |କେତେ ପିଲାଙ୍କୁ ସେ ଗଢ଼ିଛନ୍ତି ତାଙ୍କ ଜୀବନରେ |ଖାଲି ଗଢି ନଥିଲେ,ମଣିଷପଣିଆ ବି ସେମାନଙ୍କ ହୃଦୟରେ ଭରିଦେଇଥିଲେ |ଆଜି ବି ସେମାନେ ଦେଖାହେଲେ ଆଭୂମ ପ୍ରଣାମ କରନ୍ତି ତାଙ୍କୁ |କିନ୍ତୁ ଆଜିକାଲିକା ପିଲାମାନଙ୍କଠାରୁ ସେସବୁ ଆଶା କରିବା ବୃଥା, ଗରିବଗୁରୁବାଙ୍କୁ ସାହାଯ୍ୟ କରିବା କଥା ତ ନାହିଁ, ବରଂ ସେମାନଙ୍କ ଦାରିଦ୍ର୍ୟକୁ ପରିହାସ କରି ଖୁସି ହେଉଛନ୍ତି |ଏସବୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି ନବମାଷ୍ଟ୍ରେ, ଏତେଶୀଘ୍ର କେମିତି ବଦଳିଗଲା ସମାଜଟା !ପାଠର ପରିସର ତ ଦିନକୁଦିନ ବଢିଚାଲିଛି, ଆଗକlଳଠାରୁ ଏବେତ ଅଧିକ ସ୍କୁଲକଲେଜ ତିଆରି ହୋଇଛି, ସମସ୍ତେ ବି ଏବେ ଶିକ୍ଷିତଭଳି ଲାଗୁଛନ୍ତି |କିନ୍ତୁ ନବମାଷ୍ଟ୍ରେ ଅନୁଭବ କରୁଥିଲେ, ସବୁକ୍ଷେତ୍ରରେ ସମାଜ ଆଗେଇଛି, ଆଗଭଳି ଲୋକମାନେ ଆଉ ଅଭାବରେ ନାହାଁନ୍ତି |ଗାଁକୁ ଗାଁ ବସ ବି ଚାଲୁଛି, ମାଟିଘରସବୁ କୋଠାଘରରେ ବଦଳିଗଲାଣି ସମସ୍ତଙ୍କର ରୋଜଗାର ବଢିଛି, ହେଲେ ସମାଜରେ ମଣିଷପଣିଆର ଅଧୋପତନ ହୋଇଚାଲିଛି ଯେମିତି |ଆଗେ ଗାଆଁରେ ସାହିପଡିଶାରେ ପରସ୍ପର ଭିତରେ ଯେଉଁ ସ୍ନେହ ସମ୍ପର୍କ ଥିଲା, ଆଉ ସେ ସବୁ ନାହିଁ |ବିପଦଆପଦ କି ଭଲମନ୍ଦ କାମରେ ପାଖରେ ଛିଡା ହୋଇଯାଉଥିଲେ ଲୋକେ, ସହଯୋଗର ହାତ ବି ବଢ଼ାଇ ଦେଉଥିଲେ ଅଭାବ ଅସୁବିଧା ସମୟରେ |ହେଲେ ଆଜି, ସେସବୁ ଆଉ କାହିଁ !ଏବେ ତ ଖାଲି ହିଂସାବାଦରେ ପୁରିଛି ସମସଙ୍କର ମନ,ଜଣେ ଅନ୍ୟ ଜଣଙ୍କ ଠାରୁ ଆଗେଇଯିବାର ଚେଷ୍ଟା, ଆପେ ବଞ୍ଚିଲେ ବାପାର ନାଁ ନ୍ୟାୟରେ ସମସ୍ତେ ନିଜ ନିଜ ବାଟରେ ଚାଲୁଛନ୍ତି |ଆଗଭଳି ଆଜି ଆଉ ଯୌଥ ପରିବାର ନାହିଁ, ସେତେବେଳେ ଘରର ମୁରବୀଙ୍କ କଥାରେ ସମସ୍ତେ ଚଳନ୍ତି, ସମ୍ମାନ ବି ଦିଅନ୍ତି, ମୁରବୀ ମଧ୍ୟ ପରିବାରର ସବୁ ସଦସ୍ୟଙ୍କ ଆବଶ୍ୟକତା କୁ ପୂରଣ କରିଥାନ୍ତି |କାହାମନରେ କlହାପ୍ରତି ବିଦ୍ବେଷଭାବ ନଥିଲା |ଆଉ ଆଜିକାଲି ପୁଅମାନେ ବାହାହେଉ ହେଉ ଭିନ୍ନେ ଚଳିବାକୁ ଚାହୁଁଛନ୍ତି |କଣ୍ଟା ବାଡ଼ରେ ଲୁଗା ପକାଇଲା ପରି ଜାଣିଶୁଣି କଳି ଆରମ୍ଭ କରି ଅଲଗା ହୋଇଯାଉଛନ୍ତି |ବାପାମାଆ, ଯେଉଁ ମାନଙ୍କ ପାଇଁ ସେମାନେ ଆଜି ବଡ଼ ହୋଇଛନ୍ତି, ସେମାନଙ୍କ କଥା ବୁଝିବାକୁ ସମୟ ନାହିଁ |କେତେ କଳୁଷିତ ହୋଇଗଲା ସତେ ସମାଜଟା |
ନିଜ ପରିବାର କଥା ଭାବୁଥିଲେ ନବମାଷ୍ଟ୍ରେ |ଦୁଇପୁଅ ତାଙ୍କର |ସାନପୁଅର ବାହାଘର ପରେ ପରେ ହିଁ ଭିନ୍ନେ ହୋଇଗଲେ ଦୁହେଁ |ସାନପୁଅ ଆଗେ ନାଟ ବାହାର କଲା |ବଡପୁଅର କେବଳ ତିନିଟା ଝିଅ, ବଡ଼ ଝିଅଟାର ବାହାବୟସ ହୋଇଗଲାଣି, କାଳେ ତା ବାହାଘର ପାଇଁ କୋଠରୁ ଜମିବାଡ଼ି ଖଣ୍ଡେ ବିକ୍ରି ହୋଇଯିବ ,ସେଥିପାଇଁ ସାନମନରେ ସନ୍ଦେହ ସୃଷ୍ଟି ହେଲା, କଳିକଜିଆ ଲାଗି ଅଲଗା ହୋଇଗଲେ |ଜମିବାଡ଼ିକୁ ଦୁଇଭାଗ କରିଦେଲେ |ହେଲେ ବାପାମାଆ କେମିତି ରହିବେ, ସେକଥା କେହି ଚିନ୍ତା କଲେନାହିଁ |ସାନପୁଅ କହିଲା, ବାପା ତାଙ୍କ ପେନସନ ଟଙ୍କା ଯାହାକୁ ଦେବେ, ତାଙ୍କରି ଘରେ ଖାଇବେ |ସେଦିନ ଭାରି ବାଧିଥିଲା ନବମାଷ୍ଟ୍ରଙ୍କୁ |ଭାବୁଥିଲେ, ସେ କେବେତ ଏଭଳି ସଂସ୍କାର ଶିଖାଇନଥିଲେ ପିଲାମାନଙ୍କୁ |ନୀରବ ରହିଥିଲେ ସେଦିନ ସିଏ |ସେଇଦିନଠାରୁ ସେ ବି ଅଲଗାହୋଇଗଲେ ପୁଅମାନଙ୍କଠାରୁ ଅଭିମାନରେ |ଗୋଟିଏ ଘରେ ତିନିତିନିଟା ଚୁଲି ଲାଗିଲା |ଭାବୁଥିଲେ ନବମାଷ୍ଟ୍ରେ, ଏଇତ ରକ୍ତ ସମ୍ପର୍କ, ପର ଜଣେ କାହିଁକି କାହା ପାଇଁ ଦରଦୀ ହେବ ! ସୂର୍ଯ୍ୟ ଅସ୍ତ ହୋଇଗଲେଣି କେତେବେଳୁ | ଅନ୍ଧାର ଘନେଇ ଆସୁଥିଲା ଧୀରେ ଧୀରେ |ଘରକୁ ଫେରିଲେ ନବମାଷ୍ଟ୍ରେ,ଅନୁଭବ କରୁଥିଲେ, ତାଙ୍କ ଜୀବନଟା ଯେମିତି ଅନ୍ଧାରରେ ଧୀରେ ଧୀରେ ମିଳେଇ ଯାଉଛି ।
