The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Gangotri Priyadarshini

Tragedy

4.0  

Gangotri Priyadarshini

Tragedy

ନୀରବ ପ୍ରେମର ଆତ୍ମହତ୍ୟା

ନୀରବ ପ୍ରେମର ଆତ୍ମହତ୍ୟା

4 mins
235



ଆଜି ଏମିତି ଛାତରେ ଥିବା ସମୟରେ ଅଚାନକ ନଜର ଚାଲିଗଲା ପଶ୍ଚିମାକାଶର ଘର ବାହୁଡ଼ା ଲୋହିତ ସୁର୍ଯ୍ୟ ଉପରକୁ  । କେତେ ଭ୍ରମ ସୃଷ୍ଟି କରେ ଏ ସନ୍ଧ୍ୟା । ଶିକ୍ଷା ଦେଇଯାଏ ଉତ୍ଥାନପତନରେ ଭରପୁର ଏ ଜୀବନ, ସବୁ କିଛି କ୍ଷଣ ଭଙ୍ଗୁର ଏ ନସ୍ୱର ସଂସାରରେ  । ଅସ୍ତଗାମି ସୂର୍ଯ୍ୟର ଈଶାରା ସବୁ କିଛି ସହି ଆଗକୁ ବଢ଼ିବାକୁ ହେବ  ।

ମୁଁ ଉନ୍ନତି ଅସ୍ମିତା, ବର୍ତ୍ତମାନ ବୟସର ଅପରାହ୍ନରେ  । ଯାହା ସବୁ ଏବେ ପରିଷ୍କାର ହୋଇ ମନେ ପଡିଯାଉଛି, ସେସବୁ ଅନୁଢ଼ା କିଶୋରୀ ବୟସର ମୂର୍ଖାମି ପାଗଳାମୀ କହିଲେ ଅତ୍ୟୁକ୍ତି ହେବ ନାହିଁ । ପାଠ ପଢା ସରୁ ସରୁ ସୁଦୂର ବାଲେଶ୍ଵରରେ ସରକାରୀ ଚାକିରୀ କରୁଥାଏ ।  ଘରଠୁ ଏକା ପ୍ରଥମ କରି ରହୁଥାଏ  । ଅଫିସ ସମୟ ତକ ଯେନତେନ କଟିଯାଏ ମାତ୍ର ତା ପର ସମୟ ସବୁ ଏକା ଏକା ବିରକ୍ତିକର ମନେ ହୁଏ ।  ଏମିତି ଦିନେ ସନ୍ଧ୍ୟାରେ ଅଫିସରୁ ଫେରୁ ଫେରୁ, ଆଉ କିଛି ବାଟ ଥାଏ ଭଡା ଘରେ ପହଞ୍ଚିବାକୁ  । ଅଚାନକ ବର କୋଳିଆ ଟୋପା ବର୍ଷା, ଅବଶ୍ୟ ବର୍ଷା ଦିନ ଭଲ ପାଗ ଥିବାରୁ ଛତା ନେବାକୁ ଭୁଲି ଯାଇଥିଲି  । କଣ କରିବି ଭାବି ପାଖ ବସ ଷ୍ଟାଣ୍ଡରେ ଥିବା ରେଷ୍ଟ ସେଡକୁ ଦଉଡ଼ି ଗଲା ବେଳକୁ ମୋ ବାଆଁ ଗୋଡ ମୋଡି ହୋଇ ଚପଲଟା ଛିଡିଗଲା, ଠିକ୍ ଧଡାମ୍ କରି ପଛ ପଟୁଆ ପଡ଼ିଲା ବେଳକୁ କେହି ଜଣେ ସେହି ରେଷ୍ଟ୍ ସେଡ ମୁହାଁ ଲୋକ ମୋତେ ପଛରୁ ସମ୍ଭାଳି ନେଲା । ବଞ୍ଚିଗଲା ମଣିଷ, ହେଲେ ଭାରି ଅପ୍ରତିଭ, ଅସହଜ ମନେ ହେଉଥାଏ  । କାନ୍ଦ କାନ୍ଦ ହେଇଗଲି, କଣ କରିବି କିଛି ଭାବି ପାରୁ ନଥାଏ  । କେତେ ଆଖି ସେପଟୁ ଚାହିଁ ରହି ଥାଆନ୍ତି ।  ସଳଖି ଠିଆ ହେଲି, କାନ୍ଦ କାନ୍ଦ ହୋଇ ସେ ଲୋକକୁ ଧନ୍ୟବାଦ ଦେଲି, ମୋତେ ବଞ୍ଚେଇ ଥିବାରୁ  ।

ଇଆଡ଼େ ଗୋଡ ଉଠେଇଲା ବେଳକୁ ଚପଲ ଛିଡ଼ା । ଧେତ୍, ସେ ଲୋକ ଜଣଙ୍କ ମୋତେ ଟିକେ ଶାନ୍ତ ହେବାକୁ କହି ମୋ ଚପଲକୁ ହଠାତ୍ ଉଠେଇ ନେଲେ, ମୁଁ ମନା କରୁଥାଏ, କହିଲେ ଆସନ୍ତୁ ଟିକେ ବର୍ଷା କମିଗଲେ ପାଖରେ କୋଉଠି ମୋଚି ଦେଖି ସିଲେଇ କରିଦେବା  । କେମିତି କେଜାଣି ମୁଁ ଯେମିତି ସବୁ ମାନି ଯାଉଥାଏ ତାଙ୍କ କଥା ସବୁ । ଆମେ ଦୁଇଜଣ ବର୍ଷାରୁ କଣ ବଞ୍ଚିବୁ ପୁରା ଜୁଡୁବୁଡୁ ଓଦା  ।

ମୋତେ ସହଜ କରିବାକୁ ଯାଇ ସେ ଲୋକ ଜଣଙ୍କ କହିଲେ ମୁଁ ଶାନ୍ତନୁ, ଏଇ ବାଟରେ ଅଫିସ୍ ନିତି ଯିବା ଆସିବା କରେ । ଇରିଗେସନ୍ ବିଭାଗରେ ପାଞ୍ଚ ବର୍ଷ ହେଲାଣି କାମ କରୁଛି, ମୋ ଘର ସମ୍ବଲପୁରରେ  । ମୁଁ ଧିରେ ଧିରେ ସହଜ ହେଉଥିଲି, ଆଉ ଚୁପଚାପ୍ ତାଙ୍କ କଥା ଶୁଣି ଆଗକୁ ବଢୁଥିଲୁ ।  ବର୍ଷା ଟିକେ କମି ସାରିଥାଏ, ଶାନ୍ତନୁ ଅଚାନକ ରାସ୍ତା କଡର ମକା ପୋଡ଼ା ଠେଲା ଗାଡି ଦେଖି କହିଲେ ଚାଲନ୍ତୁ ମାଡାମ୍ ଟିକେ ପୋଡ଼ା ମକା ଖାଇବା, ମୁଁ ମନା ବି କରି ପାରୁ ନଥିଲି  । ମୁଁ କହିଲି ମାତ୍ର ଗୋଟେ ସର୍ତ୍ତରେ, ପଇସା ମୁଁ ଦେବି, ନା ନା ଏ କି କଥା ଇଚ୍ଛା ମୋର  । ମୁଁ ଆଉ ବାଧ୍ୟ କରି ନପାରି କହିଲି ହଉ ଚାଲନ୍ତୁ  । ମୁଁ ସେଦିନର ପୋଡ଼ା ମକାର ବାସ୍ନା ଆଜି ବି ଭୁଲି ପାରିନାହିଁ  । ସ୍ମୃତି ଆଉ ଦୀର୍ଘଶ୍ୱାସ ଛଡା ଆଜି ଆଉ ପାଖରେ ମୋର କିଛି ନାହିଁ । ହଁ ଛାଡ଼ନ୍ତୁ ସେ ସବୁ, ସେ ମକା ଖାଇବା ଭିତରେ ମୁଁ ମୋ ପରିଚୟ ଦେଇ ସାରିଥାଏ, ଲାଗୁନଥିଲା ଯେ ମୁଁ ଜଣେ ଅପରିଚିତ ଲୋକ ସହ କଥା ହେଉଛି । ଅଳ୍ପ ଚିହ୍ନା ଭିତରେ ଶାନ୍ତନୁ ଭାରି ମେଳାପି ଆଉ ଅମାୟିକ ଲୋକ ବୋଲି ମୁଁ ଜାଣି ସାରିଥାଏ  । କିଛି ସମୟ ପରେ ଦୁହେଁ ଦୁହିଁଙ୍କ ଠାରୁ ବିଦାୟ ନେଲୁ  । ହେଲେ କାହିଁକି କେଜାଣି ମନ ସେଇଠି ସେମିତି ଠିଆ ହୋଇ ରହିବାକୁ ବାଧ୍ୟ କରୁଥାଏ  ।

ତାପରେ ଜାଣିଶୁଣି ଆମେ ପ୍ରାୟ ଅଫିସ ଛୁଟି ପରେ ବେଶୀ କିଛି କାମ ନଥିଲେ, ସବୁ ସନ୍ଧ୍ୟାରେ ଦେଖା ସାକ୍ଷାତ ହେବା ନିତି ଦିନିଆ ଅଭ୍ୟାସରେ ପରିଣତ ହେଲା । ପାଳି କରି ଦିନେ ଛାଡ଼ି ଦିନେ ମକା ପାଇଁ ପଇସା ଦେଉ । ଏଇ ମକା ଖୁଆ ଖୁଇରେ ଅଜାଣତରେ ମନ ଦିଆ ନିଆ ସରି ଯାଇଥାଏ, ହେଲେ କେହି ମୁହଁରେ ସ୍ୱୀକାର କରିନଥାଉ ସେଯାଏ । କେବେ କେମିତି ଦେଖା ହେଲେ ମନ ଗୋଳମାଳ ହୁଏ । ଏମିତି ଏମିତି କିଛି ମାସ ଗଲା  । ସେତେବେଳେ ମୋବାଇଲ୍ ଫୋନର ସୁବିଧା ନଥାଏ । ମନେ ମନେ ଶାନ୍ତନୁ ଙ୍କୁ ମୁଁ ନିଜର ଭାବିବା ଆରମ୍ଭ କରି ସାରିଥାଏ, ମାତ୍ର ମନ କଥା ମନ ଭିତରେ ଥାଏ । ବିଚ୍ଛେଦର ଲେଶ ମାତ୍ର କାରଣ ନଥାଏ । ମୁଁ ଅପେକ୍ଷା କରିଥାଏ ସେ କେବେ ମୋତେ ତାଙ୍କ ମନ କଥା କହିବେ, ଆଉ ତାପରେ ମୁଁ?

ଏମିତି ଦିନେ ଶାନ୍ତନୁ ମୋତେ କହିଲେ ତୁମେ କାଲି ଟିକେ ଶାଢ଼ୀ ପିନ୍ଧି ଅଫିସ ଆସିବ, ଟିକେ ଅସ୍ତଗାମୀ ସୂର୍ଯ୍ୟ କିରଣରେ ମୁଁ ତୁମକୁ ଦେଖିବାକୁ ଚାହୁଁଛି ଶାଢ଼ୀରେ, କିଛି ବୁଝି ପାରିଲିନି, ଖୁସିରେ ହଁ ମାରିଦେଲି, ଭାବିଲି ନିଶ୍ଚେ ଶାନ୍ତନୁ ମୋତେ ତାଙ୍କ ମନ କଥା କହିବେ । କେମିତି ତା ପରଦିନ ସନ୍ଧ୍ୟା ହେବ, ମୋତେ କିଛି ଜଣା ପଡୁନଥାଏ । ଅଫିସ୍ ପରେ ଜଲଦି ବାହାରି ଗଲି ପୂର୍ବ ନିର୍ଦ୍ଧାରିତ ଜାଗାକୁ । ଅଚାନକ ବର୍ଷା, ପୁରା ଓଦା, ମୋତେ କିଛି ଫରକ ପଡୁନଥାଏ । କେମିତି ଦେଖା ହେବ ମୋ ମନର ମଣିଷ ସହ । କେତେବେଳେ ପହଞ୍ଚିବେ ଶାନ୍ତନୁ, ସମୟ ଗଡ଼ି ଚାଲୁଥାଏ ତା ସହ ମନରେ ଛନକା ପଶୁଥାଏ ।

ସମୟ ସରିଗଲା, ମନ ବି ଭାଙ୍ଗି ଗଲା । ଏଯାଏ ଜାଣି ପାରିଲିନି ଶାନ୍ତନୁ କାହିଁକି ଆସିଲେନି ଖାଲି ସେଦିନ ନୁହେଁ ସେ ଆଉ କେବେବି ଆସିଲେନି, ନିତି ଯିବା ଆସିବା ବାଟରେ ଆଖି ତାଙ୍କୁ ହିଁ ଖୋଜି ବୁଲେ । ଯେହେତୁ ମୁଁ ତାଙ୍କ ଘର ଠିକଣା କି ତାଙ୍କର କେହି ବନ୍ଧୁଙ୍କୁ ଜାଣି ନଥିଲି, ଖୋଜି ପାଇବା ବି ଆଉ ସମ୍ଭବ ହେଲାନି  ।

ମନର ଅଶାନ୍ତ ଝଡ଼ ଭିତରେ ବଞ୍ଚିବା ମୁସ୍କିଲ ହେଇଗଲା । ଶାନ୍ତନୁଙ୍କ ସହ ସ୍ମୃତି ଖାଇ ଗୋଡେଇଲା ମୋତେ ।

କାହାକୁ କିଛି କହିବାର ଅବକାଶ ନଥିଲା  । ଯେନତେନ ପ୍ରକାରେ ଘର ଲୋକଙ୍କୁ ବୁଝେଇ ଚାକିରୀ ଛାଡ଼ିଦେଲି  । ଏଇ ଭିତରେ ବହୁତ ବର୍ଷ ବିତି ଯାଇଛି, ହେଲେ ମୋ ମନ କୋଉଠି ନା କୋଉଠି ଶାନ୍ତନୁଙ୍କୁ ସେମିତି ଅପେକ୍ଷା କରି ରହିଛି । ସେ ଦୃଶ୍ୟପଟ ଆଜିବି ସମୁଜ୍ଜ୍ଜଳ ।

ମନ ଗୁମୁରି କାନ୍ଦେ, କୁଆଡେ ଚାଲିଗଲ ଶାନ୍ତନୁ?ଯୋଉଠି ଥାଅ ଖୁସିରେ ଥାଅ । ତୁମ ବିନା ସବୁ ଆଜିବି ମୋ ପାଇଁ ତୁଚ୍ଛ । ଏ ଅସ୍ତରାଗର ଗୋଧୂଳି ମୋତେ ସେବେଠୁଁ କଷ୍ଟ ଦେଉଛି, ମୁଁ ପ୍ରତ୍ୟେକ ମୁହୂର୍ତ୍ତ ତୁମ ସ୍ମୃତିରେ ବଞ୍ଚୁଛି ଶାନ୍ତନୁ ।  ସାରା ଜୀବନ ତୁମକୁ ଅପେକ୍ଷା କରିବା କଣ ମୋର ଭବିତବ୍ୟ ????



Rate this content
Log in

More oriya story from Gangotri Priyadarshini

Similar oriya story from Tragedy