Sambit Srikumar

Tragedy Fantasy Thriller

4.7  

Sambit Srikumar

Tragedy Fantasy Thriller

ନୀଳଛବି

ନୀଳଛବି

7 mins
258



ସୋସିଆଲ ମିଡିଆରେ ଭାଇରାଲ୍ ହୋଇ ସ୍ମାର୍ଟ୍ ଫୋନ୍.ରୁ ସ୍ମାର୍ଟ୍ ଫୋନ୍ ଘୁରି ବୁଲୁଥିଲା ନୀଳଛବିଟିଏ! ଗାଁଗଣ୍ଡାରୁ ଆରମ୍ଭ କରି ସହର ମହାନଗରର ଆବାଳବୃଦ୍ଧବନିତା ବେଶ୍ ଉତ୍ସାହିତ ହୋଇ ଅବଲୋକନ କରୁଥିଲେ ଏହି ଅତି କ୍ଷୁଦ୍ର ଅବଧିର ଚଳଛବିଟିକୁ, ଅବଶ୍ୟ ଏକାନ୍ତ ନିରୋଳାରେ! ଯଦିଓ ଏଥିରେ ଅଭିନୟ କରିଥିବା ନାୟକ ନାୟିକାଙ୍କ ମୁଖ ମଣ୍ଡଳ ସଂପୂର୍ଣ୍ଣ ଭାବେ ଦୃଶ୍ୟମାନ ହେଉନଥିଲା ତଥାପି ଏହି ଖୁଣ ଚଳଛବିଟିର ଲୋକପ୍ରିୟତା ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା।

ବନାଗ୍ନି ପରି ଜନପଦ ଗୁଡିକର ଭୌଗୋଳିକ ସୀମାରେଖା ଅତିକ୍ରମ କରି ଦେଶ ବିଦେଶରେ ପ୍ରଚୁର ଦର୍ଶନାଦୃତି ହାସଲ କରିବାରେ ସକ୍ଷମ ହୋଇଥିଲା ଏହି ନୀଳଛବିଟି ଖୁବ୍ କମ୍ ସମୟ ମଧ୍ୟରେ। ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଥିଲା ଏହି ନୀଳଛବିଟିର ଆକର୍ଷଣ। ଦୃଶ୍ୟମାନ ନାୟକ ନାୟିକାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଦୃଶ୍ୟ ସବୁଠିଁ ଚର୍ଚ୍ଚାର ଥିଲା କାରଣ। କହିବା ବାହୁଲ୍ୟ ଉଚ୍ଚ ଗୁଣାତ୍ମକମାନର ଥିଲା ଏହି ନୀଳଛବିଟି। ଏହି ବାବଦରେ ତଥ୍ଯାଭିଜ୍ଞ ବିଶେଷଜ୍ଞମାନେ ମତ ଦେଉଥିଲେ ଯେ, "ବିଶେଷ ଯତ୍ନର ସହିତ ନୀଳଛବିଟି ପ୍ରସ୍ତୁତ କରାଯାଇଥିବା ପରି ପ୍ରତୀୟମାନ ହେଉଛି"। 

ଠିକ୍ ଏହି ସମୟରେ ଦେଶର ଜନୈକ ଜଣାଶୁଣା ଯୁବ ଉଦ୍ଯୋଗପତି ତାଙ୍କୁ ଅଜ୍ଞାତ ଆତତାୟୀମାନଙ୍କ ଠାରୁ ଜୀବନରୁ ମାରିଦେବା ପାଇଁ ଧମକ ମିଳୁଥିବାର ଅଭିଯୋଗ ନେଇ ନୂଆଦିଲ୍ଲୀର ମଧ୍ଯସ୍ଥଳୀରେ ଅବସ୍ଥିତ ଏକ ପୋଲିସ୍ ଥାନାରେ ହାଜର ହେଲେ। ତାଙ୍କର କହିବା ମୁତାବକ ଦୀର୍ଘ ଦିନ ଧରି ଭିନ୍ନ ଭିନ୍ନ ନମ୍ବରରୁ ତାଙ୍କୁ ଅଶ୍ରାବ୍ଯ ଗାଳି ଗୁଲଜ ସହିତ ହତ୍ଯା ଧମକ ମଧ୍ୟ ମିଳୁଛି। ଜୀବନ ରକ୍ଷା ପାଇଁ ଦଶ କୋଟିର ନିଷ୍କୃତି ଅର୍ଥ ଦାବି କରାଯାଉଥିଲା ବୋଲି ଉଦ୍ଯୋଗପତି ଆପଣାର ଲିଖିତ ଏତଲାରେ ଦର୍ଶାଇଥିଲେ। ତଦନୁଯାୟୀ ଆରକ୍ଷୀ ଅଧିକାରୀ ଏତଲାକୁ ଗ୍ରହଣ କରି ତୁରନ୍ତ ନିଜର ତଦନ୍ତ ଆରମ୍ଭ କଲେ। 

ଏହି ଘଟଣାର କିଛିଦିନ ଅନ୍ତରରେ ଅତ୍ୟନ୍ତ ରହସ୍ୟଜନକ ଭାବେ ଜନୈକା ନବାଗତା ଚଳଚ୍ଚିତ୍ର ନାୟିକାଙ୍କ ଗଳିତ ଶବ ଉଦ୍ଧାର କରାଗଲା ଉପରୋକ୍ତ ଉଦ୍ଯୋଗପତିଙ୍କ ନୋଇଡ଼ା ସ୍ଥିତ ଫାର୍ମହାଉସ୍.ରୁ। ନାୟିକାଙ୍କ ନାମ ଥିଲା ଚୁମକି ଚନ୍ଦ୍ରା! ଏହା ହତ୍ଯା ନା ଆତ୍ମହତ୍ୟା ଏନେଇ ପୋଲିସ୍ ସନ୍ଦିହାନ ଥିଲା। ଚିରାଚରିତ ଢଙ୍ଗରେ ତଦନ୍ତ ମନ୍ଥର ଗତିରେ ଜାରି ରହିଥିଲା। ଗଣମାଧ୍ୟମରେ କିଛିଦିନର ହୋହାହ୍ଲା ପରେ ଏହି ବିଷୟରେ ଆଉ କେଉଁଠି ବି ବିଶେଷ ଚର୍ଚ୍ଚା ନଥିଲା କି ଆଲୋଚନା ହେଉନଥିଲା। ଦୁଇଟି ଯାକ ମାମଲାର ତଦନ୍ତ ଜାରି ରହିଥିଲା ଦୀର୍ଘ ମିଆଦି ବହୁମୁଖୀ ନଦୀବନ୍ଧ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପରି। 

ଅତର୍କିତ ଭାବେ ଏହି ମାମଲାରେ ସମ୍ପୃକ୍ତ ଯୁବ ଉଦ୍ଯୋଗପତିଙ୍କ ନିଧନ ଘଟିଲା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ନୂଆଦିଲ୍ଲୀର ସହରତଳି ଅଞ୍ଚଳରେ। ଏହା ସୁପରିକଳ୍ପିତ ଷଡଯନ୍ତ୍ର ଅଥବା ସହସା ସଂଘଟିତ ଦୁର୍ଘଟଣା ଏକଥା ଜାଣିବାକୁ କାହାରି ପାଖରେ କୌଣସି ତଥ୍ୟ କି ସୁରାକ୍ ନଥିଲା। ଚାଳକ ସମେତ ଉଦ୍ଯୋଗପତିଙ୍କ ବିଳାସପୂର୍ଣ୍ଣ କାରଟି ମାଟିରେ ମିଶିଯାଇଥିଲା ଏକାକାର ହୋଇ। ଏହି ଖବରଟି ଉଦ୍ଯୋଗ ଜଗତକୁ ଯେପରି ଦୋହଲାଇ ଦେଇଥିଲା ଏକ ପ୍ରଚଣ୍ଡ ଭୂମିକମ୍ପର ଉଚ୍ଚ ଶକ୍ତି ସମ୍ପନ୍ନ ତୀବ୍ର କମ୍ପନ ପରି। ଷ୍ଟକ୍ ମାର୍କେଟ୍.ରେ ଦିବଂଗତ ଉଦ୍ଯୋଗପତିଙ୍କ କମ୍ପାନୀର ସେୟାର୍.ର ଅବମୂଲ୍ୟାୟନ ଘଟିବା ଅରମ୍ଭ ହୋଇଗଲା ତାହାଙ୍କ ଅକାଳ ବିୟୋଗର ଖବର ପ୍ରକାଶିତ ହେବା ମାତ୍ରେ ସ୍ବାଭାବିକ ପ୍ରତିକ୍ରିୟା ସ୍ବରୂପ। 

ଦେଶ ସାରା ସବୁରି ମୁଖରେ ବିଷାଦର ଛାୟା ଖେଳିଗଲା ଯୁବ ଉଦ୍ଯୋଗୀଙ୍କ ଆବର୍ତ୍ତମାନରେ। ସଭିଏଁ ତାଙ୍କ ବିଷୟରେ ଚର୍ଚ୍ଚା କରିବା ମାତ୍ରେ ଭାବ ବିହ୍ୱଳିତ ହୋଇ ଉଠୁଥିଲେ। କେଜାଣି କାହିଁକି କେଉଁ ଏକ ଅଜଣା ଡୋରିରେ ସଭିଏଁ ବନ୍ଧା ହୋଇଥିଲେ ସେହି ଯୁବ ଉଦ୍ଯୋଗପତିଙ୍କ ସହିତ। ତାଙ୍କ କମ୍ପାନୀର ସେୟାର ମୂଲ୍ୟ ହ୍ରାସ ପାଇବା ଯୋଗୁଁ ଅନେକ କ୍ଷୁଦ୍ର ନିବେଶକ ପର୍ଯ୍ଯାପ୍ତ ମାତ୍ରରେ କ୍ଷତିଗ୍ରସ୍ତ ହୋଇଥିଲେ ଆର୍ଥିକ ଦୃଷ୍ଟିରୁ। ତଥାପି ଅନେକ ତାଙ୍କର ବିୟୋଗକୁ ଗ୍ରହଣ କରିବା ପାଇଁ କୁଣ୍ଠିତ ଥିଲେ ତାଙ୍କ ପ୍ରତି ଥିବା ଅଜସ୍ର ଶ୍ରଦ୍ଧା ଏବଂ ଅକୁହା ଅଜଣା ଆସକ୍ତି ହେତୁ। 

କିଛିଦିନର ବିଷାଦ ଯୋଗ ପରେ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଥିଲା ଏକ ଅଭିନବ ଅଭିଯାନ। #ଜଷ୍ଟିସ୍_ଫର୍_ଅନୁରାଗ! ଖୁବ୍ ଅଳ୍ପ ସମୟର ବ୍ୟବଧାନରେ ଅଗଣିତ ଯୁବବର୍ଗ ଯୋଡ଼ି ହୋଇଗଲେ ଏହି ନ୍ଯାୟ ପ୍ରଦାନକାରୀ ମହାର୍ଘ ମିଶନରେ। ଦେଶର ବିଭିନ୍ନ ସ୍ଥାନରେ କ୍ଯାଣ୍ଡେଲ୍ ଶୋଭାଯାତ୍ରା ଠାରୁ ଆରମ୍ଭ କରି ଅନଶନ ଓ ଗଣଧାରଣା ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ହାତକୁ ନିଆଗଲା। ସମସ୍ତ ଗଣତାନ୍ତ୍ରିକ ବିଧିବିଧାନ ମୁତାବକ ଆପଣାର ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରିବା ସହିତ ଏହି ମାମଲାର ସଠିକ୍ ଭାବେ ତଦନ୍ତ କରିବା ପାଇଁ ଚାପ ସୃଷ୍ଟି କରିବାରେ ଲାଗିଲେ କ୍ରାନ୍ତିକାରୀ ଯୁବବର୍ଗ #ଜଷ୍ଟିସ୍_ଫର୍_ଅନୁରାଗ ବ୍ଯାନର ତଳେ। ଜନ ଆକ୍ରୋଶକୁ ପ୍ରଶମିତ କରିବା ପାଇଁ ଅଗତ୍ୟା ସରକାର ବିଚାର ବିଭାଗୀୟ ତଦନ୍ତ କରିବା ସକାଶେ ଏକ କମିଟି ଗଠନ କରି ଆପଣାର ହାତ ବାନ୍ଧି ବସିଗଲେ ନିଶ୍ଚିନ୍ତରେ। 

ପୂର୍ବର ମାମଲା ଦୁଇଟିକୁ ଏହି ଦୁର୍ଘଟଣା ଜନିତ ଅପମୃତ୍ୟୁ ମାମଲା ସହିତ ଜଡ଼ିତ କରି ମାମଲାର ସୁବିସ୍ତୃତ ତଦନ୍ତ ଆରମ୍ଭ ହୋଇଗଲା। ପ୍ରତିଦିନ ମିଡ଼ିଆକୁ ମାମଲାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା ସୂଚନା ସମ୍ଯକ ଭାବେ ଯୋଗାଇ ଦିଆଗଲା। ଆବଶ୍ୟକତା ଠାରୁ ଅଧିକ ଟିକିନିକି ତଥ୍ଯ ମିଡ଼ିଆରେ ପ୍ରକାଶ କରାଗଲା। ଧିରେ ଧିରେ ଜନ ଅସନ୍ତୋଷ ପ୍ରଶମିତ ହେବାକୁ ଲାଗିଲା। ପରିସ୍ଥିତି ଏପରି ହୋଇଗଲା ଯେ, ଏହି ମାମଲା ସମ୍ପର୍କିତ ଖବର ଦେଖିବାକୁ ଲୋକଙ୍କୁ ବିରକ୍ତିକର ବୋଧ ହେଲା। ମାମଲାର ତଦନ୍ତ ପୂର୍ବପରି ଜାରି ରହିଲା। ମାସ ପରେ ମାସ ଏପରିକି ବର୍ଷ ବର୍ଷ ବିତିଗଲା ତଥାପି ଦୁଇ ଦୁଇଟି ଅପମୃତ୍ୟୁ ମାମଲାରେ ତିନି ମୃତକଙ୍କ ସମ୍ବନ୍ଧୀୟ ତଦନ୍ତ ରିପୋର୍ଟ୍ ଶୀତଳ ଭଣ୍ଡାରରେ ପଡି ରହିଲା। ସମୟ ବିତିବା ସହିତ ସଭିଏଁ ଭୁଲି ଯାଇଥିଲେ ଏହି ପ୍ରକରଣ ସମ୍ବନ୍ଧରେ। 

ପାତାଳର ବୁକୁ ଚିରି ଦିନେ ହଠାତ୍ ସତ୍ଯ ପ୍ରକଟିତ ହେଲା ଅଲୌକିକ ଘଟଣାଟିଏ ପରି। ସୁଦୂର ଦକ୍ଷିଣ ଆଫ୍ରିକାର ଡ଼ର୍ବାନସ୍ଥିତ ଏକ ନିମ୍ନ ଅଦାଲତରେ ପ୍ରତ୍ଯାର୍ପଣ ମାମଲାର ବିଚାର ଚାଲିଥିଲା। ଭରପୁର ଅଦାଲତରେ ପକ୍ଷଭୁକ୍ତ ଥିଲେ ଆତ୍ମଘୋଷିତ ଆଧ୍ୟାତ୍ମିକ ଗୁରୁ ସ୍ବାମୀ ଭାବାନନ୍ଦ! ଜୀବନର ଚାଳିଶଟି ଫଗୁଣକୁ ଉପଭୋଗ କରି ସାରିଥିବା ଦିବ୍ଯଦ୍ରଷ୍ଟା ସ୍ବାମୀଜୀ ଆଜି ଅପରାଧିଟିଏ ପରି କାଠଗଡ଼ାରେ ଠିଆ ହୋଇଥିଲେ ସ୍ବଦେଶ ପ୍ରତ୍ଯାର୍ପଣ ନିମନ୍ତେ। ଯୁବତୀମାନଙ୍କୁ ଯୌନ ଶୋଷଣ କରି ଅନୈତିକ କାର୍ଯ୍ଯରେ ନିୟୋଜିତ କରିବା ସହିତ ମାନବଚାଲାଣର ଅପରାଧରେ ବିଚାର ଚାଲିଥିଲା ତାଙ୍କ ବିରୁଦ୍ଧରେ ମାନ୍ୟବର ଅଦାଲତଙ୍କ ଇଜିଲାସରେ। ବିଚାରପତି ସମସ୍ତ ତଥ୍ୟ ଓ ପ୍ରମାଣ ପରଖ କରିବା ଉପରାନ୍ତେ ଶୁଣାଣି ଶେଷ କରି ନିଜର ରାୟ ସଂରକ୍ଷିତ ରଖିଲେ ପରବର୍ତ୍ତୀ ଦିନାଙ୍କ ନିମନ୍ତେ। 

ସଭିଙ୍କର ମନରେ ଉତ୍କଣ୍ଠା କ'ଣ ହେବ ଗୁରୁଜୀଙ୍କ ଭାଗ୍ୟ? ସତରେ କଣ ଗୁରୁଜୀ ଏପରି ଜଘନ୍ୟ ଅପରାଧରେ ସଂଶ୍ଳିଷ୍ଟ? ସତରେ କଣ ଗୁରୁଜୀ ଏପରି ଘୃଣ୍ଯ କାରବାରରେ ଲିପ୍ତ? ଗୁରୁଜୀଙ୍କ ବିରୋଧରେ ଏହା ସୁପରିକଳ୍ପିତ ଅପରାଧିକ ଷଡଯନ୍ତ୍ର ନୁହେଁ ତ? ସମସ୍ତ ଶିଷ୍ଯଶିଷ୍ଯାଙ୍କ ମନରେ ଏପରି ଅସୁମାରି ପ୍ରଶ୍ନର ଉତ୍ତାଳ ଜୁଆର ଉଠୁଥିଲା। ଭଟ୍ଟା ଆସିଲା ପରବର୍ତ୍ତୀ ଦିନାଙ୍କରେ ଅଦାଲତର ରାୟ ଶୁଣିବା ପରେ। ସଭିଏଁ ଏକବାରକେ ସ୍ତବ୍ଧ ହୋଇ ଯାଇଥିଲେ। ଆପଣାର ପରମ ପୂଜ୍ୟ ଗୁରୁଜୀଙ୍କ ବାସ୍ତବ ସ୍ବରୂପର ସଂଦର୍ଶନରେ। ଓଃ କି ବିଭତ୍ସ ସେ ରୂପ! କୁତ୍ସିତ କଦାକାର ମହାକାଳଫଳର ଭିତିରି ସ୍ବରୂପ! ଅନେକ ବର୍ଷ ଧରି ବହୁ ଦେଶର ଆଇନକାନୁନର ଆଖିରେ ଧୂଳି ଦେଇ ଗୁରୁଜୀ ଘୁରି ବୁଲୁଥିଲେ ଆପଣାର ନୂତନ ପରିଚୟ ସୃଷ୍ଟି କରି। ନୂଆ ନୂଆ ବେଶ ଧରି ଆପଣାର ପେଶା ବଦଳାଇ। ସବୁଠିଁ ସେଇ ଗୋଟିଏ ଚିଜ ତାଙ୍କର ଏକାନ୍ତ କାମ୍ୟ। କାମିନୀ ଆଉ କାଞ୍ଚନ ସଙ୍ଗଲାଭ! 

ଧିରେ ଧିରେ ଫିଟିବାରେ ଲାଗିଥିଲା ସ୍ବାମୀ ଭାବାନନ୍ଦଙ୍କର ଗୁମର, କାମ ବାସନାର କୁତ୍ସିତ ପିପାସା ବିକୃତ ଲାଳସା। ଭୁସୁଡିବାରେ ଲାଗିଥିଲା ପାପର ସୁବର୍ଣ୍ଣ ସାମ୍ରାଜ୍ୟ। ଅସଂଖ୍ଯ ନିରୀହ ନିଷ୍ପାପ ସୁକୁମାରୀଙ୍କ ନିରିମାଖି ଆଖିର ଉଷ୍ମ ଲୋତକର ଉଦ୍ଗୀରଣରେ ସୃଷ୍ଟ ଜ୍ୱାଳାମୁଖୀର ପ୍ରକୋପରେ ଥରହର ହେବାକୁ ଲାଗିଲା ସ୍ବାମୀଜୀଙ୍କ ଅଷ୍ଟାଙ୍ଗ ଶରୀର। ଆଉ ଯେତେ ଯାହା କଲେ ମଧ୍ୟ ଏହି ଅଧୋପତନରୁ ମୁକ୍ତି ନାହିଁ ବୋଲି କାରାଗାରରେ ବନ୍ଦୀ ଥାଇ ଅନୁଭବ ମର୍ମେ ମର୍ମେ କରୁଥିଲେ ସେ। ନିଜ କୃତକର୍ମ ନିମନ୍ତେ ଅନୁଶୋଚନା କରୁଥିଲେ ଅନ୍ତର୍ମନରେ। 

ସ୍ବାମୀଜୀଙ୍କର କଳା କେଳେଙ୍କାରୀର ଅୟମାରମ୍ଭ ହୋଇଥିଲା ତାଙ୍କର କୈଶୋରାବସ୍ଥାରୁ। ପିଲାଟିଦିନରୁ ସେ ଥିଲେ ମହତ୍ବାକାଂକ୍ଷୀ। ଦାରୁଣ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହୋଇ ସେ ସ୍ବପ୍ନ ଦେଖିଥିଲେ ବିଶାଳକାୟ ବ୍ଯବସାୟିକ ସାମ୍ରାଜ୍ୟର ଅଧିକାରୀ ହେବା ନିମନ୍ତେ। ଏହି ସ୍ବପ୍ନକୁ ସାକାର କରିବା ପାଇଁ ନିଜକୁ ତିଳ ତିଳ କରି ଉତ୍ସର୍ଗ କରି ଦେଇଥିଲେ ସେ। ନିଜର ଦୁଇ ଜଣ ଅତ୍ୟନ୍ତ ଘନିଷ୍ଠ ବାଲ୍ୟବନ୍ଧୁଙ୍କୁ ସାଥିରେ ନେଇ ଆରମ୍ଭ କରିଥିଲେ ଛୋଟକାଟର ବ୍ଯବସାୟ। ଚୋରା କୋଇଲା କାରବାର। ବିନା ପାପାଚାରରେ ରାତାରାତି ଭାଗ୍ଯୋଦୟ ଅସମ୍ଭବ ବୋଲି ସୃଷ୍ଟି ହୋଇଥିଲା ତାଙ୍କର ବଦ୍ଧମୂଳ ଧାରଣା। ଯାହା ତାଙ୍କର ଜୀବନ ତମାମ ବଳବତ୍ତର ରହିଥିଲା। 

ନିଜକୁ ଆଗଧାଡ଼ିର ଉଦ୍ଯୋଗପତି ଭାବେ ପରିଗଣିତ କରାଇବା ପାଇଁ ସେ ଯତ୍ପରନାସ୍ତି ଅବିରତ ଅବିଶ୍ରାନ୍ତ ଉଦ୍ଯମରତ ଥିଲେ ଅନୁରାଗ ବର୍ମା ନାମରେ ପରିଚିତ ସ୍ବାମୀଜୀ। ଭାଗ୍ୟ ବଳରେ ବିଦେଶରେ ଥିବା କିଛି ପ୍ରବାସୀ ଭାରତୀୟମାନଙ୍କ କଳାଧନ ସମ୍ବଳିତ ଆର୍ଥିକ ସହାୟତାରେ ସେ ସ୍ଥାପନ କରିଥିଲେ କେତେ ଗୁଡ଼ିଏ କମ୍ପାନୀ କାଗଜପତ୍ରରେ। ନିଜର ପିଲାଦିନର ବିଶ୍ବାସୀ ବନ୍ଧୁ ଦ୍ୱୟଙ୍କୁ ଅଂଶୀଦାର କରିଥିଲେ। ସେହି କମ୍ପାନୀଗୁଡିକ କେଉଁ କାରବାରରେ ଲିପ୍ତ ତାହା ଜାଣିବା ସାଧାରଣ ଲୋକଙ୍କ ପାଇଁ ଥିଲା ଦୂରୁହ ବ୍ଯାପାର। ମାତ୍ର କମ୍ପାନୀଗୁଡିକର ଅଂଶଧନ ଷ୍ଟକ୍ ମାର୍କେଟ୍.ରେ ହଇଚଇ ସୃଷ୍ଟି କରିଥିଲା ଏକ ସମୟରେ। 

କମ୍ପାନୀରେ ଅଂଶୀଦାର ଥିବା ବନ୍ଧୁମାନଙ୍କ ସହିତ ଆର୍ଥିକ ନେଣଦେଣ ନେଇ ପାରସ୍ପରିକ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଥିଲା। ପରିସ୍ଥିତି ଏପରି ହେଲା ଯେ, କେହିବି କାହାରିକୁ ବିଶ୍ବାସ କରିବାକୁ ସାହାସ ବାନ୍ଧି ପାରିଲେ ନାହିଁ। ଏହି ମୌକାରେ କେହି ଜଣେ ବନ୍ଧୁ ବିଶ୍ବାସଘାତକତା କରି ସ୍ବାମୀଜୀ ରୂପୀ ଉଦ୍ଯୋଗପତି ଅନୁରାଗ ବର୍ମାଙ୍କର ନବାଗତା ନାୟିକା ଚୁମକି ଚନ୍ଦ୍ରାଙ୍କ ସହିତ ଅନ୍ତରଙ୍ଗ ମୂହୁର୍ତ୍ତର ଚଳଛବିଟିଏ ସୋସିଆଲ ମିଡ଼ିଆରେ ଭାଇରାଲ୍ କରାଇଥିଲେ। ନୀଳଛବିଟି ବାହାରକୁ ଆସି ସବୁ ଗୁମୁର ପଦାରେ ପକାଇବାକୁ ବସିଥିବା ବେଳେ ଅତି ସତର୍କତାର ସହିତ ଅଭିନେତ୍ରୀ ଚୁମକି ଚନ୍ଦ୍ରାଙ୍କୁ ହତ୍ଯା କରାଗଲା ନୋଇଡ଼ା ସ୍ଥିତ ଫାର୍ମହାଉସ୍ ପରିସରରେ। ଏପରିକି ନିଜର କାର୍ ଦୁର୍ଘଟଣା ବିଷୟରେ ଚିତ୍ରନାଟ୍ୟ ରଚାଇଥିଲେ ସ୍ବାମୀଜୀ। ଅନୁରାଗ ବର୍ମା ମୃତ୍ୟୁ ବରଣ କରିବା ପରେ ସ୍ବାମୀଜୀ ବିଦେଶକୁ ପଳାୟନ କରିଥିଲେ ଆଇନକୁ ଆଖିଠାର ମାରି। 

ଭାରତରୁ ଲୁଟି ଥିବା ପ୍ରଚୁର ଅର୍ଥରେ ବିଦେଶର ବିଭିନ୍ନ ସ୍ଥାନରେ ଆଶ୍ରମ ସ୍ଥାପନା କରିଥିଲେ। ଡ଼ର୍ବାନରେ ଥିଲା ତାଙ୍କ ଆଶ୍ରମର ମୁଖ୍ୟ କାର୍ଯ୍ୟାଳୟ। ନିରିହ ସୁକୁମାରୀ ଅନୂଢ଼ା ଲଳନାମାନଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନରେ ବଶୀଭୂତ କରି ସେମାନଙ୍କର ଶାରୀରିକ ଓ ମାନସିକ ଶୋଷଣ କରିବା ସହିତ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ କରି ବିପୁଳ ପରିମାଣର ଅର୍ଥ ରୋଜଗାର କରୁଥିଲେ ସ୍ବାମୀଜୀ। ଏତିକିରେ ମନ ତାଙ୍କର ଶାନ୍ତି ପାଉନଥିଲା। ଆନ୍ତର୍ଜାତୀୟ ମାନବ ଚାଲାଣ ରାକେଟରେ ଯୁବତୀମାନଙ୍କୁ ବିକଶିତ ରାଷ୍ଟ୍ରମାନଙ୍କରେ ବିକ୍ରି କରି ଖୁବ୍ ମୁନାଫା କମାଉଥିଲେ। ପାପର ଘଡ଼ି ପୂର୍ଣ୍ଣ ହୋଇ ଆସୁଥିଲା ଧିରେ ଧିରେ ତାଙ୍କର। ସମସ୍ତ ଫନ୍ଦିଫିକର ବିଫଳ ହୋଇଥିଲା। ବୁଦ୍ଧି ହଜି ଯାଇଥିଲା ଅଚାନକ ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରତ୍ଯାର୍ପଣ ପ୍ରକ୍ରିୟାରେ। ବିବେକ ତ ଅନେକ ଦିନ ତଳେ ଆଦ୍ୟ ଯୌବନରେ ସ୍ବାମୀଜୀ ନିଲାମ କରି ଦେଇଥିଲେ ଦିଲ୍ଲୀର ସମ୍ଭ୍ରାନ୍ତ ହାଟରେ। 

ବିଚାର ବିଭାଗୀୟ ତଦନ୍ତ ଚାଲିଥିବା ସମୟରେ ତଦନ୍ତକାରୀ ଦଳକୁ ଜଣାପଡିଥିଲା ଯେ, ଦୁର୍ଘଟଣାରେ ଉଦ୍ଯୋଗପତି ଅନୁରାଗ ବର୍ମା ମୃତ୍ୟୁ ବରଣ କରିନାହାଁନ୍ତି, ବରଂ ଅନ୍ୟ କାହାକୁ ବଳି ଚଢ଼ାଇ ଦେଇଛନ୍ତି। ତାଙ୍କର ପୁରୁଣା ବ୍ଯବସାୟରେ ଅଂଶୀଦାର ଥିବା ବନ୍ଧୁଦ୍ବୟଙ୍କୁ ରିମାଣ୍ଡରେ ନେଇ ଜେରା କରିବା ପରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଅନେକ ସଂଗୋପିତ ଏବଂ ସାଂଘାତିକ ତଥ୍ଯ ଉଜାଗର ହୋଇଥିଲା। ଦୁର୍ଘଟଣାରେ ମୃତ୍ୟୁର ନାଟକ ରଚି ଏହି ସମ୍ବଳିତ ପ୍ରମାଣ ପତ୍ର ହାସଲ କରି ଅନୁରାଗ ବର୍ମା ବେଶ୍ ଚତୁରତାର ସହିତ ବିଦେଶକୁ ପଳାୟନ କରିବାରେ ସକ୍ଷମ ହୋଇଛନ୍ତି। 

ନିଜର ନୀଳଛବି ଭାଇରାଲ୍ ହେବା ପରେ ମଳିନ ପଡି ଯାଇଥିବା ଭାବମୂର୍ତ୍ତିରେ ସୁଧାର ଆଣିବା ପାଇଁ ଚୁମକି ଚନ୍ଦ୍ରାଙ୍କୁ ନୋଇଡ଼ା ସ୍ଥିତ ଫାର୍ମହାଉସ୍.କୁ ରଙ୍ଗରାସର ବାହାନାରେ ଆମନ୍ତ୍ରଣ କରି ଅତି ନିର୍ଦୟତାର ସହିତ ଚିରଦିନ ପାଇଁ ଚୁପ୍ କରିଦେଇଥିଲେ ସେ। ସ୍ବାମୀଜୀ ଏଇଠାରେ ହିଁ ଚୁମକି ସହିତ ଅନ୍ତରଙ୍ଗ ସମ୍ପର୍କ ସ୍ଥାପନ କରୁଥିବା ବେଳେ ବିଶ୍ବାସଘାତୀ ବନ୍ଧୁଙ୍କ ପ୍ରରୋଚନାରେ ତାଙ୍କ ଅଜ୍ଞାତରେ କୁଖ୍ୟାତ ନୀଳଛବିଟି ପ୍ରସ୍ତୁତ କରାଯାଇଥିଲା। ଏଥିରେ ଚୁମକିର ସମ୍ପୃକ୍ତି ଥିବା ତାଙ୍କର ଦୃଢ଼ ସନ୍ଦେହ ଜାତ ହୋଇଥିଲା। 

ଏହା ପରେ ନିଜ ଉପରେ କାହାରି ସନ୍ଦେହ ସୃଷ୍ଟି ନ ହେବା ନିମନ୍ତେ ପୋଲିସ୍ ଷ୍ଟେସନ୍ ଯାଇ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଏତଲା ଦାଏର କରିଥିଲେ। ଏହି ସମୟ ମଧ୍ୟରେ ଯୋଜନାବଦ୍ଧ ଭାବେ ତାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ବୋଲି ସୂଚୀତ କରି ବିଦେଶକୁ ଚମ୍ପଟ୍ ମାରିଥିଲେ ସ୍ବାମୀଜୀଙ୍କ ଅବତାର ଗ୍ରହଣ କରି। ଦେଶାନ୍ତରୀ ହେବା ପୂର୍ବରୁ ବାଲ୍ୟକାଳର ବନ୍ଧୁ ଦ୍ୱୟଙ୍କ ସହିତ ସମସ୍ତ ସମସ୍ୟାର ଆପୋଷ ବୁଝାମଣା ପତ୍ର ସ୍ଵାକ୍ଷର ପୂର୍ବକ ସମ୍ପତ୍ତିର ଭାଗବଣ୍ଟା କରିଦେଇ ନିଶ୍ଚିନ୍ତ ହୋଇଯାଇଥିଲେ ସେ। ବନ୍ଧୁଦ୍ବୟ ମଧ୍ୟ ତାଙ୍କୁ ଗୋପନୀୟତାର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ମାତ୍ର ବିଧିର ବିଧାନ ଥିଲା କିଛି ଭିନ୍ନ। 

ସବୁକିଛି ସ୍ପଷ୍ଟ ଦିବାଲୋକ ପରି ଜଳ ଜଳ ହୋଇ ଦିଶୁଥିଲା କିନ୍ତୁ ବିଡ଼ମ୍ବନାର ବିଷୟ ଏହିକି ଯେ, ତାଙ୍କର ଅନୁଗାମୀ ସ୍ତାବକଗଣ କେହି ବି ନିଜ ଆଖି ଦେଖା କଥାକୁ ବିଶ୍ୱସ କରିବା ପାଇଁ ଟିକିଏ ବି ପ୍ରସ୍ତୁତ ନଥିଲେ। ସ୍ବାମୀଜୀ ଘଟଣାଚକ୍ରରେ ନିଜ ପିଲାଦିନର ବିଶ୍ବସ୍ତ ବନ୍ଧୁମାନଙ୍କ ସ୍ବାର୍ଥପରତା ଏବଂ ବିଶ୍ବାସଘାତକତା ହେତୁ ତଳିତଳାନ୍ତ ହୋଇ ସ୍ବଦେଶକୁ ପ୍ରତ୍ଯାର୍ପିତ ହୋଇଥିଲେ। ବ୍ଯବସାୟ ସହିତ ସମସ୍ତ ଅପରାଧରେ ଅଂଶିଦାର ଥିବା ବନ୍ଧୁ ଦ୍ବୟ ସରକାରଙ୍କ ରାଜସାକ୍ଷୀ ସାଜି ଆନନ୍ଦରେ ଜୀଉଁଥିବା ବେଳେ, ନ୍ୟାୟିକ ବିଚାର ପ୍ରକ୍ରିୟା ଶେଷ ହେବା ପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ତିହାର ଜେଲରେ କାଳାତିପାତ କରୁଥିବା ସ୍ବାମୀଜୀ ମନେ ମନେ ଚିନ୍ତା କରୁଥିଲେ, 

"ବନ୍ଧୁ ଯେବେ ବନ୍ଧୁକ ସାଜେ, ଆଉ ଅବା ମଣିଷର ଅଛି କେଉଁ ଗତି?

ଏଇ ଦୁନିଆ ତ ଲାଗେ ବିଷମୟ, ଯେବେ ଦଗା ଦିଏ ପ୍ରିୟ ସାଥି!!" 



Rate this content
Log in

Similar oriya story from Tragedy