ନିଃସଙ୍ଗତାରୁ ମୁକ୍ତି
ନିଃସଙ୍ଗତାରୁ ମୁକ୍ତି
ଆଜି ଏତେ ବଡ଼ ସାହିତ୍ୟ ସମାରୋହର ସମ୍ମାନ ଓ ପୁରସ୍କାର ବିତରଣ ସଭାରେ ଆଲୋକ ଦାସ ନିମନ୍ତ୍ରିତ ହୋଇ ଆସି ପହଞ୍ଚିଛନ୍ତି | ତାଙ୍କୁ ଆଜି ପ୍ରଥମ ଥର ପାଇଁ ସମ୍ମାନିତ କରାଯିବ ଓ ସେ ପୁରସ୍କୃତ ହେବେ ମଧ୍ୟ |ଏତେ ସବୁ ସାହିତ୍ୟିକ ଓ ସାହିତ୍ୟିକା ମାନଙ୍କ ଭିତରେ ବସି ଆଜି ଆଲୋକ ନିଜର ନିଃସଙ୍ଗତାକୁ ଭୁଲି ଯାଇଛନ୍ତି |ତାଙ୍କୁ ଲାଗୁଛି ଯେମିତି ସମସ୍ତେ ତାଙ୍କର ଜଣା ଶୁଣା ଓ ନିଜର | ସମସ୍ତେ ତାଙ୍କୁ ଅଭିବାଦନ ଜଣାଉଛନ୍ତି | ତାଙ୍କୁ ଲାଗିଲା ଏତେ ଅଜଣା ଲୋକମାନେ ତାଙ୍କୁ ତାଙ୍କର ନିଃସଙ୍ଗ ଜୀବନର ସାଥି କବିତା ଓ କାହାଣୀ ପାଇଁ ଆପଣାଇ ପାରିଛନ୍ତି |କିନ୍ତୁ ଯେଉଁମାନେ ତାଙ୍କର ଅତି ନିଜର ଥିଲେ ସେମାନେ ଦୀର୍ଘ କୋଡିଏ ବର୍ଷ ହେବ ତାଙ୍କୁ ପର କରିଦେଇ ଛାଡି ଚାଲିଗଲେ | ଆଜି ତାଙ୍କୁ ପାଖା ପାଖି ୬୦ ବର୍ଷ ବୟସ ହେବ | ଯେତେବେଳେ ଆଲୋକ ନିଜ ଅତୀତକୁ ଫେରି ଯାଆନ୍ତି,ତାଙ୍କ ଆଖି ଜକେଇ ଆସେ | ଏବେ ସଭାକାର୍ଯ୍ୟ ଆରମ୍ଭ ହେବାକୁ କିଛି ସମୟ ବାକି ଅଛି | ସମସ୍ତେ ନିଜ ନିଜ ଆସନରେ ବସୁଛନ୍ତି | ଆଲୋକ ଟିକେ ଚାଲିଗଲେ ତାଙ୍କ ଅତୀତକୁ |
ଆଲୋକ ଦାସଙ୍କର ଜନ୍ମ ଏହି ସହରରେ | ତାଙ୍କ ପିତା ଅଜିତ ଦାସ ସହରର ଜଣେ ପ୍ରତିଷ୍ଠିତ ଆଇନଜୀବୀ | ତାଙ୍କ ମାଆ କଲ୍ୟାଣୀ ଦେବୀ ଜଣେ ଗୃହିଣୀ ଓ ସମାଜ ସେବିକା | ଆଲୋକ ତାଙ୍କ ପିତା ମାତାଙ୍କର ଏକ ମାତ୍ର ସନ୍ତାନ | ବଡ ସ୍ନେହ ଓ ଆଦରରେ ସେ ପିଲାଦିନୁ ବଢିଥିଲେ | ତାଙ୍କ ବାପା ଅଜିତ ବାବୁ ସବୁବେଳେ ଚାହୁଁଥିଲେ ଯେ ତାଙ୍କ ପୁଅ ପାଠ ପଢି ବିଦେଶ ଯିବ ଓ ସେଠାରୁ ଆଇନ ଶିକ୍ଷା ଲାଭ କରି ଆସି ଏଇ ଦେଶର ଜଣେ ବହୁତ ନାମୀ ଆଇନଜୀବୀ ହେବ | ତାଙ୍କ ମାଆ କଲ୍ୟାଣୀ ଦେବୀ ଚାହୁଁଥିଲେ ତାଙ୍କ ଆଲୋକ ଭବିଷ୍ୟତରେ ଜଣେ ଭଲ ମଣିଷ ହୋଇ ଏଇ ସମାଜର ଉଦ୍ଧାର କରିବା |ଆଲୋକ ତାଙ୍କ ପିତା ମାତାଙ୍କର ଆଶା ଓ ସ୍ୱପ୍ନ ଭିତରେ ନିଜର ସ୍ୱପ୍ନ ଓ ଆଶାକୁ ଠିକ କରି ସଜାଡି ପାରୁନଥିଲେ | ସେ ଜଣେ ମେଧାବୀ ଛାତ୍ର ନଥିଲେ, କିନ୍ତୁ ଠିକ ଠାକ ପଢୁଥିଲେ | ବିଦ୍ୟାଳୟରେ ପଢିଲା ବେଳେ ସେ ତାଙ୍କର ବାର୍ଷିକ ପତ୍ରିକା ପାଇଁ ନିଜର କବିତା ଓ କାହାଣୀ ଲେଖି କରି ଦେଉଥିଲେ ଓ ସେଗୁଡିକ ପ୍ରକାଶିତ ହେଉଥିଲା ମଧ୍ୟ | ତାଙ୍କ ସାଙ୍ଗ ମାନଙ୍କ ସହିତ ବସି କଥା ହେଲାବେଳେ ସେମାନେ ଯେତେବେଳେ ନିଜ ନିଜର ସ୍ୱପ୍ନ ଓ ଲକ୍ଷ ବିଷୟରେ କଥା ହେଉଥିଲେ ,ସେତେବେଳେ ଆଲୋକ ବଡ଼ ବିଚଳିତ ହେଇ ଯାଉଥିଲେ ନିଜ ସ୍ୱପ୍ନ ଓ ଆଶାକୁ ପ୍ରକାଶ କରିବାକୁ | ସେ ଭାବୁଥିଲେ କେମିତି ଆଉ କଣ କହିବେ ,ତାଙ୍କର ସାହସ ହେଉନଥିଲା | ଦଶମ ପାସ କରି ଆଲୋକ ଓ ତାଙ୍କର ପିଲାଦିନର କିଛି ସାଙ୍ଗ ମହାବିଦ୍ୟାଳୟରେ ପଢିବାକୁ ଲାଗିଲେ | ସେହି ମହାବିଦ୍ୟାଳରେ ପଢିଲା ବେଳେ ଆଲୋକ ତାଙ୍କ ଲେଖା ଲେଖିରେ ଟିକେ ଅଧିକ ଧ୍ୟାନ ଦେଲେ |ତାଙ୍କର ସାହିତ୍ୟ ପ୍ରତି ଗୋଟିଏ ଅଲଗା ଭଲ ପାଇବା ଥିଲା ,ଯାହା ଅନ୍ୟ କେହି ବୁଝିବା ବହୁତ କଷ୍ଟ | ଘରକୁ ଫେରିଲେ ସବୁବେଳେ ତାଙ୍କ ବାପା ଅଜିତ ବାବୁଙ୍କର ସେଇ ବିଦେଶ ଯିବା ଆଉ ଆଇନ ଶିକ୍ଷା କଥା ଶୁଣି ଆଲୋକ ବେଳେ ବେଳେ ଡରି ଯାଉଥିଲେ ଓ ଅସହ୍ୟ ବୋଧ କରୁଥିଲେ | ଆଲୋକ କିଛି କହି ପାରୁନଥିଲେ କିମ୍ବା କରିବାକୁ ଆଗ୍ରହ ପ୍ରକାଶ କରୁନଥିଲେ |ଆଲୋକ ସ୍ନାତକ ପାସ କରିବା ପରେ ମଧ୍ୟ ଆଇନ ଶିଖି ପ୍ରତି ତାଙ୍କର ରୁଚି ନଥିବା ତାଙ୍କର ପିତା ଅଜିତ ବାବୁ ବୁଝିପାରିଥିଲେ | ଅଜିତ ବାବୁ ବହୁତ ଦୁଖୀ ହେଇ ଯାଇଥିଲେ ଓ ଚୁପ ଚାପ ମଧ୍ୟ ହେଇ ଯାଇଥିଲେ | ଆଲୋକ ସବୁ ବୁଝି ପାରୁଥିଲେ | ସେ ଭାବୁଥିଲେ ଗୋଟିଏ ସାଧାରଣ ଚାକିରୀ କରି ମଧ୍ୟ ପରିବାର ଓ ସମାଜର ସେବା କରି ହେବ | ତା ସହିତ ସେ ତାଙ୍କ ଲେଙ୍କା ମଧ୍ୟ ଜାରି ରଖି ପାରିବେ | ଏମିତି କିଛି ଦିନ ବିତିଗଲା | ଆଲୋକ ତାଙ୍କ ମାଆଙ୍କ ସମାଜ ସେବା କାର୍ଯ୍ୟରେ ବି କିଛି କିଛି ସାହାଯ୍ୟ କରୁଥିଲେ | ବେଳେ ବେଳେ ତାଙ୍କର ବିଭିନ୍ନ ସଭା ସମିତିରେ ନିଜର କିଛି ପ୍ରେରଣା ଦାୟକ କବିତା ପଢି ଲୋକଙ୍କୁ ଶୁଣାଉଥିଲେ | ସେଥିରେ କଲ୍ୟାଣୀ ଦେବୀ ବହୁତ ଖୁସି ହେଉଥିଲେ ଓ ଆଲୋକଙ୍କୁ ବି ବହୁତ ଆନନ୍ଦ ମିଳୁଥିଲା | ଏମିତି ଦିନେ ସନ୍ଧ୍ୟାବେଳେ ଆଲୋକ ଘରକୁ ଫେରି ଜାଣିଲେ ଯେ ତାଙ୍କ ବାପାଙ୍କୁ ମାଆ କଲ୍ୟାଣୀ ଏବେ ଡାକ୍ତରଖାନା ନେଇ ଯାଇଛନ୍ତି | ସଙ୍ଗେ ସଙ୍ଗେ ଆଲୋକ ଡାକ୍ତରଖାନା ଦୌଡିଲେ | ସେଠାରେ ପହଂଚି ଜାଣିଲେ ଯେ ତାଙ୍କ ବାପାଙ୍କର ଛାତିରେ ବହୁତ ଯନ୍ତ୍ରଣା ହେବାରୁ ମା କଲ୍ୟାଣୀ ଡାକ୍ତରଖାନା ନେଇ ଆସିଛନ୍ତି | ଡାକ୍ତର ଆସି କହିଲେ ତାଙ୍କ ବାପାଙ୍କର ବହୁତ ବଡ଼ ହୃଦଘାତ ହୋଇଛି, ସେଥିପାଇଁ ତାକୁ ତିନ ଦିନ ନୀରିକ୍ଷଣରେ ରଖାଯିବ |ତାପରେ ନିର୍ଣ୍ଣୟ କରାଯିବ କଣ କରାଯିବ | ଏକଥା ଶୁଣି ଆଲୋକ ନିଜକୁ ମନେ ମନେ ଏଥିପାଇଁ ଦାୟୀ କରିବାକୁ ଲାଗିଲେ | ଭାବିଲେ ବୋଧହୁଏ ତାଙ୍କର ଆଇନ ଶିକ୍ଷା ଲାଭ ନକରିବା ତାଙ୍କ ବାପାଙ୍କୁ ଏପରି ଦଣ୍ଡ ଦେଲା | ସେ ଚୁପ ଚାପ ତାଙ୍କ ମା ଙ୍କ ପାଖରେ ବସି ରହିଲେ | ଦୁଇ ଦିନ ପରେ ଡାକ୍ତର ଆସି ଖବର ଦେଲେ ଯେ ଅଜିତ ବାବୁ ସବୁ ଦିନ ପାଇଁ ଆଖି ବୁଜି ସମସ୍ତଙ୍କୁ ଚଡି ଚାଲି ଯାଇଛନ୍ତି | ଆଲୋକ ଓ କଲ୍ୟାଣୀ ଦେବୀ ଏକଥା ଶୁଣି ଅଜିତ ବାବୁଙ୍କୁ ଧରି ବହୁତ କାନ୍ଦିଲେ | ଆଲୋକ ନିଜକୁ ବହୁତ ଧିକ୍କାର କରି ଗାଳି ଦେଉଥିଲେ | ମାଆ କଲ୍ୟାଣୀ ଆଲୋକଙ୍କୁ ବୁଝାଇ କହିଲେ ଅଜିତ ବାବୁଙ୍କର ଶେଷକୃତ୍ୟ କରିବା ପାଇଁ | ଆଲୋକ ତାଙ୍କ ବାପାଙ୍କର ଶୁଦ୍ଧିକ୍ରିୟା ସମାପ୍ତ କଲେ | କିଛି ଦିନ ବିତି ଯିବା ପରେ ଆଲୋକ ନିଜ ପରିବାରର ରକ୍ଷା ପାଇଁ ଚାକିରୀ ଖୋଜିବାରେ ଲାଗିଲେ |ବିଭିନ୍ନ ପରୀକ୍ଷା ଦେଲେ ଓ ଶେଷରେ ତାଙ୍କୁ ଗୋଟିଏ ସରକାରୀ ଚାକିରୀ ମିଳିଗଲା | ଦିନକୁ ଦିନ ତାଙ୍କ ମାଆ କଲ୍ୟାଣୀଙ୍କ ଦେହ ଖରାପ ହେବାରୁ ଆଲୋକ ବହୁତ ବିବ୍ରତ ହେଇ ପଡିଲେ | ସେତେବେଳକୁ ତାଙ୍କ ବାପାଙ୍କ ମୃତ୍ୟୁକୁ ଦୁଇ ବର୍ଷ ହୋଇ ଯାଇଥାଏ | ଦିନେ କଲ୍ୟାଣୀ ଦେବୀ ଆଲୋକଙ୍କୁ ଡାକି କହିଲେ ଯେ ତାଙ୍କ ବାପା ଅଜିତ ବାବୁଙ୍କର ପିଲାଦିନର ସାଙ୍ଗ ବ୍ୟବସାୟୀ ରମେଶ ମହାନ୍ତିଙ୍କ ଝିଅ ଆରତୀ ସହିତ ବହୁତ ଦିନରୁ ତାଙ୍କ ବାପା ଆଲୋକଙ୍କ ବାହାଘର କରିବେ ବୋଲି ସ୍ଥିର କରିଥିଲେ | ଏବେ କଲ୍ୟାଣୀ ଆଲୋକଙ୍କର ମତ ଚାହିଁଲେ | ଆଲୋକ ମନେ ମନେ ଭାବିଲେ ତାଙ୍କ ବାପାଙ୍କର ଏଇ ଇଚ୍ଛା ସେ ନିଶ୍ଚୟ ପୁରାଣ କରିବେ | ଆଲୋକ କିଛି ନ ଭାବି ତାଙ୍କ ମାଆଙ୍କୁ କହିଲେ ,'' ତୁମର ଓ ବାପାଙ୍କର ଯାହା ଇଚ୍ଛା ,ସେଠି ମୋର କୌଣସି ଆପତ୍ତି ନାହିଁ |'' ଶେଷରେ ଆଲୋକଙ୍କର ବାହାଘର ଆରତୀ ସହିତ ହୋଇଗଲା | ବାହାଘରର ଦୁଇ ବର୍ଷ ପରେ ତାଙ୍କର ପୁଅ ଅରୁଣ ଜନ୍ମ ହେଲା | ତାର ତିନି ବର୍ଷ ପରେ ଝିଅ ଅନିତା ଜନ୍ମ ହେଲା | ତାଙ୍କ ମା କଲ୍ୟାଣୀ ବହୁତ ଖୁସି ହେଲେ ନାତି ଓ ନାତୁଣୀକୁ ପାଇ | କିନ୍ତୁ ଦିନକୁ ଦିନ ଆରତୀ ବଦଳିବାକୁ ଲାଗିଲେ | ତାଙ୍କ ପାଖରେ ମିଥ୍ୟା ଆଭିଜାତ୍ୟର ଢାଞ୍ଚା ଦେଖାଗଲା | ଆରତୀ ତାଙ୍କ ମାଆଙ୍କ ସାମାଜିକ କାର୍ଯ୍ୟକୁ ସମାଲୋଚନା କରିବାକୁ ଲାଗିଲେ ଓ ଦିନେ ଏହା ଭୀଷଣ ରୂପ ନେଲା | ସେଥିରେ ଭାଙ୍ଗି ପଡି କଲ୍ୟାଣୀ ଦେବୀ ଶଯ୍ୟାଶାୟୀ ହେଲେ ଓ ଦୁଇ ମାସ ପରେ ଦେହ ତ୍ୟାଗ କଲେ | ଏହା ଆଲୋକଙ୍କ ହୃଦୟକୁ ଛିନଭିନ କରିଦେଲା | କାନ୍ଦି କାନ୍ଦି ସେ ନିଜ ମାଆଙ୍କର ସବୁ ଶୁଦ୍ଧିକ୍ରିୟା କଲେ | ସେ ତାଙ୍କ ମାଆଙ୍କର ମୃତ୍ୟୁ ପାଇଁ ଆରତୀକୁ କ୍ଷମା କରି ପାରିଲେ ନାହିଁ | ଦୁଇଜଣ ପରସ୍ପରକୁ ଘୃଣା କରିବାକୁ ଲାଗିଲେ | ଶେଷରେ ଦିନେ ଆରତୀ ଆଲୋକଙ୍କୁ ଛାଡପତ୍ର ଦେଇ ପୁଅ ଅରୁଣ ଓ ଝିଅ ଅନିତାକୁ ନେଇ ନିଜ ବାପଘରକୁ ଚାଲିଗଲେ | ସେହି ଦିନ ଠାରୁ ଆଲୋକ ପୁରା ଏକ ହୋଇଗଲେ | ସେ ତାଙ୍କର ଏହି ନିଃସଙ୍ଗତା ପାଇଁ ନିଜକୁ ଦାୟୀ କରିବାରେ ଲାଗିଲେ | ସେ ଭାବିବାରେ ଲାଗିଲେ ତାଙ୍କ ପାଇଁ ତାଙ୍କ ବାପାଙ୍କର ମୃତ୍ୟୁ ହେଲା ,ତାଙ୍କ ପତ୍ନୀଙ୍କର ବ୍ୟବହାର ତାଙ୍କ ମାଆ କଲ୍ୟାଣୀଙ୍କର ଜୀବନ ନେଲା ,ଶେଷରେ ଆରତୀ ପିଲାମାନଙ୍କୁ ନେଇ ତାଙ୍କଠାରୁ ଦୁରେଇ ଗଲା | ସେତିକିବେଳେ ମଞ୍ଚ ଉପରୁ ଆଲୋକଙ୍କର ନାମ ଘୋଷଣା ହେଲା | ଆଲୋକ ନିଜ ଆଖିର ଲୁହକୁ ପୋଛି ମଞ୍ଚ ଆଡକୁ ଚାଲିଲେ | ତାଙ୍କୁ ସମ୍ମାନିତ କରାଗଲା ଓ ପୁରସ୍କାର ମଧ୍ୟ ମିଳିଲା | ତା ସହିତ ମିଳିଲା ସଭାରେ ଉପସ୍ଥିତ ଥିବା ସମସ୍ତଙ୍କର କରତାଳି |ସେ ସବୁକୁ ପାଇ ଆଲୋକ ବହୁ ଭାବିବିହ୍ଵଳ ହୋଇପଡିଲେ | ତାଙ୍କୁ ଲାଗିଲା ଆଜି ଦୀର୍ଘ କୋଡିଏ ବର୍ଷ ପରେ ତାଙ୍କୁ ତାଙ୍କ ନିଃସଙ୍ଗତାରୁ ମୁକ୍ତି ମିଳିଲା | ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମଞ୍ଚରୁ ଓହ୍ଲାଇବାକୁ ଲାଗିଲେ |
