STORYMIRROR

Kanan Bala Nayak

Inspirational

4  

Kanan Bala Nayak

Inspirational

ନିଃସଙ୍ଗତା

ନିଃସଙ୍ଗତା

7 mins
209


ଛଳନାର ଲେପ ଯେତେ ବହଳ ହୋଇଥିଲେ ବି ତାହା ଦିନେ ନା ଦିନେ ଧୋଇ ହୋଇ ଯାଇଥାଏ। ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇ ଯାଇଥାଏ। ବେଳେ ବେଳେ ତ ଜଣଙ୍କ ର ଛଳନା ପାଇଁ ଅନ୍ୟ ଗୋଟିଏ ନିରୀହ ଜୀବନ ଛାରଖାର ହୋଇ ଯାଇଥାଏ।

  

ମୁଁ ଭଲଭାବରେ ଜାଣିଥିଲି ଯେ ସେ ମୋତେ ନୁହେଁ ମୋ ଟଙ୍କା କୁ ଭଲପାଏ ବୋଲି। ତଥାପି ମୁଁ ତା ଦ୍ବାରା ବ୍ୟବହୃତ ହେଉଥିଲି କାରଣ ସେ ଏମିତି ଗୋଟେ ମୁହୂର୍ତ୍ତରେ ମୋ ଜୀବନ ରେ ପ୍ରବେଶ କରିଥିଲା ଯେଉଁ ସମୟରେ ମୁଁ ନିଜକୁ ସମ୍ପୂର୍ଣ୍ଣ ନିଃସଙ୍ଗ ମନେ କରୁଥିଲି। ଠିକ୍ ଭୁଲ୍ ର ପରିଭାଷା ନିର୍ଣ୍ଣୟ କରି ପାରୁ ନଥିଲି। ଯେଉଁ ମାନଙ୍କୁ ମୁଁ ମୋର ଏକାନ୍ତ ନିଜର ବୋଲି ଭାବୁଥିଲି, ସେମାନେ ସମସ୍ତେ ମୋର ସବୁ ଆବେଗ ସହ ଖେଳ ଖେଳି ସାରି ମୋତେ ସମ୍ପୂର୍ଣ୍ଣ ନିଃସଙ୍ଗ କରି ଦୁନିଆ ହାଟରେ ଏକା ଏକା ବିଚରଣ କରିବା ପାଇଁ ଛାଡି ଚାଲି ଯାଇଥିଲେ।


   ତା ସହ ମୋର ଦେଖା ଆକସ୍ମିକ ଭାବରେ ହୋଇ ଥିଲା। ମୁଁ ଗୋଟେ କାମରେ ଥରେ ତା ଅଫିସ ଯାଇଥିଲି। ସେଠାରେ ମୁଁ ମୋ କାମ କେଉଁଠି ହେବ ବୋଲି ସେ ଅଫିସ ର ଜଣେ ପିଅନଙ୍କୁ ପଚାରୁଥିବା ସମୟରେ ସେ ସେଇ ରାସ୍ତା ଦେଇ ଯାଉଥିଲା। ପିଅନ ଓ ମୋ ଭିତରେ ହେଉଥିବା ବାର୍ତ୍ତା ବିନିମୟ କୁ ଶୁଣି ସେ ମୋ ପାଖକୁ ଆସିଲା। ମୁଁ ଯେଉଁ କାମ ପାଇଁ ଯାଇଥିଲି ସେ କାମ ସେ କାମ ଟି ତାର ବୋଲି ସେ କହିଲା ଓ ମୋତେ ତା ପ୍ରକୋଷ୍ଠ କୁ ଡାକିଲା। ମୋତେ ତା ସିଟ୍ ଆଗରେ ଥିବା ଚେୟାର ରେ ବସିବା ପାଇଁ କହି ତା କାମରେ ଲାଗି ପଡିଲା।ସେଇ କାମ ଭିତରେ ଆମ ଦୁଇ ଜଣଙ୍କ ଭିତରେ କଥୋପକଥନ ଆରମ୍ଭ ହୋଇ ଯାଇଥିଲା।


  ସେ ତା ବିଷୟରେ କିଛି ମୋତେ ଜଣାଇଥିଲା ଓ ମୁଁ ମୋ ବିଷୟରେ କିଛି ତାକୁ ଜଣାଇଲି।ସେଇ ଭିତରେ ସେ ମୋ କାମ ଟିକୁ ଆଗକୁ ଆଗେଇ ନେଲା ଓ କହିଲା ଆପଣ ଙ୍କ କାମ ପ୍ରସେସିଙ୍ଗ୍ ହୋଇ ଯାଇଛି। ଦୁଇ ଦିନ ଲାଗିବ ହେଡ୍ ଅଫିସ୍ ରୁ କାମ ପ୍ରସେସିଙ୍ଗ୍ ହୋଇ ଆସିବା ପାଇଁ। ଆପଣ ଏବେ ଘରକୁ ଯାଆନ୍ତୁ। ଦୁଇ ଦିନ ପରେ ଆସିବେ। ଯଦି କିଛି ଆପତ୍ତି ନାହିଁ ତେବେ ମୋତେ ଆପଣଙ୍କ ଫୋନ୍ ନମ୍ୱର୍ ଟା ଦେଲେ ମୁଁ ହେଡ୍ ଅଫିସ୍ ରୁ କାମ ପ୍ରସେସିଙ୍ଗ୍ ହୋଇ ଆସିଲା ପରେ ଆପଣଙ୍କୁ ଫୋନ୍ କରି ଡକାଇବି। ମୁଁ ଠିକ୍ ଅଛି କହି ତାଙ୍କୁ ମୋ ଫୋନ୍ ନମ୍ୱର୍ ଟି ଦେଇ ଘରକୁ ଫେରି ଆସିଲି। 


   ସେଦିନ ରାତି ସାଢ଼େ ଦଶଟା ପାଖାପାଖି ହେବ ମୋ ଫୋନ୍ ରିଙ୍ଗ ହେଲା।ଗୋଟେ ଅଜଣା‌ ନମ୍ବର ରୁ ଏତେ ରାତିରେ ଫୋନ୍ ଆସିବା ର ଦେଖି ମୁଁ ଟିକେ ଭୟ ପାଇଗଲି। ସାଧାରଣତଃ ମୁଁ ଅଜଣା ନମ୍ବର ରୁ ଫୋନ୍ ଆସିଲେ ତାକୁ ରିସିଭ୍ କରେନି କିନ୍ତୁ କାହିଁକି କେଜାଣି ସେ ଦିନ ଫୋନ୍ ଟିକୁ ଉଠାଇ ଦେଲି।ସେ ପଟୁ ଶୁଣାଗଲା ମୋତେ ଚିହ୍ନି ପାରିଲେ ତ? ମୋତେ ସ୍ବର ଟା ଚିହ୍ନା ଚିହ୍ନା ଲାଗିଲା।ସେ କହିଲା ମୁଁ ଅଶୋକ।ଆଜି ଦିନରେ ଦେଖା ହୋଇଥିଲା। ଏତେ ଶୀଘ୍ର ଭୁଲିଗଲେ। ମୁଁ କହିଲି ଆରେ ନାଁ ନାଁ କହୁନ୍ତୁ ନା।ସେଇଠୁ ଆରମ୍ଭ ହେଲା ଆମ ଭିତରେ ଆଈ ମାଆ ର ଅସରନ୍ତି ଗପ ପେଡ଼ି। କଥା ଛଳ ରେ ମୁଁ ମୋର ନିଃସଙ୍ଗତା ବିଷୟରେ ତାକୁ କହିଲି। ମୁଁ କିପରି ମୋର ସବୁ ଭାଇ ଭଉଣୀ କୁ ମଣିଷ କରିଛି। ସେଥିପାଇଁ ନିଜ ଜୀବନ କୁ ସମ୍ପୁର୍ଣ୍ଣ ଜଳାଞ୍ଜଳୀ ଦେଇଛି ଆଉ ସେମାନେ ବଡ଼ ହୋଇ ନିଜ ନିଜର ଘର ସଂସାର କରିବା ପରେ ମୋତେ ପର କରି ଦେଇଛନ୍ତି ସବୁ କଥା ଗୋଟି ଗୋଟି କରି କହିଲି।


ସେ ମଧ୍ୟ ନିଜେ କିପରି ନିଃସଙ୍ଗ ଜୀବନ କାଟୁଛି କହିଲା। ତା ବାପା ଇହଧ୍ଯାମ ତ୍ୟାଗ କରିଛନ୍ତି ଓ ମାଆ ବିଦେଶ ରେ ତା ବଡ଼ ଭାଇ ପାଖରେ ରହୁଛି ବୋଲି କହିଲା‌।ତା ପରେ ମୋତେ କହିଲା ଏବେ ମୁଁ ଆଉ ନିଃସଙ୍ଗ ନୁହଁ କାରଣ ମୋତେ ତୁମ ଭଳି ଜଣେ ବନ୍ଧୁ ମିଳି ଯାଇଛି।ଆଉ ତୁମେ? ତୁମେ ଏବେ ବି କଣ ନିଜକୁ ନିଃସଙ୍ଗ ମନେ କରୁଛ। ମୁଁ ମଧ୍ୟ ନା କହିଲି‌‌। ମୁଁ କହିଲି ମୋ ନିଃସଙ୍ଗତା ଦୂର କରିବା ପାଇଁ ତୁମେ ତ ଆସି ଯାଇଛ।ଆଉ ନିଜ କୁ ନିଃସଙ୍ଗ ମନେ କରିବି କାହିଁକି? 


  ତା ପରେ ଆମ କଥା ଆଉ ଖାଲି ଫୋନ୍ ମାଧ୍ୟମରେ ‌ସିମୀତ ରହିଲା ନାହିଁ। ଆମେ ନିୟମିତ ଭାବରେ ପରସ୍ପରକୁ ଭେଟିବାକୁ ଲାଗିଲୁ।କ୍ରମେ କ୍ରମେ ଆମ ଭିତରେ ବନ୍ଧୁତା ଆଉ ଖାଲି ବନ୍ଧୁତା ହୋଇ ରହିଲାନି। ପ୍ରେମ ରେ ପରିଣତ ହେଲା। ଦିନେ ସେ ତା ତରଫରୁ ମୋତେ ବିବାହ ପ୍ରସ୍ତାବ ଦେଲା। ମୁଁ ତା ପ୍ରସ୍ତାବ ରେ ରାଜି ହୋଇଗଲି। କାରଣ ଏ ବୟସରେ ମୋତେ ଆଉ ସମାଜ କୁ ଡରି ଲୁଚି ଛପି ମିଶିବାରେ ଆଗ୍ରହ ନଥିଲା। ତେଣୁ ମୁଁ ମଧ୍ୟ ଯଥାଶୀଘ୍ର ଏ ସମ୍ପର୍କକୁ ଗୋଟେ ନା ଦେବାପାଇଁ ଚାହୁଁ ଥିଲି‌।


  ଆମେ ଦୁଇଜଣ ମନ୍ଦିର ଯାଇ ବିବାହ କରିଗଲୁ। ବିବାହ ର କିଛି ଦିନ ଆମ ଭିତରେ ସବୁ କିଛି ଠିକ୍ ଠାକ୍ ଚାଲିଲା। ହେଲେ ଛଳନା ର ରଙ୍ଗ ଦିନେ ନା ଦିନେ ଧୋଇ ଯାଏ।ମୋ ସହ ଯେ ସେ ଛଳନା କରିଛି ସେ କଥା ବୁଝିବାକୁ ମୋତେ ବେଶୀ ଦିନ ଲାଗିଲାନି। ଯେଉଁ ଅଶୋକ ବିବାହ ପୂର୍ବରୁ ମୋ ସହ ଘଣ୍ଟା ଘଣ୍ଟା ଫୋନ୍ ରେ କାଟି ଦେଉଥିଲା ସେଇ ଅଶୋକ ମୋତେ ଘଣ୍ଟା ଟେ ମଧ୍ୟ ସମୟ ଦେଲାନି। ଯେତେବେଳେ ତାର କୌଣସି ଦରକାର ପଡେ ସେ ସମୟରେ ଖାଲି ପଦେ ଅଧେ କଥା ହୁଏ।ଆଉ ଯେତେବେଳେ ତାର ଟଙ୍କା ଦରକାର ପଡେ ସେତେବେଳେ ସେ ମୋ ସହ ପୂର୍ବ ଭଳି ଭଲରେ କଥାହୁଏ।କହେ ଅଫିସ ରେ ଏବେ ବହୁତ କାମ ବଢ଼ି ଗଲାଣି। ମୁଁ ତୁମକୁ ଆଉ ପୂର୍ବ ଭଳି ସମୟ ଦେଇ ପାରୁନି। ତୁମେ ମୋ ଉପରେ ରାଗୁଥିବ ନାଁ?କଣ କରିବି କୁହ ଆମର ଯେଉଁ ନୂଆ ବସ୍ ଆସିଛନ୍ତି ସେ ବହୁତ କଡ଼ା ମିଜାଜ ର ଲୋକ।ସେ ନିଜେ ରାତି ପର୍ଯ୍ୟନ୍ତ ରହୁଛନ୍ତି ଆଉ ଆମ ମାନଙ୍କୁ ମଧ୍ୟ ରାତି ପର୍ଯ୍ୟନ୍ତ ରହିବା ପାଇଁ ବାଧ୍ୟ କରୁଛନ୍ତି। ତାର ଏଇ ସ୍ନେହ ବୋଳା କଥା ଶୁଣି ମୁଁ ଭୋଳ ହୋଇଥାଏ ଓ ମୋ ଏ.ଟି.ଏମ୍ କାର୍ଡ ଟିକୁ ତା ହାତରେ ଧରାଇ ଦିଏ। ଟଙ୍କା ଉଠାଇ ସାରିବା ପରେ ସେ ପୁଣି ଥରେ ମୋତେ ଉପେକ୍ଷା କରିବା ଆରମ୍ଭ କରିଦିଏ।


  ମୋତେ କୁଆଡେ ଟିକେ ବୁଲାଇ ନେବାତ ଦୂର ର କଥା ମୋ ସହିତ ଦିନ ଭିତରେ ପଦେ କଥା କହିବା ପାଇଁ ମଧ୍ୟ ତାକୁ କଷ୍ଟ ହୁଏ। ମୁଁ କେତେ ବେଳେ କିଛି କହିଲେ ଏମିତି ବିରକ୍ତ ହୋଇ ଜବାବ୍ ଦିଏ ଯେ, ମୋ ମୋ ହୃଦୟ ଟା ଭାଙ୍ଗି ଚୁରମାର୍ ହୋଇଯାଏ। ବସ୍ତୁ ଭାଙ୍ଗି ଗଲେ ସିନା ଶବ୍ଦ ହୁଏ ହେଲେ ହୃଦୟ ଭାଙ୍ଗି ଗଲେ ଶବ୍ଦ ହୁଏନି। ମୁଁ ଯଦି କେବେ ତାକୁ କୁଆଡେ ନେବା ପାଇଁ କହେ ସେ କହେ ନିଜ ଚେହେରା କୁ ଥରେ ଦେଖ ତା ପରେ ମୋ ଗାଡି ପଛରେ ବସି ବୁଲିବା କଥା ଚିନ୍ତା କରିବ‌? ମୁଁ କହେ ବିବାହ ପୂର୍ବରୁ ମଧ୍ୟ ମୋର ଏଇ ଚେହେରା ଥିଲା‌। ଏବେ କ'ଣ ହେଲାକି?ସେତେବେଳେ ତ ମୋର ଏଇ ଚେହେରା ତୋତେ ବହୁତ ସୁନ୍ଦର ଦେଖା ଯାଉଥିଲା?


ସେ ବିରକ୍ତ ହୋଇ ମୋତେ ଅନେକ କଥା କୁହେ। ମୁଁ ମଧ୍ୟ ତା କଥା ଶୁଣି ଚୁପ୍ ହୋଇ ରହି ପାରେନି।ଜବାବ୍ ଦିଏ।ଆମ ଭିତରେ ଯୁକ୍ତି ତର୍କ ଆରମ୍ଭ ହୋଇଯାଏ।ତା ପରେ ଦିନ ଦିନ ଧରି କଥା ବାର୍ତ୍ତା ବନ୍ଦ। ମୁଁ ଏଇ କଥାକୁ ଥରେ ମୁଁ ମୋର ଜଣେ ସହକର୍ମୀ ବନ୍ଧୁ ଙ୍କୁ କହିଲି।ସେ କହିଲା ତୁମେ ଦୁଇଜଣ ଆଉ ଜଣଙ୍କୁ ତୁମ ଭିତରକୁ ଆଣ। ପିଲା ଗୋଟେ ହୋଇ ଗଲେ ସେ ତୁମ ଦୁଇ ଜଣ ଙ୍କ ଭିତରେ ଗୋଟେ ସେତୁର କାମ କରିବ। ପରସ୍ପର ଭିତରେ ହେଉଥିବା ମନ ମାଳିନ୍ଯ ଦୂର ହୋଇ ଯିବ।  ସହକର୍ମୀଙ୍କ କହିବା ଅନୁସାରେ ମୁଁ ତାକୁ ଗୋଟେ ଆମର ଗୋଟେ ପିଲା ପାଇଁ କହିଲି। ହେଲେ ସେ କିଛି ଜବାବ ଦେବାତ ଦୂରର କଥା ମୋ କଥା କୁ ଶୁଣି ନ ଶୁଣିଲା ପରି ରହିଲା।


  ପୂର୍ବଠାରୁ ଆହୁରି ବିଳମ୍ବ ରେ ଘରକୁ ଫେରିଲା। ବେଳେ ‌ବେଳେ ମଦ୍ୟପାନ କରି ମଧ୍ୟ ଆସିଲା।ଆଉ ମୋତେ ଦେଖିବା ମାତ୍ରେ ଗାଳି ଗୁଲଜ କରିବା ଆରମ୍ଭ କରିଦେଲା। ମୋର ମଧ୍ୟ ଧୈର୍ଯ୍ୟ ର ବନ୍ଧ ତୁଟିବା ଆରମ୍ଭ କରିଦେଲା। ମୁଁ ଭାବିଲି ଯେଉଁ ନିସଙ୍ଗତାରୁ ଦୂରେଇବା ପାଇଁ ମୁଁ ଏଇ ଲୋକ ଟା ସହ ଛନ୍ଦି ହେଲି ସେଇ ଲୋକଟି ମୋ ଉପରେ ଯନ୍ତ୍ରଣା ର ପାହାଡ଼ ଲଦି ଦେଲା। ତଥାପି ମୁଁ ଲୋକ ଲଜ୍ଜା କୁ ଡରି ତାକୁ ଛାଡି ପାରୁନଥିଲି। ସବୁ ବେଳେ ଭାବୁଥିଲି ଲୋକେ କ'ଣ କହିବେ?


  ଏତେ ବୟସ ରେ ବିବାହ କଲା।ତାହା ପୁଣି ପ୍ରେମ ‌ବିବାହ। ଆଉ ଆଜି ସ୍ବାମୀ କୁ ଛାଡିଦେଲା‌‌।ୟାରି କିଛି ଦୋଷ ଥିବ।ନ ହେଲେ ଭାଇ ଭଉଣୀ ତ ପର କରିଦେଲେ। ଯାହାକୁ ନିଜେ ଭଲ ପାଇ ବାହାହେଲା ସେ କଣ ୟାକୁ ଛାଡି ଦେଇ ଥାଆନ୍ତା? ଏତେ ତାର ଉପେକ୍ଷା ଦିନ କୁ ଦିନ ବଢ଼ି ବଢ଼ି ଚାଲିଲା। 


 ଗୋଟେ ସ୍ତ୍ରୀ ତା ସ୍ବାମୀ ପାଇଁ ଦୁନିଆ ସହିତ ଲଢ଼ି ଯାଏ।ଆଉ ସେଇ ସ୍ବାମୀ ଯଦି ତାକୁ ଉପେକ୍ଷା କରେ ତେବେ ସେ ଗୋଟେ ଜୀବନ୍ତ ଶବ ପାଲଟି ଯାଏ। ମୁଁ ମଧ୍ୟ ଆସ୍ତେ ଆସ୍ତେ ଶବ ପାଲଟି ଯାଉଥିଲି। ଗୋଟିଏ ଘରେ ଆମେ ଦୁଇଟି ମାତ୍ର ମଣିଷ ରହୁଥିଲୁ। ହେଲେ କେହି କାହା ସହ କଥାବାର୍ତ୍ତା ହେଉ ନଥିଲୁ। ତା କଣ୍ଠରୁ ପଦେ କଥା ଶୁଣିବା ପାଇଁ ମୁଁ ଚାତକ ଭଳି ଅନାଇ ବସୁଥିଲି।ହେଲେ ସେ ଅଫିସ୍ ରୁ ଆସି ଫ୍ରେସ୍ ହୋଇ ସିଧା ବିଛଣାରେ ଗଡି ଯାଉଥିଲା। 


  ମୁଁ ତା ପାଇଁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ରୋଷେଇ କରୁଥିଲି।ସେ କିନ୍ତୁ କିଛି ଖାଉ ନଥିଲା। ପଚାରିଲେ ଫିଙ୍ଗି ପକାଇବା ଭଳି ଉତ୍ତର ଟେ ଫୋପାଡି ଦେଉଥିଲା। ମୁଁ ବାହାରୁ ଖାଇ ଆସିଛି। ତୁମେ ଖାଇ ଦିଅ। ମୁଁ ଯଦି କେବେ କହେ ତୁମର ଯଦି ବାହାରେ ଖାଇବା ର ଥିଲା ମୋତେ କହିଲନି। ଫୋନ୍ ଟେ ତ କରି ପାରି ଥାଆନ୍ତ?ସେ ଯବାବ୍ ଦିଏ ମୁଁ କଣ ତୁମକୁ କହିଥିଲି ମୋ ପାଇଁ ରୋଷେଇ କରିବା ପାଇଁ? ଆଉ କରିବନି। ତୁମେ ତୁମ କଥା ବୁଝ ମୁଁ ମୋ କଥା ବୁଝିବି। ମୁଁ ପୁରାପୁରି ଭାଙ୍ଗି ପଡ଼େ।ଆଉ କେବେ କେବେ ନ ଖାଇ ଶୋଇ ପଡ଼େ।


 ଦିନ କୁ ଦିନ ମୋ ମାନସିକ ସ୍ଥିତି ଖରାପ ହେବାରେ ଲାଗିଲା।ମୋ ମୁହଁ ଦେଖି ମୋ ସହକର୍ମୀ ମାନେ ମୋତେ ପଚାରନ୍ତି କଣ ହୋଇଛି ତୋର?ତୁ ଦିନକୁ ଦିନ ଏମିତି କାହିଁକି ଦେଖା ଯାଉଛୁ ?ମୁଁ ହସିଦେଇ କହେ ନା କିଛି ହୋଇନି ତ?ମୋର ପୁଣି କ'ଣ ହେବ? ହେଲେ ମୁଁ ଜାଣି ଥାଏ ଯେ ମୁଁ ଭିତରେ ଭିତରେ କେତେ ନିଃସଙ୍ଗ। 


  ଏଇ ନିଃସଙ୍ଗତା ର ଫାଇଦା ଉଠାଇ ଜଣେ ମୋ ସହ ଖେଳ ଖେଳି ଦେଲା। ମୁଁ ଚାହୁଁ ନଥିଲି ସେଇ ନିଃସଙ୍ଗତାର ସୁଯୋଗ ଆଉ କେହି ନେଉ ବୋଲି। ଆସ୍ତେ ଆସ୍ତେ ମୁଁ ନିଜକୁ ନିଜେ ଦୃଢ଼ ହେବା ଆରମ୍ଭ କଲି‌। ଭାବିଲି ଜଣେ ଯଦି ମୋର ହେବା ପରିବର୍ତ୍ତେ ମୋ ଟଙ୍କା ର ହେଲା ତେବେ ତାକୁ ଟଙ୍କା କାହିଁକି ଦେବି‌‌। ତା ନାଁ ର ଶଙ୍ଖା ସିନ୍ଦୂର ପିନ୍ଧିଛି ବୋଲି ମୋତେ କଣ ତାର ମୂଲ୍ୟ ଦେବାକୁ ପଡ଼ିବ? ଯେଉଁ ଶଙ୍ଖା ସିନ୍ଦୂର ପାଇଁ ମୋତେ ମୋ ଭିତର ର ଶାନ୍ତି କୁ ଜଳାଞ୍ଜଳୀ ଦେବାକୁ ପଡ଼ୁଛି ସେ ଶଙ୍ଖା ସିନ୍ଦୂର ର ମୂଲ୍ୟ କ'ଣ?ମୋ ଟଙ୍କା ନେଇ ଜଣେ ମୋତେ ହିଁ ମାନସିକ ଯନ୍ତ୍ରଣା ଦେଉଛି। କଣ ଆବଶ୍ୟକତା ଅଛି ସେ ଭଳି ସ୍ବାମୀ ର? ଯିଏ ସାରା ଜୀବନ ମୋତେ ସୁଖରେ ରଖିବାର ପ୍ରତିଶ୍ରୁତି ଦେଇ ବିବାହ କରି ଦୁଃଖ ର ସମୁଦ୍ର ଭିତରକୁ ଠେଲି ଦେଇଛି। ମୁଁ କାହିଁକି ଡରିବି‌ ଲୋକ ନିନ୍ଦା କୁ? ଯେଉଁ ଲୋକ ମାନେ ମୋ ତ୍ୟାଗ ର ମୂଲ୍ୟ ବୁଝିଲେନି, ସେମାନେ ମୋ ଯନ୍ତ୍ରଣା ର ମୂଲ୍ୟ ବୁଝିବେ କୁଆଡୁ? ବହୁତ ହେଲା ଦୁନିଆ ର ଡର ଆଉ ଡରିବିନି। 


  ମୁଁ କେବେ ନିଃସଙ୍ଗ ନଥିଲି ମୁଁ ନିଜେ ହିଁ ନିଜର ସାଥି ଥିଲି। ଏଇ କଥା ମୋର ବହୁତ ଆଗରୁ ବୁଝି ଯିବାର ଥିଲା। ଏବେ ବି ଆହୁରୀ ବହୁତ ଜୀବନ ବାକି ଅଛି।ମୁଁ ଯଦି ଶକ୍ତ ହେବି ତେବେ ମୋତେ ଭାଙ୍ଗି ଦେବାର ଶକ୍ତି କାହାର ନାହିଁ। ଏତିକି ଭାବି କାଢି ଦେଲି ହାତରୁ ଶଙ୍ଖା ଓ ପୋଛି ଦେଲି ମଥାର ସିନ୍ଦୂର। ପ୍ରସ୍ତୁତ ହେଲି ଅଶୋକ ର ମାନସିକ ଅତ୍ୟାଚାର ରୁ ନିଜକୁ ମୁକ୍ତ କରିବା ପାଇଁ ଓ ତାର ପ୍ରତ୍ୟେକ ଟି ଅତ୍ୟାଚାର ର ଦୃଢ଼ ଜବାବ ଦେବାପାଇଁ। 


  ମୋତେ ଆଉ ନିଃସଙ୍ଗ ଲାଗୁ ନଥିଲା। ମୋତେ ଲାଗୁଥିଲା ଏବେ ମୁଁ ଏକ ମୁକ୍ତ ବିହଙ୍ଗ ଆଉ ସାରା ଆକାଶଟା ମୋର।


రచనకు రేటింగ్ ఇవ్వండి
లాగిన్

Similar oriya story from Inspirational