jyotsna mayee panda

Tragedy

3  

jyotsna mayee panda

Tragedy

ନିଃଶବ୍ଦତାର ସ୍ୱର

ନିଃଶବ୍ଦତାର ସ୍ୱର

2 mins
169


ଏଇ ତ ଫଗୁଣ ଯାଇଛି l ଅବିରର ଗୋଲାପୀ ରଙ୍ଗ ଏବେ ବି ତୁମ ମୁହଁରେ ଝଟକୁଛି l ପ୍ରେମର ରାଗିଣୀ ଗାଇବା ପରେ କୋଇଲି ଏବେ ଏବେ ତ ଫେରିଛି ତା ନୀଡ଼କୁ l ଏତେ ଶୀଘ୍ର ସେ ଚୈତ୍ରର ପତ୍ର ଝରାରେ ତୁମ ସଦ୍ୟ ପ୍ରସ୍ଫୁଟିତ ମୁହଁ ଝାଉଁଳି ଯିବ କିଏ ବା ଜାଣିଥିଲା l ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରରେ......,ପତ୍ରଝଡା ଋତୁଟା ଏମିତି ଦିନେ ନିଃସଙ୍ଗତା ଆଣିଦେବ ଜୀବନରେ କିଏ ବା ଜାଣିଥିଲା l ସବୁଆଡେ ଯେମିତି ଖାଁ ଖାଁ ଲାଗୁଛି l ସବୁବେଳେ ତୁମ ହସ ହସ ମୁହଁ ମୋ ଆଖି ଆଗରେ ନାଚି ଉଠୁଛି l ହେଲେ କିଛି ସମୟ ପରେ ପୁଣି ଜୀବନରେ ସେ ନିଃଶବ୍ଦତାର ସ୍ୱର ଗୁଞ୍ଜରିତ ହେଉଛି l ଏମିତି ଲାଗୁଛି ଜୀବନ ଯୁଦ୍ଧରେ ମୁଁ ତୁମକୁ ହରେଇ ଅନେକ କିଛି ହରେଇ ଦେଇଛି ସୁଧା l ସେଦିନ ସକାଳୁ ସକାଳୁ ତୁମେ ମୋ ପାଇଁ, ଛୁଆଙ୍କ ପାଇଁ ସବୁ ରୋଷେଇ କରି ସଜାଡି ଦେଇଗଲ ଦୁଇଦିନ ପାଇଁ ଅଫିସ ଟୁରରେ l କରୋନା ପାଇଁ ସବୁବେଳେ ସମସ୍ତଙ୍କ ଯତ୍ନ ନେଉଥିଲ l ସବୁବେଳେ ଗରମ ପାଣି ଦେଉଥିଲ l ସକାଳୁ ସକାଳୁ ଚାହା ବଦଳରେ କାଢା  କରୁଥିଲ l ଅଫିସ ଗଲାବେଳେ ସବୁବେଳେ ମାସ୍କ ମୁଁ ଭୁଲିଯାଏ ଆଉ ସବୁବେଳେ ତୁମେ ହିଁ ମନେକରି ପିନ୍ଧେଇ ଦିଅ l  

ହେଲେ ସେଦିନ ଟୁରରୁ ଆସିବା ପରେ ହଠାତ ତୁମ ଦେହ ମୁଣ୍ଡ ଦରଜ ହେଲା l କାହାକୁ ବି ପାଖ ମାଡି ଦେଲନି l କାଳେ କରୋନା ହୋଇଥିବ ବୋଲି l ଟେଷ୍ଟ ପାଇଁ ନିଜେ ସ୍କୁଟିରେ ହସ୍ପିଟାଲ ଗଲ l ହେଲେ ସତକୁ ସତ ତୁମେ ସେ ଭୂତାଣୁର ସଂକ୍ରମଣରେ ଆସିଯାଇଥିଲ l ସେଥିପାଇଁ ସାଙ୍ଗେ ସାଙ୍ଗେ ହସ୍ପିଟାଲରେ ଆଡମିଟ କରାଗଲା l ଏମିତି ଯନ୍ତ୍ରଣାରେ ତୁମେ ଛଟପଟ ହେଉଥିଲ ହେଲେ ମୁଁ ICU ବାହାରେ ନିରବ ଦ୍ରଷ୍ଟା ସାଜି ଖାଲି ଦେଖୁଥିଲି l କାରଣ କିଛି ବି ଆଉ ମୋ ହାତରେ ନ ଥିଲା l ଖାଲି ତୁମ ଦୁଃଖକୁ ଅନୁଭବ କରି ପାରୁଥିଲି l ବାହାର ଖାଦ୍ୟ କେବେ ବି ଖାଇବାକୁ ଦେଉନଥିଲ ଏ କରୋନା ପାଇଁ l ହେଲେ ତୁମେ ଆସିବା ଦିନଠୁ ଛୁଆ ଦିଟା ଯେମିତି ଅଯତ୍ନ ହୋଇଗଲେଣି l ଏମିତି ଭିତରେ ସାତ ଦିନ ବିତିଗଲାଣି ହେଲେ ତୁମ ଅବସ୍ଥା ଆହୁରି ଖରାପ ଆଡକୁ ଗତି କରୁଛି l ସବୁବେଳେ ଭଗବାନ ଙ୍କୁ ଡାକୁଛି କେମିତି ତୁମେ ଭଲ ହୋଇ ନିଜ ସଂସାରରକୁ ସମ୍ଭାଳି ନେବ l କାରଣ ତୁମେ ଠିକ ଜାଣିଛ ତୁମ ବିନା ମୋ ସଂସାର ନାଆ ଚାଲି ପାରିବନି ସୁଧା l  

ଏମିତି ଅବସ୍ଥାରେ ତୁମକୁ ଛାଡି ଯିବାକୁ ଇଚ୍ଛା ନାହିଁ ହେଲେ ପରିସ୍ଥିତି ବାଧ୍ୟ କରୁଛି ଯିବାପାଇଁ l ସେଦିନ ଭିଡ଼ିଓ କଲ କରି ଛୁଆ ଦୁଇଟା ତୁମ ଅବସ୍ଥା ଦେଖି ଖୁବ୍ କାନ୍ଦିଲେ l ବହୁତ କଷ୍ଟରେ ଦୁହିଁଙ୍କୁ ବୁଝେଇଲି l ତୁମେ ଶୀଘ୍ର ଭଲ ହୋଇଯିବ ବୋଲି l ହେଲେ ମୋ ମନ ବି ବେଳେ ବେଳେ ଅଧୈର୍ଯ୍ୟ ହୋଇପଡୁଛି ସୁଧା l ସେଦିନ ରାତିରେ ଖୁବ କଷ୍ଟ ହେଉଥିଲା l କଥା ବି ହୋଇ ପାରିଲନି l ଖାଲି କାଚ ସେପାଖେ ଟିକେ ଚେହେରା ଦେଖିଲି l ହେଲେ ଯେତେବେଳେ ସକାଳୁ ସକାଳୁ ପୁଣି ତୁମ ପାଖକୁ ଆସିଲି ଆଉ କିଛି କହୁନଥିଲ l ଶରୀର ନିଶ୍ଚଳ ହୋଇ ପଡି ରହିଥିଲା ସେ ICUର ବେଡ଼ ଉପରେ l ପୁରାପୁରି ଚୁପ ହୋଇଗଲ ସବୁଦିନ ପାଇଁ l କେତେ କଥା କହୁଥିବା ଓଠଟି ଆଜି ଯେମିତି ନିରବ ନିଃଶବ୍ଦ ହୋଇ ଯାଇଛି.............

ଡ଼କ୍ଟର ତୁମକୁ ମୃତ ଘୋଷଣା କରିସାରିଥିଲେ l ଦୁନିଆଟା ପୁରା ଅନ୍ଧାର ହୋଇଗଲା l ଏମିତି ଭାବରେ ତୁମେ ଦିନେ ଚାଲିଯିବ ମୁଁ ସ୍ୱପ୍ନରେ ସୁଧା ଭାବି ନ ଥିଲି l ସବୁବେଳେ କୁହ ଅହ୍ୟ ସୁଲକ୍ଷଣି ହୋଇ ମରିଗଲେ ତୁମେ ନିଜ ହାତରେ ମୋତେ ସଜେଇ ଦେବ l ନିଜ ହାତରେ ସିନ୍ଦୂର ନାଇ ଦେବ ବୋଲି କହୁଥିଲ l ହେଲେ ଆଜି ତୁମକୁ ଛୁଇଁବାକୁ ବି ମନା l ମୁଁ ସ୍ୱାର୍ଥପର ହୋଇଯାଇଛି l ପରିସ୍ଥିତିର ଦାସ ହୋଇ ରହିଯାଇଛି l ଖାଲି ଧଳା ପଲିଥିନ ଭିତରେ ଘୋଡେଇ ହେଇ ରହିଗଲ l ମୁହଁ ଟିକେ ଦେଖିବାର ସୁଯୋଗ ମିଳିଲା l ବୋଧହୁଏ ତୁମେ ଋଷିଗଲ ମୋତେ ସବୁଦିନ ପାଇଁ l ହଜିଗଲା ତୁମ ଅସ୍ତିତ୍ୱ ସେ ଅନ୍ତରୀକ୍ଷରେ l ଶରୀର ଲୀନ ହୋଇ ମିଶିଗଲା ସେଇ ପଞ୍ଚଭୂତରେ l  

ହେଲେ ଆଜି ବି ସେ କୋହର ବହ୍ନି ଜଳୁଛି ମୋ ଛାତି ଭିତରେ l ସବୁ ଜନ୍ମ ପାଇଁ ତୁମେ ହିଁ ଆସିବ ସାଥିଟେ ହୋଇ ଜୀବନର ସେଇ ରଙ୍ଗମଞ୍ଚରେ l  

(କାହାଣୀଟି ମୋର ଜଣେ ଅତି ଆପଣାର ସାଙ୍ଗର ..ଯେ କରୋନାରେ ମୃତ୍ୟୁ ବରଣ କରି ସାରିଛି ... ସେଥିପାଇଁ ଆଜି ମୋ କାହାଣୀ ତା ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି... ଭଗବାନ ତାର ଆତ୍ମାକୁ ଶାନ୍ତି ଦିଅନ୍ତୁ )



Rate this content
Log in

Similar oriya story from Tragedy