ନଗ୍ନା ସାଳନ୍ଦୀ
ନଗ୍ନା ସାଳନ୍ଦୀ




ଧୂ... ଧୂ.... ଖରା ବୈଶାଖ ର।ଜଳୁଥାଏ ସାରା ଧରା ।ପ୍ରଖରତର ତିର୍ଯ୍ୟକ ସୂର୍ଯ୍ୟ ରଶ୍ମି ଅସହ୍ୟ ବୋଧ ହେଉଥାଏ।ସୁଦୂର କ୍ଷେତରୁ କାମ ସାରି ଫେରିବା ପରେ ସାଳନ୍ଦୀ ନଦୀ ର ଗରମ ଗରମ ପାଣିରେ ବୁଡ଼ ଲାଗେଇବାର ତୃପ୍ତିକୁ ଆତ୍ମସାତ କରିବାର ପ୍ରବଳ ଇଛା କ୍ରମଶଃ ଉପସମିତ ହୁଏ ଏବଂ ଲମ୍ବି ଯାଏ ଗାଧୋଇବାର ସମୟ।ନଈ କୂଳ ର କାଶ ତଣ୍ଡି ଭାରା ପଠା ପାଖ ଥଣ୍ଡା ପାଣି ର ମୋହ ବି ଛାଡି ହୁଏନା। ତଳ ସାହି ତୁଠରୁ ମଣିଆ ଭାଇ ହାତରେ ଜାଲ ଧରି ଡାକ ଛାଡେ।ଗାଧୋଉ ଗାଧୋଉ ତଣ୍ଡି ବୁଦା ଚାରିପାଖେ ଜାଲ ଭିଡି ମାଛ ଧରିବା ଗୋଟେ ନିତିଦିନିଆଁ କଥା।ଏ ମଣିଆ ଭାଇ ବି ମାଛ ଧରିବାରେ ବଡ ପାରଗ।ବୋମି ,ତାଟରା,ଫଳି କେବେ କେବେ ଲମ୍ବା ଲମ୍ବା ନିଶ ଵାଲା ବାଳିଆ ମାଛ ବି ଧାରା ପଡି ଯାଆନ୍ତି ତା ହାତରେ ।ଠାକୁର ଦେଖା କୁ କଦଳୀ ବିକା ।ଗାଧୁଆ ସାରୁ ସାରୁ ପାଏ ଦି'ପା ତାଜ଼ା ମାଛ ବି ମିଳିଯାଏ।ବଡ଼ ମଜ଼ା ଲାଗେ , ସତେଜ ସତେଜ ଲାଗେ ଶ୍ରାନ୍ତ ଅବୟବ ବାହୀ ଜୀବନ ଧାରା।
ସଞ୍ଜ ହେଲେ ସଜ ହୁଏ ଗାଁ ର ଅଗଣା,ଗୋବର ଲିପା ମାଟି ପାହାଛ ରେ ତଳ ଉପର ହୋଇ ବସି କେଶ ବିନ୍ୟାସ ରତ କିଶୋରୀ ଏବଂ କୁଳ ବଧୁ ମାନଙ୍କର ଓଠ ଚିପା ହସ ବାତାବରଣକୁ କିଞ୍ଚିତ ଛନ୍ଦମୟ ରଙ୍ଗମୟ କରି ଗଢ଼ି ତୋଳେ।ସାଳନ୍ଦୀ ବି ସଜେଇ ହୋଇ ଯାଏ ଅପରୂପ ସୌନ୍ଦର୍ଯ୍ୟ ସମ୍ଭାର ଆବୋରି। ଅସ୍ତଗାମୀ ସୂର୍ଯ୍ୟର ଚିତ୍ର ଆଙ୍କି ବସେ ନିଜର ଚହଲା ପଣତ କାନୀ ରେ।ମେଞ୍ଚା ମେଞ୍ଚା ଅରୁଣୀମା,ଭଷା ଶୁଭ୍ର-ପାଣ୍ଡୁର ବର୍ଣ୍ଣ ର ବାଦଲ ମଝିକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ,ସମ୍ମିଳିତ ରଙ୍ଗ ତରଙ୍ଗ କୁ ହୁବହୁ ଉତାରି ନିଏ ନିଜ ଅଙ୍କ ପଟ୍ଟ ତଳେ,ଏବଂ ସୃଷ୍ଟି କରେ ଅସାଇତା ନର୍ତ୍ତନ ରତ ଜଳଚିତ୍ର।ନୀଡ଼ ବାହୁଡା ପକ୍ଷୀ ମାନେ ମଧ୍ୟ ନିଃଶବ୍ଦ ଆଙ୍କି ହୋଇ ଯା'ନ୍ତି ଏବଂ ଶତ ଗୁଣିତ କରି ଯାଆନ୍ତି ସେ ଅମୀୟ ଶୋଭା ସମ୍ଭାର କୁ।ବର୍ଷା-ବିରହୀ ଗ୍ରୀଷ୍ମ-ଦଗ୍ଧା କ୍ଷୀଣ-ତନ୍ଵୀ ସାଳନ୍ଦୀ;ସ୍ରୋତରେ ନଥାଏ ପ୍ରଖରତା ,କାହିଁ କାହିଁ ସ୍ଥିର-ସ୍ରୋତା ପ୍ରତୀତ ହୁଏ,ସତେ ଅବା ଚାଲି ଚାଲି ଥକି ଯିବା ପରେ ଟିକେ ବିଶ୍ରାମ ଖୋଜେ ପ୍ରଗଲ୍ଭା, ଭଉଁରୀ କାଟି ପୁଣି ଆଗକୁ ଆଗେଇ ଯିବା ଆଗରୁ।ସଞ୍ଜ ଘନେଇଁ ଆସେ,ପୂର୍ବ ଆକାଶ ରୁ ଚାନ୍ଦ ଉଇଁବା ଆଗରୁ ସଞ୍ଜ ତାରା ଉଙ୍କି ମାରେ।ଗାଁ ର ଲଙ୍ଗଳା ପିଲା ମାନେ ଆଙ୍ଗୁଳି ଇଙ୍ଗିତରେ ତାରା ଖୋଜନ୍ତି।ଏକ ତାରା ମଣିଷ ମରା...କହୁ କହୁ ଆକାଶ ସାରା ଆଖି ଫେରାନ୍ତି।କ୍ରମଶଃ ତାରା ଭରା ଆକାଶ ହସି ଉଠେ,ସ୍ଫଟିକ ଅଙ୍ଗୀ ସାଳନ୍ଦୀ ସମସ୍ତଙ୍କୁ ଚାହିଁ ହସେ ନିର୍ମଳ ନିର୍ମଳ,ଏବଂ ଆବୋରି ନିଏ ନିଜର ଅନାବିଳତା ଭିତରେ।ଚାନ୍ଦ ନାଚେ,ଚାନ୍ଦିନୀ ଖେଳେଇ ହୋଇ ଯାଏ ଇତସ୍ତତଃ।ରଙ୍ଗ ମୟ ହୋଇ ଯାଏ ଅବା ତରଙ୍ଗାୟିତ କାୟା ସାଳନ୍ଦୀ ର। ଈଷତ ସୁନେଲି ରୁ ରୁପେଲି ହୋଇ ଯାଏ କ୍ଷଣିକେ ତରଙ୍ଗିଣୀ।ସ୍ଵଛ ଜଳ ରାଶି ତଳୁ ଦୃଶ୍ୟମାନ ଶୁପ୍ତ ବାଲୁକା ଶେଜ ରୁ ଅଝଟିଆ ପିଲା ପରି ଡିଆଁ କୁଦା କରୁ ଥିବା ଦଣ୍ଡିକିରି କେରାଣ୍ଡି ମାନେ ଉତ୍ପାତ କରନ୍ତି, ନିଜର ଚକ ଚକିଆ ଦେହ କୁ ଜହ୍ନ ଆଲୁଅରେ ଝଲକେଇ।ସାଳନ୍ଦୀ ଥାପୁଡ଼େଇ ଶାନ୍ତ କରେ ଆକଟ କରେ କୁନି କୁନି ଢେଉ ଦୋହଲେଇ।
ନଦୀ ତଟର ବିସ୍ତୀର୍ଣ୍ଣ ବାଲୁକା ବୈଭବି ତଟ ଲମ୍ବି ଯାଇଥାଏ କାହିଁ କେତେ ଦୂର ଆଗ ବାଙ୍କ ପର୍ଯ୍ୟନ୍ତ,ଯେଉଁଠି ଅଂଟା ବୁଲେଇ ମୋଡ଼ି ଯାଏ ଛଟକୀ ଚପଳା ଚଞ୍ଚଳା ବେଗବତୀ।ଦି'ପହରର ପ୍ରଚଣ୍ଡ ଗରମ ରୁ ତ୍ରାହି ମିଳିବା ପରେ ଶାନ୍ତ ହୋଇ ଶୋଇ ଯାଏ ଶ୍ରାନ୍ତ ବାଲୁକା ବହୁଳ ତଟ ପ୍ରଦେଶ।ଚିକ୍କଣ,ସୁକ୍ଷ୍ମ ସଜ୍ଜିତ ବାଲୁକା ମୟୀ ବେଳା ଜହ୍ନ ରୁ ଆହରଣ କରେ ଶିତଳତା,ପବନ ବି କାନେ କାନେ ତାର ତୁନି ତୁନି କଥା କହେ ଏବଂ ଭରିଯାଏ ଶିତଳତା ଅଙ୍ଗେ ଅଙ୍ଗେ।
କ୍ରମଶଃ ନଈ ପଠା କୋଳାହଳ ମୁଖର ହୋଇ ଉଠେ।କେଉଁଠି ପିଲା ମାନେ ଡିଆଁ କୁଦା କରନ୍ତି ,କିଶୋର ମାନଙ୍କର ଖେଳ ଏବଂ ଯୁବାଙ୍କର କସରତ।ବୟସ୍କ ମାନେ ମଧ୍ୟ ବସି ବସି କେଜାଣେ କଣ କଥା ହୁଅନ୍ତି।
ଗାଧୁଆ ଘାଟ ପାଖରେ ଗାଁ ଝିଅ ବହୁ ମାନଙ୍କର ମେଳା ଲାଗିଯାଏ, ବ୍ୟସ୍ତତା ବଢିଯାଏ ନଈ କୂଳେ କୂଳେ।ମାତ୍ର ସାଳନ୍ଦୀ ସେଇମିତି ସମସ୍ତଙ୍କୁ ଶିତଳତା,ଶାନ୍ତ ସୌମ୍ୟ ସ୍ନିଗ୍ଧ ସ୍ୱଚ୍ଛତା ବାଣ୍ଟୁ ବାଣ୍ଟୁ କଳ କଳ ନାଦ ରେ କେଉଁ ଏକ ପଲ୍ଲୀ ଗୀତିକା ଗୁଣୁ ଗୁଣୁ କରେ।
ସଞ୍ଜ ଘନେଇଁ ଆସେ।କ୍ରମଶଃ ଶାନ୍ତ ହୋଇ ଯାଏ ନଦୀ ତଟ, ରହି ଯାଆନ୍ତି ମାତ୍ର କେତେ ଜଣ ଯୁବା କିଶୋର।କେହି ଗାମୁଛା ବିଛେଇ, ଆଉ କେହି ଫୁଙ୍ଗୁଳା ଦେହ କୁ ବାଲି ଶେଯରେ ପସାରି ଶୋଇ ରହନ୍ତି।ନାନା ପ୍ରକାର କଥା ପ୍ରସଙ୍ଗ ବଦଳାଏ।ଜାଗି ଉଠେ ଯୁବ ସୁଲଭ ପ୍ରଗଳ୍ଭତା।ଶୀତୁଆ ଜହ୍ନ ବି ବାଲି ଶେଜ ଉପରେ ଥଣ୍ଡା ଥଣ୍ଡା ମହୁଲି ନିଶା ମିଶେଇ ଦିଏ...ରାତି ଚୁପ ଚାପ ଆସେ ଏବଂ ଜହ୍ନ ଆଲୁଅକୁ ତୋଳି ଧରେ ମୁହଁ ଉପରେ।ମତୁଆଲୀ ସାଳନ୍ଦୀ ର କଳ କଳ ନିନାଦ କ୍ରମଶଃ ସ୍ପଷ୍ଟ ତର ହୋଇ ଉଠେ।ତଥାପି ଇଛା ହୁଏନା ଛାଡି ଯିବାକୁ ଏ ସାଳନ୍ଦୀ ର ଶାନ୍ତ ଶୀତଳ ପରିବେଶ।
ସମୟ ହଜିଗଲା ପରେ,ଖୋଜି ପାଏନା ଆଉ ସେ କୁନି କୁନି ମୁହୂର୍ତ୍ତ ମାନଙ୍କୁ।ସ୍ମୃତି ବି ଧୋଖା ଦେଇ ଯାଏ କେବେ କେବେ।ଆଉ ନାହିଁ ସେ ବିସ୍ତୀର୍ଣ୍ଣ ବାଲୁକା ରାଶି,ଲମ୍ବା ନଈ ପଠା।ହଜି ଯାଇଛି ସାଳନ୍ଦୀ ର ସେ ରାମଣୀୟତା।ଏଠି ଆଜି ବି ଜହ୍ନ ଆସେ ,ଆସନ୍ତି ତାରକା ଯୁଥ ।ନୀଡ଼ ବାହୁଡା ବିହଙ୍ଗ ବୃନ୍ଦ ଉଭେଇ ଯାଆନ୍ତି ଛାଇ ଆଲୁଅରେ।ବ୍ୟସ୍ତ ସାଳନ୍ଦୀ ବି ଚାହେଁ ନା ସାଉଁଟିବାକୁ ସ୍ମୃତି ର ଶାମୁକା।କିନ୍ତୁ ଗାଏ ଗୀତ ଆଗ ପରି,ମାତ୍ର କରୁଣତା ଭରି ଗଲା ପରି ପ୍ରତୀତ ହୁଏ ।ଚାନ୍ଦ ବି ଆନମନା ଚାନ୍ଦିନୀ ବିମନା।କୋଳାହଳ ଶୁନ୍ୟ ଶୁନଶାନ ନଈ ତୁଠ।ଆସନ୍ତିନି କିଶୋର କିଶୋରୀ ଅବା ଗ୍ରାମ ବଧୂ।କାଖ ରେ କଳସି ଧରି ଆଳସୀ କନ୍ୟା ମାନଙ୍କର ମନ୍ଦ ଗତି ଆଜି ସ୍ମୃତି ପାଲଟି ଗଲା ପରେ ଗୁମୁରି ଗୁମୁରି କାନ୍ଦେ ସାଳନ୍ଦୀ।
ରାତି ପାହିବା ଆଗରୁ ସୂର୍ଯ୍ୟ ଉଇଁବା ପୁର୍ବରୁ ପୁଣି ରାତି ଗାଢ଼େଇବା ଯାଏ ଟ୍ରକ ଟ୍ରାକ୍ଟର ମାନଙ୍କର ଘୋର ଘର୍ଘର ଶବ୍ଦ,ଦୁର୍ବୃତ୍ତ ଅତ୍ୟାଚାରୀ ମାନଙ୍କର ଅଟ୍ଟହାସ୍ୟ ରେ ତ୍ରସ୍ତ ସମସ୍ତ ପରିବେଶ।ନଈ ପଠା ଆଜି କ୍ଷତ ବିକ୍ଷତ।ସଂପନ୍ନ-କୂଳା ସାଳନ୍ଦୀ ଆଜି ନଷ୍ଟ କାୟା ଅବହେଳିତା।ବିକାଶର କୃର ପ୍ରହାର ଏବଂ ଧନକାମୀ ନିର୍ଦ୍ଧନ ବ୍ୟକ୍ତିତ୍ତ୍ୱ ମାନଙ୍କର ଉପଦ୍ରବ ; ନିର୍ଯାତନା ଗ୍ରସ୍ତ କ୍ଷତ-ଦେହୀ।
ପ୍ରତି କ୍ଷଣ ଦେହରୁ ତାର ମେଞ୍ଚା ମେଞ୍ଚା ମାଂସ ଝୁଣି ଝୁଣି ଖାଇ ଯାଆନ୍ତି
ସଭ୍ୟତା ର ଦ୍ୱାହି ଦେଇ ତଥା କଥିତ ସଭ୍ୟ ଚିଲ ଶାଗୁଣା ମାନେ।ଚିତ୍କାର ସମସ୍ତ ସାଳନ୍ଦୀ ର ମିଶି ଯାଏ,ହଜି ଯାଏ ଟ୍ରାକ୍ଟର ମାନଙ୍କର ଭୟଙ୍କର ଅଟ୍ଟାହାସ୍ୟ ମଝିରେ।
ଛାତି ଭିତରେ ଅନେକ ଅବଶୋଷ କୋହ ହୋଇ ଯାଆନ୍ତି,ଆଖି ଜକେଇ ଆସେ।ଅନିଗିଡ଼ା ଲୁହକୁ ସାଳନ୍ଦୀ ରେ ବତୁରେଇ ଦେଖୁଥାଏ ବିବଶ ମୁଁ ନଗ୍ନା ସାଳନ୍ଦୀ କୁ।