Satyaprakash Sethy, M. A(UGC NET)

Horror

4  

Satyaprakash Sethy, M. A(UGC NET)

Horror

ନବିନା ବା '

ନବିନା ବା '

7 mins
229



ନବିନା ବା' ହୃଷ୍ଟପୃଷ୍ଟ ହୋଇ ଭାରି ଡେଙ୍ଗାଳିଆ ଲୋକଟେ। ସାଢେ ଛଅ ଫୁଟରୁ ଅଧିକ ହେବ ଉଚ୍ଚତା। ତୋଫା ଗୋରା। ଗୋଟିଏ ନାଲି ଲମ୍ବହାତି ଗାମୁଛା ଓ ଢାଉ ରଙ୍ଗର ପାଇଜାମାଟେ ପିନ୍ଧି ସାରା ଦୁନିଆ ବୁଲି ଆସନ୍ତି ସେ।ଆଉ ଗୋଟେ ଗାମୁଛା ମୁଣ୍ଡ ଉପରେ ଟାୟା ହୋଇ ଭିଡ଼ା ହୋଇଥିବ ବା ବେକରେ ଝୁଲୁଥିବ ନତୁବା କେତେବେଳେ କେମିତି ଅଣ୍ଟିରେ ଗୁଡ଼ା ହୋଇଥିବ। ବଡ଼ ସାହସୀ। ଦୁନିଆର କାହାକୁ ଡର ନଥାଏ ତାଙ୍କର। ବିଦେଶ ଗସ୍ତରେ ଥିଲା ବେଳେ କେହି ସିନା ତାଙ୍କୁ ମନେ ରଖି ନଥାନ୍ତି, ହେଲେ ଯେତେବେଳେ ଗାଁକୁ ଫେରନ୍ତି, ସମସ୍ତେ ତାଙ୍କ ଦାଣ୍ଡ ଆଗରେ ଜମା ହୋଇଯା'ନ୍ତି। ନବିନା ବା' ମିଠେଇ ପାଖରୁ ଆରମ୍ଭ କରି କଲିକତିଆ ରସଗୋଲା ଓ ଆହୁରି କେତେ କ'ଣ ସବୁ ଆଣିଥାଏ। ଗାଁ ସାରା ଲୋକଙ୍କୁ ବାଣ୍ଟେ। ପିଲାମାନଙ୍କୁ ପାଖରେ ବସେଇ ଭାରି ଗେହ୍ଲ କରେ। ବିଦେଶରେ ଘଟିଥିବା କେତେ କ'ଣ ନୂଆ କାହାଣୀ ସବୁ ବଖାଣି ବସେ। ଆମେ ଗାଁ ପିଲାତକ ତା ଚାରିପଟେ ବେଡି ଆଣ୍ଠୁ ମାଡି ଚେକା ପକେଇ ବସି ପଡୁ। ନବିନା ବା' ମିଠେଇ ବାଣ୍ଟେ ଓ ଗପ ଶୁଣାଏ। ତେଣୁ ସବୁ ପିଲାଙ୍କର ସେ ଅତି ଆଦରଣୀୟ ନବିନା ବା'।

ଏଇ ନବିନା ବା' ସେଦିନ ଗାଁକୁ କଲିକତାରୁ ଫେରୁଥିବା ବେଳେ ବାଟରେ କ'ଣ ସବୁ ଅଘଟଣ ଘଟିଥିଲା-ସେଇ କଥା ସେଦିନ ସେ କହୁଥିଲେ ଓ ଆମେ ସବୁ ବଡ଼ ଉତ୍ସୁକତାର ସହ ଶୁଣୁଥିଲୁ। ଏଇ ନବିନା ବା' କୌଣସି ଘଟଣାକୁ ଉପସ୍ଥାପନ କଲା ବେଳେ ଏମିତି ସ୍ଵତନ୍ତ୍ର ଶୈଳୀ ଆପଣାନ୍ତି ଯେ, ଯେମିତି ଲାଗିବ ଆଖି ସାମ୍ନାରେ ସବୁ କଥା ଏଇ କ୍ଷଣି ଘଟିଯାଉଛି। ସେ ପରା କଥାରେ ନଥା ପକାଇ ଘଟଣାକୁ ରୋଇ କି ଏମିତି ଥୋଇ ଦେବେ ଯେ , ଲାଗିବ ଯେମିତି ସବୁ ସତ ସତିକା ସତ ।ତେଣୁ ଆମେ ଆହୁରି ଆଗ୍ରହରେ ସହ ତାଙ୍କ ମୁହଁଟାକୁ ଖାଲି ଆଁଟା କରି ଚାହିଁ ରହିଥାଉ। ସେ କ'ଣ କେତେବେଳେ କୋଉ କଥା କହିବେ କେବଳ ସେଇ କଥାକୁ ଅପେକ୍ଷା।

ଏଇ ନବିନା ବା' କଲିକତାରେ ରହନ୍ତି, ବର୍ଷେ ଛଅ ମାସକେ ଯାହା ଥରେ ଅଧେ ଗାଁକୁ ଆସନ୍ତି। ପିଲାଟି ଦିନରୁ ସେ ବିଦେଶ କଲେଣି। ଗାଁରେ ତାଙ୍କର ଜମି ବାଡ଼ି ସେତେ ନାହିଁ। ତେଣୁ ବିଦେଶରେ ରହି କାମ ଧନ୍ଦା କରିବାକୁ ସେ ଅଧିକ ପସନ୍ଦ କରନ୍ତି। ସେଇ ବିଦେଶ ପାଇଁ ତ ତାଙ୍କ ଘର କରଣା, ପିଲା ଛୁଆ ଭଲରେ ଚଳୁଛନ୍ତି। ଯାହା ଦି ପଇସା ରହିଲା ଜମି ବାଡ଼ି ଗୁଣ୍ଠେ ଅଧେ କିଣିଲେଣି। ତେଣୁ ବିଦେଶଟା ତାଙ୍କ ନିଶା, ତାକୁ ଛାଡ଼ି ସେ ଏଠି ବେଶି ଦିନ ରହି ପାରିବେ ନାହିଁ। ବିଦେଶରେ ତାଙ୍କର କେତେ ଅନୁଭୂତି। ସେଠି ସେ କେତେ କେତେ ନୂଆ ଲୋକଙ୍କ ସହ ମିଶନ୍ତି, ସେଠୁ ସେ ଆଚାର ବିଚାର ସବୁ ଶିଖିଛନ୍ତି। ସେ ସିନା ପଢା ଲେଖା ସେମିତି କିଛି ଜାଣି ନାହାଁନ୍ତି, ହେଲେ ବେଙ୍ଗଲୀ, ହିନ୍ଦୀ ସବୁଥିରେ ସେ ପାରଙ୍ଗମ। ଆଛା ଆଛା ବାବୁ ମାନଙ୍କ ସହ ମିଶି ସେ ପରା ଗପସପ ହୁଅନ୍ତି। ସମସ୍ତେ ତାଙ୍କୁ ଭାରି ଭଲ ପାଆନ୍ତି। ସେଠି ତାଙ୍କର ଭାରି ନାଁ। ବାବୁଙ୍କର ସେ ଏକାନ୍ତ ବିଶ୍ୱସ୍ତ। ଘରେ କେହି ନଥିଲା ବେଳେ ବାବୁଆଣୀ ପରା ତାଙ୍କୁ ଘର ଗୋଟାକର ଦାୟିତ୍ଵ ଦେଇ ଯାଆନ୍ତି। କାମ ବୋଲି କ'ଣ କି, ସେମିତି କିଛି ଚପଟ କାମ ନୂହେଁମ! କେବଳ ସକାଳୁ ଛେନା ଭାର ଧରି ବାହାରନ୍ତି। ବୁଲିବୁଲି ଦୋକାନରେ ସବୁ ଛେନା ଦେଇଦେଲେ କାମ ଶେଷ। ଆଉ ଦିନ ତମାମ କେହି କିଛି କହିବାକୁ ନାହିଁ। ଖାଲି ବୁଲି ବସି ଟାଇମ୍ ପାସ୍ କରିବା କଥା। ଅବଶ୍ଯ ଛେନା ଭାରଟା ଭାରି ଓଜନିଆ, ତାଙ୍କ ଭଳିଆ ଟାଣୁଆ ଲୋକ ନହେଲେ ସମସ୍ତେ ସେ କାମ ପାରିବେ ନାହିଁ। ଦିନେ ଦୁଇ ଦିନରେ ସେ କାମ ଛାଡ଼ି ପଳାଇବେ। ନବିନା ବା କିନ୍ତୁ ସେଇ ଏକା କାମ ଦୀର୍ଘ ପଚାଶ ବର୍ଷ ଧରି କରି ଆସୁଛି। ତାକୁ ଏ କାମ ଚିତର (ଚିତ୍ର) ପରିକା, ସେ ଆଦୌ କଷ୍ଟ ଅନୁଭବ କରେ ନାହିଁ । ହେଲେ ଭଲ ଦୁଇ ପଇସା ମିଳେ। ମାଲିକ ବି ବକସିସ୍ କେତେବେଳେ କେମିତି ଦିଅନ୍ତି ଆଉ ସେଇ ମିଠା ଦୋକାନୀମାନେ ଘରକୁ ଆସିଲା ବେଳେ "ପିଲା ଛୁଆ ଖାଇବେ"- କହି ପୁଳାଏ ପୁଳାଏ ମିଠା ଦିଅନ୍ତି ଯାହାକୁ ନେଇ ସେ ଘରକୁ ଆସେ ।

ଏଇଟା ପରା ଭାରି ବଡ଼ ସହର, ଲୋକବାକ ଅନେକ। ଗହଳିପୂର୍ଣ୍ଣ ଯାଗା। ଯୁଆଡେ ଚାହଁ ଖାଲି ଲୋକ ସମୁଦ୍ର ନଜରକୁ ଆସିବେ। ଯେଣୁ କଲିକତା ମହାନଗରୀ, ଭାରତର ଅନ୍ୟତମ ସହର। ଉଡ଼ା ଜାହାଜ, ଚିଡ଼ିଆଖାନା ସବୁ ସେଇଠି ଅଛି। ସେଠାକାର ଲୋକମାନେ ରଙ୍ଗ ବେରଙ୍ଗର ପୋଷାକ ପତ୍ର ପିନ୍ଧି ଭାରି ପରିଷ୍କାର ଓ ପରିଚ୍ଛନ୍ନ ଦିଶନ୍ତି। ବେଙ୍ଗଲୀ ଭାଷା ବି ଭାରି ମିଠା, ମିଠା ବାସେ, ମଧୁର ମଧୁର ତା'ର ବୋଲି ।ସେଠି ରୂପଜିବୀ ବେଶ୍ୟାଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ ସବୁ କିସମର ଲୋକ ଅଛନ୍ତି।ଭଲ ଠାରୁ ଖରାପ ହାବୁଡ଼ରେ ପଡ଼ିବାର ସମ୍ଭାବନା ବେଶି ଥାଏ। ତେଣୁ ଟିକିଏ ଜଗାରଖା କରି ଚଳିବା ଉଚିତ୍। ନୋହିଲେ ଠକଙ୍କ ମାୟାଜାଲରେ ଫସି ପଟେ ନାମ ନେବା ସାର ହେବ। ନୂଆ ଲୋକ ହେଲେ ପରା ଆକାବାକା ହୋଇଯିବେ, କେବଳ ନବିନା ବା' ଭଳିଆ ପୁରୁଖା ଲୋକ ପାଇଁ କିଛି ଅସୁବିଧା ନାହିଁ। ସେ ସହରର ଗଳିକନ୍ଦି ସବୁ ଜାଣିଛନ୍ତି। ତାଙ୍କୁ କେହି ଭୂତେଇ ପାରିବେ ନାହିଁ କି ଠକେଇ ପାରିବେ ନାହିଁ। ନବାବ ମୁହଁରେ ଜବାବ ଦେବା ଲୋକ ସେ। ଭାରି ରାଇଟିଆ ଲୋକ। ଯାହା କହନ୍ତି ମୁହେଁ ମୁହେଁ ରୋକଠୋକ୍ ଶୁଣେଇ ଦିଅନ୍ତି, ତେଣିକି ଯିଏ ଯାହା ଭାବୁ। ସତ କଥାରେ ସେ କାହାକୁ ଡରିବାର ନୂହେଁ। ହେଲେ ଯେତେ ସୁଖ ସ୍ୱାଛନ୍ଦ୍ଯ ସେଠି ଥାଉନା କାହିଁକି ଜନ୍ମ ମାଟିକୁ ବର୍ଷେ ଛଅ ମାସକେ ଟିକିଏ ଫେରି ନ ଆସିଲେ ମନଟା ଆଦୌ ଶାନ୍ତି ଲାଗେ ନାହିଁ। କାହିଁକି ନା ଏଇଠି ଅଛନ୍ତି ତାଙ୍କ ଛୁଆ ପିଲା, ଘର ସଂସାର ଗାଁ ଲୋକ, ଜନମ ଭୂଇଁ - ଭାରି ଆପଣାର। ହେଲେ ସୁଦୂର କଲିକତାରେ - କେହି ହେଲେ ଜଣେ ନିଜର ନାହାଁନ୍ତି। ଦେହ ପା' ଭଲ ମନ୍ଦରେ ଆହାଃ ପଦେ କହିବାକୁ। ତେଣୁ ଗାଁକୁ ଆସିବାକୁ ତାଙ୍କର ଭାରି ସରାଗ।

ଏଥର କିନ୍ତୁ ଗାଁକୁ ଆସିଲେ ବେଳେ ତାଙ୍କ ସହ ଛୋଟ ବଡ଼ ଅନେକ ଘଟଣା ଘଟିଯାଇଛି, ଯାହାକୁ ନେଇ ସେ ବଡ଼ ଗମ୍ଭିର ଥିଲା ପରି ମନେ ହେଉଥିଲେ। ସମ୍ପୂର୍ଣ୍ଣ କାହାଣୀଟି ବ୍ୟାଖ୍ୟାନ କରୁକରୁ ତାଙ୍କ ଦେହରୁ ଶରମ ଝାଳ ବୋହି ଯାଇଥିଲା। ସେ ବେଶ୍ ଅଣ ନିଶ୍ୱାଷୀବୋଧ ଅନୁଭବ କରୁଥିଲେ। ତେବେ ଆସନ୍ତୁ ଘଟଣାଟି ଫିଟାଇ ଶୁଣିବା।

ସେଦିନ ସଅଳ ଦିନ ଯାକର ସମସ୍ତ କାମ ଗୋଟେଇ ନବିନା ବା' ନିଜ ସାମାନ ପତ୍ର ସବୁ ସଜାଡି ରଖିଲେ। ଟ୍ରେନ୍ ଆସିବା ସମୟ ପାଖେଇ ଆସିବାରୁ ହାୱାର୍ଡାରେ ଯାଇ ପହଁଞ୍ଚିଲେ।ଟ୍ରେନ୍ କୁ ଚଢିବା ପାଇଁ କୁଲିମାନେ ହୋ ହାଲ୍ଲା କରୁଥିଲେ ଆଉ ଯାତ୍ରୀମାନେ ଧାଁ ଦୌଡ଼। କେତେଟା କୁଲି ଆସି ନବିନା ବା' ଜିନିଷକୁ ଟଣାଓଟରା କରୁଥିଲେ, ହେଲେ ନବିନା ବା' ସେମାନଙ୍କୁ ଭୂରୁଡି ଦେଖାଇ ଘଉଡେଇ ଦେଲେ। ସେ ପରା ଏକା - ଶତ ସିଂହର ବଳ ତାଙ୍କର। ଏକଲା ସେ ନିଜେ ସବୁ ଜିନିଷ ପତ୍ରକୁ ଗାଡ଼ିରେ ଚଢେଇଲେ, କାହାରି ବି ସାହାଯ୍ୟ ନେଇ ନାହାଁନ୍ତି। ଗାଡ଼ି ଭିତରେ ବହୁତ ଜାମ୍, ଗୋଡ଼ ରଖିବାକୁ ବି କେଉଁଠି ଜାଗା ନଥାଏ। ତଥାପି ବହୁତ କଷ୍ଟରେ ଅଧା ବାଟରେ ସିଟ୍ ଖଣ୍ଡେ ପାଇଗଲେ ।ଏଣିକି ଟିକେ ନିଶ୍ଵାସ ଫେରାଇଲେ। ଏଣିକି ଆଉ କିଛି ଚିନ୍ତା ନାହିଁ, ଖାଲି ଘର ପାଖରେ କେମିତି ଜଲଦି ପହଁଚିବେ କେବଳ ସେଇ ଚିନ୍ତା।ଆଖି ସାମ୍ନାରେ ଝଲସି ଉଠୁଥିଲା ବନା ମାଆର ଚେହେରାଟା ଆଉ ନାତୁଣୀ ଗେଲିର ମୁହଁଟା। ଗାଁ ଲୋକ, ଘର ବାଡ଼ି ସବୁ କିଛି ନାଚି ଉଠୁଥିଲା। ଇଛା ହେଉଥିଲା ନିମିଷକେ ପକ୍ଷୀରାଜ ଘୋଡାରେ ଚଢ଼ି ସେ ଗାଁ ମାଟିରେ ଯାଇ ପାଦ ଥାପନ୍ତେ କି।


ଶେଷରେ ଛୁକ୍ ଛୁକ୍ କରି କୋଇଲା ଇଞ୍ଜିନ୍ ରେଳ ଗାଡିଟା ଧକେଇ ଧକେଇ ଯାଇଁ କେନ୍ଦୁପଦା ଷ୍ଟେସନରେ ପହଞ୍ଚିଲା। ରାତି ବାର। ଚାରିଆଡେ ଶୂନ୍ଶାନ୍। ଜଣେ ଅଧେ କେହି କେମିତି ସେଇ ଷ୍ଟେସନରେ ଓହ୍ଲାଇ ଥିଲେ, ହେଲେ ସେମାନେ ବି ଗହଳ ଅନ୍ଧକାର ଭିତରେ କେଉଁଆଡ଼େ ହଜି ଯାଇଥିଲେ। ଆଉ କେହି କୁଆଡ଼େ ନଥାନ୍ତି, ଭାରି ନିଛାଟିଆ ଲାଗୁଥାଏ ।ଷ୍ଟେସନ୍ ଭିତରେ କେବଳ ଜଣେ ଷ୍ଟେସନ୍ ମାଷ୍ଟର୍ ଚେୟାରରେ ବସି ଢୁଳାଉ ଥାନ୍ତି । ଆଉ ଜଣେ ପତାକା ଓ ଫୋକସ ଲାଇଟ୍ ଟେ ଧରି ତଳେ ଘୁମଉ ଥାଏ।

ସେଇଠୁ ଆହୁରି ଚାରି ପାଞ୍ଚ ମାଇଲ୍ ରାସ୍ତା ହେବ ଘରକୁ। ରାସ୍ତା ଘାଟର ତ ସେତେ ସୁବିଧା ନାହିଁ ରେଳ ଧାରଣାଟା କେବଳ ସାହାରା। ଏହି ରେଳ ଧାରଣା ଉପରେ କିଛି ବାଟ ଚାଲିବାକୁ ହୁଏ। ତା'ପରେ ଗୋଟେ ଘଞ୍ଚ ଜଙ୍ଗଲ ପଡ଼ିବ, ସେଇ ଜଙ୍ଗଲ ଖଣ୍ଡଟା ପାରି ହୋଇଗଲେ ଆମ ଗାଁ ପଡ଼ିବ।

ତେବେ ଯାହା ବି ହେଉ ନବିନା ବା' ନିଜ ମନେମନେ ଶକ୍ତି ସାମର୍ଥ୍ୟ ଏକଠା କରି ଆଗକୁ ବଢ଼ିଲେ।ତେଣେ ବହୁ ଦିନ ପରେ ଗାଁକୁ ଫେରିବାକୁ ମନରେ ଉଦବେଗ ।କାରଣ ଏବର ଭଳି ସେତେବେଳେ ତ ଆଉ ବିଜୁଳୀ ଆଲୁଅ ନଥାଏ। ତେଣୁ ଚାରିଆଡ଼େ ଖାଲି ଅନ୍ଧକାରର ଛାଇ, ଭାରି ଭୟଙ୍କର ସ୍ଥିତି। ନବିନା ବା' ଆଉ ବେଶି କିଛି ନଭାବି ପାଦ ଆଗକୁ ପକାଇଲେ। ଗଣ୍ଠୁଳିଟା କାନ୍ଧରେ ପକାଇଲେ ଓ ଗୋଟିଏ ଯୋଡ଼ିଏ ପେଟି ଯାହାଥିଲା ମୁଣ୍ଡରେ ମୁଣ୍ଡେଇ ଝପଟି ଚାଲିଲେ। ବୋଝ ଭାରରେ ମୁଣ୍ଡଟା ଲୋଚା ହୋଇ ଯାଉଥିଲା। କ'ଣ କେମତି ଜିନିଷ ଧରି ସେ ବିଦେଶରୁ ଫେରିଛନ୍ତି କି?

ରେଳ ଧାରଣାରୁ ଗଡ଼ି ଯେଉଁଠୁ ପାଦ ଚଲା ରାସ୍ତାରେ ଗାଁ ଆଡକୁ ଢ଼ଳିବାକୁ ପଡ଼ିବ, ସେଇଠି ସେ ଆଗ ଘଡିଏ ଖଣ୍ଡ ବସି ଥକ୍କା ମେଣ୍ଟାଇଲେ। ତା'ପରେ ସଜବାଜ ହୋଇ ଏକା ନିଶ୍ଵାସକେ ସେ ଗାଁ ଆଡକୁ ମୁହାଁଇଲେ। ଭାରି ଡର ଲାଗୁଥାଏ । ସେଇ ଘଞ୍ଚ ଜଙ୍ଗଲିଆ ରାସ୍ତାଟାରେ ପତ୍ର ଝଡ଼ା ବୃକ୍ଷରୁ ପତ୍ର ଝଡ଼ି ଭାରି ଅପନ୍ତରିଆ ହୋଇଥାଏ। ତେଣୁ ସାପ ବେଙ୍ଗର ଭୟ ମଧ୍ୟ ରହୁଥାଏ। ଅନ୍ଧାରରେ ଠଉରେଇ ଠଉରେଇ ରାସ୍ତା ଚାଲିବା ବଡ଼ କଷ୍ଟ। ତେଣୁ ତ ହାବୁଡି ହାବୁଡି ଖଣ୍ଡିଆ ଖାବରା ହୋଇ ସେ ବାଟ ଚାଲୁଥାନ୍ତି। ଏଥିସହ କାଲୁଆ ଅନ୍ଧାରିଆ ରାତିର ଶୀତୁଆ ଥର ଦେହକୁ ଆହୁରି ମଧ୍ୟ ଥରାଇ ଦେଉଥାଏ। ପତ୍ରର ଖଡଖାଡ ଶବ୍ଦ ସହିତ ଚଢେଇ ଚିରିଗୁଣୀର ବସା ମଧ୍ୟରୁ କେଁ କଟର ବିଭତ୍ସ ଶବ୍ଦ ମନରେ ଭ୍ରାନ୍ତି ତୋଳୁଥିଲା।ମନ ଏକ ଅଜଣା ଆତଙ୍କରେ ଆତଙ୍କିତ ହୋଇ ଉଠୁଥିଲା। ଚିତ୍ତ ଲୋକରେ ଚିତ୍ତ ଚାଞ୍ଚଲ୍ୟତା ସ୍ରୁଷ୍ଟି ହେଉଥିଲା ।

ଏଇ ସମୟରେ ମୁଣ୍ଡ ଉପରେ କ'ଣ ଗୋଟେ ଚିଁ ଚିଁ ହୋଇ ଉଡିଗଲା ଯେ ମୁହଁ ବୁଲାଇ ପଛକୁ ଚାହିଁଲାରୁ ଲାଗିଲା-ଯେପରି କିଏ ଗୋଟେ କଳା ଛାୟା ତାଙ୍କୁ ଅନୁସରଣ କରୁଛି। ବିରାଟ ତା'ର ରୂପ ଅର୍ଘାସୁରର ପରିକଳ୍ପନା ଗଢି ତୋଳୁଥିଲା ମନ ମଧ୍ୟରେ। ଭୟରେ ହୃଦୟ ମନ୍ଥିତ ହେବାରୁ ନବିନା ବା ' ଛାତିରେ ପୁଳାଏ ଖଣ୍ଡ ଛେପ ପକାଇ ଇଷ୍ଟ ଦେବଙ୍କୁ ସ୍ମରଣ କଲା। କିଛି ବାଟ ପରେ ଗୋଟେ ମୋଡ଼ ରାସ୍ତା ପଡ଼ିଲା। ସେଇ ମୋଡ଼ଟା ପାର ହେଲା ପରେ ଲାଗିଲା ସେ ଅର୍ଘାସୁର ଏଥର ପିଛା ଛାଡି ପାର୍ଶ୍ଵ ଅନୁସରଣ କରୁଛି। ସେ ଭୟରେ ତା ଆଡକୁ ବିଶେଷ ନଚାହିଁ, "ହେ ମାଆ ବୁଢୀ ଜାଗୁଳାଈ! ହେ! ମାଆ ବୁଢୀ ଜାଗୁଳାଈ!!" ଜପି ଜପି ଆଗକୁ ଧାଇଁଲେ। ମନେମନେ ଭାବୁଥାନ୍ତି ଛୁଆ ଖାଇବେ ବୋଲି ଗୋଟେ ବଡ଼ ଗଙ୍ଗା ଇଲିଶି ମାଛ ସେ ସାଙ୍ଗରେ ଆଣିଛନ୍ତି। ସେଇ ଆଇଁଷ ବାସନାରେ ବୋଧେ ଭୂତ ପିଶାଚ ତା ପଛରେ ପଡ଼ିଛନ୍ତି। ଆଇଁଷ କୁଆଡ଼େ ସେମାନଙ୍କୁ ଭାରି ବାଇ।ଏଇ ସମୟରେ ହେଟାଟେ କି ବିଲୁଆଟେ କୁହାଟ ଛାଡିବାରୁ ପେଟ ଭିତରେ ଛନକା ପଶି ଖାଲି ଘୁଙ୍ଗଳେଇ ହେଲା। 

ଇଛା ହେଉଥିଲା ଅର୍ଘାସୁର ଦାଉରୁ ରକ୍ଷା ପାଇବା ପାଇଁ ସେଇଟିକୁ ପେଟିରୁ ଖୋଲି ଫିଙ୍ଗି ଦେବାକୁ, କିନ୍ତୁ ମନ ବୋଲ ମାନୁ ନଥିଲେ ।ଯା' ହେଲେ ଛୁଆ ପିଲାଙ୍କ ତୁଣ୍ଡରେ ଦେବା ପାଇଁ ଏତେ କଷ୍ଟ କରି ସେ କଲିକତା ସହରରୁ ପୁଣି ବୋହି ବୋହି ଆଣିଛନ୍ତି, ଅଧା ବାଟରେ ଫିଙ୍ଗି ଦେବେ ବା କିପରି? ତେଣିକି ଯାହା ହେଉ, ଅର୍ଘାସୁର କବଳରେ ପଡ଼ି ଜୀବନ ଯାଉ ପଛେ। ଏତେବେଳକୁ ଝାଳ ନାଳରେ ସେ ଆଣ୍ଠୁଏ ହୋଇ ସାରିଲେଣି, ତଥାପି ପାଦର ଗତି ତାଙ୍କର ଧିମଉ ନଥଏ କି ଶିଥିଳ ପଡ଼ୁ ନଥଏ । କାହିଁକି ନା ପିଲା ଛୁଆଙ୍କ ପାଇଁ ବାପାମାଆ ପରା ସବୁ କଷ୍ଟକୁ ବରୀ ନେବେ, ଏପରିକି ହାଣ ମୁହଁକୁ ନିଜକୁ ଠେଲି ଦେବାକୁ ପଡ଼ୁନା କାହିଁକି । ଯାହା ବି ହେଉ ଶେଷରେ ଘର ଦୁଆର ମୁହଁ ପାଖରେ ଗୋଡ଼ ଘୋଷାରି ଘୋଷାରି ବହୁ କଷ୍ଟରେ ପହଞ୍ଚିଗଲେ। କେବଳ "ବନା ମାଆ" ବୋଲି ଏତିକି ଡାକିଛନ୍ତି ନିଜର ହୋସ୍ ବାୟୁ ଉଡିଗଲା। ବନା ମାଆ ପାଟି ଶୁଣି ଦୌଡିକି ଆସିଲା। ପାଣି ଛାଟି ସ୍ରାସ୍ଟମ କଲା ପରେ ଦରଜା ଖୋଲି ଘର ଭିତରକୁ ନେଲା।

ଏ କଥା ଶୁଣି ଆମେ ଛୁଆ ସବୁ କେତେ ରକମର କେତେ କଥା କହିଲେ । କିଏ କହିଲା "ଏଇଟା ଖପୀଶ ହୋଇଥିବ" , ଆଉ କେହି କେହି କହିଲେ "ନା ଏଇଟା ପିତାଶୁଣୀ "। ବନା ମାଆ କହିଲେ - "ଚିରିଗୁଣୀ" ।ଡାକ୍ତର ଦାଦା କହିଲେ - "ନାଇଁମ ଏଇଟା ନିଜ ଛାଇ ହୋଇଥିବ। କାରଣ ଚନ୍ଦ୍ରର ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ବେଳେ ନିଜ ଛାଇଟା ବହୁତ ଲମ୍ବା ହୋଇ ପଡ଼େ, ଯାହାକୁ ଅନ୍ଧାର ରାତିରେ ଦେଖି ଡର ଲାଗେ"। ତେବେ ସେ ଯାହା ହେଉ ବନା ଝିଅ କିନ୍ତୁ ଜେଜେଙ୍କ ପିଠିକୁ ବାଡ଼େଇ ବାଡ଼େଇ -" ଜେଜେ ଆଉ କୁହ, ଅଉ କୁହ କହି "ଚିରାଡି ଛାଡ଼ି କାନ୍ଦୁଥାଏ।


Rate this content
Log in

Similar oriya story from Horror