ନାନୀଙ୍କ ବିଲେଇ
ନାନୀଙ୍କ ବିଲେଇ


ଏଇଟା ନେବେ, ସେଇଟା ନେବେ; ଏଥିରେ ନେବେ, ସେଥିରେ ନେବେ; ପୁଅ ପାଇଁ ନେବେ, ବୋହୁ ପାଇଁ ନେବେ; କୋଉଟା ଛାଡିବେ, କୋଉଟା ରଖିବେ; ଠିକ୍ କରି ପାରୁନାହାନ୍ତି ନାନୀ ଏ ପର୍ଯ୍ୟନ୍ତ l ନିତି ଝଗଡା l ଭାଇନା ବିରକ୍ତ ହୋଇ କହିଲେ, “ଆରେ ଶ୍ରୀମତି ! କେବଳ ତିରିଶି କିଲୋ l ୟା ଠୁଁ ବେଶି ହେଲେ, ଜିନିଷଠୁଁ ବେଶି ଶୁଳ୍କ ପଡିଯିବ l ତିରିଶି କିଲୋରୁ ତ ତୁମ ଶାଢୀ ଅଠେଇଶି କିଲୋ l ଆଉ ରହିଲା କେତେ ?” କ’ଣ କରିବେ ନାନୀ ? ପୁଅ ପାଖକୁ ଯାଉଛନ୍ତି l ପୁଅର ପସନ୍ଦ ଅନୁସାରେ କେତେ କଥା ଯୋଗାଡ କରିଛନ୍ତି l ଗୋଟିଏ ବୋଲି ପୁଅ l ବୋହୁ ବି ଅଛି l ପ୍ରଥମ ଥର ପାଇଁ ଯାଉଛନ୍ତି l ଯାହା ବାନ୍ଧିଲା ବେଳକୁ ଭାଇନାଙ୍କ ରାଗ l ଶେଷରେ ଚିନ୍ତା କଲେ ପଡିଶା ଘରୁ ଓଜନ ମେସିନ ଆଣଇ ପରଖି ନେବେ l ଆଖି ତରାଟିଲେ ନାନୀ l ଦୁଇଟା ବାକ୍ସର ଓଜନ ଚାଳିଶି କିଲୋ ହେଲାଣି l ରଖିବେ କ’ଣ, ଆଉ ନେବେ କ’ଣ ? ଯାହା ହେଉ ସବୁ ବନ୍ଧା ବନ୍ଧି ସରିଲା l ସକାଳ ଦଶଟାରେ ବମ୍ବେ ପାଇଁ ଉଡାଣ ଅଛି l ବାଟେଇଦେବା ପାଇଁ ପଡିଶାଯାକର ଲୋକ l ହେଲେ ନାନୀ ତ ରାନୀ କଥା ପୁରା ଭୁଲି ଯାଇଛନ୍ତି l ତା’ କଥା କିଏ ବୁଝିବ ? ତା’କୁ କା ପାଖେ ଛାଡିବେ ? ଭାବିଲେ ଦିନେ ନୁହେଁ କି ଦୁଇ ଦିନ ନୁହେଁ, ପୁରା ଛଅ ମାସ l କିଏ ବୁଝିବ ? ଗାଡିରେ ବସିବା ବେଳକୁ ସମସ୍ତଙ୍କୁ ଶୁଭିଲା ଭଳି କହିଗଲେ, ରାନୀ ଲାଗିଲା l ବଡ ସ୍ନେହରେ ନାନୀ ତା’କୁ ନାଁ ଦେଇଥିଲେ ରାନୀ l ଭାଇନାଙ୍କର ବି ସେ ଗେହ୍ଲା l ଘରେ କେହି ଖାଆନ୍ତୁ ନ ଖାଆନ୍ତୁ, କ୍ଷୀର ଭାତ ରାନୀ ପାଇଁ ଥୁଆ l ସେ ପୁଣି ବସି କେଉଁଠି ? ଭାଇନାଙ୍କ କୋଳରେ ? ସେ ଆଉ କେହି ନୁହେଁ, ନାନୀଙ୍କ ପୋଷା ବିଲେଇ l ତା’କୁ କିନ୍ତୁ ବିଲେଇ କହିଲେ ସର୍ବନାଶ l ନାନୀ ଗୋଟା ଗିଳି ଯିବେ l ସେ ଦିନ ନାନୀଙ୍କ ଘରକୁ ଯାଇଥିଲି l ଭାଇନାଙ୍କ କୋଳରେ ତା’କୁ ଦେଖି ଇଚ୍ଛା ହେଉଥାଏ, ଗୋଟେ ପାହାର ଦିଅନ୍ତି କି ? ଆଜି ସେହି ରାନୀକୁ ଛାଡି ନାନୀ ଭାଇନା ମୁମ୍ବାଇ ପଳେଇଲେ l ଏମିତି କିଛି ଦିନ ଗଡିଗଲା l ଦିନେ ଅଧେ ପଡିଶା ଘର ଲୋକେ କ୍ଷୀର ଭାତ ଦେଲେ l ତା’ ପରେ ଦୂର-ଦୂର, ମାର-ମାର କଲେ l ବିଚାରୀ ରାନୀ l ଶେଷରେ ମାଛ ଦୋକାନକୁ ଭରସା କଲା l ଶେଷରେ ମାଛ ଦୋକାନକୁ ଭରସା କଲା l ହଠାତ୍ ଦିନେ ଦେଖିଲି, ନାନୀଙ୍କ ଘର ଆଗରେ ଭିଡ ଲାଗିଛି l ଯାଇ ଦେଖେ ସେମାନେ ମୁମ୍ବାଇରୁ ଫେରି ଆସିଛନ୍ତି l ଆଶ୍ଚର୍ଯ୍ୟ ହେଲି, ମାସେ ନ ପୁରୁଣୁ କାହିଁକି ଫେରି ଆସିଲେ ? ସବୁ ଜିନିଷ ଓହ୍ଲାଇବା ପରେ ନାନୀ ୟାଡେ ସ୍ୟାଡେ ଚାହିଁଲେ l କିଛି ଦୂରରେ ରାନୀକୁ ଦେଖି ଡାକ ପକେଇଲେ l କିନ୍ତୁ ଏ କ’ଣ ? ଯେତେ ଡାକିଲେ ବି ରାନୀ ଆଉ ଆସିଲାନି l ଟିକିଏ ହସି ମୁଁ କହିଲି, “ନାନୀ ! ତୁମେ ଗଲା ପରେ ରାନୀ ତୁମକୁ ଭୁଲି ଗଲା l” କାହାକୁ ନ ଅନେଇ ନାନୀ ଧୀର ଗଳାରେ କହିଲେ, “ଦୂରେଇ ଗଲେ ମଣିଷ ପିଲାମାନେ ତ ଭୁଲି ଯାଉଛନ୍ତି, ଇଏ ତ ବିଲେଇ ଛୁଆଟା l” ଏଇ ଦି ପଦ କଥାରେ ବହୁତ କିଛି କହିଗଲେ ନାନୀ l