Dr Jharana Satapathy

Inspirational

5.0  

Dr Jharana Satapathy

Inspirational

ମୁଠାଏ ମାଟିର ମୋହ

ମୁଠାଏ ମାଟିର ମୋହ

6 mins
639



ମାଧବପୁର ଗାଁର ବରଗଛ ନିକଟ ମନ୍ଦିର ମଣ୍ଡପରେ ଵସି ରାଧୁଆ, ହଳିଆ, ଗୋପାଳ ପରଷ୍ପର ଆଲୋଚନା କରୁଥିଲେ ଏଥର ଆମ ଗାଁକୁ ବିଜୁଳି ଆସିଯିବ।ଆମ ଗାଁ ଅନ୍ଧାର ହୋଇ ରହିବ ନାହିଁ। ଠିକ୍ ଏହି ସମୟରେ ରାଧୁଆର କଥା ଶୁଣି ସେ ଗାଁର ମଳିମୁଣ୍ଡିଆ ଗାଁଉଳି ବୁଢାଟିଏ ନାମଟି ତାର ଦନେଇ ବୟସ ସତୁରୀ ହେବ,ଦେହରେ ପଳେ ମାଉଁସ ନାହିଁ ଏଵଂ ଛାତି ପଞ୍ଜରାହାଡ ଓ ହାତଗୋଡର କଳାଶିରା ଗୁଡାକ ପରିସ୍କାର ଭାବେ ଦେଖା ଯାଉଥାଏ।ଦେହରେ ତାର ଚିରା,ମଇଳା ଆଣ୍ଠୁ ଲୁଚୁ ନ ଥିବା ଧୋତି କାନ୍ଧରେ ଚିରା ମଇଳା ଗାମୁଛା ଖଣ୍ଡିଏ ଥୁରୁଥୁରୁ ହୋଇ ଆସି ପଚାରିଲା ରାଧୁଆକୁ, 


--"ଏ କଣ କହୁଛୁ ଆମ ଗାଁକୁ ବିଜୁଳି ଆସିବ?ବିଦ୍ୟୁତ ଖୁଣ୍ଟ ପୋତାଯିବ।କିଏ କହିଲାରେ ତତେ।ଏ ଗାଁରେ ପରା ମୁଁ ଏମିତି ବଡ ହୋଇ ଡିବି ଆଲୁଅରେ ଚଳି ବୁଢା ହୋଇ ଗଲିଣି।କେଉଁ ବାପା ଆଉ ଗୋଷେଇଁ ବାପା ଅମଳରୁ ଏ ଗାଁରେ ଆମେ ଡିବିରେ ଚଳି ଆସୁଛୁ, କହୁଛୁ ଵିଜୁଳି ଆସିବ।ବତିଖୁଣ୍ଟ ପୋତା ହେବ।ଆଉ କେବେ କେତେଦିନ ଲାଗିବ ବିଜୁଳି ଆସିବାକୁ ଗାଁକୁ।


ଏ ସରକାରକୁ ଏବେ ଚେତା ପଶିଲା।ମୁଁ ବଞ୍ଚିଥିବି ନା ନାଇଁ ଦେଖିବାକୁ?ଏ ସରକାରକୁ ଗାଁ ଲୋକ ଗୁହାରି କରି କରି ଏବେ ଚେତା ପଶିଲା।ସମସ୍ତଙ୍କ ଘରେ ଆଲୁଅ ଜଳିବ।କିରୋସିନିରେ ବତି ଜାଳିବା ପାଇଁ କିରୋସିନି ଆଣିବା ପାଇଁ କେତେ ଦୂର ଚାଲିଚାଲି ଯିବାକୁ ପଡୁଥିଲା।ଗାଁରେ ଆଲୁଅ ନଥିବା ଲାଗି ନାହିଁ ନଥିବାର ସମ୍ମୁଖୀନ ହେବାକୁ ପଡିଛି।କାହା ଘରୁ ଚୋରି ଯାଇଛି,ବଡ ବଡ ଯନ୍ତୁ ବାହାରି କାହାକୁ କାମୁଡିଛି, ପିଲାଙ୍କ ପାଠପଢାରେ ବାଧା ଉପୁଜିଛି ପଙ୍ଖାଖଣ୍ଡିଏ ନଥିବା ଲାଗି ଗରମରେ ଆଉଟୁ ପାଉଟୁ ଲାଗୁଥିଲା ଏମିତି ନାନା ସମସ୍ୟାରେ ଆମେ ଗତି କରିଥିଲୁ।ଘୋଷାଡି ଘୋଷାଡି ଯାଇ ସରକାରଙ୍କୁ କେତେନେହୁରା ହୋଇଥିଲି ଗାଁରେ ଆଲୁଅ ଦେଖିବି ବୋଲି।ଯାହାହେଉ ଭଗବାନ ଡାକ ଶୁଣିଲେ।ମୁଁ ଥୁରୁଥୁରୁ ହୋଇ ସହରକୁ ଯାଇ ଜିଲ୍ଲାପାଳ ନିକଟରେ କେତେ ଗୁହାରି କରିଥିଲି।ଏ ଚିରା ଗାମୁଛାରେ ଦେହର ଝାଳ ସବୁକୁ ପୋଛି ଏ ଗାଁକୁ ବିଜୁଳି ଆସିବା ପାଇଁ ଖରା ବର୍ଷା ଶୀତକୁ ନ ଡରି କେତେ ଧାଇଁଥିଲି"।


ଏହି ସମୟରେ ଦନେଇର ନାତିଆ ମିଟୁ ଘରୁ ବାହାରି ଆସି କହିଲା ତା ଅଜାକୁ ଅଜା ଅଜା ଶୁଣ ମୋ କଥା,

-- "ବିଜୁଳି ଗାଁକୁ ଆସିଲେ ଆମେ ଗୋଟେ ଟିଭି ଆଣିବା ତୁମେ ସେଥିରେ ଚାଷବାଷ ପ୍ରଣାଳି ଶିଖିବ।ତୁମକୁ ଚାଷକାମରେ ଭାରି ଆଗ୍ରହ।ନିତି ତୁମେ ସନ୍ଧ୍ୟାରେ ଭାଗବତ ଟୁଙ୍ଗିକୁ ଯାଉଛ।ସେଠୁ ଭାଗବତ ଶୁଣୁଛ।ଆମେ ଟିଭି ଆଣିଦେଲେ ଟିଭିରେ ତୁମେ ଭାଗବତ ଶୁଣିବ।ରାମାୟଣ,ମହାଭାରତ ସବୁ ଦେଖିବ।ଆଉ ଆମ ଆଇ ପାଇଁ ମାମୁଁକୁ କହି ଗୋଟିଏ ମସଲାବଟା,ବିରିବଟା ମେସିନି ଆଣିଦେବା।ଆମ ଆଇ ହାତରେ ମସଲା ବାଟିବନି ତା ହାତ ଜଳାପୋଡା କରିବନି ।


ଆଉ ମାମୁଁ କହୁଥିଲେ ଵିଜୁଳି ଗାଁକୁ ଆସିଲେ ତୁମ ପାଇଁ ଗୋଟେ ମୋବାଇଲ ଫୋନ ଆଣିବେ ।ତୁମେ ତାଙ୍କ ସହ କଥା ହେବ ।ଅଜା ଅଜା ମାମୁଁ କହୁଥିଲେ ମୋ ପାଇଁ ଗୋଟେ କମ୍ପ୍ୟୁଟର ଆଣିଦେବେ।ମୁଁ କମ୍ପ୍ୟୁଟର ଶିଖିବି ।


 ଲୁଗାପଟା ସଫା କରିବାପାଇଁ ଆଇ ନଇଁପୋଖରିକୁ ଯାଉଛି।ଘରେ ଗୋଟେ ମଟର ଆଣି ରଖିଦେବେ।ପାଇପ ଲାଇନ ଦେଇଦେବେ ସୁଇଚ ଟିପିବା କ୍ଷଣି ପାଣି ଆସିବ।ଆଉ ଆଇ ନଇଁ ପୋଖରିକୁ ଯିବାକୁ ପଡିଵନି। ଅଜା ଅଜା ତୁମେ କେତେ କଷ୍ଟପଡି ଟମାଟ,ବାଇଗଣ,କଖାରୁ ,ଭେଣ୍ଡି ଆଦି ଲଗାଉଛ କିନ୍ତୁ ତାକୁ ରଖିବାପାଇଁ ଶିତଳଭଣ୍ଡାର ନାହିଁ ।ଗାଁକୁ ବିଜୁଳି ଆସିଲା ପରେ ମାମୁଁ ଗୋଟେ ଶିତଳଭଣ୍ଡାର ପେଢି ଆଣିଦେବେ।ତୁମେ ସେଥିରେ ବଳକା ପନିପରିବା ରଖିବ ବଜାରରେ ବିକ୍ରିକରିବ।


 ବିଜୁଳି ଆସିଲେ ଆମ ଗାଁରେ ଗୋଟିଏ ଧାନକଳ ବସାଇ ଦେବା।ଧାନ କଳରେ ଧାନ ମିଲଙ୍ଗ୍ ହୋଇ ସେଥିରୁ ଚାଉଳ ସହଜ ଉପାୟରେ ବାହାରିବ।


ଢିଙ୍କିରେ ଆଉ ଧାନ କୁଟିବାକୁ ପଡିବନି।ଆମକୁ ଆଗରୁ ଯେତିକି ପରିଶ୍ରମ କରିବାକୁ ପଡୁଥିଲା ତାଠାରୁ କମ୍ ପରିଶ୍ରମ କରିବାକୁ ପଡିବ।ଏ ଗାଁରେ ପିଲାମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ପଳାଉଥିଲେ ସେମାନେ ଏ ଧାନ କଳରେ କାମ କରିବେ।


 ବିଜୁଳି ଆସିଗଲେ ତେଣ୍ଡା ବଦଳରେ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ପାଣି ମିଳିବ ଆମ ଜମିମାନଙ୍କୁ।ଆମ ଆର୍ଥିକ ପରିସ୍ଥିତି ସୁଧରିଯିବ।ଯେତିକି ଆଦାୟ କରୁଥିଲେ ତାହାଠାରୁ ଅଧିକ ପଂସଲ ଆଦାୟ ହେବ"।


--"ହଁରେ ନାତିଆ ଟୋକା ସତରେ କେତେ ଭଲ ଲାଗିବ।ସତରେ ନାତିଆ ଏ ବିଜୁଳି ଆମ ପାଇଁ କେତେ ଦରକାରୀ।ଭଲକଥା କହିଲୁ ନାତିଆ ,ହେଲେ କେତେ ବିଜୁଳି ବିଲ ଆସିବ ପ୍ରତି ମାସରେ"।


--" ବିଜୁଳି ଆମେ ଯେତେ ବ୍ୟବହାର କରିବା ସେତେ ବିଲ୍ ଆସିବ।ଅଯଥାରେ ପଙ୍ଖା ଲଗାଇବା ନାହିଁ।ଆବଶ୍ୟକତା ନ ଥିଲେ ଲାଇଟ୍ ଲଗାଇବାନି।ଯୁଆଡେ ଗଲେ ମନେ କରି ପଙ୍ଖା ଏବଂ ଲାଇଟ୍ ସୁଇଚ୍ ବନ୍ଦକରି ଯିବା।ଆମେ ନିଜେ ହିଁ ବିଦ୍ୟୁତ ଅପଚୟକୁ ରୋକି ପାରିବା।


କେନ୍ଦ୍ର ସରକାର ଦ୍ବାରା ରାଜିବଗାନ୍ଧୀ କୁଟୀର ଜ୍ୟୋତି ଯୋଜନାଦ୍ବାରା ଆମ ଗାଁକୁ ବିଦ୍ୟୁତ ସରବରାହ କରାଯିବ।ଉକ୍ତ ଯୋଜନା ମାଧ୍ୟମରେ ଆମଭଳି ଗରିବ ବିପିଏଲ ପରିବାରକୁ ମାଗଣାରେ ବିଦ୍ୟୁତ ଯୋଗେଇ ଦିଆଯିବ।

ତାହାହେଲେ ନାତିଆ ଏତେଦିନ ପରେ ସରକାର ଆମ ଗାଁକୁ ସାମିଲ କଲେ।

ଦେଶ ସ୍ବାଧୀନତା ପରେ ଏତେଦିନ ଲାଗିଲା ଏ ଗାଁକୁ ବିଦ୍ୟୁତ୍ ଆସିବାକୁ?ସରକାର କୁଆଡେ ଯାଇଥିଲେ।ରାସ୍ତା,ଘାଟ ଆଲୁଅ ଏବଂ ପାଣିରୁ ଏତେଦିନ ପର୍ଯ୍ୟନ୍ତ ବଞ୍ଚିତ ଥିଲୁ ଆମେମାନେ।ଆମ ଦୈନନ୍ଦିନ ଜୀବନରେ ବିଦ୍ୟୁତ ହେଉଛି ଏକ ଅପରିହାର୍ଯ୍ୟ ଆବଶ୍ୟକତା।ଏହାକୁ ଚୋରିକରି ବ୍ୟବହାର କରିବା କିମ୍ବା ଅନୈତିକ ଭାବେ ବ୍ୟବହାର କରିବା ଦଣ୍ଡନୀୟ ଅଟେ।ବିଜୁଳି ହେଉଛି ସରକାରଙ୍କର ସମ୍ପତ୍ତି"।


"ଆମ ବିଜୁଳି, ଆମ ଦାୟିତ୍ବ,ଆମ ଭବିଷ୍ୟତ"ଏହି କଥା ମନେରଖି ସମସ୍ତେ ବିଜୁଳି ଅପଚୟକୁ ରୋକିବା ଦରକାର।ଏହାଛଡା ବିଦ୍ୟୁତ୍ ଦେୟ ସଠିକ୍ ଭାବରେ ଉପଭୋକ୍ତାମାନେ ପଇଠ କରିବା ନିତାନ୍ତ ଆବଶ୍ୟକ"।


--" ଯାହାହେଉ ସ୍ବାଧୀନତାର କେତେ ବର୍ଷପରେ ଡେରିରେ ହେଉ ବିଜୁଳି ଆସିଵ ଗାଁକୁ।୫୦ଟି ଘର ଉପକୃତ ହେଵେ"।


ହଳିଆ ମାଧବ, କାସିଆ, କପିଳା,ରାଉଳ ସମସ୍ତେ ମିଶି ଭୋଜିଭାତର ଆୟୋଜନ କଲେ ବିଜୁଳି ଆସିଵାର ଦେଖି।ଡିବିରେ ସବୁ ଅଭ୍ୟସ୍ଥ ଥିଲେ।ଆଲୁଅ ଦେଖି ସମସ୍ତଙ୍କ ଆଖିମାନ ଝଲସିଗଲା।ସବୁ ଖୁସି ହୋଇଗଲେ। ଯିଏ ଯାହା ଘରେ ଇଲେକ୍ଟ୍ରି ଜିନିଷ କିଣି ଆଣି ଲଗାଇଲେ। ରାତିରେ ଟିକେ ଶାନ୍ତିରେ ପଙ୍ଖାତଳେ ଶୋଇଲେ।


ପିଲାମାନେ ସବୁ ପାଠ ପଢିଲେ ଆଲୁଅରେ। ମିଟୁ ଏବଂ ତା ସାଙ୍ଗସାଥୀ ମିଶି କମ୍ପ୍ୟୁଟର ଶିଖିଲେ। ମାଧବ,ସନିଆ ଗୋଟେ ମୋବାଇଲ କିଣି ଆଣି ରାଜ୍ୟ ବାହାରେ ଥିବା ତାଙ୍କ ପୁଅମାନଙ୍କ ସହ କଥାହେଲେ। ସମସ୍ତଙ୍କ ମୁହଁରୁ ଆନନ୍ଦ ଝରି ଉଠିଲା।


ଗାଁରେ ଯୁବକମାନଙ୍କ ଉଦ୍ୟମରେ କ୍ଲବ,ହାଇସ୍କୁଲ ସ୍ଥାପିତ ହେଲା।ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠା ହେଲା। ପିଲାମାନେ ସବୁ ପାଠପଢିଲେ।


ଗାଁରେ କିଛି ମହିଳା SSG ଗୃପ ଗଠନ କଲେ।ଦିନ ସମୟରେ କ୍ଷେତ ବାଡିରେ କାମ କରି ସନ୍ଧ୍ୟା ସମୟରେ ବିଜୁଳି ସହାୟତାରେ ବିରିବଟା ମେସିନ ସାହାର୍ଯ୍ୟରେ ବିରି ପେଶି ବଡି ପକାଇ ତାକୁ ଶୁଖାଇ ବିକ୍ରିକରି ଆତ୍ମନିର୍ଭରଶୀଳ ହୋଇପାରିଲେ।


କିନ୍ତୁ କିଛି ଦିନ ଯାଇଛି ନା ନାହିଁ ନିମ୍ନମାନର ଟ୍ରାନସଫର୍ମର ଲାଗି ଲୋ ଭୋଲୋଟେଜ୍ ଭଳି ସମସ୍ୟା ଦେଖାଗଲା।ସାମାନ୍ୟ ବର୍ଷା ପବନରେ ବିଦ୍ୟୁତ ଯୋଗାଣ ବ୍ୟାହାତ ହେଲା।ଖାଲି ସେତିକି ନୁହଁ ଅଧାଝୁଲା ବିଜୁଳି ତାର ଅନୁପଯୁକ୍ତ କେବୁଲ,ବାରମ୍ବାର ମିଟର ଖରାପ ହୋଇ ହଳିଆ,ମାଧବ ଭଳି ଗାଁର ସବୁ ପରିବାର ନାନା ସମସ୍ୟାର ସମ୍ମୁଖିନ ହେଲେ।ଯାହାହେଲେ କଷ୍ଟମଷ୍ଟେ ଟିକେ ଚଳୁଥିଲେ।


ଏମିତି ଦୁର୍ବ୍ଦିନ ଭିତରେ ତିତିଲି ଭଳି ବାତ୍ୟା ଆସି ସବୁ ଛାରଖାର କରିଦେଲା। ବର୍ଷ ବର୍ଷ ମାସ ମାସ ଧରି ବିଦ୍ୟୁତ ଯୋଗାଣରେ ବ୍ୟାହାତ ସୃଷ୍ଟିହେଲା। ବାତ୍ୟା ତିତିଲିରେ ଯେତିକି କ୍ଷତି ହୋଇଥିଲା ତାହାଠାରୁ ଅଧିକ ହୋଇଗଲା ଆଉ ଏକ ବାତ୍ୟା ଫନିରେ।  ବିଜୁଳି ଚାଲିଯିବାରୁ ବହୁକଷ୍ଟ ଭୋଗିଥିଲେ ଗ୍ରାମବାସୀ।ପୁଣି ସେହି ଡିବିର ସାହାଯ୍ୟ ନେଇଥିଲେ।ଆଲୁଅରେ ଚଳି ଚଳି ସବୁ ଗାଁଗଣ୍ଡା ସବୁ ଅନ୍ଧାର ଦିଶିଲା।ପିଲାମାନେ ପାଠ ପଢିବାରେ ଭାରି ଅସୁବିଧା ହେଲା।ସନ୍ଧ୍ୟା ନ ହେଉଣୁ ତାଟି କବାଟ ସବୁ ବନ୍ଦ ହୋଇଗଲା।


ଦିନେ ସନ୍ଧ୍ୟାରେ ଶୌଚହେବା ଲାଗି ହଳିଆ ପୋଖରିକୁ ଯିବା ସମୟରେ ଏକ ହେଟାବାଘ ଦେଖିବାକୁ ପାଇଥିଲା ।ସେ ସଙ୍ଗେ ସଙ୍ଗେ ଆସି ଗ୍ରାମବାସୀ ମାନଙ୍କୁ ଜଣାଇଥିଲା।ସନ୍ଧ୍ୟାହେବା କ୍ଷଣି ଯିଏ ଯାହାର କବାଟ ବନ୍ଦ କରି ରଖିଲେ।ବାଣଫୁଟାଇ ମସାଲ ଜାଳି ସମସ୍ତେ ରାତିଯାକ ଜଗିଲେ।ସେହି ହେଟା କେତେବେଳେ ଗାଁର ଛେଳିମାନଙ୍କୁ ଖାଉଥିଲା ଆଉ କେତେବେଳେ ଗାଇମାନଙ୍କୁ। ଏମିତି ବହୁ ରାତି ଚେତାରହି ବନକର୍ମଚାରିଙ୍କୁ ଜଣାଇଥିଲେ।ବହୁକଷ୍ଟରେ ବନକର୍ମଚାରି ରାତାରାତି ଅନିଦ୍ରା ରହି ମସାଲ ଜାଳି ହେଟାକୁ ଧରିବାକୁ ଚେଷ୍ଟାକରି ବିଫଳ ହୋଇ ଯାଇଥିଲେ।ଦିନେ ରାତିରେ ସେହି ହେଟା ଜାଲ ଭିତରେ ପଡିଯାଇଥିଲା।ଗାଁ ଲୋକ ଟିକେ ଆଶ୍ବସ୍ତିମନେ କଲେ। କିନ୍ତୁ କିଛି ଦିନ ଯାଇଛି ସେହି ଅନ୍ଧାର ଲାଗି ଏକ ଦନ୍ତାପଶି ଆସିଲା ମାଧବପୁର ଗାଁ ଭିତରକୁ।ସନିଆର ସ୍ତ୍ରୀ ଶୋଇଥିବା ବେଳେ ତାକୁ ଗୋଡରେ ଚକଟି ଦେଇଥିଲା।ସକାଳେ କେତେ କାନ୍ଦ ବୋବାଳି ପଡିଥିଲା।ଆଉ କେତେ ଦିନ ଅନ୍ଧାରରେ ରହି କେତେ ଦୁର୍ଦ୍ଦିନର ସମ୍ମୁଖୀନ ହେବେ ଗ୍ରାମବାସୀ। ଗ୍ରାମବାସୀ ସବୁ ଏକଜୁଟ ହୋଇ ସରକାରଙ୍କୁ ଅଭିଯୋଗ କଲେ ଖୁବ୍ ଶୀଘ୍ର ବିଜୁଳି ଦେବାପାଇଁ।ଡରି ଡରି ସମସ୍ତେ ଚଳୁଥିଲେ।ରାତି ଅଧରେ କିଛି ହାତି ପଲ ପଶି ଧାନ ସବୁ ଖାଇ ଦେଉଥିଲେ।


ମାଧବ,ସନିଆ,କେଦାର,ଶଙ୍କର ସବୁ ମିଶି ସହରକୁ ଯାଇ ବିଦ୍ୟୁତ ଅଫିସରେ ଅଭିଯୋଗ କଲେ। ସେମାନଙ୍କର ଆଶାସବୁ ମୌଳି ଯାଇଥିଲା।ଏଥିପାଇଁ ବହୁଥର ସରକାରଙ୍କୁ ଅନୁରୋଧ କରିଥିଲେ ମାଧବପୁରର ଗ୍ରାମବାସୀମାନେ।ସମସ୍ତ ଗ୍ରାମବାସୀମାନଙ୍କ ଅନୁରୋଧ କ୍ରମେ ସାତ ଆଠ ମାସ ପରେ ବିଦ୍ୟୁତ କର୍ମଚାରିମାନଙ୍କ ଦ୍ବାରା ପୁନରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ସେଥିରେ ସେହି ଗ୍ରାମର ସମସ୍ତ ପୁରୁଷ ଏବଂ ମହିଳା ଏବଂ ଯୁବକମାନେ ଏକଯୁଟ ହୋଇ ସହାୟତାର ହାତ ବଢାଇଥିଲେ ବିଦ୍ୟୁତ କର୍ମଚାରିମାନଙ୍କୁ କାର୍ଯ୍ୟଟି ଯେଭଳି ଶୀଘ୍ର ସଂପୂର୍ଣ୍ଣ ହେବ। ଦିନରାତି ସେଥିପ୍ରତି ନିଜକୁ ନିୟୋଜିତ କରିଥିଲେ।ପୁଣି ସେହି ମାଧବପୁର ଗାଁଟି ଆଲୁଅରେ ଆଲୋକିତ ହେଲା।


ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସରକାର L. E. D ଵଲଵ ପ୍ରତ୍ୟକ ପରିବାରକୁ ଯୋଗାଇଥିଲେ ଏବଂ ସୋଲାର ଷ୍ଟ୍ରିଟ୍ ଲାଇଟ୍ ଲଗାଇଥିଲେ। 


ଦିନେ ଦନେଇର ପୁଅ ଶଙ୍କରା ଫୋନ କରି ଦନେଇକୁ ତା ସହ ସହରକୁ ଆସିବାକୁ କହିଲା।ଗାଁରେ ରହି କେତେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସହରକୁ ଆସିବା ପାଇଁ ତାକୁ ଵାଧ୍ୟ କରିଥିଲା ।ଦନେଇ ବହୁ କଷ୍ଟରେ ରାଜି ହୋଇଥିଲା ଶଙ୍କରା ସହ ସହରକୁ ଯିବାକୁ।କିନ୍ତୁ ତା ଭିଟାମାଟି ଛାଡିବାକୁ ତାକୁ ବହୁ କଷ୍ଟ ହୋଇଥିଲା।ଏହି ହାତରେ ସେ ଗାଁ ପାଇଁ ସବୁକିଛି କରିଛି। ଆଲୁଅ ଆସିଛି ସରକାରଙ୍କୁ ଗୁହାରି କରି। ଏ ଗାଁ ମାଟରେ ଜୀବନ ଚାଲିଗଲେ ଭଲ। କିନ୍ତୁ ଶଙ୍କରା ଯିଦିଧରି ବସେ ଆସନ୍ତା ଛୁଟିରେ ତାଙ୍କୁ ନେଇ ସହର ଚାଲିଯିବ। ଦନେଇ ଭଳି ମାଧବର ପୁଅ ମଧ୍ୟ ମାଧବକୁ ସହରକୁ ନେଇ ଯିବାକୁ ଚାହୁଁଥିଲା ଏହାଜାଣି ଗାଁର ଅନ୍ୟସାଥୀ କାଶିଆ, କପିଳା, ମକରା ସେମାନଙ୍କୁ ଏ ଗାଁ ମାଟି ଛାଡି ଯିବାକୁ ମନା କରିଥିଲେ।ଯଦି ଆମେ ସବୁ ସହର ଅଭିମୁଖେ ଚାଲିଯିବା ଏ ଗାଁ ପରିସ୍ଥିତି କଣ ହେବ? ଆଜି ବିଜୁଳି ଭଳି ସମସ୍ୟା ଭୋଗୁଛେ ସରକାର କାଲି ଆମ ଗ୍ରାମକୁ ଭାଙ୍ଗି ଏ ଜାଗାରେ କଳକାରଖାନା ଗଢିଦେବେ। ଆମ ସ୍ବପ୍ନସବୁ ମାଟିରେ ମିଶିଯିବ।


ଆମେ ଆମ ସାହାସ ଧର୍ଯ୍ୟ ହରାଇବା ନାହିଁ । ପରବର୍ତ୍ତି ସମୟରେ ଯାହା ସମସ୍ୟା ଆସୁ ତାର ଆମେ ମୁକାବିଲା କରିବା।କେତେ ବାତ୍ୟା ଆସୁ ଆମେ ଡରିବା ନାହିଁ ।ବରଂ ଲୋକଙ୍କୁ ଆମେ ସାହାସ ଦେବା।ଆମ ଗାଁର ଉନ୍ନତି ଆମେ ନିଜ ହାତରେ କରିବା।ଆସ୍ତେ ଆସ୍ତେ ଗ୍ରାମ ସଂଖ୍ୟାବୃଦ୍ଧି ପାଇ ୧୦୦ ରେ ପହଞ୍ଚିଲା।ଏହି ଗ୍ରାମରୁ ବୋହୁ ପିଲା ବିଦ୍ୟୁତ ବିଭାଗରେ ଚାକିରି ପାଇଲେ।ନୂଆ ବିଦ୍ୟୁତ ଖୁଣ୍ଟମାନ ପୋତିଲେ।ଗାଁରେ ନୂଆ ଟ୍ରାନସଫରମାନ ବସାଇଲେ।ଗାଁରେ ଅଳ୍ପ ଅଳ୍ପ ଦୂରତାରେ ଷ୍ଟ୍ରିଟ୍ ଲାଇଟ୍ ଲଗାଇଲେ।ମାଧବପୁର ଗାଁଟି ପୁଣି ଆଲୁଅରେ ଝଲସିଉଠିଲା ।


ଦନେଇ କେଦାରର ମୁଣ୍ଡ ଛୁଇଁ କଥାଦେଲା---"ଏ ଗାଁ ଛାଡି କୁଆଡେ ଯିବି ନାହିଁ ଏ ଗାଁରେ ଜନମିଛି ଏ ଗାଁରୁ ହିଁ ମୋର ଅର୍ଥି ଉଠିବ"।


ଦନେଇ ବୁଢାର କଥା ଏତିକି ଶୁଣି ସମସ୍ତଙ୍କ ଆଖିରେ ଲୁହ ଜକେଇ ଆସିଲା।ସମସ୍ତେ ଭିଡାଭିଡି ହୋଇ କୁଣ୍ଡାକୁଣ୍ଡି ହୋଇଗଲେ।ଗାଁରେ ପରଷ୍ପର ଭିତରେ ସ୍ନେହ,ଶ୍ରଦ୍ଧା,ଭାଇଚାରା ଭରପୂର ରହିଛି।ଭଲମନ୍ଦ ସୁଖଦୁଃଖରେ ହାତ ବଢାଇଛେ।କେବେବି ଦିନେ ନିଜକୁ ଅସହାୟ ମନେ କରିନେ। ଆମେ ସ୍ବାର୍ଥପର ହୋଇ ଆମ ସ୍ବାର୍ଥଚିନ୍ତା କରି ଦୂରେଇ ଯାଉଛୁ ଗାଁଠୁ ସହରୀ ଜୀବନର ଚାକଚକ୍ୟରେ ଆମେ ଅନ୍ଧ।ଗ୍ରାମର ରୂପ ରଂଗ ସବୁ ବଦଳି ଯାଉଛି।ଆସ ଆମେ ସବୁ ଏକାଠି ହୋଇ ସପଥ ନେବା ଆମ ଗାଁ ପାଇଁ ଆମେ ସମସ୍ତେ ମିଶି ତାକୁ ସବୁଜ ସୁନ୍ଦର ଗଢି ତୋଳିବା। ଆମ ଦାବୀ ସବୁ ସରକାରଙ୍କର ନିକଟରେ ଗୁହାରୀ କରିବା।ସରକାର ନିଶ୍ଚିତ ଆମ ଗୁହାରୀ ସବୁ ଶୁଣିବେ।ଆମ ଗାଁ ପରିବେଶ ହସି ଉଠିଲେ ଆମେ ହସି ଉଠିବା।ସତରେ ମୁଠାଏ ଏ ମାଟିର ମୋହ ପାଇଁ ଗାଁ ଛାଡି ଯିବାକୁ ଇଛା ହେଉ ନାହିଁ।


ସମସ୍ତଙ୍କ ମୁହଁରୁ ବାହାରି ଆସିଲା ସତରେ ଏ ମାଟି ହେଉଛି ଆମ ଜୀବନ।ଏ ମାଟିର ମୋହ ଆମକୁ ସାରା ଜୀବନ ଲାଗିଥାଉ।ଏ ଗାଁ ମାଟି ଛାଡି ଆମେ କୁଆଡେ ଯିବା ନାହିଁ।ଆସ ଗାଁ ସାଥୀମାନେ ଆମେ ଆଜିଠୁ ଶପଥ ନେବା ---

ମାଧବପୁର ଗାଁ ପାଇଁ କିଛି କରି ଦେଖାଇବା।


Rate this content
Log in

Similar oriya story from Inspirational