Seetaram Dash

Tragedy

3  

Seetaram Dash

Tragedy

ମୁଠାଏ ମାଟି

ମୁଠାଏ ମାଟି

7 mins
482



ଗାଁର ଶେଷ ମୁଣ୍ଡରେ ଏକ ସୁନ୍ଦର ଅଟାଳିକା। ଚାରିପଟେ ଅନେକ ଛୋଟ ବଡ଼ ଗଛ। ଦୂରରୁ ଏକ ସୁନ୍ଦର ବଗିଚାର ଭ୍ରମ ସୃଷ୍ଟି କରେ। ଘର ସମ୍ମୁଖରେ ଏକ ଲମ୍ବା ନଡିଆ ଗଛ। ଗଛଟି ଖୁବ ହୃଷ୍ଟପୃଷ୍ଟ ଏବଂ ବର୍ଷ ସାରା ଫଳରେ ଭର୍ତ୍ତି ହୋଇଥାଏ। ଗଛ ମୂଳକୁ ସିମେଟ ଚଟାଣ ରେ ପରିଣତ କରାଯାଇଛି। ଅରୁଣ ବାବୁ ପାୟ ସବୁବେଳେ ସେ ଚଟାଣ ଉପରେ ସମୟ କାଟନ୍ତି। ଖରାଦିନର ସନ୍ଧ୍ୟା ସେଇ ଚଟାଣ ଉପରେ କଟେ। କେବେ କେମିତି ରାତିରେ ବିଜୁଳି ଚାଲିଗଲେ ସେଇଠି ଶୁଅନ୍ତି। ଖରାବେଳେ ସାହି ଭାଇର ସମସ୍ତେ ସେଠି ରୁଣ୍ଡ ହୁଅନ୍ତି। ତାସ, ଲୁଡୁର ଆସର ଜମେ। 


ଅରୁଣ ବାବୁଙ୍କ ପୁଅ ଜଣେ ଇଂଜିନିୟର। କିଛିଦିନ ହେବ ନୂଆ ଘର ତୋଳା କୁ ନେଇ ବାପ ପୁଅଙ୍କ ଭିତରେ ମନାନ୍ତର ହେଉଛି। ସାନ ପୁଅର ଜିଦ ସେ ଗଛଟି କାଟି ଦେଲେ ଘର ପାଇଁ ଜାଗା ସୁବିଧା ହୁଅନ୍ତା। ଘର ତୋଳା ତ ଜୀବନରେ ବାରମ୍ବାର ହେବ ନାହିଁ। ସାମାନ୍ୟ ଗୋଟେ ନଡିଆ ଗଛ ପାଇଁ ଘରର ଡ଼ିଜାଇନ୍ ଖରାପ ହୋଇଯିବ।


ଅରୁଣ ବାବୁଙ୍କର ଏକା ଜିଦ, ସେ ବଞ୍ଚିଥିବା ଯାଏ ଏ ଗଛରେ କାହା ହାତ ମରେଇ ଦେବେନି। ଏ କଥାକୁ ନେଇ ଅନେକ ଥର ଝଗଡା ହେଲାଣି।


ଦିନେ ଅରୁଣ ବାବୁ ଘରେ ନ ଥିବା ସମୟରେ ଗଛଟିକୁ କାଟି ଦେବାର ବ୍ୟବସ୍ଥା କରାଗଲା। ଜଣେ ଗଛ କଟାଳି ଆସି ଗଛଟିକୁ ହାଣିବା ଆରମ୍ଭ କରିଛି, ଅରୁଣ ବାବୁ କେଉଁଠି ଥିଲେ ଆସି ପହଁଚିଲେ। ଏ ଦୃଶ୍ୟ ଦେଖି ସେ ରାଗରେ ହିତାହିତ ଜ୍ଞାନ ହରାଇ ବସିଲେ। ଘରେ ସମସ୍ତଙ୍କୁ ଅନେକ ଗାଳି ଦେଲେ। ଶେଷରେ ଘର ଛାଡ଼ି ଚାଲିଯିବା ପାଇଁ ନିଷ୍ପତ୍ତି ନେଲେ। ଘରେ ସେଦିନ ରୋଷେଇ ବାସ ବନ୍ଦ।


ସନ୍ଧ୍ୟାରେ ପୁଅ ଅରୁଣ ବାବୁଙ୍କୁ କ୍ଷମା ମାଗି କହିଲା, "ବାପା ସାମାନ୍ୟ ନଡ଼ିଆ ଗଛ ପାଇଁ ତମେ ଘର ଛାଡ଼ି ଚାଲିଯିବ। ତମ ମନରେ ଏତେ କଷ୍ଟ ହେବ ଜାଣିଥିଲେ ମୁଁ ଏପରି କେବେ କରି ନ ଥାନ୍ତି।"


ଅରୁଣ ବାବୁ ଦୀର୍ଘ ନିଶ୍ଵାସ ଛାଡି କହିଲେ, "ଏହା କେବଳ ଗୋଟେ ସାମାନ୍ୟ ଗଛ ନୁହେଁ, ମୋ ଜୀବନ ସହ ଜଡିତ ଏକ ବିରାଟ ଲମ୍ବା କାହାଣୀ"। ସେ କହିବାକୁ ଆରମ୍ଭ କଲେ...।


"ଗାଁ'ସାରା ସମସ୍ତେ ତାକୁ ମିନୁ ବୋଉ, ମିନୁ ବୋଉ ବୋଲି ଡାକନ୍ତି। ମୁଁ କିନ୍ତୁ ଖୁଡି ବୋଲି ଡାକେ। ତାର ଢଙ୍ଗ ରଙ୍ଗ, ଚାଲି ଚଳଣୀ ସମସ୍ତଙ୍କୁ ସେ ପାଗେଳି ଭଳି ଲାଗେ। କିନ୍ତୁ ମୋ ପାଇଁ, ସେ ମୋ ମା ଭଳି। ତା ସହିତ ମୋ ସମ୍ପର୍କ ପିଲାଟି ଦିନରୁ। । ସେ ମତେ ଯେତିକି ଭଲ ପାଏ ମୁଁ ବି ତାକୁ ସେତିକି ଭଲ ପାଏ।

ଛୋଟ ବେଳେ ତାଙ୍କ ଘରୁ ମୋ ପାଇଁ କ୍ଷୀର ଆସେ। ସେ ସବୁବେଳେ ମାପ ଠୁ ଅଧିକ ଦେଉଥାଏ। କହିଲେ କୁହେ, "ମୋ ଧନବାବା ପାଇଁ ମୁଁ ଦେଉଛି। କ୍ଷୀର ଟୋପାଏ ରେ ମୁଁ କ'ଣ ଗରିବ ହୋଇଯିବି"। ଶ୍ରଦ୍ଧାରେ, ଆଦରରେ ସେ ମତେ ଧନବାବା କହି ଡାକେ। ବେଳେବେଳେ ସେ ବୋଉ ଆଗରେ ମଧୁର କଟାକ୍ଷ କରି କୁହେ, " ଧନବାବା' ତୋ ବୋଉକୁ ପଚାରିଲୁ, ତୁ କାହା କ୍ଷୀର ଖାଇ ବଢିଛୁ"। ବୋଉ ମତେ କୁହେ, "ତାକୁ ପଚାରେ, ସେ କ୍ଷୀର କ'ଣ ମାଗଣା ଦିଏ କି?" ବୋଉର ଏ କଥା ମତେ ଭଲ ଲାଗେନି। ମୁଁ ନୀରବ ରୁହେ।


ତାର ଦୁଇଟି ଝିଅ, ପୁଅ ନାହିଁ। ସେ ସବୁବେଳେ କହି ହୁଏ, ମୁଁ ହିଁ ତାର ପୁଅ। ବେଳେବେଳେ ଗାଧୋଇ ଗଲାବେଳେ ସେ ମତେ ସାଙ୍ଗରେ ନେଇ ଯାଏ। ସେ ଗାଧୋଇଲା ବେଳେ ମୁଁ କୂଳରେ ଛିଡା ହୁଏ, ନ ହେଲେ ତୁଠର ପଥର ଉପରେ ବସେ। ପୋଖରୀରେ ଫୁଠିଥିବା କଇଁ ଫୁଲ ନ ହେଲେ ପଦ୍ମ ଫୁଲ କିଛି ତୋଳି ମୋ ହାତରେ ଧରାଇ ଦିଏ। ନ ହେଲେ କଇଁ ନାଡ଼ କୁ ଭାଙ୍ଗି ଭାଙ୍ଗି ଫୁଲ ମାଳ ଟିଏ କରି ମୋ ହାତକୁ ବଢ଼ାଇ ଦିଏ। ସେସବୁ ପାଇ ମୁଁ ବହୁତ ଖୁସି ହୁଏ।


ତାଙ୍କ ଘରେ ବହୁତ କୁକୁଡ଼ା ରଖିଥାନ୍ତି। ଶୀତ ଦିନ ସକାଳେ ବାରିପଟେ ନଡ଼ା କୁଟା ଶୁଖିଲା ପତ୍ରକୁ ଜାଳି ନିଆଁ ପୁଅନ୍ତି। ତାଙ୍କ ଦୁଇ ଝିଅ ଆଉ ମୁଁ ଗୋଲ ହୋଇ ନିଆଁ ଚାରିପଟେ ବସି ଥାଉ। ନିଆଁ ପୁଆ ସରିଲେ ଜଳନ୍ତା ପାଉଁଶ ଭିତରେ ରଖିଥିବା ଗୋବର ଗୋଳା ଅଣ୍ଡା କାଢି ସେ ଆମକୁ ଖାଇବାକୁ ଦିଏ। ଆମେ ଖୁସିରେ ଖାଉ।


ଯେଉଁଦିନ ତାଙ୍କ ଘରେ ଲହୁଣୀ ମରାଯାଇ ଘିଅ ତିଆରି କରାଯାଏ, ସେ ମତେ ମୁଢି ସହିତ ଗରମ ଗରମ ଘିଅ କୋରୁଅ ଗୋଳାଇ ଖାଇବାକୁ ଦିଏ। ଯଦି କେବେ ବନ୍ଧୁବାନ୍ଧବ ଘର କି ଯାତ୍ରା ତୀର୍ଥ କୁ ଯାଏ ମୋ ପାଇଁ ବେଳୁନ କଣ୍ଢେଇ ନ ହେଲେ ଖେଳନା ଆଣେ। ଗାଁ ଯାତ୍ରା ରୁ ଚକୋଲେଟ, ଦହି ବରା ନ ହେଲେ ଘୁଘୁନି ଆଣେ। ଏତେ ସବୁ ଜିନିଷ ଦେଖି ବୋଉ ବିରକ୍ତ ହୁଏ। ପଇସା ଯାଚି କରି ଦିଏ। ସେ ବଡ଼ ପାଟି କରି ବୋଉକୁ କୁହେ, "ତତେ ମରଣ ହେଉନି। ସେ କଣ ଖାଲି ତୋରି ପୁଅ, ମୋର କେହି ନୁହେଁ। ବୁଢ଼ୀ ବେଳେ ସେଇ ମୋର ସାହା ହେବ। ମୋ କୋକେଇ ରେ କାନ୍ଧ ଦେବ, ମୋ ଜୁଇରେ କାଠ ଖଣ୍ଡେ ପକାଇବ, ମୋ ସମାଧିରେ ମାଟି ମୁଠାଏ ଦେବ।" ଏସବୁ ଶୁଣି ମୋ ଆଖି ଛଳ ଛଳ ହୋଇ ଯାଏ। ମୁଁ ଲୁଚି ଲୁଚି ଲୁହ ପୋଛେ।


ପର୍ବପର୍ବାଣୀ ରେ ସେ ମୋ ପାଇଁ ପିଠାପଣା, ଖିରିପୁରୀ କେତେ କଣ କରେ। ବଳାଇ ବଳାଇ ପେଟ ଖୁଆଏ। ତା କାନିରେ ମୋ ହାତ ମୁହଁ ପୋଛିଦିଏ। ମୋ ଜନ୍ମ ଦିନ ଏବଂ ପ୍ରଥମାଷ୍ଟମୀ ରେ ମୋ ପାଇଁ ନୂଆ ଡ୍ରେସ କରେ। ମନ ଦେଇ ପଢିବା କୁ କେତେ ବୁଝାଏ। ଯେଉଁ ଦିନ ମୁଁ ଦଶମ ପରୀକ୍ଷାରେ ପ୍ରଥମ ହେଲି, ସବୁଠୁ ବେଶୀ ଖୁସି ସେ ହୋଇଥିଲା। ଗାଁ' ସାରା ମୋ ପ୍ରଶଂସା କହି ବୁଲିଲା।


ସ୍କୁଲ ପରେ କଲେଜ ସରିଲା। ସେ' ତାର ସ୍ନେହ ମମତା, ଆଶୀର୍ବାଦ, ପବିତ୍ର ମନ୍ଦାକିନି ର ଜଳଧାର ଭଳି ମୋ ଉପରେ ଢାଳି ଚାଲିଥିଲା। ଯେଉଁ ଦିନ ମୁଁ ଚାକିରୀ ପାଇଁ ଗାଁ ଛାଡ଼ିଲି, ତା ମୁହଁରେ ମା ମନର ଅବ୍ୟକ୍ତ ବେଦନା ସବୁ ସ୍ପଷ୍ଟ ଭାବରେ ପଢି ପାରୁଥିଲି। ମତେ ଛାଡିବା ପାଇଁ ଗାଁର ଶେଷ ମୁଣ୍ଡ ଯାଏ ସେ ଆସିଥିଲା। ଖାଇବା ପିଇବା ଠିକ ସମୟରେ କରିବା ସହିତ ଦେହ ମୁଣ୍ଡର ଯତ୍ନ ନେବାପାଇଁ ସେ ବାରମ୍ବାର କହୁଥିଲା। ପ୍ରିୟ ପରିଜନ, ଭିଟାମାଟି , ଗାଁ, ମା ଏବଂ ଖୁଡିଙ୍କୁ ଛାଡି ରହିବାର ଅସହ୍ୟ ଯନ୍ତ୍ରଣା କୁ ଛାତିରେ ଚାପି ଧରି ମୁଁ ଛଟପଟ ହେଉଥିଲି।


ନୂଆ ନୂଆ ମୋର ସମସ୍ତେ ବହୁତ ମନେ ପଡୁଥିଲେ। ସ୍ୱପ୍ନରେ ଆଉ ଜାଗରଣ ରେ ପ୍ରିୟଜନଙ୍କ ସ୍ମୁତି ଅହରହ ଦୃଶ୍ୟମାନ ହେଉଥିଲା। ଧୀରେ ଧୀରେ ମୁଁ କର୍ମ କ୍ଷେତ୍ରରେ ଅଭ୍ୟସ୍ତ ହେବାରେ ଲାଗିଲି। ସାଙ୍ଗସାଥି ବଢ଼ିବାରେ ଲାଗିଲେ। ଗାଁ ଘର ପ୍ରିୟ ପରିଜନଙ୍କ ବିନା ମୁଁ ବଞ୍ଚିବା ଶିଖୁଥିଲି। ଚାହୁଁ ଚାହୁଁ ବର୍ଷେ ବିତିଗଲା। ଖୁଡି ସବୁବେଳେ ସନ୍ଧ୍ୟାରେ ଆମ ଘରକୁ ଆସୁଥିଲେ। ମୋର ଭଲ ମନ୍ଦ ପଚାରି ବୁଝୁଥିଲେ। ମୁଁ ବ୍ୟସ୍ତତା ର ଦ୍ୱାହି ଦେଇ ସମସ୍ତଙ୍କୁ ଭୁଲୁ ଥିଲି। ନିଜ ସୁଖ ସ୍ଵଚ୍ଛନ୍ଦ ଭିତରେ ମୁଁ ବୋଧେ ସ୍ୱାର୍ଥପର ହୋଇ ଯାଇଥିଲି।


ଗାଁ ପାଖରୁ କିଛି ସାଙ୍ଗ ମୋ ପାଖକୁ ଆସିଥିଲେ। ଖୁଡି ମୋ ପାଇଁ ସେମାନଙ୍କ ହାତରେ ଅନେକ ଜିନିଷ ପଠାଇ ଥିଲା। ଏତେ ଜିନିଷ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି, "ଏତେ ଗୁଡ଼ାଏ ଜିନିଷ କିପରି ଆଣିଲ?" ସାଙ୍ଗ ମାନେ ଉତ୍ତର ଦେଲେ "ବୁଢ଼ୀ ଲୋକ ବହୁତ ନେହୁରା ହୋଇ କହିଲା, ମୋ ଧନବାବା ପାଇଁ ଅତି କଷ୍ଟରେ ତିଆରି କରିଛି। ନ ନେଲେ ବହୁତ ବାଧିବ। ତେଣୁ ମନା କରି ପାରିଲୁନି"। ମୁଁ ବ୍ୟାଗ ଖୋଲି ଦେଖିଲି ତେଲ ପିଠା, ଆରିସା, ରାଶି ଲଡୁ, ବାଦାମ ଲଡୁ, ଭଜା ବାଦାମ, ମୁଢି, ନଡ଼ିଆ, ଘିଅ ଏମିତି ଅନେକ ଜିନିଷ ଖୁଡି ଦେଇଛି। ଘିଅ କାଚ କୁ ଦେଖି ମୋର ପିଲା ଦିନର ଘିଅ କୋରୁଅ ଏବଂ ମୁଢି କଥା ବହୁତ ମନେ ପଡ଼ିଲା। ମୁଁ ଭାବୁଥିଲି ସେ ଦିନ ସବୁ ପୁଣି ଫେରି ଆସନ୍ତା ନାହିଁ। ମୁଁ ଫୋନ କରି ଖୁଡି ସହ କଥା ହେଲି। ମତେ ଦେଖିବା ପାଇଁ ସେ ବହୁତ ବ୍ୟସ୍ତ ହେଉଥିଲା। ତାର, ଦେହ ମୁଣ୍ଡ ଆଉ ଭଲ ରହୁନାହିଁ ବୋଲି ଜାଣିଲି। ମୋ ଦେହ ମୁଣ୍ଡ ଜଗି ରଖି ଚଳିବାକୁ ରାଣ ନିୟମ ଦେଇ କହିଲା। କେତେ ଆୟୁଷ ଦେଲା। ଅଳ୍ପ ଦିନ ଭିତରେ ମୁଁ ନିଶ୍ଚୟ ତା ପାଖକୁ ଯିବି କହି ରଖିଲି।


ଦେଢ଼ ମାସ ପରେ ହଟାତ ଘରୁ ଫୋନ ଆସିଲା, "ମିନୁ ବୋଉ ଚାଲିଗଲେ।" ଏ କଥା ଶୁଣି, ମୁଁ କିଛି ସମୟ ପାଇଁ ସ୍ଥାଣୁ ପାଲଟି ଗଲି। ମୋ ପାଦ ତଳୁ ମାଟି ଖସି ଗଲା ଭଳି ଅନୁଭୂତ ହେଲା। ମୋ ଖୁଡିଙ୍କୁ ଭଗବାନ ଏମିତି ଅବେଳରେ ଛଡେଇ ନେବେ, ମୁଁ କେବେ ଭାବି ନ ଥିଲି। ଘରକୁ ଯିବା ପାଇଁ ସହଜରେ ଆଇ ଟି କମ୍ପାନୀ ରୁ ଛୁଟି ମିଳିଲାନି। ସାତ ଦିନ ପରେ ଯାଇ ଗାଁ ରେ ପହଞ୍ଚିଲି। ମୋ ଖୁଡି ଆଉ ଦୁନିଆରେ ନ ଥିଲା। ଗାଁ ମୁଣ୍ଡରେ ଛିଡା ହୋଇ ମଶାଣି ଭୂଇଁରେ ତାକୁ ବହୁତ ଖୋଜିଲି। କେଇ ଖଣ୍ଡ ଅଧା ପୋଡା କାଠ ଆଉ ଗଦାଏ ପାଉଁଶ ବ୍ୟତୀତ ଆଉ କିଛି ନ ଥିଲା। ମୁଁ ନିଜକୁ ଧିକାର କରୁଥିଲି। ଏତେ ସ୍ନେହ ମମତାର ଆଦରର ମୂଲ ମୁଁ କଣ ଦେଲି? କୈଶୋର କାଳର ଅଜସ୍ର ସ୍ମୃତି ମୋ ମାନସ ପଟରେ ଉଙ୍କି ମାରୁଥିଲା। ଅଜାଣରେ ମୋ ପାଟିରୁ ବାହାରି ପଡ଼ିଲା, ଖୁଡି ମତେ କ୍ଷମା କରିଦେବୁ। ସେଇ ହାଡ଼ ପାଉଁଶ ଅଙ୍ଗାର ଜୁଇ ଭିତରୁ ସତେ ଯେମିତି କିଏ କହୁଥିଲା, "ଧନବାବା, ତୁ ଆସିଛୁ"।


ଏକାନ୍ତରେ, ରାତିର ଅନ୍ଧକାରରେ ଏବଂ ନିଶୁନ୍ ମଶାଣି ପଦାରେ ମୁଁ ମୋ ଖୁଡିକୁ ଅନେକ ଖୋଜିଛି। ମା ମା ବୋଲି ଗଳା ଫଟେଇ ଅନେକ ଡାକିଛି। ଭୂତ ପ୍ରେତ କିମ୍ବା ଅଶରୀରି ରୂପରେ ଥରୁଟିଏ ଦେଖା ଦେବା ପାଇଁ କେତେ ନେହୁରା ହୋଇଛି। କିନ୍ତୁ ସବୁ ଚେଷ୍ଟା ନିରର୍ଥକ। ସତେ ଯେମିତି ସେ, ଅଭିମାନ କରି ଚାଲିଗଲା ସବୁଦିନ ପାଇଁ। ମୋର ମନେ ପଡ଼ୁଥିଲା ତାର ସେ ପୁରୁଣା କଥା..।


   "ମୋ କୋକେଇ କାନ୍ଧେଇବ, ଜୁଇରେ କାଠ ପକାଇବ, ମୋ ସମାଧିରେ ମୁଠାଏ ମାଟି ଦେବୁ....।"


କେତେ ଆଶା କେତେ ବିଶ୍ୱାସ ଆଉ କେତେ ବଡ଼ ଭରସା ଥିଲା ମୋ ଉପରେ। କିନ୍ତୁ ମୁଁ ତା ପାଇଁ କିଛି କରି ପାରିଲି ନାହିଁ। ମନରେ ଅନେକ ଅକୁହା ବେଦନା, ଅବସାଦ ଆଉ ଅବଶୋଷ ର ବୋଝରେ ମୁଁ ଅଣନିଶ୍ୱାସୀ ହୋଇ ଯାଉଥିଲି। ତାର ଋଣ ଏ ଜନ୍ମରେ ସୁଝି ନ ପାରିବାର ଦୁଃଖ ମତେ ବାରମ୍ବାର କାଳ ସର୍ପ ହୋଇ ଦଂଶନ କରୁଥିଲା।


ଦଶାହ କର୍ମ ସାରି ମୁଁ ଫେରିଲି କର୍ମକ୍ଷେତ୍ର କୁ। ଖୁଡି ଦେଇଥିବା ନଡ଼ିଆରୁ ଗୋଟେ ଖଟ ତଳେ ଏବେ ବି ଥୁଆ ହୋଇଥିଲା। ସେ ନଡ଼ିଆକୁ ଭାଙ୍ଗି ଖାଇବାକୁ ମୋର ହାତ ଯାଉ ନ ଥାଏ। ସେ ନଡ଼ିଆକୁ ମୁଁ ପ୍ରତିଦିନ ଦେଖେ। ଖୁଡ଼ିଙ୍କ ର ଶେଷ ସ୍ପର୍ଶ କୁ ଅନ୍ତର ଭିତରେ ଅନୁଭବ କରେ। ତାଙ୍କର ଶେଷ ସ୍ମୁତିକୁ ଛାତିରେ ଚାପିଧରି ଏକ ପ୍ରକାର ସ୍ବର୍ଗୀୟ ସୁଖ ଅନୁଭବ କରେ।


କିଛିଦିନ ପରେ ଦେଖିଲି ସେ ନଡ଼ିଆରୁ ଗଜା ଟିଏ ଅଙ୍କୁରିତ ହେଉଛି। ମୋ ମନ ଏକ ଅଜଣା ପୁଲକରେ ପୁଲକିତ ହେଲା। କିଛି ମାଟି ସଂଗ୍ରହ କରି ଗୋଟେ ପ୍ଲାଷ୍ଟିକ ଡବାରେ ସେ ଗଛକୁ ପୋତିଲି। ପ୍ରତିଦିନ ଗାଧୋଇ ସାରି ତା ମୂଳରେ ପାଣି ଦେବା ଏବଂ ପ୍ରତିଦିନ ତାର ବୃଦ୍ଧିକୁ ଲକ୍ଷ୍ୟ କରିବା ମୋର ଅଭ୍ୟାସ ରେ ପରିଣତ ହୋଇଗଲା। ଗଛଟି ଧୀରେ ଧୀରେ ବଢ଼ିଲା। ସେ ଗଛରେ ପ୍ରତିଦିନ ପାଣି ଦେବା ସମୟରେ ମୁଁ ତାର ପତ୍ର ସବୁକୁ ପାପୁଲିରେ ଆଉଁଷି ଦେଇ କୁହେ, 'ଲଭ୍ୟୁ'।


ଖୁଡିଙ୍କର ଶେଷ ସନ୍ତକ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା। ଆଉ ନୀରବରେ ମତେ ମାଗୁଥିଲା ମୁଠାଏ ମାଟି। ଠିକ ଖୁଡିଙ୍କର ଶେଷ ଇଚ୍ଛା ଭଳି। ଠିକ ଛ ମାସ ପରେ ମୁଁ ଗାଁ ଫେରିଲି, ସେ ଗଛ ସହ। ନଡ଼ିଆ ଗଛଟିଏ ଏତେ ଦୂରରୁ ଆଣି ଥିବାରୁ ସମସ୍ତେ ଆଶ୍ଚର୍ଯ୍ୟ ହେଉଥିଲେ। ଗଛଟିକୁ ସବୁବେଳେ ଆଖି ସାମ୍ନାରେ ଦେଖିବା ପାଇଁ ଘର ଆଗରେ ଲଗାଇଥିଲି। ତାରି ମୂଳରେ ଶୋଇଲେ ମତେ ଲାଗେ ମୁଁ ମୋ ଖୁଡି କୋଳରେ ଶୋଇଛି । ଗଛ ନୁହେଁତ ଏ ହେଉଛି ଖୁଡିର ଆତ୍ମା। ଏ ଗଛରେ ଥାଇ ସେ ଆମର ସବୁ ହସ ଖୁସି ଦେଖୁଥିବ। ଯେଉଁଦିନ ମୁଁ ଖୁଡି ପାଖକୁ ଚାଲିଯିବି, ତୁ ସେହି ଦିନ ଏ ଗଛକୁ ହାଣି ଦେବୁ କିନ୍ତୁ ତା ଆଗରୁ ନୁହେଁ।"


  ଏତକ କହିସାରି ଅରୁଣ ବାବୁ ଆଖିରୁ ଲୁହ ପୋଛିଲେ। ପୁଅ ଉଦ୍ୟେଶରେ କହିଲେ, "ତୁ ଜାଣିଛୁ ଏ ଗଛଟି ଆମକୁ ତା ଜୀବନ କାଳ ମଧ୍ୟରେ କେତେ ନଡ଼ିଆ ଦେଇଛି। ଶୁଭ ଅନୁକୂଳରେ କଳସ ପାଇଁ କେତେ କେତେ ପଇଡ଼ ଯୋଗାଇ ଦେଇଛି। ଏଇ ଗଛରୁ କେତେ କେତେ ନୂଆ ନୂଆ ଗଛ କରି ମୁଁ ବନ୍ଧୁ ବାନ୍ଧବଙ୍କୁ ଦେଇଛି। ତୁ ଆଜି କହୁଛୁ ଏ ଗଛକୁ ହାଣିବାକୁ"। ଏତିକି କଥା ଶୁଣି ଅନେକ ଦିନରୁ ଗଛଟି କୁ ହାଣି ବାକୁ ଜିଦ କରୁଥିବା ପୁଅ ବାପାଙ୍କୁ କୁଣ୍ଢାଇ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା। ଆଉ କହିଲା, "ବାପା, ଆଉ ଏମିତି ଭୂଲ କେବେ ବି ହେବ ନାହିଁ। ଏ ଗଛ ସବୁଦିନ ପାଇଁ, ଏଇଠି ରହିବ"।


Rate this content
Log in

Similar oriya story from Tragedy