ମୁଣ୍ଡପୋତା କେଳା
ମୁଣ୍ଡପୋତା କେଳା
ଧୂ ଧୂ ଖରାବେଳ, କାଉ କୋଇଲି ବି ଦିଶୁନାହାଁନ୍ତି। ଗାଁ ଲୋକେ ଯେ' ଯାହାର ଘରେ କବାଟ କିଳି ରହିଛନ୍ତି। ଠିକ୍ ଏତିକି ବେଳେ ଦାଣ୍ଡରେ ଶୁଭିଲା ମୁଣ୍ଡପୋତା କେଳାର ଡେଙ୍ଗୁରା। ନିମିଷକରେ ରୁଣ୍ଡ ହୋଇଗଲେ ଗାଁଟା ସାରା ଲୋକ। ସତେ କି ମଧୁର ଆକର୍ଷଣ ଡେଙ୍ଗୁରାର! ଶବ୍ଦ ଶ୍ରୁତି କଟୁ ହୋଇପାରେ ମାତ୍ର ସନ୍ଦେଶ ଗୁରୁତ୍ୱପୂର୍ଣ୍ଣ!
ମୁଣ୍ଡପୋତା କେଳାଟିଏ ଆସିଥାଏ ଖେଳ ଦେଖାଇବା ପାଇଁ, ସ୍ତ୍ରୀ ଓ କୁନି ଝିଅଟେ ସହ। ଅଦ୍ଭୁତ ବେଶଭୂଷା, ଦେଖିଲେ ହିଁ ମନୋରଞ୍ଜନ ହେଇଯିବ! ରଙ୍ଗ ବେରଙ୍ଗୀ ପୋଷାକ ସହ ପକ୍ଷୀମାନଙ୍କ ପରରେ ତିଆରି ଟୋପି ମନମୋହି ନେଉଥିଲା। ଖେଳ ଦେଖିବାକୁ ସଭିଙ୍କର ଉତ୍କଣ୍ଠା। କେଳା ଆରମ୍ଭ କଲା ତାର ସ୍ଵାଗତ ସମ୍ଭାଷଣ। "ମାଆ ମାଉସୀ ବାବୁ ବାବୁଆଣି, ସଭିଙ୍କୁ ନମସ୍କାର! ମୁଁ ମୁଣ୍ଡପୋତା କେଳା ଆସିଛି ଆପଣଙ୍କ ଗାଁକୁ ଖେଳ ଦେଖାଇବାକୁ। ଘରୁ ସମସ୍ତେ ବାହାରି ଆସି ଦେଖନ୍ତୁ। ମୁଁ ମୁଣ୍ଡପୋତା କେଳା ଆସିଛି ଆପଣଙ୍କ ଦାଣ୍ଡକୁ।" ଅଚାନକ କରତାଳିରେ ପ୍ରକମ୍ପିତ ହୋଇ ଉଠିଲା ଗାଁଦାଣ୍ଡ। ଆମେ ପିଲାମାନେ ସବୁ ଖୁସିରେ କୁରୁଳୁ ଥାଉ।
ଅବିଳମ୍ବେ ଆରମ୍ଭ ହେଲା ଖେଳ। ଅବିଶ୍ୱସନୀୟ, ଅଭୂତପୂର୍ବ, ଅଦ୍ୱିତୀୟ କଳା କୌଶଳ! ପୁରୁଷ ଲୋକଟି ଏପରି ଖେଳ ସବୁ ଦେଖାଉଥିଲା ଯେମିତିକି ତା ଦେହରେ ହାଡ଼ ଗୋଟିଏ ହେଲେ ବି ନାହିଁ। ତାର ନମନୀୟ ଶରୀରକୁ ବ୍ଯବହାର କରି ବିଭିନ୍ନ ଅଙ୍ଗଭଙ୍ଗୀ ପ୍ରଦର୍ଶିତ କରୁଥାଏ ସେ। ସ୍ତ୍ରୀ ଲୋକଟି ବାଜା ବଜାଇ ତାକୁ ଉତ୍ସାହିତ କରୁଥାଏ। କେବଳ ସିଏ ବୋଲି ନୁହେଁ କୁନି ଝିଅଟି ମଧ୍ୟ ଅନେକ କ୍ରୀଡ଼ା କୌଶଳ ପ୍ରଦର୍ଶନ କରୁଥିଲା। ଆମର ହୃଦ ସ୍ପନ୍ଦନ ବଢ଼ି ଚାଲିଥିଲା ସେସବୁକୁ ଦେଖି କରି, ପୁଣି ପହିଲିବାର।
ଶେଷରେ ଆସିଲା ସେହି ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ! ଅନ୍ତିମ କ୍ରୀଡା ନୈପୁଣ୍ୟ! ଗାଁ ଦାଣ୍ଡରେ ଖୋଳା ହେଲା ଗାତଟିଏ। ଗାତରେ ମୁଣ୍ଡ ରଖି ଶୋଇଗଲା ପୁରୁଷ ଲୋକଟି, ତାଉପରେ ମାଟି ପୋତି ଦେଲା ତାର ସ୍ତ୍ରୀ। ଆମେ ସମସ୍ତେ ଆବାକ୍! ନିରବ ଦର୍ଶକ! ବାଜା ବଜାଉଥାଏ ତାର ସ୍ତ୍ରୀ, ଆଉ ସେ ସେମିତି ଶୋଇଥାଏ ବିନା ହଲଚଲରେ ନିର୍ବିକାର ଭାବରେ।
ମିନିଟିଏ ଶ୍ବାସ ବନ୍ଦ କରିବା ଆମ ପାଇଁ ଅସମ୍ଭବ। କିନ୍ତୁ ସେ କେଳାଟି ଶୋଇରହିଥାଏ ପାଖାପାଖି ସାତ ଆଠ ମିନିଟ ଧରି। କାଳେ କିଛି ଅଘଟଣ ଘଟିବ ଭାବି ଗାଁର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କହିଲେ ତାକୁ ଉଠିଯିବା ପାଇଁ। କିନ୍ତୁ ସ୍ତ୍ରୀ ତାର ମନାକଲା। ସଭିଏଁ ଯେମିତି ମୂକ ଓ ବଧିର ପୋଲୋଟିଗଲେ ବିବେକକୁ ବନ୍ଧା ପକେଇଦେଇ। ନା ଅଛି କରତାଳି ନା ହାସ୍ୟରୋଳ ନା କୋଳାହଳ। ସମସ୍ତେ ଏକବାରକେ ମୂର୍ତ୍ତି ପାଲଟି ଯାଇଥାନ୍ତି ସତେ ଯେପରି! ଆଉ କେଳା ଶୋଇଥାଏ ଯୋଗନିଦ୍ରାରେ ସେମିତି ସଭିଙ୍କର ହୃଦୟର ସ୍ପନ୍ଦନ ବଢାଇ।
କିଛି ସମୟ ପରେ ଆପେ ଆପେ ଉଠିବସିଲା ସେ। ପରବର୍ତ୍ତୀ ସମୟରେ କୁନି ଝିଅଟିର ମୁଣ୍ଡ ପୋତାଗଲା। ଓଃ କି ବିକଳ ଦୃଶ୍ୟ! କିନ୍ତୁ ସେଇ ଝିଅଟି ବି ଥିଲା ତା ବାପା ପରି ଏକଦମ୍ ନିର୍ବିକାର ଓ ଗଭୀର ଆତ୍ମବିଶ୍ବାସୀ। ମାଆ ତାର ସେମିତି ବାଜା ବଜାଉଥାଏ। କେଡ଼େ ନିର୍ଦ୍ଦୟୀ ମାଆ ଟା ସତେ! ହୁଏତଃ ଦୁନିଆର ସବୁଠାରୁ ଅଧିକ ନିର୍ଦ୍ଦୟୀ ମାଆ ସେ ସ୍ତ୍ରୀ ଲୋକଟି। ମୋର ଆଖିବୁଜି ହୋଇଗଲା ଭୟରେ। ମୁଁ ଆଉ ଦେଖିବାକୁ ଚାହୁଁନଥିଲି ସେ ଭୟାନକ ଜୀବନମରଣର ଖେଳ। ଜୀବନ ଆଉ ମରଣର ଫରକ କେତେ ଯେ? ଗୋଟିଏ ଶ୍ଵାସ ତ ମାତ୍ର!
ସ୍ତ୍ରୀ ଲୋକଟି ସେମିତି ବାଜା ବଜାଉଥାଏ। ବରଂ ଆହୁରି ଜୋରରେ। କେଳାଟି କରୁଥାଏ କିଛି ଭିନ୍ନ ଶବ୍ଦ, ଯାହା ଆମର କାହାର ବୁଝିବା ବାହାରେ। ମୁଁ ଆଖିବୁଜି ଭାବୁଥାଏ ଖେଳ ସରିବା ସରିବା ହେଉଛି ବୋଧେ। ଏଣୁ ମୁଁ ଆଖି ଖୋଲିଦେଲି। କିନ୍ତୁ ଏ କଣ ସେଇ କୁନି ଝିଅଟିର ମୁଣ୍ଡ ଏବେ ବି ମାଟି ତଳେ ପୋତା ହୋଇ ରହିଛି। ମୋ ଦେହହାତ ଝାଇଁ ଝାଇଁ ଲାଗୁଥାଏ।
କିଛି ସମୟ ପରେ ଖେଳ ଶେଷ ହେଲା। ଏବେ କେଳାର ପାଉଣା ନେବାର ପାଳି। ପରିବାରର ସଭିଏଁ ହାତ ଯୋଡ଼ି ଅନୁନୟ କଲେ ନିଜ ନିଜ ଇଚ୍ଛା ମୁତାବକ ଦାନ କରିବାକୁ। କୁନି ଝିଅଟି ଗୋଟେ ନାଲି ରଙ୍ଗର ଗାମୁଛା ପାରିଦେଲା ତଳେ ଭୂଇଁରେ। ଗାଁ ଲୋକେ ସବୁ ଯିଏ ଯାହାର ଘରକୁ ଯାଇ ଟଙ୍କା ପଇସା ଧାନ ଚାଉଳ ମୁଗ ବିରି ବାଦାମ ଆଣି ଅଜାଡ଼ି ଦେଲେ ସେଇ ଗାମୁଛାରେ। ଚାହୁଁ ଚାହୁଁ ଗାମୁଛାଟି ଭରିଗଲା। କେଳା ଭଲକରି ଗଣ୍ଠିଲି ବାନ୍ଧିଦେଲା।ମୁହଁରେ ତାର ମୁଚୁକୁନ୍ଦ ହସର ଜୁଆର! ଏବେ ଅନ୍ୟ ଗାଁକୁ ବାହୁଡ଼ିବାର ବେଳ। ଯିବା ପୂର୍ବରୁ ସମସ୍ତଙ୍କୁ ସାଷ୍ଟାଙ୍ଗ ଜୁହାର ହେଲେ ସେମାନେ, ଆଉ ନିଜର ଜିନିଷପତ୍ର ଧରି ବାହାରିଲେ ସହଳ।
ମୁଁ ସେମାନଙ୍କ ଯିବା ବାଟକୁ ଚାହିଁ ରହିଥାଏ ଅପଲକ ନୟନରେ। ସେ ଗଣ୍ଠିଲିଟାକୁ ଦେଖୁଥାଏ ବାରମ୍ବାର। ମନରେ ମୋର ସୃଷ୍ଟି ହେଉଥାଏ ଭାବାନ୍ତର। ଉଠୁଥିଲା ଅସଂଖ୍ୟ ଅଗଣିତ ପ୍ରଶ୍ନର ଜୁଆର। ଜୀବନମରଣର ଏଇ ଖେଳରେ କଣ ସାମାନ୍ୟ ଗଣ୍ଠିଲିଟି ପୁରସ୍କାର?