ମୁଁ ଏଇଟିନ୍ ପ୍ଲସ୍
ମୁଁ ଏଇଟିନ୍ ପ୍ଲସ୍
ପଦ୍ମନାଭ ପ୍ରଧାନ ସିନିଅର ଓ.ଏ.ଏସ୍. ଅଫିସର । ଘର ଅବିଭକ୍ତ କଟକ ଜିଲ୍ଲାରେ । ଗାଆଁ ନାଆଁ ସିଙ୍ଗିରୀ ବାଲିଆ ଯାହା ଭଞ୍ଜପୁର ଶାସନକୁ ଲାଗିଛି । ପଦ୍ମନାଭ ବାବୁଙ୍କ ଡାକ ନାମ ଟିକେ ନିଆରା । ଗାଆଁରେ ସମସ୍ତେ ତାଙ୍କୁ 'ପାଡୁଆ' ବୋଲି ଡାକନ୍ତି । ସେ ଗାଆଁ'ରେ ପହଞ୍ଚି ଗଲେ ଲୋକେ ତାଙ୍କ ପାଖୁ ଦୌଡ଼ି ଆସନ୍ତି । କିଏ କହେ,"ଆରେ ପାଡୁ କିରେ ? କେତେବେଳେ ଆସିଲୁ ?”ପୁଣି କିଏ କହେ,"ପାଡୁଆ' ଦା' ନମସ୍କାର ! " ଆଉ କିଏ କହେ,"ପାଡୁ ଜେଜେ ନମସ୍କାର ।” କିନ୍ତୁ ଗାଆଁ'ରେ କିଛି ବଦମାସ୍ ଖଚଡ ଟୋକା ଅଛନ୍ତି । ପଦ୍ମନାଭ ଗାଆଁ'କୁ ଗଲେ ସେମାନଙ୍କର ବଡ଼ ମଜ୍ଜା । ସେମାନେ ତାଙ୍କ 'ପାଡୁ' ନାମକୁ ବିକୃତ କରି ନିଜ ନିଜ ଭିତରେ 'ପାଡ଼'ରେ ବଦଳାଇ ଦିଅନ୍ତି । ସେମାନେ ଭଞ୍ଜପୁର ଶାସନର ଟୋକାଙ୍କ କୁସଙ୍ଗରେ ପଡି ଏଭଳି କରୁଥିବା ଗାଆଁ ଲୋକେ କୁହନ୍ତି ।
ରଜ ପୂର୍ବରୁ ପଦ୍ମନାଭ ବାବୁ ଗାଆଁ'କୁ ଯିବାଟା ପକ୍କା । ପତ୍ନୀ କସ୍ତୁରୀ, ପୁଅ ଦିନେଶ୍, ଝିଅ କୋଏଲ୍ ଅନିଚ୍ଛା ସତ୍ତ୍ୱେ ସେଠାକୁ ଯାଆନ୍ତି ।
ଏ ବର୍ଷ ରଜରେ ମଧ୍ୟ ପଦ୍ମନାଭ ବାବୁ ଗାଆଁ'ରେ ପରିବାର ସହିତ ମଜ୍ଜା କରୁଛନ୍ତି । ଦିନରେ ମଟନ ଓ ଚୁନା ମାଛ ବେସର ହେଇଥିଲା । ପଦ୍ମନାଭଙ୍କ ଶଳା ଉପେନ୍ଦ୍ର କେନ୍ଦ୍ରାପଡା ଷ୍ଟେଟ ବ୍ୟାଙ୍କରେ ମ୍ୟାନେଜର । ସେ ଭଉଣୀ ଘରକୁ ଦି' କିଲୋ ମଟନ, ଅଧାକିଲୋ ଚୁନା ମାଛ, ରସଗୋଲା, ଗୋଲାପ ଜାମୁ, ଛେନାପୋଡ଼ ଇତ୍ୟାଦି ନେଇ ଆସିଥିଲେ । ଭିଣୋଇ କିପରି ରାକ୍ଷସଙ୍କ ପରି ଖାଆନ୍ତି ସେକଥା ଉପେନ୍ଦ୍ରଙ୍କୁ ଜଣାଥିଲା । କୋଏଲ୍ ମଧ୍ୟ ଅତ୍ୟନ୍ତ ଖାଦ୍ୟ ଲୋଭୀ ।
ପଦ୍ମନାଭ ଦିନରେ ଗୁଡ଼ାଏ ଖାଇଦେଇ ଥିବାରୁ ବାନ୍ତି ଉଛାଳ ହେଇକି ପଡ଼ିଥିଲେ । ରାତିରେ ପୁଣି ଚିକେନ୍, ଛତୁ, ପନିର ଇତ୍ୟାଦି ରନ୍ଧା ଚାଲିଛି । ଘର ବସ୍ନାରେ ଭରପୁର । କସ୍ତୁରୀ ତାଙ୍କ ପାଖକୁ ଆସି ପଚାରିଲେ,"ଦେହ କେମିତି ଲାଗୁଚି ?”
"ମୁଣ୍ଡଟା ବୁଲଉଚି, ବୋଧହୁଏ ଗ୍ୟାସଟ୍ରିକ୍ ହେଇଗଲା,"ପଦ୍ମନାଭ ସମବେଦନା ଆଶାରେ ଏମିତି କହିଲେ ।
ସ୍ତ୍ରୀ କସ୍ତୁରୀ କିନ୍ତୁ ନାଗ ସାପ ପରି ସଁ ସଁ ହେଇ କହିଲେ,"ବାରମ୍ବାର କହୁଚି ଦେଖି ଚାହିଁ ଖାଅ ! ଦେହ ଖରାପ ହେବ ! ତୁମେ ମୋର କୋଉ କଥାକୁ ଶୁଣ ଯେ ଏ କଥାକୁ ଶୁଣିଥାଆନ୍ତ ?"
ପଦ୍ମନାଭ ମୁହଁକୁ ଶୁଖେଇ ଦେଇ ବସିଲେ । କସ୍ତୁରୀ ଟିକେ ଗେହ୍ଲେଇକି କହିଲେ,"ରାତିରେ ଚିଲ୍ଲଡ଼୍ କ୍ଷୀର ଗୋଟେ ଗ୍ଲାସ ପିଇ ଦେଇ ଶୋଇପଡ । ସକାଳକୁ ଠିକ୍ ହେଇଯିବ ।”
ପଦ୍ମନାଭଙ୍କ ମୁଡ଼ ଚେଞ୍ଜ୍ ନ ହେବା ଦେଖି କସ୍ତୁରୀ ପୁଣି କହିଲେ,"ତୁମେ ରାତିରେ ପୁଣି ଖାଇବ ?”
"ତୁମର ସେ କଥାରେ ମୁଣ୍ଡ ଖେଳେଇବା ଦର୍କାର ନାହିଁ ! ନିଜ କାମ କର । ," ପଦ୍ମନାଭ ଚିଡିଉଠି କହିଲେ ।”ମୋ ପେଟରେ ଯାହା ଥିଲା ବାନ୍ତିରେ ବାହାରିଗଲା ! ମୁଁ ଉପାସରେ କେମିତି ଶୋଇବି ? ଖାଲି ପେଟରେ କାହାକୁ ନିଦ ହୁଏ ?”
ପତ୍ନୀଙ୍କ ନିଜ ଗାଆଁର ନାଁ ଭିକାରୀ ଗଡ଼ । ଭିକାରୀ ଗଡ଼ ନିହାତି ନିପଟ ମଫସଲ ଗାଆଁ । ସେଠିକି ଯିବାକୁ ପିଲାଏ ଆଦୌ ମଙ୍ଗନ୍ତିନି । ସେଠାକୁ ଯିବା ପାଇଁ ରାସ୍ତା ବହୁତ ଖରାପ । ପିଲାଏ କସ୍ତୁରୀଙ୍କୁ ଥଟ୍ଟା କରି କହନ୍ତି, "ତୁ ନିଜେ ଭିକାରୀ । ଭିକାରୀ ଗଡ଼ ଯା । ସେଇଠି ଭିକ ମାଗିବୁ । ତୋର ଯୋଉ ଧତଡା ମାରୁତି ଏଇଟ୍ ହଣ୍ଡରେଡ୍ ! କଦର୍ଯ୍ୟ ରାସ୍ତାରେ ଦୋଳି ଖେଳି ଖେଳି ତୋ' ଗାଆଁ'କୁ କିଏ ଯିବ ?”
ପଦ୍ମନାଭ ବାବୁଙ୍କ ନାଁ ପଦ୍ମନାଭ ବୋଲି କମ ଲୋକ ଜାଣିଥିଲେ । ସେ ସମସ୍ତଙ୍କର ପ୍ରିୟ 'ପାଡୁଆ' ଭାଇ । ସେ ସମସ୍ତଙ୍କର ପ୍ରିୟ, କାରଣ ସେ ଅନେକ ବେକାର୍ ଯୁବକ ଯୁବତୀଙ୍କୁ, ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ, ଭୁବନେଶ୍ୱର ଭଳିଆ ସହରରେ ସରକାରୀ ଚାକିରୀ କରେଇ ଦେଇଛନ୍ତି ।
ଶ୍ରୀ ପ୍ରଧାନ ଟିକେ ମରହଟ୍ଟିଆ ଲୋକ । ଠିକ୍ ନିଜ ବାପାଙ୍କ ଭଳି । ଗାଆଁ'ର ନିରାଡମ୍ବର ଓ ସରଳ ଜୀବନ ବଞ୍ଚିବାକୁ ଭଲ ପାଆନ୍ତି । କିନ୍ତୁ ପ୍ରକୃତ କଥାଟା ଥିଲା ଅଲଗା । ଅତ୍ୟନ୍ତ କୃପଣ ହୋଇଥିବାରୁ ଦଶ ଟଙ୍କା ଖର୍ଚ୍ଚ କଲେବି ତାଙ୍କୁ ଭାରି କଷ୍ଟ ହୁଏ । ସେଥିପାଇଁ ଗାଆଁର ପୁରୁଖା ଲୋକ ତାଙ୍କୁ ଲକ୍ଷ୍ୟ କରି କହନ୍ତି,"କଥାରେ ପେଞ୍ଚ୍ ଅଛି, ବୁଢ଼ୀ ନଇଁ ଚାଲୁଚି ।”
ହେଲେ ପତ୍ନୀ କସ୍ତୁରୀ ଥିଲେ ଅଲ୍ଟ୍ରା ମଡର୍ଣ । ପଇସା ନଷ୍ଟ କରିବା ତାଙ୍କର ସଉକ । ସେ ଅନେକ ଥର ସ୍ୱାମୀଙ୍କୁ କହିଛନ୍ତି,"ହଜାରେ ଥର କହିଲିଣି ଗୋଟା ଭଲ କାର୍ କିଣ ! ଏ ମଣିଷକୁ ଲାଜ ଲାଗୁଚି ସେ ଦଦରା ମାନ୍ଧାତା ଅମଳର ଗାଡ଼ିକି ନେଇ କୁଆଡେ ଯିବାକୁ ? ଖାଲି ଗୋଟିଏ କଥା ଜାଣିଛ- ମୁଁ ଏ ବୟସରେ ରିସ୍କ୍ ନେଇପାରିବିନି ! କେତେକେତେ କୋତରା ବୁଢା ସବୁ କାର୍ ଚଲଉଛନ୍ତି.. ? ଅସଲ କଥା ପଇସା ଅଯଥାରେ ଖର୍ଚ୍ଚ ହେଇଯିବ ! ମଲେ ପଇସା ସବୁ ନେଇକିରି ସାଙ୍ଗରେ ଯିବ ?”
ପୁଅ ଦିନେଶ କମ୍ପ୍ୟୁଟର ଇଂଜିନିୟରିଂ କରିବା ପରେ ଚାକିରୀ ପାଇଁ ନିଜକୁ ପ୍ରସ୍ତୁତ କରିବାରେ ଲାଗି ଯାଇଛି । କିନ୍ତୁ ପଦ୍ମନାଭ ଓ ତାଙ୍କର ବୃଦ୍ଧ ପିତା କେଳୁ ଚରଣ ଯିଏ କି ଏବେ ମଧ୍ୟ ବେଶ କାର୍ଯ୍ୟକ୍ଷମ ଦିନେଶ ଉପରେ ବହୁତ କ୍ଷୁବ୍ଧ । ଦିନେଶ ଟିକକୁ ଟିକେ ବାରଣ ସତ୍ତ୍ୱେ ତା'ର ମ୍ୟୁଜିକ ସିଷ୍ଟମ ଅନ କରିଦେଇ ଗୋଟାଏ ବିରକ୍ତିକର ପରିବେଶ ସୃଷ୍ଟି କରେ । କେଳୁ ଚରଣ ଗୋଟାଏ ଗୀତ ଶୁଣିଲେ ବହୁତ ଚିଡ଼ନ୍ତି:' ଟଜେଜେ ଗଲାବେଳେ ମୋର ବ୍ୟାଗ୍ ଟା ଦେ । ' କୁହନ୍ତି,"ଏଇଟା ଗୋଟା ଗୀତ... ! ଜେଜେ ଗଲାବେଳ ମୋର ବ୍ୟାଗ୍ ଟା ଦେ.. ? ('ଡିଜେ ୱାଲା ବାବୁ ମେରା ଗାନା ବଜା ଦେ' କେଳୁଙ୍କୁ ସେଭଳି ଶୁଭୁଥିଲା) ସେବେଳର ଛାନ୍ଦ, ଚମ୍ପୁ ,ଓଡିଶୀ କୁଆଡେ ଗଲା.. ? କେତେ ବାଗେରେ ସେଇ ଗୋଟାଏ କଥାକୁ ଦୋହରଉଛି....ଛି...ଛି...ଛି ! ସଂସାର ରସାତଳକୁ ଗଲାଣି.. ! କଳିକାଳ ଶେଷ.. । ମାଳିକା କଥା ମିଛ ହବ.... ?”
ପଦ୍ମନାଭ ବାବୁ ଚିତ୍କାର ଛାଡିଲେ,"ଦୀନା ବୋଉ... ! ଦୀନା ବୋଉ... ! ଆରେ ଦୀନା ବୋଉ.... ! ଆରେ ବଢା ବଢି କର... ! " କୌଣସି ଉତ୍ତର ଆସିଲା ନାହିଁ । ରାଗ ତମ ତମ ହେଇ କିଚେନ୍ ପାଖକୁ ଯାଇ କହିଲେ,"କ'ଣ ତମକୁ କଥା ଶୁଭୁନି... ?”
କସ୍ତୁରୀ ରାଗ ମୁଡରେ କହିଲେ,"ଟିଭିର ଭଲ୍ୟୁମ୍ ଆଉ ଟିକେ ବଢ଼େଇ ଦେଲନି.... ! "
ପଦ୍ମନାଭ ଚଢା ଗଳାରେ କହିଲେ,"ମୋ ପାଇଁ ଖାଇବା ବାଢ.. ! " ତା' ପରେ ଯାଇ ଡାଇନିଂ ଟେବୁଲ ପାଖ ଚେୟାରରେ ବସି ପଡିଲେ ।
କସ୍ତୁରୀ ସେହି ରାଗ ମୁଡ଼ରେ ଧୀରେ କହିଲେ,"ଖା ଶଳା...ଖା... ! ଯେତେ ଖାଉଚୁ ଖା.. ! "
ପଦ୍ମନାଭ ସଫେଇ ଦେବାକୁ ଯାଇ କହିଲେ,"ଜାଣୁଚ..ମୋର ବାନ୍ତି ହେଇକି ପେଟରୁ ସବୁ ବାହାରି ଯାଇଛି.. ! ତୁମର ସବୁବେଳେ ସେମିତିଆ ଟାଉଁସିଆ କଥା । ମୋ ପେଟରେ ଭୋକ ନ ଥାଇ ମୁଁ ଖାଇବାକୁ ମାଗୁଛି... ?”
ସେତିକିବେଳେ ଶଳା ଉପେନ୍ଦ୍ର ଆସି କହିଲେ,"ଦେଇ ତୁ କାହିଁକି ଭାଇଙ୍କ ପଛରେ ପଡ଼ିଚୁ କହିଲୁ ? ମୁଁ ତାହେଲେ ଏତେଗୁଡା ଜିନିଷ କାହିଁକି ଆଣୁଥିଲି ? ସବୁଥିରୁ ଅଳ୍ପ ଅଳ୍ପ ଖାଇଲେ କିଛି ହବନି... ।”
"ସେ ପୁଣି ଅଳ୍ପ ଅଳ୍ପ ଖାଇବେ ?” ଏଭଳି କିଛି କଥାକୁ କସ୍ତୁରୀ ରୋକିଦେଲେ ।
ପଦ୍ମନାଭ ବାବୁ, ଉପେନ୍ଦ୍ର, କେଳୁ ଚରଣ, ଦିନେଶ ଓ କୋଏଲ୍ ଡାଇନିଂ ଟେବୁଲ୍ ଚାରି ପାଖରେ ବସିପଡିଲେ । ସୁନ୍ଦର ସୁନ୍ଦର ଧଳା ପ୍ଲେଟରେ ଗରମ ପୁରୀ,ଚିଲି ଚିକେନ୍,ଛତୁ,ପନିର ଇତ୍ୟାଦି ଆସିଗଲା ।
ପଦ୍ମନାଭ ବାବୁ କହିଲେ,"ମୁଁ ଚିକେନ୍ ଦି' ପିସ୍ ଆଉ ଦୁଇଟା ପୁରି ଖାଇବି ।” ଖାଇବା ଆରମ୍ଭ ହେଇଥିଲା । ଉପେନ୍ଦ୍ର କହିଲେ,"ଭାଇ.. ! ଛତୁ ଆଉ ପନିର କି ଚମତ୍କାର ହେଇଚି ! ଅଳ୍ପ ଟିକେ ଚାଖିକି କୁହ ।”
ପଦ୍ମନାଭ ବାବୁ ବହୁତ ବଢିଆ ଡିନର କଲେ । ମନ ଇଚ୍ଛା ଠୁଙ୍କି ଦେଲେ । କସ୍ତୁରୀଙ୍କୁ ମନେ ମନେ ଉଚ୍ଚ ପ୍ରଶଂସା କଲେ କାରଣ ସବୁକିଛି ସ୍ୱାଦିଷ୍ଟ ହୋଇଥିଲା । କସ୍ତୁରୀ ହିଁ ଜାଣିଥିଲେ ତାଙ୍କ ସ୍ବାମୀ କେତେ ଖାଇଛନ୍ତି । ସେ ଡରିଯାଇ ଥାଆନ୍ତି । ଭାବୁଥିଲେ ପୁଣି ଯଦି ସେ ବାନ୍ତି କରିବେ କି ବାରମ୍ବାର ପାଇଖାନାକୁ ଦୌଡ଼ିବେ,ସେ କିପରି ଆସନ୍ତା କାଲି ବାପଘର ଗାଆଁ ଭିକାରୀ ଗଡ଼ ଯିବେ ।
ତା' ପରଦିନ ସକାଳୁ ସେମିତି କିଛି ହେଲା ନାହିଁ । ଶଳା ଉପେନ୍ଦ୍ର ନିଜେ ଡ୍ରାଇଭ କରି ନିଜ ହୋଣ୍ଡା ସିଟିରେ ଭଉଣୀ ଭିଣେଇଙ୍କୁ ନିଜ ଗାଆଁ ଭିକାରୀ ଗଡ ନେଇଗଲେ । ଉପେନ୍ଦ୍ରଙ୍କର ବିରାଟ ମାଛ ପୋଖରୀ । ତା' ସାଙ୍ଗକୁ ଗୁଡ଼ାଏ ଦେଶୀ କୁକୁଡ଼ା ଅଛନ୍ତି । ସକାଳୁ ବ୍ରେକଫାଷ୍ଟ୍ ସାରି କରି ଆସିଥିଲେ । ଚକୁଳି, ଗୁଡ ଆଉ ସୋରିଷ ଶାଗ । ଶଳା ଭିଣୋଇ ଦୁହେଁ ବିଭିନ୍ନ ବିଷୟରେ ଆଲୋଚନା କଲେ ।
ଉପେନ୍ଦ୍ର କହିଲେ,"ଭାଇ ଭୁବନେଶ୍ୱରରେ ଦେଶୀ କୁକୁଡ଼ା ମିଳୁଚି ନା ?”
ଭିଣୋଇ କହିଲେ,"ମିଳୁଚି.. ଯେ.. । ସେଗୁଡା ଭାରି ଚଢା ଦର୍... ! "
ଉପେନ୍ଦ୍ର ହସି ହସି କହିଲେ,"ଭାଇ ଗୋଟା ବଢିଆ ଗଞ୍ଜା ଅଛି.. ! ଆଜି ଦେଶୀ ଚିକେନ୍ ଟିକେ ହେଇଯାଉ.. ! "
ପଦ୍ମନାଭ କହିଲେ,"ନାହିଁରେ ମାଛ ମାଂସ ବୁହୁତ ଖିଆ ହେଲାଣି.. ।”
ସେତିକି ବେଳକୁ କସ୍ତୁରୀ ଯିଏ କି ବାହାରକୁ ଆସୁଥିଲେ ସବୁକଥା ଶୁଣିଦେଲେ । ସେ କହିଲେ,"ଉପା, ତା'ଙ୍କର ଖାଇବାରେ ଧାଡିଭିଡ଼ି ନ ଥାଏ । ସେ କୁକୁଡ଼ା ଫୁକୁଡ଼ା ଧନ୍ଦା କରନା... ! ସେ ପୁଣି ଅଳ୍ପ ଖାଇବେ ?”
"ଯିଏ ଯାହା ଖାଇଲେ ତାଙ୍କ ଆଖିକି ଦିସେନା... । କେବଳ ମୋରି ଖାଇବାଟି ତା'ଙ୍କ ଆଖିକି ଦିଶେ... ! ମୋର କିଛି ଖାଇବା ଦର୍କାର ନାହିଁ । ମୁଁ ଏବେ ଭୁବନେଶ୍ୱର ପଳେଇବି.. ।”
"ତମର ସେଇ ଗୁଣ ପାଇଁ ମୁଁ ଚିଡ଼େ.. ! ଆଜିଠାରୁ ଯଦି ଗୋଟିଏ ପଦ ତମ ଖାଇବା ପିଇବା ବିଷୟରେ କହିବି ମୁଁ ବାପର ଝିଅ ନୁହେଁ... ! "
"ଏଠି ତୁ ଭାଇଙ୍କୁ କିଛି କହି ପାରିବୁନି.. ! .....ତୋ ଦାଦାଗିରି ତୁ ଭୁବନେଶ୍ୱରରେ ଦେଖେଇବୁ ।”
କସ୍ତୁରୀ କିଛି ନ କହି ଚୁପ୍ ରହିଲେ । ପଦ୍ମନାଭ ଦେଖି ଖୁସି ହେଲେ ଯେ କସ୍ତୁରୀ ନର୍ମାଲ୍ ଜଣା ପଡୁଥିଲେ ।
ରାତିରେ ପଦ୍ମନାଭ ଚମତ୍କାର ଡିନର୍ ଖାଇଲେ । ପୁଣି ସୁନ୍ଦର ସୁନ୍ଦର ପୂରି ସାଙ୍ଗକୁ ଦେଶୀ କୁକୁଡ଼ା ଝୋଳ,ଆଳୁ ବୁଟଡାଲି ତରକାରୀ ଆଉ ଅତ୍ୟନ୍ତ ସ୍ୱାଦିଷ୍ଟ କ୍ଷୀରି । ଉପେନ୍ଦ୍ରଙ୍କ ସାନ ଶଳା ଗୁଡ଼ାଏ ଖଣ୍ଡେ କେନ୍ଦ୍ରାପଡା ରସାବଳୀ ଆଉ ବଡ଼ ବଡ଼ ବିକଳି କର ରସଗୋଲା ଆଣିଥିଲା । ତାଙ୍କର ସେ ସବୁକୁ ଖାଇବାକୁ ପ୍ରବଳ ଇଚ୍ଛା ହେଲା । କିନ୍ତୁ ପତ୍ନୀ କସ୍ତୁରୀ ଜଣାଇ ଦେଲେ,"ବଳଦେବଜୀଉଙ୍କ ରସାବଳୀ ଆଉ କୁକୁଡ଼ା ମାଂସ ଏକା ସାଙ୍ଗରେ କେହି ଖାଇ ପାରିବେ ନାହିଁ... ! " ଉପେନ୍ଦ୍ରଙ୍କ ଶଳା ଯୋଡ଼ାଏ ମାଲପୁଆ ଓ ତିନିଟା ରସଗୋଲା ଗୋଟାଏ ପ୍ଲେଟରେ ଆଣି ପଦ୍ମନାଭଙ୍କ ପାଖରେ ଥୋଇଦେଲେ । ପଦ୍ମନାଭ ତିନିଟା ଯାକ ରସଗୋଲା ଆଉ ଗୋଟାଏ ମାଲପୁଆ ଖାଇଦେଲେ । ବଳିଥିବା ମାଲପୁଆଟିକୁ ଲକ୍ଷ୍ୟକରି ତା'କୁ ଖାଇବେ କି ନାହିଁ ଭାବୁଥିଲେ । ଏତିକିବେଳେ କସ୍ତୁରୀ ସେଠାକୁ ଆସି କହିଲେ,"ମାଲପୁଆ ଖାଇବ ନା ନେଇଯିବି ?” ପଦ୍ମନାଭ ଉତ୍ତର ଦେଲେ,"ନେଇଯାଅ.. ! "
"ଏ ଗୋଟାକୁ ପୁଣି କୋଉଠି ରଖିବି... ? ଖାଇଦିଅ... ।” ପଦ୍ମନାଭ ମାଲପୁଆଟୀକୁ ନେବାପରେ,କସ୍ତୁରୀ ଡାଇନିଂ ଟେବୁଲ୍ ସଫା କରିବାରେ ଲାଗିପଡିଲେ ।
ରାତିରେ ସମସ୍ତେ ଖାଇପିଇ ଶୋଇ ପଡିଲେ । ତା' ପରଦିନ ସାଧା ଖାଦ୍ୟ ରାନ୍ଧହେଲା । ଲୁଡୁ ଓ ତାସ୍ ଖେଳରେ ଦିନଟା ବିତିଗଲା ।
ରାତିରେ ଡିନର୍ ଖାଇବାକୁ ପଦ୍ମନାଭ ମନାକଲେ । କସ୍ତୁରୀଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ମନେ ମନେ ଭାବିଲେ,"ଏ ପୁଣି ଖାଇବାକୁ ମନା କରୁଛନ୍ତି... ?”
କସ୍ତୁରୀ ପଚାରିଲେ,"ଦେହ କ'ଣ ଲାଗୁଚି.. ?”
"ମୋର ଝାଡା ହଉନି..."ପଦ୍ମନାଭ ଉତ୍ତର ଦେଲେ ।
"ଆଦୌ ହଉନି.. ? କେତେଦିନ... ହେଲାଣି.. ?”
"ହଉଚି ଯେ...ଅଳ୍ପ ଅଳ୍ପ... ।” ଏହା ଥିଲା ସମ୍ପୂର୍ଣ୍ଣ ମିଛ । ପଦ୍ମନାଭଙ୍କର ଚାରି ଦିନ ହେବ ଆଦୌ ଝାଡା ହେଇ ନ ଥିଲା, ଯଦିଓ ସେ ରୀତିମତ ପାଇଖାନାକୁ ଯାଉଥିଲେ ।
ତା' ପରଦିନ ସକାଳକୁ ଅବସ୍ଥା ଅସମ୍ଭାଳ ହେଲା । ପଦ୍ମନାଭ ଛୋଟ ପିଲାଟି ପରି କାନ୍ଦି କାନ୍ଦି ଭୁଇଁରେ ଗଡ଼ିଗଲେ । ଗାଆଁର ଲୋକେ କଣ ହେଉଚି ଦେଖିବାକୁ ଆସିଲେ । ଏକ ଶୋକାକୁଳ ଅବସ୍ଥା ସୃଷ୍ଟି ହେଲା । କସ୍ତୁରୀ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲେ । ଉପେନ୍ଦ୍ର ବ୍ୟତିବ୍ୟସ୍ତ ହେଇପଡିଲେ । ପାଖରେ ଡାକ୍ତର ଖାନା ନଥିଲା । ଗାଆଁର ଜଣେ ପୁରୁଖା ଲୋକ ଉପେନ୍ଦ୍ରଙ୍କୁ ଉପଦେଶ ଦେଲେ,"ମକବୁଲ୍ ମିଆଁକୁ ଡାକ .. ! ତା' ହାତ ଭଲ.. ! "
ଉପେନ୍ଦ୍ର ମକବୁଲ୍ ମିଆଁକୁ କାରରେ ବସାଇ ସାଙ୍ଗେ ସାଙ୍ଗେ ନେଇ ଆସିଲେ । ମକବୁଲ୍ ଯୋଡିଏ ବଟିକା ଦେଇ କହିଲା,"ବାବୁଙ୍କୁ ଗରମ ପାଣିରେ ଏହି ବଟିକା ଖାଇବାକୁ ଦିଅ । ମୁଁ ଦି' ଘଣ୍ଟା ପରେ ଆସିବି । ମକବୁଲ୍ ମୁହଁକୁ ଚାହିଁ କସ୍ତୁରୀ ବିକଳ ହେଇ ପଚାରିଲେ,"ସେ ଭଲ ହେଇ ଯିବେ ତ ?”
"ଇସ୍ପେଶାଲ ଡୋଜ ଦିଆହେଇଛି । ଠିକ୍ ହେଇଯିବେ... ।” ଏତିକି କହି ମକବୁଲ୍ ସେଠାରୁ ପଳେଇଲା ।
ପଦ୍ମନାଭଙ୍କ ପେଟ ନାଗରା ଭଳିଆ ହେଇଥାଏ । ଆଖିରୁ ଲୁହ ଝରୁଥାଏ । କସ୍ତୁରୀ ତାଙ୍କୁ ଜଗି ରହିଥିଲେ । ଦିନେଶ ଓ କାଜଲ ମଧ୍ୟ ଚିନ୍ତିତ ହେଇ ତାଙ୍କ ପାଖରେ ଥାଆନ୍ତି ।
କିଛି ସମୟ ପରେ ମକବୁଲ୍ ଆସିଲା । ସେ ପଦ୍ମନାଭ ଶୋଇଥିବା ରୁମ୍ ଭିତରକୁ ଗଲା । ହାତରେ ଗୋଟିଏ ବଟଲ୍ ଧରିଥାଏ । ଚାରି ପାଞ୍ଚଟି ବରପତ୍ର କି ପାନପତ୍ର ଡେମ୍ଫ ମଧ୍ୟ ଧରିଥାଏ । ସେ ସମସ୍ତଙ୍କୁ ପଳେଇ ଯିବାକୁ କହିଲା । ସେ ତାର ଟ୍ରିଟମେଣ୍ଟ ଆରମ୍ଭ କରିଦେଲା । ପଦ୍ମନାଭ ବଡ କଷ୍ଟରେ ଚିତ୍ ହେଇ ଶୋଇଲେ । ମକବୁଲ୍ ତା'ଙ୍କ ଲୁଙ୍ଗିକୁ ଟେକିଦେଇ ଗୋଟିଏ ଡେମ୍ଫକୁ ଆଣିଥିବା ଜଡ଼ା ତେଲରେ ବୁଡାଇ ପଦ୍ମନାଭଙ୍କ ମଳ ଦ୍ଵାର ଭିତରକୁ ପ୍ରବେଶ କରାଇଲା । ପଦ୍ମନାଭ ସେମିତି 'ଉ'...'ଆ' ହଉ ଥାଆନ୍ତି । କିଛି ସମୟ ପରେ ମକବୁଲ୍ ପୁଣି ଆଉ ଥରେ ସେମିତି କଲା । ପ୍ରାୟ ପାଞ୍ଚ ମିନିଟ୍ ପରେ ପଦ୍ମନାଭ ବାବୁଙ୍କର ଝାଡା ଛୁଟିଲା । ଝାଡା ଗୁଡା କାଳିଆ କାଳିଆ ଦିଶୁଥାଏ । ଦୁର୍ଗନ୍ଧରେ ଖଣ୍ଡ ମଣ୍ଡଳରେ ରହି ହେଉନଥାଏ । ଉତ୍କଟ ଗନ୍ଧକ ପରି ସ୍ମେଲ୍ । ମକବୁଲ୍ ଟଙ୍କା ଦୁଇଶହ ପାଇ ଖୁସିରେ ପଳେଇଲା ।
ନାକରେ ରୁମାଲ ଦେଇ କସ୍ତୁରୀ ଯାଇ ଯାହା ଦେଖିଲେ ସେଥିରେ ତାଙ୍କର ହୋସ୍ ଉଡ଼ିଗଲା । ଘରର ଚଟାଣ କଳା ରଙ୍ଗର ପାଣିଆ ଝାଡ଼ାରେ ଭର୍ତ୍ତି । ଛୁଆ ଦୁହେଁ ମଧ୍ୟ ନାକରେ ହାତ ଦେଇଥାଆନ୍ତି ।
ପଦ୍ମନାଭ ଲୁଙ୍ଗି ବଦଳାଉ ବଦଳାଉ ରାଗିଯାଇ କହିଲେ, "ଯଦି ଏତେ ଗନ୍ଧ ହଉଚି, ପଳେଇଯାଅ..... ! ମୁଁ ରୁମ୍ ସଫା କରି ପାରିବି.. ! ମୁଁ ତ ରୋଜଗାର କରୁଥିବା ବେଳେ ମତେ ଏମିତି ବ୍ୟବହାର କରୁଚ.. ! ମୁଁ ଯେତେବେଳେ ଚଳ ପ୍ରଚଳ କରି ପାରିବିନି ତୁମେମାନେ ମୋର କି ସେବା କରିବ.. ?”
କସ୍ତୁରୀ କଷ୍ଟେମଷ୍ଟେ ଘରର ଚଟାଣକୁ ସଫାକରି ଦେଲେ । ଝିଅ କାଜଲ୍ ଗୋଟାଏ ଡିଓଡରାଣ୍ଟ ଆଣି ରୁମରେ ସ୍ପ୍ରେ କରିଦେଲା ।
ପ୍ରାୟ ଘଣ୍ଟାଏ ବିତିବା ପରେ ପଦ୍ମନାଭ ବହୁତ ରିଲିଫ୍ ଅନୁଭବ କଲେ । ସେ ଖୁସିରେ ଗୀତ ଗାଇଲେ:"ନଈ ସେପରି କନକ ଗୋରୀ ପ୍ରିୟାର ମୋର ଗାଆଁ...."
ପଦ୍ମନାଭ ଆଉ ଦିନେ ଶଶୁର ଘରେ ରହିବାକୁ ଚାହୁଁଥିଲେ । କିନ୍ତୁ ସେହି ଦିନ ସନ୍ଧ୍ୟାରେ ସେମାନେ ଭୁବନେଶ୍ୱର ଫେରି ଆସିଲେ । ବାଟରେ ଗୋଟେ ଢାବାରେ ଖିଆପିଆ କରି ଆସିଥିଲେ । ଘରେ ପହଞ୍ଚିବା ମାତ୍ରକେ ସମସ୍ତେ ନିଘୋଡ଼ ନିଦରେ ଶୋଇଗଲେ । ତା' ପରଦିନ ସକାଳ ନଅଟା ବେଳକୁ କସ୍ତୁରୀ ଉଠିଲେ । ତାହା ପୁଣି ତାଙ୍କ ଘର କବାଟକୁ କିଏ ଢୋ ଢୋ ପିଟିବାରୁ ।
କେହି ଜଣେ ଉଚ୍ଚ ସ୍ୱରରେ ପଦ୍ମନାଭଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି କରୁଥାଏ:"ଆରେ ଚୋର ଚୋଠା କୁକୁର... ! ଆଜି ମୁଁ ଶଳାକୁ ଯେମିତି ହେଲେ ହାଣିଦେବି... ! ସୈତାନ... ! ତୁ ତ କୁକୁର ଠାରୁ ବି ହୀନ.. ! ତୁ ମୋର ସର୍ବନାଶ କରିଦେଲୁ... ?”
ଦିଲ୍ଲୀପ ଦାସ ଯେ କି ପଦ୍ମନାଭଙ୍କ ପଡୋଶୀ ଏଭଳି ଗାଳି ଗୁଳଜ କରୁଥିଲେ । ଦିଲ୍ଲୀପଙ୍କ ପୁଅ ଅରୁଣ ହାତରେ ଗୋଟା ଲୁହାଛଡ ଧରି ଠିଆ ହେଇଥିଲା । ପଦ୍ମନାଭ ତୁହାକୁ ତୁହା କହୁ ଥାଆନ୍ତି,"ଜମା କବାଟ ଖୋଲନା.. ! ଜମା ଖୋଲନା କହୁଚି.. ! "
କିଛି ଯୁବକ ଆସିଲେ । ହାତରେ ବାଡ଼ି, ହକି ଷ୍ଟିକ୍ ଇତ୍ୟାଦି ଧରି ଥାଆନ୍ତି । କସ୍ତୁରୀ କଥା କ'ଣ ଜାଣିବା ପାଇଁ ବ୍ୟାକୁଳ ହେଉ ଥାଆନ୍ତି । ସମସ୍ତଙ୍କ ଅଜାଣତରେ ଦିନେଶ ପୁଲିସକୁ ଫୋନ୍ କରିଦେଲା । କସ୍ତୁରୀ ବିକଳ ହେଇ ପଦ୍ମନାଭଙ୍କୁ କାରଣ ପଚାରି ପଚାରି ହାଲିଆ ହେଇ ଗଲେଣି । ”ମୁଁ ତ ଘର ଭିତରେ ତୁମେ ବି ଘର ଭିତରେ... ! ମୁଁ କେମିତି ଜାଣିବି କଣ ହେଇଚି.. ? ବଡ଼ ଆଶ୍ଚର୍ଯ୍ୟ ଲୋକ ତମେ... ! "
କିଛି ସମୟ ପରେ ପୁଲିସ୍ ଆସିଗଲେ । ଜଣେ କନେଷ୍ଟବଳ ବାହାରୁ କବାଟ ଖୋଲିବା ପାଇଁ ଆଦେଶ ଦେବାରୁ କସ୍ତୁରୀ କବାଟରେ ଥିବା ପିପ୍ ହୋଲ୍ ବାଟେ ବାହାରର ଦୃଶ୍ୟ ଦେଖିପାରି ଆଶ୍ୱସ୍ଥ ଅନୁଭବ କଲେ । ସେ କବାଟ ଖୋଲିଲେ ।
ଜଣେ ପୁଲିସ୍ ଅଫିସର୍ ଘଟଣା ଜାଣିବା ପାଇଁ ଇଚ୍ଛା କଲେ । ଦିଲୀପ ଦାସ ଅଫିସରଙ୍କ କାନରେ ଅନେକ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା କଲେ । ଦିଲୀପ ଥିଲେ ଜଣେ ପ୍ରମୋଟେଡ଼ ଆଇ.ଏ.ଏସ ଅଧିକାରୀ । ଆଉ ଗୋଟିଏ ବର୍ଷ ଚାକିରୀ ଥିଲା । ପଦ୍ମନାଭଙ୍କ ଚାକିରୀ କାଳ ମଧ୍ୟ ଆଉ ଦୁଇ ବର୍ଷ ଥିଲା । ଦୁହିଁଙ୍କ ମଧ୍ୟରେ ସୁ-ସମ୍ପର୍କ ଥିଲା । ହଠାତ୍ ସବୁକିଛି ଓଲଟ ପାଲଟ ହେଇଗଲା ।
ଦିଲୀପ ଦାସଙ୍କ ଝିଅ ଅନିନ୍ଦିତା ନବମ ଶ୍ରେଣୀରେ ଏକ ଇଂରାଜୀ ମାଧ୍ୟମ ସ୍କୁଲରେ ପଢୁଥିଲା । ସେ ବାୟୋଲୋଜି ବୁଝିବା ପାଇଁ ପଦ୍ମନାଭଙ୍କ ଘରକୁ ଆସୁଥିଲା । ପଦ୍ମନାଭଙ୍କ ରିଡିଙ୍ଗ୍ ରୁମରେ ସେ ଅଧିକାଂଶ ସମୟ ବସିରହି ପଢାପଢି କରେ । ପଦ୍ମନାଭ ଓ ଅନିନ୍ଦିତା ମଧ୍ୟରେ ଏକ ରହସ୍ୟମୟ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଅନିନ୍ଦିତା ପ୍ରେଗନାଣ୍ଟ ହେବାପରେ ଘଟଣା ପଦାକୁ ଆସିଲା ।
ପୁଲିସ୍ ଅଫିସର୍ ପଦ୍ମନାଭଙ୍କୁ ଥାନାକୁ ଯିବାକୁ କହିଲେ । ତାଙ୍କ ନାମରେ ଅଭିଯୋଗ ଥିଲା ସେ ଜଣେ ନିରିହା ଅପ୍ରାପ୍ତ ବୟସ୍କା ଝିଅକୁ ଯୌନ ନିର୍ଯାତନା ଦେଇଛନ୍ତି ।
ଏ କଥା ଯେତେବେଳେ କେଳୁଚରଣ ଶୁଣିଲେ, ସେ କହିଲେ,"ସୂର୍ଯ୍ୟ କଣ ପଶ୍ଚିମ ଦିଗରେ ଉଦୟ ହୋଇପାରେ ? ସେ କେଳୁ ପ୍ରଧାନ ପୁଅ... ! ତାକୁ ଚକ୍ରାନ୍ତ କରି ବଦନାମ କରା ଯାଉଛି.. ! ଯିଏ ଦିନରାତି କରୁଛି ସେ ବୁଝିବ.. ! "
ପୁଲିସ୍ ଓ ପଦ୍ମନାଭଙ୍କ ମଧ୍ୟରେ ପ୍ରବଳ ବାକ୍ ବିତଣ୍ଡା ଯୁକ୍ତିତର୍କ ହେଲା । ପଦ୍ମନାଭଙ୍କ ଯୁକ୍ତି ଥିଲା ସେ ସେପରି କିଛି ଦୋଷ କି ସେଭଳି ପାପ କରି ନାହାନ୍ତି ଯେଉଁଥିପାଇଁ ସେ ଆରେଷ୍ଟ୍ ହେବାକୁ ପଡ଼ିବ । ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । କସ୍ତୁରୀ ଗୁଳିଖିଆ ବାଘୁଣୀ ପରି ଉଗ୍ରରୂପ ଧାରଣ କରି ଥାଆନ୍ତି । ଦିନେଶ ଓ କାଜଲ ବୋକା ପାଲଟି ଯାଇ ଥାଆନ୍ତି । କେଳୁଚରଣ ପୁଲିସ୍ କର୍ମଚାରୀଙ୍କ ମୁହଁକୁ ଅନୁଧ୍ୟାନ କରୁଥାଆନ୍ତି ।
ପଦ୍ମନାଭ ଓ ପୁଲିସ୍ ମଧ୍ୟରେ ବାକ୍ୟ ଯୁଦ୍ଧ ଚାଲିଥିବା ବେଳେ, ଦିଲୀପ ଦାସ ତାଙ୍କୁ ଚାରି ପାଞ୍ଚଟା ଚଟକଣି ମାରିଥିଲେ । ଅରୁଣ ତାଙ୍କ ଗୋଡ଼କୁ ଲୁହା ଛଡ଼ରେ ପିଟି ଦେଇଥିଲା । ସେ ଛୋଟେଇ ଛୋଟେଇ ପୁଲିସ୍ ଜିପରେ ଯାଇ ବସିଲେ । କସ୍ତୁରୀ ଶୋଧା ଶୋଧି କରିବା ସହିତ ଜଣେ ପୁଲିସ୍ ଅଫିସରଙ୍କ କଲରକୁ ଭିଡି ଧରି ଥାଆନ୍ତି । ଜଣେ ମହିଳା ପୁଲିସ୍ କର୍ମଚାରୀ କସ୍ତୁରୀଙ୍କୁ ଗୋଟାଏ ଶକ୍ତ ଚାପୁଡା ଦେବାକୁ ବାଧ୍ୟ ହେଲେ ।
ପଦ୍ମନାଭଙ୍କୁ ପୁଲିସ୍ ନେଇଗଲେ । କସ୍ତୁରୀ ନିରବରେ ଲୁହ ଝରାଉ ଥାଆନ୍ତି । କିଛି ସମୟ ପରେ କାଜଲ କସ୍ତୁରୀଙ୍କୁ କିଛି ପଇସା ମାଗିଲା । କସ୍ତୁରୀ ତାକୁ ଗୋଟା ଚାପୁଡ଼ା ଦେଲେ । ବାହାରେ ଗୁପ୍ ଚୁପ୍ ବାଲା ଠିଆ ହୋଇଥିଲା ।
ଦିଲୀପ ଦାସ ନିଜ ଝିଅ ଅନିନ୍ଦିତାକୁ ଗୃହ ବନ୍ଦୀ ଭାବରେ ରଖି ଥାଆନ୍ତି । ତାଙ୍କ ସ୍ତ୍ରୀ ସୌଦାମିନୀ ଝିଅକୁ କୋଣସି ଦୂର ଜାଗାକୁ ନେଇ ଯିବାକୁ ପ୍ରସ୍ତାବ ଦେଉଥାଆନ୍ତି । ଅନିନ୍ଦିତା ଥିଲା ଅତ୍ୟନ୍ତ ମେଧାବୀ ଛାତ୍ରୀ । ନିଜ ଶ୍ରେଣୀରେ ସବୁବେଳେ ନିଜର ଦକ୍ଷତା ଦେଖାଉ ଥିଲା । ଯେତିକି ପାଠୋଇ ସେତିକି ସୁନ୍ଦରୀ ମଧ୍ୟ । ଅନେକ ପ୍ରାଇଜ ପାଇଛି । ଉଭୟ ଖେଳ କୁଦ ଓ ଶିକ୍ଷାରେ ଦକ୍ଷତା ପାଇଁ ।
ପଦ୍ମନାଭଙ୍କର ସେଇ ଗୋଟିଏ ଯୁକ୍ତି । ସେ କେବେ ମଧ୍ୟ ଅନିନ୍ଦିତାକୁ ଖରାପ ଦୃଷ୍ଟିରେ ଦେଖି ନାହାନ୍ତି । ସେ କହୁ ଥାଆନ୍ତି,"ମୋର ଆଉ ବୟସ ଅଛି ଏପରି କରିବା ପାଇଁ ? ତା' ଝିଅ କୋଉଠି କ'ଣ କଲା । ମତେ ଅଯଥାରେ ଅପବାଦ ଦଉଚି... ? ଏଭଳିଆ ଲୋକକୁ ଧର୍ମ ସାହିବ... ? ଈଶ୍ୱର ହିଁ ମତେ ନିଶ୍ଚୟ ନ୍ୟାୟ ଦେବେ ।”
କସ୍ତୁରୀ ନିଜର ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କୁ ଲଗାଇ ଦେଲେ ନିଜ ସ୍ୱାମୀଙ୍କୁ ଜେଲରୁ ମୁକୁଲାଇ ଆଣିବାକୁ । ବହୁଦିନ ବିତିଗଲା । ପଦ୍ମନାଭଙ୍କ ପରିବାର ଓ ଭଉଣୀମାନେ ତାଙ୍କୁ ବରାବର ଜେଲରେ ଦେଖା କରୁଥାଆନ୍ତି । ସେ ସବୁବେଳେ ଗଭୀର ଚିନ୍ତାରେ ବୁଡି ରହୁଥିଲେ । କସ୍ତୁରୀ ତାଙ୍କ କଥା ଭାବିଭାବି ଶରୀର କ୍ଷୀଣ କରୁ ଥାଆନ୍ତି । ପଦ୍ମନାଭ ଜେଲ କୋଠରୀରେ ଥିବା ଜଗନ୍ନାଥଙ୍କ ଫୋଟୋକୁ ଚାହିଁ କାନ୍ଦୁଥିଲେ ।
ଜଗନ୍ନାଥ ଶେଷକୁ ପଦ୍ମନାଭଙ୍କ ଡାକ ଶୁଣିଲେ । ଦିନେ ସକାଳୁ ଜଳଖିଆ ଖାଇ ସାରିବା ପରେ, ମନେ ମନେ ବିଷ୍ଣୁ ସହସ୍ର ନାମ ଜପ କରୁଥିଲେ । ସେ ହଠାତ୍ ଦେଖିଲେ ଅନିନ୍ଦିତା କଳା ରଙ୍ଗର ସ୍ଲିଭଲେସ୍ ଟପ୍ ଓ ଡେନିମ୍ ଜିନ୍ସ ପିନ୍ଧି ତାଙ୍କ ଆଗରେ ଠିଆ ହୋଇଛି । ପଦ୍ମନାଭ ଭୟରେ ଥରିବାକୁ ଲାଗିଲେ ।
ଅନିନ୍ଦିତା ମୁହଁରେ ଚେନାଏ ହସ ଖେଳେଇ କହିଲା, "ଅଙ୍କଲ୍ ଆପଣ ଅଯଥାରେ କାହିଁକି ଓରିଡ଼୍ ହେଉଛନ୍ତି । ମୁଁ ଆପଣଙ୍କୁ ହିଁ ବିବାହ କରିବି.. ! ଆଇ ଲଭ୍ ୟୁ... ! ଆପଣ ଆଣ୍ଟିଙ୍କୁ ଡିଭୋର୍ସ କରିଦିଅନ୍ତୁ ।”
"ହେଲେ ତୁ ତ ଏବେ ନାବାଳିକା.. ?” ପଦ୍ମନାଭ ପଚାରିଲେ ।
"ନା ମୁଁ ମାଇଁନର୍ ନୁହେଁ... ! "
"କେମିତି...... ?”
"ମୋର କ୍ଲାସ୍ ଫାଇପ୍ ପଢିବା ବେଳେ ପାହାଚରୁ ପଡିଯିବାରୁ ମୁଣ୍ଡ ଫାଟି ଯାଇଥିଲା.. । ତା'ପରେ ଫିଟସ୍ ହେବାରୁ ସ୍ୱାସ୍ଥ୍ୟ ଅବସ୍ଥା ବହୁତ୍ ଖରାପ ହେଇଗଲା । ଏପରି ଭାବରେ ଦୁଇ ବର୍ଷ ବିତିଗଲା । । ମୁଁ ପୁଣି ପଢାପଢି ଆରମ୍ଭ କଲି । ସେଥିପାଇଁ ଏବେ ମୁଁ ଏଇଟିନ୍ ପ୍ଲସ୍ । ଆମେ ବହା ହେଇ ପାରିବା । ଡାଡି ଆପଣଙ୍କ ଉପରେ ରାଗ ରଖି ମୋ ଏଜ୍ କମେଇକି କହୁଛନ୍ତି ।”
ବହୁଦିନ ପରେ ପଦ୍ମନାଭ ଗୋଟିଏ ମନ ମତାଣିଆ ସ୍ମାଇଲ୍ ଦେଲେ । ଅନିନ୍ଦିତାର ମାଦକତା ଭରା ଆଖି ଓ ଡ଼ଉଲ ଡାଉଲ ଚେହେରା ଦେଖି ସେ ଆନନ୍ଦରେ ବିଭୋର ହୋଇ ଉଠିଲେ । ସେ ଅତ୍ୟନ୍ତ ସିରିଅସ୍ ହେଇ ପଚାରିଲେ,"ତୁ ଆସିଲୁ କେମିତି ?”
"ଆଜି ମତେ ଚାକର ପିଲା ବ୍ରେକଫାଷ୍ଟ ଦେବା ପରେ ମମି ମୋ ରୁମରେ ତାଲା ପକାଇବାକୁ ଭୁଲିଯାଇଥିଲା । ସେ ଗାଧୋଇବା ପାଇଁ ବାଥରୁମ୍ ଗଲାପରେ, ମୁଁ ବାହାରକୁ ଆସିଲି । ଦେଖିଲି ଭାଇର ବୁଲେଟ୍ ବାହାରେ ଅଛି । ତା' ପକେଟରୁ ଚାବି ନେଇ ବୁଲେଟ୍ ଚଢି ପଳେଇ ଆସିଲି । ସେମାନେ ମତେ ଖୋଜୁଥିବେ..... ! "
ପଦ୍ମନାଭ ଜାଣିଥିଲେ ଜଣେ ଅଧିକାରୀ ଦିଲୀପ ଦାସଙ୍କର ବଡ଼ ଶତ୍ରୁ ଥିଲେ । ସେ ଅନିନ୍ଦିତାକୁ ତାଙ୍କ ପାଖକୁ ପଠାଇ ଦେଲେ ।
ଦୁଇ ମାସ ପରେ ଦିଲୀପ ବାବୁ ଅରେଷ୍ଟ୍ ହେଲେ । ନିଜ ଝିଅର ପ୍ରକୃତ ବୟସ ଲୁଚାଇବା ସହିତ ତାକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେବା ଥିଲା ତାଙ୍କର ଅପରାଧ ।
ଗୋଟିଏ ଖବର କାଗଜରେ ନିମ୍ନଲିଖିତ ଭାବରେ କିଛି ପ୍ରକାଶ ପାଇଲା:
"ପ୍ରେମ ଅନ୍ଧ । ପ୍ରେମ ସ୍ୱର୍ଗୀୟ । ଉଚ୍ଚ ନିଚ, ଜାତି ଅଜାତି ତଥା ବୟସର ତାରତମ୍ୟ ଦେଖେନା । ଉଲ୍ଲେଖ ଥିଲା ଇଂଗଲଣ୍ଡର ମାଞ୍ଚେଷ୍ଟର୍ ସହରରେ ଜଣେ ଏକାଦଶ ଶ୍ରେଣୀ ହାଇସ୍କୁଲ ଛାତ୍ରୀ ଜଣେ ସତୁରି ବର୍ଷର ଗରିବ ନିରାଶ୍ରୟଃ.. ବୃଦ୍ଧଙ୍କୁ ବିବାହ କରି ଅତ୍ୟନ୍ତ ଖୁସିରେ ଜୀବନ ବିତାଉ ଥିଲେ ।”
ସବୁକିଛି ସୁରୁଖୁରୁରେ ହେଇଗଲା ।
ପଦ୍ମନାଭ ଗୋଟିଏ ଚମତ୍କାର ଭଡାଘରେ ରହିବାକୁ ଲାଗିଲେ । ନବ ବିବାହିତା ଅନିନ୍ଦିତା ସେଇଠି ରହିଲା । କସ୍ତୁରୀ ପଦ୍ମନାଭଙ୍କୁ ଡିଭୋର୍ସ କରିସାରି ଥିଲେ । । ଦିନେ କସ୍ତୁରୀ ସେଠାକୁ ଆସିଲେ । ସେ ପଦ୍ମନାଭଙ୍କୁ କହିଲେ," ତୁମ ମନରେ ଏଇଆ ଥିଲା ?”
ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେଲା । ପଦ୍ମନାଭ ଶେଷକୁ ପ୍ରମାଣ କରିଦେଲେ ଯେ କସ୍ତୁରୀ ବାସ୍ତବରେ ପଚା ଆଳୁ ଥିଲେ । ସେ ଅନିନ୍ଦିତାକୁ ବିବାହ କରିଥିଲେ କେବଳ ବୃଦ୍ଧାବସ୍ଥାରେ ସାହାରା ପାଇଁ ।
କସ୍ତୁରୀଙ୍କର ଦାମୀ କାର୍ କିଣିବାର ଇଚ୍ଛା ଫସର ଫାଟିଗଲା । କିନ୍ତୁ କେଳୁଚରଣ ବୋହୂକୁ ପୂର୍ଣ୍ଣ ଭାବରେ ସମର୍ଥନ କଲେ ଓ ପୁଅକୁ କୋର୍ଟରେ ତେଯ୍ୟ ପୁତ୍ର କରିଦେଲେ । ତାଙ୍କର ଅପର୍ଯ୍ୟାପ୍ତ ସମ୍ପତ୍ତି ବୋହୂକୁ ଦେଇଦେଲେ । ଏଣିକି ସନ୍ଧ୍ୟାରେ ସେ ଭାଗବତ ପଢିବା ବେଳେ କସ୍ତୁରୀ ଓ ତାଙ୍କ ଦୁଇ ସନ୍ତାନ ତାଙ୍କ ପାଖରେ ବସି ମନଦେଇ ଶୁଣନ୍ତି । ଦିନେଶ୍ ଓ କାଜଲ୍ ଆଉ ଇଂଲଣ୍ଡ ଯାଇ ସେଠାରେ ଉଚ୍ଚଶିକ୍ଷା ଲାଭ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । 'ଅକ୍ସଫୋର୍ଡ','କେମ୍ବ୍ରିଜ' କିମ୍ବା 'ହାର୍ବାଡ଼' ଭଳି ଶବ୍ଦ ସେମାନଙ୍କ ମନରେ ଘୃଣା ଓ ତିକ୍ତତା ଭରିଦିଏ ।

