ମୁଁ ଭିକାରୁଣୀ
ମୁଁ ଭିକାରୁଣୀ
ହଁ ମୁଁ ଭିକାରୁଣୀ ।ଗାଁରେ ବୁଲି ଭିକ ମାଗେ ।କିଏ ଚାଉଳ ଦିଏ ତ କିଏ ପଇସା ।ପେଟ କୁ ଦୁଇ ଓଳି ଯେମିତି ହେଉ ଦାନା ଯୋଗାଡ କରି ବଞ୍ଚିଛି ।ରାତି ହେଲେ ମୋ ଚାଳିଆ କୁ ଯାଏ ,ଥଳି ଟି ଖୋଲି ଦେଖେ କେତେ ପଇସା ପାଇଲି ,ତାକୁ ନେଇ ମୁଣି ରେ ରଖେ । ତାପରେ ଶୋଇଯାଏ ।
ମୋ ଜୀବନ ଟାରେ ବଡ କଷ୍ଟ ରେ ବାବା ।
ବାପ ମୋତେ ପଞ୍ଚମ ଶ୍ରେଣୀ ଯା ପଢେଇଥିଲା ଯୋଗୁଁ ଆଜି ପଇସା ଟା ଗଣୁଛି । ମାଇନର୍ ଇସ୍କୁଲ ରେ ପଢିଥାନ୍ତି ଯେ ମୋ ବାପ ,ମା ଦେହରେ କିଶ ସବୁ ବାହାରିଲା ,ସବୁ ଲୋକ କହିଲେ ଭଗବତୀ ଲାଗିଛି ।ପୂଜା କରିଲେ ।ହେଲେ ବି ବାପ ,ମା ମୋର ମରିଗଲେ ।ଆଉ ଇସ୍କୁଲ୍ ଗଲିନି ।
ଗୋଟିଏ ଲୋକ ଘରେ ଯାଇ ବାସନ ମାଜିଲି ।ଚଳୁଥିଲି ।କିଛି ଦିନ ଉତାରୁ ସିଏ ବି କାଢିଦେଲା ।
ବୟସ ଦୁଇ କୋଡି ହେଲାରୁ ଚାଲିଲି ସହର ଆଡେ ।ଗୋଟେ ବାବୁ ଆସି କହିଲା ଚାଲ୍ ଆମ ଘରେ କାମ କରିବୁ ,ଯାହା କହିବୁ ତାହା ଦେବି ।ମୁଁ ବି ଚାଲିଲି ।ସେ ଘରର ମାଲିକାଣୀ ସବୁ କାମ କହିଦେଲା ,ମୁଁ ବି କାମ କରେ ।ହେଲେ ସେ ବାବୁ ଟା କାମ କୁ ନ ଯାଇ ଖାଲି ମୋ ପାଖରେ ଲସର ପସର ହେଲା ଲୋ ।ଛି ଛି ଛି ।ଏ କି କଥା ।ମୋ ଦିହକୁ ଜମା ସୁହିଲାନି ସେ ଜାଗା ଟା ।ଛାଡି ଚାଲି ଆଇଲି ।
ଭିକ ମାଗିବା ଆରମ୍ଭ କରିଲି ।କେତେ ଛି ଛାକର କରନ୍ତି ଏ ଲୋକ ଗୁଡା ।ଖାଲି ପଡିଆ ରେ ଚାଳି ଟେ କରି ଅଛି ।ଏ ମେଘ ବରଷା ଦିନରେ ଘର ଭିତରେ ପାଣି ।କଷ୍ଟ ମଷ୍ଟ ରେ ରହିଯାଏ ।ଯମ ବି ନଉନି, ପଡିଛି କଷ୍ଟମଷ୍ଟରେ ଚଳିକି ।
ଦିନେ ଗୋଟେ ବଡ ଘର ଦେଖି ଭିକ ମାଗି ଗଲି ।ଗୋଟେ ମାଇପି ଲୋକ ଟା ବାହାରି କହିଲା -ଯା ଯା ,ତୋ ପାଇଁ ଆଜି ଦିନ ଟା ଗଲା ।କୁଆଡୁ କୁଆଡୁ ଆସନ୍ତି କେଜାଣି ।ହେଲେ ମୋତେ ଭାରି ଭୋକ ଥିଲା ।କହିଲି ମା ଲୋ ଗଣ୍ଡେ ଖାଇବାକୁ ଦେ ।ତୋର ଧରମ ହେବ ।ସିଏ ଶୁଣିଲାନି ,ମନ ମାରି ଚାଲି ଆଇଲି ।
ଟିକେ ବାଟ ଯାଇ ଗୋଟେ ଚା ଦୋକାନକୁ ଯାଇ କହିଲି ପୁଅ ରେ ଟିକେ ଖାଇତେ ଦେ ଲୋ ,ଭଗବାନ ତୋର ମଙ୍ଗଳ କରିବେ ।ପୁଅ ଟା ଦେଲା ।ଖାଉଥିଲି ।ଜଣେ କହୁଥିଲା -ଏ ଭିକାରୀ ସବୁ କୁ ଗୁଳି କରି ମାରିଦେବା କଥା ।ବାହାର ଦେଶରେ ଭିକାରୀ ନାହିଁ, ଖାଲି ଏଇଠି ।ଦି ଟଙ୍କା ରୋଜଗାର୍ ତ କରିବନି ,ମାରିଦେଲେ ଭଲ ହୁଅନ୍ତା ।
ମନ ଟା କୁ ବଡ ବାଧିଲା ।ମରଣ କୁ ତ ମୁଁ ଚାହିଁଛି ହେଲେ ମରୁନି ,ଏ ଲୋକ ସବୁ ଏଇରକମର କହିବେ ,କେତେ ସହିବି ।
କିଏ କହିବ କାମ କରୁନୁ ,ଦି ଦିନ ରଖି କାଢିଦେବ ।
ସୁରୁଜ ଉଇଁଲେ ମୁଁ ଥଳି ଧରି ଚାଲେ ,ପଇସା ଚାଉଳ ସହ ଦିନ ଯାକର ଛି ଛାକର ରୁଣ୍ଡେଇ କି ଆଣେ ।ବଡ ବାଧେ ।
ଥରେ ଜଣେ କହିଲା ଯାଉନୁ ଲୋ ସେ ବସ୍ ଯେଇଠି ରହେ ,ସେଇଠି ମାଗିବୁ ,କେତେ ମାଗୁଛନ୍ତି । ତା କଥା ଶୁଣି ଗଲି ।ବସ୍ ପାଖରେ ଯାଇ ମାଗିଲି ।ସତ କଥା ଲୋ ସେ ଦିନ ବହୁତ ପଇସା ପାଇଲି ।ରାତି ବେଳକୁ ସେଇ ଠି ଗୋଟିଏ କଣରେ ଗଡି ପଡିଲି ।ମନରେ ଭାବିଲି ଆଉ ୨/୪ଦିନ ମାଗିବି ,ଯାହା ପଇସା ହେବ କିଛି କିଣି କି ବିକିବି ।ଭାବି ଭାବି ଆଖି କେତେବେଳେ ମୁଦି ଗଲା ।
ସକାଳ ହେଲା ,ଥଳି ଟା ଧରି ଦୌଡିଲି ।ଜଣକୁ ମାଗିଲି ,ସିଏ ପଇସା ବଢେଇଲା ବେଳେ ଆଉ ଜଣେ ଆସି ପଇସା ଟା ନେଇନେଲା ।ପଇସା ମାଗିଲି ।କହିଲା ଚାଲ୍ ମୋ ସହ ।ଗୋଟେ ଘର ଭିତରକୁ ନେଲା, ସେଇଠି ଆହୁରି କେତେ ଜଣ ଥିଲେ ।ଜଣେ ମରଦ ଲୋକ ଟା କହିଲା ଦେଖ୍ ଏଇଟା ଆମ ଇଲାକା ,ଏଇଠି ଏମାନେ ପଇସା ମାଗିବେ ଆଉ ଆଣି ଏଇଠି ଭାଗ ହୁଏ ।ସମସ୍ତେ ତାଙ୍କ ଭାଗରୁ ମୋତେ ଦିଅନ୍ତି ।ତୁ ଯଦି ଦବୁ କହ ଏଇଠି ଏ ଘରେ ରହିବୁ ,ଡେଲି ମାଗିବୁ ।ଆଉ ଯଦି ଏକା ମାଗିବୁ ଏ ଏରିଆ ଛାଡି ପଳା ।ନ ହେଲେ ରେଳଗାଡି ଆଗକୁ ଠେଲି ମାରିଦେବି ।
ମୁଁ ଡରରେ ପଳେଇ ଆସିଲି ।ଭାବିଲି ଏ କି ଦୁନିଆଁ ଲୋ ବାପ ,ଏଇଠି ଭିକ ମାଗିବାରେ ବି ଦାଦାଗିରି ।ସେଇପାଇଁ କେହି ଭିକାରୀ କୁ ଭଲ ପାଉନାହାନ୍ତି ।କେତେ ଗାଳି କରୁଛନ୍ତି ।
ତା ପରେ ଭାବିଲି ଏଥର ବଡଦାଣ୍ଡ ଯିବି ।ସେଇଠି ଜଗା ଯାହା ଦେବେ ।ଯୁଗକୁ ଗୋଟେ ବସ୍ ପୁରୀ ପୁରୀ ଡାକିଲା ।ଚଢିଗଲି ।କାନି ରେ ଯାହା ପଇସା ବାନ୍ଧିଥିଲି ,ଦେଲି ।କେତେବେଳେ ଆଖି ଲାଗିଗଲା ,କେଜାଣି ।ହେଲ୍ପର୍ ଛୁଆ ଟା ପିଟିକି ଡାକିଲା -ଉଠ୍ ବୁଢୀ ।ପୁରୀ ଆସିଲା ।
ବଡଦାଣ୍ଡ ରେ ଚାହିଁଲି କେତେ ଭିକାରୀ ।ମୁଁ ବି ଗଲି ଭିକ ମାଗିଲି ।ରାତି ହେଇ ଆସିଲା ।କେଇଠି ଶୋଇବି ଭାବି ଗୋଟେ ଦରଭଙ୍ଗା ଘର ଟେ ଚାଲି ଗଲି ।
ଲୋ ମା ।ସେ ଘର ଭିତରେ ସବୁ ଦେଖି ମୋ ମୁଣ୍ଡ ଘୁରି ଗଲା ।ଯେ ମାନେ ଭିକ ମାଗୁଥିଲେ ସବୁ ସେଇଠି ।କିଏ ଖାଲିଟାରେ ହାତରେ ଧଳା କନା ଗୁଡେଇ ଥିଲା ,କାଢୁଛି ,,
କିଏ ଆଣ୍ଠୁ କୁ ମୋଡି କି ବାନ୍ଧିଥିଲା ,ଖୁଲୁଛି ,,
କିଏ ପାପୁଲି କୁ କନା ରେ ଗୁଡେଇ ଥିଲା ,କାଢୁଛି ।
ସବୁ ଯାକ ଗୋଟା ପଣେ ଭଲ ।ଖାଲି ମିଛରେ ଅଭିନୟ ।କହିଲି -ଭଗବାନ୍ ସହିବେନି ଲୋ ।ଧରମ ସହିବନି ତୁମକୁ ।ଲୋକକୁ ଠକଉଛ ।ତୁମ ପରି ଏ ମିଛୁଆ ଗୁଡାକ ଯୋଗୁଁ ସତସତିକା ଦରକାର ଲୋକ ଟା କୁ ବି ଭିକ ମିଳୁନି ।
ଆଜି ମୋ ମନକୁ ପାଇଲା ,ସବୁ ଲୋକ ଛି ଛାକର ଏଇ ପାଇଁ କରନ୍ତି ।କେହି ଲୋକ ଖରାପ ନୁହେଁ ଲୋ ମା ।ଏଇ ଦୁନିଆ ଟାର ଏ ଠକ ଲୋକ ସବୁ ଖରାପ କରୁଛନ୍ତି ।
ଭିକ ମାଗିବା ରେ ବି ଭେଜାଲ୍ ।କି ସମୟ ଆସିଲା ଲୋ । ଆଉ ସେ କେଇଟା ଠକ ଗୁଡାକ ପାଇଁ ଏ ଲୋକ ମାନେ କେତେ କଥା ଶୁଣଉଛନ୍ତି ଲୋ ମା .......।
ହେ ଜଗା ଉଦ୍ଧାର କର ରେ.......