ମୁଁ ଆତ୍ମା କହୁଛି
ମୁଁ ଆତ୍ମା କହୁଛି


ସମସ୍ତେ କାନ୍ଦୁଛନ୍ତି । ମୋର ମୃତ୍ୟୁ ହୋଇଯାଇଛି । ବାହାଘରର ଦୁଇ ବର୍ଷ ପରେ ଖୁବ୍ ଅଳ୍ପ ବୟସରେ । ଫାନରୁ ଓଢଣୀ କାଟି ମୋ ଶରୀରକୁ ଦାଣ୍ଡଘରେ ଶୁଆଇ ଦେଇଛନ୍ତି । ଅନେକ ଲୋକ ଏକାଠି ହୋଇଛନ୍ତି । ମୋ ବର୍ଷକର ଝିଅଟି ରାହାଧରି କାନ୍ଦୁଛି । ଘରେ ସମସ୍ତେ ବ୍ୟସ୍ତ । ଯାହାର ହାତ ଧରି ଅଗ୍ନିକୁ ସାକ୍ଷୀରଖି ବାହା ହୋଇଥିଲି ସେ ବ୍ୟସ୍ତ ପୋଲିସ ଆସିବେ, ପୋଷ୍ଟମଟମ୍, ଖୋଳାତାଡ, ଶବ ସଂସ୍କାର ଇତ୍ୟାଦି । ମୋ ଶଶୁର କାନ୍ଥକୁ ଆଉଜି ଗୋଟିଏ ଚେୟାରରେ ଗାଲରେ ହାତ ରଖି ବସିଛନ୍ତି । ଦିଅର ହ୍ୟାପ୍ ପ୍ୟାଣ୍ଟ ଖଣ୍ଡେ ପିନ୍ଧି ଫୋନରେ ଲାଗିରହିଛି ବାହାରେ ପ୍ୟାରେଡ୍ କରି । ଆଉ ମୋ ବାପାଙ୍କର ନିରବ ଅଶ୍ରୁ ରୋକିବାର ନାମ ଧରୁନି । ପାଖରେ ବସିଥିବା ତାଙ୍କର ଜଣେ ସମ୍ପର୍କୀୟକୁ ମୋ ପିଲାବେଳର କଥା ଶୁଣାଉଛନ୍ତି । କେମିତି ମୁଁ ଝୁମୁରୁ ଝୁମୁରୁ ପାଉଁଜି ପିନ୍ଧି ଘରସାରା ଦୌଡୁଥିଲି । ବାପା ଅଫିସରୁ ଫେରିବା ପରେ ଗୋଡହାତ ନଧୋଇ ଆଗ କାଖ ହୋଇ ଗେଲ ହେଉଥିଲି । ତାଙ୍କ ହ୍ୟାଣ୍ଡ୍ ବ୍ୟାଗରୁ ଚକଲେଟ୍ ଦରାଣ୍ଡୁଥିଲି । ଆଉ କେତେ ଶିଘ୍ର ସେ ମୋର କନ୍ୟାଦାନ କରିଦେଲେ । କେତେ ଶିଘ୍ର ଏ ସଂସାରରୁ ବିଦାୟ ନେଇଗଲି ।
ଏହି ସମୟରେ ବାହାରେ ଟୁପଟାପ୍ । ପୋଡାମୁହିଁ ଆତ୍ମହତ୍ୟା କଲା କାହିଁକି ? ଆଉ ଜଣେ....ଶାଶୁଘର କଣ କମ୍ ଅତ୍ୟାଚାର କରୁଥିଲେ ! ମାନସ ବୋଉ କେତେ କାଣ୍ଡେଇ ତା ପାଖେ ଏ ଶାନ୍ତଶିଷ୍ଟ ଝିଅଟି କେତେଦିନ ଚଳିଥାନ୍ତା ? ...ନାଇଁ ମ, ତା ସ୍ୱାମୀର କାହା ସଙ୍ଗେ ସମ୍ପର୍କ ଥିବ । ... କି ଶାଶୁଘର ଲୋକ ମାରି ଦେଇଥିବେ । ଛି ଛି ଦଉଡି ଲଗାଇବ, ଶିକ୍ଷିତା ଝିଅ, ସବୁ ଛାଡିଛୁଡି ବାପ ଘରକୁ ପଲାଇଲା ନାହିଁ ?....କେମିତି ଯିବ ! କୋଳରେ ଭଗବାନ ପରା ମାଇକିନିଆ ଝିଅ ଖଣ୍ଡେ ଦେଇଛନ୍ତି । ଆଲୋ ତା ମୁହଁକୁ ବି ଚାହିଁଲାନି । ?
ଏହି ସମୟରେ କାନିରେ ମିଛ ଲୁହ ପୋଛି ଶାଶୁଙ୍କର ଧୀର କଣ୍ଠ......ତା କାନଫୁଲ, ମୁଦି କାଢିଦିଅ । ମୋତେ ତ କଷ୍ଟ ହେବ । ଏବେ ପୋଷ୍ଟମର୍ଟମ୍ ପାଇଁ ନେଇଯିବେ ତ?
ଏହି ସମୟରେ ମୋ ଦେହକୁ ଲାଗି ବସିଥିବା କୋହରି କୋହରି କାନ୍ଦି ଲୁଗାକାନି ଭିଜି ଯାଇଥିବା, ପୁଣି ଲୁହ ସିଙ୍ଘାଣି ଏକକାର ହୋଇ, ପାଟିରୁ ପଦେ କଥା ବାହାରୁ ନଥିବା ଆଉ କେହି ନୁହେଁ ସେ ମୋ ବୋଉ ଥିଲା । ମୋର ଛାତି ଫାଟି ଯାଉଥିଲା । ମୁଁ ମୋ ବୋଉକୁ ଚୁପ୍ କରିବାକୁ ଗଲି । .....ଦେଖ୍ ବୋଉ ମୁଁ ଏତିକି ଦିନ ପାଇଁ ଆସିଥିଲି । ତୁ ତ କେବେ ଠାରୁ ମୋତେ ବିଦା କରି ଦେଇଥିଲୁ, ଏବେ ମୋ ଶରୀର ବିଦା ହେଉଛି । .... ବୋଉଲୋ ! ତୁ ପରା କହୁଥିଲୁ ଜନ୍ମ ହେଲେ ମୃତ୍ୟୁ ସତ୍ୟ । ....ଆଉ ଆଜି ???? ବୋଉ ମୋତେ ଦେଖିପାରୁନଥିଲା, ଖାଲି କହୁଥିଲା --: ଠାକୁର ମୋତେ ଏହା ଦେଖିବା ଆଗରୁ ଉଠାଇ ଦେଲେନି କାହିଁକି?
ଆଖି ଆଗରେ ସନ୍ତାନର ମୃତ୍ୟୁ ଏ କଥା ଖୁବ୍ ଅସହ୍ୟ । ମାଆଟିଏସିନା ଜାଣେ ।
ସମୟ ଗଡି ଚାଲୁଥାଏ । ଦାଣ୍ଡରେ ଯାଉଥିବା ଲୋକ ଦଣ୍ଡେ ଠିଆହୋଇ ପଚାରୁଥାନ୍ତି ....କ'ଣ ହେଲା କି ?...ସେ ମିଶ୍ର ଘର ବୋହୁ ଆତ୍ମହତ୍ୟା କରି ଦେଇଛି । ମୁଁ ସବୁ ଶୁଣୁଥାଏ । ମୋ ଅଶାନ୍ତ ଆତ୍ମା ଦେଖୁଥାଏ କିଏ ଅନ୍ତର ଫଟେଇ କାନ୍ଦୁଛି, କିଏ ଦରଦରେ ଆଉ କିଏ କୁମ୍ଭୀର କାନ୍ଦଣା । ଆଉ କିଏ ଆହାରେ ।
ଏହି ସମୟରେ ଶଶୁରଙ୍କ ସ୍ୱର ....ଆରେ ମମତାକୁ ଖବର ଦେଲ ? ମମତା ମୋ ଶଶୁରଙ୍କ ସାଙ୍ଗର ଝିଅ । ଆମ ଘର ପାଖେ ରୁହେ୍ । ଆମ ଘରେ ତା'ର ବେଶି ରାଜତ୍ୱ, ବାହାଘରର ଦୁଇମାସ ପରେ ତା ସ୍ୱାମୀ ତାକୁ ଛାଡି ଦେଇଛି । ଘରଭାଙ୍ଗିବା ଆଉ ତୋଳିବାରେ ସେ ବେଶ୍ ଧୁରନ୍ଧର । ସରକାରୀ ଚାକିରୀ ଖଣ୍ଡେ କରିଛି । ଏକୁଟିଆ ରହେ । ଶାଶୁ ଉତ୍ତର ଦେଲେ, ହଁ.. । ବୁନା ଫୋନ କରିଥିଲା ପରା । ବୁନା ମୋ ଦିଅର । ଶାଶୁଙ୍କର ଆଜ୍ଞାଧିନ ବେକାର ପୁତ୍ର । ବେକାର କହିଲେ ଅତ୍ୟୁକ୍ତି ହେବ । ମୋ ସ୍ୱାମୀ ମାନସଙ୍କର ଚାକିରୀ ଦରମାର ଅଧିଶ୍ୱର । ମୋ ଶାଶୁଙ୍କ ସେକ୍ରେଟାରୀ । ଅଳ୍ପ ଲୋକ ମୋ ପରିବାରରେ । ହେଲେ ଦିନଯାକ ଖାଲି ଅଫିସ କାମ, ମାନେ ଚୁଗୁଲି-ଚପଟ, କଳିକଜିଆ, ପରନିନ୍ଦାରେ ଲିପ୍ତ । ଦିନକୁ ଦୁଇହଜାର ଥର ମୋ ବାପଘରକୁ ଗାଳିଗୁଲଜ । ଛିଗୁଲେଇ, ଦେଖେଇ ଶିଖେଇ କହିବା । ତେଣୁ ଗୋଟେ କିମ୍ଭୂତକିମାକାର ମଣିଷ ପାଲଟି ଯାଇଥିଲି ।
ଏହି ସମୟରେ ପୋଲିସ ଆସିବାର ଶବ୍ଦ ଶୁଣାଗଲା । ସମସ୍ତେ ଆଡେଇଗଲେ । ଏପଟ ସେପଟ ଟିକେ ବୁଲାବୁଲି କରି ମୋତେ ଉଠାଇ ନେଇଗଲେ । ସେତେବେଳେ ମୋ କୁନି ଝିଅଟି କାନ୍ଦିଉଠିଲା । ସତେ ଯେମିତି ସେ ଜାଣୁଥିଲା ମାମା ସବୁଦିନ ପାଇଁ ଛାଡି ଯାଉଥିଲା । । ସମ୍ପର୍କର ଡୋରି ଫିଟେଇ ମୁଁ ଡେଉଁଥିଲି ଏରୁଣ୍ଡିବନ୍ଧ । ଯେଉଁ ବନ୍ଧକୁ ଦୁଇ ପାଦରେ ନାଲିଅଳତା, ଝୁଣ୍ଟିଆ, ପାଉଁଜି ପିନ୍ଧି ଭିତରକୁ ଆସିଥିଲି । ଆଖିରେ ଆଖିଏ ସ୍ୱପ୍ନ, ଭରା ଯୌବନର ପ୍ରଥମ ସ୍ପର୍ଶରେ ଏକାନ୍ତ କରି ନେଇଥିଲି ମାନସ ମିଶ୍ରକୁ ।
ଭାଗ୍ୟର ବିଡମ୍ବନା ସେମାନେ ବୋହୁ ବଦଳରେ ଖୋଜୁଥିଲେ ଟଙ୍କା, ସୁନାରୂପା, ଆସବାବପତ୍ର । ସେ ଭଲ ପାଇବାର ମାନେ କିଛି ନଥିଲା, ମୋ ପ୍ରଥମ ପ୍ରବେଶର ପର୍ଯ୍ୟାୟରେ ମୁଁ ବୁଝି ନେଇଥିଲି, ଯେଉଁଦିନ ମୋ ଘରୁ ପୁଆଣି ଭାର ଆସିଥିଲା । ଭାରର ଚାରିପଟେ ଘେରି ବସି ତାଲିକା ପ୍ରସ୍ତୁତ କରି ଦାମ୍ ପକାଉଥିଲେ । , ଧନପିପାସୁ ଲୋକଙ୍କୁ ପାରୁ ପର୍ଯ୍ୟନ୍ତ ଆପଣାର କରିବାରେ ଲାଗିପଡିଲି ।
ହଠାତ୍ ଏହି ସମୟରେ ଜଣେ କହୁଥିଲା ଶବ ଉଠିଲା । ଗୋବର ପାଣି ମୁନ୍ଦାଏ ପକାଇଦିଅ । ପଛକୁ ଚାହିଁଲି । ଏବେ ତ ଘରଦ୍ୱାର ଓଳଉଥିଲି କିଛି କ୍ଷଣରେ ଶବ, ପୁଣି ଛୁଆଁ । କି ସଂସ୍କୃତି, କି ପରମ୍ପରା ।
ମୋ ଯିବା ରାସ୍ତାକୁ ବୋଉ ଅପଲକ ନୟନରେ ଚାହିଁଥିଲା । ଭେଁ କରି କାନ୍ଦି ଉଠିଲା ଯେପରି ସମୁଦ୍ର ଲହରୀ କୂଳଭାଙ୍ଗି ମହାପ୍ରଳୟରେ ସବୁ ଲୀନ କରିଦେବ । ମୋ ଝିଅର କାନ୍ଦରେ ବେଡରୁମକୁ ନେଲା କିଛି ଖୁଆଇବ ବୋଲି । ମୋ ଆଲମାରି ଖୋଲା ଦେଖି ଯାଇ ମୋ ବାହାଘର ପାଟ ଶାଢୀଟିକୁ ଧରି କୋହରି ହୋଇ କାନ୍ଦି ଉଠିଲା । ହଠାତ୍ ଖସି ପଡିଲା ମୋ ହାତ ଲେଖା ଚିଠି ।
ବୋଉଲୋ,
ତୁ ଏ ଚିଠି ପାଇଲା ବେଳକୁ ମୁଁ ଆଉ ନଥିବି । କେହି ତ ବୁଝିବେନି, ତୋ ଛଡା ଆଉ କାହାକୁ ଲେଖିବି । ଜାଣେନା ଏ ଚିଠି ତତେ ମିଳିବ କି ନାହିଁ... କିନ୍ତୁ ତୁ ଟା ଭାରି ମିଛେଇ । କହୁଥିଲୁ ପରା ... ଦେବା କାର୍ପଣ୍ୟ, ସେବା ବଳେ, କିବା ଅସାଧ୍ୟ ମହୀତଳେ ।
କିନ୍ତୁ ବହୁତ ସେବା କଲି, ତ୍ୟାଗ କଲି । କିଛି ତ ଫଳ ମିଳିଲା ନାହିଁ । ଶାଶୁଘରକୁ ମନ୍ଦିର,ଶାଶୁଶଶୁରଙ୍କୁ ଦେବତା, ଦିଅରକୁ ଭାଇ, ସ୍ନେହ ଦେବାରେ ଅବହେଳା କରିନି । କିନ୍ତୁ ସେମାନେ ତ ଟଙ୍କାର ଭାଷା ବୁଝନ୍ତି । ମାନସ ମଧ୍ୟ ସେହିଭଳି, ଗୋଟିଏ ମିନିଟରେ ମତ ପରିବର୍ତ୍ତନ କରି ତାଙ୍କର ବୋଉ କଥାରେ ବିଶ୍ୱାସ । ଅଫିସରୁ ଆସୁଆସୁ ମୋ ନାମରେ ଫେରାଦ । ମୁଁ ମୁଖୁରି, ଶୋଉଛି, ଖାଉଛି, କାମ କରୁନି ବହୁତ କିଛି । ସବୁଦିନ ସକାଳୁ ତୁମମାନଙ୍କ ବିଷୟରେ ଗାଳି । ତମେମାନେ ଛୋଟଲୋକ, ତୁମେ ଦେଇଥିବା ଫ୍ୟାନଟି ଉଷା କମ୍ପାନୀର ନୁହେଁ । ଗୋଦରେଜରୁ ଖୋଳପି ଛାଡିଲାଣି । ୱାସିଙ୍ଗ୍ ମେସିନ୍ ଅଟୋମେଟିକ୍ ନୁହେଁ । ପଣସ କାଠର ସୋଫାରେ ସେମାନେଙ୍କ ସମ୍ମାନ ଚାଲିଯାଉଛି । ତୁ ତୋ ଗହଣା ଭାଙ୍ଗି ଦେଇଥିବା ଚୁଡି ବ୍ରୋଞ୍ଚ । ମତେ ତୁମମାନଙ୍କୁ ଫେରାଇ ବ୍ରାଣ୍ଡେଡ୍ ଜିନିଷ ଆଣିବାକୁ କୁହାଗଲା । ଗଲା ଥର ମୁଁ ଯେଉଁ ଘରକୁ ଯାଇଥିଲି, ଖୁସିରେ ନୁହେଁ ଟଙ୍କା ପାଇଁ ଲୋ ବୋଉ । ତୁମମାନଙ୍କ ଅବସ୍ଥାରେ କିପରି କହିଥାନ୍ତି ?
ଯଦୁଆ ଡିହ ବନ୍ଧା ପକେଇ ମୋ ବାହାଘର କଲ । ସେଥିରେ ସରକାରୀ ଜୋଇଁ ଲୋଭରେ ତିନିଲକ୍ଷ ଟଙ୍କା ଯୌତୁକରେ । ଭାଇ ପାଇଁ କେବଳ ଘରଡିହ ଖଣ୍ଡକ ତ ଅଛି । ବାପାଙ୍କ ପେନସନରେ ଭାଇ ପାଠପଢା, ତୁମ ଦୁହିଁଙ୍କ ମେଡିସିନ୍, ବନ୍ଧୁବାନ୍ଧବ । ତା ଛଡା ବର୍ଷକର ପୁଆଣି, ଝିଅର ମାସିକିଆ ସବୁ ପରେ କେଉଁଠୁ ଟଙ୍କା ଆଣିବ ? ବାହାଘରର ତିନିମାସରେ ମୋ ଉପରେ ଅତ୍ୟାଚାର, ମାଡ, ଗାଳି ଆରମ୍ଭ । ଏପରିକି ଖାଇବା ବନ୍ଦ କରିଦିଅନ୍ତି । ଗୋରୁ ଭଳି ଖଟାନ୍ତି । ସବୁ ଈଶ୍ୱରଙ୍କ ଛାଡି ଉପରେ, ସମୟକୁ ଅପେକ୍ଷା କଲି । ହେଲେ କିନ୍ତୁ ମୋତେ କଣ ମିଳିଲା, ? ସମସ୍ତଙ୍କ ଇଚ୍ଛା ମମତା ସହିତ ମାନସଙ୍କର ବାହାଘର ଆଉ ମୋର ତ୍ୟାଗ । ମମତାର ଚାକିରୀ ହିଁ ଏମାନଙ୍କ ଲୋଭ । ତଥାପି ବି ସହିଲି କିନ୍ତୁ ମୋ ଉପସ୍ଥିତରେ ସେମାନଙ୍କ ଅବୈଧ ସମ୍ପର୍କର ବରଦାସ୍ତ କରିବା ସୀମା ବାହାରେ ଥିଲା । ମୋ ବେଡରୁମରେ ମମତାକୁ ଅସଂଯତ ଭାବେ ଦେଖି ମୁଁ ଅଣନିଃଶ୍ୱାସୀ ହୋଇ ଏ କାମ କରିବାକୁ ଯାଉଛି । ଦୋଷ ଦେବୁନି ବୋଉ ।
ଚିଠିଟି ପଢି ସାରିବା ପରେ ବୋଉ ସ୍ଥାଣୁ ହୋଇ ଯାଇଥିଲା । ମୋ ଝିଅର କାନ୍ଦ ଭିତରେ ବୋଉର ଲୁହ ମିଶି ଭିଜି ଯାଇଥିଲା ଚିଠି । ବୋଉ ଭାବୁଥିଲା ସବୁ ପାଠ ଶିଖେଇଲି, ହେଲେ କିପରି ତା ମନ ପଢିବାରେ ମୁଁ ପଛେଇଗଲି । ।