STORYMIRROR

Birakishore Nayak

Tragedy

4  

Birakishore Nayak

Tragedy

ମୁକ୍ତିର ଆନନ୍ଦ

ମୁକ୍ତିର ଆନନ୍ଦ

2 mins
327

  ଆଜି ରବିବାର |ପିଲାମାନଙ୍କର ମନରେ ବହୁତ ଖୁସି, ପ୍ରତି ରବିବାର ଦିନ ସଞ୍ଜ ବୁଡ଼ିଲେ ସାହିର ମାଳିନୀ ଜେଜେମାଆ ଗପ କହନ୍ତି ପିଲାମାନଙ୍କୁ |ସାହିର ସବୁ ପିଲା ରୁଣ୍ଡ ହୁଅନ୍ତି ସେଠି |

  ଆଜି ଆସି ବସିଲାପ ରେ ମାଳିନୀ ଜେଜେମାଆ କହିଲେ, ପିଲାମାନେ, ଆଜି ମୁଁ ଗପ କହିବିନି, ରାଜୁ ତା ଅଙ୍ଗେନିଭେଇଥିବା ଏକ ଘଟଣା କହିବ |ରାଜୁ ସାହିର ପିଲାଟିଏ, ଚଉଦ ବର୍ଷ ହେଲାଣି ତାକୁ |ରାଜୁ ଆରମ୍ଭ କଲା |

ସେଦିନ ସଞ୍ଜ ବେଳେ ମୁଁ ଆମ ଗାଁ ପୋଖରୀ ରାସ୍ତାରେ ବୁଲାବୁଲି କରୁଥିଲି, ମୋ ପାଖରେ ଆସି ଗୋଟେ ମୋଟରଗାଡି ଅଟକିଲା, ଡ୍ରାଇଭର ସହିତ ଆଉ ଜଣେ ଲୋକ ବସିଥିଲା, ମୋତେ ଆମସାହିର ଯଦୁକକାଙ୍କ ଘରଟା କେଉଁଠି ବୋଲି ପଚାରିଲେ, ମୁଁ ବାଟ ବତାଇଦେଲି, ହେଲେ ସେମାନେ କହିଲେ କି, ଆମ ଗାଡ଼ିରେ ବସ, ତାଙ୍କ ଘର ଦେଖାଇଦେବୁ |ମୁଁ ବି ଖୁସିରେ ବସିଗଲି |ସେମାନେ ଗାଁ ଭିତରକୁ ଗାଡି ନନେଇ ବହୁତ ଶୀଘ୍ର ଗାଁ ବାହାରକୁ ଛୁଟିଲେ, ମୁଁ କିଛି କହିବା ଆଗରୁ ମୋତେ ଗୋଟେ ରୁମାଲ ଶୁଂଘାଇ ଦେଲେ, ମୁଁ ଅଚେତ ହୋଇଗଲି ସାଙ୍ଗେ ସାଙ୍ଗେ |

ଯେତେବେଳେ ମୋ ଚେତା ଫେରିଲା, ଦେଖିଲି ଗୋଟେ ନିବୁଜ ଘରେ ଶୋଇଛି, ମୋର ହାତଗୋଡ଼ ବନ୍ଧା ହୋଇଛି |କାନ୍ଦିଲି ବହୁତ |କିଛି ସମୟ ପରେ ନିଶୁଆ ଲୋକଟାଏ ଆସିଲା, ପାଉଁରୁଟି ଗୋଟେ ଆଣିଥିଲା, ମୋର ଗୋଡ଼ହାତ ଖୋଲିଦେଲା ଏବଂ ଖାଇବାକୁ ପାଉଁରୁଟିଟା ଦେଲା |କାଲି ରାତିରୁ ଉପାସ ଥିବାରୁ ମୋତେ ଭୀଷଣ ଭୋକ ବି ଲାଗୁଥିଲା, ଖାଇଦେଲି |ମୋତେ ବାହାରକୁ ଆଣିଲା, ଦେଖିଲି ଚାରିପଟ ଉଚ୍ଚ ପାଚେରୀ, ଇଟା ସବୁ ତିଆରି ହେଉଛି, ମୋ ବୟସର ଦଶବାର ଜଣ ପିଲା ଇଟା ବୋହି ଗାଡ଼ିରେ ଲଦୁଛନ୍ତି, ଆଉ କେତେଜଣ ଇଟାଗୁଡିକୁ ଥାକ କରୁଛନ୍ତି, ମୋତେ ସେ ଲୋକଟା କହିଲା, ଯାଆ , ସେମାନଙ୍କ ସହ କାମ କର |ମୋତେ ଛାଡ଼ିଦେବାକୁ ବହୁତ କାକୁତି ମିନତୀ ହେଲି, ହେଲେ ଶୁଣିଲାନି ସିଏ, ବରଂ ଧମକ ଦେଲା, ଯଦି ଖସିଯିବାକୁ ଚେଷ୍ଟାକରୁ, ତେବେ ମାଡ଼ ଭରି ଆଠଣା ପଡ଼ିବନି କହି ଶକ୍ତ ଚାପୁଡ଼ାଟାଏ ପକାଇଲା |ମୁଁ ବହୁତ ଡରିଯାଇଥିଲି |ବାଧ୍ୟହୋଇ ସେଇ ପିଲାମାନଙ୍କ ସହିତ ମିଶି କାମ କଲି |ଏମିତି ସବୁଦିନ ଚାଲିଥାଏ |

   ମୁଁ ମନେମନେ ଭାବୁଥାଏ କେମିତି ଏଠୁ ମୁକୁଳିବି |ଦିନେ ଗୋଟେ ଟ୍ରକ ଆସିଲା ଇଟା ନେବାପାଇଁ, ତା ଡ୍ରାଇଭର ଜଣେ ଭଲଲୋକ ଭଳି ଲାଗୁଥିଲେ, ତାଙ୍କୁ ଏକାପାଇ ସବୁକଥା କହିଲି ଡରି ଡରି |ମୋତେ କିନ୍ତୁ କିଛି କହିଲେନି ସିଏ |ତାଙ୍କ ଗାଡିରେ ଇଟା ନେଇ ସେ ଚାଲିଗଲେ |ଭାବିଲି, ଏଠୁ ମୁକୁଳିବା ଅସମ୍ଭବ |ବହୁତ କାନ୍ଦ ଲାଗୁଥିଲା ମୋତେ |କିଛି ସମୟ ପରେ ଦେଖିଲି, ଦୁଇଟା ଗାଡ଼ିରେ ପୋଲିସମାନେ ଆସି ସେ ଇଟାଭାଟିକୁ ଘେରାଉ କରିଦେଲେ, ସବୁ ପିଲାମାନଙ୍କୁ ତାଙ୍କ ଗାଡ଼ିରେ ବସାଇଲେ, ଯେଉଁ ନିଶୁଆ ଲୋକଟା ଆମକୁ ମାରଧର କରି ଖଟାଉଥିଲା, ତାକୁ ବାନ୍ଧିପକାଇଲେ |ମୁଁ ଯେଉଁ ଟ୍ରକ ଡ୍ରାଇଭରଙ୍କୁ କହିଥିଲି, ସେ ମୋତେ ଦେଖି ହସିଲେ |

   ପୋଲିସମାନେ ଆମକୁ ଥାନାକୁ ଆଣିଲେ |ଆମ ଠାରୁ ଜଣଜଣ କରି ସବୁକଥା ଶୁଣିଲାପରେ ଆମ ଠିକଣା ପଚାରି ଆମକୁ ଘରକୁ ପଠାଇବାର ବ୍ୟବସ୍ଥା କଲେ |ସେଦିନ ମୁଁ ପୋଲିସ ଗାଡ଼ିରେ ବସି ଚାରିଆଡେ ଦେଖୁଥିଲି, ଆକାଶକୁ ଚାହୁଁଥିଲି, ପକ୍ଷୀମାନେ ମନଖୁସିରେ ଉଡୁଥିଲେ |ମୋ ମୁହଁରେ ବି ହସ ଭରିଯାଇଥିଲା, ମୁକ୍ତିର ଆନନ୍ଦ ମୁଁ ଅନୁଭବ କରୁଥିଲି |

   ରାଜୁଭାଇ କହିସାରିବା ପରେ ମାଳିନୀ ଜେଜେମା କହିଲେ, ଶୁଣ ପିଲାମାନେ, ତୁମେ ସବୁ ଯେଉଁ କଙ୍କି, ଭଅଁର ଆଦି ଧରି ଦିଆସିଲି ଖୋଳରେ ପୁରାଇ ଖେଳୁଛ, ସେଟା ବି ସେମାନଙ୍କ ପାଇଁ ଏକ ବନ୍ଦୀଜୀବନ |ବନ୍ଦୀରେ ବହୁତ କଷ୍ଟ, କିନ୍ତୁ ମୁକ୍ତିରେ ବହୁତ ଆନନ୍ଦ ଥାଏ |

   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy