ମୁଖା ପିନ୍ଧିଲା ଦୁନିଆଁ
ମୁଖା ପିନ୍ଧିଲା ଦୁନିଆଁ


ନିମି ଚାହିଁଲା ଝରକା ବାହାରକୁ I ସତରେ ଆଜି ଡାକ୍ତର ଅଙ୍କଲ ମ୍ୟାଜିକ ଅଙ୍କଲ କରିଛନ୍ତି I ଦୀର୍ଘ ପନ୍ଦର ଦିନ ହେଲା ସେ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏକ ଅସ୍ତ୍ରପଚାର ଲାଗି I କଣ ହୋଇଛି ତାକୁ କେହି କହି ନାହାନ୍ତି କିନ୍ତୁ ତାକୁ ସମସ୍ତଙ୍କ ଠାରୁ ଅଲଗାରେ ରଖା ଯାଇଛି I ସ୍କୁଲରେ ଅକସ୍ମାତ ତାକୁ ମୁଣ୍ଡ ବୁଲେଇଲା ଏବଂ ପରେ ପରେ ତାକୁ ବଡ ଡାକ୍ତରଖାନାକୁ ଅଣା ଯାଇଥିଲା I ସେଠି ରକ୍ତ ପରୀକ୍ଷା କଲା ପରେ ଡାକ୍ତର କହିଲେ ତାକୁ କୌଣସି ଏକ ପ୍ରକାର ରୋଗ ହୋଇଛି ଯେଉଁଥିଲାଗି ତାକୁ କିଛି ସମୟ ରହିବାକୁ ପଡିବ I ସୁଯୋଗ ଭଲ ମିଳିବାରୁ ଆଉ ତୁରନ୍ତ ଜଣେ ଡନର ମିଳବାରୁ ତାହାର ଚିକିତ୍ସା ତୁରନ୍ତ ଆରମ୍ଭ ହୋଇ ଯାଇଥିଲା I କୌଣସି ଏକ ପ୍ରକାର ଔଷଧ ଦିଆ ଯାଇଥିଲା ତାକୁ ଯାହା ଖାଇଲା ପରେ ବହୁତ ଦୁର୍ବଳ ହୋଇଯାଇଥିଲା , କିନ୍ତୁ ପରେ ପରେ ସୁସ୍ଥ ହେବାକୁ ଲାଗିଥିଲା I ଡାକ୍ତର ଅଙ୍କଲ କହିଲେ ଆଉ ଦୁଇ ତିନି ସପ୍ତାହ ପରେ ସିଏ ବାହାରକୁ ଯାଇ ପାରିବ I ସେହି ଅନ୍ଧାର କୋଠରୀରୁ ମୁକ୍ତି ମିଳିବ I କାଲି ଡାକ୍ତର ଅଙ୍କଲ ମୁଖାଟିଏ ଆଣି ଦେଇଥିଲେ I କହିଥିଲେ ବାହାରକୁ ଯିବାକୁ ହେଲେ ତାହାକୁ ପିନ୍ଧିବାକୁ ପଡିବ I ଏକ ପ୍ରକାର ଅଣନିଶ୍ଵାସୀ ହୋଇଯାଇଥିଲା ନିମି I ଜିଦ କରିଥିଲା ସିଏ ପିନ୍ଧିବ ନାହିଁ ସେ ମୁଖା I ସମସ୍ତେ ବୁଝେଇଥିଲେ କିନ୍ତୁ ନିମିର ଯୁକ୍ତି ହେଲା, ଯଦି ଆଉ କେହି ପିନ୍ଧୁନାହାନ୍ତି ସିଏ କାହିଁକି ପିନ୍ଧିବ? ଡାକ୍ତର ଅଙ୍କଲ କାଲି ବହୁତ ବୁଝେଇଥିଲେ,ନିମି ଯେଉଁ ଚିକିତ୍ସା ନେଉଛି ତାହା ଦ୍ୱାରା ବାହ୍ୟ ପଦାର୍ଥ ଏବଂ ଜୀବାଣୁକୁ ପ୍ରତିରୋଧ କରିବାର କ୍ଷମତା ବହୁତ କମ, ହୋଇଯାଇଛି I ତେଣୁ କୌଣସି ପ୍ରକାର ଅଣୁ ଜୀବକୁ ତାହାର ଶରିରକୁ ପ୍ରବେଶ କରିବାରୁ ରୋକିବାକୁ ହେବ I ସେଥି ପାଇଁ ତାକୁ ମୁଖ ପିନ୍ଧିବା ସହିତ ସମ୍ପୂର୍ଣ୍ଣ ଶରୀରକୁ ଢାଙ୍କିବାକୁ ପଡିବ I ନିମି କିନ୍ତୁ ଜିଦ ଧରିଛି ସିଏ ମୁଖା ପିନ୍ଧି ବାହାରକୁ ଯିବା ନାହିଁ, ନଚେତ ତାହାର ସାଙ୍ଗ ମାନେ ସବୁ ତାକୁ ଥଟ୍ଟା କରିବେ I
ଆଜି ସକାଳେ କିନ୍ତୁ ଡାକ୍ତର ଅଙ୍କଲ ନିମିକୁ ବୁଝାଇ ପାରିଛନ୍ତି I ସିଏ ନିମି ସହ ସର୍ତ୍ତ ରଖିଛନ୍ତି, ଯଦି ସିଏ ନିମିକୁ ଝରକା ବାହାରୁ ଦେଖେଇଦେବେ ଯେ ଦୁନିଆଁ ସାରା ମୁଖ ପିନ୍ଧିଛି, ନିମି ମୁଖା ପିନ୍ଧିବ I ନିମି ଜାଣିଛି ଏହା ସମ୍ଭବ ନୁହଁ, ଡାକ୍ତର ଅଙ୍କଲ କଣଆଉ ଯାଦୁଗର କି? ତେଣୁ ସିଏ ସର୍ତ୍ତରେ ରାଜି ହୋଇଗଲା I କିନ୍ତୁ ଝରକାର ପର୍ଦ୍ଦା ଖୋଲି ଡାକ୍ତର ଅଙ୍କଲ ଦେଖେଇଦେଲେ ଚମତ୍କାର I ଆଶ୍ଚର୍ଯ୍ୟଯ ହୋଇଗଲା ନିମି I ସହର ଶୁନଶାନ ପଡିଛି ଆଉ କାଁଭାଁ ଲୋକ ଦେଖାଯାଉଛନ୍ତି I କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ସମସ୍ତେ ମୁଖା ପିନ୍ଧିଛନ୍ତି I ହସ୍ପିଟାଲରେ ଭର୍ତି ହେବ ଭିତରେ ଆଉ ବାହାରିବା ଭିତରେ ଯେମିତି ସଂସାରଟା ବଦଳି ବଦଳି ଯାଇଛି I କିନ୍ତୁ କଥା ତ ରଖିବାକୁ ହେବ! ନିମି ମୁଖାଟିକୁ ପିନ୍ଧିଲା ଆଉ ଦେଖିବାକୁ ଲାଗିଲା ଦର୍ପଣରେ ତାହାର ରୁପକୁ I
ମୁଖା ଟି ପିନ୍ଧୁ ପିନ୍ଧୁ ନିମି କାନରେ ପଡିଲା ବାରଣ୍ଡାରେ ଥିବା ତାହାର ବାପା ଆଉ ଡ଼ାକ୍ତର ଅଙ୍କଲଙ୍କ କଥା,' ଆପଣ ଠିକ ସମୟରେ ତାକୁ ଆଣିଲେ ଆଉ ତାହାର ଭାଗ୍ୟ ମଧ୍ୟ ସଙ୍ଗେ ସଙ୍ଗେ ମ୍ୟାଚିଙ୍ଗ ହେଇଗଲା ବ୍ଲଡ଼ ଗୃପ ଏବଂ ତାହାକୁ ଅସ୍ଥି ମଞ୍ଜ ରୋପଣ କରା ଯାଇ ପାରିଲା I ଏହି ପ୍ରକାର କର୍କଟ ରୋଗ ଶୀଘ୍ର ଜଣା ପଡ଼ି଼ଲ ପୁରା ଠିକ ହୋଇଯାଏ I ସିଏ ସମ୍ପୂର୍ଣ୍ଣ ଭାବରେ ଭଲ ହେଇଯିବ ବୋଲି ମୋର ଆଶା, କିନ୍ତୁ ତାକୁ କିଛି ମାସ ପର୍ଯ୍ୟନ୍ତ ସୁରକ୍ଷିତ ରହିବାକୁ ପଡିବ ସମସ୍ତ ପ୍ରକାର ଜୀବାଣୁ ଠାରୁ I ମୁଖାଟିଏ ପିନ୍ଧିବାକୁ ପଡିବ ବାହାରକୁ ବାହାରିଲେ I
"କିନ୍ତୁ ନିମି ମନା କରୁଛି, ସିଏ ଭାରି ଜିଦିଆ", ତାହାର ବାପା କହିଲେ I
"ସିଏ ମାନି ଯାଇଛି," ଡାକ୍ତର ଅଙ୍କଲ କହିଲେ I
"କେମିତି କରିଲେ ଆପଣ ଏହି ଚମତ୍କାର?" ବାପା ପଚାରିଲେ I
"ମୁଁ କିଛି କରିନି, ସବୁ ସେହି ଜଗନାଥଙ୍କ ଇଛା, ଏ ସଂସାରଟା ସାରାକୁ କଣ ମୁଁ ମୁଖା ପିନ୍ଧେଇ ପାରିଥାନ୍ତି କି ନିମି ପାଇଁ?" ଡାକ୍ତର ଅଙ୍କଲ କହୁ କହୁ ଚାଲିଗଲେ I ବାପା ଙ୍କ ଆସିବା ପାଦଶବ୍ଦ ଶୁଣି ନିମି ମୁଖାଟିକୁ ଆଉ ଟିକେ ବାଗେଇ ଦେଲା I ଆଜି ସିଏ ଭଲ ପିଲା ହେଇଯିବ ବାପାଙ୍କ ଆଗରେ I