STORYMIRROR

Sunanda Mohanty

Tragedy Inspirational

3  

Sunanda Mohanty

Tragedy Inspirational

ମରୁଡ଼ି

ମରୁଡ଼ି

2 mins
116

ସିଆରସିସି ଆସି ବସିଛନ୍ତି ରେପୋର୍ଟ ନେବେ। ଆଜିର ଉପସ୍ଥାନ କେଉଁ କ୍ଲାସରେ କେତେ, ତ ବେଲ ମାରି ବଡଗୁରୁମା ଡକାଇଲେ ଲେଡୀ ପିଅନ, ଲିନା ମାଉସୀଙ୍କୁ, ଆଉ ସବୁ କ୍ଲାସ ଟିଚରଙ୍କଠୁ ବୁଝିଆସ କେଉଁ କ୍ଲାସରେ କେତେ ପିଲା, ରିପୋଟ ଯିବ। କିଛି ସମୟ ପରେ ଲିନା ମାଉସୀ ଆସି କହିଲା, ଆଜ୍ଞା ଆଜି ସବୁ କ୍ଲାସ ରେ ମରୁଡି। ବିରକ୍ତ ହୋଇ ବଡ ଗୁରୁମା କହିଲେ ସବୁ କ୍ଲାସ ଟିଚର ଙ୍କୁ ଡାକ, ଅଫିସ କୁ, ତ ସମସ୍ତେ ଆସି କହିଲେ ମାଡାମ୍ ଆଜି ସବୁ କ୍ଲାସ୍ ରେ ମରୁଡି। ଆରେ ସଂଖ୍ୟାରେ କୁହ, ମରୁଡି କଣ???

ନିଜେ ବଡଗୁରୁମା ଉଠିଗଲେ ଚଉକିରୁ, ଆଉ ବୁଲି ଆସିଲେ ଷଷ୍ଠ ଠୁ ଦଶମ ପର୍ଯ୍ୟନ୍ତ, ପ୍ରକୃତରେ ମରୁଡି। ଆସିଥିବା ଗୋଟେ ଦିଟା ପିଲାଙ୍କୁ ଠିଆକରି, ପଚାରିଲେ ବଡ ଗୁରୁମା, କହିପାରିବ ପିଲାଏ ଆଜି ଏତେ ସବୁ ପିଲା କାହିଁକି ଆସିନାହାନ୍ତି?? ଆସିଥିବା ପିଲାଏ କହୁଥିଲେ, ସେମାନଙ୍କ ଘରେ ପାଣି ନାହିଁ, କାହାର କୂଅ ଶୁଖି ଯାଇଛି, କାହା ଗାଁର ନଦୀରେ ପାଣି ନଥିବାରୁ, ସେମାନେ ଡ୍ରେସ ସଫା କରିପାରିନାହାନ୍ତି, ପୁଣି କେତେକଙ୍କ ଘରେ ରୋଷେଇ ବାସ ବି ପାଣି ବିନା ନାହିଁ। ଆମ ଅବସ୍ଥା ମଧ୍ୟ ସେମିତି, ହେଲେ ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ପାଣି ପିଇ ଘରକୁ ଗଲାବେଳେ ଦୁଇ ବୋତଲ ନେଇକି ଯିବୁ ବୋଲି ଖାଲି ଆସିଛୁ। ମୁଣ୍ଡରେ ହାତମାରି ବଡ଼ ଗୁରୁମା ସେଦିନ ଅନୁପସ୍ଥିତିର କାରଣ କଣ କହିଲେ କେମିତି ସିଆରସିସିଙ୍କୁ ବିଦା କଲେ କେଜାଣି, ସମସ୍ତେ ସେହି କଥା ଗୁପଚୁପ ହେଉ ହେଉ ଚାରିଟା।

ଘରକୁ ଫେରି ସ୍ଵାମୀଙ୍କୁ ପଚାରିଲେ ବଡ଼ ଗୁରୁମା କଣ ଗାଁ କୁ ଯାଇଥିଲ , ମାଣଧାନ ଜାଉ ଖାଇବାକୁ ଖାଇଲ, ସମସ୍ତେ ଆସିଥିଲେ? ଇତ୍ୟାଦି ଅନେକ ପ୍ରଶ୍ନର ଉତ୍ତରରେ, ସ୍ୱାମୀ କହୁଥିଲେ, କେହି ଆସିନଥିଲେ, ଘରେ ମରୁଡି। ମାନେ? ମାନେ ଆଉ କଣ, ଜମି ଯେମିତି ଫାଟି ଆଁ କରିଛି, କୂଅ ପୋଖରୀ ଗାଡିଆ ଯେମିତି ମରୁଡିଗ୍ରସ୍ତ, ସେମିତି ଘର ଅବସ୍ଥା। ଆରେ ଜଳ ବିହୁନେ ସର୍ବନାଶ ହୋଇ ସିନା ମରୁଡି ଯୋଗୁଁ, ପିଲାମାନଙ୍କର ଉପସ୍ଥିତି ଆଜି ମରୁଡି ସଦୃଶ ଥିଲା, ଘର ଅବସ୍ଥା ମଧ୍ୟ ସେମିତି।

ତୁମେ ଯେମିତି ଛୁଟି ନନେଇ ସ୍କୁଲ କଥା ବୁଝିବାକୁ ଗାଁ କୁ ଗଲନି, ସେମିତି କାହାର ଅଫିସ ତ କାହା ପୁଅ ବେମାର ତ କାହା ଝିଅର ପରୀକ୍ଷା ଦର୍ଶାଇ, କେହି ଆସିଲେନି, ତ ଘର ମରୁଡ଼ି। ଏମିତି ଆଜିକାଲି ସବୁ ମଣିଷ, ପରମ୍ପରା ସଂସ୍କୃତି ଭୁଲି ଯାଉଛି, ଦିନଟେ ଫୁରସତ ମିଳୁନି, ଋତୁମାନେ ବି ବାଟ ହୁଡିଯାଉଛନ୍ତି, ସ୍ଵାମୀଙ୍କ ଅନର୍ଗଳ ଭାଷଣ ବନ୍ଦ ନହେବା ଦେଖି, ଚା କରି ଆଣୁଛି କହି ଉଠିଗଲେ ବଡ ଗୁରୁମା। ସ୍ଵାମୀଙ୍କ କଥାଟା କିନ୍ତୁ ମନରେ ଆଉଟୁ ପାଉଟୁ ହେଉଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy