STORYMIRROR

Biswaranjan Mohanty

Tragedy

4  

Biswaranjan Mohanty

Tragedy

ମୃତ୍ୟୁର କୋଳରେ

ମୃତ୍ୟୁର କୋଳରେ

3 mins
190


ବୈଶାଖ ମାସରେ ପ୍ରଚଣ୍ଡ ରୁଦ୍ରତାପ l ସକାଳର ସୂରୁଜ ବି ଜଳନ୍ତା ନିଆଁ ପିଣ୍ଡଟେ ପରି ଦିଶୁଛି l ସେଦିନ ସନିଆ ବିଲକୁ ହଳ ନେଇଯିବ l ତେଣୁ ବେଗି ବେଗି କଣ ଦି ଟା ଖାଇଦେଇ ଗୁହାଳକୁ ଗଲା l ବଳଦଙ୍କୁ କୁଣ୍ଡା ତୋରାଣି ଦେଲା l ଲଙ୍ଗଳ ପାଞ୍ଚଣ ଧରି ବଳଦ ଠିଆ କଲା l ସନିଆ ଘରୁ ଯାଉ ଯାଉ ତା ସ୍ତ୍ରୀ କୁ ଗୋଟେ ହାଂକ ମାରି କହିଲା -ଦି ଘଡ଼ିକୁ ମୁନ୍ଦେ ପାଣି ନେଇ ବିଲକୁ ଯିବୁ l ମୁଁ ଆଜି ଭେଡାକୁ ଯାଉଛି l 

ସନିଆ ର ସ୍ତ୍ରୀ ପାଟିକରି ହଁ ଟେ ମାରିଲା l ସନିଆ ଏଥର ଟକଳାଟେ ଫୁଟାଇ ବଳଦ ଅଡେ଼ଇଲା l ତାପରେ ଚାଲିଲା ଭେଡାକୁ l ବିଲ ମୁଣ୍ଡରେ ପହଞ୍ଚୁ ପହଞ୍ଚୁ ଖରା ଭାରି ଟାଣ ହେଲାଣି l ସନିଆ ଦୁଇ ବଳଦଙ୍କ ସହ ଲଙ୍ଗଳ ଜୋଚିଲା l ହଳ ଆରମ୍ଭ ହେଲା, ଖରାଟିଆ ଚାଷ ଭାରି କଷ୍ଟ ବିଲ ଶୁଖି ଆଁ କରିଥାଏ l କଷ୍ଟେ ମଷ୍ଟେ ବିଲରେ ଦୋରେ ହଳ ବୁଲେଇଦେଲା l ସେତେବେଳକୁ ଅସହ୍ୟ ଖରା l ଦେହ ମୁଣ୍ଡ ପୋଡି ପକାଉଥାଏ l ହେଲେ ଭେଡାରେ କୋଉଠି ଟିକେ ବସିବାକୁ ଛାଇ ନାହିଁ l ଦୂର ଦୂର ପର୍ଯ୍ୟନ୍ତ ପ୍ରସସ୍ଥ ପଡିଆ ଭୂଇଁ ବେଣାମଣି, ସେଇ ବେଣାମଣି ପାଖରେ ଟିକିଏ ବସିପଡିଲା l ସେତେବେଳକୁ ସନିଆକୁ ଭାରି ଶୋଷ ହେଲାଣି l ମୁଣ୍ଡଫଟା ଖରାରେ ଭାରି ହାଲିଆ ଲାଗିଲାଣି l 

ପାଣି ନେଇ ଆସିବାକୁ କହିଥିଲା ଯେ ଏଯାଏ ପାଣିର ଦର୍ଶନ ନାହିଁ l ଆଉ ଦୋରେ ହଳ ବୁଲେଇ ଦେବ ଏହା ଭାବି ସେ ତା କାମରେ ଲାଗିଗଲା l ଗୋଟିଏ ହାତ ଲଙ୍ଗଳ କଣ୍ଟି ଉପରେ ପଡିଥାଏ l ଆଉ ଆର ହାତରେ ପାଞ୍ଚଣରେ ବଳଦ ଘଉଡଉଥାଏ l ଟିକିଏ ହଳ କରିଛି କି ନାହିଁ ସନିଆକୁ ଭାରି ଶୋଷ କଲା l ତା ପାଟି ଅଠା ହୋଇଗଲା l ଦେହ ହାତ ଅବଶ ଲାଗିଲା l ଚାରିଆଡ଼କୁ ଚାହୁଁଥାଏ l ଆଉ କିଏ ହଳ ନେଇ ଆସିଥିଲେ ତା ପାଖରୁ ମୁନ୍ଦେ ପାଣି ପିଇ ଦେଇ ଆସିବ ହେଲେ ସେଦିନ ଭେଡାକୁ କେହି ହଳ ନେଇ ଆସି ନଥାନ୍ତି l 

ଚାରିଆଡେ ଖାଲି ହରିଣ ନାଚିଲା ପରି ଦିଶୁଥାଏ l ପୁଣି ସନିଆ ବିଲ ସାରିବା ନିଶାରେ ହଳ କଲା l ମଝିରେ ମଝିରେ ଗାଁ ଆଡକୁ ଚାହୁଁଥାଏ l ପାଣି ଆଣିଲା ନା ନାହିଁ l ଠିକ ସେହି ସମୟରେ ସନିଆ ସ୍ତ୍ରୀ ଦୂରରୁ ସନିଆ ପାଇଁ ପାଣି ଆଣି ଆସିବାର ଦିଶିଲା l ସନିଆର ଶୋଷ ଏଥର ଦଶଗୁଣ ବଢିଗଲା l ସନିଆ ସ୍ତ୍ରୀ ଯେତିକି ପାଖକୁ ଆସୁଥାଏ ସନିଆର ଶୋଷ ସେତିକି ବଢ଼ିବାରେ ଲାଗିଥାଏ l ଶେଷରେ ସନିଆ ଆଉ ସମ୍ଭାଳି ପାରିଲାନାହିଁ l ତାକୁ ଏତେ ଶୋଷ ଲାଗିଲା ଯେ ହଳ ଛାଡି ସନିଆ ତା ସ୍ତ୍ରୀ ଆଡକୁ ପାଣି ପିଇବାକୁ ଧାଇଁଲା l ହାତରେ ଥାଏ ତା ହଳୁଆ ପାଞ୍ଚଣ, ସନିଆ ସ୍ତ୍ରୀ ଦେଖିଲା ସନିଆ ତା ଆଡକୁ ପାଞ୍ଚଣ ଧରି ଆସୁଛି l ସନିଆକୁ ପାଞ୍ଚଣ ଧରି ଦୌଡୁଥିବାର ଦେଖି ତା ସ୍ତ୍ରୀ ଭାବିଲା ଇଏ ଆଜି ପାଣି ପାଇଁ କହିଥିଲା, ମୋ ଆସିବା ଟିକେ ଡେରି ହୋଇଗଲା l ସେଥିପାଇଁ ବୋଧେ ମୋତେ ମାରିବାକୁ ଆସିଛି l ଆଜି ମୋତେ ଜୀବନରୁ ମାରିଦେବ l

ସନିଆ ଟିକେ ପାଖେଇ ଆସିଲା ଟୋପେ ପାଣି ପାଇଁ ସନିଆ ସେତେବେଳକୁ ଶେଷ ନିଶ୍ୱାସ ରେ ଧାଇଁଥାଏ l ହାତରେ ହଳୁଆ ପାଞ୍ଚଣ, ତା ସ୍ତ୍ରୀ ପ୍ରାଣ ବିକଳରେ ସେଇଟି ପାଣି ନୋଟାଟା ଥୋଇଦେଇ ଦୌଡିଲା l ତରବରରେ ସନିଆ ସ୍ତ୍ରୀ ପାଣିନୋଟା ଟି ଥୋଉ ଥୋଉ ବିଲର ମଟାଳ ମାଟିରେ ନୋଟା ଟା ଗଡ଼ିଗଲା l ନୋଟାର ସବୁ ପାଣି ବୋହି ମାଟିରେ ମିଶିଗଲା l ସନିଆ ପାଣି ପିଇବାକୁ ଡହଳ ବିକଳ ହୋଇ ସେଇ ଭିଜା ମାଟିରେ ମୁହଁ କାମୁଡି ପଡିଲା ତା ତଣ୍ଟି ଓଦା କରିବାକୁ, ହେଲେ ଟୋପାଏ ପାଣି ବି ତାକୁ ମିଳିଲାନି l ପାଣି ପାଇଁ ତା ପ୍ରାଣ ସେଇଠି ଛାଡିଗଲା l ତାପରେ ସନିଆ ସ୍ତ୍ରୀ ଏହା ଦେଖି ଛାତି ଫଟେଇ ଚିତ୍କାର କଲା l ଏହି କରୁଣ ଚିତ୍କାର କାହାକୁ ଶୁଭୁନଥିଲା ସେ ନିଛାଟିଆ ଭେଡାରେ କେବଳ ନିଜର କରୁଣ କ୍ରନ୍ଦନର ପ୍ରତିଧ୍ୱନି ନିଜକୁ ହିଁ ଶୁଭୁଥିଲା l 




Rate this content
Log in

Similar oriya story from Tragedy